Unknown

 

 

 

 

 

 

 

ଆନ୍ନା ସିଓ୍ୱେଲ

ବ୍ଳାକ୍‌ ବିଉଟି

 

ଅନୁବାଦିକା

ଶ୍ରୀମତୀ କନକ ମିଶ୍ର

 

ମୁଖଶାଳା

 

ବିଶିଷ୍ଟ ଇଂରାଜୀ ଲେଖିକା ଆନ୍ନା ସ୍ୱିୱେଲଙ୍କ ‘ବ୍ଲାକ ବିୟୁଟି’ ବିଶ୍ୱରେ ଏକଦା ଚହଳ ସୃଷ୍ଟି କରିଥିବା ଏକ ସମାଦୃତ ଉପନ୍ୟାସ । ମାନବେତର ପ୍ରାଣୀମାନଙ୍କ ପ୍ରତି ସମ୍ବେଦନଶୀଳତା ଏହି ଉପନ୍ୟାସର ସାରାଂଶ । ବିଭିନ୍ନ ଭାଷାରେ ଅନୁଦିତ ହୋଇ ଏହି ପୁସ୍ତକଟି ପୃଥିବୀର ବିଭିନ୍ନ ଦେଶର ପାଠକ/ପାଠିକାମାନଙ୍କ ନିକଟରେ ପହଞ୍ଚି ପାରିଛି । ଏହାର ଚଳଚ୍ଚିତ୍ର ରୂପ ମଧ୍ୟ ଦେଶ ଭିତରେ ପ୍ରଦର୍ଶିତ ହୋଇ ବିପୁଳ ଦର୍ଶକୀୟ ଆଦୃତି ଲାଭ କରିଛି ।

 

ଓଡ଼ିଶାର ଜଣେ ଜଣାଶୁଣା ଲେଖିକା ତଥା ଅନୁବାଦିକା ଶ୍ରୀମତୀ କନକ ମିଶ୍ର ଏହି ବିଶ୍ୱବିଖ୍ୟାତ ଉପନ୍ୟାସଟିର ଓଡ଼ିଆ ରୂପାନ୍ତର ବେଶ୍ ସାବଲୀଳ ଭାବରେ କରିଛନ୍ତି । ମୂଳ ରଚନାର ମୌଳିକତାକୁ ଅକ୍ଷୂର୍ଣ୍ଣ ରଖି, ଏହାକୁ ସେ ଓଡ଼ିଶାର ମାଟି, ପାଣି ଓ ପବନ ସହିତ ଯେମିତି ଏକାତ୍ମ କରିପାରିଛନ୍ତି, ତାହା ପ୍ରଶଂସନୀୟ ।

 

ବିଶ୍ୱ ପ୍ରସିଦ୍ଧ ପୁସ୍ତକର ଓଡ଼ିଆ ଅନୁବାଦ ଏବଂ ପ୍ରସିଦ୍ଧ ଓଡ଼ିଆ ପୁସ୍ତକଗୁଡ଼ିକ ଅନ୍ୟ ଭାଷାରେ ଅନୁବାଦ କରି ସେଗୁଡ଼ିକୁ ବିଶ୍ୱର ବିଭିନ୍ନ ଭାଷାଭାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛି ଓଡ଼ିଶା ସାହିତ୍ୟ ଏକାଡେମୀ । ସେହି କ୍ରମରେ ‘ବ୍ଲାକ ବିୟୁଟି’ ଓଡ଼ିଶାର ପାଠକ/ପାଠିକାମାନଙ୍କୁ ଭେଟି ଦେଇ ଓଡ଼ିଶା ସାହିତ୍ୟ ଏକାଡେମୀ ନିଜକୁ ଗୌରବାନ୍ୱିତ ମନେ କରୁଛି ।

 

ଶ୍ରୀମତୀ କନକ ମିଶ୍ର ବହୁ ଶ୍ରମ ସ୍ୱୀକାର କରି ପୁସ୍ତକଟିର ସ୍ୱଚ୍ଛଳ ଓଡ଼ିଆ ଅନୁବାଦ କରିଥିବାରୁ ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀ ପରିବାର ପକ୍ଷରୁ ତାଙ୍କ ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ କରୁଛି ।

 

ଆଶା, ପୁସ୍ତକଟି ସବୁ ବର୍ଗର ପାଠକ/ପାଠିକାମାନଙ୍କ ଶ୍ରଦ୍ଧା ଭାଜନ ହେବ ।

 

ବିଜୟ କୁମାର ନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

•••

 

ଅନୁବାଦିକାଙ୍କ କଲମରୁ...

 

ଉନବିଂଶ ଶତାବ୍ଦୀ (Victorian Era)ରେ ଇଉରୋପରେ ଯାତାୟତ ନିମିତ୍ତ ଘୋଡ଼ା ଗାଡ଼ି ଓ ଘୋଡ଼ାର ବହୁଳ ବ୍ୟବହାର ହେଉଥିଲା । ଗତି ନିୟନ୍ତ୍ରଣ ପାଇଁ ସେମାନଙ୍କ ପାଟିରେ ତୁଣ୍ଡୀ ବାନ୍ଧି, ଲଗାମ ଲଗାଇ, ଚାବୁକ୍ ଇତ୍ୟାଦିର ବ୍ୟବହାର କରି ଚାଳକ ଗାଡ଼ି ଚଳାଉ ଥିଲା । ଘୋଡ଼ା ମୂକ ପଶୁ, ଯେତେ କଷ୍ଟ ପାଇଲେ ମଧ୍ୟ ପ୍ରତିବାଦ କରିବାର ଶକ୍ତି ନଥିବା ଦେଖି ଲେଖିକାଙ୍କ ମନରେ ଗଭୀର କରୁଣା ଉଦ୍ରେକ ହୋଇଥିଲା ଏବଂ ତହିଁରୁ ଏ କାହାଣୀର ଜନ୍ମ ।

ଉପନ୍ୟାସ ‘‘ବ୍ଲାକ୍ ବିଉଟି’’ର ଲେଖିକା ଆନ୍ନା ସିୱେଲ (୧୮୨୦-୧୮୭୮) ଇଂଲଣ୍ଡର ନରଫକ୍‍ଠାରେ ଏକ ଧର୍ମାନୁଗତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ୧୪ ବର୍ଷ ବୟସରେ ସେ ତାଙ୍କ ଚଳତ୍‍ଶକ୍ତି ହରାଇଥିଲେ ମଧ୍ୟ ହତାଶ ଓ ବିମର୍ଷ ନ ହୋଇ ସାହସର ସହିତ ଏ ଅକ୍ଷମତାକୁ ସାମନା କରିଥିଲେ । ଏକ ସମୟରେ ଆନ୍ନା ନିଜେ ଘୋଡ଼ା ଗାଡ଼ିର ଚାଳିକା ହୋଇ ତାଙ୍କ ପିତାଙ୍କୁ ନେବା ଆଣିବା କରୁଥିଲେ ଏବଂ ସେହି ସମୟରେ ଅନେକ ମାଲିକ ଓ ଚାଳକମାନଙ୍କର ଘୋଡ଼ାମାନଙ୍କ ପ୍ରତି ନିଷ୍ଠୁରତା ତାଙ୍କୁ ଦୁଃଖ ଦେଉଥିଲା ।

ସେହି ବିଷୟରେ ସମାଜରେ ସଚେତନତା ଆଣିବା ପାଇଁ ସେ ସ୍ୱୟଂ ଘୋଡ଼ାର ମୁଖ ନିସୃତ ବାଣୀର ରୂପ ଦେଇ ତାର ଆତ୍ମଜୀବନୀ ଲେଖିବା ଆରମ୍ଭ କଲେ । ଯଦିଓ ପୁସ୍ତକଟି ପଶୁମାନଙ୍କ ପ୍ରତି ହେଉଥିବା ସାମାଜିକ ନ୍ୟାୟ, ଅନ୍ୟାୟକୁ ନେଇ ଲେଖା ଓ ଯେହେତୁ ଘୋଡ଼ା (ବ୍ଲାକ୍ ବିଉଟି)ର ଆତ୍ମକାହାଣୀ ଭାବେ ଏହା ଲିଖିତ, ପୁସ୍ତକଟି ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ପାଠକୀୟ ସ୍ୱୀକୃତି ଲାଭ କଲା । ଉପନ୍ୟାସର ସାରାଂଶ ଥିଲା- ମୂକ ପଶୁମାନଙ୍କ ସହିତ ମଣିଷମାନଙ୍କ ବ୍ୟବହାର ସ୍ନେହ ମମତା ସହିତ ହେଉ, ନିଷ୍ଠୁରତା ସହ ନୁହେଁ, ତାହାଦ୍ୱାରା ସେମାନେ ଅଧିକ କାର୍ଯ୍ୟକ୍ଷମ ହେବେ । ଏହି ପ୍ରକାର ସଚେତନତା ସୃଷ୍ଟି ନିମିତ୍ତ ଲେଖିକା କଲମ ଧରିଥିଲେ ।

ସେ ତାଙ୍କ ଲକ୍ଷ୍ୟରେ ବିଜୟିନୀ ହୋଇ ୧୮୭୮ ମସିହାରେ ଦେହତ୍ୟାଗ କରିଥିଲେ ମଧ୍ୟ ଏ ଉପନ୍ୟାସ ସେତେବେଳେ ଇଉରୋପୀୟ ସମାଜରେ ବିପୁଳ ଆଲୋଡ଼ନ ସୃଷ୍ଟି କରିଥିଲା ଓ ପରେ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲା ।

ଆମ ଦେଶରେ ମଧ୍ୟ ବ୍ଲାକ୍ ବିଉଟି ଶିଶୁ କିଶୋର ସାହିତ୍ୟ ହୋଇ ପାଠ୍ୟପୁସ୍ତକ ଭାବେ ପ୍ରଚଳିତ ହେଲା । ଏହି ଅଶ୍ୱ ‘ବ୍ଲାକ୍ ବିଉଟି’ର ଜୀବନ କାହାଣୀର ଚଳଚ୍ଚିତ୍ର ପ୍ରସ୍ତୁତ ହୋଇ ବିଶ୍ୱର ବହୁଦେଶରେ ପ୍ରଦର୍ଶିତ ମଧ୍ୟ ହୋଇସାରିଛି ।

ଆନ୍ନା ସିୱେଲ କେବଳ ଲେଖିକା ନଥିଲେ ସେ ମଧ୍ୟ ଜଣେ ଶିଳ୍ପୀ–ସେ ବିବାହ କରି ନଥିଲେ ।

ବିଖ୍ୟାତ ଆମେରିକାନ ଲେଖିକା ମେଗ୍‍ ରୋଜଫ୍ (Meg Rosoff )ଙ୍କ ଭାଷାରେ–

When you return to Black Beauty someday in the distant future (perhaps with children of you own) I predict that it will not be Anna Sewell’s voice you remember.

It will be his.

ସୁଦୂର ଭବିଷ୍ୟତରେ ପାଠକ ଯେତେବେଳେ ପୁଣି ଥରେ ଏ ପୁସ୍ତକ ପାଠ କରିବ, (ହୁଏତ ତାର ସନ୍ତାନମାନଙ୍କ ସହ) ସେ ଆଉ ଆନ୍ନା ସିୱେଲଙ୍କ ସ୍ୱର ଶୁଣିପାରିବ ନାହିଁ, ଶୁଣିବ ବ୍ଲାକ୍ ବିଉଟିର–ଏ ମୋର ଭବିଷ୍ୟତ ବାଣୀ ।

ଏହିପରି ଏକ ବିଶ୍ୱ ବିଖ୍ୟାତ ପୁସ୍ତକ (Black Beauty)ର ଅନୁବାଦ ଦାୟିତ୍ୱ ମୋତେ ଦିଆଯାଇଥିବାରୁ ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଧନ୍ୟବାଦ ଜଣାଉଛି ।

କନକ ମିଶ୍ର

ଅନୁବାଦିକା

•••

 

ସୂଚୀପତ୍ର

 

ପ୍ରଥମ ଭାଗ

୧.

ବାଲ୍ୟ ନିବାସ

୨.

ଶିକାର

୩.

ପ୍ରଶିକ୍ଷଣ

୪.

ବର୍ଟଉଇକ୍ ପାର୍କ

୫.

ଶୁଭାରମ୍ଭ

୬.

ସ୍ୱାଧୀନତା

୭.

ଜିଞ୍ଜର

୮.

ଜିଞ୍ଜରର କାହାଣୀ

୯.

ମେରିଲେଗ୍‌ସ

୧୦.

ବଗିଚାରେ ଗପସପ

୧୧.

ସରଳ-କଥ।

୧୨.

ଏକ ଝଡ଼ ଦିନରେ

୧୩.

ସଇତାନର କାର୍ଯ୍ୟ

୧୪.

ଜେମ୍‌ସ ହାଓ୍ୱାର୍ଡ

୧୫.

ପୁରାତନ ଘୋଡ଼ାଚାଳକ

୧୬.

ଅଗ୍ନିକାଣ୍ତ

୧୭.

ଜନ୍‌ ମ୍ୟାନ୍‌ଲି

୧୮.

ମାଲିକାଣୀଙ୍କ ଅସୁସ୍ଥତା

୧୯.

କେବଳ ଅଜ୍ଞତା

୨୦.

ଜୋ ଗ୍ରିନ୍‌

୨୧.

ବିଚ୍ଛେଦ

ଦ୍ୱିତୀୟ ଭାଗ

୨୨.

ଅର୍ଲସ।ଲ

୨୩.

ସ୍ବାଧୀନତା ପାଇଁ ଧର୍ମଘଟ

୨୪.

ଲେଡ଼ି ଆନ୍‌

୨୫.

ରିବେନ ସ୍ମିଥ୍‌

୨୬.

ପରିଣତି

୨୭.

ସ୍ଥାନାନ୍ତର

୨୮.

ଗୋଟାଏ ଭଡ଼ା ଘୋଡ଼ା ଏବଂ ତାର ଚାଳକଗଣ

୨୯.

ସହରୀ ଭଦ୍ରଲୋକ

୩୦.

ଚୋର

୩୧.

ପ୍ରତାରକ

ତୃତୀୟ ଭାଗ

୩୨.

ଅଶ୍ୱମେଳା

୩୩.

ମୋର ନୂତନ ମାଲିକ

୩୪.

ଏକ ବୃଦ୍ଧ ଯୁଦ୍ଧ ଅଶ୍ୱର କାହାଣୀ

୩୫.

ଜେରୀ ବାର୍କର

୩୬.

ରବିବାରର ଗାଡ଼ି

୩୭.

ସୁବର୍ଣ୍ଣ ନୀତି

୩୮.

ଡଲି ଏବଂ ଭଦ୍ରଲୋକ

୩୯.

ସିଡି ସାମ

୪୦.

ବିଚାରୀ ଜିଞ୍ଜର

୪୧.

ମାଂସ ବିକ୍ରେତା

୪୨.

ନିର୍ବାଚନ

୪୩.

ପ୍ରକୃତ ବନ୍ଧୁ

୪୪.

କ୍ୟାପ୍‌ଟେନ ଓ ତାର ଉତ୍ତରାଧିକାରୀ

୪୫.

ଜେରୀର ନବବର୍ଷ

ଚତୁର୍ଥ ଭାଗ

୪୬.

ଜେକ୍ସ ଏବଂ ଭଦ୍ରମହିଳା

୪୭.

ଦୁଃଖର ସମୟ

୪୮.

କୃଷକ ଥରଗୁଡ୍‌ ଓ ତାଙ୍କ ନାତି ଉଇଲି

୪୯.

ଶେଷ ଆଶ୍ରୟ

•••

 

 

 

 

 

 

 

 

 

 

 

 

ପ୍ରଥମ ଭାଗ

 

ବାଲ୍ୟ ନିବାସ

 

ଆମର ପ୍ରଥମ ବାସସ୍ଥାନ ଆଜି ବି ମୋର ବେଶ୍ ପରିଷ୍କାରଭାବେ ମନେପଡ଼େ-ଗୋଟିଏ ଚମତ୍କାର ଘାସପଡ଼ିଆ ଅର୍ଥାତ ଚରାଭୂଇଁ । ତା ଭିତରେ ଥିଲା ଏକ ସ୍ଵଚ୍ଛ ଜଳଭରା ପୁଷ୍କରିଣୀ, ଯାହାର ଚତୁର୍ଦ୍ଦିଗରେ ବହୁ ବଡ଼ବଡ଼ ଗଛ ତା ଆଡ଼କୁ ନଇଁପଡ଼ି ଥିଲେ । ପୁଷ୍କରିଣୀଟିର ଗଭୀର ପାର୍ଶ୍ଵରେ ସୁନ୍ଦର ଧଳା କଇଁଫୁଲ ଓ ଅନାବନା ଘାସ ଥିଲା । ଏହି ଚରାଭୂଇଁରେ ଥିବା ବାଡ଼ ଉପରୁ ଚାହିଁଲେ ଗୋଟିଏ ପଟେ ଚାଷଜମି ଓ ଅନ୍ୟପଟେ ଆମ ମାଲିକଙ୍କ ଘରର ଗେଟ୍‌। ଗେଟ୍‌ଟି ରାସ୍ତାପଟକୁ ଏବଂ ପଡ଼ିଆର ଉପରିଭାଗରେ ଫର୍‌ଗଛର ବଗିଚା, ନୀଚ ଭାଗରେ କୁଳୁ କୁଳୁ ନାଦରେ ଝରଣାଟିଏ ବହୁଥାଏ ।

 

ଖୁବ୍ ଛୋଟ ଥିଲାବେଳେ ମୁଁ କେବଳ ମାଆ ଖିର ଖାଇ ରହିଥାଏ, କାରଣ ସେତେବେଳେ ଘାସ ଚୋବେଇ ଖାଇବା ମୋ ପକ୍ଷରେ କଷ୍ଟକର ଥିଲା । ଦିନବେଳେ ମୁଁ ମାଆ ପାଖେପାଖେ ବୁଲେ ଓ ରାତିରେ ତା’ରି ପାଖରେ ଶୁଏ । ଗରମ ସମୟରେ ଆମେ ପୋଖରୀ ନିକଟର ଗଛଛାଇରେ ଠିଆହେଉ ଏବଂ ଶୀତ ହେଲେ ବଗିଚା ନିକଟରେ ଥିବା ଆମ ଉଷୁମ ଘୋଡ଼ାଶାଳଟିରେ ଶୋଉ ।

 

ତାପରେ ଧୀରେ ଧୀରେ ମୁଁ ଘାସ ଖାଇବାକୁ ଆରମ୍ଭ କଲି ଏବଂ ମୋ ମାଆ କାମ କରିବା ପାଇଁ ବାହାରକୁ ଯିବାକୁ ଲାଗିଲା । ଅବଶ୍ୟ ସନ୍ଧ୍ୟାବେଳେ ସେ ଫେରି ଆସୁଥିଲା ।

 

ଆମ ସହିତ ମୋ ଛଡା ଆଉ ଛଅଟି ଘୋଡ଼ାପିଲା ଥାଆନ୍ତି ସେମାନେ ମୋଠାରୁ ବଡ଼ । କେତେକ ବଡ଼ ଘୋଡ଼ାପରି ମଧ୍ୟ ଦେଖାଯାଉଥାନ୍ତି । ଆମେ ସମସ୍ତେ ସେଠି ଦୌଡ଼ି ଦୌଡ଼ି ବେଶ୍‌ମଜା କରୁ । ଦୌଡ଼ି ମଜା କରିବା ସହିତ ଆମେ ପରସ୍ପର ଠେଲାଠେଲି କାମୁଡ଼ାକାମୁଡ଼ି ମଧ୍ୟ ହେଉ ଓ ଖେଳୁ ।

 

ଦିନେ ଆମ ମଧ୍ୟରେ ଏଇ ଠେଲାପେଲା, କାମୁଡ଼ାକାମୁଡ଼ିଟା ଅତି ଜୋରରେ ହେବାରୁ ମୋ ମାଆ ମତେ ନିକଟକୁ ଡାକି କହିଲା ‘‘ମୁଁ ଆଜି ତୋତେ ଯାହା କହିବି ମୋର ଆଶା ତୁ ଭଲ ଭାବରେ ଶୁଣିବୁ । ଯେଉଁ ପିଲାଙ୍କ ସହ ତୁ ଖେଳୁଛୁ ସେମାନେ ଖୁବ୍‌ଭଲ ହେଲେ ମଧ୍ୟ ବୋଝାଇ ଗାଡ଼ି ଟାଣିବା ଘୋଡ଼ା ଏବଂ ସେଥିପାଇଁ ସେମାନେ ବ୍ୟବହାର ଶିଖି ନାହାନ୍ତି । ତୁ ଭଲ ପରିବାରର, ଅନ୍ୟ ଭାବରେ-ବଡ଼ ହୋଇଛୁ । ତୋ ପିତା ଏଇ ଅଞ୍ଚଳର ଜଣେ ବିଖ୍ୟାତ ଘୋଡ଼ା ଏବଂ ତୋ ଜେଜେ ବାପା ନିଉ ମାର୍କେଟରୁ ଘୋଡ଼ାଦୌଡ଼ରେ ଦୁଇବର୍ଷ କାଳ କପ୍‌ପାଇଥିଲେ । ତୋ ଜେଜେ ମାଆଙ୍କର ଚାଲିଚଳନରେ ଯେଉଁ ମଧୁରତା ରହିଥିଲା, ମୁଁ କାହାରି ନିକଟରେ ଦେଖିନାହିଁ । ଆଉ ମୋର ବିଶ୍ଵାସ ଯେ ମତେ ତୁ କେବେହେଲେ କାହାକୁ ଧକ୍କା ମାରିବା କାମୁଡ଼ିବା ଆଦି ଦେଖି ନଥବୁ । ତେଣୁ ମୁଁ ଆଶାକରୁଛି ଯେ ତୁ ଭୁଲରେ ବା ଥଟ୍ଟାରେ କେବେ ବି କାହାକୁ କାମୁଡ଼ିବୁନି ବା ଧକ୍କା ମାରିବୁନି ।’’

 

ସେହି ଦିନଠାରୁ ଆଜିଯାଏଁ ମୁଁ କେବେ ହେଲେ ମୋ ମାଆର ଉପଦେଶ ଭୁଲି ନାହିଁ । ମୁଁ ଜାଣିଥିଲି ଯେ ସେ ବୁଦ୍ଧିମତୀ ଏବଂ ବୟସ୍କା । ଏଥିପାଇ ଆମ ମାଲିକ ତାଙ୍କୁ ଖୁବ୍‌ଭଲପାଆନ୍ତି । ମାଆର ନାମ ଡଚେସ୍‌, ମାତ୍ର ସେ ତାକୁ ଗେହ୍ଲାରେ ‘ପେଟ୍‌’ ବୋଲି ଡାକନ୍ତି ।

 

ଆମ ମାଲିକ ଜଣେ ଭଲ ଦୟାବାନ ପୁରୁଷ । ସେ ଆମମାନଙ୍କୁ ଉତ୍ତମ ଖାଦ୍ୟ, ଭଲ ଘର ଦେଇଥିଲେ ଏବଂ ସର୍ବଦା ନରମ ଓ ମଧୁର କଥା କହନ୍ତି ଠିକ୍ ଯେମିତି ସେ ତାଙ୍କ ନିଜର ଛୋଟ ପିଲାଙ୍କୁ କହନ୍ତି । ଆମ ସମସ୍ତଙ୍କର ବି ସେ ଭାରି ପ୍ରିୟ, ମୋ ମାଆ ତ ତାଙ୍କୁ ଭାରି ଭଲପାଉଥିଲା । ତାଙ୍କୁ ଗେଟ୍‌ପାଖରେ ଦେଖିବା ମାତ୍ରେ ସେ ଖୁସିରେ ନାଚିବାକୁ ଆରମ୍ଭ କରିବ ଏବଂ ପାଖକୁ ଦୌଡ଼ିବ । ସେ ମଧ୍ୟ ତାକୁ ଆଉଁସି ଆଦର କରି କହିବେ ‘‘ଆଚ୍ଛା ବୁଢ଼ୀ ପେଟ୍‌ ତୋ ଛୋଟ ତାର୍କି କେମିତି ଅଛି ? ମୋର ରଙ୍ଗ ମଳିଚିଆ କଳା, ତେଣୁ ସେ ମତେ କାଳିଆ (ଡାର୍କି) ବୋଲି ଡାକନ୍ତି । ତାପରେ ମତେ ବେଶ୍‌ସ୍ଵାଦିଷ୍ଟ ପାଉଁରୁଟି ଖଣ୍ଡେ ଦିଅନ୍ତି । ବେଳେବେଳେ ମାଆ ପାଇଁ ଗାଜର ଖଣ୍ଡେ ବି ଆଣିଥାନ୍ତି । ଅବଶ୍ୟ ସବୁ ଘୋଡ଼ାମାନେ ତାଙ୍କ ପାଖକୁ ଆସିଲେ ବି ମୋର ମନେ ହୁଏ ଆମେ ଦୁହେଁ ହିଁ ତାଙ୍କର ପ୍ରିୟ ଥିଲୁ । ମୋ ମାଆ ପ୍ରତି ହାଟଦିନ ତାଙ୍କୁ ଗୋଟିଏ ଛୋଟ ଦିଜଣିଆ ଗାଡ଼ିରେ ଟାଉନକୁ ନିଏ।

 

ଡିକ୍ ନାମକୁ ଗୋଟିଏ ଚଷାପିଲା ସେଠି ଥିଲା । ବେଳେବେଳେ ସେ ଆମ ପଡ଼ିଆକୁ ଆସି ବାଡ଼ିରୁ କୋଳି ତୋଳେ । କୋଳି ଖାଇ ପେଟ ଭର୍ତ୍ତି ହୋଇଯିବା ପରେ ସେ ଘୋଡ଼ାପିଲାମାନଙ୍କୁ ବ୍ୟସ୍ତ କରି ମଜା କରେ । ଆମମାନଙ୍କ ଉପରେ ବାଡ଼ି ଆଉ ପଥର ଫୋପାଡ଼େ, ଆମମାନଙ୍କୁ ଦୌଡ଼ାଏ । ଦୌଡ଼ିବାରେ ଆମକୁ ବ୍ୟସ୍ତ ଲାଗୁ ନଥିଲା, କିନ୍ତୁ ଅନେକ ସମୟ ଟେକାପଥର ବାଜି ଦେହ ଖଣ୍ଡିଆଖାବରା ହୋଇଯାଉଥିଲା। ।

 

ଦିନେ ସେ ଆମମାନଙ୍କ ସହ ଏମିତି ପଥର ଫୋପାଡ଼ି ମଜା ନେଉଥିବା ବେଳେ ପାଖ ପଡ଼ିଆରୁ ଆମ ମାଲିକଙ୍କ ଦୃଷ୍ଟି ପଡ଼ିଗଲା । ଡିକ୍ ଅବଶ୍ୟ ମାଲିକଙ୍କ ଦେଖିବା ଜାଣି ପାରିନଥିଲା । ତେବେ ମାଲିକ ଖପ୍‌କରି ବାଡ଼ ଡେଇଁ ଆରପଟକୁ ଯାଇ ତାକୁ ଧରିଲେ ଏବଂ ଏତେ ଜୋରରେ ତା କାନ ମୋଡ଼ିଦେଲେ ଯେ କଷ୍ଟ ଓ ଆଶ୍ଚର୍ଯ୍ୟରେ ସେ ଚିତ୍କାର କରି ଉଠିଲା । ଆମେ ମାଲିକଙ୍କୁ ଦେଖିବା ପରେ କଣ ହେବ ଦେଖିବା ପାଇଁ ବାଡ଼ ପାଖକୁ ଆସିଲୁ । ସେ କହିଲେ ବଦ୍‌ମାସ୍‌ଛତରା ଟୋକା ! ମୋ ଘୋଡ଼ାମାନଙ୍କୁ ତୁ ହଇରାଣ କରୁଛୁ ? ଏଟା ପ୍ରଥମ କି ଦ୍ୱିତୀୟ ଥର ନୁହେଁ-ମାତ୍ର ନିଶ୍ଚୟ ଶେଷଥର । ଏଇ ଧର୍‌ତୋ ଟଙ୍କା, ଆଉ ପଳା । କେବେ ବି ଆଉ ମୋ କ୍ଷେତରେ ତତେ ଯେମିତି ମୁଁ ନ ଦେଖେ । ତାପରେ ଆମେ କେବେ ଡିକ୍‌କୁ ଦେଖି ଲୁନି । ବୁଢ଼ା ଡାନିଏଲ୍‌ ସେତେବେଳେ ଆମକୁ ଦେଖାଶୁଣା କରୁଥାଏ । ସେ ଠିକ୍ ଆମ ମାଲିକ ପରି ଭଦ୍ର । ତେଣୁ ଆମେ ଖୁବ୍‌ଆରାମରେ ରହୁଥିଲୁ ।

•••

 

 

ଶିକାର

 

ମତେ ସେତେବେଳକୁ ଦୁଇବର୍ଷ ବି ପୂରି ନଥାଏ, ଏପରି ଏକ ଘଟଣା ଘଟିଲା ଯେ ତାହା ମୁଁ ଆଜିଯାଏଁ ବି ଭୁଲିପାରି ନାହିଁ । ବସନ୍ତ ଋତୁର ଆରମ୍ଭ । ରାତିରେ ଟିକେ କୁହୁଡ଼ି ଓ ଘାସପଡ଼ିଆ ଓ ବଗିଚାଗୁଡିକରେ ସାମାନ୍ୟ ଶିଶିରପାତ ହୋଇଥାଏ । ଘାସ ପଡ଼ିଆର ନିମ୍ନଭାଗରେ ଆମେ ଘୋଡ଼ାଛୁଆମାନେ ଚରୁଥାଉ । ବେଶ୍‌ଦୂରରୁ ଆମ କାନରେ ହଠାତ୍ କୁକୁରମାନଙ୍କ ଚିତ୍କାର ପଡ଼ିଲା । ଆମ ଭିତରେ ଯିଏ ସବୁଠୁ ବଡ଼ ସେ ମୁଣ୍ଡ ଉଠେଇ କାନେଇଲା । କହିଲା ‘‘ଶିକାରୀ କୁକୁରଙ୍କ ଗର୍ଜନ’’ ସଙ୍ଗେ ସଙ୍ଗେ ସେ ଆରପଟକୁ ଦୌଡ଼ିବାକୁ ଲାଗିଲା ଏବଂ ଆମେ ସମସ୍ତେ ତା ପଛେ ପଛେ ଦୌଡ଼ିଲୁ । ବାଡ଼ଦେଇ ଆମେ ଆରପଟକୁ ଚାହିଁଲୁ । ମୋ ମାଆ ଏବଂ ତା ସହିତ ମାଲିକଙ୍କ ଚରୁଥିବା ଏକ ପୁରୁଣା ଘୋଡ଼ାଟି ବି ସେଠି ଠିଆ ହୋଇଥିଲେ ।

 

ସେମାନେ କଣ ଘଟିବାକୁ ଯାଉଛି ଜାଣି ପାରୁଥିବା ପରି ମନେ ହେଲା । ମୋ ମାଆ କହିଲା ‘‘ସେମାନେ ହରିଣଟେ ଦେଖୁଛନ୍ତି, ଯଦି, ଏ ପଟକୁ ଆସିବେ ଆମେ ଦେଖିପାରିବା’’ ।

 

ଏବଂ ଶୀଘ୍ର ସେମାନେ ଆମ ନିକଟସ୍ଥ କ୍ଷେତରେ ଗହମ ଗହଛଗୁଡ଼ିକୁ ମାଡ଼ି କୁଦି ଚାଲିଲେ । ସେମାନେ ଯେମିତି ଗୋଳମାଳ କରି ଶବ୍ଦ କରୁଥାନ୍ତି ମୁଁ ଆଗରୁ କେବେ ତାହା ଶୁଣି ନଥିଲି । ସେମାନେ ଭୁକୁ ନଥିଲେ, ଗର୍ଜନ କରୁ ନଥିଲେ ବା ହିଁ ହିଁ କରୁ ନଥିଲେ । କେବଳ ଖୁବ୍‌ଜୋରରେ ‘‘ୟୋ ୟୋ ଓ ଓ ୟୋ ୟୋ’ ଶବ୍ଦ କରୁଥିଲେ । ସେମାନଙ୍କ ପରେ ଅନେକ ସବୁ କୋଟପିନ୍ଧା ଲୋକ ଘୋଡ଼ାଚଢ଼ି ଖୁବ୍ ଜୋରରେ ସେମାନଙ୍କୁ ଦୌଡ଼େଇ ଦୌଡ଼େଇ ଆସିଲେ । କିନ୍ତୁ ତାପରେ ସେମାନେ ତଳପଟ ପଡ଼ିଆକୁ ଯାଇ ତାଙ୍କ ଗତି କମ୍‌କଲେ ଏବଂ ତାପରେ ସମ୍ପୂର୍ଣ୍ଣ ରହିଯିବା ପରି ମନେ ହେଲା । କୁକୁରମାନେ ଭୁକା ବନ୍ଦକରି ଇତସ୍ତତଃ ହୋଇ ଏପଟେସେପଟେ କେବଳ ତଳ ଶୁଙ୍ଘିଶୁଙ୍ଘି ବୁଲିବାରେ ଲାଗିଲେ ।

 

‘‘ସେମାନେ ଆଉ ବାସ୍ନା ପାଉନାହାନ୍ତି । ହରିଣଟି ବୋଧହୁଏ ଖସି ପଳେଇଲା’’- ମୋ ମାଆ କହିଲା ।

 

‘‘କୋଉ ହରିଣ ?’’- ମୁଁ ପଚାରିଲି ।

 

‘‘ଓହୋ ମୁଁ ଅବଶ୍ୟ କୋଉ ହରିଣ ଜାଣିନି । ମନେ ହେଉଛି ଆମ ଆମ ତୋଟାରୁ ଖସି ଗୋଟାଏ ତୋଟା ବାହାରକୁ ପଳେଇ ଥିଲା । ଅବଶ୍ୟ ଯେକୌଣସି ହରିଣ ଦେଖିଦେଲେ ହିଁ ସେମାନେ ଏମିତି ଗର୍ଜନ କରି ଦୌଡ଼ିବେ ଏବଂ ମଣିଷମାନେ ତାଙ୍କ ପଛେ ପଛେ ଦୌଡ଼ିବେ । ଅଳ୍ପ ସମୟ ପରେ କୁକୁରମାନଙ୍କର ୟୋ ୟୋ ଓ ଓ, ପୁଣି ଶୁଭିଲା ଏବଂ ସେମାନେ ସମସ୍ତେ ଆଉଥରେ ତୀବ୍ରଗତିରେ ଆମ ଘାସପଡ଼ିଆର ଯେଉଁପଟ ଝରଣାର କୂଳ ଉଚ୍ଚା ଓ ବାଡ଼ ରହିଛି ସେ ପଟକୁ ମାଡ଼ି ଆସିଲେ ।

 

‘‘ଏବେ ଆମେ ହରିଣଟିକୁ ଦେଖିପାରିବା,’’ ମୋ ମାଆ କହିଲା ।

 

ଠିକ୍ ସେତିକି ବେଳକୁ ଏକ ଅତ୍ୟନ୍ତ ଭୟାତୁର ହରିଣ ପବନ ବେଗରେ ବଗିଚା ଆଡକୁ ଦୌଡ଼ିଲା । କୁକୁରମାନେ ବି ଦୌଡ଼ି କୂଳଆଡ଼କୁ ଆସି ପାଣିଧାରରେ ଯାଇ ପଡ଼ିଆରେ ପହଞ୍ଚି ଗଲେ । ଛଅ କି ଆଠଜଣ ଲୋକ ଡେଇଁ କରି କୁକୁର ପାଖରେ ପହଞ୍ଚିଗଲେ । ହରିଣୀ ବାଡ଼ ଅତିକ୍ରମ କରି ଚାଲିଯିବାକୁ ଚେଷ୍ଟା କରୁଥାଏ । ବାଡ଼ଟା ଖୁବ୍‌ଘନ ଥିବାରୁ ସେ ରାସ୍ତା ଆଡ଼କୁ ପଳାଇବା ପାଇଁ ଖୁବ୍‌ଜୋରରେ ବୁଲିଗଲା । କିନ୍ତୁ ତାର ବିଳମ୍ବ ହୋଇଗଲା । କୁକୁରମାନେ ଭୀଷଣ ଚିତ୍କାରକରି ତାକୁ ଧରି ପକେଇଲେ । ଏହାପରେ ଏକ କରୁଣ ଚିତ୍କାର-ବାସ୍‌ସେତିକି ବୁଝିଲୁ ଯେ ହରିଣୀଟିର ପ୍ରାଣ ଗଲା । ଜଣେ ଶିକାରୀ ଘୋଡ଼ାରେ ଯାଇ କୁକୁରମାନଙ୍କୁ ଚାବୁକ ମାରି ଘଉଡ଼େଇ ଦେଲା । ନଚେତ୍‌ସେମାନେ ହରିଣୀଟିକୁ ଖଣ୍ଡ ଖଣ୍ଡ କରି ଦେଇଥାନ୍ତେ । ଗୋଟିଏ ଗୋଡ଼ ତହିଁରୁ ଧରି ରକ୍ତାକ୍ତ ହରିଣୀଟିକୁ ସେ ଦେଖାଇଲା । ସମସ୍ତ ଶିକାରୀଦଳ ଏହି ଦୃଶ୍ୟକୁ ଉପଭୋଗ କଲେ ।

 

ମୋ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ମୁଁ ତ ପ୍ରଥମେ ବୁଝିପାରୁ ନଥାଏ ଯେ ଝରଣାକୂଳେ ଏସବୁ କଣ ହେଉଛି । ତାପରେ ମୁଁ ଚାହିଁ ଏକ ଅତ୍ୟନ୍ତ କରୁଣ ଦୃଶ୍ୟ ଦେଖିଲି । ଦୁଇଟି ସୁନ୍ଦର ଘୋଡ଼ା ତଳେ ପଡ଼ିଛନ୍ତି । ଜଣେ ପାଣି ଭିତରୁ ଉଠିବା ପାଇଁ ଚେଷ୍ଟା କରୁଛି, ଅନ୍ୟଟି ଘାସ ଉପରେ ପଡ଼ି ଯନ୍ତ୍ରଣାକାତର ଆର୍ତ୍ତନାଦ କରୁଛି । ଚଢ଼ାଳୀମାନଙ୍କ ମଧ୍ୟରୁ ଜଣେ କାଦୁଅ ଦେହରେ ପାଣିରୁ ଉଠୁଛି, ଅନ୍ୟ ଜଣକ ନିଶ୍ଚଳ ହୋଇ ପାଣି ଭିତରେ ପଡ଼ି ରହିଛି ।

 

‘‘ତାଙ୍କ ବେକ ଭାଙ୍ଗି ଯାଇଛି’’ । ମୋ ମାଆ କହିଲା ।

 

‘‘ଠିକ୍‌ ହୋଇଛି ଭାଙ୍ଗିଛି’’, ଘୋଡ଼ାଛୁଆରୁ ଜଣେ କହିଲା । ମୁଁ ତାକୁ ସମର୍ଥନ କରିବା ବେଳକୁ ମୋ ମାଆ କହିଲା- ‘‘ନା ନା ସେମିତି କହିବା ଉଚିତ୍‌ ନୁହେଁ, ତେବେ ଗୋଟାଏ କଥା- ମୋର ଏତେ ବୟସ ହେଲା, ଦେଖିଦେଖି, ଶୁଣିଶୁଣି ସାଂସାରିକ ଅନୁଭୂତି ମଧ୍ୟ ବହୁତ ହେଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଏଇ ଗୋଟାଏ କଥା ମୁଁ ବୁଝିପାରି ନାହିଁ ଯେ ଲୋକମାନେ ଏଇ ଖେଳ (ଶିକାର)ଟାକୁ କାହିଁକି ଏତେ ଭଲପାନ୍ତି । ଏହାଦ୍ଵାରା ନିଜେ ଆହତ ହୁଅନ୍ତି, ଉତ୍କୃଷ୍ଟ ଘୋଡ଼ାମାନଙ୍କୁ ହରାନ୍ତି, ଶସ୍ୟଭରା କ୍ଷେତ ନଷ୍ଟ କରନ୍ତି-ସବୁ କେବଳ ଗୋଟିଏ ହରିଣୀ କିମ୍ବା ବିଲୁଆ ଅବା ବଡ଼ ମୃଗଟିଏ ପାଇଁ-ଯାହାକୁ କି ବେଶ୍‌ସହଜରେ ସେମାନେ ଅନ୍ୟ ଉପାୟରେ ବି ପାଇପାରନ୍ତେ । ଅବଶ୍ୟ ଆମେ କେବଳ ଘୋଡ଼ା ହୁଏତ ବୁଝିପାରୁନୁ ।

 

ମୋ ମାଆ ଏକଥା କହିବାବେଳେ ଆମେ ସବୁ ଠିଆହୋଇ ଚାହିଁଥିଲୁ । ଅଶ୍ଵାରୋହୀମାନେ ସେ ଯୁବକଟି ନିକଟକୁ ଗଲେ, ମାତ୍ର ଆମ ମାଲିକ ଯିଏ କି ଠିଆ ହୋଇ ସବୁ ନିରୀକ୍ଷଣ କରୁଥିଲେ ପ୍ରଥମେ ସେ ଯୁବକ ନିକଟକୁ ଧାଇଁଯାଇ ତାକୁ ଧରି ଉଠାଇଲେ । ତା ମୁଣ୍ଡଟି ପଛକୁ ନଇଁଗଲା ଏବଂ ବାହୁ ଦୁଇଟି ତଳକୁ ଝୁଲିପଡ଼ିଥିଲା । ସମସ୍ତେ ଖୁବ୍ ଗମ୍ଭୀର ଦେଖାଯାଉଥିଲେ । ବର୍ତ୍ତମାନ ସମସ୍ତେ ଚୁପ୍‌ଚାପ୍‌, କୁକୁରମାନେ ମଧ୍ୟ । ମନେହେଲା, କିଛି ଖୁବ୍ ଖରାପ ଘଟିଛି । ସେମାନେ ତାକୁ ଆମ ମାଲିକଙ୍କ ଘରକୁ ବୋହି ଆଣିଲେ । ମୁଁ ପରେ ଶୁଣିଲି ଯେ ସେ ଯୁବକ ହେଉଛନ୍ତି ଜର୍ଜ ଗର୍ଡ଼ନ ଏବଂ ସ୍କୋୟାରଙ୍କର ଏକମାତ୍ର ପୁତ୍ର । ଦୀର୍ଘକାୟ ସୁନ୍ଦର ଯୁବକ-। ସେ ଥିଲେ ପରିବାରର ଗର୍ବ ।

 

ବର୍ତ୍ତମାନ ଲୋକେ ଚାରିଦିଗକୁ ଦୌଡ଼ାଦୌଡ଼ି ଆରମ୍ଭ କଲେ । କିଏ ଡାକ୍ତର ଡାକିବାକୁ, ଜଣେ ଘୋଡ଼ା ଚିକିତ୍ସକ ଆଣିବାକୁ, ଜଣେ ପୁଅର ଖବର ଦେବାକୁ ସ୍କୋୟାର ଗର୍ଡ଼ନଙ୍କ ଘରକୁ । ଯେତେବେଳେ ଅଶ୍ଵ ଚିକିତ୍ସକ ଶ୍ରୀ ବଣ୍ଡ୍ ଆସି ଘାସ ଉପରେ ବେଦନାରେ କୁଁ କୁଁ ହେଉଥିବା କଳା ଘୋଡ଼ାକୁ ଗୋଡ଼ରୁ ମୁଣ୍ଡ ଯାଏ ପରୀକ୍ଷା କରି ଦେଖିଲେ, ମୁଣ୍ଡ ହଲେଇ ଜଣାଇ ଦେଲେ ଯେ ତାର ଗୋଟିଏ ଗୋଡ଼ ଭାଙ୍ଗି ଯାଇଛି । ତାପରେ ଜଣେ ମାଳିକଙ୍କ ଘରକୁ ଦୌଡ଼ିଯାଇ ବନ୍ଧୁକଟିଏ ଆଣିଲା । ପ୍ରଥମେ ଗୁଳି ଫୁଟାଇ ପ୍ରଚଣ୍ଡ ଶବ୍ଦ ଓ ତାପରେ ଯନ୍ତ୍ରଣାଭରା ବିକଳ ଚିତ୍କାର ଶୁଣାଗଲା । ଶେଷରେ ସବୁ ଚୁପ୍‌ଚାପ୍ । କଳା ଘୋଡ଼ାଟି ଆଉ ହଲିଲା ବି ନାହିଁ ।

 

ମୋ ମାଆ ଖୁବ୍ ଦୁଃଖ ପାଇବା ପରି ମନେହେଲା । କହିଲା ଯେ ସେ ଅନେକ ଦିନରୁ ଘୋଡ଼ାଟିକୁ ଜାଣେ। ତାର ନାମ ‘ରବ୍‌ରୟ’ ଭଲ, ସାହସୀ ଘୋଡ଼ାଟିଏ । କେବେ କୌଣସି ଦୁଷ୍ଟାମି କରେ ନାହିଁ । ସେହି ଦିନଠାରୁ ମୁଁ ତାକୁ ପଡ଼ିଆର ସେଇପଟକୁ ଯିବା କେବେ ଦେଖି ନାହିଁ ।

 

ଅଳ୍ପଦିନ ପରେ ଦିନେ ଚର୍ଚ୍ଚରେ ଅନେକ ସମୟ ଧରି ବେଲ୍‌ ବାଜିବା ଶବ୍ଦ ଆମ କାନରେ ପଡ଼ିଲା । ଆମେ ଗେଟ୍‌ବାଟଦେଇ ଚାହିଁ ଦେଖିଲୁ ଅସାଧାରଣ ଲମ୍ବା ଗୋଟିଏ ଗାଡ଼ି, ଯାହା କଳା କନାରେ ଆବୃତ ଏବଂ କଳା ଘୋଡ଼ାମାନଙ୍କ ଦ୍ଵାରା ଚାଲିଛି । ପରେ ପରେ ଅନେକ ସେଇ ପ୍ରକାର ଗାଡ଼ିମାନ ଚର୍ଚ୍ଚ ଆଡ଼କୁ ଗଲା ଏବଂ ଚର୍ଚ୍ଚ ବେଲ୍‌କ୍ରମାଗତ ବାଜିଲାଗିଲା । ସେମାନେ ଚର୍ଚ୍ଚ ପଛପଟେ ମୃତ ଯୁବକ ଗର୍ଡ଼ନଙ୍କୁ କବର ଦେବା ପାଇଁ ନେଉଥିଲେ । ସେ ଆଉ କେବେ ଘୋଡ଼ା ଉପରେ ବସି ପାରିବେ ନାହିଁ । ରବ୍ ରୟର ଶରୀରକୁ ସେମାନେ କଣ କଲେ ମୁଁ କେବେ ବି ଜାଣିପାରିଲି ନାହିଁ । କିନ୍ତୁ ଏ ସବୁ ଘଟିଗଲା କେବଳ ଗୋଟିଏ ଛୋଟ ହରିଣୀ ନିମିତ୍ତ ।

•••

 

ପ୍ରଶିକ୍ଷଣ

 

ଏବେ ମୁଁ ବେଶ୍‌ବଡ଼ ହେଲିଣି । ଦିନକୁ ଦିନ ସୁନ୍ଦର ବି ହେଉଛି । ମୋର ଦେହର ଚମଡ଼ା ନରମ, ମସୃଣ ଏବଂ ରଙ୍ଗ ଉଜ୍ଜ୍ଵଳ କଳା । ମୋର ପାଦଟଏ ଧଳା ଆଉ କପାଳ ଉପରେ ବି ସୁନ୍ଦର ଧଳା ତାରକା ଚିହ୍ନଟିଏ । ସମସ୍ତେ ମତେ ଖୁବ୍ ସୁନ୍ଦର ବୋଲି କହନ୍ତି । ମୋ ମାଲିକ ମତେ ଚାରିବର୍ଷ ନ ପୂରିଲେ ବିକ୍ରି କରିବେ ନାହିଁ ବୋଲି କହିଛନ୍ତି । ସେ କହନ୍ତି ଯେ ବାଳକମାନେ ଯେମିତି ଯୁବକମାନଙ୍କ ପରି ଖଟିବା ଉଚିତ୍‌ନୁହେଁ, ଘୋଡ଼ାପିଲାମାନେ ମଧ୍ୟ ବଡ଼ଘୋଡ଼ାଙ୍କ ପରି ଖଟିବା ଉଚିତ୍‌ନୁହେଁ । ବଡ଼ ହେଲେ ସେମାନେ ଖଟିବେ ।

 

ଚାରିବର୍ଷ ପୂରିଯିବା ପରେ ହିଁ ସ୍କୋୟାର ଗର୍ଡ଼ନ ମତେ ଦେଖିବାକୁ ଆସିଲେ । ସେ ମୋର ଆଖି, ପାଟି ଗୋଡ଼ ଭଲଭାବରେ ହାତ ଲଗାଇ ପରୀକ୍ଷା କଲେ । ତାପରେ ମତେ ଚଲେଇଲେ, ଦୌଡ଼େଇଲେ, ଜୋରରେ ଦୌଡ଼େଇଲେ । ସେ ମତେ ପସନ୍ଦ କରି କହିଲେ ‘‘ୟାକୁ ଯଦି ଠିକ୍‌ଭାବେ ଟ୍ରେନିଂ ଦିଆଯିବ ତେବେ ସେ ଖୁବ୍‌ଭଲଘୋଡ଼ା ହେବ ।’’ ମୋ ମାଲିକ କହିଲେ ଯେ ସେ ନିଜେ ମତେ ଟ୍ରେନିଂ ଦେବେ, କାରଣ ଡରେଇ ବାଡ଼େଇ ଶିକ୍ଷା ଦେବାଟା ସେ ପସନ୍ଦ କରନ୍ତି ନି । ତା ପରଦିନଠାରୁ ହିଁ ମୋର ଟ୍ରେନିଂ ଆରମ୍ଭ ହୋଇଗଲା ।

 

ଅନେକଙ୍କୁ ହୁଏତ ଏ ଟ୍ରେନିଂ କଣ ଜଣା ନଥିବ, ତେଣୁ ମୁଁ ଏହା ବର୍ଣ୍ଣନା କରିବି-ଗୋଟିଏ ଘୋଡ଼ାକୁ ହୁଦା ଏବଂ ଜଞ୍ଜିର ଇତ୍ୟାଦି ବାନ୍ଧି ତା ପିଠିରେ ପୁରୁଷ ସ୍ତ୍ରୀ ବା ପିଲା ବସି ତାକୁ ଚଲେଇବା ଓ ଘୋଡ଼ା ସେମାନଙ୍କ ନିର୍ଦ୍ଦେଶ ଅନୁସାରେ ଚୁପ୍‌ଚାପ୍‌ଚାଲିବ । ଏହା ବ୍ୟତୀତ ତାକୁ କଲର, ଲଙ୍ଗୁଡ଼ରେ ପଟି ଓ ଦେହରେ ପଟି ଇତ୍ୟାଦି ବନ୍ଧା ହେବାବେଳେ ସେ ଚୁପ୍‌କରି ଦେଖେଇବାର ଶିକ୍ଷା ମଧ୍ୟ ଦିଆଯାଏ । ଏହାପରେ ତାକୁ ଦୁଇଚକିଆ ବା ଚାରିଚକିଆ ଗାଡ଼ି ସହିତ ଯୋଚି ଗାଡ଼ି ଟାଣିବାର ଶିକ୍ଷା ମଧ୍ୟ ଦିଆଯାଏ । ଚାଳକର ଇଚ୍ଛାନୁଯାୟୀ ଆସ୍ତେ ଆସ୍ତେ ବା ଜୋରରେ ଚାଲିବାକୁ ମଧ୍ୟ ଶିକ୍ଷା ଦିଆଯାଏ । ହଠାତ୍ କିଛି ଦେଖି ସେ ଯେମିତି କେବେ ବି ଚମକି ନ ପଡେ, ଅନ୍ୟ ଘୋଡ଼ାଙ୍କ ସହ କଥାବାର୍ତ୍ତା ନ କରିବା, କାହାକୁ ନ କାମୁଡ଼ିବା ବା ଲାତ୍ ନ ମାରିବା ଏବଂ ଏ ସବୁ ସହିତ ମାଲିକଙ୍କ ଆଦେଶମାନି ଚଳିବାର ଶିକ୍ଷା ହିଁ ଦିଆଯାଏ । ନିଜ ଇଚ୍ଛାରେ ସେ କିଛି ବି କରିବ ନି, ସବୁ ତାକୁ ଚାଳକ ହିଁ କରେଇବ। ଏହା ହିଁ ହେଲା ତାର ପ୍ରକୃତ ଟ୍ରେନିଂ । ଯେତେ କ୍ଲାନ୍ତ ବା କ୍ଷୁଧାର୍ତ୍ତ ହେଉ ପଛେ ସେ ନିର୍ଦ୍ଦେଶ ହିଁ ମାନୁଥିବ। ସବୁଠାରୁ କଷ୍ଟଦାୟକ ହେଲା-ଥରେ ଗାଡ଼ି ସହିତ ଯୋଚା ହୋଇଯିବା ପରେ ସେ ଆନନ୍ଦରେ ଡେଇଁ ପାରିବ ନି ବା କ୍ଲାନ୍ତିରେ ଗଡ଼ି ପଡ଼ିବନି । ତେଣୁ ଆପଣମାନେ ଦେଖନ୍ତୁ ଏଇ ଶିକ୍ଷାଟା ଏକ ବିରାଟ କଥା ।

 

ମୁଁ ଅବଶ୍ୟ ଶିକୁଳି ଆଉ ମୁଣ୍ଡ ପଟି ବନ୍ଧାରେ ଅନେକ ଆଗରୁ ଅଭ୍ୟସ୍ତ ଥିଲି । ମତେ ପଡ଼ିଆ ଓ ଗଳି ରାସ୍ତାରେ ନିଶବ୍ଦରେ ଆସ୍ତେ ଆସ୍ତେ ଚଲା ଅଭ୍ୟାସ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ମୋ ପାଟିରେ ତୁଣ୍ଡି ଓ ଲଗାମ ଲଗା ହେଲା । ମୋ ମାଲିକ ଅବଶ୍ୟ ପ୍ରଥମେ ମତେ ଓଟସ୍‌ଖୁଆଇ ତାପରେ ଅନେକ ଆଦରଟାଦର କରି ତୁଣ୍ଡିଟି ବାନ୍ଧିଲେ । ତୁଣ୍ଡି ପରେ ହାଉଦା ବନ୍ଧା ହେଲା । ଭାରି ଅସୁବିଧା ଲାଗୁଥାଏ । ଯେଉଁମାନେ କେବେ ବି ପାଟିରେ ତୁଣ୍ଡି ଲଗେଇ ନଥିବେ ସେମାନେ ବୁଝି ବି ପାରିବେ ନାହିଁ ଏହା କେତେ ଅସ୍ଵସ୍ତିକର । ମଣିଷ ଆଙ୍ଗୁଠି ମୋଟାରେ ଥଣ୍ଡା ଶକ୍ତ ଲୁହାଖଣ୍ଡଟିଏ ପାଟି ଭିତରକୁ ପଶା ହୁଏ, ଦୁଇମାଢ଼ି ମଝିରେ ଜିଭ ଉପରେ ସେଟା ରଖାଯାଏ-। ତୁଣ୍ଡିର ଦୁଇପଟୁ ଜୋରରେ ମୁଣ୍ଡ ଉପରକୁ ବନ୍ଧା ହୁଏ । ବେକତଳ ଦେଇ ନାକ ଚାରିପଟେ ପଟି ବନ୍ଧା ହୁଏ । ଏମିତି ଭାବରେ ତୁଣ୍ଡି ବନ୍ଧା ହୋଇଥାଏ ଯେ ତୁମେ କୌଣସି ମତେ ସେଟାକୁ କାଢ଼ି ପାରିବ ନାହିଁ । ବଡ଼ କଦର୍ଯ୍ୟ ଅନୁଭବ-ପ୍ରକୃତରେ ବଡ଼ କଦର୍ଯ୍ୟ, ଅବଶ୍ୟ ମୁଁ ଜାଣିଥିଲି ଯେ ମୋ ମାଆ ଏବଂ ସବୁ ବଡ଼ ଘୋଡ଼ାମାନେ ବାହାରକୁ ଗଲାବେଳେ ତୁଣ୍ଡି ନ୍ତିଶ୍ଚୟ ବାନ୍ଧିବେ, ବାନ୍ଧନ୍ତି । ତେଣୁ ସ୍ୱାଦିଷ୍ଟ ଓଟ୍‌ସ, ମାଲିକଙ୍କର ଗେଲବସରିଆ ନରମ କଥା ଓ ଭଦ୍ର ବ୍ୟବହାରରେ ମୁଁ ତୁଣ୍ଡି ହୁଦା ଓ ଲଗାମ ଆଦି ଲଗେଇବାରେ ଅଭ୍ୟସ୍ତ ହେଇଗଲି ।

 

ୟା ପରର କଷ୍ଟଦାୟକ କାମ ହେଲା ମତେ ଲୁହା ଜୋତା ପିନ୍ଧାଇବା । ପ୍ରଥମଥର ଅତ୍ୟନ୍ତ କଷ୍ଟ ହୋଇଥିଲା । ମୋ ମାଲିକ ମତେ କମାରଶାଳକୁ ନେଇଗଲେ । ମୁଁ ଯେମିତି କଷ୍ଟ ବା ଭୟ ନ ପାଇବି ସେଠି କମାର ପ୍ରଥମେ ମୋର ଗୋଡ଼ଗୁଡ଼ିକୁ ଗୋଟି ଗୋଟି କରି ହାତରେ ଧରି ଖୁରାରୁ ଟିକେ ଟିକେ କାଟି ପକାଇଲା । ମତେ ଯନ୍ତ୍ରଣା ନହେବାରୁ ମୁଁ ପ୍ରତ୍ୟେକ ବାର ତିନି ଗୋଡ଼ରେ ଅନେକ ସମୟ ଠିଆହୋଇ ରହିପାରିଥିଲି । ସବୁତକ ପାଦ ଠିକ୍‌କରାଗଲା । ତାପରେ ସେ ମୋ ପାଦ ଆକାରର ଲୁହା ଖଣ୍ଡମାନ ଆଣି ଗୋଟିଏ ଲେଖାଁ ମୋର ଗୋଟିଏ ଗୋଟିଏ ପାଦର ଖୁରାରେ ଲଗାଇ କଣ୍ଟା ବାଡ଼େଇ ଦେଉଥିଲା । ଜୋତା ଶକ୍ତ ଭାବରେ ପାଦରେ ଲାଖ ରହିଯିବ ବୋଲି ସେ ଏହା କରୁଥିଲା । ମୋ ପାଦଗୁଡ଼ିକ ଏକଦମ୍‌ଟାଣ ଓ ଭାରି ଲାଗିଲା । ପରେ ମୁଁ ଆସ୍ତେ ଆସ୍ତେ ଅଭ୍ୟସ୍ତ ହୋଇଗଲି ।

 

ଏତେକ କରି ସାରିବା ପରେ ମାଲିକ ମତେ ଗାଡ଼ି ସହ ଯୋଚାହେବା ଶିଖେଇବା ପାଇଁ ଆରମ୍ଭ କଲେ । ବର୍ତ୍ତମାନ ମତେ ଆଉ କିଛି ନୂଆ ଜିନିଷ ପିନ୍ଧିବାକୁ ପଡ଼ିଲା । ପ୍ରଥମେ ବେକରେ ଗୋଟାଏ ଶକ୍ତ ଓଜନିଆ କଲର ବନ୍ଧା ହେଲା । ତାପରେ ଲଗାମ ସହିତ ମୋ ଉଭୟ ଆଖିର ବାହାରପଟ ପାର୍ଶ୍ଵରେ ପଟି ଏପରି ଭାବେ ବନ୍ଧାଗଲା ଯେ ମୁଁ କେବଳ ସାମନାକୁ ହିଁ ଦେଖିପାରିବି । ତାପରେ ପୁଣି ମୋ ଉପରେ ଏକ ଛୋଟ ଗଦି (ବସିବା ପାଇଁ) ବନ୍ଧା ହୋଇ ତହିଁରୁ ଏକ ଶକ୍ତ ପଟି ଲାଞ୍ଜ ତଳେ ନିଆଗଲା । ଲାଞ୍ଜଟିକୁ ଗୁଡ଼େଇ ଅଧା କରି ବାନ୍ଧି ଦିଆଗଲା । ଏହା ତୁଣ୍ଡି ପରି ଖୁବ୍ ବିରକ୍ତକର । ଏହା ବନ୍ଧାହେବା ପରେ ବାନ୍ଧିବା ଲୋକକୁ ଲାତ ମାରିବାର ପ୍ରବଳ ଇଚ୍ଛା ହେଲେ ମଧ୍ୟ ମୁଁ ମୋର ପ୍ରିୟ ମାଲିକଙ୍କୁ ତାହା କରିପାରିଲି ନାହିଁ । ସେ ଯାହାହେଉ ଯଥା ସମୟରେ ମୁଁ ଏ ସବୁ ସହିତ ଗାଡ଼ି ଟାଣିବାରେ ଅଭ୍ୟସ୍ତ ହେଲି ଏବଂ ମୋ ମାଆପରି ସବୁ କାମ ସୁଚାରୁରୂପେ କରିପାରିଲି ।

 

ଏ ସବୁ ସହିତ ଆଉ ଗୋଟାଏ ତାଲିମ ମତେ ଦିଆଯାଇଥିଲା, ଯାହାକି ମୋ ପାଇଁ ପରେ ଖୁବ୍ ସୁବିଧାଜନକ ହୋଇଥିଲା ବୋଲି ମୁଁ ଭାବେ । ତାହା ହେଉଛି ମତେ ଦୁଇସପ୍ତାହ ପାଇଁ ନିକଟବର୍ତ୍ତୀ ଜଣେ ଚାଷୀର କ୍ଷେତକୁ ପଠେଇଦେଲେ । ତାହାର ଗୋଟିଏ ପଟେ ରେଳଲାଇନ ଯାଇଥାଏ । ସେଠାରେ କେତେ ଗାଈ ମଇଁଷି ଥାନ୍ତି ଏବଂ ସେମାନଙ୍କ ମଧ୍ୟରେ ମୁଁ ବି ରହିଲି ।

 

ଚଳନ୍ତା ରେଳଗାଡ଼ି ଦେଖିବାର ମୋର ସେଇ ପ୍ରଥମ ଅନୁଭୂତିକୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ରେଳରାସ୍ତା ଓ ପଡ଼ିଆ ମଝିରେ ଥିବା ବାଡ଼ ନିକଟରେ ମୁଁ ଚରୁଥିଲି, ହଠାତ୍ ଦୂରରୁ ଅଦ୍‌ଭୂତ ଗୋଟାଏ ଶବ୍ଦ ମୁଁ ଶୁଣିପାରିଲି ଏବଂ ଏହା କେଉଠୁ କେଉଁପଟୁ କେମିତି ଆସୁଛି ତାହା ଜାଣିବା ପୂର୍ବରୁ ଭୀଷଣ ଶବ୍ଦ ସହ ଧୂଆଁ ଛାଡ଼ିଛାଡ଼ି ପ୍ରଚଣ୍ତ ଗତିରେ ଗୋଟାଏ ବିରାଟ ଲମ୍ବା ରେଳଗାଡ଼ି ଏପରି ଭାବେ ଚାଲିଗଲା ଯେ ମୁଁ ଥରଟିଏ ନିଶ୍ଵାସ ନେବା ମଧ୍ୟରେ ସେ ଅନ୍ତର୍ହିତ ହେଲା । ପ୍ରଥମେ ବୁଲିପଡ଼ି ମୁଁ ପ୍ରଚଣ୍ତ ବେଗରେ ଆରପଟକୁ ଦୌଡ଼ିଗଲି । ସେଠି ଠିଆହୋଇ ଭୟ ଓ ଆଶ୍ଚର୍ଯ୍ୟରେ ଖୁବ୍ ଜୋର୍‌ରେ ନିଶ୍ୱାସ ନେଉଥାଏ । ତାପରେ ସେଇ ଦିନ ଭିତରେ ଏପରି ବହୁ ରେଳଗାଡ଼ି ସେଇ ରାସ୍ତାରେ ଚାଲିଲା । ନିକଟବର୍ତ୍ତୀ ଷ୍ଟେସନରେ ଅଟକିବା ଗାଡ଼ିଗୁଡ଼ିକ ଧୀରେ ଧୀରେ ଯାଉଥାନ୍ତି, ମାତ୍ର ତା ମଧ୍ୟରୁ କେତେକ ମଧ୍ୟ ବିକଟାଳ ଗର୍ଜନ କରି ଅଟକୁଥାନ୍ତି । ମତେ ଏଇସବୁ ଶବ୍ଦ ଭାରି ଭୟଙ୍କର ଲାଗେ, କିନ୍ତୁ ଗାଈମାନେ ଏହା ଉପରେ ଦୃକ୍‌ପାତ ନକରି ନୀରବରେ ଆରାମରେ ଚରିଚାଲନ୍ତି । କେବେ ବି ମୁଣ୍ଡ ଉଠାଇ ଏହି ଭୟଙ୍କର ଧୂଆଁଛଡା ଗର୍ଜନକାରୀ ଜୀବଙ୍କୁ ଚାହାଁନ୍ତି ନାହିଁ ।

 

ପ୍ରଥମେ କିଛି ଦିନ ଯାଏଁ ମୁଁ ଶାନ୍ତିରେ ଖାଇପିଇ ପାରିଲିନି, କିନ୍ତୁ ଯେତେବେଳେ ଦେଖିଲି ଯେ ଏଇ ଭୟଙ୍କର ଜୀବମାନେ ପଡ଼ିଆକୁ ଆସୁନାହାନ୍ତି ବା ମତେ କିଛି ହଇରାଣ ବି କରୁନାହାନ୍ତି ସେମାନଙ୍କୁ ଆଉ ଖାତିର ନ କରି ମୁଁ ଗୋରୁମଇଁଷିଙ୍କ ପରି ରେଳଗାଡ଼ି ଚାଲିବାକୁ ପ୍ରାଧାନ୍ୟ ଦେଲି ନାହିଁ ।

 

ପରେ ଅବଶ୍ୟ ଏଇ ରେଳଗାଡ଼ି ଚାଲିବା ଶବ୍ଦରେ ମୁଁ ବହୁ ଘୋଡ଼ାଙ୍କୁ ଭୟଭୀତ ଓ ଚଞ୍ଚଳ ହୋଇପଡ଼ିବା ଦେଖିଛି, ଷ୍ଟିମ୍ ଇଞ୍ଜିନ ଶବ୍ଦରେ ଚମକିବା ଦେଖିଛି, ମାତ୍ର ମୋର ଉତ୍ତମ ମାଲିକଙ୍କ ଯତ୍ନପାଇଁ ମୁଁ ରେଳ ଷ୍ଟେସନରେ ବି ଘୋଡ଼ାଶାଳ ପରି ଭୟହୀନ ରହେ ।

 

ପ୍ରକୃତରେ ଘୋଡ଼ାମାନଙ୍କ ପ୍ରଶିକ୍ଷଣ ଏଇ ଭାବରେ ହିଁ ହେବା ଉଚିତ୍ । ମାଲିକ ଯେତେବେଳେ ଗାଡ଼ିରେ ଦୁଇଟି ଘୋଡ଼ାଙ୍କୁ ଯୋଚନ୍ତି, ମୋ ସହିତ ସେ ମୋ ମାଆକୁ ନିଅନ୍ତି । କାରଣ ସେ ଦୃଢ଼ ଏବଂ ମତେ ଅନ୍ୟ ଅଜଣା ଘୋଡ଼ାଠାରୁ ଭଲ ଶିଖେଇ ପାରିବ । ମାଆ ମତେ କହେ ଭଲ ବ୍ୟବହାର କଲେ ହିଁ ଭଲ ବ୍ୟବହାର ପାଇବୁ । ଆଉ ସବୁବେଳେ ମାଲିକଙ୍କୁ ଖୁସି ରଖିବାଟା ହିଁ ସବୁଠାରୁ ବୁଦ୍ଧିମତ୍ତାର କାମ । ଅବଶ୍ୟ ଏ କଥା ବି ସେ କହିଛି ଯେ ଅନେକ ପ୍ରକାର ମଣିଷ ଅଛନ୍ତି । କିନ୍ତୁ ଆମ ମାଲିକଙ୍କ ପରି ସଚ୍ଚୋଟ, ବିଚାରବନ୍ତଙ୍କ ସେବା କରିବାକୁ ଯେକୌଣସି ଘୋଡ଼ାର ଗର୍ବ ହେବା ଉଚିତ । ଆଉ ଏଇ ଅନେକ ପ୍ରକାର ଅନ୍ୟ ମଣିଷଙ୍କ ମଧ୍ୟରେ ଅଛନ୍ତି ଅସାଧୁ, ନିଷ୍ଠୁର ମାଲିକ, ଯେଉଁମାନେ କି ଘୋଡ଼ା ବା କୁକୁର ପାଳିବାକୁ ଅଯୋଗ୍ୟ । ତାପରେ ଅଛନ୍ତି ବୋକା । ସେମାନେ ଗର୍ବୀ, ଅଜ୍ଞ ବା ଅସାବଧାନ ଥିବାରୁ କେବେହେଲେ ଠିକ୍‌ଟା ବୁଝି ନପାରି, ବୁଝିବାକୁ ଚେଷ୍ଟା ବି ନକରି ଘୋଡ଼ାମାନଙ୍କୁ ହରାନ୍ତି । ସେମାନେ ଇଚ୍ଛା ନକରି ନବୁଝି ପାରିବାର ଏମିତି କାମ କରନ୍ତି । ତେବେ ମୋର ଆଶା ଯେ ତୁ ଭଲ ହାତରେ ହିଁ ପଡ଼ିବୁ । ଅବଶ୍ୟ ଘୋଡ଼ା ତ ନିଜେ ଆଉ ଜାଣିପାରିବ ନି ଯେ ସେ କେମିତି ଲୋକ ହାତରେ ପଡ଼ିବ ବା କେମିତି ଚଳିବ । ସେ ସବୁ ଆମର ଭାଗ୍ୟ । ତେବେ ଏଇଟିକକ ମୁଁ କହିବି ଯେ ସର୍ବଦା ଖୁବ୍ ଭଲଭାବେ କାମ କରିବୁ ଏବଂ ଯେଉଁଠି ରହିଲେ ବି ତୋର ସୁନାମ ବଜାୟ ରଖିବୁ ।

•••

 

ବର୍ଟଉଇକ୍ ପାର୍କ

 

ଏହି ସମୟରେ ମତେ ଘୋଡ଼ାଶାଳରେ ରଖାଯାଇଥିଲା ଏବଂ ପ୍ରତିଦିନ ମୋ ଦେହକୁ ବ୍ରଶରେ ଭଲଭାବେ ଘଷିଘଷି ପରିଷ୍କାର କରାଯାଉଥିଲା । ମୋର ଦେହ କୁଆର ଡ଼େଣାପରି ଚକ୍ ଚକ୍ ହେଉଥାଏ । ମେ ମାସର ଆରମ୍ଭରେ ସ୍କୋୟାର ଗର୍ଡନଙ୍କ ଘରୁ ଜଣେ ଲୋକ ଆସି ମତେ ଦିନେ ହଲ୍‌କୁ ନେଇଗଲା । ସେତେବେଳେ ମୋ ମାଲିକ କହିଲେ ‘‘ବିଦାୟ । କାଳିଆ ତୁ ଭଲ ଘୋଡ଼ା ହେବୁ ଏବଂ ସବୁବେଳେ ଉତ୍ତମ କାମ କରିବୁ’’ । ମୁଁ ତ ତାଙ୍କୁ କଥାରେ ବିଦାୟ କହିପାରି ନଥାନ୍ତି, ତେଣୁ ତାଙ୍କ ହାତରେ ନାକ ଘଷିଲି ଏବଂ ସେ ମତେ ଆଉଁସିଦେଲେ । ମୋର ପ୍ରଥମ ଆଶ୍ରୟ ଛାଡିଲି । ଏହା ପରେ ଯେହେତୁ ମୁଁ ସ୍କୋୟାର ଗର୍ଡ଼ନଙ୍କ ଘରେ କିଛି ବର୍ଷ ବିତାଇଥିଲି, ତେଣୁ ବର୍ତ୍ତମାନ ତାଙ୍କ ଘର ବିଷୟରେ ମୁଁ କିଛି ବର୍ଣ୍ଣନା କରିବି ।

 

ସ୍କୋୟାର ଗର୍ଡ଼ନଙ୍କ ପ୍ରାସାଦ ବଟଓ୍ୱିକ୍‌ ଗାଆଁକୁ ଲାଗିକରି । ଘରକୁ ପଶିବା ପାଇଁ ଗୋଟିଏ ବଡ଼ ଲୁହା ଫାଟକ-ଫାଟକ ନିକଟରେ ପ୍ରଥମେ ଲଜ୍‌, ତାପରେ ସିଧା ରାସ୍ତା, ରାସ୍ତାର ଦୁଇପଟେ ବଡ଼ ବଡ଼ ପୁରୁଣା ଗଛ, ତାପରେ ଆଉ ଗୋଟଏ ଗଛ ଏବଂ ଆଉ ଗୋଟିଏ ଫାଟକ । ସେ ଫାଟକରେ ପଶିଲେ ବଗିଚା ଏବଂ ଘର ଦେଖିବାକୁ ମିଳିବ । ତା ପରେ ପଡ଼ିଆ, ପୁରୁଣା ବଗିଚା ଏବଂ ଘୋଡ଼ାଶାଳମାନ ରହିଛି । ସେଠାରେ ଅନେକଗୁଡ଼ାଏ ଘୋଡ଼ା ଏବଂ ଘୋଡ଼ାଗାଡ଼ିମାନଙ୍କ ରହିବା ନିମିତ୍ତ ଯଥେଷ୍ଟ ସ୍ଥାନ ବି ଅଛି । କିନ୍ତୁ ମୋ ଗୁହାଳଟି ବିଷୟରେ ହିଁ ମୁଁ କହିବି । ସେଇଟା ବେଶ୍ ବଡ଼ ଏବଂ ସେଥିରେ ଚାରିଟା ଭାଗ ଥିଲା । ବାହାରପଟକୁ ଝୁଲି ରହିଥିବା ବଡ଼ ବଡ଼ ଝରକା ଭିତରେ ବାୟୁ ଚଳାଚଳ ବେଶ୍ ଭଲ, ତେଣୁ ବେଶ୍ ଆନନ୍ଦଦାୟକ । ପ୍ରଥମ ବଖରାଟି ବଡ଼ ଏବଂ ବର୍ଗାକାର। ତା ପଛପଟ କାଠବାଡ଼ରେ ବନ୍ଦ । ଅନ୍ୟ ତିନି ବଖରା ସାଧାରଣ ଘୋଡ଼ାଶାଳ ପରି ଭଲ, ମାତ୍ର ପ୍ରଥମ ପରି ଏତେ ବଡ଼ ନୁହେଁ ।

 

ଏଥିରେ ତଳକୁ ଗୋଟାଏ ଥାକ କୁଟା ରଖିବା ପାଇଁ ଏବଂ ଶସ୍ୟ ରଖିବା ପାଇଁ ଗୋଟିଏ ବାକ୍ସ ରହିଥିଲା । ଏହି ବାକ୍ସକୁ ଢିଲା ବାକ୍ସ କୁହାଯାଉଥିଲା । ଯେହେତୁ ଘୋଡ଼ା ମୁକ୍ତ ଅବସ୍ଥାରେ ରହୁଥିବାରୁ ମନଇଚ୍ଛା ମକ୍କା ଇତ୍ୟାଦି ଖାଇପାରିବ । ଏହିପରି ବାକ୍ସଟିଏ ଘୋଡ଼ାଶାଳରେ ରହିବା କିଛି କମ୍ କଥା ନୁହେଁ ।

 

ଏହିପରି ଗୋଟିଏ ଚମତ୍କାର ଘରେ ସଇସଟି ମତେ ରଖିଲା । ଖୋଲା ପବନ, ପରିଷ୍କାର ପରିଚ୍ଛନ୍ନ ସୁନ୍ଦର ସ୍ଥାନ ଏବଂ ଏହାଠାରୁ ଭଲ ଜାଗାରେ ମୁଁ ଆଗରୁ କେବେ ବି ରହି ନଥିଲି । ଏହାର କାନ୍ଥଗୁଡ଼ିକ ନୀଚା ଥିବାରୁ ଉପରି ଭାଗରେ ଲାଗିଥିବା ଲୁହା ରେଲିଂବାଟଦେଇ ମୁଁ ବାହାରକୁ ମଧ୍ୟ ଭଲ ଭାବରେ ଦେଖି ପାରୁଥିଲି । ତାପରେ ସଇସ ମତେ ଭାରି ସ୍ୱାଦିଷ୍ଟ ଓଟ୍‌ସ ଖାଇବାକୁ ଦେଇ ଆଦର କରି ଓ ଦୁଇଟି ମିଠା କଥା କହି ଚାଲିଗଲା ।

 

ମକ୍କାତକ ଖାଇଦେଇ ମୁଁ ଚାରିପଟକୁ ଚାହିଁଲି । ମୋ ପର ଘରଟିରେ ଗୋଟେ ଛୋଟ ମୋଟା ତଟୁ ଘୋଡ଼ା, ବେଶ୍ ଘନ ବାଳ, ଦାଢ଼ି, ଭାରି ସୁନ୍ଦର ମୁଣ୍ଡଟି ସହ ତୀକ୍ଷ୍ମ ନାସିକାଟିଏ ମଧ୍ୟ ତାର ଥିଲା ।

 

ମୁଁ ଲୁହା ରେଲିଂ ଉପରକୁ ମୁଣ୍ଡ ଉଠାଇ ପଚାରିଲି ତାକୁ ‘‘କେମିତି ଅଛ ? ତୁମ ନା କ’ଣ ?

 

ସେ ତାର ମୁହଁ ଯେତେଟା ପାରେ ମୋ ପଟକୁ ବୁଲାଇ କରି କହିଲା ‘‘ମୋ ନା ମେରିଲେଗ୍‌ସ । ମୁଁ ଖୁବ୍ ସୁନ୍ଦର ହେତୁ ଯୁବତୀମାନଙ୍କୁ ପିଠିରେ ବସେଇ ନିଏ ଓ ବେଳେବେଳେ ମାଲିକାଣୀଙ୍କୁ ମଧ୍ୟ ନୁଆଁଣିଆ ଚେୟାରରେ ଟାଣିନିଏ । ସେମାନେ ଏବଂ ଜେମ୍‌ସ ବି ମତେ ଖୁବ୍ ସମୀହ କରନ୍ତି । ତୁମେ କଣ ଏଇ ବକ୍ସରେ ମୋ ପାଖ ଘରେ

 

ରହିବ ?’’

ଉତ୍ତର ଦେଲି ‘ହଁ’ ।

 

‘‘ବେଶ୍ ଭଲ’’, ସେ କହିଲା ‘‘ମୋର ଆଶା ତୁମେ ଶାନ୍ତଶିଷ୍ଟ ସ୍ଵଭାବର ହୋଇଥିବ । ପାଖରେ ରହି କାମୁଡ଼ାକାମୁଡ଼ି କରୁଥିବା ଘୋଡ଼ାଙ୍କୁ ମତେ ମୋଟେ ଭଲ ଲାଗେ ନାହିଁ ।

 

ଠିକ୍ ସେତିକିବେଳେ ଅନ୍ୟ ପଟରୁ ଗୋଟିଏ ଘୋଡ଼ାର ମୁହଁ ଉପରକୁ ଉଠିବା ଦେଖିଲି-। ତାର କାନ ଦୁଇଟି ପଛକୁ ଆଖି ଦୁଇଟାରେ ବିରକ୍ତି ଭାବ । ବେଶ୍ ଡେଙ୍ଗା, ଲମ୍ବା ସୁନ୍ଦର ବେକଥାଇ ବାଦାମୀ ରଙ୍ଗର ଘୋଡୀଟିଏ।

 

ସେ ମୋ ଆଡ଼କୁ ଚାହିଁ କହିଲା ‘‘ଓହୋ ତୁମେ ତେବେ ସେଇ ଯିଏ ମତେ ମୋ ଗୁହାଳରୁ ବାହାର କଲା । ଆଶ୍ଚର୍ଯ୍ୟ, ଏଡ଼ିକି ଟିକିଏ ପିଲା-ସେ ପୁଣି ଆସି ମୋ ପରି ଏକ ବଡ଼ ଘୋଡ଼ାକୁ ବାହାର କରିଦେଲା ।’’

 

କହିଲି- ‘‘ଆକା ମାଫ୍ କରିବେ, ମୋର ଏଥରେ କିଛି କରିବାର ନାହିଁ । ମୁଁ ତ ଆଉ ନିଜେ ନିଜେ ଆସିନି, ମତେ ଜଣେ ଆଣି ଏଠି ରଖି ଦେଇ ଗଲେ, ଆଉ ମତେ ଯୋଉ ପିଲାଟିଏ ବୋଲି କହୁଛ ମୋର ଚାରିବର୍ଷ ପୂରିଯାଇଛି । ବର୍ତ୍ତମାନ ମୁଁ ଘୋଡ଼ା ପିଲା ନୁହେଁ-ଘୋଡ଼ାଟିଏ । ଏ ପର୍ଯ୍ୟନ୍ତ ମୁଁ କୌଣସି ଘୋଡ଼ା ବା ଘୋଡ଼ୀଙ୍କ ସହ କଥାବାର୍ତ୍ତା କରିନି । ମୋର କେବଳ ଶାନ୍ତିରେ ରହିବାର ଇଚ୍ଛା ।’’ ‘‘ଆଚ୍ଛା ହେଉ-ଦେଖିବା, ମୋର ଅବଶ୍ୟ ତୋ ପରି ବଚାଟିଏ ସହିତ ତର୍କ କରିବାର ଇଚ୍ଛା ବି ନାହିଁ,’’ ସେ କହିଲା ।

 

ମୁଁ ଆଉ କିଛି କହିଲି ନି ।

 

ଅପରାହ୍‌ଣରେ ସେ ବାହାରକୁ ଚାଲିଯିବା ପରେ ମେରିଲେଗ୍‌ସ ମତେ କହିଲା ‘‘କଥା କଣ କି ଜିଞ୍ଜରର ଗୋଟାଏ ଭାରି ଖରାପ ଅଭ୍ୟାସ ଯେ ସେ ସମସ୍ତଙ୍କୁ କାମୁଡ଼ିବ, ଛିଗୁଲେଇବ । ସେଥିପାଇଁ ସମସ୍ତେ ତାକୁ ଜିଞ୍ଜର ନାମରେ ଡାକନ୍ତି । ଆଉ ସେ ଯେତେବେଳେ ତୋ ସ୍ଥାନରେ ଥିଲା ସମସ୍ତଙ୍କୁ ଖୁବ୍ ହଇରାଣ କରୁଥିଲା । ଦିନେ ସେ

 

ଜେମ୍‌ସର ବାହାକୁ କାମୁଡ଼ି ଦେଲା । ଖୁବ୍ ରକ୍ତ ବୋହିଲା । ତେଣୁ କୁମାରୀ ଫ୍ଲୋରା ଏବଂ କୁମାରୀ ଜେସି (ଯେଉଁମାନେ ମତେ ଅତ୍ୟନ୍ତ ଭଲପାନ୍ତି) ଏଠାକୁ ଆସିବାକୁ ବି ଭୟକଲେ । ସେମାନେ ପ୍ରାୟ ମୋ ପାଇଁ ଭଲ ଭଲ ଖାଇବା ଜିନିଷ ଅର୍ଥାତ୍ କେତେବେଳେ ଗାଜର ବା ଆପେଲ୍ କେତେବେଳେ ପାଉଁରୁଟି ଖଣ୍ଡେ ଆଦି ଆଣନ୍ତି । କିନ୍ତୁ ଜିଞ୍ଜରକୁ ସେଠି ଠିଆ ହେବାର ଦେଖିଦେଲେ ସେମାନେ ଆଉ ଆସିବାକୁ ସାହସ କରନ୍ତି ନାହିଁ । ମୁଁ ବି ସେମାନଙ୍କୁ ଖୁବ୍ ମନେ ପକାଇ କଷ୍ଟ ପାଏ । ମୋର ଆଶା ଯେ ତୁ ଏପରି କରିବୁନି, ତେବେ ସେମାନେ ପୂର୍ବପରି ମୋ ନିକଟକୁ ଆସିବେ ।’’

 

ମୁଁ କହିଲି ‘‘ମୁଁ ଘାସ କୁଟା ବା ମକ୍କା ପରି ଶସ୍ୟ ବ୍ୟତୀତ କେବେ ଆଉ କୌଣସିଥିରେ ଦାନ୍ତ ଲଗାଇ ନାହିଁ। ଜିଞ୍ଜର ଏଥିରେ କି ଆନନ୍ଦ ପାଏ ମୁଁ ବି ବୁଝିପାରୁନି ।’’

 

‘‘ହଁ ମତେ ବି ଲାଗୁନି ଯେ ଜିଞ୍ଜର ଏମିତି କରି କିଛି ଆନନ୍ଦ ପାଏ । ଏଇଟା ଗୋଟାଏ ବଦଅଭ୍ୟାସ ମାତ୍ର। ସେ କହେ କେହି କେବେ ବି ତା ପ୍ରତି ଦୟା ଦେଖାଇ ନାହାନ୍ତି, ତେଣୁ ସେ ଏମିତି କାମୁଡ଼େ । ଅବଶ୍ୟ ଏହା ଭୀଷଣ ବାଜେ ଅଭ୍ୟାସ । କିନ୍ତୁ ମୁଁ ନିଶ୍ଚିତ ଯେ ପ୍ରଥମରୁ (ଏଠାକୁ ଆସିବା ପୂର୍ବରୁ) ତା କଥା ଅନୁଯାୟୀ ଯଦି ତାକୁ ସମସ୍ତେ ଖରାପ ବ୍ୟବହାର କରିଥିବେ ତେବେ ଏଥିପାଇଁ ତାକୁ ବେଶୀ ଦୋଷ ଦିଆଯାଇ ନପାରେ । ଜନ୍ ଏବଂ ଜେମ୍‌ସ ତାକୁ ପାରୁପର୍ଯ୍ୟନ୍ତ ଖୁସି ରଖିବା ପାଇଁ ଚେଷ୍ଟା କରନ୍ତି । ଆଉ ଆମ ମାଲିକ ମଧ୍ୟ କେବେହେଲେ ଠିକ୍ ଭାବେ କାମ କରୁଥିବା ଘୋଡ଼ା ଉପରେ ଚାବୁକ୍ ପ୍ରୟୋଗ କରନ୍ତି ନାହିଁ । ସେ କାରଣରୁ ମୁଁ ଭାବୁଛି ଏଠି କିଛି ଦିନ କଟେଇବା ପରେ ତା ସ୍ଵଭାବ ସୁଧୁରି ଯାଇପାରେ ।’’ ତାପରେ ବୁଦ୍ଧିଦୀପ୍ତ ଦୃଷ୍ଚିଟିଏ ପକେଇ କହିଲା ମୋର ବାରବର୍ଷ ବୟସ-ଦୁନିଆଁକୁ ଅନେକ ଦେଖଛି, ତତେ ଏତିକି କହିପାରେ ଯେ ଗୋଟିଏ ଘୋଡ଼ା ପାଇଁ ଏହାଠାରୁ ଭଲ ଜାଗା ସାରା ଦେଶରେ ନାହିଁ । ଜନ୍ ସର୍ବୋତ୍କୃଷ୍ଟ ସଇସ-ସେ ମଧ୍ୟ ଏଠି ବିଗତ ଚଉଦ ବର୍ଷ ହେବ ରହିଛି । ତାଠାରୁ ଅଧିକ ଦୟାଳୁ ମଣିଷ ଆଉ ମିଳିବନି । ତେଣୁ ସେ ଘରୁ ଜିଞ୍ଜରର ବିଦାୟହେବା ଜିଞ୍ଜରର ହିଁ ଦୋଷ ।

•••

 

ଶୁଭାରମ୍ଭ

 

ଜନ୍ ମ୍ୟାନ୍‌ଲି ନାମରେ ଜଣେ ଘୋଡ଼ାଚାଳକ ସେଠାରେ ଥିଲା । ସେ ତା ସ୍ତ୍ରୀ ଏବଂ ପିଲା ସହିତ ଘୋଡ଼ାଶାଳର ନିକଟବର୍ତ୍ତୀ ଗୋଟିଏ କୁଟୀରରେ ରହୁଥିଲା । ସେଠାରେ ଘୋଡ଼ାଚାଳକମାନଙ୍କ ପାଇଁ କେତେକ କୁଟୀର ଥିଲା ।

 

ପରଦିନ ସକାଳୁ ସେ ମତେ ପଡ଼ିଆକୁ ନେଇ ଖୁବ୍‌ଭଲ ଭାବରେ ପରିଷ୍କାର କଲା । ମୋ ଚମଡ଼ା ନରମ ଓ ଚକ୍‌ଚକ୍ ଦେଖାଯାଉଥିଲା । ସ୍କୋୟାର ଆସି ପହଞ୍ଚିଲେ । ମୁଁ ଠିକ୍ ବକ୍ସ ଭିତରେ ପଶିଲାବେଳେ ସେ ମତେ ଦେଖି ଖୁସି ହୋଇ ଜନ୍‌କୁ କହିଲେ ‘‘ଜନ୍ ଭାବିଥିଲି ଆଜି ନୂଆଘୋଡ଼ାରେ ଚଢ଼ିବି, ମାତ୍ର ମୋର ଅନ୍ୟ କାମ ପଡ଼ିଗଲା । ତେଣୁ ତୁମେ ତାକୁ ପ୍ରାତଃଭୋଜନ ପରେ ବୁଲାଇବାକୁ ନେଇଯିବ । ଗଲାବେଳକୁ ଜଙ୍ଗଲ ଭିତରେ ପଶି ଘନ ଜଙ୍ଗଲ ଦେଇ ଚଲେଇବ । ଫେରିଲାବେଳେ ପାଣି କାରଖାନା ଓ ନଈ ବାଟ ଦେଇ ଆସିବ । ତାହାହେଲେ ତା ଦୌଡ଼ିବା ପାହୁଣ୍ଡ ବୁଝାଯିବ ।

 

‘‘ଆଜ୍ଞା ସାର୍‌’’, ଜନ୍ କହିଲା । ଜଳଖିଆ ଖାଇସାରିବା ପରେ ସେ ଆସି ଚେନ୍ ଲଗାମ ଏବଂ ତୁଣ୍ଡି ଇତ୍ୟାଦି ଲଗେଇଲା । ବିଶେଷ ଭାବରେ ସେ ପଟିଗୁଡ଼ିକୁ ଏପରି ଭାବେ ବାନ୍ଧି ଦେଲା ଯେ ତାହା ମୋ ମୁଣ୍ଡକୁ ଭଲକରି ଫିଟ୍ କରିଗଲା ଓ ମୋଟେ କଷ୍ଟ ହେଲା ନାହିଁ । ତାପରେ ସେ ଦେହରେ ହୁଦା ବାନ୍ଧି ଦେଖିଲା ଯେ ସେଟା

 

ମୋ ପିଠି ପାଇଁ ଯଥେଷ୍ଟ ଚଉଡ଼ା ହୋଇ ପାରୁନାହିଁ । ସେ ଗୋଟିଏ ମିନିଟ୍‌ରେ ବୁଝିପାରି ଆଉ ଗୋଟିଏ ହୁଦା ପାଇଁ ଗଲା । ଏଥରକ ମତେ ଭଲକରି ପୋଷାକଟି ଫିଟ୍ କଲା । ତାପରେ ମୋ ପିଠି ଉପରେ ବସି ସେ ମତେ ଆସ୍ତେ ଆସ୍ତେ ଚଲେଇଲା ଓ ଟିକେ ଟିକେ କରି ଗତି ବଢ଼େଇଲା । ଯେତେବେଳେ ଆମେ ରାସ୍ତାରେ ପହଞ୍ଚିଗଲୁ ସେ ଆସ୍ତେ କରି ମତେ ଚାବୁକଟି ଛୁଆଇଁ ଦେବାମାତ୍ରେ ମୁଁ ଦୌଡ଼ିବାକୁ ଆରମ୍ଭ କଲି । ଆମର ବେଶ୍‌ଭଲ ଦୌଡ଼ା ହେଲା । ‘‘ହେ ହେ ପିଲା’’ ମତେ ଉପରକୁ ଟାଣିଦେଇ ସେ କହିଲା ‘‘ମୁଁ ତ ଭାବୁଛି ତୁ ବୋଧହୁଏ ଶିକାରୀ କୁକୁରଙ୍କ ପଛରେ ଦୌଡ଼ିବାକୁ ପସନ୍ଦ କରିବୁ ।’’

 

ଆମେ ପାର୍କ ଦେଇ ଫେରିଲା ବେଳକୁ ଶ୍ରୀ ଏବଂ ଶ୍ରୀମତୀ ଗର୍ଡ଼ନଙ୍କୁ ଚାଲୁଥିବାର ଦେଖିଲୁ । ସେମାନେ ଠିଆ ହୋଇ ଯିବାରୁ ଜନ୍ ସଙ୍ଗେ ସଙ୍ଗେ ଓହ୍ଲାଇପଡ଼ିଲା ।

 

‘‘ଆଚ୍ଛା ଜନ୍ ସେ କେମିତି ଦୌଡ଼ିଲା ?’’

 

‘‘ଏକଦମ୍ ବଢ଼ିଆ ସାର୍‌, ହରିଣ ପରି ଚଞ୍ଚଳ ଚମତ୍କାର ଆଗ୍ରହ ଓ ଲଗାମ ସାମାନ୍ୟ ଛୁଇଁଦେଲେ ହିଁ ସେ ଠିକ୍ ଭାବେ ଦୌଡ଼ିବ । ଆଜି ରାସ୍ତା ଶେଷରେ ଗୋଟାଏ ଜିନିଷଭର୍ତ୍ତି ମାଲଗାଡ଼ି ଆସୁଥିଲା । ଆଉ ସାର୍ ଆପଣ ତ ଜାଣନ୍ତି ଯେ ଘୋଡ଼ାମାନେ ଏପରି ବୋଝେଇ ଗାଡ଼ି ଦେଖିଲେ ଆଉ ସ୍ଥିର ହୋଇ ଚାଲିପାରନ୍ତି ନି । ଆମ ଏ ଘୋଡ଼ା କିନ୍ତୁ ଟିକେ ଗାଡ଼ିକୁ ଚାହିଁଦେଇ ଚୁପ୍‌ଚାପ୍ ଖୁସି ମନରେ ରାସ୍ତା ପାରହେଲା । ତାପରେ ସେଠାରେ ଠେକୁଆ ଶିକାର ଚାଲିଥିଲା । ବନ୍ଧୁକଫୁଟା ଶବ୍ଦ ଖୁବ୍ ପାଖରୁ ଶୁଣିଲେ ବି ସେ ମୋଟେ ଅସ୍ଥିର ହେଲା ନି, ବାଁ କି ଡାହାଣକୁ ଚାହିଁଲା ନାହିଁ କି ହଲିଲା ବି ନାହିଁ । ମୁଁ କେବଳ ଶକ୍ତ କରି ଚାବୁକ୍‌ଟି ଧରି ଆସ୍ତେ ଆସ୍ତେ ଚଲଉଥିଲି । ମୋ ମତରେ ତାକୁ ପିଲାବେଳୁ ଭୟ ଦେଖାଇବା, ଖରାପ ବ୍ୟବହାର କରାହୋଇନି-।’’

 

‘‘ଖୁବ୍‌ଭଲ, କାଲି ମୁଁ ତାକୁ ନେଇ ବୁଲିବାକୁ ଯିବି ।’’ ସ୍କୋୟାର ତାପରଦିନ ମତେ ମୋ ମାଲିକଙ୍କୁ ନେବା ପାଇଁ କହିଲେ । ପ୍ରସ୍ତୁତ କରାଗଲା । ସେତେବେଳେ ମୋର ମାଆ କଥା ଆଉ ପୂର୍ବ ମାଲିକ କଥା ମନେ ପଡ଼ିଗଲା । ତେଣୁ ମାଲିକଙ୍କର ଠିକ୍ ନିର୍ଦ୍ଦେଶ ମାନି ମାନି ମୁଁ ଗଲି । ଦେଖିଲି ସେ ବି ଜଣେ ପୋଖତ ଘୋଡ଼ାଚଢ଼ାଳି ଏବଂ ଘୋଡ଼ାର ସୁବିଧାଅସୁବିଧାକୁ ମଧ୍ୟ ବେଶ୍ ଖିଆଲ ରଖନ୍ତି । ବୁଲି ସାରିବା ପରେ ଆମେ ଯେତେବେଳେ ଫେରିଲୁ ମାଲିକାଣୀ ଦୁଆର ମୁହଁରେ ଠିଆ ହୋଇ ଆମକୁ ଲକ୍ଷ୍ୟ କରୁଥାନ୍ତି । ପଚାରିଲେ ‘‘ପ୍ରିୟେ ନୂଆ ଘୋଡ଼ା କେମିତ ଲାଗିଲା ?’’ ଜନ୍ ଠିକ୍ ଯାହା କହିଥିଲା ସେମିତି । ମାଲିକ ଉତ୍ତର ଦେଲେ । ଏଡେ ଆନନ୍ଦଦାୟକ ଜୀବ ଉପରେ ମୁଁ କେବେ ଚଢ଼ିବି ବୋଲି ଭାବି ନଥିଲି । ଆଚ୍ଛା ଆମେ ୟାକୁ କ’ଣ ବୋଲି ଡାକିବା-?’’ ଏବୋନି । ନାଁଟା ନିଶ୍ଚୟ ତୁମକୁ ପସନ୍ଦ ହେବ । ଆଉ ସେବି ତ ଏବୋନି ପରି କଳା-।’’

 

‘‘ନା ନା ଏବୋନୀ ନୁହେଁ ।’’

‘‘ତେବେ ତୁମ କକାଙ୍କ ପୁରୁଣା ଘୋଡ଼ାର ନାଁଟି ଦିଆଯାଇଥିଲା ବ୍ଲାକ ବର୍ଡ ।’’

 

‘‘ନା ! ୟେ ସେଇ ପୁରୁଣା ଘୋଡ଼ା ବ୍ଲାକ ବର୍ଡ ଠାରୁ ବେଶି ସୁନ୍ଦର ।’’ ‘‘ଠିକ୍ କଥା । ଇଏ ପ୍ରକୃତରେ ସୁନ୍ଦର ତ, ତହିଁରେ ପୁଣି ଏତେ ଶାନ୍ତ, ମଧୁର ମୁଖଶ୍ରୀ, ବୁଦ୍ଧିଦୀପ୍ତ ଚାହାଣି-ଆଚ୍ଛା ବ୍ଲାକ ବିଉଟି ନାମଟି କେମିତି ହେବ ?

 

‘‘ବ୍ଲାକ ବିଉଟି । ବାଃ ବେଶ୍ ତ ଏଇଟା ହିଁ ସବୁଠାରୁ ଭଲ ନାମ । ଯଦି ତୁମକୁ ଭଲ ଲାଗୁଛି ତାହାହେଲେ ଏଇ ନାମଟି ହିଁ ତାର ରହିବ ।’’ ଏବଂ ସେଇ ନାମଟି ହିଁ ରହିଲା ।

 

ତାପରେ ଜନ୍ ଘୋଡ଼ାଶାଳକୁ ଆସି ମୋର ଏଇ ନାମଟି ମାଲିକମାଲିକାଣୀ ରଖିଛନ୍ତି ବୋଲି ଜେମ୍‌ସକୁ ଜଣାଇଦେଲା । ନାମଟି ତାକୁ ବି ଖୁବ୍ ପସନ୍ଦ, ଅନ୍ତତଃ ମାରେଙ୍ଗା ପେଗାମସ୍ ବା ଅବ୍‌ଦୁଲା ପରି ଅର୍ଥହୀନ ନୁହେଁ । ଉଭୟେ ହସିଲେ । ତାପରେ ଜେମ୍‌ସ କହିଲା ‘‘ଯଦି ଅତୀତକୁ ଟାଣି ଆଣିବାରେ ଦୁଃଖ ନ ଥାଆନ୍ତା ତେବେ ମୁଁ ୟାର ନାଁ ରବ୍ ରୟ ରଖିଥାନ୍ତି । କାରଣ ଦୁଇଟି ଘୋଡ଼ାଙ୍କ ଚେହେରାରେ ଏତେ ସାମଞ୍ଜସ୍ୟ ମୁଁ ଆଜି ପର୍ଯ୍ୟନ୍ତ କେଉଁଠି ବି ଦେଖି ନାହିଁ । ଜନ୍ କହିଲା ‘‘ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ତୁ କ’ଣ ଜାଣିନୁ କି ଯେ କୃଷକ ଗ୍ରେଙ୍କର ଡଚେସ୍ ନାମକ ଯେଉଁ ଘୋଡ଼ାଟି ଅଛି ଏମାନେ ଉଭୟେ ତାର ଛୁଆ ।’’

 

ଏ କଥା ମୁଁ ପୂର୍ବରୁ କେବେ ଶୁଣି ନଥିଲି । ଶିକାରରେ ଯାଇ ମୃତ୍ୟୁମୁଖରେ ପଡ଼ିଥିବା ବିଚରା ରବ୍ ରୟ ମୋରି ଭାଇ । ବର୍ତ୍ତମାନ ବୁଝିପାରିଲି ଯେ ମୋର ମାଆ କାହିଁକି ରବ୍ ରୟର ମୃତ୍ୟୁରେ ଏତେ ଦୁଃଖି ହୋଇ ପଡ଼ିଥିଲା । ଏଥିରୁ ଏହା ଜାଣିଲି ଯେ ଘୋଡ଼ାଙ୍କର ବନ୍ଧୁବାନ୍ଧବ, ସଂପର୍କୀୟ ନାହାନ୍ତି । ଅନ୍ତତଃ ଥରେ ବିକ୍ରି ହୋଇ ସାରିବା ପରେ ଆଉ କେହି କାହାକୁ ଜାଣନ୍ତି ନାହିଁ-

 

ଜନ୍ ମୋ ପାଇଁ ଗର୍ବିତ ବୋଲି ମନେ ହୁଏ । ସେ ମୋ ଦାଢ଼ି ଆଉ ଲାଞ୍ଜକୁ ବ୍ରଶ କରି ତରୁଣୀର କେଶ ସଦୃଶ ନରମ ମସୃଣ କରି ରଖେ, ମୋ ସହିତ ଅନେକ କଥାବାର୍ତ୍ତା ବି କରେ । ଅବଶ୍ୟ ସେ କ’ଣ କହେ ମୁଁ ବୁଝିପାରେ ନାହିଁ । ମାତ୍ର ଧୀରେ ଧୀରେ ମୁଁ ତା କଥା ବୁଝିଲି ଏବଂ ତା ନିର୍ଦ୍ଦେଶ ମଧ୍ୟ ବୁଝିପାରିଲି । ସେ-ମଧ୍ୟ ମୋର ଖୁବ୍ ପ୍ରିୟ ହୋଇ ପଡ଼ିଲା । ବୋଧହୁଏ ସେ ଘୋଡ଼ାର ଅନୁଭବ ମଧ୍ୟ ବୁଝେ । କାରଣ ମତେ ପରିଷ୍କାର କଲାବେଳେ ସେ ଦେହର ନରମ ଓ କୁତୁକୁତିଆ ଜାଗାଗୁଡ଼ିକୁ ବୁଝି ଆସ୍ତେ ଆସ୍ତେ ବ୍ରଶ ଚଳାଏ । ଆଉ ମୁଣ୍ଡ କୁଣ୍ଡେଇ ଦେଲାବେଳେ ଆଖିର ଆଖପାଖକୁ ଭାରି ସାବଧାନରେ ସଫା କରେ । ମନେ ହେବ ସତେ ଅବା ଆଖି ଦୁଇଟି ତା’ରି । ମତେ ବିରକ୍ତ କରିବା ବା କଷ୍ଟ ଦେବା ପରି ସେ କିଛି ବି କରେ ନାହିଁ ।

 

ଜେମ୍‌ସ ହାୱାର୍ଡ, ଗୁହାଳ ଜଗା ପିଲାଟି ମଧ୍ୟ ଠିକ୍ ତା’ରିପରି । ଭଦ୍ର ଆଉ ଖୁସିବାସିଆ-। ତେଣୁ ମୁଁ ପ୍ରକୃତ ସୁଖରେ ରହିବାଟା ଅନୁଭବ କରେ । ସେଠି ଅଗଣାରେ ସାହାଯ୍ୟ କରିବାକୁ ଅନ୍ୟ ଜଣେ ଲୋକ ମଧ୍ୟ ଥାଏ, କିନ୍ତୁ ମୋ ସହିତ ବା ଜିଞ୍ଜର ସହିତ ତାର ବିଶେଷ କିଛି ସମ୍ପର୍କ ନଥାଏ ।

 

ଏହାର କିଛିଦିନ ପରେ ମୁଁ ଆଉ ଜିଞ୍ଜର ଗୋଟାଏ ଗାଡ଼ିରେ ଯୋଚା ହୋଇ କାମରେ ଯିବାର ସ୍ଥିର ହେଲା। ମୁଁ ଆଉ ଜିଞ୍ଜର ଏକାଠି ଗୋଟିଏ ଗାଡ଼ି ଟାଣିବା କଥା ଭାବିଲେ ମତେ ଆଶ୍ଚର୍ଯ୍ୟ ଲାଗୁଥିଲା । କିନ୍ତୁ ପ୍ରକୃତରେ ମତେ ଯେତେବେଳେ ତା ନିକଟକୁ ନିଆଗଲା ମୋ ସହିତ ତାକୁ ଗାଡ଼ି ଟାଣିବାକୁ ପଡ଼ିବ ବୁଝିପାରି ସେ କେବଳ କାନ ଉଠେଇ ଟିକେ ବିରକ୍ତ ପ୍ରକାଶ କରିବା ବ୍ୟତୀତ ଆଉ କିଛି କଲା ନାହିଁ, ବରଂ ଖୁବ୍‌ଭଲଭାବେ ମୋ ସହିତ ତାଳ ଦେଇ ଗାଡ଼ି ଟାଣିବାରେ ଲାଗିଲା ଏବଂ ମୋର ମନେହେଲ ଯେ ତାଠାରୁ ବେଶି ଭଲ ଗାଡ଼ିଟଣା ସାଥିଟିଏ ହୁଏତ ମତେ ମିଳି ନଥାନ୍ତା ଆମେ ଯେତେବେଳେ ଉଚ୍ଚ ସ୍ଥାନକୁ ଉଠୁ, ସେ ତାର ଗତି କଦାପି କମ୍ କରେ ନାହିଁ । ବୁଝଲି ଯେ ଆମ ଉଭୟଙ୍କର କାମ କରିବା ପ୍ରଣାଳୀ ଶକ୍ତି ଓ ସାହସ ପ୍ରାୟ ଏକାପରି । ଜନ୍ ମଧ୍ୟ ଆମକୁ ନେଲା ବେଳେ, ସର୍ବଦା ଆମ ଅନୁଯାୟୀ ଚଳାଏ, ହୁମଦାମ୍ କରି ଆଗକୁ ଦୌଡ଼ିବାକୁ ବାଧ୍ୟ କରେ ନାହିଁ । କେବେ ବି ସେ ଆମ ଉପରେ ଚାବୁକ ପ୍ରୟୋଗ କରେ ନାହିଁ । ଆମ ଦୁହିଙ୍କ ପାହୁଣ୍ଡ ଏକା, ତେଣୁ ଚାଲିଲା ବେଳେ ତା ସହ ତାଳ ଦେଇ ଚାଲିବାଟା ସହଜ ଓ ଆରାମପ୍ରଦ । ମାଲିକ ଓ ଜନ ଉଭୟେ ଆମ ଉପରେ ଖୁସି । ଏକାଠି ଦୁଇ ତିନି ଥର ଗାଡ଼ି ଟାଣିବା ପରେ ଆମେ ଦୁହେଁ ବି ପରସ୍ପରର ବନ୍ଧୁ ହୋଇଗଲୁ । ତା ସହଚର୍ଯ୍ୟ ମତେ ମଧ୍ୟ ଏଇ ନୂଆଘର ପୁରୁଣା ଘର ପରି ମନେ ହେଲା ।

 

ଆହୁରି ମଧ୍ୟ ମେରିଲେଗ୍‌ସ ଆଉ ମୁଁ ଖୁବ୍ ସାଙ୍ଗ ହୋଇଗଲୁ । ଶାନ୍ତ ଶିଷ୍ଟ ଆଉ ସଦା ପ୍ରଫୁଲ୍ଲ ଏଇ ଛୋଟ ଘୋଡ଼ାଟି ସମସ୍ତଙ୍କର ପ୍ରିୟ, ବିଶେଷ କରି କୁମାରୀ ଜେସି ଓ ଫ୍ଲୋରାଙ୍କର । ସେମାନେ ପ୍ରାୟ ତା ପିଠିରେ ଚଢ଼ି ବଗିଚା ଭିତରେ ବୁଲନ୍ତି, ଖେଳନ୍ତି ଏବଂ ସେମାନଙ୍କ ସହିତ ତାଙ୍କ କୁନି କୁକୁର ଫ୍ରିସ୍କି ବି ରହିଥାଏ ।

 

ଆମ ମାଲିକଙ୍କର ଆହୁରି ଦୁଇଟା ଘୋଡ଼ା ଅନ୍ୟ ଘୋଡ଼ାଶାଳରେ ରହନ୍ତି । ଜଣକର ନାଁ ଜଷ୍ଟିସ୍‌, ଅନ୍ୟ ଜଣଙ୍କର ସାର୍ ଅଲିଭର୍ । ଜଷ୍ଟିସ୍‌ର ଉଚ୍ଚତା କମ୍‌, ଦେହର ରଙ୍ଗ ସବୁଜ ମାଟିଆ ଆଉ ଲାଲ ମିଶାମିଶି ହୋଇ ଭାରି ସୁନ୍ଦର ଦେଖାଯାଏ । ତାକୁ ଚଢ଼ିବା ଓ ଗାଡ଼ି ଟାଣିବା ଉଭୟ କାମରେ ବ୍ୟବହାର କରାଯାଏ । ମାଟିଆ ରଙ୍ଗର ସାର୍ ଅଲିଭର୍ ଶିକାରୀ ଘୋଡ଼ା । ଏବେ ଅବଶ୍ୟ ସେ ବୁଢ଼ା ହୋଇଗଲାଣି । ତଥାପି ମାଲିକଙ୍କର ସେ ଖୁବ୍ ପ୍ରିୟ । ସେ ତା ଉପରେ ବସି ପାର୍କରେ ବୁଲନ୍ତି । ବେଳେବେଳେ ଛୋଟ ହାଲ୍‌କା ଗାଡ଼ି ମଧ୍ୟ ସେ ଟାଣେ । ମାଲିକଙ୍କ ସହ ତାଙ୍କ ଛୋଟ ଝିଅକୁ ବି ସେ ସମୟେ ସମୟେ ବୁଲାଇବା ପାଇଁ ନିଏ । ସେ ଖୁବ୍ ଭଦ୍ର-ତାକୁ ଖୁବ୍ ଛୋଟ ଘୋଡ଼ା ସହିତ ଅବା ମେରିଲେଗ୍‌ସ ପରି ବଡ଼ ଘୋଡ଼ା ସହିତ ଗାଡ଼ି ଟାଣିବା ପାଇଁ ବିଶ୍ୱାସ କରାଯାଇପାରେ-। ଆଉ ତଟୁଘୋଡ଼ୀ (କବ୍)ଟି ବି ବଳିଷ୍ଠ ସୁନ୍ଦର ଓ ଶାନ୍ତ । ପଡ଼ିଆରେ ଏକାଠି ଚରିବାବେଳେ ବେଳେବେଳେ ମୋର ତା ସହିତ ବେଶ୍ ଆଳାପ ହୁଏ । ଅବଶ୍ୟ ତା ସହିତ ଜିଞ୍ଜର ପରି ବନ୍ଧୁତା ହୋଇପାରେ ନାହିଁ, କାରଣ ଯାହାହେଲେ ବି ଜିଞ୍ଜର ଆଉ ମୁଁ ତ ଗୋଟିଏ ଘୋଡ଼ାଶାଳରେ ପାଖାପାଖି ରହୁ ।

•••

 

ସ୍ୱାଧୀନତା

 

ବର୍ତ୍ତମାନ ମୋର ନୂଆ ଆଶ୍ରୟରେ ମୁଁ ଭାରି ଖୁସି-ହେବି ନି ବା କାହିଁକି ? ସମସ୍ତେ ଭଲ । ଏଠି ପୁଣି ପ୍ରତ୍ୟେକ ମୋ ଉପରେ ସନ୍ତୁଷ୍ଟ । ମୋ ରହିବା ଘର ବହୁତ ବଡ଼ ଉତ୍ତମ ବାୟୁ ଚଳାଚଳ, ସ୍ଵାଦିଷ୍ଟ ଖାଦ୍ୟ ଖାଇବାକୁ-ଜଣେ ଆଉ ଅଧିକ କ’ଣ ବା ଚାହିଁପାରେ ଜୀବନରେ ? କିନ୍ତୁ କେବଳ ଗୋଟିଏ କଥାରେ ଊଣା । ପୂର୍ବରୁ ମୋର ଯେତେ ସ୍ଵାଧୀନତା ଥିଲା ତା ଆଉ ଏଠି ନାହିଁ । ଜୀବନର ପ୍ରଥମ ସାଢ଼େ ତିନି ବର୍ଷ ମୁଁ ଥିଲି ସମ୍ପୂର୍ଣ୍ଣ ମୁକ୍ତ, ଯେତେ ସମ୍ଭବ ସେତେ ସ୍ଵାଧୀନ । କିନ୍ତୁ ଏବେ ହୁଏତ ସପ୍ତାହ ପରେ ସପ୍ତାହ, ମାସ ପରେ ମାସ ଆଉ ବର୍ଷ ପରେ ବର୍ଷ ମତେ ଏଇ ଘୋଡ଼ାଶାଳ ଭିତରେ ଠିଆ ହେବାକୁ ପଡ଼ିବ । ଆଉ ଅନେକ ବେଳେ ମୁଁ ପ୍ରାପ୍ତ ବୟସ୍କ ଘୋଡ଼ାମାନଙ୍କ ପରି (୨୦ ବର୍ଷର) ଦେହ ସାରା ପଟି ବା ଶିକୁଳି ମୁହଁରେ ତୁଣ୍ଡି ଆଖିରେ ପାର୍ଶ୍ଵ ପର୍ଦା ଦେଇ ମତେ ଚୁପ୍‌ଚାପ୍ ଭଦ୍ର ଭାବରେ ଚାଲିବାକୁ ବା ଦୌଡ଼ିବାକୁ ପଡ଼ିବ । ଅବଶ୍ୟ ତହିଁରେ ମୋର ଅଭିଯୋଗ ନାହିଁ, କାରଣ ଏହା ଯେ କରିବାକୁ ପଡ଼ିବ ତା ମତେ ଜଣା । ମୁଁ କେବଳ ଏତିକି ମାତ୍ର କହିବାକୁ ଚାହୁଁଛି ଯେ ଗୋଟିଏ ବଳୀୟାନ୍ ସାହସୀ ଯୁବା ଘୋଡ଼ା, ଯିଏ କି ପୂର୍ବରୁ ପଡ଼ିଆ ବା ସମତଳ ଭୂମିରେ ମୁକ୍ତ ହୋଇ ମୁଣ୍ଡ ହଲାଉଥିଲା, ଡେଉଁ ଥିଲା, ଲାଞ୍ଜ ଡିଆଁଉଥିଲା ଏବଂ ବୁଲିସାରି ପୁଣି ତା ବନ୍ଧୁମାନଙ୍କ ନିକଟକୁ ଫେରି ଆସୁଥିଲା-ତା ପାଇଁ ଏବେ ସାମାନ୍ୟତମ ସ୍ଵାଧୀନତା ବି ରହିବ ନାହିଁ, ଏହା କଷ୍ଟକର ନୁହେଁ କି ? ବେଳେବେଳେ ଯେତେବେଳେ ମୋର ପରିଶ୍ରମ କମ୍ ପଡ଼େ ମୁଁ ହଠାତ୍ ଖୁବ୍ ସଜୀବ ହୋଇପଡ଼େ । ତାପରେ ପୁଣି ଜନ୍ ମତେ ବାହାରକୁ ନେଲେ ମୁଁ ଫୁର୍ତ୍ତିରେ ନାଚେ ଡିଏଁ, ମଜା କରେ । ଅସମ୍ଭବ ଚଞ୍ଚଳ ହୋଇ ତାକୁ ଠେଲାପେଲା ବି କରେ । ବିଶେଷ କରି ପ୍ରଥମ ପ୍ରଥମ ଏଇ ପରିସ୍ଥିତି ଆସିଲେ ସେ କିନ୍ତୁ ସବୁବେଳେ ଭଲ ଓ ଧୈର୍ଯ୍ୟ ଧରି ସହିଯାଏ ଏ ସବୁ ।

 

‘‘ସ୍ଥିର ! ସ୍ଥିର ରହ ବାବା’’ ସେ କହେ ‘‘ଟିକେ ଅପେକ୍ଷା କରି ଯା, ତାପରେ ଝୁଲିବୁ ଏବଂ ତଳିପା ସଲ୍‌ସଲ ହେବାଟା ବି ବନ୍ଦ ହୋଇ ଯିବ ।’’ ତାପରେ ଯେମିତି ଆମେ ଗାଁଟା ଅତିକ୍ରମ କରି ଯାଉ ସେ ମତେ କେତେ ମାଇଲ ପର୍ଯ୍ୟନ୍ତ ଜୋରରେ ଦୌଡ଼ାଏ । ମୁଁ ଟିକେ ଫୂର୍ତ୍ତି ଅନୁଭବ କରିବା ଦେଖିଲେ ପୁଣି ସେ ମତେ ଫେରାଇ ଆଣେ । ଜନ କହେ ଯେ ଏହା ଦ୍ଵାରା ଆମ ଅସ୍ଥିରତା ଦୂର ହୁଏ ଏବଂ ଆମେ ପରିଶ୍ରମୀ ହେଉ । ଘୋଡ଼ାମାନେ ଯଥେଷ୍ଟ ପରିଶ୍ରମ ନକଲେ ପରିଶ୍ରମୀ ଘୋଡ଼ା ବି ଅଳସୁଆ ହୋଇ କେବଳ ଖେଳନ୍ତି । ତେଣୁ ସଇସମାନେ ମଧ୍ୟ ସେମାନଙ୍କୁ ଶାସ୍ତି ଦିଅନ୍ତି, ଅବଶ୍ୟ ଜନ୍ କେବେ ଏପରି ଶାସ୍ତି ଦିଏ ନାହିଁ । ଏଥିପାଇଁ କହେ ଯେ ଆମ ମନବଳ ବଢ଼ିବ । ଆମକୁ ବୁଝାଇବାର ଏ ତାର ଏକ ସ୍ଵତନ୍ତ୍ର ନିୟମ । କେବଳ ତା ସ୍ଵରରୁ ଏବଂ ଚାବୁକ ଛୁଆଁଇ ଦେବାରୁ ମୁଁ ତାର ନିର୍ଦ୍ଦେଶ ବୁଝି ପାରୁଥିଲି । ଯଦି ସେ କୌଣସି ବିଷୟରେ ଦୃଢ଼ ଓ ନିଶ୍ଚିତ ଥାଏ ମୁଁ ସର୍ବଦା କେବଳ ତା ସ୍ୱରରୁ ହିଁ ବୁଝିପାରୁଥିଲି ଏବଂ ତା ଇଚ୍ଛାର ମୂଲ୍ୟ ମୋ ପାଖରେ ସର୍ବାଧିକ, କାରଣ ମୁଁ ତାକୁ ଅତ୍ୟନ୍ତ ଭଲ ପାଉଥିଲି ।

 

ଏ କଥା ମୋର ଜଣାଇଦେବା ଉଚିତ୍ ଯେ ସମୟେ ସମୟେ ଆମେ କିଛି ଘଣ୍ଟା ପାଇଁ ମୁକ୍ତ ହେଉ, ତାହା ସାଧାରଣତଃ ଗରମ ଦିନର ଆରାମଦାୟକ ରବିବାର ଗୁଡ଼ିକରେ । ଚର୍ଚ୍ଚ ବେଶି ଦୂରରେ ନ ଥିବାରୁ ରବିବାର ଦିନ ଗାଡ଼ିଗୁଡାକ କୁଆଡେ ଦୂରକୁ ଯାଏ ନି ।

 

ଆମକୁ ଯେତେବେଳେ ଘର ପାଖ ଘାସପଡ଼ିଆରେ ବା ପୁରୁଣା ଫଳ ବଗିଚାରେ ଛାଡି ଦିଆଯାଏ ଆମେ ଖୁବ୍ ଆନନ୍ଦ ପାଉ; ନରମ ଶୀତଳ ଘାସ ଉପରେ, ମୃଦୁ ପବନରେ ଏବଂ ମୁକ୍ତ ଭାବେ ଚଲାବୁଲା କରିବାର ଏକ ଭିନ୍ନ ଆନନ୍ଦ । ଆମେ ଦୌଡ଼ୁ, ମିଠା ଘାସ ଖାଉ, ବିଶ୍ରାମ କରି ଶୋଇ ବି ପଡ଼ୁ । ସେ ସମୟରେ ଆମେ ଗପସପ ବି କରୁ । ଯେତେବେଳେ ଚେଷ୍ଟନଟ୍ ଗଛର ଛାଇରେ ଠିଆ ହୋଇଥାଉ ସେତେବେଳେ ଗପିବାରେ ବେଶ୍ ଆନନ୍ଦ ମିଳେ ।

•••

 

ଜିଞ୍ଜର

 

ଦିନେ ଜିଞ୍ଜର ଆଉ ମୁଁ ଦୁହେଁ ଗୋଟାଏ ଗଛ ଛାଇରେ ଠିଆ ହୋଇଥିଲୁ । ଗପସପ କରୁଥାଉ । ସେ ମୋର ଲାଳନପାଳନ ଏବଂ ପ୍ରଶିକ୍ଷଣ ଇତ୍ୟାଦି ବିଷୟରେ ଜାଣିବାକୁ ଚାହିଁଲା ଏବଂ ମୁଁ ତାକୁ ମୋ କାହାଣୀ କହିଲି ।

 

‘‘ଆଚ୍ଛା,’’ ଶୁଣିସାରି ସେ କହିଲା ‘‘ମୁଁ ଯଦି ତୋପରି ବଢ଼ିଥାନ୍ତି ତେବେ ମୋର ବି ତୋପରି ଶାନ୍ତ ଶିଷ୍ଟ ସ୍ଵଭାବ ହୋଇଥାନ୍ତା । କିନ୍ତୁ ଆଉ ଏବେ ମୋର ସେମିତି ଶିଷ୍ଟତା କେବେ ବି ଆସିବନି ।’’ ‘‘କାହିଁକି ନୁହେଁ ?’’ ମୁଁ ପଚାରିଲି ।

 

‘‘କାରଣ ମୋ ଜୀବନରେ ଏଇପରି ସୁବିଧା ମୁଁ ପାଇ ନାହିଁ । ମଣିଷ ବା ଘୋଡ଼ା କେହି ହେଲେ କେବେ ବି ମୋ ପାଇଁ ସ୍ନେହୀ ବା ଦୟାଳୁ ନଥିଲେ । ମୁଁ ବି କାହାକୁ ଭଲପାଇ ନଥିଲି । ପ୍ରଥମରୁ ତ ମୁଁ ମାଆ ଖିର ଛାଡ଼ିବାମାତ୍ରେ ମତେ ମାଆ ଠାରୁ ଅଲଗା କରି ଗଦାଏ ଘୋଡା ଛୁଆଙ୍କ ଭିତରେ ରଖିଦେଲେ । ମତେ ସେଠି କେହି ଭଲପାଇଲେ ନି । ଫଳରେ ମୁଁ କାହାକୁ ବି ଭଲ ପାଇଲି ନି । ତୋ ପରି ମୋ ମାଲିକ ଦୟାଳୁ ମଧ୍ୟ ନଥିଲେ । ମୋର ଯତ୍ନ ନେବା, ମୋ ସହିତ କଥା କହିବା ଅବା କେତେବେଳେ ସ୍ନେହରେ କିଛି ଭଲ ଜିନିଷ ଖାଇବାକୁ ଦେବା ଏ ସବୁ ସେ କିଛି କରୁ ନଥିଲେ । ଆମମାନଙ୍କୁ ଦେଖାଦେଖି କରିବା ପାଇଁ ଥିବା ଲୋକଟି ବି କେବେହେଲେ ଆମକୁ ମିଠା କଥା ପଦେ କହୁ ନଥିଲା । ୟା ମାନେ ମୁଁ କହୁନି ଯେ ସେ ଆମକୁ କଷ୍ଟ ଦେଉଥିଲା ବୋଲି- କିନ୍ତୁ ଦେଉଥିଲା କେବଳ ଯଥେଷ୍ଟ ଖାଦ୍ୟ ବା ଘୋଡ଼ାଇ ହେବା ପାଇଁ ଯଥେଷ୍ଟ ବସ୍ତ୍ର କ’ଣ ସବୁ ? କିଛି ଟିକେ ବି ଅଧିକା ଯତ୍ନ କରୁ ନଥିଲା । ଆମ ପଡ଼ିଆ ଭିତରେ ରାସ୍ତାଟିଏ ଥିଲା । ପ୍ରାୟ ବଡ଼ ବଡ଼ ପିଲାମାନେ ସେ ରାସ୍ତାରେ ଯିବାଆସିବା କଲାବେଳେ ଆମ ଉପରକୁ ପଥର ଖଣ୍ଡମାନ ଫୋପାଡି ଆମକୁ ଦୌଡ଼ାଉ ଥିଲେ’ । ମତେ ଅବଶ୍ୟ କେବେ ବାଜି ନି, ମାତ୍ର ଗୋଟିଏ ଛୋଟ ଘୋଡ଼ା ପିଲାର ମୁହଁରେ ବାଜି ଏତେ ବଡ ଖଣ୍ଡିଆ ହୋଇଥିଲା ଯେ ଜୀବନଯାକ ସେ ଦାଗ ରହିଗଲା । ଆମେ ସେମାନଙ୍କୁ ଖାତିର ତ କରୁ ନଥିଲୁ, କିନ୍ତୁ ଏଇସବୁ ପାଇଁ ଭୀଷଣ ଭାବେ ଚିଡ଼ି କରି ରହିଥିଲୁ । ସେମାନଙ୍କୁ ଆମର ଶତ୍ରୁ ବୋଲି ଭାବୁଥିଲୁ ।

 

ଯେଉଁ ଦିନ ଆମମାନଙ୍କୁ ପଡ଼ିଆରେ ଖୋଲା ଛାଡି ଦିଅନ୍ତି ସେ ଦିନ ଆମର ମଜା । ଦୌଡ଼ାଦୌଡ଼ି ଡିଆଁଡେଇଁ ଜଣକ ପଛରେ ଜଣେ ଗୋଡ଼ିଆଗୋଡ଼େଇ ହୋଇ ଖୁବ୍‌ଆନନ୍ଦ କରୁ । ସମସ୍ତେ ଶେଷରେ ଯାଇ ଗଛ ଛାଇରେ ଠିଆ ହେଉ, ପୁଣି ଆସିଲା ଟ୍ରେନିଂ ନେବାର ସମୟ । ମୋତେ ସେତେବେଳେ ଖୁବ୍‌କଷ୍ଟ ହେଲା । ଜଣେ ଆସି ମୋ ତଳ ପାଟିଟା ଧରି ଟାଣି କରି ମେଲା କଲା । ତାପରେ ସେ ପଟି (ଫିତା) ଆଉ ଲୁହାଖଣ୍ଡେ ଜୋରକରି ପାଟି ଭିତରେ ପୂରେଇଲା । ଜଣେ ଫିତାଟା ଟାଣିଟାଣି ଅନ୍ୟ ଜଣେ ପଛରୁ ଠେଲା ମାରିମାରି ମତେ ପ୍ରାୟ ଘୋଷାରିଘୋଷାରି ନେଲେ । ମଣିଷ ଜାତିର ଦୟା ବିଷୟରେ ଏଇ ମୋର ପ୍ରଥମ ତିକ୍ତ ଅନୁଭୂତି । ସବୁ ଜବରଦସ୍ତି। ସେମାନେ କଣ ଚାହୁଁଥିଲେ ତା ମତେ ଜଣେଇଦେଇ ପାରିଥାନ୍ତେ ତ । କିନ୍ତୁ ନା । ମୁଁ ଉଚ୍ଚବଂଶ ଜାତ, କାମରେ ଉତ୍ସାହୀ ମଧ୍ୟ । ଅବଶ୍ୟ ବେଶ୍‌ଟିକେ ଦୁଷ୍ଟ ଯେ ହୋଇପଡିଥିଲି ତହିଁରେ ସନ୍ଦେହ ନାହିଁ । କିନ୍ତୁ ଦିନ ପରେ ଦିନ ଗୋଟିଏ ଘରେ ବନ୍ଦ ରହିବା, ମଝିରେ ମଝିରେ ସାମାନ୍ୟ ବନ୍ଧନମୁକ୍ତ ନ ହେବାରୁ ମୁଁ ଖୁବ୍‌ବ୍ୟସ୍ତ ହୋଇ ପଡ଼ୁଥିଲି । ସବୁବେଳେ ଅସ୍ଥିରତା ଓ ବ୍ୟସ୍ତତା ମତେ ଘେରି ରହିଥିଲା । କେବଳ ମୁକ୍ତି ହିଁ ମୋର କାମ୍ୟ ହୋଇଥିଲା । ଏପରି ଜୀବନ ଖୁବ୍‌କଷ୍ଟଦାୟକ । ନୁହେଁ କି ? ତୋ ଭଲ ମାଲିକଙ୍କଠାରୁ ତୁ ପ୍ରଚୁର ଆଦର ପାଇଛୁ, କିନ୍ତୁ ମୋ ପାଇଁ ଏ ସବୁ କିଛି ନଥିଲା ।

 

ତେବେ ମୋ ମତରେ କେବଳ ଜଣେ ଥିଲେ, ଯିଏ କି ମତେ ଶୀଘ୍ର ଠିକ୍‌କରିଦେଇ ପାରିଥାନ୍ତେ ଏବଂ ଭଲରେ ବି କରିଥାନ୍ତେ ସିଏ ହେଉଛନ୍ତି ମି. ରାଇଡର-ସେଠାର ପୁରୁଣା ମାଲିକ-। କିନ୍ତୁ ସେତେବେଳକୁ ସେ ତାଙ୍କର ଏଇ ବ୍ୟବସାୟ ପୁରାପୁରି ତାଙ୍କ ପୁଅ ଓ ଅନ୍ୟ ଜଣେ ଅନୁଭୂତିସମ୍ପନ୍ନ ଲୋକ ହାତରେ ଦେଇ ଦେଇଥିଲେ । ଅବଶ୍ୟ ବେଳେବେଳେ ସେ କେବଳ ତଦାରଖ କରିବା ପାଇଁ ଆସନ୍ତି । ତାଙ୍କର ପୁଅ ଦୀର୍ଘକାୟ ବଳିଷ୍ଠ ଓ ସାହସୀ ଥିଲେ ମଧ୍ୟ ଗର୍ବୀ ଥିଲେ । ତାଙ୍କ ନାମ ସାମସନ୍‌। ସେ ସବୁବେଳେ କହୁଥିଲେ ‘‘ଏମିତି ଘୋଡ଼ା ଜନ୍ମ ହୋଇନି ଯିଏ କି ତାଙ୍କୁ ପିଠିରୁ ଫୋପାଡ଼ିଦେଇ ପାରିବ । ନିଜ ପିତାଙ୍କ ପରି ଶିଷ୍ଟତା ତାଙ୍କ ପାଖରେ ଟିକେ ହେଲେ ବି ନଥିଲା । ଥିଲା କେବଳ କଠିନତା- କର୍କଶ ସ୍ଵର, କଡ଼ା ଦୃଷ୍ଟି ଓ ଶକ୍ତ ହାତ । ପ୍ରଥମରୁ ହିଁ ମୁଁ ଅନୁଭବ କରିପାରିଥିଲି ଯେ ସେ ମୋଠାରୁ ସମସ୍ତ ଉତ୍ସାହ ସୁଗୁଣ କାଢ଼ିନେଇ ମତେ ଗୋଟିଏ ନୀରବ ନମ୍ର, ବାଧ୍ୟ ଘୋଡ଼ା ମାଂସର ପିଣ୍ଡୁଳା କରି ରଖିବାକୁ ଚାହୁଁଛନ୍ତି । ‘‘ମାଂସ ପିଣ୍ଡୁଳାର ଘୋଡ଼ା’’-- ଠିକ୍‌ଏଇଟା ହିଁ ସେ ଭାବିଥିଲେ । ଜିଞ୍ଜର ନିଜ ପାଦ ମାଟିରେ ବାଡେଇବାକୁ ଲାଗିଲା- ସତେ ଯେପରି ଏଇ ଭାବନାଟା ମନକୁ ଆସି ହଠାତ୍‌ତାକୁ ରଗେଇ ଦେଇଛି ।

 

ସେ କହିବାରେ ଲାଗିଲା, ‘‘ମୁଁ ଯଦି ଠିକ୍‌ତାଙ୍କ ଇଚ୍ଛା ଅନୁଯାୟୀ କାମ ନ କରିପାରେ ତେବେ ସେ ମତେ ଟ୍ରେନିଂ ପଡ଼ିଆରେ ଦୌଡ଼ାନ୍ତି ଦୌଡ଼ାନ୍ତି ମୁଁ ଏକଦମ୍‌ହାଲିଆ ହୋଇପଡ଼ିବା ପର୍ଯ୍ୟନ୍ତ । ସେ ମଧ୍ୟ ପ୍ରଚୁର ମଦ୍ୟପାନ କରନ୍ତି ଏବଂ ମୋର ଧାରଣା ଯେତେ ବେଶି ଥର ସେ ପାନ କରନ୍ତି ମୋର ଅବସ୍ଥା ସେତିକି ଅଧିକ ଖରାପ ହୁଏ । ଦିନେ ସେ ମତେ ଖୁବ୍‌ଖଟେଇଲେ । ଫେରିବା ବେଳକୁ ମୁଁ ଖୁବ୍‌କ୍ଲାନ୍ତ, ଦୁଃଖିତ ଓ ବିରକ୍ତ ହୋଇ ପଡ଼ିଥିଲି । ଜୀବନ ଦୁର୍ବିସହ ମନେ ହୋଇଥିଲା । ତାର ଠିକ୍‌ପରଦିନ ସକାଳୁ ସେ ମତେ ପୁଣି ନେଇ ଦୌଡ଼େଇଲେ । ତାପରେ ମୁଁ ଘଣ୍ଟାଟିଏ ବିଶ୍ରାମ ନେଇଛି କି ନାହିଁ ସେ ପୁଣି ଆସିଲେ । ସାଥିରେ ଆଣିଥିଲେ ନୂତନ ପ୍ରକାର ତୁଣ୍ଡି, ଲଗାମ, ହୁଦା ଇତ୍ୟାଦି । ସେଦିନ ଯାହା ଘଟିଲା କଣ ପାଇଁ ଯେ ଘଟିଲା ମୁଁ କହିପାରିବିନି । ଟ୍ରେନିଂ ପଡ଼ିଆରେ ସେ ଠିକ୍‌ମୋ ଉପରେ ବସିଛନ୍ତି କି ନାହିଁ ମୋର କ’ଣ ଦୋଷ ଦେଖିଲେ କେଜାଣି ସେ ପ୍ରଚଣ୍ଡ ରାଗିଗଲେ । ମତେ ଖୁବ୍‌ଜୋରରେ ଲଗାମଟା ଟାଣିଦେଲେ । ନୂଆ ତୁଣ୍ଡିଟା ମତେ ଖୁବ୍‌କଷ୍ଟ ଦେଲା ଓ ମୁଁ ହଠାତ୍‌ଠିଆ ହୋଇ ପଡ଼ିଲି । ଏହା ତାଙ୍କୁ ଅଧିକ ବିରକ୍ତ କଲା ଓ ଖୁବ୍‌ଜୋରରେ ସେ ମତେ ପିଟିବାରେ ଲାଗିଲେ । ମୋ ମନ ବି ତାଙ୍କ ବିରୁଦ୍ଧରେ ବିଦ୍ରୋହ କରି ଉଠିଲା । ତେଣୁ ମୁଁ ଲାତ ମାରି ଉଠେ ପୁଣି ପଡ଼େ, ଯାହା ମୁଁ ଆଗରୁ କେବେ କରି ନଥିଲି । ଅନେକ ସମୟ ପର୍ଯ୍ୟନ୍ତ ଆମର ଏମିତି ଯୁଦ୍ଧ ଚାଲିଲା । ସେ ମୋ ଉପରେ ବସି ମତେ ବର୍ଚ୍ଛାରେ ଓ ଚାବୁକରେ ମାରୁଥାନ୍ତି । ରାଗରେ ମୋ ରକ୍ତ ଫୁଟୁଥିଲା । ତେଣୁ ମୁଁ ଠିକ୍‌କଲି ଯେ ଯାହାହେଲେ ହେଉ ପଛେ ମୁଁ ତାଙ୍କୁ ନିଶ୍ଚୟ ତଳକୁ ଫୋପାଡ଼ିବି । ଲଢ଼ିବାରେ ଲାଗିଲି । ଭୀଷଣ ଧସ୍ତାଧସ୍ତି ପରେ ମୁଁ ତାଙ୍କୁ ପଛପଟକୁ ଫୋପାଡ଼ି ଦେଲି । ଖୁବ୍‌ଜୋରରେ ସେ ଘାସ ଉପରେ ପଡ଼ିବା ଶବ୍ଦ ଶୁଭିଲେ ବି ମୁଁ ପଛକୁ ନ ଚାହିଁ ପ୍ରଚଣ୍ଡ ବେଗରେ ଦୌଡ଼ି ପଡ଼ିଆର ବିପରୀତ ପ୍ରାନ୍ତକୁ ପଳେଇଲି । ସେଠାରୁ ଚାହିଁ ଦେଖିଲି ଯେ ମୋ ଯନ୍ତ୍ରଣାକାରୀ ଆସ୍ତେ ଆସ୍ତେ ଉଠି ଘୋଡ଼ାଶାଳ ଆଡ଼କୁ ଯାଉଛି । ଗୋଟିଏ ଓକ୍‌ଗଛ ମୂଳେ ଠିଆ ହୋଇ ଚାହିଲି - ଦେଖିଲି ଯେ ମତେ କେହି ଧରିବାକୁ ଆସୁ ନାହାନ୍ତି । ସମୟ ଅତିବାହିତ ହେବାକୁ ଲାଗିଲା । ଉପରେ ସୂର୍ଯ୍ୟଙ୍କ ଟାଣ ଖରା । ମୋ ଚାରିପଟେ ମାଛି ଗୁଡ଼ାକ ଭଣଭଣ ହେଉଥାନ୍ତି ଏବଂ ବର୍ଚ୍ଛା ମୂନରେ ଖଣ୍ଡିଆ ହୋଇଥିବା ସ୍ଥାନରେ ବସୁଥାନ୍ତି । ସକାଳୁ କିଛି ଖାଇ ନ ଥିବାରୁ ମତେ ଭୋକ ବି କଲା । ସେଠି ପଡ଼ିଆରେ ଗୋଟିଏ ହଂସ ପେଟ ପୂରିବା ପରି ଘାସ ବି ନଥିଲା । ଶୋଇପଡ଼ିବାକୁ ଇଚ୍ଛା ହେଉଥାଏ, ମାତ୍ର ଦେହଯାକ ଶିକୁଳି ପଟି ଆଦି ବନ୍ଧା ହୋଇଥିବାରୁ ସାମାନ୍ୟ ହଲିବାର ଜୁ ବି ନଥିଲା । କୌଣସି ପ୍ରକାର ଆରାମ ତ ନାହିଁ, ପିଇବାକୁ ପାଣି ଟୋପେ ବି ନାହିଁ । ଖରାବେଳ ଗଲା, ସୂର୍ଯ୍ୟ ଦିଗ୍‌ବଳୟରେ ଯାଇ ଅସ୍ତ ହେବାକୁ ବସିଲେ । ଅନ୍ୟ ସମସ୍ତ ଘୋଡ଼ା ପିଲାମାନେ ମଧ୍ୟ ଘୋଡ଼ାଶାଳକୁ ଫେରିଗଲେ ।

 

ଅବଶେଷରେ ଠିକ୍‌ସୂର୍ଯ୍ୟାସ୍ତ ହେବାବେଳକୁ ବୁଢ଼ା ମାଲିକ ମୋ ନିକଟକୁ ଆସୁଥିବାର ମୁଁ ଦେଖିଲି । ତାଙ୍କ ହାତରେ ଗୋଟିଏ ଚାଲୁଣୀ ଥାଏ । ସେ ବୃଦ୍ଧ, ଅତ୍ୟନ୍ତ ଭଦ୍ର । ମୁଣ୍ଡରେ ଧଳା ବାଳ ମଧ୍ୟ । କିନ୍ତୁ ସ୍ଵର ତାଙ୍କର ଏତେ ମଧୁର ଯେ ହଜାର ଲୋକଙ୍କ ମଧ୍ୟରେ ମଧ୍ୟ ମୁଁ ତାଙ୍କ ଗଳା ଚିହ୍ନିପାରିବି । ଉଚ୍ଚ ବା ନୀଚ ସ୍ୱର ନୁହେଁ ପରିଷ୍କାର ଓ ଦୟାପୂର୍ଣ୍ଣ । ତାଙ୍କ ନିର୍ଦ୍ଦେଶ ଏତେ ଦୃଢ ଓ ସ୍ଥିର ଯେ ମଣିଷଠାରୁ ଘୋଡ଼ା ପର୍ଯ୍ୟନ୍ତ ସମସ୍ତେ ବୁଝିପାରନ୍ତି ଯେ ଏହା ମାନିବାକୁ ପଡ଼ିବ । ସେ ମଧ୍ୟ ଏୟା ଆଶା କରନ୍ତି ।

 

ସେ ନୀରବରେ ଆସ୍ତେ ଆସ୍ତେ ମୋ ପାଖକୁ ଆସିଲେ । ଚାଲୁଣୀରେ ଥିବା ଓଟ୍‌ସ ହଲେଇ ହଲେଇ ହସି ହସି ଭଦ୍ରଭାବେ କହିଲେ ‘‘ଆ ଆ ଲାସି ଆ ଆ’’ । ମୁଁ ତଥାପି ଠିଆ ହୋଇଥାଏ । ମୋ ନିକଟକୁ ଆସିବାରୁ ମୁଁ ନିର୍ଭୟରେ ଓଟ୍‌ସ ଖାଇବାରେ ଲାଗିଲି । ତାଙ୍କର ପଦଟିଏ କଥା ହିଁ କେବଳ ମୋ ମନରୁ ସବୁ ଭୟ ହରଣ କରନେଲା । ଖାଇବାବେଳେ ମୋ ପାଖରେ ଠିଆ ହୋଇ ମୋତେ ଆଉଁସି ଥାପୁଡ଼େଇ ମୋ କ୍ଷତଗୁଡିକୁ ଓ ରକ୍ତମୁଖା ଦେହକୁ ଦେଖି ଖୁବ ବ୍ୟସ୍ତ ହୋଇ କହି ଉଠିଲେ ‘‘ଆହା ବିଚରା, ଖୁବ୍‌ଅନ୍ୟାୟ ହେଲା ।’’ ତାପରେ ଲଗାମ ଧରି ଆସ୍ତେ ଆସ୍ତେ ମତେ ଗୁହାଳ ଆଡକୁ ନେଲେ । ଠିକ୍‌ଦୁଆର ମୁହଁରେ ସାମସନ୍‌ଠିଆ । ମୁଁ କାନ ପଛକୁ କରି ଚାହଁବାରୁ ତାକୁ ମାଲିକ କହିଲେ ‘‘ତୁ ଯାଆ । ବହୁତ ଖରାପ ଅବସ୍ଥା କରଛୁ ବିଚାରୀର-। ତୁ ତା ପାଖକୁ ଆସିବୁ ନି’’ । ସାମ୍‌ସନ ବଦମାସ୍‌ପଶୁ କି କ’ଣ ଗୋଟାଏ ରାଗିକରି କହିଲା ବୋଧହୁଏ, ତା ପିତା ସଙ୍ଗେ ସଙ୍ଗେ କହିଲେ ‘‘ହ୍ୟାତ୍‌ଖରାପ ସ୍ଵଭାବର ଲୋକ କେବେହେଲେ ଭଲ ଘୋଡ଼ା ତିଆରି କରିପାରିବନି । ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତୋ ବ୍ୟବସାୟ ଠିକ୍‌ଭାବରେ ଶିଖିନାହୁଁ ।’’ ଏତକ କହିସାରି ସେ ମତେ ଘୋଡ଼ାଶାଳକୁ ନେଇ ନିଜ ହାତରେ ମୋ ମୁହଁ ଦେହରୁ ଲଗାମ ଓ ହୁଦା ଆଦି ଫିଟେଇ ମତେ ଝାଡ଼ିଝୁଡ଼ି ପରଷ୍କାର କରିଦେଲେ । ପୁଣି ମୋ ରକ୍ତ ପୋଛି, ଗରମ ପାଣି ମଗେଇ ମୋର କ୍ଷତସ୍ଥାନରେ ସେକ ଦେଲେ । ଏପରି ଭାବେ କରୁଥିଲେ ଯେ ମତେ ମୋଟେ କଷ୍ଟ ହେଉ ନଥିଲା । ମୋର ମନେ ହେଲା ଆମ କଷ୍ଟ ସେ ବି ବୁଝନ୍ତି । ଗେହ୍ଲେଇ ହୋଇ କହୁଥାନ୍ତି ‘‘ଆରେ ମୋ ସୁନ୍ଦରୀ ଏକଦମ୍‌ସିଧା ଆଉ ସ୍ଥିର ହେଇ ଠିଆ ହ ।’’ ତାଙ୍କ ଆଦରଭରା ସ୍ଵର ହିଁ ମୋ ଯନ୍ତ୍ରଣା କମେଇ ଦେଲା । ଗାଧୋଇ ଦେବା ପରେ ଆହୁରି ଆରାମ ମିଳିଲା । ତେବେ ପାଟିର ଦୁଇଧାର ଫାଟିଯାଇ ମତେ ଏତେ କଷ୍ଟ ହେଉଥାଏ ଯେ ମୁଁ କୁଟା ଖାଇପାରିଲି ନି । ଏହା ଦେଖି ସେ ସଙ୍ଗେ ସଙ୍ଗେ ଚଷୁ ଓ କୁଣ୍ଡା ଆଣିବାର ଆଦେଶ ଦେଲେ-। କି ଆନନ୍ଦରେ ମୁଁ ସେ ସବୁ ଖାଇଲି- ମୋ ପାଟିକୁ ନରମ ଲାଗୁଥାଏ । ମୋର ଖାଇବା ସମୟତକ ପୂରା ସେ ସେଠାରେ ରହି ମତେ ଆଉଁସି ଆଉଁସି ସେ ଆର ଲୋକଟିକୁ କହୁଥାନ୍ତି ‘‘ଏମିତି ଜାତିଆ ପଶୁକୁ ଭଦ୍ର ଭାବେ ଶିକ୍ଷା ଦିଆଯାଏ, ନହେଲେ ସେ କେବେ ଭଲ ଘୋଡ଼ା ହୋଇପାରିବ ନାହିଁ ।’’

 

ଏହାପରେ ସେ ମତେ ପ୍ରାୟ ଦେଖିବାକୁ ଆସନ୍ତି । ମୋ ପାଟିର ଘାଆସବୁ ଶୁଖିଯିବାପରେ ଜବ୍‌ନାମକ ଅନ୍ୟ ଜଣେ ଶିଖାଳି ଆସି ମତେ ଟ୍ରେନିଂ ଦେଲା । ସେ ବେଶ୍‌ ବିଚାରବନ୍ତ ଓ ସଂଯତ । ତେଣୁ ମୁଁ ଅତି ଶୀଘ୍ର ତା ଚାହିଁବା ଅନୁଯାୟୀ ସବୁ ଶିଖିଗଲି ।

•••

 

ଜିଞ୍ଜରର କାହାଣୀ

 

ତାପରେ ପୁଣି ମୋର ପଡ଼ିଆରେ ଯେତେବେଳେ ଜିଞ୍ଜର ସହ ଦେଖାହେଲା ସେ ମତେ ପୁଣି ତା କାହାଣୀ ଶୁଣେଇଲା । ସେ କହିଲା ଯେ ତାର ତ ଟ୍ରେନିଂ ସରିଗଲା । ତାପରେ ଜଣେ ଘୋଡ଼ାବେପାରୀ ତାକୁ କିଣିନେଲା । ସେ ବେପାରୀର ଜିଞ୍ଜର ଦେହ ରଙ୍ଗର ଗୋଟିଏ ଘୋଡ଼ା ଥିଲା । ଗାଡ଼ିରେ ମ୍ୟାଚ୍‌କରି ଦୁଇ ଏକା ରଙ୍ଗର ଘୋଡ଼ା ଯୋଚିବା ପାଇଁ ସେ ତାକୁ କିଣି ନେଇଥିଲା ।

 

ଜିଞ୍ଜର କହିଲା ‘‘କେତେ ସପ୍ତାହ ସେ ଆମ ଦୁହିଁଙ୍କୁ ଗାଡ଼ି ଟଣେଇ ବୁଲିଲା । ତାପରେ ଆମ ଦୁହିଁଙ୍କୁ ଲଣ୍ଡନର ଜଣେ ସୌଖୀନ ଭଦ୍ରଲୋକଙ୍କୁ ବିକ୍ରିକରି ଦେଲା । ତେଣୁ ଆମେ ଲଣ୍ଡନ ଗଲୁ ।

 

ବେପାରୀ ପାଖରେ ଥିଲାବେଳେ ସେ ମତେ ଟାଣିଟୁଣି ଲଗାମ୍‌ବାନ୍ଧି ଚଳଉଥିଲା । ସେତେବେଳେ ମତେ ଭାରି ବିରକ୍ତ ଲାଗୁଥାଏ । ମାତ୍ର ଏଇ ନୂଆ ସୌଖୀନ ମାଲିକଙ୍କ ପାଖରେ ଆହୁରି ଶକ୍ତ କରି ଆମ ହୁଦା ଓ ଲଗାମ ଆଦି ବନ୍ଧାଗଲା । ମାଲିକ ଏବଂ କୋଚ୍‌ମ୍ୟାନ ଉଭୟଙ୍କର ଧାରଣା ଯେ ଆମେ ଯେତେ ଶକ୍ତଭାବେ ବନ୍ଧା ଯିବୁ ସେତେ ବେଶି ସୌଖୀନ ଲାଗିବୁ । ଆମେ ପ୍ରାୟ ପାର୍କ ଅବା ଅନ୍ୟ ସୌଖୀନ ସ୍ଥାନମାନଙ୍କୁ ନିଆଯାଉ । ଏହି ପ୍ରକାର ଲଗାମରେ ତୁ ବା ଅନ୍ୟ ଯିଏ ଅଭ୍ୟସ୍ତ ନଥିବ, ସେ କେବେ ବି ଏହା କି ଭୀଷଣ କଷ୍ଟଦାୟକ ତା ବୁଝିପାରିବ ନାହିଁ । ଏହା ଯେ ଅତ୍ୟଧିକ ଯନ୍ତ୍ରଣାଦାୟକ ଏହା ମୁଁ କହିପାରେ ।

 

ଏଇ ଅବସ୍ଥାରେ ମୁଣ୍ଡ ଟିକେ ହଲେଇବା ପାଇଁ ଚାହିଁଲେ ବି ଉପାୟ ନଥାଏ । ତୁ ଭାବ–ଅନବରତ ଘଣ୍ଟା ଘଣ୍ଟା ଧରି ଏଇ ଭାବେ ମୁଣ୍ଡ ଟେକି ଠିଆ ହେବା ଏବଂ ଆହୁରି ଉଠେଇବା ପାଇଁ ଚାପ ପଡ଼ିବା ବେଳ ଛଡ଼ା ମୁଣ୍ଡ ଏପଟସେପଟ କରିବାର ଉପାୟ ନଥାଏ । ବେକ ବିନ୍ଧା କଷ୍ଟ ଯେ କେମିତିକା ସହିବୁ ଭାବନା ହେଉଥିଲା । ତା ଉପରେ ପୁଣି ଦୁଇ ଦୁଇଟା ତୁଣ୍ଡି । ମୋରଟା ତୀକ୍ଷ୍ମ ତେଣୁ ମାଢ଼ି ଆଉ ଜିଭର ଘସି ହେବା ଫଳରେ ବ୍ୟଥା ହୋଇ ଜିଭରୁ ରକ୍ତ ଛିଟିକି ପଡୁଥାଏ-। ସବୁଠାରୁ ବିଷମ ହୁଏ ଏଇ ସବୁ ଯନ୍ତ୍ରଣା ମଧ୍ୟରେ ଯେତେବେଳେ ଆମେ ମାଲିକାଣୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥାଉ । ସେମାନେ ତ ଭୋଜି ବା ନିମନ୍ତ୍ରଣରେ ଫୂର୍ତ୍ତି କଲେ, ଅଧୈର୍ଯ୍ୟ ବା ଅସ୍ଥିର ହେଲେ ଆମ ପିଠିରେ ଚାବୁକ୍‌ପଡ଼େ । ଏଇ ସବୁ କଷ୍ଟ ଜଣକୁ ପାଗଳ କରିଦେବା ପାଇଁ ଯଥେଷ୍ଟ । ମୁଁ ପଚାରିଲି ‘‘ତୁମ ମାଲିକମାନଙ୍କର କ’ଣ ତୁମମାନଙ୍କ ପାଇଁ ଟିକେ ବି ଚିନ୍ତା ନ ଥାଏ-?’’

 

‘‘ନା !’’ ସେ ଉତ୍ତର ଦେଲା । ସେ କେବଳ କେମିତି ସୌଖୀନ ଭାବେ ପରିଚିତ ହେବେ ସେଇଥିପାଇଁ ବ୍ୟସ୍ତ । ମୁଁ ଭାବୁଛି ଘୋଡାମାନଙ୍କ ବିଷୟରେ ତାଙ୍କର ସାମାନ୍ୟତମ ଧାରଣା ବି ନଥିଲା । ସମ୍ପୂର୍ଣ୍ଣ ଭାବେ ସେ କୋଚ୍‌ମ୍ୟାନ ଉପରେ ନିର୍ଭର କରୁଥିଲେ। ବୋଧହୁଏ ସେ ମାଲିକଙ୍କୁ ମୁଁ ଖୁବ୍‌ବିରକ୍ତିକର ଏବଂ ଭଲଭାବେ ପ୍ରଶିକ୍ଷଣ ନେଇ ନାହିଁ ବୋଲି କହିଥିଲା । ତେଵେ ଶୀଘ୍ର ଏସବୁରେ ମୁଁ ଅଭ୍ୟସ୍ତ ହୋଇଯିବି ବୋଲି ମଧ୍ୟ ଜଣେଇଥିଲା । କିନ୍ତୁ ସେ ନିଜେ ଏଥିପାଇଁ ଯୋଗ୍ୟ ନଥିଲା, କାରଣ ଯେତେବେଳେ ଘୋଡ଼ାଶାଳରେ ମୁଁ ଦୁଃଖ ଓ ରାଗରେ ଜଳୁଥାଏ, ମଧୁର ଓ ନରମ କଥା କହି ସେ ମତେ ଶାନ୍ତ କରିବା ପରିବର୍ତ୍ତେ ଗାଳି ଓ ମାଡ଼ ଦିଏ । ସେ ଯଦି ସାମାନ୍ୟ ଭଦ୍ର ହୋଇଥାଆନ୍ତା, ହୁଏତ ମୁଁ କଷ୍ଟ ସହିବାକୁ ଚେଷ୍ଟା କରି କାମ କରିବାକୁ ଉତ୍ସୁକ ହୋଇ ପାରିଥାଆନ୍ତି-। କଠିନ ପରିଶ୍ରମ ପାଇଁ ମଧ୍ୟ ପ୍ରସ୍ତୁତ ହୁଅନ୍ତି । କିନ୍ତୁ କେବଳ ସେମାନଙ୍କ ମିଜାଜ ପାଇଁ ବିନା କାରଣରେ ନିର୍ଯ୍ୟାତନା ପାଇବାଟା ମତେ ଖୁବ୍‌ରଗାଏ । ମତେ ଏପରି କଷ୍ଟ ଦେବାର ସେମାନଙ୍କର କି ଅଧିକାର ଅଛି ? ଏହା ବ୍ୟତୀତ ପୁଣି ପାଟିରେ ଘାଆ, ବେକରେ ଯନ୍ତ୍ରଣା ଯୋଗୁ ମୋର ନିଶ୍ଵାସ ବନ୍ଦ ହେବା ପରି ମନେ ହୁଏ । ବେଶି ସମୟ କେବଳ ଠିଆ ହୋଇ ରହିଲେ ମଧ୍ୟ ମୋର ଶ୍ଵାସପ୍ରଶ୍ଵାସରେ କଷ୍ଟ ହୁଏ । ଏମିତି ହେଲେ ମୁଁ ବେଶି ଅସ୍ଥିର ଓ ବିରକ୍ତ ହୋଇପଡେ । ପଘା ଲଗେଇ ଆସିବା ଲୋକ ମରାମରି କଲେ ମୁଁ ସହିପାରେ ନି । ସଇସ ବି ମତେ ମାରେ । ଦିନେ ସେମାନେ ମତେ ଗାଡ଼ି ସହିତ ବାନ୍ଧିଲାବେଳେ ଲଗାମ ଟାଣିବା ବେଳେ ମୋ ମୁଣ୍ଡକୁ କଷ୍ଟ ହେଲା । ମୁଁ ସଙ୍ଗେ ସଙ୍ଗେ ଗଡ଼ି ପଡ଼ି ମୋର ସମସ୍ତ ବଳ ପ୍ରୟୋଗ କରି ଲାତ ମାରିବାରେ ଲାଗିଲି-। ଶୀଘ୍ର ଦଉଡ଼ିତକ ଛିଣ୍ଡେଇ ମୁକ୍ତ ହେଲି । ସେଇ ମୋର ସେଠାରେ ଶେଷ ରହଣି ।

 

ୟାପରେ ମତେ ବିକ୍ରି କରାଯିବା ସ୍ଥିର ହୋଇ ଟାଟରସାଲକୁ ପଠାଗଲା । ମୋର ଦୁଷ୍ଟାମି ସମ୍ବନ୍ଧରେ କିଛି ଅବଶ୍ୟ କୁହାଗଲା ନି । ପ୍ରଥମେ ମୋର ସୁନ୍ଦର ଚେହେରା ଓ ଚାଲି ଇତ୍ୟାଦି ଦେଖି ଜଣେ ଭଦ୍ରଲୋକ ଦାମ କଲେ, ମାତ୍ର ମତେ ଜଣେ ଘୋଡ଼ା ବ୍ୟବସାୟୀ କିଣିଲା । ସେ ମତେ ସବୁ ପ୍ରକାର ପରୀକ୍ଷା କଲା- ଭିନ୍ନ ଭିନ୍ନ ପ୍ରକାର ତୁଣ୍ଡି ଲଗାଇ କେଉଁଟା ମୁଁ ସହି ପାରିବି ଦେଖିଲା । ଏହା ପରେ ବନ୍ଧା ଲଗାମ ନଦେଇ ସେ ମତେ ଚଲେଇଲା । ଖୁବ୍‌ଭଲ ଘୋଡ଼ା ଭାବି ଅନ୍ୟ ଗୋଟାଏ ଗ୍ରାମରେ ଜଣକୁ ବିକ୍ରି କରିଦେଲା । ଏ ମାଲିକ ଖୁବ୍‌ଭଲ, ମୁଁ ଭାରି ଭଲରେ ବି ରହିଲି । ମାତ୍ର ତାଙ୍କ ପୁରୁଣା ସଇସ ଚାଲିଯିବାରୁ ନୂତନ ସଇସ ଆସିଲା ଏବଂ ଏଇ ନୂଆଟି ଅତ୍ୟନ୍ତ ହୃଦୟହୀନ ଓ କଠିନ ସ୍ଵଭାବର, ଠିକ୍‌ସାମ୍‌ସନ ପରି । ସେ ସବୁବେଳେ ରୁକ୍ଷ ଏବଂ ଅସ୍ଥିର ହୋଇ ଥାଏ । ଆଉ ତାର ନିର୍ଦ୍ଦେଶ ଯଦି ମୁଁ ସଙ୍ଗେ ସଙ୍ଗେ ନ ମାନେ ତେବେ ସେ ହାତରେ ଯାହା ପାଏ (ଘୋଡ଼ାଶାଳର ଖଡ଼ିକା ମୁଠା ଅବା ବର୍ଚ୍ଛା) ସେଥିରେ ମତେ ଆଣ୍ଠୁ ଉପରେ ମାରେ । ତାର ପ୍ରତି କାମରେ ନିର୍ଦ୍ଦୟତା, ତେଣୁ ମୁଁ ତାକୁ ଘୃଣା କରିବାରେ ଲାଗିଲି । ସେ ମୁଁ ତାଙ୍କୁ ଭୟ କରିବାଟା ହିଁ ଚାହୁଥିଲା, ମାତ୍ର ମୁଁ ତାକୁ ଶୁଣେ ନାହିଁ । ଦିନେ ମୋତେ ଅତ୍ୟଧିକ କଷ୍ଟ ହେବାରୁ ତାକୁ କାମୁଡ଼ି ପକେଇଥିଲି । ସେ ଭୀଷଣ ରାଗିଯାଇ ମତେ ଚାବୁକ୍‌ରେ ଖୁବ୍‌ପିଟିଥିଲା । କିନ୍ତୁ ତାପରେ ସେ ଆଉ ମୋ ଘରକୁ ଆସିଲା ନାହିଁ। କାରଣ ସେ ବୁଝିପାରିଥିଲା ଯେ ମୋ ଗୋଡ଼ ଏବଂ ଦାନ୍ତ ଉଭୟ ତା ପାଇଁ ପ୍ରସ୍ତୁତ । ଅବଶ୍ୟ ମୋ ମାଲିକ ନିକଟରେ ମୁଁ ସର୍ବଦା ଶାନ୍ତ, କିନ୍ତୁ ଯେହେତୁ ସେ ସଇସ ଉପରେ ଖୁବ୍‌ନିର୍ଭରଶୀଳ ଏବଂ ସେ ଯାହା କୁହେ ଶୁଣନ୍ତି, ତେଣୁ ମତେ ପୁଣିଥରେ ବିକ୍ରି କରାଗଲା-

 

ପୂର୍ବରୁ ବ୍ୟବସାୟୀ ଏସବୁ କଥା ଶୁଣି କହିଲା ଯେ ଗୋଟିଏ ସ୍ଥାନ ଅଛି ଯେଉଁଠି ମୁଁ ଭଲରେ ରହିପାରିବି । ପୁଣି କହିଥିଲା ‘‘ଦୁଃଖର ବିଷୟ ଯେ ଏପରି ଉତ୍କୃଷ୍ଟ ଧରଣର ଘୋଡ଼ା କେବଳ ଠିକ୍‌ସୁଯୋଗ ନ ପାଇ ଖରାପ ହୋଇଗଲା ।’’ ତାପରେ ମୁଁ ଏଠି କି ଆସିଲି । ତୁ ଆସିବାର ଅଳ୍ପଦିନ ପୂର୍ବରୁ ଆସିଥିଲି - ମାତ୍ର ସେଇ ଦିନଠାରୁ ମୁଁ ସ୍ଥିର କରିଛି ଯେ ମଣିଷମାନେ ହିଁ ମୋର ପ୍ରକୃତ ଶତ୍ରୁ ଏବଂ ମୁଁ ସେମାନଙ୍କ ଠାରୁ ନିଜକୁ ନିଶ୍ଚୟ ରକ୍ଷାକରିବି । ଅବଶ୍ୟ ଏଠାକଥା ସ୍ଵତନ୍ତ୍ର, ମାତ୍ର କିଏ ଜାଣେ କେତେ ଦିନ ପାଇଁ ? ତୋ ପରି ସତ୍‌ଚିନ୍ତା କରିବି ଇଚ୍ଛା କଲେ ବି, ଏତେ ଯନ୍ତ୍ରଣା ପାଇଛି ଯେ କରିପାରୁନି । ‘‘ଶୁଣ୍‌ମୁଁ କିନ୍ତୁ ଭାବୁଛି ତୁ ଯଦି ଜନ୍‌ବା ଜେମ୍‌ସକୁ ଏମିତି କାମୁଡ଼ିବୁ ବା ଗୋଇଠା ମାରିବୁ ତେବେ ଖୁବ୍‌ଲଜ୍ଜାର ବିଷୟ ହେବ” - ମୁଁ କହିଲି ।

 

ସେ ଉତ୍ତର ଦେଲା ‘‘ମୁଁ ମଧ୍ୟ ତାହା ଚାହେଁ ନାହିଁ ସେମାନେ ଯେ ମୋ ପାଇଁ ଏତେ ଭଲ-। ମୁଁ ଥରଟିଏ ଖାଲି ଜେମ୍‌ସକୁ ଖୁବ୍‌ଜୋରରେ କାମୁଡି ଦେଇଥିଲି । କିନ୍ତୁ ଜନ୍‌କହିଥିଲା ‘‘ତାକୁ ଦୟା ଦୃଷ୍ଟିରେ ଦେଖ ।’’ ତାପରେ ଜେମ୍‌ସ ମତେ ଶାସ୍ତି ନ ଦେଇ ଖୁଆଇଲା, ଆଦର କରି ଦେହରେ ହାତ ବି ବୁଲେଇ ଦେଇଥିଲା । ଏହାପରେ ମୁଁ କେବେ ତାକୁ ହଇରାଣ କରି ନାହିଁ କି କରିବି ନାହିଁ ।

 

ସେତେବେଳେ ଜିଞ୍ଜରକୁ ମୁଁ ଅଳ୍ପ ଜାଣିଥିଲି । ତା ପାଇଁ ଖୁବ୍‌ଦୁଃଖ ଲାଗିଲେ ବି ଭାବିଲି ଖୁବ୍‌ସମ୍ଭବ ସେ ନିଜେ ବି ତାର ଏଇ ଅବସ୍ଥା ପାଇଁ କିଛିଟା ଦାୟୀ । ତାପରେ ସପ୍ତାହ ପରେ ସପ୍ତାହ ବିତିଗଲା । ସେ ଧୀରେ ଧୀରେ ଭଦ୍ର ଓ ପ୍ରଫୁଲ୍ଲ ହେବାରେ ଲାଗିଲା । ପୂର୍ବପରି ଆଉ କୌଣସି ଅଜଣା ଲୋକ ନିକଟକୁ ଆସିଲେ ତାକୁ ସତର୍କ ଦୃଷ୍ଟିରେ ଦେଖିବା ବା କଳି କରିବା ଅଭ୍ୟାସଟା ବନ୍ଦ ହୋଇଗଲା । ଦିନେ ଜେମ୍‌ସ କହିଲା ‘‘ମତେ ଲାଗୁଛି ଘୋଡ଼ୀର ମୁଁ ପ୍ରିୟ ହୋଇପଡିଛି । ଆଜି ସକାଳେ ମୁଁ ତା କପାଳ ଘଷିଲା ବେଳେ ମୋ ପାଖରେ କୁଁ କୁଁ କରି ଗେହ୍ଲେଇ ହେଉଥିଲା ।’’

 

‘‘ଆରେ ଜିମ୍‌ଏ ହେଉଛି ବର୍ଟଓ୍ୱିକ ବଲସ୍‌ପରି । ଆସ୍ତେ ଆସ୍ତେ ସେ ବ୍ଲାକ ବିଉଟି ପରି ଭଲ ହୋଇଯିବ । ଦୟାଟା ହିଁ ଏକମାତ୍ର ଜିନିଷ ଯାହା ବିଚାରୀ ଚାହେଁ ।’’

 

ମାଲିକ ମଧ୍ୟ ତାର ପରିବର୍ତ୍ତନ ଦେଖିଲେ ।

 

ଦିନେ ଗାଡ଼ିରୁ ଓହ୍ଲାଇ ଆସି ସେ ଆମମାନଙ୍କ ସହିତ କଥାବାର୍ତ୍ତା କରିବାକୁ ଯେତେବେଳେ ଆସିଲେ ଆଗ ତା ସୁନ୍ଦର ବେକକୁ ଆଉଁସି ଆଉଁସି କହିବାକୁ ଲାଗିଲେ ‘‘ଆରେ ଆସ ସୁନ୍ଦରୀ, ତୁ ଏବେ କେମିତି ଅଛୁ । ମୋର ମନେ ହେଉଛି ତୁ ଆସିବା ବେଳଠାରୁ ବର୍ତ୍ତମାନ ଅନେକ ଖୁସିରେ ଅଛୁ ।’’

 

ସେ ନାକ ଉପରକୁ ଉଠାଇଲା ଓ ମାଲିକ ସ୍ନେହରେ ତାକୁ ଆଉଁସିଲେ ।

 

‘‘ଆମେ ତାକୁ ପୂରା ଭଲ କରିଦେବା ଜନ୍ !’’ ସେ କହିଲେ ‘‘ଆଜ୍ଞା ସାର ! ତାର ତ ଆଶ୍ଚର୍ଯ୍ୟଜନକ ଭାବେ ଉନ୍ନତି ହୋଇଛି । ଆଗର ସିଏ ଆଉ ନାହିଁ । ଏହା ବର୍ଟଓ୍ୱିକ ବଲସ୍‌ର କରାମତି’’ କହିସାରି ଜନ୍‌ହସିଲା ।

 

ଏହା ଜନ୍ ର ସାମାନ୍ୟ ପରିହାସ । ସେ ସବୁବେଳେ କହେ ଯେ ବର୍ଟଓ୍ୱିକ ବଲ୍‌‌ସ (ଘୋଡା ନାଚ) ଯେକୌଣସି ଦୁଷ୍ଟ ଘୋଡାକୁ ବାଟକୁ ନେଇ ଆସିବ । ଏଇ ନାଚ ଯାହା କି ଧୈର୍ଯ୍ୟ, ଭଦ୍ରତା, ଦୃଢ଼ତା ଏବଂ ସ୍ନେହରୁ ଗୋଟିଏ ଗୋଟିଏ ପାଉଣ୍ଡର ମିଶ୍ରଣ, ଯାହା ସହିତ ସାମାନ୍ୟ ସାଧାରଣ ବୁଦ୍ଧିମତ୍ତା ବି ଥିବ ଏବଂ ଏହା ପ୍ରତିଦିନ ଘୋଡ଼ାକୁ ଦିଆଯିବ । ଏହି ପ୍ରକାରେ ପ୍ରତ୍ୟେକ ଘୋଡ଼ା ଠିକ୍‌ହୋଇଯିବେ ।

•••

 

ମେରିଲେଗ୍‌ସ

 

ଭାଇକର ମି. ବ୍ଲମ୍‌ପିଲ୍ଡଂକ ପରିବାର ଅନେକ ଗୁଡ଼ିଏ ପୁଅ ଝିଅ ଥାଇ ବେଶ୍‌ବଡ଼ । ସେମାନେ ବେଳେବେଳେ ଜେସି ଓ ଫ୍ଲୋରାସହ ଖେଳିବା ପାଇଁ ଆସନ୍ତି । ଗୋଟିଏ ଝିଅ ଜେସି ବୟସର, ତାଠାରୁ ବଡ଼ ଦୁଇପୁଅ ଏବଂ ଆହୁରି ଅନେକ ଛୋଟ ଛୋଟ ପୁଅଝିଅ ତାଙ୍କର ଥିଲେ । ସେମାନେ ଆସିବାବେଳେ ମେରିଲେଗ୍‌ସ ଉପରେ ଚାପ ପଡ଼େ । କାରଣ ସେମାନେ ତାରି ପିଠିରେ ବସି ବଗିଚାରେ ବୁଲିବାଠାରୁ ଆଉ କୌଣସି ଖେଳରେ ବି ବେଶି ଖୁସି ହୁଅନ୍ତି ନାହିଁ । ଘଣ୍ଟା ଘଣ୍ଟା ଧରି ପଡ଼ିଆରେ ଏମିତି ବୁଲି ବୁଲି ସେମାନେ ଆନନ୍ଦ କରନ୍ତି ।

 

ଥରେ ଅପରାହ୍‌ଣର ସେମାନେ ତାକୁ ନେଇ ଅନେକ ସମୟ ଧରି ବାହାରକୁ ଯାଇଥିଲେ । ତାପରେ ଜେମ୍‌ସ ତାକୁ ଆଣି ଶିକୁଳି ଲଗେଇ ଦେଇ କହିଲା ‘‘ହେଇଟି ଶୁଣ ଦୁଷ୍ଟ, ତୁ ଯେମିତି ବ୍ୟବହାର କରିବୁ ଆମେ ସେମିତି ହଇରାଣ ହେବା ।’’

 

‘‘ତୁ କଣ କଲୁ କି ?’’ ମୁଁ ମେରିଲେଗ୍‌ସକୁ ପଚାରିଲି । ବେଶ୍‌ଅପ୍ରତିଭ ହୋଇ ସେ ଉତ୍ତର ଦେଲା-

 

‘‘ଓହୋ !’’ ତା କୁନି ମୁଣ୍ଡଟିକୁ ହଲାଇ ସେ ଉତ୍ତର ଦେଲା । ‘‘ସେଇ ପିଲାମାନଙ୍କୁ କେବଳ ମୁଁ ଶିକ୍ଷା ଦେଲି । ସେମାନେ ଘୋଡ଼ା ପିଠିରେ କେତେ ସମୟ ବୁଲିବା କଥା ବୁଝନ୍ତି ନି ଅବା ଘୋଡ଼ା (ମୁଁ) ତାଙ୍କୁ କେତେ ସମୟ ବୁଲିବା କଥା ବୁଝନ୍ତି ନି ଅବା ଘୋଡ଼ା (ମୁଁ) ତାଙ୍କୁ କେତେ ସମୟ ଧରି ବୁଲେଇ ପାରିବ, ବୁଝନ୍ତିନି । ତେଣୁ ମୁଁ ଆସ୍ତେ କରି ଟିକେ ପଛପଟକୁ ଗଳେଇଦେଲି, ଭାବିଲି ଯେ ସେମାନଙ୍କର ବୁଝିବା ପାଇଁ ଏଇ ଟିକକ ହିଁ ଯଥେଷ୍ଟ ।’’

 

‘‘କଣ ? ତୁ ପିଲାମାନଙ୍କୁ ଫୋପାଡ଼ି ଦେଲୁ ? ଏହା କେଡ଼େ ଗର୍ହିତ କାମ ବୁଝିପାରୁଛୁ ଟି ? ତୁ କଣ ମିସ୍‌ଜୋସି ଆଉ ଫ୍ଲୋରାଂକୁ ବି ଫୋପାଡ଼ି ଦେଇଛୁ ?’’

 

ବେଶ୍‌ଅପ୍ରତିଭ ହୋଇ ସେ ଉତ୍ତର ଦେଲା, ‘‘ଅବଶ୍ୟ ନୁହେଁ, ଘୋଡ଼ାଶାଳର ଉତ୍କୃଷ୍ଟ ଓଟ୍‌ସ ଖାଇବା ମନେ ପଡ଼ିଲେ ମୁଁ ଏ କାମ କେବେ ବି କରିପାରିବି ? ଆମ କିଶୋରୀମାନଙ୍କ ପାଇଁ ତ ମୁଁ ତାଙ୍କ ପିତାଙ୍କ ପରି ଯତ୍ନଶୀଳ ।’’ ଆଉ ଅନ୍ୟ ପିଲାମାନେ ? ସେମାନଙ୍କୁ ତ ଘୋଡ଼ାଚଢ଼ା ମୁଇଁ ଶିଖେଇଛି । ପିଠିରେ ବସିଥିବା ବେଳେ ଯଦି ସେମାନେ ଟିକେ ଡରିଯାନ୍ତି ବା ହଲଚଲ ହୁଅନ୍ତି ସେତେବେଳେ ମୁଁ ବିରାଡ଼ିଟିଏ ପକ୍ଷୀ ଶିକାର କରିବାବେଳ ପରି ଚୁପ୍‌ଚାପ୍‌ସାବଧାନ ସହ ଚାଲେ । ପୁଣି ସେମାନେ ଯେତେବେଳେ ଠିକ୍‌ଭାବେ ବସନ୍ତି ମୁଁ ଜୋରରେ ଚାଲେ । ଏସବୁ କେବଳ ସେମାନଙ୍କୁ ଅଭ୍ୟସ୍ତ କରିବା ପାଇଁ । ତେଣୁ ତୋର ମତେ କିଛି ବୁଝେଇବା ଆବଶ୍ୟକ ନାହିଁ । ମୁଁ ସେମାନଙ୍କର ଘୋଡ଼ାଚଢ଼ା ଶିଖେଇବା ଶିକ୍ଷକ ଓ ଭଲ ବନ୍ଧୁ ମଧ୍ୟ-। କିନ୍ତୁ ସେମାନେ ନୁହଁନ୍ତି, ଏଇ ଯୋଉଁ ବଡ଼ ପୁଅ ପିଲାମାନେ ସେମାନେ- ‘‘ଦାଢ଼ି ହଲେଇ ସେ ପୁଣି କହିବାରେ ଲାଗିଲା ‘‘ହେଲେ ସ୍ଵତନ୍ତ୍ର । ସେଇ ପୁଅମାନଙ୍କୁ ଆମ ପିଲାଙ୍କ ପରି ଟ୍ରେନିଂ ଦରକାର । ସେମାନେ ଜାଣିବା ଉଚିତ୍‌କେଉଁଟା କ’ଣ । ଅନ୍ୟ ପିଲାମାନେ ମୋ ପିଠିରେ ଚଢ଼ି ପ୍ରାୟ ଦୁଇଘଣ୍ଟା କାଳ ବୁଲିଲେ । ତାପରେ ପୁଅମାନେ ତାଙ୍କ ପାଳି ବୋଲି ଭାବିନେଲେ । ଠିକ୍‌କଥା ମୁଁ ବି ରାଜିହୋଇ ଗଲି । ସେମାନେ ଜଣ ଜଣ କରି ବସୁଥାନ୍ତି ଓ ମୁଁ ଦୌଡୁଥାଏ । ଦୌଡ଼ୁଥାଏ ପଡ଼ିଆରେ ବଗିଚାରେ । ଏମିତି ପ୍ରାୟ ଘଣ୍ଟାକ ଉପର ହୋଇଗଲା । ସେମାନେ ପ୍ରତ୍ୟେକେ ଗଛରୁ କାଟି ଖଣ୍ଡେ ଖଣ୍ଡେ ବାଡି ଧରି ତାହା ଚାବୁକ ଭାବେ ବ୍ୟବହାର କରୁଥାନ୍ତି । ମତେ ପିଟୁଥାନ୍ତି । ମତେ କାଟୁଥିଲେ ବି ମୁଁ ଶାନ୍ତ ଥିଲି । କିଛି ସମୟ ପରେ ମୁଁ କ୍ଲାନ୍ତ ହୋଇ ଆଉ ଦୌଡ଼ି ପାରିବି ନାହିଁ ବୋଲି ଭାବିଲି ଏବଂ ତାହା ଜଣାଇଦେବା ପାଇଁ ଦୁଇ ତିନି ଥର ଠିଆ ହୋଇ ପଡିଲି । ବାଳକମାନଙ୍କୁ ଦେଖ- ସେମାନେ ଘୋଡ଼ାକୁ ବୋଧହୁଏ ମେସିନ୍‌କି ବାଷ୍ପ ଇଞ୍ଜନ୍‌ ଭାବନ୍ତି । ତେଣୁ ଧାରଣା ଯେ ସେ ଯେତେ ଇଚ୍ଛା ସେତେ ସମୟ ଚାଲିବ ଦୌଡ଼ିବ । ଟିକେ ବି ଭାବନ୍ତି ନାହିଁ ଯେ ଘୋଡ଼ାଟି ମଧ୍ୟ ଜୀବନ୍ତ ପ୍ରାଣୀ, ସେ ବି କ୍ଲାନ୍ତ ହେବ ବା କଷ୍ଟ ଅନୁଭବ କରିବ । ଯେଉଁ ବାଳକ ମତେ ଚାବୁକ ମାରୁଥାଏ ସେ ବି ବୁଝିପାରୁ ନଥାଏ । ମୁଁ କେବଳ ସାମନା ଗୋଡ଼ଗୁଡିକୁ ଉଠାଇ ଦେଇ ତାକୁ ପଛକୁ ଗଡ଼େଇ ଦେଲି । ସେ ପୁଣି ଉଠିଲା ମୁଁ ପୁଣି ଗଡ଼େଇଲି । ତାପରେ ଅନ୍ୟ ବାଳକ ଉଠିଲା ଚାବୁକ ଲଗେଇବା ମାତ୍ରେ ମୁଁ ପୁଣି ତାକୁ ଗଡ଼େଇଦେଲି, ଘାସରେ ଫୋପାଡିଦେଲି-। ଏହିପରି ଚାଲିଲା ସେମାନେ କଥାଟା ବୁଝିପାରିବା ପର୍ଯ୍ୟନ୍ତ- ବାସ୍‌ଏଇ ହେଉଛି ସବୁକଥା ।’’ ସେମାନେ ମତେ ଆଣି ଜେମ୍‌ସ ପାଖରେ ଅଭିଯୋଗ କଲେ- ମୋର ମନେ ହେଲା ଯେ ସେ ତାଙ୍କ ହାତରେ ବଡ଼ ବଡ଼ ବାଡ଼ି ଦେଖି ଖୁବ ରାଗିଯାଇ ଥିଲା । କହିଲା ‘‘ସେମାନେ କେବଳ ଜିପ୍ସି ବା ଡ୍ରୋଭର ହେବା ପାଇଁ ହିଁ ଉପଯୁକ୍ତ । ଭଦ୍ର ଯୁବକ ହେବା ପାଇଁ ନୁହେଁ ।’’

 

ଜିଞ୍ଜର କହିଲା ‘‘ତୋ ସ୍ଥାନରେ ମୁଁ ହୋଇଥିଲେ ସେମାନଙ୍କୁ ବେଶ୍‌ଭଲଭାବେ ଲଥି ମାରିଥାନ୍ତି । ସେଇ ଲଥି ହିଁ ତାଙ୍କୁ ଠିକ୍‌ଶିକ୍ଷା ଦେଇଥାନ୍ତା ।’’

 

ମେରିଲେଗ୍‌ସ କହିଲା, ‘‘ତୁ ଯେ ସେୟା କରିଥାନ୍ତୁ ତହିଁରେ କୌଣସି ସନ୍ଦେହ ନାହିଁ । କିନ୍ତୁ ମୁଁ ତୋ ପରି ବୋକା ନୁହେଁ (କ୍ଷମା ସହିତ) ଯେ ମୋ ମାଲିକକୁ ରଗେଇବି ଓ ଜେମ୍‌ସକୁ ଲଜ୍ଜିତ କରିବି । ତା ପରେ ବି ପିଲାମାନଙ୍କୁ ଚଢ଼ିବାବେଳେ ମୋରି ଦାୟିତ୍ଵରେ ଦିଆଯାଇ ଥିଲା ମୋ ଉପରେ ଭରସା ଥିବା କାରଣରୁ । ଏଇ କେତେଦିନ ପୂର୍ବେ ମୋ ମାଲିକ ତାଙ୍କ ପତ୍ନୀକୁ କହିବା କଥା ମୁଁ ଶୁଣିଛି । ସେ କହିଲେ, ‘‘ତୁମେ ପିଲାଙ୍କର ଘୋଡ଼ା ପିଠିରେ ବସି ବୁଲିବାରେ ଏତେ ବ୍ୟସ୍ତ ହୁଅନି, ମୋ ପୁରୁଣା ମେରିଲେଗ୍‌ସ ଠିକ୍‌ଆମଭଳି ସେମାନଙ୍କର ଯତ୍ନନେବ । ୟାକୁ ମୁଁ ଯେତେ ଅଧିକ ଟଙ୍କା ପାଇଲେ ବି କେବେ ବିକ୍ରି କରିପାରିବି ନି, ଏ କଥା ମୁଁ ନିଶ୍ଚିତ ରୂପେ କହିପାରେ । ତାର ସ୍ଵଭାବ ଭଲ ଓ ସେ ବିଶ୍ଵାସୀ । ଆଚ୍ଛା ତୁ କଣ ଭାବୁଛୁ କି ମୁଁ ଏତେ ଅକୃତଜ୍ଞ ଜୀବ ଯେ ପାଞ୍ଚ ବର୍ଷ ଧରି ତାଙ୍କର ସବୁ ସ୍ନେହ ଓ ବିଶ୍ୱାସକୁ ଭୁଲିଯିବି ! ଦୁଷ୍ଟାମି କରିବି ଏଇ କେତୋଟି ଅଜ୍ଞାନ ବାଳକମାନଙ୍କ ପାଇଁ । ନା ! ନା ! ତୁ କେବେ ବି ଦୟାଳୁ ମାଲିକ ପାଖରେ ରହିନୁ । ତେଣୁ ତୁ ବୁଝିପାରିବୁ ନାହିଁ । ତୋ ପାଇଁ ମୁଁ ଦୁଃଖିତ । ତେବେ ଏତିକି କହିପାରେ ଯେ ଉତ୍ତମ ସ୍ଥାନ ଓ ଭଲ ମାଲିକ ଭଲ ଘୋଡ଼ା ସୃଷ୍ଟି କରି ପାରନ୍ତି । ମୁଁ କୌଣସିଥିରେ ବି ମୋ ଲୋକମାନଙ୍କୁ ବ୍ୟସ୍ତ କରିବି ନି । ମୁଁ ସେମାନଙ୍କୁ ଭଲପାଏ, ବାସ୍ତବିକ ଭଲପାଏ । ମେରିଲେଗ୍‌ସ ନାକବାଟେ କ୍ଷୀଣ ଶବ୍ଦ କରି କରି କହିଲା । ସେ ପ୍ରାୟ ସକାଳେ ଜେମ୍‌ସର ପଦଶବ୍ଦ ଶୁଣିଲେ ଏହିପରି କରେ । ‘‘ଏହା ବ୍ୟତୀତ ବି ମୁଁ ଲଥି ମାରିଲେ ପୁଣି କେଉଁଠି ରହିବି, ସଙ୍ଗେ ସଙ୍ଗେ ବିକ୍ରି ହେବି । ସେତେବେଳେ ହୁଏତ ଗୋଟାଏ ମାଂସକଟାଳୀ ହାତରେ ପଡ଼ିପାରେ କିମ୍ବା କୌଣସି ସମୁଦ୍ର କୂଳରେ ବିନା ଯତ୍ନରେ ବିନା ଆଦରରେ ଦୌଡ଼ି ଦୌଡ଼ି ମୃତ୍ୟୁ ତୁଲ୍ୟ କଷ୍ଟ ପାଇପାରେ ଅଥବା ଗୋଟିଏ ଗାଡ଼ିରେ ତିନି ଚାରି ଜଣଙ୍କୁ ନେଇ ରବିବାର ବଜାରକୁ ଯିବାପାଇଁ ପଡ଼ିବ । ଏ ସବୁ ଏଠାକୁ ଆସିବା ପୂର୍ବରୁ ମୁଁ ଅନେକ ଦେଖିଛି । ‘‘ନା ନା’’ ମୁଣ୍ଡ ହଲେଇ କହିବାକୁ ଲାଗିଲା, ମୋର ଆଶା ଏପରି ଦିନ ମୋ ପାଇଁ କେବେ ନ ଆସୁ ।

•••

 

ବଗିଚାରେ ଗପସପ

 

ଜିଞ୍ଜର ଏବଂ ମୁଁ ନିୟମିତ ବଡ଼ ଗାଡ଼ି ଟାଣିବା ଜାତିର ଘୋଡ଼ା ନଥିଲୁ, ଆମେ ଦୌଡ଼ିବା ଘୋଡ଼ା ହିଁ ଥିଲୁ । ସାଢ଼େ ପନ୍ଦର ହାତ ଉଚା ଥିବାରୁ ଆମେ ଉଭୟ ଗାଡ଼ି ଟାଣିବା ଓ ଦୌଡ଼ିବା ପାଇଁ ଉପଯୁକ୍ତ ଥିଲୁ ଏବଂ ଆମ ମାଲିକ ସବୁବେଳେ କହୁଥିଲେ ଯେ ମଣିଷ ହେଉ ବା ଘୋଡ଼ା ହେଉ କେବଳ ଗୋଟିଏ କାମ କରିପାରିବାକୁ ଯିଏ ଯୋଗ୍ୟ ତାକୁ ସେ ପସନ୍ଦ କରନ୍ତି ନାହିଁ । କେବଳ ଲଣ୍ଡନ ପାର୍କରେ ନେଇ ଘୋଡ଼ା ଦେଖେଇ ହେବା ଅପେକ୍ଷା ଅଧିକ ପରିଶ୍ରମୀ ଓ ଉପାଦେୟ ଘୋଡ଼ାମାନଙ୍କୁ ସେ ପସନ୍ଦ କରନ୍ତି । ଆମର ସବୁଠାରୁ ବଡ଼ ଆନନ୍ଦ କିନ୍ତୁ ମାଲିକଙ୍କୁ ପିଠିରେ ବସାଇ ଦୌଡ଼ିବା । ଯେତେବେଳେ ଆମକୁ ହୁଦା ପିନ୍ଧାଇ ସାରି ଜିଞ୍ଜର ପିଠିରେ ମାଲିକ, ମୋ ପିଠିରେ ମାଲିକାଣୀ, କନ୍ୟାମାନେ ସାର୍‌ଅଲିଭର ଏବଂ ମେରିଲେଗ୍‌ସର ପିଠିରେ ବସନ୍ତି ଆମେ ଖୁସି ହେଉ । ତାପରେ ଆମେ ପ୍ରଥମରୁ ଧୀରେ ପରେ ଜୋରରେ ଦୌଡ଼ୁ । ଆମକୁ ସେତେବେଳେ ଖୁବ୍‌ଖୁସି ଲାଗେ ଏବଂ ମନରେ ଅସମ୍ଭବ ଫୁର୍ତ୍ତି ଆସେ । ମୋର ଆନନ୍ଦ ସମସ୍ତଙ୍କଠାରୁ ବେଶି, କାରଣ ମାଲିକାଣୀ ମୋ ପିଠିରେ । ତାଙ୍କର କମ୍‌ଓଜନ, ମଧୁର କଥା, ପୁଣି ଆସ୍ତେ କରି ଲଗାମ ଧରା ପାଇଁ ମୋ ଉପରେ ଏକଦମ୍‌ଚାପ ପଡ଼େନି ଏବଂ ମୁଁ ଆରାମରେ ଯାଏ-

 

ଓଃ ! ଲୋକମାନେ ଯଦି ଏଇତକ ବୁଝିପାରନ୍ତେ- ହାଲୁକା ଲଗାମକୁ ଧୀରେ ଧୀରେ ଟାଣିଲେ ଘୋଡ଼ାର ପାଟି କେବଳ ନୁହେଁ ତା ମନ ବି ଠିକ୍‌ରହେ । ଏ କ୍ଷେତ୍ରରେ ଚଢ଼ାଳିକୁ ବି ଟାଣିବା ଘୋଷାଡ଼ିବା ଇତ୍ୟାଦିର ମୁଖାମୁଖି ହେବାକୁ ପଡ଼େ ନାହିଁ । ଏ ସବୁ ପ୍ରାୟ ଚଢ଼ାଳି କରିଥାନ୍ତି-। ଆମ ପାଟି ଏତେ ନରମ ଯେ ଯଦି ଟଣାଟଣିରେ ତାହା ନଷ୍ଟ ବା ଶକ୍ତ ନ ହୋଇଯାଇଥାଏ, ତେବେ ଲଗାମର ସାମାନ୍ୟ ନିର୍ଦ୍ଦେଶରେ ଆମକୁ କ’ଣ କରିବାକୁ ପଡ଼ିବ ଆମେ ଜାଣିପାରିବୁ । ମୋର ମନେ ହୁଏ ମୋ ପାଟି ଅକ୍ଷତ ଥିବାରୁ ମତେ ମାଲିକାଣୀ ସର୍ବଦା ଜିଞ୍ଜରଠାରୁ ଅଧିକ ପସନ୍ଦ କରିଥାନ୍ତି, ଯଦିଓ ତାର ଚାଲିବା ମୋଠୁ ଅନେକ ଭଲ । ଅନେକ ସମୟରେ ସେ ଈର୍ଷାରେ ମତେ କହେ ଯେ ତାର ଟ୍ରେନିଂ ଦୋଷରୁ ଏବଂ ଲଣ୍ଡନରେ ତାର ଲଗା ଯାଇଥିବା ତୁଣ୍ଡି ହେତୁ ତା ପାଟିଟି ମୋ ପାଟ ପରି ଅକ୍ଷତ ନାହିଁ । ଏହା ଶୁଣି ବୁଢ଼ା ଅଲିଭର୍‌କହେ ‘‘ହେଇଟି ନିଜକୁ ଛୋଟ ଭାବନା- ଗୋଟିଏ ଘୋଡ଼ୀ ହୋଇ ଏତେ ଦୀର୍ଘକାୟ ଓ ପୃଥୁଳ ମାଲିକଙ୍କୁ ଭଲ ଭାବରେ ଯେ ବୋହିପାରୁଛୁ ତେଣୁ ତୁ ବେଶି ସମ୍ମାନିତା । ତୋର ଲଜ୍ଜା କରିବାର କିଛି ନାହିଁ, ଯେ ସେ ଜଣେ ମହିଳାଙ୍କୁ ମାତ୍ର ବୋହୁଛି । ଆମେ ଘୋଡ଼ାମାନେ ଜୀବନସାରା ପରସ୍ଥିତି ସହିତ ଖାପଖୁଆଇ ବଞ୍ଚିବା । ଯେତେ ପର୍ଯ୍ୟନ୍ତ ମଧୁର ବ୍ୟବହାର ପାଇବା ସନ୍ତୁଷ୍ଟ ହିଁ ରହିବା ।’’

 

ସାର୍‌ଅଲିଭରଙ୍କ ଲାଞ୍ଜଟି ଛୋଟ । ମାତ୍ର ଛଅ କି ସାତ ଇଞ୍ଚ । ଯଦିଓ ଲାଞ୍ଜ ଆଗରେ ମୁଠେ ବାଳ ଥାଏ ଛୋଟ ହେତୁ ମୁଁ ପ୍ରାୟ ଆଶ୍ଚର୍ଯ୍ୟ ହୁଏ । ଦିନେ ଛୁଟି ଦିନରେ ଆମେ ବଗିଚା ଭିତରେ ବୁଲୁ ବୁଲୁ ମୁଁ ତାକୁ ସାହସ କରି ପଚାରି ଦେଲି ‘‘ତୁମର କଣ ଦୁର୍ଘଟଣାରେ ଲାଞ୍ଜଟା ଏମିତି ଛୋଟ ହୋଇଯାଇଛି ?’’ ‘‘ଦୁର୍ଘଟଣା !’’ ସେ ଜ୍ଵଳନ୍ତ ଚକ୍ଷୁରେ ଚିତ୍କାର କଲେ ‘‘ଏହା ଦୁର୍ଘଟଣା ନୁହେଁ - ନିଷ୍ଠୁର ଲଜ୍ଜାଜନକ ନିୠତାପ ରକ୍ତର କାମ । ମୁଁ ଛୋଟଥିବା ବେଳେ ମତେ ଏହି ପ୍ରକାର ନିଷ୍ଠୁର କାମ କରାଯାଉଥିବା ସ୍ଥାନକୁ ନିଆଗଲା । ସେଠାରେ ମତେ ଖୁବ୍‌ଜୋରରେ ବନ୍ଧାଗଲା । ମୁଁ ହଲି ବି ପାରୁ ନଥାଏ । ତାପରେ ସେମାନେ ଆସି ମୋର ଲମ୍ବା ସୁନ୍ଦର ଲାଞ୍ଜଟିକୁ ମାଂସହାଡ଼ ସହିତ କାଟିକରି ନେଇଗଲେ ।’’ ‘‘କି ଭୟଙ୍କର !’’ ମୁଁ ଅବାକ୍‌ହୋଇ କହିଲି ।

 

‘‘ଭୟଙ୍କର ! ହଁ ନିଶ୍ଚୟ ଖୁବ୍‌ଭୟଙ୍କର । ଯଦି ବି ଅସହ୍ୟ ଯନ୍ତ୍ରଣା ପାଇଥିଲି ସେଥିପାଇଁ ନୁହେଁ, ମୋର ସବୁଠୁ ସୁନ୍ଦର ଅଙ୍ଗଟି ଛେଦ କରାଗଲା । ଖୁବ୍‌ଖରାପ ହେଲେ ବି ତା ପାଇଁ ବି ନୁହେଁ, କିନ୍ତୁ ମୋ ଦୁଇପଟରୁ ଓ ପଛରୁ ମୁଁ ମାଛି ଉଡ଼େଇବି କେମିତି ? ଏତକ ମଧ୍ୟ ସେମାନେ ବିଚାର କଲେ ନାହିଁ । ତୁମ ମାନଙ୍କର ଲାଞ୍ଜ ଲମ୍ବା ଅଛି, ମାଛି ବସିବା ମାତ୍ରେ ଲାଞ୍ଜ ହଲାଇ ତାକୁ ତଡ଼ିଦେବ । ମୋ କଥା ଭାବ ମୁଁ କେମିତି ତଡ଼ିବି ? ଆଉ ସେମାନେ ଦେହରେ ବସି ତାକୁ କାମୁଡ଼ିବାର କଷ୍ଟ ଓ ଅସ୍ଵସ୍ତି ତୁମେମାନେ ବୁଝିପାରିବନି । ଏହା ସାରା ଜୀବନର ଯନ୍ତ୍ରଣା, ସାରା ଜୀବନର କ୍ଷତି । କିନ୍ତୁ ଭଗବାନଙ୍କୁ ଧନ୍ୟବାଦ ଆଜିକାଲି ଏ ସବୁ ହେଉ ନାହିଁ ।’’ ‘‘ତେବେ ସେମାନେ ସେତେବେଳେ କାହିଁକି ଏମିତି କରୁଥିଲେ ?’’ ଜିଞ୍ଜର ପଚାରିଦେଲା ।

 

‘‘ଫେସନ - କେବଳ ଫେସନ ପାଇଁ ! ମୋ ସମୟରେ ଜଣେ ହେଲେ ବି ଭଲ ଜାତିର ଘୋଡ଼ା ନଥିଲେ ଯେଉଁମାନଙ୍କର କି ଏମିତି ଲାଞ୍ଜ କଟା ହୋଇ ନଥିଲା । ନିତାନ୍ତ ଲଜ୍ଜାକର । ସତେ ଅବା ସୃଷ୍ଟିକର୍ତ୍ତା ସ୍ଵୟଂ ଭଗବାନଙ୍କୁ ବି ଜଣା ନଥିଲା ଆମେ କେମିତି ଖୁବ୍‌ସୁନ୍ଦର ଦିଶିବୁ ବା ଆମେ କ’ଣ ଚାହୁଁ ।’’ ବୁଢ଼ା ଘୋଡ଼ା ଗୋଡ଼ରେ ଭୂମିକୁ ବାଡ଼େଇ କହିଲା ! ଜିଞ୍ଜର କହିଲା ‘‘ବର୍ତ୍ତମାନ ମୁଁ ଭାବୁଛି ଲଣ୍ଡନରେ ଏଇ ଫେସନ ପାଇଁ ହିଁ ସେମାନେ ମୋ ମୁଣ୍ଡଯାକ ପଟି ବାନ୍ଧି ତା ସହିତ ସେଇ ଭୟଙ୍କର ତୁଣ୍ଡି ବାନ୍ଧି ମତେ ଏତେ ଯନ୍ତ୍ରଣା ଦେଉଥିଲେ ।’’

 

‘‘ହିଁ ନିଶ୍ଚୟ ସେୟା’’ ସେ କହିଲା ‘‘ମୋ ମତରେ ସୌଖୀନତା ପୃଥିବୀରେ ସବୁଠାରୁ ଯନ୍ତ୍ରଣାଦାୟକ । ଉଦାହରଣ ସ୍ଵରୂପ ଏଇ କୁକୁରମାନଙ୍କୁ ଦେଖ- ତାଙ୍କ ଲାଞ୍ଜମାନ କାଟି ଦେଉଛନ୍ତି ତାଙ୍କୁ ସାହସୀ ଦେଖାଯିବ ବୋଲି । ତାଙ୍କ କାନମାନ ଏକଦମ୍‌କାଟି ଦେଉଛନ୍ତି ସେମାନଙ୍କୁ ତୀକ୍ଷ୍ମ ଦେଖାଯିବ ବୋଲି । ସତରେ ! ମୋର ଗୋଟଏ ପ୍ରିୟ ବନ୍ଧୁ ଥିଲା- ବ୍ରାଉନ ଟେରିଅର କୁକୁରଟିଏ । ତାକୁ ସେମାନେ ‘ସ୍କାଏ’ ନାମରେ ଡାକୁଥିଲା । ସେ ମତେ ଏତେ ଭଲପାଉଥିଲା ଯେ କେବେ ବି ମୋ ଗୁହାଳ ଛାଡ଼ି ସେ ଅନ୍ୟ ଜାଗାରେ ଶୋଉ ନଥିଲା, ମୋ ଭାଡ଼ି ତଳେ ସେ ତାର ବିଛଣା କରିଥିଲା । ତାର ସେଠି ପୁଣି ପାଞ୍ଚଟି ସୁନ୍ଦର ଛୁଆ ହେଲେ । ସମସ୍ତେ ଜିଅନ୍ତା, ଖୁବ୍‌ଭଲ ଜାତିର ପୁଣି । ସେ ସେମାନଙ୍କୁ ପାଇ କେତେ ଖୁସି ହେଉଥଲା । ଯେତେବେଳେ ସେମାନେ ଆଖି ଖୋଲି ଏପଟ ସେପଟ ହେଲେ କି ସୁନ୍ଦର ଲାଗୁଥିଲେ । ଚମତ୍କାର ଦୃଶ୍ୟ ପ୍ରକୃତରେ । କିନ୍ତୁ ଦିନେ ଜଣେ ଲୋକ ଆସି ସମସ୍ତଙ୍କୁ ନେଇଗଲା । ମୁଁ ଭାବିଲି ଯେ ମୁଁ କାଳେ ଛୁଆଗୁଡ଼ିକୁ କୁଦି ପକେଇବି ସେଇ ଭୟରେ ବୋଧହୁଏ ସେମାନଙ୍କୁ ନିଆଗଲା । କିନ୍ତୁ ତା ନୁହେଁ, ସନ୍ଧ୍ୟାବେଳକୁ ବିଚାରୀ ସ୍କାଏ ଗୋଟି ଗୋଟି କରି ପାଟିରେ ଧରି ସମସ୍ତଙ୍କୁ ପୁଣି ଆଣିଲା । ସେମାନେ ଆଉ ପୂର୍ବର ସେଇ ଛୁଆ ନଥିଲେ-। ସମସ୍ତଙ୍କ ଲାଙ୍ଗୁଡ଼ ଆଉ କାନ କଟା ସରିଥିଲା । ସେମାନେ ରକ୍ତାକ୍ତ ହୋଇପଡ଼ି କାନ୍ଦୁଥିଲେ । ବିଚାରୀ ସେମାନଙ୍କ ମାଆ, କେତେ ଦୁଃଖୀ ହୋଇ ସେମାନଙ୍କୁ ଚାଟୁଥାଏ ସେ ଦୃଶ୍ୟ ମୁଁ ଜୀବନରେ କେବେହେଲେ ଭୁଲିପାରିବି ନାହିଁ । ସେମାନଙ୍କ କ୍ଷତ ଶୁଖିଗଲା, ହୁଏତ ଯନ୍ତ୍ରଣା ସବୁ ଭୁଲିଗଲେ, କିନ୍ତୁ କାନଟିର ସେଇ ବାହ୍ୟ ଅଂଶ ଯାହା କି ତାଙ୍କ ଭିତର କାନକୁ ଧୂଳି ଓ ଖଣ୍ଡିଆ ହେବାରୁ ରକ୍ଷା କରନ୍ତା ସେତକ ତ ଚିରଦିନ ପାଇଁ ସେମାନଙ୍କଠାରୁ ଚାଲିଗଲା । ସେମାନେ କ’ଣ ପାଇଁ ନିଜ ସନ୍ତାନଙ୍କର କାନ କାଟି ଦେଉ ନାହାନ୍ତି ? ଭଲ ଦେଖାଯାନ୍ତେ ତ । ନିଜ ପିଲାଙ୍କ ନାକ ଉପର କାଟି ପାରନ୍ତେ- ଆହୁରି ଭଲ ଦେଖାଯାଆନ୍ତେ । ଭଗବାନଙ୍କ ସୃଷ୍ଟ ଜୀବମାନଙ୍କୁ ଯନ୍ତ୍ରଣାଦେଇ କୁତ୍ସିତ କରିବାର ମଣିଷମାନଙ୍କର କି ଅଧିକାର ରହିଛି ?’’

 

ସାର ଅଲିଭର ଯଦି ବି ବେଶ୍‌ଭଦ୍ର, ବେଶ୍‌ରାଗି ମଧ୍ୟ । ଯାହାସବୁ ସେ କହିଗଲେ ତାହା ମୋ ପାଇଁ ନୂଆକଥା ଏବଂ ବଡ଼ ଭୟଙ୍କର ତଥ୍ୟ ମଧ୍ୟ । ମୋ ମନରେ ମାନବସମାଜ ପାଇଁ ଏକ ତିକ୍ତତା ସୃଷ୍ଟି ହେଲା । ପୂର୍ବରୁ ଏଭଳି ଅନୁଭବ ମୋର କେବେ ବି ହୋଇ ନଥିଲା । ଅବଶ୍ୟ ଜିଞ୍ଜର ଅତ୍ୟଧିକ ଉତ୍ତ୍ୟକ୍ତ ହୋଇ ରୋଷପୂର୍ଣ୍ଣ ଦୃଷ୍ଟିରେ ମୁଣ୍ଡ ହଲାଉଥାଏ । ପୁଣି ନାକପୁଡ଼ା ଫୁଲେଇ ଫୁଲେଇ ମଣିଷକୁ ବନ୍ୟ ପଶୁ ଓ ବୋକା ବୋଲି କହିବାରେ ଲାଗିଥାଏ ।

 

ସେତିକିବେଳେ ଠିକ୍‌ମେରିଲେଗ୍‌ସ ପୁରୁଣା ଆପେଲ ଗଛର ନୁଆଁଣିଆ ଡାଳରେ ଦେହ ଘଷିସାରି ଆମ ପାଖରେ ପହଞ୍ଚିଥିଲା । ପଚାରିଲା ‘‘କିଏ ବୋକା ବୋକା କହୁଛି । ମୋ ମତରେ ଏଇଟା ଭାରି ଖରାପ ଶବ୍ଦ !’’

 

ଜିଞ୍ଜର କହିଲା ‘‘ଖରାପ ଜିନିଷଙ୍କୁ ଖରାପ ହିଁ କୁହାଯାଏ ।’’ ତାପରେ ସେ ସାର୍‌ଅଲିଭରଙ୍କ କଥାସବୁ ବର୍ଣ୍ଣନା କଲା । ‘‘ଏସବୁ କଥା ଠିକ୍‌’’ - ଶୁଣିବା ପରେ ଦୁଃଖିତ ହୋଇ ମେରିଲେଗ୍‌ସ କହିଲା । ସେ ପୁଣି କହିଲା, ‘‘ମୁଁ ଆଗରୁ ଯେଉଁଠାରେ ଥିଲି ସେଠାରେ ମଧ୍ୟ କୁକୁରମାନଙ୍କୁ ଏମିତି କରିବା ମୁଁ ଦେଖିଛି ଅନେକବାର । କିନ୍ତୁ ଏଠି ଆମେ ବର୍ତ୍ତମାନ ଏ ସବୁ ଆଲୋଚନା କରିବା ନି । ତୁମେମାନେ ଜାଣ ଯେ ଆମ ମାଲିକ ଜନ୍‌ଆଉ ଜେମ୍‌ସ ସମସ୍ତେ ଆମମାନଙ୍କ ପାଇଁ ଖୁବ୍‌ଭଲ । ତେଣୁ ଏଇଠି ଠିଆ ହୋଇ ଆମେ ମଣିଷ ଜାତି ପ୍ରତି ଏପରି କହିବା ଆମର ଅକୃତଜ୍ଞତା ଓ ଅସାଧୁତା । ୟା ବ୍ୟତୀତ ଏ ବି ତୁମେମାନେ ଜାଣ ଯେ ତୋ ଛଡ଼ା ଆହୁରି ଅନେକ ସ୍ଥାନରେ ବି ଭଲ ମାଲିକ ସଇସମାନେ ଅଛନ୍ତି । ଅବଶ୍ୟ ଯଦି ବି ଆମର ସବୁଠାରୁ ଭଲ-। ଏହିପରି ସାରଗର୍ଭକ କଥା ମେରିଲେଗ୍‌ସ୍‌ଠୁ ଶୁଣିବା ପରେ ଆମେ ସମସ୍ତେ ଶାନ୍ତ ହେଲୁ । ସମ୍ପୂର୍ଣ୍ଣ ସତକଥା ସେ କହିଥିଲା, ମାଲିକଙ୍କ ବଡ଼ ଭକ୍ତ ସାର୍‌ଅଲିଭର ବିଶେଷ କରି ସିଏ ବି ଥଣ୍ଡା ହେଲେ । ପ୍ରସଙ୍ଗ ବଦଳାଇବା ଉଦ୍ଦେଶ୍ୟରେ ମୁଁ ପଚାରିଦେଲି, ‘‘ଆମ ଆଖି କଡ଼ରେ ବନ୍ଧା ହେଉଥିବା ପର୍ଦାର କ’ଣ ଆବଶ୍ୟକ କିଏ ମତେ କହିପାରିବ ? ସାର ଅଲିଭର ତତ୍‌କ୍ଷଣାତ୍‌କହି ଉଠିଲେ’’ ନା ! କାରଣ ତାର ଆବଶ୍ୟକତା ପ୍ରକୃତରେ କିଛି ନାହିଁ ।’’

 

ଜଷ୍ଟିସ୍‌ ଶାନ୍ତ କଣ୍ଠରେ କହିଲା ‘‘ଘୋଡ଼ାମାନେ ଗାଡ଼ିଟାଣି ଚାଲିବା ବା ଦୌଡ଼ିବା ବେଳେ ହଠାତ କୌଣସି ଭୟଙ୍କର ବା ଅସ୍ଵାଭାବିକ ଦୃଶ୍ୟ ଉପରେ ଆଖି ପଡିଲେ ଚମକି ପଡ଼ି କାଳେ ଦୁର୍ଘଟଣା ଘଟାଇବେ ଏଇ କାରଣରୁ ସେଟା ବନ୍ଧା ହୁଏ । ତେବେ ଦୁର୍ଘଟଣା ହେବ ନାହିଁ ।’’ ମୁଁ ପଚାରିଲି ତେବେ କେବଳ ଘୋଡ଼ାପିଠିରେ ଲୋକ ବସିଲା ବେଳେ, ବିଶେଷତଃ ମହିଳାମାନେ ବସିଲାବେଳେ କ’ଣ ପାଇଁ ବନ୍ଧା ହୁଏନି ?’’

 

ସେ ଆସ୍ତେ ଆସ୍ତେ ଉତ୍ତରଦେଲା ‘‘ୟାର କିଛି କାରଣ ନାହିଁ । କେବଳ ଫେସନ । ସେମାନେ କହନ୍ତି ଗାଡ଼ି ଟାଣିବାବେଳେ ଘୋଡ଼ାମାନେ ନିଜ ଗାଡ଼ିର ଚକ ଦେଖି ବି ଭୟ ପାଆନ୍ତି । ପୁଣି ଚମକି ପଡ଼ି ଇତସ୍ତତଃ ଦୌଡ଼ନ୍ତି । କିନ୍ତୁ ଯଦି କେବଳ ମଣିଷକୁ ପିଠିରେ ନିଅନ୍ତି ତେବେ ଭିଡ଼ ରାସ୍ତାରେ ସେମାନେ କିଛି ଦେଖିଲେ ବି ଦୌଡ଼ିବାର ଚେଷ୍ଟା କରନ୍ତି ନାହିଁ । ଆମେ ପ୍ରଥମରୁ ସବୁ ଦେଖି ଦେଖି ବୁଝି ଅଭ୍ୟସ୍ତ ହୋଇଯାଉ । ଯଦି ମୋଟେ ତାହା ବନ୍ଧା ନ ହୁଅନ୍ତା ତେବେ ଗାଡ଼ି ଟାଣିଲା ବେଳେ ବି ଆମର ତାହା ଦରକାର ପଡନ୍ତା ନାହିଁ । ସବୁ ପଟକୁ ଦେଖିପାରନ୍ତୁ, ସବୁ ଜିନିଷ କ’ଣ ଜାଣିପାରନ୍ତୁ- ଆଉ ଅଜଣା କିଛି ଦେଖିଲେ ବି ଅନେକ କମ୍‌ଭୟ ପାଆନ୍ତୁ ।

 

ଅବଶ୍ୟ କେତେକ ଭୟାଳୁ ଘୋଡ଼ା ଥାଇ ପାରନ୍ତି- ଯେଉଁମାନେ ହୁଏତ ପିଲାବେଳୁ ଆଘାତ ବା ଭୟ ପାଇଥାନ୍ତି ଏବଂ ଏହି ଆଂଶିକ ପର୍ଦା ତାଙ୍କ ପାଇଁ ଭଲ ହୋଇପାରେ । କିନ୍ତୁ ମୁଁ ଯେହେତୁ କେବେ ବି ଭୟାଳୁ ନଥିଲି ମୁଁ ଏ ପ୍ରଥାର ବିଚାର ଠିକ୍‌ଭାବେ କରିପାରିବି ନାହିଁ । ସାର ଅଲିଭର୍‌କହିଲେ ‘‘ମୋ ମତରେ କିନ୍ତୁ ସେଇ ପଟିବନ୍ଧାଟା ରାତିରେ ଖୁବ୍‌ଭୟଙ୍କର । ମଣିଷଠାରୁ ଆମେ ଘୋଡ଼ାମାନେ ରାତିର ଅନ୍ଧାରରେ ବେଶି ଭଲ ଦେଖି ପାରୁ । ଆମକୁ ସମ୍ପୂର୍ଣ୍ଣ ଖୋଲା ଆଖିରେ କାମ କରାଗଲେ ବହୁ ଦୁର୍ଘଟଣା ଘଟିପାରନ୍ତା ନାହିଁ । କିଛିବର୍ଷ ତଳର ଗୋଟିଏ ଘଟଣା ମୋର ମନେ ପଡ଼ୁଛି । ଗୋଟାଏ ଗାଡ଼ିଟାଣି ଦୁଇଟା ଘୋଡ଼ା ଅନ୍ଧାର ରାତିରେ ଫେରୁଥିଲେ । ସେତିକିବେଳେ ସ୍ପାରୋ ନାମକ କୃଷକର ଘର ସାମନାରେ ପୋଖରୀଟିଏ ଥିଲା ଓ ଘୋଡ଼ାମାନେ ଭୁଲରେ ପାଣିକୂଳକୁ ଚାଲି ଆସିବାରୁ ଗାଡ଼ିଟି ପାଣିରେ ଓଲଟି ପଡିଲା । ଘୋଡା ଦୁହେଁ ତ ବୁଡ଼ିମଲେ, ଡ୍ରାଇଭରଟା ମରୁ ମରୁ ବଞ୍ଚିଗଲା । ଏହି ଦୁର୍ଘଟଣାର ପରେ ଅବଶ୍ୟ ସେଠି ଗୋଟାଏ ଧଳା ଧାତୁ ତିଆରି ବାଡ଼ ହେଲା, ଯାହାକି ଦୂରରୁ ଦେଖାଯିବ । ପୋଖରୀଟା ତେଣୁ ନଜରରେ ଆସିବ । କିନ୍ତୁ ସେଇ ଘୋଡ଼ାମାନଙ୍କୁ ପର୍ଦା ବାନ୍ଧି ଯଦି ଆଂଶିକ ଅନ୍ଧ କରାଯାଇନଥାନ୍ତା, ତେବେ ସେମାନେ ପୋଖରୀ ଦେଖିପାରିଥାନ୍ତେ ଏବଂ କୂଳରୁ ଦୂରରେ ଚାଲିଥାନ୍ତେ । ଦୁର୍ଘଟଣାଟି ବି ଘଟି ନଥାନ୍ତା । ତୁ ଆସିବା ଆଗରୁ ଯେବେ ଆମ ମାଲିକଙ୍କ ଘୋଡ଼ାଗାଡ଼ିଟି ଓଲଟି ପଡ଼ିଥିଲା ସେତେବେଳେ ସମସ୍ତେ କହିଲେ ଯେ ବାମ ପାଖର ବତୀଟି ଲିଭିଯିବାରୁ ଜନ୍ ରାସ୍ତାରେ ଗାତଟିକୁ ଦେଖି ପାରି ନଥିବାରୁ ଏହା ଘଟିଲା । କିନ୍ତୁ ଯଦି ବୁଢ଼ା ଘୋଡ଼ା କଲିନ୍‌ର ଆଖି ଦୁଇଟା ଆଂଶିକ ବନ୍ଦ କରା ନ ଯାଇଥାନ୍ତା, ତେବେ ସେ ନିଶ୍ଚୟ ରାସ୍ତା ମରାମତି ହେତୁ ସେଇ ଗଭୀର ଗାତଟିକୁ ଦେଖିପାରିଥାନ୍ତା । ସେ ବେଶ୍‌ ବୁଦ୍ଧିମାନ ଘୋଡ଼ା, ବତୀ ଜଳୁ ବା ଲିଭିଥାଉ କେବେ ଦୁର୍ଘଟଣା ଘଟି ନଥାନ୍ତା । ସେଥର ଗାଡ଼ି ଭାଙ୍ଗିଥିଲା, ଘୋଡ଼ା ଆଘାତ ପାଇଲା । ଜନ୍ ଯେ କେମିତି ବଞ୍ଚିଗଲା ସେ କଥା ଭଗବାନ୍‌ହିଁ ଜାଣନ୍ତି ।’’

 

ଜିଞ୍ଜର ଏ ସବୁ ଶୁଣି ନାକପୁଡ଼ା ଫୁଲେଇ କହିଲା ‘‘ମୋର କହିବା କଥା-ଯେତେ ବୁଦ୍ଧିମାନ ମଣିଷ ଅଛନ୍ତି ସମସ୍ତେ ନିର୍ଦ୍ଦେଶ ଦିଅନ୍ତୁ ଯେ ଘୋଡ଼ାପିଲାମାନେ ସମସ୍ତେ କପାଳ ମଝିରେ ଆଖିଥାଇ ଜନ୍ମ ନେବେ । ଆଖିଗୁଡ଼ାକ ବାମଡାହାଣରେ ରହିବ ନି । କାରଣ ସେମାନେ ଭାବନ୍ତି ଭଗବାନଙ୍କ ସୃଷ୍ଟିକୁ ମଧ୍ୟ ସେମାନେ ବଦଳାଇ ଦେଇ ଠିକ୍‌କରିବେ ।

 

କଥାବାର୍ତ୍ତା ପୁଣି ତିକ୍ତତା ଆଡ଼କୁ ଯାଉଛି ଦେଖି ମେରିଲେଗ୍‌ସ ତାର ବୁଦ୍ଧିମନ୍ତ କୁନି ମୁହଁଟି ଉଠେଇ କହିଲା, ‘‘ତୁମମାନଙ୍କୁ ମୁଁ ଗୋଟିଏ ଗୁପ୍ତ କଥା କହୁଛି ଶୁଣ । ଏଇ ଆଂଶିକ ଚକ୍ଷୁବନ୍ଧାଟା ଜନର ମୋଟୁରୁ ପସନ୍ଦ ନୁହେଁ । ଦିନେ ମାଲିକଙ୍କ ସହିତ ତାର ଏ ବିଷୟରେ କଥାବାର୍ତ୍ତା କରିବା ମୁଁ ଶୁଣିଛି । ମାଲିକ କହିଲେ ‘‘ଘୋଡ଼ାମାନଙ୍କୁ ଏଇ ଆଖି ଦୁଇର ପାର୍ଶ୍ଵରେ ପର୍ଦା ବନ୍ଧା ହେବା ଓ ତାର ବ୍ୟବହାର ପ୍ରଥମରୁ ଦେଲେ କେତେବେଳେ ବି ସେମାନଙ୍କୁ ଖାଲି ଛାଡିହେବନି, ତହିଁରେ ବିପଦ ଘଟିବ ।’’ ଜନ୍ କହିଲା ‘‘ବିଦେଶୀ ଦେଶମାନଙ୍କ ପରି ଘୋଡ଼ାପିଲାଙ୍କୁ ଟ୍ରେନିଂ ଦେଲାବେଳେ ଏହି ଆଖି ପାର୍ଶ୍ଵରେ ପର୍ଦା ନ ବାନ୍ଧିଲେ ଖୁବ୍‌ଭଲ ହୁଅନ୍ତା ।’’

 

ବର୍ତ୍ତମାନ ସମସ୍ତେ ଚାଲ ଖୁସିରେ ବଗିଚା ଆରପଟ ଯାଏଁ ଦୌଡ଼ିବା । ପବନରେ ଅନେକ ଆପ୍‌ଲ ଝଡ଼ି ତଳେ ପଡ଼ିଥିବ ବୋଲି ମୁଁ ଭାବୁଛି- ଆମେ ତାହା ଆରାମରେ ଅନ୍ୟମାନଙ୍କ ପରି ଖାଇବା ।

 

ମେରିଲେଗ୍‌ସର ପ୍ରସ୍ତାବ ଉପେକ୍ଷା କରିପାରିବୁ ନି ଜାଣି ଆମେ ସମସ୍ତେ ଏଇ ଗପସପର ଆସରରେ ପୂର୍ଣ୍ଣଚ୍ଛେଦ ଟାଣି ଉଠିଲୁ । ତାପରେ ଆରପଟକୁ ଯାଇ ଘାସଉପରେ ବିଚ୍ଛୁରିତ ଆପ୍‌ଲ ଚୋବେଇ ଚୋବେଇ ଆନନ୍ଦ କଲୁ ।

•••

 

Unknown

ସରଳ-କଥ।

 

ବର୍ଟଓ୍ୱିକ୍‌ରେ ଯେତେ ବେଶି ଦିନ ରହିଲି, ଏମିତି ଭଲ ଜାଗାରେ ରହିଛି ବୋଲି ଅଧିକ ଖୁସି ହେଲି । ଗର୍ବ ବି ହୁଏ । ଆମ ମାଲିକମାଲିକାଣୀଙ୍କୁ ପ୍ରତ୍ୟେକ ପରିଚିତ ଖୁବ୍‌ଶ୍ରଦ୍ଧା ଓ ସମ୍ମାନ କରନ୍ତି । କେବଳ ମଣିଷମାନେ ନୁହଁନ୍ତି, ଘୋଡ଼ା, ଗଧ, ଗାଈ, ଗୋରୁ, କୁକୁର, ବିରାଡ଼ି, ପକ୍ଷୀ ଇତ୍ୟାଦି ସମସ୍ତ ଜୀବଜନ୍ତୁ ସେମାନଙ୍କୁ ବେଶ୍‌ଶ୍ରଦ୍ଧା କରନ୍ତି । ସେମାନେ ମଧ୍ୟ କାହାରିକୁ ଦୁର୍ବ୍ୟବହାର କରନ୍ତି ନାହିଁ । କେବଳ ସେମାନେ କାହିଁକି, ତାଙ୍କ ଚାକରଚାକରାଣୀ ଦଳ ମଧ୍ୟ ସେମାନଙ୍କ ପରି- ସମସ୍ତେ ଭାରି ଦୟାଳୁ । ଗ୍ରାମର କୌଣସି ପିଲା ଯଦି କୌଣସି ଜୀବଜନ୍ତୁଙ୍କୁ ହଇରାଣ କରନ୍ତି ତେବେ ସେମାନେ ଶୀଘ୍ର ହଲରୁ ଏ କଥା ଶୁଣନ୍ତି ।

 

ସ୍କୋୟାର ଏବଂ କୃଷକ ଗ୍ରେ ଉଭୟଙ୍କ କହିବା ଅନୁଯାୟୀ ସେମାନେ ପ୍ରାୟ କୋଡ଼ିଏ ବର୍ଷରୁ ଉର୍ଦ୍ଧ୍ୱ ଏକତ୍ର କାମ କରୁଥିଲେ, ଗାଡ଼ି ଟାଣୁଥିବା ଘୋଡ଼ାକୁ ଶକ୍ତ ଓ ଛୋଟ ଲଗାମ ବାନ୍ଧୁ ନଥିଲେ । ଆମ କଥା କହିବାକୁ ଗଲେ ଆମକୁ ବି କ୍ୱଚିତ୍‌ଏତେ ବନ୍ଧାଯାଏ । କିନ୍ତୁ ବେଳେବେଳେ ଯଦି ମାଲିକାଣୀ କୌଣସି ଗାଡ଼ିରେ ପ୍ରଚୁର ମାଲ ବୋଝେଇ ହୋଇଥିବା ଦେଖନ୍ତି ଓ ଘୋଡ଼ାର ଦୟନୀୟ ଅବସ୍ଥା ଦେଖନ୍ତି, ତେବେ ସେ ଗାଡ଼ିରୁ ବାହାରକୁ ଓହ୍ଲାଇ ପଡ଼ି ସେ ଗାଡ଼ିକୁ ଅଟକାନ୍ତି ଏବଂ ତାଙ୍କର ମଧୁର କିନ୍ତୁ ଗମ୍ଭୀର ସ୍ଵରରେ ଡ୍ରାଇଭରକୁ ବୁଝେଇ ଦିଅନ୍ତି ଯେ ଘୋଡ଼ାମାନଙ୍କ ପାଇଁ ଏହା କେତେ ନିଷ୍ଠୁର ଓ ନିରର୍ଥକ ।

 

ମୋ ମତରେ ମୋ ମାଲିକାଣୀଙ୍କୁ କେହି ବି କଥାରେ ହରେଇପାରିବେ ନି ଆଉ ମୁଁ ଚାହେଁ ସବୁ ନାରୀମାନେ ତାଙ୍କରି ପରି ହେଲେ ଭଲ ହୁଅନ୍ତା । ମୋ ମାଲିକ ମଧ୍ୟ ବେଳେବେଳେ ଖୁବ୍‌ଶକ୍ତ ହୋଇଯାଆନ୍ତି, ମୋର ମନେପଡ଼ୁଛି ଥରେ ସକାଳେ ସେ ମୋ ଉପରେ ଚଢ଼ି ଘର ଆଡ଼କୁ ଆସୁଥିଲେ । ଦେଖିଲେ ଗୋଟାଏ ବଳିଷ୍ଠ ଲୋକ ଗୋଟିଏ ଛୋଟ ଗାଡ଼ିରେ ଆସୁଛି । ଗାଡ଼ିଟାଣିବା ଘୋଡ଼ାଟି ବେଶ୍‌ଭଲ ଜାତିଆ ଘୋଡ଼ାପରି ମନେ ହେଲା । ଗୋଡ଼ଗୁଡ଼ିକ ପତଳା, ମୁହଁଟି ଓ ମୁଣ୍ଡଟି ମୁଲାୟମ । ପାର୍କ ଗେଟର ଠିକ୍‌ସାମନାକୁ ଆସି ସେ ଆମ ଆଡ଼କୁ ଚାହିଁଦେଲା । ସଙ୍ଗେ ସଙ୍ଗେ ଲୋକଟି କିଛି ନ କହି ତା ମୁଣ୍ଡଟାକୁ ଏତେ ଜୋରରେ ଟାଣି ବୁଲେଇଦେଲେ ଯେ ମୁଣ୍ଡଟା ପିଠି ଆଡ଼କୁ ଘୂରିଗଲା । ଠିକ୍‌ହୋଇ ଘୋଡ଼ାଟି ପୁଣି ଚାଲିବାକୁ ଲାଗିଲା । ସେତେବେଳକୁ ସେ ପ୍ରଚଣ୍ଡ ରାଗିଯାଇ ଚାବୁକରେ ପ୍ରହାର କରିବାକୁ ଲାଗିଲେ । ଘୋଡ଼ା ସାମନାକୁ ନଇଁ ପଡିବାରୁ ସେ ତାଙ୍କ ଶକ୍ତ ହାତରେ ଏପରି ଜୋରରେ ଲଗାମଟାକୁ ଟାଣିଦେଲେ ଯେ ମନେହେଲା ଯେପରି ତାର ତଳ ମାଢ଼ି ଭାଙ୍ଗିଯାଇଛି । ଟଣାସହ ଚାବୁକ ମରା ମଧ୍ୟ ଚାଲିଥାଏ । ଏ ଦୃଶ୍ୟ ତ ମୋ ପାଇଁ ଭୟଙ୍କର- କାରଣ ନିଜେ ଅନୁଭବ କରୁଥିଲି ଯେ ବିଚରା କେତେ କଷ୍ଟ ପାଉ ନଥିବ । କିନ୍ତୁ ମୋ ମାଲିକ ମତେ ଅଭୟ ଦେଲେ ଆଉ ଆମେ ମୁହୂର୍ତ୍ତକ ମଧ୍ୟରେ ତାଙ୍କ ପାଖରେ ପହଞ୍ଚିଗଲୁ ।

 

‘‘ସୟର’’ ମାଲିକ ଖୁବ୍‌ଜୋରରେ ଚିତ୍କାର କଲେ ‘‘ଘୋଡ଼ାଟି ରକ୍ତମାଂସରେ ଗଢ଼ା ଜାଣ ତ ?’’

 

‘‘ରକ୍ତ, ମାଂସ ଓ ରାଗ- ନିଜ ଇଚ୍ଛାରେ କାମକରେ ଯାହା ମତେ ପସନ୍ଦ ନୁହେଁ” ଖୁବ ବିରକ୍ତ ହୋଇ ସେ କହିଲେ । ସେ ଜଣେ ବିଲ୍‌ଡର ଥିଲେ ଏବଂ କାମରେ ପ୍ରାୟ ଆମ ପାର୍କକୁ ଆସୁଥିଲେ ।

 

ମାଲିକ ପଚାରିଲେ ‘‘ତୁମେ ତ ପ୍ରାୟ ଆମ ଘରକୁ ଆସ । ସେଇପଟକୁ ମୋଡ଼ି ହେବାଟା ତାର ସ୍ମୃତିଶକ୍ତି ଓ ବୁଦ୍ଧିମତାର ପରିଚୟ ଦିଏ । ସେ କେମିତିକା ଅବା ଜାଣି ପାରିଥାନ୍ତା ଯେ ଆଜି ତୁମେ ମୋ ଘର ଆଡକୁ ଯିବନି ? ମି. ସୟର, ଏ କଥା ମୁଁ ନିଶ୍ଚୟ କହିପାରେ ଯେ ତୁମର ଘୋଡ଼ା ସହିତ ଏଇ ପାଶବିକ ବ୍ୟବହାର ଦେଖି ମୋପରି ଲୋକ କେବେ ହେଲେ ସହ୍ୟ କରି ପାରିବ ନି । ଏହା ଦ୍ଵାରା ଘୋଡ଼ାର ଆଘାତଠାରୁ ବେଶୀ ତୁମେ ନିଜେ ନିଜର ଚରିତ୍ର ସଂହାର କରୁଛ । ମନେ ରଖ, ଆମର ସମସ୍ତ କୃତକାର୍ଯ୍ୟ ପାଇଁ ବିଚାର କରାଯିବ ତାହା ମଣିଷ ସହିତ ବା ପଶୁପକ୍ଷୀଙ୍କ ସହିତ ହେଉ ।’’

 

ମାଲିକଙ୍କୁ ନେଇ ମୁଁ ଘରକୁ ଫେରିଲି । ତାଙ୍କ ସ୍ଵର ଓ କଥାବାର୍ତ୍ତାରୁ ବୁଝିଲି ଯେ ସେ କେତେ ଦୁଃଖିତ । ତାଙ୍କ ବ୍ୟବହାର ବଡ଼ ଛୋଟ ସମସ୍ତଙ୍କ ସହ ସମାନ । ଆଉ ଦିନେ ତାଙ୍କର କ୍ୟାପ୍‌ଟେନ ଲ୍ୟାଙ୍ଗଲିଙ୍କ ସହ ଦେଖାହେଲା । ସେ ତାଙ୍କ ବନ୍ଧୁ । ତାଙ୍କ ମାଟିଆ ରଙ୍ଗର ବେଶ୍‌ସୁନ୍ଦର ଏକ ଯୋଡ଼ା ଘୋଡ଼ାଙ୍କ ସହିତ ଗାଡ଼ିଟି ଯୁକ୍ତ ଥିଲା । କଥାବାର୍ତ୍ତା କରୁ କରୁ ସେ ହଠାତ୍‌ ପଚାରିଦେଲେ ‘‘ଆଚ୍ଛା ମି. ଡଗ୍‌ଲାସ, ଆପଣ ତ ଜାଣନ୍ତି ଯେ ଆପଣ ଏ ଅଞ୍ଚଳରେ ଘୋଡ଼ା ଚିହ୍ନିବାରେ ପୂରା ଓସ୍ତାଦ । ତେବେ କୁହନ୍ତୁ ତ ମୋର ଏଇ ଘୋଡ଼ା ଦୁଇ ଆପଣଙ୍କର କେମିତିକା ପସନ୍ଦ ?’ ମାଲିକ ପଛେ ଟିକେ ପଛେଇ ଦେଲେ ଯେମିତି କି ସେ ପୂରାପୂରି ଲକ୍ଷ୍ୟ କରିପାରିବେ ସେମାନଙ୍କୁ । ତାପରେ ସେ କହିଲେ ‘‘ଏମାନେ ଦୁହେଁ ଅସାଧାରଣ ସୁନ୍ଦର ଆଉ ଏଇ ଚେହେରା ପରି ଯଦି ଗୁଣ ହୋଇଥାଏ ତେବେ ତୁମର ଆଉ ବେଶି ଆଶା କରିବାର କିଛି ନାହିଁ । କିନ୍ତୁ ମୁଁ ଦେଖିଛି ଯେ ତୁମେ ତୁମର ପ୍ରିୟ ଅଭ୍ୟାସଟି ଅବଲମ୍ବନ କରି ସେମାନଙ୍କୁ ବ୍ୟସ୍ତ ଓ ଦୁର୍ବଳ କରୁଛ ।’’

 

‘‘କଣ ଏମିତି କହୁଚନ୍ତି ମ ? ଓଃ ବନ୍ଧା ଲଗାମ କଥା ତ, ଆରେ ମତେ ମୋ ଘୋଡ଼ାଙ୍କୁ ମୁଣ୍ଡ ଉପରକୁ ଉଠାଇ ରଖିବାକୁ ଭଲ ଲଗେ । ଆପଣଙ୍କର ତ ଖୁଣ କାଢ଼ିବା ଅଭ୍ୟାସ ।’’ କ୍ୟାପ୍‌ଟେନ କହିଲେ-

 

‘‘ଏହା ମୁଁ ଏବଂ ଯେକୌଣସି ଲୋକ ଭଲପାଏ, ଅର୍ଥାତ୍‌ସମସ୍ତେ ଭଲପାନ୍ତି ମାତ୍ର ଏହିପରି ଜୋର ଜବରଦସ୍ତକରି ମୁଣ୍ଡ ଉଠେଇବା ମତେ ପସନ୍ଦ ନୁହେଁ । ତୁମେ ହେଲ ମିଲିଟାରୀ ଲୋକ । ତୁମ ରେଜିମେଣ୍ଟକୁ ପରେଡ କରେଇବାବେଳେ ତୁମେ କୁହ ‘‘ହେଡ଼୍‌ସ ଅପ୍‌’’, କିନ୍ତୁ ମି. ଲ୍ୟାଙ୍ଗଲି ଏଇ ଡ୍ରିଲ୍‌ରେ ଯଦି ପୂରା ରେଜିମେଣ୍ଟର ଲୋକଙ୍କ ମୁଣ୍ଡମାନ ପଛ ବୋର୍ଡରେ ବନ୍ଧା ରହିଥାନ୍ତା ତେବେ ତୁମକୁ କୃତିତ୍ଵ ମିଳନ୍ତା କି ? ହୁଏତ ପରେଡର ବିଶେଷ କ୍ଷତି ହୁଅନ୍ତା ନାହିଁ, ମାତ୍ର ଲୋକମାନେ ଯନ୍ତ୍ରଣା ପାଇପାଇ କ୍ଲାନ୍ତି ବୋଧ କରନ୍ତେ । ଗୁଳିଚାଳନା ସମୟରେ ଅସୁବିଧା ହୁଅନ୍ତା-। ପ୍ରତ୍ୟେକ ମାଂସପେଶୀ ମୁକ୍ତ ନହେଲେ ସେମାନେ ତାଙ୍କର ସମସ୍ତ ଶକ୍ତି ପ୍ରୟୋଗ କରି ଶତ୍ରୁଦଳଙ୍କୁ ଗୁଳି ଚଳେଇବେ କେମିତି ? ବିଜୟୀ ବା ହେବେ କେମିତି ? ହୋଇ ପାରିବେନି ବୋଲି ମୁଁ ଭାବୁଛି । ଘୋଡ଼ାମାନଙ୍କ କ୍ଷେତ୍ରରେ ବି ତାହାହିଁ ପ୍ରଯୁଜ୍ୟ । ତୁମେମାନେ ସେମାନଙ୍କ ଗତି ଓ ମତି ଉପରେ ବିରକ୍ତ ହୁଅ । କିନ୍ତୁ ପୂର୍ବରୁ ଏଇସବୁ କରି ତାଙ୍କ ଶକ୍ତି କମେଇ ଦେଇଥାଅ । ତାଙ୍କ ଗଣ୍ଠି ଓ ମାଂସପେଶୀ ଉପରେ ଅତ୍ୟଧିକ ଚାପ ଦେଇ ତାଙ୍କ କାମ ପାଇଁ ସମସ୍ତ ବଳ ପ୍ରୟୋଗ କରିବାର ସୁବିଧା ଘୋଡ଼ାମାନଙ୍କୁ ଦିଅ ନାହିଁ । ଏହା ଘୋଡ଼ାମାନଙ୍କୁ ମଧ୍ୟ ଶୀଘ୍ର ଦୁର୍ବଳ କରିଦିଏ । ତାଙ୍କଠାରୁ ଭଲ କାମ ନେବା ପାଇଁ ଚାହିଁଲେ ତାଙ୍କୁ ମଣିଷ ପରି ମୁଣ୍ଡ ମୁକ୍ତ ରଖିଦିଅ । ଆମେ ଯଦି ସାମାନ୍ୟ କଷ୍ଟ କରି ଆମ ସାଧାରଣ ଜ୍ଞାନ ଖର୍ଚ୍ଚ କରି ଫେସନ କରିବା ଚେଷ୍ଟାକୁ ଟିକେ କମେଇ ଦେବା, ତେବେ କେତେ କଥା ସହଜ ହୋଇଯିବ ଆମେ ଦେଖିପାରିବା । ଆମେ ଜାଣିଛୁ ଯେ ଘୋଡ଼ାର ଗୋଡ଼ ଯଦି ଅଜାଗାରେ କେଉଁଠି ଖସିଯାଏ ଏବଂ ସେ ବନ୍ଧା ଥାଏ ତାକୁ ଖୁବ୍‌କଷ୍ଟ ହେବ ଏବଂ ଭଲ ହେବାକୁ ଅନେକ ଦିନ ଲାଗିବ । ତାପରେ ମାଲିକ ହସି ହସି କହିଲେ ‘‘ମୁଁ ମୋ କଥା ତ ଶୁଣେଇ ଦେଲି । ତୁମେ ମନ ସ୍ଥିର କରି ସେଇ ଅନୁସାରେ ତା ଉପରେ ଚଢ଼ିପାରିବ ତ କ୍ୟାପ୍‌ଟେନ-? ତୁମ ଉଦାହରଣ ତାପରେ ଅନେକ କାମରେ ଲାଗିବ ।’’

 

‘‘ତୁମ ତଥ୍ୟ ଠିକ୍‌, ସୈନିକମାନଙ୍କ ଉଦାହରଣ ବି ବେଶ୍‌- କିନ୍ତୁ ଆଚ୍ଛା ମୁଁ ଏ ବିଷୟରେ ଚିନ୍ତା କରିବି ।’’ ତାପରେ ଉଭୟେ ଭିନ୍ନ ଭିନ୍ନ ଦିଗରେ ଗଲେ ।

•••

 

ଏକ ଝଡ଼ ଦିନରେ

 

ଶରତ ଋତୁର ଶେଷ ଆଡ଼କୁ ଦିନେ ମୋ ମାଲିକ ବ୍ୟବସାୟିକ କାରଣରୁ ଏକ ଦୀର୍ଘ ଯାତ୍ରାରେ ବାହାରିଲେ । ମତେ ଗୋଟିଏ ଛୋଟ ଗାଡ଼ିରେ (dog cart) ଯୋଚି ଜନ୍‌ ଏବଂ ମାଲିକ ବସି ଗଲେ । ଏ ଗାଡ଼ିଟି ଟାଣି ଯାତ୍ରା କରିବାକୁ ମତେ ସବୁବେଳେ ଭଲ ଲାଗେ । ଏହା ଏତେ ହାଲୁକା ଯେ ଏହାର ବଡ଼ ବଡ଼ ଚକଗୁଡ଼ିକ ବେଶ୍‌ ସୁନ୍ଦର ଭାବେ ଚାଲେ । ସେଦିନ ଖୁବ୍‌ ବର୍ଷା, ସେତେବେଳେ ତୀବ୍ର ଗତିରେ ପବନ ବୋହୁଥାଏ । ସାରା ରାତି ଶୁଖଲା ପତ୍ରସବୁ ବର୍ଷା ଅସରା ପରି ଝଡ଼ିବାରେ ଲାଗିଥାନ୍ତି । ଆମେ ଟୋଲ ବାର ଓ କାଠ ବ୍ରିଜକୁ ଆସିବା ଯାଏଁ ବେଶ୍‌ ଖୁସିରେ ଚାଲିଥାଉ । ନଈ କୂଳଗୁଡିକ ଉଚ୍ଚା, କିନ୍ତୁ ବନ୍ଧ ବି ଉଚ୍ଚା ହେବା ପରିବର୍ତ୍ତେ ଠିକ୍‌ ପାଣି ଉପରକୁ ତିଆରି ହୋଇଥାଏ । ନଈରେ ପାଣି ବଢ଼ିଲେ ପାଣି ବ୍ରିଜ ଉପରେ ଆସିଯାଏ କିନ୍ତୁ କାଠ ବାଡ଼, ଲୁହାବାଡ଼ ଇତ୍ୟାଦି ଥିବାରୁ ଲୋକମାନଙ୍କର ବିଶେଷ ଅସୁବିଧା ହୁଏ ନାହିଁ ।

 

ଗେଟ୍‌ ପାଖ ଜଗୁଆଳୀ କହିଲା ‘‘ପାଣି ଖୁବ୍‌ ଶୀଘ୍ର ଶୀଘ୍ର ବହୁଛି, ରାତିଟା ବେଶ୍‌ ଭୟଙ୍କର ହେବ। ବର୍ଷା ପାଇଁ ଅନେକ ପଡ଼ିଆ ବି ବୁଡ଼ିଯାଇଛି । ଅବଶ୍ୟ ଗୋଟାଏ ପଡ଼ିଆରେ ମୋ ଆଣ୍ଠୁପର୍ଯ୍ୟନ୍ତ ବୁଡ଼ି ଯାଇଥିଲା । ତଳଟା ଭଲ ଥିବାରୁ ଏବଂ ମାଲିକ ଭଲ ଚଳଉ ଥିବାରୁ ଆମକୁ ଅସୁବିଧା ହୋଇ ନଥିଲା ।

 

ସହରରେ ପହଞ୍ଚି ଆମେ ଅପେକ୍ଷା କଲୁ। ମାଲିକଙ୍କ କାମ ଅନେକ ବେଳ ନେବାରୁ ଆମେ ଫେରିବାକୁ ବେଶ୍‌ ସନ୍ଧ୍ୟା ହୋଇଗଲା । ସେତେବେଳକୁ ଜୋର୍‌ ପବନ । ମାଲିକ ଜନ୍‌କୁ କହିଲେ ଯେ ସେ ଏପରି ଝଡ଼ରେ କେବେ ବି ଯାତ୍ରା କରି ନଥିଲେ । ମୁଁ ଶୁଣିଲି । ଆଉ ମଧ୍ୟ ସେ କହିଲେ ଆମେ ଜଙ୍ଗଲରେ ଯିବା ବେଳକୁ ହୁଏତ ଗଛଡାଳମାନ ଝୁଲି ପଡ଼ି ପବନରେ ସାଇଁ ସାଇଁ କରି ଭୟଙ୍କର ଶବ୍ଦ ବି ହେଉଥିବ । ତେଣୁ ଆମେ ଜଙ୍ଗଲ ଭିତରେ ନ ଯାଇ ଯଦି ଅନ୍ୟ ଦୂର ରାସ୍ତାରେ ବୁଲିକରି ଯାଇପାରନ୍ତେ ଭଲ ହୁଅନ୍ତା । ଜନ୍‌ ସଙ୍ଗେ ସଙ୍ଗେ ଉତ୍ତର ଦେଲା ‘‘ହଁ ସାର୍‌ । ଯଦି ଡାଳଟିଏ ଉପରେ ପଡ଼ିଯାଏ ତେବେ ବି ହଇରାଣ ହେବା ।’’

 

ଏକଥା ତା ପାଟିରୁ ବାହାରିଛି କି ନାହିଁ ଠିକ୍‌ ଆମ ସାମନାରେ ଆଗ କେଁ, ତାପରେ ପଡ୍‌ ପଡ୍‌, ତାପରେ ଭାଙ୍ଗିବା ଶବ୍ଦମାନ କରି ଗୋଟିଏ ଓକ୍‌ ଗଛ ମୂଳରୁ ଉପାଡ଼ି ହୋଇ ଅଲଗା ହୋଇଗଲା । ତଳେ ପଡ଼ିଗଲା । ମୁଁ ଯେ ଭୟଭୀତ ହୋଇ ନଥିଲି ଓ ତା ତ କେବେ କହିପାରିବିନି, ମାତ୍ର ତଥାପି ରହିଗଲି । ବୋଧହୁଏ ଏଇସବୁ ଶବ୍ଦରେ ଥରୁଥିଲି । କିନ୍ତୁ ବୁଲି ପଡିଲି ନାହିଁ ବା ଦୌଡ଼ି ପଳେଇଲି ନାହିଁ । କାରଣ ମୁଁ ଏ ପ୍ରକାର କୁଶିକ୍ଷା ପାଇ ନଥିଲି । ମୁହୂର୍ତ୍ତକ ମଧ୍ୟରେ ଜନ୍‌ ଡେଇଁପଡ଼ି ମୋ ମୁଣ୍ଡପାଖରେ ଠିଆହେଲା ନଚେତ ଆଉ ଟିକକରେ ଆମ ଉପରେ ପଡ଼ିଥାନ୍ତା । ବର୍ତ୍ତମାନ ସାମନାରେ ଉପାୟ ?

 

‘‘ଦେଖନ୍ତୁ ସାର୍‌ ! ଆମେ ଗଛ ଉପରେ ବା କଡ଼ ବାଟରେ ଯାଇପାରିବା ନାହିଁ । ପଛକୁ ଫେରି ଚାରିଛକ ଯାଏଁ ଯିବା ବ୍ୟତୀତ ଆଉ କିଛି ଉପାୟ ନାହିଁ । ଛଅ ମାଇଲ ଅଧିକ ଯିବାକୁ ପଡ଼ିବ । ତାପରେ ପୁଣି କାଠ ବନ୍ଧଟା ପାଇଯିବା । ଆମର ଡେରି ହେବ। କିନ୍ତୁ ଘୋଡ଼ା ତ ତାଜା ଅଛି ।’’

 

ଆମେ ପଛକୁ ଫେରିଲୁ ଏବଂ ଛକ ରାସ୍ତାରୁ ବୁଲିକରି ଗଲୁ । ସେତେବେଳକୁ ପ୍ରାୟ ଅନ୍ଧାର ହୋଇଯାଇଥାଏ । ତାପରେ ଯେତେବେଳେ ଆମେ କାଠ ବ୍ରିଜ୍‌ ପାଖରେ ପହଞ୍ଚିଲୁ ବ୍ରିଜ ମଝିରେ ପାଣି ପରିଷ୍କାର ଦେଖାଯାଉଥାଏ । ସାଧାରଣତଃ ବନ୍ୟାବେଳେ ଏଇ ଅବସ୍ଥା ହୋଇଥାଏ-। ମାଲିକ ଗତି ବନ୍ଦ କଲେ ନାହିଁ । ଆମେ ବେଶ୍‌ ଟିକେ ଜୋରରେ ଚାଲିଥିଲୁ । କିନ୍ତୁ ଯେଉଁ ମୁହୂର୍ତ୍ତରେ ମୋ ପାଦ ବ୍ରିଜରେ ପଡିଲା କିଛି ଗୋଟାଏ ଯେ କେଉଁଠି ଭୁଲ ଅଛି ମୁଁ ନିଶ୍ଚିତରୂପେ ବୁଝିଗଲି । ତେଣୁ ଆଉ ଆଗକୁ ନ ଯାଇ ନିଶ୍ଚଳ ହୋଇ ଠିଆ ହେଲି । ‘‘ଚାଲ୍‌ ବିଉଟି’’ ମାଲିକ କହିଲେ । ଚାବୁକ୍‌ରେ ସାମାନ୍ୟ ଛୁଇଁଲେ ମଧ୍ୟ ମୁଁ ହଲିଲି ନାହିଁ । ମତେ ସେ ଜୋରରେ ମାରିଲେ-। ମୁଁ ଡେଇଁଲି ମାତ୍ର ସାମନାକୁ ଚାଲିଲି ନାହିଁ ।

 

“କିଛି ଗୋଟାଏ କାରଣ ରହିଛି ସାର୍‌’’ ସେ ଗାଡ଼ିରୁ ଡେଇଁ ପଡ଼ି ପୁଣି ମୋ ମୁଣ୍ଡ ପାଖକୁ ଆସି ମତେ ନିରୀକ୍ଷଣ କଲା । ମତେ ସାମନାକୁ ଚାଲିବାର ନିର୍ଦ୍ଦେଶ ଦେଇ କହିଲା, ‘‘ଚାଲ ଚାଲ୍‌ ବିଉଟି କଣ ହେଲା ?’’ ଅବଶ୍ୟ ମୁଁ ତାକୁ କିଛି କହି ପାରିଲି ନାହିଁ, କିନ୍ତୁ ବ୍ରିଜ ଉପରେ ଚାଲିବା ଯେ ଆଦୌ ନିରାପଦ ନୁହେଁ, ସେ କଥା ମୁଁ ବୁଝିସାରିଥିଲି ।

 

ଠିକ୍‌ ସେତିକିବେଳେ ବିପରୀତ ଦିଗରୁ ଟୋଲ ଜଗୁଆଳୀଟି ଟର୍ଚ୍ଚମାରି ଜୋରରେ ଚିତ୍କାର କରି କହିଲା ‘‘ହେ ହେ ରହ,’’ । ମାଲିକ ଉଚ୍ଚ ସ୍ଵରରେ ପଚାରିଲେ ‘‘କଣ ହେଲା ?’’ ‘‘ବ୍ରିଜ ମଝିରୁ ଭାଙ୍ଗି ଖଣ୍ଡେ ପାଣିରେ ଭାସିଯାଇଛି । ଯଦି ତୁମେମାନେ ଆସ ସିଧା ନଦୀରେ ପଡ଼ିବ ।’’

 

‘‘ହେ ଭଗବାନ ! ଧନ୍ୟ ତୁମକୁ’’ ମାଲିକଙ୍କ ପାଟିରୁ ବାହାରିଲା । ଜନ୍‌ କହିଲା ‘‘ବାଃ ବିଉଟି’’ । ତାପରେ ସେ ମୋ ଲଗାମ ଧରି ମତେ ଆସ୍ତେ ଆସ୍ତେ ନଈର ଡାହାଣ ପଟ ଧାରରେ ଥିବା ରାସ୍ତା ଆଡକୁ ମୁହାଁଇଲା । କିଛି ସମୟ ପୂର୍ବରୁ ସୂର୍ଯ୍ୟାସ୍ତ ହୋଇସାରିଛି । ବଜ୍ର ପଡ଼ି ଗଛଟି ଉପୁଡ଼ି ପଡ଼ିବା ପରେ ପବନର ତୀବ୍ର ଗତି ଆହୁରି ତୀବ୍ରତର ହୋଇ ଯାଇଛି । ଅନ୍ଧାର ଓ ନୀରବତା ମାଡ଼ି ଆସୁଥାଏ । ମୁଁ ଚୁପ୍‌ଚାପ୍‌ ସାଧାରଣ ଗତିରେ ଦୌଡୁଥାଏ । ନରମ ରାସ୍ତା ଉପରେ ଚକ ଗଡ଼ିବାର ଶବ୍ଦ ପ୍ରାୟ ଶୁଭୁ ନଥାଏ । ଅନେକ ସମୟ ପର୍ଯ୍ୟନ୍ତ ନା ମାଲିକ ନା ଜନ୍‌ କେହି ବି କଥା କହୁ ନଥାନ୍ତି । ତାପରେ ଅବଶ୍ୟ ମାଲିକ ଖୁବ୍‌ ଗମ୍ଭୀର ସ୍ଵରରେ କଥା ଆରମ୍ଭ କଲେ । ମୁଁ ତ ସମ୍ପୂର୍ଣ୍ଣ କଥା ବୁଝପାରିଲି ନି କିନ୍ତୁ କିଛି କିଛି ବୁଝିଲି । ବୁଝିପାରିଲି ଯେ ସେମାନେ ଜାଣିପାରିଲେ ଯେ ମୁଁ ଯଦି ମାଲିକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଗକୁ ଚାଲିଥାନ୍ତି ନିଶ୍ଚୟ ଆମ ସମସ୍ତଙ୍କର ଅର୍ଥାତ ମାଲିକ, ଜନ, ଗାଡ଼ି ଓ ଘୋଡ଼ାର ଆଜି ନଦୀରେ ସଲିଳ ସମାଧି ହୋଇଥାନ୍ତା । କାରଣ ଜଳସ୍ରୋତ ତୀବ୍ର ଆଉ ପାଖରେ ଆଲୁଅ ବା ସାହାଯ୍ୟକାରୀ ନ ଥିଲେ । ମାଲିକ କହିଲେ ‘‘ଭଗବାନ ମଣିଷକୁ ବୁଝିବା ଶକ୍ତି ଦେଇଥିବାରୁ ସେମାନେ ନିଜକୁ ରକ୍ଷା କରପାରନ୍ତି । କିନ୍ତୁ ପଶୁମାନଙ୍କୁ ସେ ବୁଦ୍ଧି ଦେଇଥାନ୍ତି, ଯାହାଦ୍ୱାରା ସେମାନେ ଚିନ୍ତା ନକରି ସଙ୍ଗେ ସଙ୍ଗେ ନିର୍ଭୁଲ ଭାବେ ମଣିଷର ଜୀବନ ରକ୍ଷା କରିପାରନ୍ତି ।’’ ଜନ ତାପରେ ଘୋଡ଼ା ଓ କୁକୁରଙ୍କ ଏଭଳି କୃତିତ୍ଵର ବହୁ କାହାଣୀ ଶୁଣେଇଲା । ଏହା ବି କହିଲା ଯେ ଏହା ସତ୍ତ୍ଵେ ବି ଲୋକମାନେ ସେମାନଙ୍କ ପଶୁମାନଙ୍କ ଗୁରୁତ୍ଵ ଅଧା ବି ବୁଝନ୍ତିନି କିମ୍ବା ଯେତେ ଯତ୍ନ ଆଦର କରିବା କଥା ତା ବି କରନ୍ତି ନି । ମଣିଷ ପଶୁଙ୍କୁ ଯେତିକି ଆଦର କରିବେ ସେମାନେ ବି ମଣିଷକୁ ସେତିକି ଶ୍ରଦ୍ଧା ଦେବେ- ଏ ବିଷୟରେ ଜନ ନିଶ୍ଚିତ ବୋଲି ବି କହିଲା ।

 

ଅବଶେଷରେ ଆମେ ପାର୍କଗେଟରେ ପହଞ୍ଚିଲୁ । ଦେଖିଲୁ ମାଳୀ ଆମକୁ ଖୋଜିବାରେ ବ୍ୟସ୍ତ । ମାଲିକାଣୀ ସନ୍ଧ୍ୟା ପରଠାରୁ ଭୀଷଣ ବ୍ୟସ୍ତ- ଦୁର୍ଘଟଣା ଘଟିବାର ଭୟରେ । ଆମ ବିଷୟରେ ବୁଝାବୁଝି କରିବାକୁ ସେ ଜଷ୍ଟିସ୍‌ ସହିତ ଜେମ୍‌ସକୁ କାଠ ବନ୍ଧ ପାଖକୁ ପଠେଇ ସାରିଥିଲେ ।

 

ଆମେ ହଲ ଦ୍ୱାରରେ ଏବଂ ଦୋତାଲା ଝରକାରେ ଆଲୁଅ ଜଳୁଥିବାର ଦେଖିଲୁ । ଆମେ ଉପରକୁ ଉଠିଲା ବେଳେ ମାଲିକାଣୀ ବାହାରକୁ ଦୌଡ଼ି ଆସି କହିଲେ, ‘‘ତୁମେ ନିରାପଦ ତ ପ୍ରିୟ ? ଓଃ ନା ନା ଦୁଃଶ୍ଚିନ୍ତା କି ଯେ ଚିନ୍ତା ହେଉଥିଲା । ଦୁର୍ଘଟଣା ପ୍ରଭୃତି ଘଟିବା ଭୟରେ ମୁଁ ବହୁତ ବ୍ୟସ୍ତ ହେଉଥିଲି ।’’

 

‘‘ନାହିଁ ପ୍ରିୟା- ସେମିତି କିଛି ହୋଇ ନାହିଁ । କିନ୍ତୁ ତୁମର ଏଇ ବ୍ଳାକ୍‌ ବିଉଟିଟି ନଥିଲେ ଏବଂ ଆମଠାରୁ ଅଧିକ ବୁଦ୍ଧିମାନ ନ ହୋଇଥିଲେ ଆମେ ସମସ୍ତେ କାଠ ବ୍ରିଜରେ ନଈକୁ ଚାଲିଯାଇଥାନ୍ତୁ । ଆଉ କ’ଣ ସେ କହିଲେ ମୁଁ ଶୁଣିପାରିଲି ନାହିଁ, କାରଣ କହି କହି ସେ ଘର ଭିତରକୁ ଚାଲିଗଲେ । ଜନ ମତେ ଘୋଡ଼ାଶାଳକୁ ନେଇଯାଇ ରାତିରେ ବେଶ ଭଲ ଭଲ ଖାଦ୍ୟ ଖୁଆଇଲା- ଭଲ ଚଷୁ, ଓଟ୍‌ସରେ ବିନ୍‌ ଖଣ୍ଡ ଆଦି । କୁଟାର ମୋଟା ଗଦି ଉପରେ ଶୋଇବାକୁ ଦେଲା । ମୁଁ ଖୁବ୍‌ ଖୁସି ହୋଇ କ୍ଲାନ୍ତିରେ ଗଡ଼ି ପଡ଼ିଲି ।

•••

 

ସଇତାନର କାର୍ଯ୍ୟ

 

ଦିନେ ମାଲିକଙ୍କ କାମରେ ମୁଁ ଏବଂ ଜନ ବାହାରକୁ ଯାଇ ଫେରୁଥି‌ଲୁ । ରାସ୍ତା ଲମ୍ବା ଏବଂ ସିଧା ଥିବାରୁ ଆମେ ନିଃଶବ୍ଦରେ ଆସୁଥିଲୁ । କିଛି ଦୂରରୁ ଆମେ ଦେଖିଲୁ ଯେ ଗୋଟିଏ ବାଳକ ତା ତଟୁଘୋଡ଼ାକୁ ଏକ ଫାଟକ ଡିଆଇଁବାକୁ ଚେଷ୍ଟା କରୁଛି । ଘୋଡ଼ାଟି ମୋଟେ ଡେଇଁବାକୁ ରାଜି ନୁହେଁ, ମାତ୍ର ପିଲାଟି ଚାବୁକ୍‌ରେ ତାକୁ ମାରି ଚାଲିଥାଏ । ଘୋଡ଼ାଟି କିନ୍ତୁ ପିଟା ଖାଇ ଗୋଟିଏ ପଟକୁ ବୁଲିପଡ଼ୁ ଥାଏ । ପିଲା ପୁଣି ଚାବୁକ ମାରିବାରୁ ଆରପଟକୁ ବୁଲିଗଲା । ତାପରେ ବାଳକଟି ଘୋଡ଼ାରୁ ତଳକୁ ଓହ୍ଲେଇପଡ଼ି ତାକୁ ଜୋରରେ ମୁଣ୍ଡକୁ ବାଡ଼େଇଲା । ୟା ପରେ ସେ ପୁଣି ତା ପିଠିରେ ବସି ତାକୁ ଫାଟକ ଡିଆଁଇବାର ଚେଷ୍ଟା କରିବାରେ ଲାଗିଲା । ତଥାପି ଘୋଡ଼ାଟି ନଛୋଡବନ୍ଧା । ଆମେ ସେ ଜାଗାର ପାଖାପାଖି‌ ହେବାରୁ ଦେଖିଲୁ ଯେ ସେ ମୁଣ୍ଡ ତଳକୁ କରି ତାକୁ ଗୋଡ଼ରେ ଛିଞ୍ଚାଡ଼ି ଗୋଟାଏ କଣ୍ଟାବାଡ଼କୁ ଫୋପାଡ଼ି ଦେଲା ଏବଂ ଲଗାମ୍‌ ଝୁଲା ହୋଇଥିବା ଅବସ୍ଥାରେ ଅତି ଦ୍ରୁତ ଗତିରେ ଘର ଆଡ଼କୁ ଦୌଡ଼ିବାରେ ଲାଗିଲା । ଜନ ଜୋରରେ ହସି କରି କହିଲା ‘‘ତାକୁ ଠିକ୍‌ ହେଇଛି ।’’

 

‘‘ଓଃ ଓଃ ଓଃ’’ ପିଲାଟି କଣ୍ଟାରୁ ନିଜକୁ ମୁକ୍ତ କରିବାକୁ ଚେଷ୍ଟା କରୁ କରୁ ଚିତ୍କାର କରୁଥାଏ- ‘‘ମୁଁ ଏଠୁ ଡାକୁଛି ମତେ କେହି ହେଲେ ସାହାଯ୍ୟ କର ।’’

 

‘‘ତୁମକୁ ଧନ୍ୟବାଦ !’’ ଜନ୍‌ କହିଲା ‘‘ମୁଁ ଭାବୁଛି ତୁମେ ଠିକ୍‌ ଜାଗାରେ ହିଁ ଅଛ । ହୁଏତ ଟିକେ ଖଣ୍ଡିଆ ଖାବରା ହୋଇ ଯନ୍ତ୍ରଣା ପାଇଲେ ତୁମେ ବୁଝିପାରିବ ଯେ ଛୋଟ ଘୋଡାକୁ ଫାଟକ ଡିଆଁ ଯାଏନି । କାରଣ ଗେଟ୍‌ ଅନେକ ଉଚ୍ଚ, ତାକୁ ଡେଇଁ ପାରିବା ତା ପକ୍ଷରେ ଅସମ୍ଭବ ।’’ ଏତିକି କହି ଜନ୍‌ ମତେ ଦୌଡ଼େଇଲା ।

 

‘‘ବାଳକଟି ମିଥ୍ୟାବାଦୀ ଓ ନିଷ୍ଠୁର ୟା ବି ହୋଇପାରେ । ଆମେ ତ ବୃଶ୍‌ବି (କୃଷକ) ଙ୍କ ଘରବାଟେ ଯିବା । ଯଦି କିଏ ଆମକୁ କିଛି ପଚାରିବେ ତେବେ ଆମେ ଯାହା ଦେଖିଲୁ କହିବା ।’’ ତେଣୁ ଆମେ ଡାହାଣ ପଟକୁ ହିଁ ମୋଡ଼ିଲୁ । ଫାର୍ମରେ ପହଞ୍ଚିଗଲୁ । ଘରଟା ବି ଦେଖାଯାଉଥାଏ । ବୃଶ୍‌ବି ତରତରରେ ରାସ୍ତା ଆଡ଼କୁ ଯାଉଥିଲେ । ତାଙ୍କ ସ୍ତ୍ରୀ ଗେଟ୍‌ ପାଖରେ ଖୁବ୍‌ ଭୟଭୀତ ହୋଇ ଠିଆ ହୋଇଥାନ୍ତି । ଆମେ ନିକଟକୁ ଆସିବାରୁ ବୃଶ୍‌ବି ପଚାରିଲେ ‘‘ମୋ ପୁଅକୁ ଦେଖିଛ କି ? ଘଣ୍ଟେ ହେଲା ସେ ମୋ କଳା ଘୋଡ଼ାକୁ ନେଇ ଯାଇଥିଲା । ଘୋଡ଼ା ଆସି ଘରେ ମାତ୍ର ସେ ଆସିନି-।’’ ‘‘ସାର୍‌ ମୁଁ ଭାବୁଛି- ଠିକ୍‌ଭାବେ ଚଢ଼ି ନ ଜାଣିଥିବା ଚଢ଼ାଳିକୁ ଘୋଡ଼ା ପିଠିରେ ବସାଇବାଠାରୁ ଘୋଡ଼ା ବିନା ଚଢ଼ାଳିରେ ହିଁ ବୁଲିବା ଉଚିତ୍‌ ।’’ ଜନ୍‌ କହିଲା । ‘‘କଣ ଏମିତି କହୁଛ-?’’ ସେ ପ୍ରଶ୍ନ କଲେ ।

 

‘‘ଶୁଣନ୍ତୁ ସାର । ଆପଣଙ୍କ ପୁଅ ସେ ଘୋଡ଼ାକୁ ଫାଟକ ଡେଇଁବା ନିର୍ଦ୍ଦେଶ ଦେଲା । ସେ ଏତେ ଉଚ୍ଚା ଫାଟକକୁ ଅବା ଡେଇଁ ପାରନ୍ତା କେମିତି ? ତେଣୁ ତାକୁ ଚାବୁକ୍‌ ମାରି ମାରି, ପିଟି ଓ ଗୋଇଠା ମାରିଲା (ନିହାତି ନିର୍ଲଜ ଭାବେ), ଘୋଡ଼ାଟି ଭଲ, କିଛି ଅପରାଧ ମଧ୍ୟ କରିନି । ମାତ୍ର ଶେଷକୁ ସେ ଗୋଡ଼ ଉଠେଇ ବାଳକକୁ କଣ୍ଟା ବୁଦାରେ ଫୋପାଡ଼ି ଦେଇ ଆସିଛି । ମତେ ଆପଣଙ୍କ ପୁଅ ସାହାଯ୍ୟ ପାଇଁ ଡାକୁଥିଲା । କିନ୍ତୁ ମୋର ଏକଦମ୍‌ ଇଚ୍ଛା ହେଲା ନି । ମତେ ମାଫ କରିବେ ସାର୍‌, ହାଡ଼ ଫାଡ଼ ଭାଙ୍ଗିନି । ଖାଲି ଟିକେ ଖଣ୍ଡିଆଖାବରା ହୋଇଯାଇଛି । ମୁଁ ଘୋଡ଼ାକୁ ଭଲ ପାଏ, ତେଣୁ ତାକୁ ଏପରି ବ୍ୟବହାର ଦେଖି ମୋର କଷ୍ଟ ହେଲା । ପଶୁଙ୍କୁ ଏପରି କଷ୍ଟ ଦେବା ଯେ ସେ ତା ଗୋଡ଼ ଆମ ପାଇଁ ବ୍ୟବହାର କରିବ, ଏଟା ଠିକ୍‌ ନୁହେଁ ଏବଂ ଏଇ ପ୍ରଥମଥର ଗୋଡ଼ ଉଠାଇ ଫୋପାଡ଼ିବାଟା କିନ୍ତୁ ଶେଷଥର ନୁହେଁ ।’’

 

ଏହାଭିତରେ ତା ମାଆ କାନ୍ଦିବାକୁ ଆରମ୍ଭ କଲେଣି । ବିଚରା ମୋ ବିଲ୍‌ । ତା ପାଖକୁ ଯିବି । କେତେ କଷ୍ଟ ପାଇଥିବ ।’’

 

‘‘ତୁମେ ଘରକୁ ଯାଅ ଭଲ ହେବ? କୃଷକ କହିଲେ, ‘‘ବିଲ୍‌ର ଏ ବିଷୟରେ ଶିକ୍ଷାହେବା ଆବଶ୍ୟକ ଏବଂ ତାର ସେଟା ପାଇବା ହିଁ ମୁଁ ଚାହେଁ । ଏହା ପ୍ରଥମ ବା ଦ୍ୱିତୀୟବାର ନୁହେଁ, ସବୁବେଳେ ସେ ଘୋଡ଼ାକୁ ବିରକ୍ତ କରୁଛି । ଏହା ମୁଁ ବନ୍ଦ କରିବି । ମୁଁ ଆପଣଙ୍କ ନିକଟରେ କୃତଜ୍ଞ ଭାଇ । ଶୁଭସନ୍ଧ୍ୟା ।’’

 

ଆମେ ଫେରିଲୁ । ରାସ୍ତାସାରା ଜନ ଆଶ୍ଚର୍ଯ୍ୟ ହେଉଥାଏ । ତାପରେ ସେ ଜେମ୍‌ସକୁ ଏକଥା କହିଲା, ସିଏ ବି ହସିଦେଇ କହିଲା, ‘‘ଠିକ୍‌ ହେଇଛି’’ । ମୁଁ ସେ ପିଲାଟାକୁ ସ୍କୁଲରୁ ଜାଣେ । କୃଷକର ପୁଅ ବୋଲି ତାର ଭାରି ଗର୍ବ । ଛୋଟ ପିଲାଙ୍କୁ ହଇରାଣ କରେ । ଅବଶ୍ୟ ଆମେ ବଡ଼ପିଲାମାନେ ତା ହଇରାଣର ଶିକାର ହୋଇନାହୁଁ, ବରଂ ତାକୁ ଜଣେଇ ଦେଇଥିଲୁ ସ୍କୁଲ ଓ ଖେଳପଡ଼ିଆରେ କୃଷକ ଓ ଶ୍ରମିକ ଉଭୟଙ୍କର ସନ୍ତାନ ସମାନ । ଥରେ ମୋର ଭଲ କରି ମନେ ଅଛି ଯେ ଅପରାହ୍ନରେ ସ୍କୁଲର ଠିକ୍‌ ପୂର୍ବରୁ ସେ ଗୋଟାଏ ବଡ଼ ଝରକା ପାଖରେ ବସିବା ମୁଁ ଦେଖିଲି । ଦେଖିଲି ଯେ ସେ ମାଛିମାନଙ୍କୁ ଧରି ସେମାନଙ୍କ ଡେଣାମାନ ଛିଡ଼େଇଦେଇ ଫୋପାଡୁଥିଲା । ସେ ମତେ ଦେଖିପାରି ନଥିଲା । ପଛରୁ ଯାଇ ମୁଁ ଖୁବ୍‌ ଜୋରରେ ତା କାନ ମୋଡ଼ି ଦେଇଥିଲି । ସେ ତଳକୁ ପଡ଼ି ଯାଇ ଚିତ୍କାର କଲା । ମୁଁ ପ୍ରଚଣ୍ଡ ରାଗିଥିଲେ ମଧ୍ୟ ତା ଚିତ୍କାରରେ ଭୟଭୀତ ହୋଇଗଲି । ଖେଳପଡ଼ିଆରୁ ପିଲାମାନେ, ଏପରିକି ରାସ୍ତାରୁ ଶିକ୍ଷକମାନେ କେହି ସ୍କୁଲରେ ଖୁନ୍‌ ହୋଇଛି ଭାବି ଦୌଡ଼ି ଆସିଲେ । ଅବଶ୍ୟ ମୁଁ ସଙ୍ଗେ ସଙ୍ଗେ ପୂରା ଘଟଣା ବର୍ଣ୍ଣନା କରି ମୁଁ କ’ଣ କରିଛି ତାହା ବି କହିଦେଲି । ଝରକା ବାଡ଼ରେ ପଡ଼ିଥିବା ଡେଣାଗୁଡ଼ିକୁ ଦେଖାଇଲି । ଶିକ୍ଷକଙ୍କୁ ମୁଁ ପୂର୍ବରୁ ଏତେ ରାଗିବା ଦେଖି ନଥିଲି । କିନ୍ତୁ ଯେହେତୁ ସେ ପର୍ଯ୍ୟନ୍ତ ବିଲ୍‌ ତଳେ ପଡ଼ି ଚିତ୍କାର କରୁଥିଲା, ତେଣୁ ତାକୁ ବେଶି କିଛି ଶାରୀରିକ ଦଣ୍ଡ ଦିଆଗଲା ନାହିଁ । କେବଳ ଛୁଟି ପର୍ଯ୍ୟନ୍ତ ଟୁଲ ଉପରେ ଠିଆ କରେଇ ଦେଲେ ଏବଂ ସାରା ସପ୍ତାହ ଖେଳପଡ଼ିଆକୁ ନ ଯିବାର ଆଦେଶ ଦେଲେ । ତାପରେ ଶିକ୍ଷକ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏକତ୍ରିତ କରି ନିଷ୍ଠୁରତା ସମ୍ବନ୍ଧରେ କହିଲେ । ଦୁର୍ବଳକୁ ଆଘାତ କରିବା ନିର୍ଦ୍ଦୟତା ଓ କାପୁରୁଷତାର ପ୍ରତୀକ । ତେବେ ସେତେବେଳେ ତାଙ୍କର ଗୋଟିଏ କଥା ମୋର ଚିରସ୍ମରଣୀୟ ହୋଇ ରହିବ । କଥାଟି ହେଉଛି ନିଷ୍ଠୁରତା ହିଁ ସଇତାନର ମୋହର ଏବଂ ଆମେ ଯଦି ଏହି ଆଚରଣ କରି କାହାକୁ ଖୁସି ହେବାର ଦେଖୁ ତେବେ ସେ ହେଉଛି ସଇତାନ । କାରଣ ଅନ୍ୟ ଭାବରେ କହିଲେ ସଇତାନ ହିଁ ପ୍ରଥମେ ହତ୍ୟାକାରୀ ଓ ଶେଷରେ ଯନ୍ତ୍ରଣାକାରୀ । ଯେଉଁଠାରେ ଲୋକେ ପଡୋଶୀକୁ ଭଲପାଆନ୍ତି, ମଣିଷ ଓ ପଶୁକୁ ଦୟା କରନ୍ତି ସେଠାରେ ଈଶ୍ୱର ଥାନ୍ତି । କାରଣ ଈଶ୍ଵର ହିଁ ପ୍ରେମ । ଜନ୍ କହିଲା ’’ତୁମ ଶିକ୍ଷକ ତୁମକୁ ସବୁଠାରୁ ବଡ ଏକ ତଥ୍ୟ ପଢ଼ାଇଛନ୍ତି । ଧର୍ମ ପ୍ରେମ ବିନା ସମ୍ଭବ ନୁହେଁ । ଲୋକେ ନିଜ ଧର୍ମକୁ ଯେତେ ବି ଟେକନ୍ତୁ କିନ୍ତୁ ଯେପର୍ଯ୍ୟନ୍ତ ସେ ଧର୍ମରେ ମଣିଷ ଓ ପଶୁ ପ୍ରତି ଦୟା ଓ ସ୍ନେହର ଶିକ୍ଷା ନଥିବ ତାହା ମିଥ୍ୟା, ସବୁ ମିଥ୍ୟା । ଆଉ ଜେମ୍‌ସ- ଯେତେବେଳେ ଟିକେ ପରିସ୍ଥିତି ବଦଳିବ ସବୁକଥା ଆପେ ଆପେ ବାହାରକୁ ଆସି ପ୍ରକୃତ ତଥ୍ୟ ଜଣାପଡିଯିବ ।

•••

 

ଜେମ୍‌ସ ହାଓ୍ୱାର୍ଡ

 

ଡିସେମ୍ବର ପ୍ରଥମ ଭାଗରେ ଦିନେ ଜନ ମତେ ବୁଲାଇ ସାରି ଠିକ୍‌ ଗୁହାଳରେ ଛାଡ଼ିଲା ବେଳକୁ ଆମ ମାଲିକ ଆସି ପହଞ୍ଚିଲେ । ସେତେବେଳେ ସେ ମତେ ହୁଦା ବାନ୍ଧୁଥିଲା ଏବଂ ଜେମ୍‌ସ ଶସ୍ୟାଗାରରୁ ଓଟ୍‌ସ ଆଣୁଥିଲା । ମାଲିକ ଗମ୍ଭୀର ଭାବେ ଘୋଡ଼ାଶାଳରେ ପଶିଲେ, ହାତରେ ଗୋଟିଏ ଖୋଲା ଚିଠି । ଜନ ମୋ ଘର ଦୁଆର ବନ୍ଦ କରି ତାଙ୍କୁ ଅଭିବାଦନ ଜଣାଇ ତାଙ୍କ ଆଦେଶ ପ୍ରତୀକ୍ଷାରେ ଠିଆ ହେଲା । ‘‘ସୁପ୍ରଭାତ ଜନ୍‌ । ମୁଁ ଜାଣିବାକୁ ଚାହୁଁଛି ଜେମ୍‌ସ କେମିତି ? ତୁମର ତା ବିଷୟରେ କିଛି ଆପତ୍ତି ଅଭିଯୋଗ ଅଛି କି ?’’ଅଭିଯୋଗ ସାର୍‌ ନାହିଁ ତ ।’’

 

‘‘ନିଜ କାମରେ ପରିଶ୍ରମୀ ଏବଂ ତୁମର କଥାର ବାଧ୍ୟ ତ ?’’

‘‘ହଁ ସାର୍‌ ସବୁବେଳେ ।’’

 

‘‘ତୁମ ଅନୁପସ୍ଥିତିରେ ସେ କେବେ ତା କାମରେ ଅବହେଳା କରିବାର ତୁମେ ଲକ୍ଷ୍ୟ କରିଛ କି ?’’

 

‘‘କେବେ ବି ନୁହେଁ ସାର୍‌ ।’’

 

ବାସ୍‌ । ତେବେ ଠିକ୍‌ ଅଛି । ହଁ ଆଉ ଗୋଟାଏ ପ୍ରଶ୍ନ- ତୁମେ ତାକୁ ଯେତେବେଳେ ଘୋଡ଼ା ସହିତ କାମରେ ପଠାଅ ସେ କାମ ନ କରି ପରିଚିତଙ୍କ ସହ ଗପ କରିବା ବା କାହା ଘରେ କାମ ନ ଥାଇ ଆଡ୍ଡା ମାରିବା ଏବଂ ସେ ସମୟରେ ଘୋଡ଼ାମାନେ ବାହାରେ ଥାଆନ୍ତି ଜାଣିଛ କି ? ‘‘ନା ସାର୍‌ ଏସବୁ କେବେ ବି ହୋଇନି । ଜେମ୍‌ସ ବିଷୟରେ ଏମିତି ସବୁ କିଏ କହିଛି ? ମୁଁ ତ ବିଶ୍ଵାସ କରୁ ନି ଆଉ ସାକ୍ଷୀ ପ୍ରମାଣ ନ ଦେଖିଲେ କରିବି ବି ନାହିଁ । ଏପରି ଭାବେ ଜେମ୍‌ସର ଚରିତ୍ର ସଂହାର କିଏ ସେ କରୁଛି ମୁଁ ତ ମୋଟେ ଜାଣି ପାରୁନାହିଁ । କିନ୍ତୁ ଏତକ ମୁଁ ବାଜି ମାରି କହିପାରେ ଯେ ତାଠାରୁ ଦମ୍ଭ ଖୁସିବାସିଆ ସତ୍‌ ସ୍ମାର୍ଟ ଯୁବକ ମୁଁ ଆଜିଯାଏ ଏ ଘୋଡାଶାଳରେ ଦେଖିନି । ମୁଁ ତାର କଥା ଏବଂ କାର୍ଯ୍ୟ ଉଭୟ ବିଶ୍ଵାସ କରେ । ସେ ଭଦ୍ର ଓ ଚତୁରତା ସହ ଘୋଡ଼ାଙ୍କୁ ରଖେ । ତା ହେପାଜତ୍‌ରେ ଘୋଡ଼ାମାନଙ୍କୁ ରଖି ମୁଁ ଯେତେ ଆଶ୍ଵସ୍ତ ହୋଇପାରେ ମୋ ଜାଣିବାରେ ଏଠି ଲେସ୍‌ଲଗା ଟୋପି ସହ ପୋଷାକ ପିନ୍ଧା ଯୁବକ ଅଧାଙ୍କ ପାଖରେ ମୋର ସେ ବିଶ୍ଵାସ ନାହିଁ ।’’

 

ମୁଣ୍ଡ ହଲାଇ ଜନ୍‌ ପୁଣି କହିଲା ‘‘ଯିଏ ଜେମ୍‌ସ ବିଷୟରେ ଜାଣିବାକୁ ଚାହେଁ ସେ ଜନ୍‌ ମ୍ୟାନ୍‌ଲି ନିକଟକୁ ଆସୁ ।’’

 

ଗମ୍ଭୀର ହୋଇ ଓ ମନଦେଇ ମାଲିକ ସବୁ ଶୁଣିଲେ । ଜନ୍‌ର କଥା ଶୁଣିବା ପରେ ତାଙ୍କ ମୁହଁରେ ହସ ଖେଳିଗଲା ଏବଂ ସ୍ନେହଭରା ଚକ୍ଷୁରେ ଜେମ୍‌ସ ଆଡକୁ ଚାହିଁ (ଜେମ୍‌ସ ଦୁଆର ପାଖରେ ଠିଆହୋଇ ସବୁକଥା ଶୁଣିବା ଦେଖି) ସେ କହିଲେ, ‘‘ଜେମ୍‌ସ ବାପଧନ ଓଟ୍‌ସ ରଖିଦେଇ ମୋ ପାଖକୁ ଆସ । ମୁଁ ଭାରି ଖୁସି ଯେ ତୋ ବିଷୟରେ ମୋର ମତ ଆଉ ଜନ୍‌ର ମତ ଏକଦମ୍‌ ଏକା । କାରଣ ଜନ ବି ଖୁବ୍‌ ବୁଦ୍ଧିଆ । ମଜାଳିଆ ହସଟିଏ ହସିଦେଇ ପୁଣି ସେ କହିଲେ ‘‘ସେ ତ ସହଜରେ କାହା ବିଷୟରେ ଭଲମନ୍ଦ କରି ମତାମତ ଦିଏନି । ତେଣୁ ଏଇ ପ୍ରକାରେ ପଚାରି ମୁଁ ସବୁ ବୁଝିନେଲି । ବର୍ତ୍ତମାନ ଆମେ ମୁଖ୍ୟ କଥାକୁ ଆସିବା- କ୍ଳିଫୋର୍ଡ ହଲରୁ ମୋ ଶଳା କ୍ଲିଫୋର୍ଡ ଉଇଲିୟମ୍‌ସ ଗୋଟିଏ ଚିଠି ଦେଇଛନ୍ତି । ସେ ଗୋଟିଏ କୋଡ଼ିଏ ଏକୋଇଶି ବର୍ଷ ବୟସର ସଇସ ଖୋଜି ଦେବା ପାଇଁ ଲେଖିଛନ୍ତି । ସରସ ବୃତ୍ତିରେ ଅଭିଜ୍ଞ ଥିବା ଦରକାର । ତାଙ୍କ କୋଡ଼ିଏ ବର୍ଷର ପୁରୁଣା କୋଚମ୍ୟାନଟି ବୁଢ଼ା ହୋଇ ଦୁର୍ବଳ ହୋଇଗଲାଣି । ସେ ଚାହାନ୍ତି ଯେ ଆଉ ଜଣେ ବର୍ତ୍ତମାନ ତା ସହିତ ରହି ତାଠୁ ବୃତ୍ତି ବିଷୟରେ ଭଲ କରି ବୁଝି ନେବା ପରେ ସେ ଅବସର ନେବ ଏବଂ ତା ଅବସର ପରେ ନୂତନ ସଇସ ତା କାମ ଚଳେଇବ । ସେ ସମ୍ପୂର୍ଣ୍ଣ ଦାୟିତ୍ୱରେ ରହିବ । ପ୍ରଥମରୁ ସେ ସପ୍ତାହକୁ ଅଠର ଶିଲିଂ ପାରିଶ୍ରମିକ ସହ ଘୋଡ଼ାଶାଳର ପୋଷାକ, ଚାଳକର ପୋଷାକ, ରହିବାକୁ ଘର ଆଦି ପାଇବ । ଗୋଟିଏ ପିଲା ମଧ୍ୟ ତାର ସାହାଯ୍ୟକାରୀ ରୂପେ ରହିବ । ସାର୍‌ କ୍ଳିଫୋର୍ଡ ମାଲିକ ହିସାବରେ ଭଲ ଏବଂ ତୁମପାଇଁ ବି ଏଇ ପ୍ରଥମ ଚାକିରିଟି ଭଲ ହେବ । ଅବଶ୍ୟ ମୁଁ ତୁମକୁ ଛାଡ଼ିବାକୁ ଚାହେଁ ନି ଆଉ ଜନ୍‌ ବି ତ ତାର ଡାହାଣ ହାତ ହରାଇଲା ବୋଲି ଜାଣ ।’’

 

ଜନ୍‌ କହିଲା ‘‘ତା ତ ନିଶ୍ଚୟ ସାର୍‌, କିନ୍ତୁ ତା ବୋଲି ତ ମୁଁ ତାର ଭବିଷ୍ୟତ ଆଲୋକ ବନ୍ଦ କରିବିନି ।’’

 

‘‘ଜେମ୍‌ସ ତୁମର ବୟସ କେତେ ?’’ ମାଲିକ ପଚାରିଲେ- ‘‘ଆସନ୍ତା ମେ ମାସରେ ଉଣେଇଶ ବର୍ଷ ପୂରିବ।’’ ‘‘ବେଶ୍‌ କମ୍‌ ତ । ଜନ୍‌ ତୁମ ମତ କଣ ?’

 

‘‘ହଁ ସାର୍‌ କମ୍‌ ହେଲେ ବି ସେ ଯୁବକ ପରି ଦୃଢ଼, ବଳବାନ ଓ ହୁଷ୍ଠପୁଷ୍ଟ ଯଦି ବି ସେ ଗାଡ଼ି ଚଳେଇବାରେ ଏତେ ପଟୁ ହୋଇନି କିନ୍ତୁ ତାର ହାଲୁକା ଦୃଢ଼ ହାତ, ତୀକ୍ଷ୍ମ ଦୃଷ୍ଟି ଏବଂ ଅଧିକ ସାବଧାନ ଥିବାରୁ ମୁଁ ନିଶ୍ଚିତ ହୋଇ କହି ଦେଇପାରେ ଯେ ତା ଦ୍ଵାରା କୌଣସି ଘୋଡ଼ାର କେବେହେଲେ କ୍ଷତି ହେବନାହିଁ । ତୁମ କଥା ବି ତ ସେଠିକୁ ଯିବ । କାରଣ ସାର୍‌ କ୍ଳିଫୋର୍ଡ ଚିଠିରେ ଲେଖୁଛନ୍ତି ‘‘ଯଦି ତୁମ ଜନ୍‌ ଦ୍ଵାରା ଟ୍ରେନିଂ ପାଇଥିବା ପିଲାଟିଏ ମୁଁ ପାଏ ତେବେ ଅନ୍ୟ ପିଲାଠାରୁ ମୁଁ ନିଶ୍ଚୟ ବେଶି ଖୁସି ହେବି । ତେଣୁ ଜେମ୍‌ସ ତୁମେ ରାତ୍ରିଭୋଜନ କଲାବେଳେ ତୁମ ମାଆଙ୍କୁ ପଚାରି ତୁମମାନଙ୍କର ଇଚ୍ଛା ମତେ ଜଣେଇ ଦିଅ ।’’

 

ଏହି କଥାବାର୍ତ୍ତାର ଅଳ୍ପଦିନ ପରେ ଜେମ୍‌ସର କ୍ଳିଫୋର୍ଡ ହଲକୁ ଯିବାର ସ୍ଥିର ହେଲା । ତାଙ୍କ ମାଲିକଙ୍କ ସୁବିଧା ଅନୁଯାୟୀ ସେ ମାସେ ଦୁଇମାସ ଭିତରେ ଯିବ । ଏହି ସମୟ ମଧ୍ୟରେ ତାକୁ ଭଲ ଗାଡ଼ି ଚଳାଇବା ନିମିତ୍ତ ଅଧିକ ଅଭ୍ୟାସ କରିବାକୁ ପଡ଼ିଲା । ଆଗରୁ ଗାଡ଼ି ଏତେ ବେଶି ଥର ବାହାରକୁ ଯିବା ମୁଁ ଦେଖି ନଥିଲି । ପୂର୍ବେ ଯେତେବେଳେ ମାଲିକାଣୀ ସାଥିରେ ଯାଆନ୍ତି ନି ମାଲିକ ଛୋଟଗାଡ଼ି ନେଇ ଯାଉଥିଲେ । ଏବେ ମାଲିକ ହୁଅନ୍ତୁ, କନ୍ୟାମାନେ ହୁଅନ୍ତୁ, ବା ଅନ୍ୟ କେଉଁ କାମରେ ହେଉ ଗାଡ଼ି ଯିବା ମାନେ ମୁଁ ଜିଞ୍ଜର ଟାଣୁ ଓ ଜେମ୍‌ସ ଚଳାଇ ଯାଏ । ପ୍ରଥମ ପ୍ରଥମ ତା ସହ ଜନ୍‌ ମଧ୍ୟ ଯାଉଥିଲା ସବୁ ଆଡକୁ । ପରେ କେବଳ ଜେମ୍‌ସ ହିଁ ଚଳାଇଲା । ଆଉ ଆମ ମାଲିକ ସେତେବେଳେ ଶନିବାର ଦିନଗୁଡିକରେ ସହର ଭିତରର ବେଶ୍‌ ଅଖାଡ଼ୁଆ ରାସ୍ତା ମଧ୍ୟ ଦେଇ ଯାଉଥିଲେ । ଠିକ୍‌ ଟ୍ରେନ ପହଞ୍ଚିବା ବେଳକୁ ସେ ଷ୍ଟେସନକୁ ଯିବେ ନିଶ୍ଚୟ । କାର, ଘୋଡାଗାଡ଼ି, ଶଗଡ଼ ଏବଂ ବସ୍‌ ସମସ୍ତେ ବ୍ରିଜ ଅତିକ୍ରମ କରିବା ପାଇଁ ସେଠି ଭିଡ଼ ଜମେଇଥାନ୍ତି । ରେଳଗାଡ଼ିର ଘଣ୍ଟା ବାଜିବା ବେଳେ ଭଲ ଘୋଡ଼ା ଓ ଭଲ ଚାଳକର ଆବଶ୍ୟକ । କାରଣ ରାସ୍ତା ସରୁଆ ଏବଂ ଷ୍ଟେସନ ପହଞ୍ଚିବା ରାସ୍ତା ବେଶ୍‌ କଷ୍ଟକର ବୁଲାଣି ମଧ୍ୟ । ଏପରି ରାସ୍ତାରେ ଜଣେ ଅନ୍ୟ ଜଣକ ଉପରେ ମାଡ଼ିଯିବାଟା ଖୁବ୍‌ ସହଜ, ଯଦି ଚାଳକ ଓ ଘୋଡ଼ାମାନେ ବୁଦ୍ଧି ଖର୍ଚ୍ଚ କରି ସାବଧାନରେ ନ ଚାଲନ୍ତି ।

•••

 

ପୁରାତନ ଘୋଡ଼ାଚାଳକ

 

ଏହାପରେ ଦିନେ ମୋର ମାଲିକ ଆଉ ମାଲିକାଣୀ ସ୍ଥିର କଲେ ଯେ ଘରଠାରୁ ଛୟାଳିଶ ମାଇଲ୍‌ ଦୂରରେ ଥିବା ବନ୍ଧୁଙ୍କୁ ସେମାନେ ଭେଟିବାକୁ ଯିବେ ଏବଂ ଜେମ୍‌ସ ହିଁ ତାଙ୍କୁ ଗାଡ଼ି ଚଳେଇ ନେବ । ପ୍ରଥମ ଦିନ ଆମେ ବତିଶ ମାଇଲ ଗଲୁ । ଖୁବ୍‌ ବଡ ଉଚ୍ଚ ପାହାଡ଼ିଆ ରାସ୍ତା-। ଅନେକ ଦୂର ବ୍ୟାପିଥାଏ । ଜେମ୍‌ସ ଏତେ ସାବଧାନ ହୋଇ ଏପରି ଭଲ ଚଳାଇଥାଏ ଯେ ଆମକୁ ଗାଡ଼ିଟାଣିବାରେ କଷ୍ଟ ବା ଅସୁବିଧା ଏକଦମ୍‌ ହୋଇ ନଥିଲା । ପାହାଡ଼ରୁ ଆମେ ତଳକୁ ଓହ୍ଲାଇବା ବେଳେ ସେ କେବେହେଲେ ଲଗାମ ଟାଣି ରଖିବାକୁ ଭୁଲି ନଥିଲା କିମା ଠିକ୍‌ ବାଟରେ ନେବାକୁ ବି ଭୁଲି ନଥିଲା । ସବୁଠାରୁ ସମାନ ରାସ୍ତା ଯେଉଁଠି ସେ ଆମକୁ ସେଇ ରାସ୍ତାରେ ଚଲଉଥିଲା । ବେଶି ଉଠାଣିଆ ରାସ୍ତାରେ ସେ ଆମକୁ ବଙ୍କେଇ କରି ଚଲାଏ ଯେମିତିକି ଗାଡ଼ି ପଛକୁ ଚାଲିଯିବନି ଏବଂ ମଝିରେ ଆମର ଆରାମ ପାଇଁ ରହି ରହି ଚଲଉଥିଲା । ଏଇ ସବୁ ଛୋଟ ଛୋଟ ସୁବିଧା ପାଇଁ ଘୋଡ଼ାମାନେ ଖୁସି ହୁଅନ୍ତି ଓ ତାଙ୍କୁ ଭଲ କାମ କରିବାରେ ସାହାଯ୍ୟ ହୁଏ ଏବଂ ସବୁଠୁ ବେଶି ଯଦି ଘୋଡ଼ାଟି ଆଦର ପାଏ ।

 

ଆମେ ଥରେ ଦିଥର ରାସ୍ତାରେ ଅଟକି ଅଟକି ଶେଷରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଗଲୁ । ସହରରେ ସେତେବେଳକୁ ସନ୍ଧ୍ୟା । ସେଠାରେ ଆମର ରାତି ବିତେଇବା କଥା । ମାର୍କେଟରେ ଥିବା ପ୍ରଧାନ ହୋଟେଲକୁ ଗଲୁ । ଖୁବ୍‌ ବଡ଼ ଜାଗା । ବୁଲି କରି ଭିତରେ ଗୋଟାଏ ବଡ଼ ଅଗଣା ପରି ସ୍ଥାନରେ ଘୋଡ଼ାମାନଙ୍କ ପାଇଁ ଘୋଡ଼ାଶାଳମାନ ରହିଥିଲା । ସଇସମାନଙ୍କ ପାଇଁ ମଧ୍ୟ ଘର ଥିଲା-। ଦୁଇଜଣ ଘୋଡ଼ାରକ୍ଷୀ ଆମକୁ ନେଲେ । ମୁଖ୍ୟରକ୍ଷୀ ଖୁବ୍‌ ଚଞ୍ଚଳ ଓ ପ୍ରଫୁଲ୍ଲ । ଛୋଟିଆ ମଣିଷଟିଏ । ତାଙ୍କ ଗୋଡ଼ ବଙ୍କା ଏବଂ ହଳଦିଆ ପଟା ପଟା ରଙ୍ଗର ଗୋଟିଏ ଓ୍ୱେଷ୍ଟକୋଟ ସେ ପିନ୍ଧିଥିଲେ । ମୁଁ ଏତେ ଶୀଘ୍ର ଆମ ପଘା ପ୍ରଭୃତି ଖୋଲିଦେବା କାହାକୁ ବି ଦେଖି ନଥିଲି ସ୍ନେହରେ ଥାପୁଡ଼ାଥାପୁଡ଼ି କରି ନରମ କଥା କହି ସେ ମତେ ଗୋଟାଏ ବଡ଼ ଘୋଡ଼ାଶାଳକୁ ନେଇଗଲେ । ତହିଁରେ ଛଅଟା କି ଆଠଟା ଷ୍ଟଲ ଥିଲା ଏବଂ ସେଠି ଦୁଇତିନିଟି ଘୋଡ଼ା ଥିଲେ । ଅନ୍ୟ ଜଣେ ଜିଞ୍ଜରକୁ ଆଣିଲା । ଜେମ୍‌ସ ଠିଆ ହୋଇଥିବାବେଳେ ସେମାନେ ଆମକୁ ଘଷି ପରିଷ୍କାର କଲେ ।

 

ସେଇ ବୁଢ଼ା ଗେଡ଼ା ଲୋକଟି ମତେ ଯେତେ ଶୀଘ୍ର ଓ ଭଲଭାବେ ପରିଷ୍କାର କଲା, ଆଜିଯାଏ କେହି ହେଲେ ଏପରି କରିପାରି ନଥିଲେ । ସେ କରିସାରିବା ପରେ ପୁଣି ଜେମ୍‌ସ ଆସି ମୋ ଦେହରେ ହାତ ଦେଇ ଠିକ୍‌ ଭାବେ ସଫା ହେଲି କି ନାହିଁ ଦେଖିଲା । ମୋର ମନେ ହେଲା ସେ ବୋଧହୁଏ ମୁଁ ପରିଷ୍କାର ଭଲଭାବେ ହୋଇ ନାହିଁ ଭାବି ଦେଖିବାକୁ ଆସିଥିଲା । କିନ୍ତୁ ମୋ ଚମଡ଼ା ଏକଦମ୍‌ ପରିଷ୍କାର ଓ ସିଲ୍‌କ ପରି ମସୃଣ ଦେଖି ‘‘ବୁଢ଼ାକୁ କହିଲା’’ ମୁଁ ତ ନିଜକୁ ଚଞ୍ଚଳ ଭାବେ, ମୋଠୁ ଜନ୍‌ ଆହୁରି ବେଶି- ଆଉ ଅନେକ ଚଞ୍ଚଳ କାମ କରିବା ଲୋକଙ୍କୁ ଦେଖିଛି ମାତ୍ର ତୁମେ ତ ଆମ ସମସ୍ତଙ୍କୁ ଟପିଗଲ- ଯେମିତି ଚଞ୍ଚଳ ସେମିତି ସୁଚାରୁ କାମ ।

 

‘‘ଅଭ୍ୟାସ କାର୍ଯ୍ୟକୁ ଉତ୍ତମ କରାଏ’’ ଗେଡ଼ା ଲୋକଟି କହିଲା ‘‘ଆଉ ଚାଳିଶ ବର୍ଷର ଅଭ୍ୟାସରେ ଯଦି ଏଇ ଟିକକ ନ କରିପାରିଥାନ୍ତି ତେବେ ଅତ୍ୟନ୍ତ ଲଜ୍ଜାକର ହୋଇଥାନ୍ତା । ଆଉ ଚଞ୍ଚଳତା ସିଏ ବି ଅଭ୍ୟାସ । ଆସ୍ତେ ଆସ୍ତେ କାମ କରିବାକୁ ମତେ ଭଲ ଲାଗେ ନାହିଁ ।

 

ବାରବର୍ଷ ବୟସରୁ ମୁଁ ଏଇ ଘୋଡ଼ାଙ୍କ କାମରେ ନିୟୋଜିତ । ଶିକାରୀ ଘୋଡ଼ା, ରେସ୍‌ ଘୋଡ଼ାଶାଳମାନଙ୍କରେ ଜକିବୟ ଭାବେ କାମ କରିଛି (ଯେହେତୁ ମୋର ଉଚ୍ଚତା କମ୍‌) କିନ୍ତୁ ‘‘ଗୁଡ୍‌ଉଡ୍‌’’ ରେ ଘାସ ପଡ଼ିଆଟା ଖୁବ୍‌ ଖସଡ଼ା ଥିବାରୁ ଘୋଡାଟି ପଡିଗଲା, ମୋର ଆଣ୍ଠୁଟା ବି ଭାଙ୍ଗିଗଲା, ତେଣୁ ସେଠି ଆଉ ମୋ କାମ ରହିଲା ନାହିଁ । ମାତ୍ର ଘୋଡ଼ାଙ୍କ ବିନା ତ ମୁଁ ରହିପାରିବିନି, ନା କେବେ ବି ରହିପାରିବି ନି । ତେଣୁ ଏଇ ହୋଟେଲରେ ଏ ଚାକିରି ନେଲି ଏବଂ ଏହିପରି ଘୋଡ଼ାକୁ ଯତ୍ନ କରିବାରେ ହିଁ ମୋର ଆନନ୍ଦ । ଭଲ ଜାତିର ଆଉ ଭଦ୍ର ଘୋଡ଼ା- ଯେଉଁମାନେ ଅଧିକ ଯତ୍ନରେ ବଡ଼ ହୋଇଥାନ୍ତି । ମାତ୍ର କୋଡ଼ିଏ ମିନିଟ୍‌ ଘୋଡ଼ାକୁ ଦେଲେ ମୁଁ ତାକୁ ଚଳେଇ କହିପାରିବି ଯେ କି ପ୍ରକାର ସଇସ ପାଖରେ ସେ ଥିଲା । ଏଇ ଘୋଡ଼ାଟିକୁ ଦେଖ ନା ! ଭଦ୍ର ଶାନ୍ତ ଶିଷ୍ଟ । ଗୋଡ଼ଟି କି ସୁନ୍ଦର ଭାବେ ଦେଖେଇ ଦେଲା । ସଙ୍ଗେ ସଙ୍ଗେ ନିର୍ଦ୍ଦେଶ ବୁଝିପାରିଲା । ଆଉ ଘୋଡ଼ା ଅଛନ୍ତି କେତେ ପ୍ରକାର ଢଙ୍ଗରଙ୍ଗ ଦେଖେଇ ହଇରାଣ କରନ୍ତି । ପାଖକୁ ଆସିଲେ ମୁଣ୍ଡ ବୁଲାନ୍ତି । ନାନା ପ୍ରକାରେ ସଇସକୁ ହଇରାଣ କରନ୍ତି । ମନେ ହୁଏ ବିଚରାମାନେ ଭୟ ପାଆନ୍ତି ଯେହେତୁ ତାଙ୍କୁ ଠିକ୍‌ ଭାବେ ପାଳନ କରାଯାଇ ନଥାଏ । ସେମାନେ ଭୟ ପାଇଲେ ଚମକି ପଡନ୍ତି ବା ଚୁପ୍‌ ରହନ୍ତି । ପୁଣି ବେଶି ସାହସୀ ହେଲେ ବି ଭୟାନକ ହୁଅନ୍ତି ସେ ଘୋଡାମାନଙ୍କର ପିଲାବେଳୁ ରାଗଟି ବେଶି ଥାଏ । ତୁମ ଉପରେ ଭଗବାନଙ୍କ ଆଶୀର୍ବାଦ ଅଛି । ଖୁବ୍‌ ଭଲ ଟ୍ରେନିଂ ଦେଇଥିବାରୁ ଏ ଘୋଡ଼ାମାନେ ଠିକ୍‌ ହୋଇଅଛନ୍ତି । ବୁଢ଼ା ହୋଇଗଲେ ବି ସେମାନେ ସେମିତ ଭଲ ହିଁ ରହିବେ । କେବଳ ଠିକ୍‌ ସମୟରେ ସୁବିଧା ମିଳିବା ଦରକାର ।’’

 

ଜେମ୍‌ସ କହିଲା ‘‘ତୁମ କଥା ସବୁ ବେଶ୍‌ ଲାଗିଲା, ମାଲିକଙ୍କ ଘରେ ଏମାନଙ୍କୁ ଏହି ପ୍ରକାର ଆମେ ରଖୁ ।’’

 

‘‘ତୁମ ମାଲିକ କିଏ ବାବୁ ? ମୁଁ ତାଙ୍କ ନାଁ ଜାଣିବାକୁ ଚାହେଁ । ଘୋଡ଼ାକୁ ଓ ତୁମକୁ ଦେଖି ସେ ଖୁବ୍‌ ଭଲ ଲୋକ ହୋଇଥିବେ ବୋଲି ମୁଁ ଭାବୁଛି ।’’ ବେକନ୍‌ ହିଲ୍‌ର ଅନ୍ୟପଟକୁ ଥିବା ବର୍ଟଓ୍ୱିକ ପାର୍କରେ ସେ ସ୍କୋୟାର ଗର୍ଡନ’’ ଜେମ୍‌ସ କହିଲା ।

 

‘‘ଓହୋ ! ସିଏ କି ? ଆଛା ଆଚ୍ଛା ମୁଁ ତାଙ୍କ ବିଷୟରେ ଶୁଣିଛି । ସେ ଘୋଡ଼ା ଚିହ୍ନଟରେ ବଡ଼ ଜର୍ଜ କେବଳ ନୁହଁନ୍ତି, ଦେଶର ଜଣେ ପୋଖତ ଘୋଡ଼ାଚଢ଼ାଳୀ । ଜେମ୍‌ସ ଉତ୍ତର ଦେଲା ‘‘ଠିକ୍‌ କଥା ଯେ କିନ୍ତୁ ଏବେ ଆଉ ସିଏ ବେଶୀ ବୁଲାବୁଲି କରୁ ନାହାନ୍ତି, ବିଚରା ପୁଅଟି ମରିଯିବା ପରେ ।’’

 

‘‘ହଁ ହଁ ହାୟ ବିଚରା । ସବୁ ଘଟଣା ମୁଁ ଜାଣେ । ସମ୍ବାଦ ପତ୍ରରେ ପଢିଥିଲି ଗୋଟାଏ ଭଲ ଘୋଡ଼ା ବି ତ ମରିଯାଇଥିଲା । ନୁହେଁ ?’’ ‘‘ହଁ ଭାରି ଚମତ୍କାର ଘୋଡ଼ା, ୟାରି ଭାଇ ତ ଦେଖିବାକୁ ଠିକ୍‌ ୟାରି ପରି ।’’ଜେମ୍‌ସ ଉତ୍ତର ଦେଲା ।

 

‘‘ହାୟ ହାୟ !’’ ବୁଢ଼ା ପୁଣି କହିବାକୁ ଲାଗିଲା ‘‘ସେ ଜାଗାରେ ଡେଇଁବାଟା ମୋଟରୁ ଉଚିତ୍‌ ନଥିଲା । ସରୁ ବାଡ଼ ଆଉ ଝରଣାର ତଳକୁ ନୁହେଁ କି ? ଘୋଡ଼ା ତ କେଉଁଠି କି ଯାଉଛି ଦେଖି ବି ପାରିବ ନି । ମୁଁ ନିଜେ ଖୁବ୍‌ ସାହସୀ ଚଢ଼ାଳୀ, କିନ୍ତୁ କେବଳ ଖୁବ୍‌ ଅଭିଜ୍ଞ ଚଢ଼ାଳି ହିଁ ଏ ଭାବେ ଡେଇଁପାରିବ । ଜଣେ ମଣିଷ ଆଉ ଗୋଟେ ଘୋଡ଼ାଙ୍କ ଜୀବନ ତ ଆଉ ବିଲୁଆ ଲାଙ୍ଗୁଡ ନୁହେଁ, ବହୁମୂଲ୍ୟ ବୋଲି ଅନ୍ତତଃ ମୁଁ କହିବି ।’’

 

ଏହି ସମୟ ମଧ୍ୟରେ ଅନ୍ୟ ଲୋକଟି ଜିଞ୍ଜରକୁ ପରିଷ୍କାର କରି ଦେଇ ଆମ ପାଇଁ ଖାଇବା ବି ଆଣି ଦେଇଥିଲା । ଜେମ୍‌ସ ଆଉ ବୁଢ଼ା ଏକତ୍ର ଘୋଡ଼ାଶାଳ ତ୍ୟାଗ କଲେ ।

•••

 

ଅଗ୍ନିକାଣ୍ତ

 

ସନ୍ଧ୍ୟାରେ କିଛି ସମୟପରେ ଅନ୍ୟ ଅଶ୍ଵରକ୍ଷୀଟି ଜଣେ ପରିବ୍ରାଜକଙ୍କ ଘୋଡ଼ା ଧରି ସେଠି ପହଞ୍ଚି ତାକୁ ପରିଷ୍କାର କରୁଥିଲା । ସେତେବେଳେ ଜଣେ ଯୁବକ ସିଗାରେଟ୍‌ ଟାଣି ଟାଣି ତା ସହ ଗପସପ କରିବା ପାଇଁ ଘୋଡ଼ାଶାଳରେ ପହଞ୍ଚିଗଲେ । ତାକୁ ଦେଖି ସଇସ କହିଲା ‘‘ଟଲର୍‌ ଶୁଣ, ସିଢ଼ିରେ ଟିକେ ଭାଡ଼ି ଉପରକୁ ଉଠିଯାଇ ଘୋଡ଼ା ପାଇ କିଛି କୁଟା ନେଇଆସ, ଆଣି ତାକୁ ଏ ର‍୍ୟାକ୍‌ରେ ରଖ । ହଁ ତୋ ସିଗାରେଟଟା ଏଠି ରଖିଦେଇ ଯା ।’’

 

‘‘ଠିକ୍‌ ଅଛି’’ କହି ସେ ଉପରକୁ ଉଠି ଭାଡ଼ି ଦୁଆରରୁ ତଳକୁ କୁଟା ପକେଇଲା ଜେମ୍‌ସ ଆସି ଆମକୁ ଦେଖିଯିବା ପରେ ସେମାନେ ଘୋଡ଼ାଶାଳ ଚାବି ପକେଇ ଚାଲିଗଲେ ।

 

କେତେ ସମୟ ମୁଁ ଶୋଇଛି କହିପାରିବି ନି ବା ରାତି କେତେଟା ବାଜି ଥିବ ତା ବି କହିପାରିବି ନି–ବହୁତ ଅଶ୍ଵସ୍ତି ଲାଗିବାରୁ ମୋର ନିଦ ହଠାତ ଭାଙ୍ଗି ଗଲା–କ’ଣ ପାଇଁ ବୁଝିପାରୁ ନଥାଏ । ଉଠି ଠିଆ ହେଲି । ଘର ଭିତରେ ରୁନ୍ଧି ହେଲା ପରି ଲାଗିଲା । ଜିଞ୍ଜର କାଶୁଥାଏ, ଅନ୍ୟ ଗୋଟିଏ ଘୋଡ଼ା ଅସ୍ଥିର ହୋଇ ହଲାହଲି କରୁଥାଏ । କିଛି ଦେଖାଯାଉ ନଥାଏ, ସବୁଆଡ ବେଶ୍‌ ଅନ୍ଧାର । ଘର ଧୂଆଁରେ ଭର୍ତ୍ତି ଥିବାରୁ ମତେ ନିଶ୍ଵାସ ନେବାରେ କଷ୍ଟ ହେଉଥାଏ ।

 

ମୁଣ୍ଡ ଉପରେ ଭାଡ଼ିର ଦ୍ଵାର ମେଲା, ଭାଡ଼ି ଭିତରୁ ଧୂଆଁ ଆସିଲା ପରି ମତେ ଲାଗିଲା । ମୁଁ କାନ ପାତିଲି ସଁ ସଁ ଫଡ୍‌ ଫଡ୍‌ ଶବ୍ଦ ଶୁଭିଲା । କିଛି ବୁଝି ନ ପାରିଲେ ବି ଏ ଶବ୍ଦ ଏତେ ଅଦଭୁତ ଯେ ମୁଁ ଥରୁଥିଲି । ସବୁ ଘୋଡ଼ାମାନେ ଉଠିପଡ଼ି

 

ଥାନ୍ତି, କିଏ ଫିତା ଟାଣୁଥାନ୍ତି ତ କିଏ ଗୋଡ଼ ମାଟିରେ ବାଡ଼ଉଥାଏ ।

 

ଅବଶେଷରେ ବାହାରୁ ଶବ୍ଦ ଶୁଣାଗଲା । ଯେଉଁ ସଇସଟି ବାଟୋଇର ଘୋଡ଼ା ଶେଷରେ ଆଣି ରଖିଥିଲା । ସେ ଲଣ୍ଠନଟିଏ ଧରି ଆସି ଘୋଡ଼ାମାନଙ୍କୁ ଖୋଲିଦେବାକୁ ଆରମ୍ଭ କଲା । ସେମାନଙ୍କୁ ଖୋଲି ବାହାରକୁ ବାହାର କରିଦେବା ପାଇଁ ଚେଷ୍ଟା କଲା । କିନ୍ତୁ ସେ ଏତେ ଡରି ଡରି ଓ ଏତେ ଶୀଘ୍ର ଶୀଘ୍ର ଏସବୁ କରୁଥାଏ ଯେ । ମୁଁ ଭୀଷଣ ଭୟଭୀତ ହୋଇଗଲି । ପ୍ରଥମ ଘୋଡ଼ା ଯାଉ ନଥାଏ, ଦ୍ୱିତୀୟ ତୃତୀୟ ବ ସେୟା । ସେମାନେ ହଲିଲେ ବି ନାହିଁ, ତାପରେ ସେ ମୋ ପାଖକୁ ଆସି ମତେ ଜୋରରେ ଟାଣିବାକୁ ଲାଗିଲା, କିଛି ଲାଭ ହେଲା ନି, ସମସ୍ତଙ୍କୁ ଗୋଟି ଗୋଟି କରି ବାହାର କରିବା ପାଇଁ ଚେଷ୍ଟା କରି କେହି ନ ଚଙ୍କିବାରୁ ସେ ଘୋଡ଼ାଶାଳରୁ ଚାଲିଗଲା-

 

ଆମେ ସମସ୍ତେ ଯେ ବୋକା ତହିଁରେ ସନ୍ଦେହ ନାହିଁ । କିନ୍ତୁ ପ୍ରତି କ୍ଷେତ୍ରରେ ବିପଦର ଆଶଙ୍କା ଦେଖି ଆମେ କାହାକୁ ବିଶ୍ଵାସ କରିବୁ ବୁଝିପାରି ନଥିଲୁ । ସବୁ ଅଦ୍‌ଭୁତ ଅନିଶ୍ଚିତ ମନେ ହେଲା । ଖୋଲା ଦୁଆର ଦେଇ ତାଜା ପବନ ପଶିବାରୁ ସମସ୍ତେ ନିଶ୍ଵାସ ନେଇ ପାରିଲୁ । କିନ୍ତୁ ମୁଣ୍ତ ଉପରର ଫଡ୍‌ ଫଡ଼ ଶବ୍ଦ ଆହୁରି ଭୟଙ୍କର ହେବାକୁ ଲାଗିଲା । ମୁଁ ରଡ୍‌ବାଟେ ଉପରକୁ ଚାହିଁଲି । ଦେଖିଲି ଲାଲ ଆଲୁଅ ପରି କାନ୍ଥ ପାଖରେ ଜଳୁଛି । ତାପରେ ବାହାରୁ ନିଆଁ ନିଆଁ ଶବ୍ଦ ଶୁଭାଗଲା । ବୁଢ଼ାରକ୍ଷକଟି ନୀରବରେ ଜଲଦି ଜଲଦି ଆସି ପହଞ୍ଚିଗଲା । ସେ ଗୋଟି ଗୋଟି କରି ଘୋଡ଼ାଙ୍କୁ କାଢ଼ିବାରେ ଲାଗିଲା । କିନ୍ତୁ ନିଆଁ ଭାଡ଼ି ଦୁଆରକୁ ମାଡ଼ି ଆସିଥାଏ ଏବଂ ମୁଣ୍ଡ ଉପରେ ଅଗ୍ନି ଜଳିବାର ଗର୍ଜନ ଭୟଙ୍କର ।

 

ତାପରେ ମୁଁ ଜେମ୍‌ସର ସ୍ଵର ଶୁଣିଲି । ସବୁବେଳ ପରି ଶାନ୍ତ ମଧୁର ସ୍ଵର ‘‘ଆସ ଆମ ଦୁଇ ବିଉଟି, ଆମ ଯିବାବେଳ ବି ହୋଇଗଲାଣି । ତେଣୁ ଉଠ ଆଉ ଚାଲ । ମୁଁ ଦୁଆର ପାଖରେ ଠିଆ ହୋଇଥିବାରୁ ସେ ଭିତରକୁ ପଶି ମତେ ଆଉଁସି ଦେଲା ।

 

‘‘ଆଉ ବିଉଟି ତୁମ ଲଗାମ ସହ ଆମେ ଶୀଘ୍ର ଏଠାରୁ ପଳେଇଯିବା !’’ ମୁହୂର୍ତ୍ତେ ବି ଅପେକ୍ଷା ନକରି ସେ ତା ବେକର ସ୍କାର୍ଫ ମୋ ଆଖିରେ ବାନ୍ଧି ଦେଇ ଜୋରରେ ପାଟିକରି କହିଲା ‘ହେଇଟି କିଏ ଅଛ ? ଆସ ଏ ଘୋଡ଼ାକୁ ଏଠାରୁ ନିଅ, ମୁଁ ଅନ୍ୟଟାକୁ ଆଣିବାକୁ ଯିବି । ଜଣେ ଡେଙ୍ଗା ବଳିଷ୍ଠ ଲୋକ ଆସି ମତେ ଧରିବା ମାତ୍ରେ ଜେମ୍‌ସ ଜିଞ୍ଜରକୁ ଆଣିବାକୁ ଘୋଡ଼ାଶାଳ ଭିତରକୁ ଗଲା । ମୁଁ ସେତେବେଳେ ଖୁସିରେ ଶବ୍ଦ କଲି । ପରେ ମତେ ଜିଞ୍ଜର କହିଲା ଯେ ମୋର ଏଇ ଆନନ୍ଦର ଆହ୍ୱାନଟା ହିଁ ତା ପାଇଁ ସାହାଯ୍ୟକାରୀ ହେଲା । ମୋ ସ୍ଵର ବାହାରୁ ନ ଶୁଣିଥିଲେ ତାର ବାହାରକୁ ଆସିବା ସାହସ କେବେ ହେଇନଥାନ୍ତା ।

 

ଅଗଣା ଭିତରେ ବହୁତ ଗୋଳମାଳ । ଭିନ୍ନ ଘୋଡ଼ାଶାଳମାନଙ୍କରୁ ଅନେକ ଘୋଡ଼ା ବାହାର କରାଯାଉଥାନ୍ତି । ଗାଡ଼ିଗୁଡିକ ମଧ୍ୟ ବାହାର କରାଯାଉଥାଏ, ନହେଲେ ତ ନିଆଁ ଆହୁରି ବେଶି ଜଳିବ । ବିସ୍ତାର କରିବ । ଆର ପାଖରେ ଝରକା ସବୁ ଖୋଲା ହେଲା । ଲୋକମାନେ ନାନା ପ୍ରକାର ଚିତ୍କାର କରି ଗହଳ କରୁଥାନ୍ତି । ମୋ ଆଖି ଦୁଇଟି ଘୋଡ଼ାଶାଳର ଦୁଆର ଉପରେ ସ୍ଥିର ଥାଏ । ସେଇଠୁ ଧୂଆଁ ଏକଦମ୍‌ ଘନହୋଇ ବାହାରୁଥାଏ ଏବଂ ମଝିରେ ମଝିରେ ଲାଲ ନିଆଁ ଦେଖାଯାଉଥାଏ । ଏଇସବୁ ନିଆଁ ଧୂଆଁ ଗହଳି ଭିତରେ ମୁଁ ମୋ ମାଲିକଙ୍କ ଗଳା ପରିଷ୍କାର ଶୁଣିଲି-। ଜେମ୍‌ସ ହାୱର୍ଡ ଜେମ୍‌ସ ହାଓ୍ୱାର୍ଡ ! ସେଠି ଅଛ ତ ? ଉତ୍ତର ନାହିଁ, ମାତ୍ର ଗୁହାଳ ଭିତରୁ ଦୁମ୍‌ କରି ଗୋଟାଏ କଣ ପଡ଼ିବା ଶବ୍ଦ ମୁଁ ଶୁଣିପାରିଲି । ପର ମୁହୂର୍ତ୍ତରେ ମୁଁ ଦେଖିଲି ଧୂଆଁ ଭିତରୁ ଜିଞ୍ଜରକୁ ଧରି ଜେମ୍‌ସ ବାହାରୁଛନ୍ତି । ମୁଁ ମୋର ଆନନ୍ଦଭରା ସ୍ଵରରେ ଉତ୍ତର ଦେଲି । ଜିଞ୍ଜର କାଶିବାରେ ଲାଗିଥାଏ, ଜେମ୍‌ସ ପାଟିରୁ କଥା ବାହାରୁ ନଥାଏ । ‘‘ମୋ ସାହସୀ ପିଲା, କଣ ଯନ୍ତ୍ରଣା ହେଉଛି ?’’ ତା କାନ୍ଧରେ ହାତ ରଖି ପଚାରିଲେ ।

 

ଜେମ୍‌ସ ପାଟିରୁ କଥା ନ ବାହାରୁଥିବାରୁ ସେ ମୁଣ୍ଡ ହଲେଇ ଦେଲା । ଯେଉଁ ବଡ଼ ଲୋକଟି ମତେ ଧରିଥିଲା ସେ କହି ଉଠିଲା ‘‘ବାଃ ବାଃ ସେ ଯେ ସାହସୀ ଏଥିରେ ସନ୍ଦେହ ନାହିଁ ।’’

 

ମାଷ୍ଟର କହିଲେ ‘‘ଜେମ୍‌ସ ତତେ ଟିକେ ଭଲ ଲାଗିଲେ ଯେତେ ଶୀଘ୍ର ହେବ ସେତେ ଶୀଘ୍ର ଏଠୁ ପଳାଇବା । ତାପରେ ଆମେ ପ୍ରବେଶ ଦ୍ଵାର ଆଡ଼କୁ ଗଲାବେଳକୁ ମାର୍କେଟ ପ୍ଲେସରୁ ଘୋଡ଼ାଙ୍କ ଦୌଡ ଏବଂ ଚକ ଗଡ଼ିବାର ଶବ୍ଦ ଶୁଣିବାକୁ ପାଇଲୁ ।

 

‘‘ନିଆଁଲିଭା କଳ ନିଆଁଲିଭା କଳ । ପଛକୁ ଯାଅ ରାସ୍ତା ଛାଡ଼ି ଦିଅ । ତାପରି ଝଣ୍‌ ଝଣ୍‌ ଗର୍ଜନ କରି କରି ଦୁଇଟା ଘୋଡ଼ା ବିରାଟ ଭାରି ଇଞ୍ଜିନକୁ ଟାଣି ଟାଣି ପବନ ଗତିରେ ପଡ଼ିଆ ଆଡକୁ ଦୌଡିଲେ । ନିଆଁଲିଭାଳିମାନେ ନିଆଁ କେଉଁଠି ଲାଗିଛି ଦେଖିବା ପାଇଁ ତଳକୁ ଡେଇଁଲେ । କେଉଁଠି ନିଆଁ ଲାଗିଛି ପଚାରିବାକୁ ପଡ଼ିଲା ନାହିଁ । ଛାତ ଉପରେ ଲହ ଲହ ହୋଇ ଅଗ୍ନିଶିଖା ଉପରକୁ ଉଠୁଛି ।

 

ଆମେ ଅତି ଶୀଘ୍ର ନୀରବରେ ବଡ଼ ମାର୍କେଟ ପ୍ଲେସକୁ ଚାଲିଗଲୁ । ଆକାଶରେ ତାରାମାନେ ଚକ୍‌ ଚକ୍‌ କରୁଥାନ୍ତି। କେବଳ ଆମ ପଛପଟଟାକୁ ବାଦ ଦେଲେ ସବୁଆଡ ଚୁପ୍‌ଚାପ୍‌ । ଅନ୍ୟ ପଟରେ ଥିବା ଏକ ବଡ଼ ହୋଟେଲକୁ ମାଲିକ ଆମମାନଙ୍କୁ ନେଇଗଲେ । ଘୋଡାରକ୍ଷକ ଆସିବାମାତ୍ରେ ମାଲିକ କହିଲେ ‘‘ଜେମ୍‌ସ, ମୁଁ ସଙ୍ଗେ ସଙ୍ଗେ ତୁମ ମାଲିକାଣୀଙ୍କ ପାଖକୁ ଯାଉଛି । ଘୋଡ଼ାମାନେ ତୋ ଦାୟିତ୍ୱରେ ରହିଲେ ।’’ ଏମାନଙ୍କ ପାଇଁ ଯାହା ଆବଶ୍ୟକ ଭାବିବୁ ତୁ ଅର୍ଡର ଦେଇଦେବୁ ।’’ ଏତିକି କହି ସେ ସଙ୍ଗେ ସଙ୍ଗେ ଅଦୃଶ୍ୟ ହେଲେ । ଯଦି ବି ମାଲିକ ଦୌଡୁ ନଥିଲେ, କିନ୍ତୁ ସେଇ ରାତିରେ ତାଙ୍କର ସେଇ ଚାଲିପରି କୌଣସି ମରଣଶୀଳ ମନୁଷ୍ୟର ଏତେ ଜୋରରେ ଚାଲିବାଟା ମୁଁ ଦେଖି ନଥିଲି ।

 

ଆମେ ଷ୍ଟଲକୁ ଯିବାମାତ୍ରେ ଭୟଙ୍କର ଶବ୍ଦ, ଚିତ୍କାର ଆଦି ଶୁଣିଲୁ। ଯେ ଘୋଡ଼ାମାନେ ଗୁହାଳ ମଧ୍ୟରେ ଜୀବନ୍ତ ଦଗ୍ଧ ହେଲେ ସେମାନଙ୍କର ଶବ୍ଦ । ଏହା ଅତି ଭୟଙ୍କର । ମୁଁ ଏବଂ ଜିଞ୍ଜର ଉଭୟ ଅତ୍ୟନ୍ତ ଦୁଃଖୀ ହେଲୁ । ଯାହାହେଉ ଆମେ ଭିତରକୁ ଯାଇ ଆରାମ କଲୁ ।

 

ପରଦିନ ସକାଳୁ ମାଲିକ ଆମ ଖବର ନେବାକୁ ଆସି ଜେମ୍‌ସ ସହିତ କଥାବାର୍ତ୍ତା କଲେ । ରକ୍ଷୀଟି ସେତେବେଳେ ମତେ ପରିଷ୍କାର କରୁଥିବାରୁ ମୁଁ ବେଶ୍‌ କିଛି ଶୁଣିପାରିଲି ନି, କିଛୁ ଜେମ୍‌ସ ଯେ ପ୍ରଚଣ୍ଡ ଖୁସି ହୋଇଛି ସେତକ ଦେଖି ପାରିଲି । ମାଲିକ ତା ପାଇଁ ଗର୍ବିତ ବୋଲି ବୋଧହୁଏ କହିଥିଲେ । ଗତରାତ୍ରୀର ଘଟଣାରେ ମାଲିକାଣୀ ଅତ୍ୟଧିକ ବ୍ୟସ୍ତ ହୋଇ ପଡ଼ିଥିବାରୁ ଆମ ଯାତ୍ରା ଉପରଓଳା ପାଇଁ ସ୍ଥଗିତ ରହିଲା । ସକାଳେ ଜେମ୍‌ସର କାଶ ନ ଥିଲା । ତେଣୁ ଆମେ ପୁଣି ଧର୍ମଶାଳାକୁ ଗଲୁ, ଆମ ଯୋଚାହେବା ସରଞ୍ଜାମ ଏବଂ ଗାଡ଼ି ଦେଖିଲୁ । ଅଗ୍ନିକାଣ୍ଡ ବିଷୟରେ ଅନେକ କିଛି ବି ଶୁଣିଲୁ । ଆମେ ଫେରିବା ପରେ ଜେମ୍‌ସ ହୋଟେଲର ଅଶ୍ୱରକ୍ଷୀକୁ ଏ ବିଷୟରେ କହିବା ଆମେ ଶୁଣିଲୁ । ସେ କହିଲା ଯେ ପ୍ରଥମରୁ କେମିତି ନିଆଁ ଲାଗିଲା କେହି ବୁଝିପାରିଲେ ନାହିଁ । ଶେଷରେ ଜଣେ ଲୋକ କହିଲା ସେ ଡିକ୍‌ ଟଲର୍‌କୁ ମୁହଁରେ ଜଳନ୍ତା ପାଇପ୍‌ ରଖି ଗୁହାଳ ଭିତରକୁ ଯିବା ସେ ଦେଖିଥିଲା, ମାତ୍ର ଫେରିବାବେଳେ ପାଇପ ନାହିଁ । ଆଉ ଗୋଟାଏ ପାଇଁ ଟ୍ୟାପ ପାଖକୁ ଯିବା ମଧ୍ୟ ସେ ଦେଖିଛି । ତାପରେ ସହକାରୀ ରକ୍ଷୀ କହିଲା ଯେ ସେ କୁଟା ପାଇଁ ଗଲାବେଳେ ପାଇପ ରଖିଯିବାକୁ କହିବା ସତ୍ତ୍ଵେ ସେ ବୋଧେ ତାହା କରି ନଥିଲା-। ଡିକ୍‌ କିନ୍ତୁ ସାଥିରେ ସିଗାରେଟ ନେଇଛି ବୋଲି ମୋଟରୁ ମାନୁ ନଥିଲା । କିନ୍ତୁ କେହି ବି ତା କଥା ବିଶ୍ଵାସ କଲେ ନାହିଁ । ମୁଁ ଜନ୍‌ ମ୍ୟାନ୍‌ଲିଙ୍କୁ ମନେ ପକାଇଲି । ତାଙ୍କ ନିୟମ ଅନୁଯାୟୀ ଗୁହାଳରେ ସିଗାରେଟ ପିଇବା ମନା । ମୁଁ ଭାବିଲି ଏ ଅନୁମତି କୌଣସି ସ୍ଥାନରେ ବି ଦେବା ଉଚିତ ନୁହେଁ ।

 

ଜେମ୍‌ସ କହିଲା ଛାତ ଓ ଚଟାଣ ସବୁ ଜଳି ପଡ଼ିଯାଇଛି । କେବଳ ଧୂଆଁରେ କଳା କାନ୍ଥଗୁଡିକ ଅଛି । ଦୁଇଟା ଘୋଡ଼ାକୁ ବାହାର କରାଯାଇ ନ ପାରିଥିବାରୁ ସେମାନେ ଜଳନ୍ତା ଛାତ ଆଉ ଚଟାଣ ମଧ୍ୟରେ ସମାଧି ପାଇଛନ୍ତି ।

•••

 

ଜନ୍‌ ମ୍ୟାନ୍‌ଲି

 

ଏହା ପରର ଯାତ୍ରା ବେଶ୍‌ ସହଜ । ସୂର୍ଯ୍ୟାସ୍ତର ସାମାନ୍ୟ ପରେ ଆମେ ମାଲିକଙ୍କ ବନ୍ଧୁ ଘରେ ପହଞ୍ଚିଲୁ । ସେଠି ଆମକୁ ଗୋଟିଏ ପରିଷ୍କାର ପରିଚ୍ଛନ୍ନ ଘୋଡ଼ାଶାଳକୁ ନିଆଗଲା । ଦୟାଳୁ କୋଚମ୍ୟାନ ଜଣକ ଆମକୁ ବେଶ୍‌ ଆରାମରେ ମଧ୍ୟ ରଖିଲା । ଅଗ୍ନିକାଣ୍ଡ କଥା ଶୁଣି ସେ ବି ଜେମ୍‌ସକୁ ଭାରି ପ୍ରଶଂସା କରିଥିଲା ।

 

ସେ କହିଲା ‘‘ଏଇ କଥାଟି ଏଥିରୁ ପରିଷ୍କାର ଜଣାଗଲ। ଯେ ତୁମ ଘୋଡ଼ାମାନଙ୍କର ତୁମ ଉପରେ ଅଗାଧ ବିଶ୍ଵାସ । ପ୍ରକୃତରେ ବନ୍ୟା ବା ଅଗ୍ନିକାଣ୍ଡ ବେଳେ ଘୋଡ଼ାଙ୍କୁ ବାହାର କରି ଆଣିବା ଭାରି କଷ୍ଠକର । ସେମାନେ କ’ଣ ପାଇଁ ବାହାରନ୍ତି ନି ମୁଁ ତ ଜାଣିନି ମାତ୍ର ବାହାରନ୍ତି ନାହିଁ ତାହା ଜାଣେ, ଅନ୍ତତଃ ଜଣେ ବି ନୁହେଁ । ଆମେ ସେଠି ଦୁଇ କି ତିନିଦିନ ରହି ଘରକୁ ଫେରିଲୁ । ଯାତ୍ରା ବେଶ୍‌ ଭଲ ଲାଗିଲା । ନିଜ ଘରେ ପହଞ୍ଚିବା ପରେ ଅବଶ୍ୟ ଆମେ ଖୁସି ହେଲୁ, ଜନ୍‌ ମଧ୍ୟ ବେଶ୍‌ ଖୁସି ହେଲା ।

 

ରାତିରେ ଆମକୁ ଛାଡ଼ିଯିବା ବେଳକୁ ଜେମ୍‌ସ ଜନ୍‌କୁ ପଚାରିଲା ‘‘ମୋ ସ୍ଥାନରେ କିଏ ଆସିବ ଜାଣିବାକୁ ମୋର ଖୁବ୍‌ ଆଗ୍ରହ ହେଉଛି ।’’ ‘‘ଲଜ୍‌ର ଛୋଟ ଜୋ ଗ୍ରୀନ’’ ଜନ୍‌ ଉତ୍ତର ଦେଲା-

 

‘‘ଜୋ ଗ୍ରିନ୍‌ ! ସେ ତ ଏକଦମ୍‌ ପିଲା ।’’

 

‘‘ତାର ବୟସ ଚଉଦ ବର୍ଷ ଛଅ ମାସ ।’’ ‘‘କିନ୍ତୁ ବେଶ୍‌ ଛୋଟ ଲାଗେ ।’’ ‘‘ହଁ ଛୋଟ ନିଶ୍ଚୟ କିନ୍ତୁ ଚଞ୍ଚଳ, ବାଧ୍ୟ, ଦୟାଳୁ । ଏହା ଛଡ଼ା ତାର ମଧ୍ୟ ଏଠି ଆସି କାମ କରିବାକୁ ଖୁବ୍‌ ଇଚ୍ଛା । ତା ବାପର ବି ଇଚ୍ଛା, ଆଉ ଆମ ମାଲିକ ମଧ୍ୟ ତାକୁ ଗୋଟାଏ ସୁଯୋଗ ଦେବା ପାଇଁ ଯେ ଚାହିଁବେ ଏ କଥା ବି ମୁଁ ଜାଣିଛି । ମାଲିକ ଅବଶ୍ୟ ମୋ ମତାମତ ପଚାରିଥିଲେ । ମୁଁ ଯଦି ଆଉ ଟିକେ ବଡ଼ ପିଲାପାଇଁ କହିଥାନ୍ତି ହୁଏତ ସେ ବଡ଼ ପିଲା ଖୋଜିଥାନ୍ତେ । ମାତ୍ର ମୁଁ ମୋର ଇଚ୍ଛା ଜଣାଇଥିଲି । ଅନ୍ତତଃ ଛଅ ସପ୍ତାହ ତାକୁ କାମ କରେଇ ଦେଖିବି ।’’

 

ଛଅ ସପ୍ତାହ ମୋଟେ- କାହିଁକି, ତାକୁ ଠିକ୍‌ ଭାବେ କାମ ଶିଖିବାକୁ ଅନ୍ତତଃ ଛଅମାସ ଲାଗିବ । ତୁମକୁ ଅନେକ ପରିଶ୍ରମ ପଡ଼ିବ ଜନ୍ ।’’ ଜେମ୍‌ସ ଏହା କହିବାରୁ ଜନ୍ ହସି କରି କହିଲା ‘‘ମୁଁ ଓ କାମ ହେଉଛୁ ବିଶିଷ୍ଟ ବନ୍ଧୁ । କାମ କରିବାକୁ ମୁଁ ଭୟ଼ କରେ ନାହିଁ ।’’

 

ଜେମ୍‌ସ କହିଲା ମୋର ଇଚ୍ଛା ମୁଁ ତୁମରି ପରି ଭଲ ଲୋକ ଯେମିତି ହେବି । ଜନ୍ ଏହାପରେ କହିଲା ‘‘ନିଜ ବିଷୟରେ ମୁଁ କେବେ କିଛି କହିନି, କିନ୍ତୁ ଯେହେତୁ ତୁ ଚାଲିଯାଉଛ ଦୁନିଆଦାରୀ ବୁଝେଇବା ପାଇଁ ମୁଁ କ’ଣ କେମିତି କରିଆସିଛି କହିବି । ଯୋଶେଫ୍‌ ପରି ଛୋଟ ଥିଲାବେଳେ ମୋର ପିତାମାତାଙ୍କର ମାତ୍ର ଦଶଟି ଦିନ ବ୍ୟବଧାନରେ ମୃତ୍ୟୁ ହେଲା । ଗୋଟିଏ ଅପାହିଜ ଭଉଣୀ ବ୍ୟତୀତ ଏ ପୃଥିବୀରେ ମୋର ନିଜର ବୋଲି କହିବା ପାଇଁ କେହି ନଥିଲେ। ଏମିତି କେହି ସମ୍ପର୍କୀୟ ବି ନଥିଲେ ଯାହାଠାରୁ ଆମେ କିଛି ସାହାଯ୍ୟ ପାଇପାରିଥାନ୍ତୁ । ମୁଁ ଚାଷୀ ପିଲା, ଯେତିକି ଅର୍ଜନ କରୁଥିଲି ମୋ ନିଜ ପାଇଁ ବି ଯଥେଷ୍ଟ ନଥିଲା- ଆଉ ଦିଜଣଙ୍କୁ ବା କେମିତି ହେବ । ସେ ଓ୍ୱର୍କ ହାଉସକୁ ନିଶ୍ଚିତ ଯାଇଥାନ୍ତା, ଯଦି ଆମ ମାଲିକାଣୀ ତାର ବ୍ୟବସ୍ଥାଟିକ କରି ନଦେଇଥାନ୍ତେ । ସେଇଥିପାଇଁ ସେ ମାଲିକାଣୀଙ୍କୁ ଅପ୍ସରା କହେ (କହିବା କଥା ମଧ୍ୟ) । ସେ ଯାଇ ଜଣେ ବିଧବା ମହିଳା ଶ୍ରୀମତୀ ମିଲେଟ୍‌ଙ୍କଠାରୁ ବଖରେ ଘର ଭଡା ନେଲେ ଏବଂ ମୋ ଭଉଣୀ ଜେଲିକୁ ସିଲେଇ ଆଉ ବୁଣାବୁଣି କାମ ଶିଖେଇଲେ ଓ ତାପରେ ତାହା କରେଇଲେ । ସେ ଅସୁସ୍ଥ ହେଲେ ମାଆ ପରି ତାକୁ ଖାଦ୍ୟ ଓ ଅନ୍ୟାନ୍ୟ ଜିନିଷ ପଠାନ୍ତି । ତାପରେ ଆମ ମାଲିକ ମତେ ରଖିଲେ । ତାଙ୍କ ଘରେ ଥାଏ, ପୁଣି ଭାଡ଼ି ଉପରେ ଶୁଏ । ମତେ ପୋଷାକପତ୍ର ସହ ତିନି ଶିଲିଂ କରି ହପ୍ତାକୁ ଦିଅନ୍ତି, ଯେମିତି ମୁଁ ଜେଲିକୁ ବି ସାହାଯ୍ୟ କରିପାରିବି । ତାପରେ ମାଲିକ ମତେ ତାଙ୍କ ବୁଢ଼ା କୋଚମ୍ୟାନ୍‌ ସହକାରୀ ଭାବେ ରଖିଲେ । ପ୍ରଥମେ ସେ ବୁଢ଼ା କୋଚମ୍ୟାନ ନର୍ମାନ ନିଶ୍ଚୟ ଆପତ୍ତି କରିଥିବ ଯେ ମୋ ପରି ଚାଷପଡ଼ିଆରୁ ଆସିଥିବା ଏକଦମ୍‌ ଅନଭିଜ୍ଞ ପିଲା ନେଇ ସେ କେମିତି ଚଳେଇବ। ତାର ତ ବୟସ ହୋଇଥିଲା । କିନ୍ତୁ ତଥାପି ମତେ ସେ ନିଜେ କଷ୍ଠ କରି ବାପଭଳିଆ ପ୍ରତ୍ୟେକ କାମ ଗୋଟି ଗୋଟି କରି ଶିଖଉଥିଲା । କିଛି ବର୍ଷ ପରେ ସେ ମରିଯିବାରୁ ମୁଁ ତା ସ୍ଥାନରେ ବାହାଲ ହେଲି । ବର୍ତ୍ତମାନ ମତେ ଅଧିକ ମଜୁରି ମିଳିଲା । ବର୍ଷା ହେଉ କି ଖରାହେଉ ମୁଁ ଟିକେ ଆରାମ ପାଇଲି ଏବଂ ନେଲି ପକ୍ଷୀଟିଏ ପରି ଖୁସିରେ ବୁଲିଲା । ମୁଁ ଛୋଟପିଲାଙ୍କୁ ମୁହଁ ଫେରାଏନି ବା ମାଲିକଙ୍କୁ ବ୍ୟସ୍ତ କରେନି । ନା ନା, ଜେମ୍‌ସ ମୁଁ ତତେ ବହୁତ ମିସ୍‌ କରିବି, କିନ୍ତୁ ଚଳେଇନେବି । ଜୀବନପଥରେ କିଛି ବାଧା ଆସିଲେ ଆନନ୍ଦର ସହ ତା ସହ୍ୟ କରି ଆଗେଇ ଯିବା କଥା ମୁଁ ଖୁସି ଯେ ସବୁ ପାରିବି ଜେମ୍‌ସ କହିଲା ‘‘ତେବେ ତୁମେ କେବେ ବି କହିବ ନାହିଁ ଯେ ପ୍ରତ୍ୟେକ ଲୋକ କେବଳ ନିଜକୁ ହିଁ ଦେଖନ୍ତି ଏବଂ ପ୍ରଥମ ଯତ୍ନ ନିଜର ନିଅନ୍ତି । ତା ତ ସତ । ଯଦି ମାଲିକ ମାଲିକାଣି କେବଳ ପ୍ରଥମ ପ୍ରଥମଟିକୁ ଦେଖିଥାନ୍ତେ ଆଜି ମୁଁ ଆଉ ନେଲି କେଉଁଠି ଥାଆନ୍ତୁ’’ ? ଜନ୍‌ ଉତ୍ତର ଦେଲା । ‘‘ନେଲି ଆଜି ୱର୍କ ହାଉସରେ ଆଉ ମୁଁ ଗାଜର ଚାଷ କରୁଥାନ୍ତି। ବ୍ଲାକ ବିଉଟି ଆଉ ଜିଞ୍ଜର ଅବା ଆଜି କେଉଁଠି ଥାଆନ୍ତେ? ମଣିଷ କେବଳ ଯଦି ନିଜକୁ ହିଁ ଦେଖନ୍ତା । ନା ଜେମ୍‌ସ ନା ଏହା ଏକ ସ୍ୱାର୍ଥପର କଥା ଯିଏ କହେ ବା କରେ । ଯେ ଭାବେ ଯେ କେବଳ ନିଜ ଛଡା ଆଉ କାହା ପାଇଁ କିଛି କରିବନି ସେ ଆଖି ଫିଟିବା ପୂର୍ବରୁ ବୁଡ଼ିଯାଉଥିବା କୁକୁର ଛୁଆଟିଏ ପରି । ମୋର ତ ଏଇ ଧାରଣା ।’’ ଜନ୍ ପୁଣି ମୁଣ୍ଡ ହଲେଇ ନିଶ୍ଚିତ ମନରେ କହିଲା ।

 

ଜେମ୍‌ସ ହସିକରି କହିଲା ‘‘ମାଆ ପରେ ତୁମେ ହିଁ ମୋର ସବୁଠାରୁ ବଡ ବନ୍ଧୁ । ମୋର ଆଶା ତୁମେ ମତେ ଭୁଲିଯିବ ନାହିଁ ।’’

 

ପରଦିନ ଜୋ ଆସିଲା । ଜେମ୍‌ସ ଚାଲିଯିବା ପୂର୍ବରୁ ତାଠାରୁ ସେ କାମତକ ଶିଖିବା ଦରକାର । ସେ ଘୋଡ଼ାଶାଳ ପରିଷ୍କାର କରିବା, କୁଟା ଆଣି ରଖିବା, ଗାଡ଼ି ଧୋଇବା ଇତ୍ୟାଦି ସବୁ କାମ ଶିଖିଲା । ଆମମାନଙ୍କୁ ପରିଷ୍କାର କରିବା ପାଇଁ ଯଥେଷ୍ଟ ବଡ଼ ହୋଇ ନଥିବାରୁ କେବଳ ମେରିଲେଗ୍‌ସକୁ ସଫା କରିବାକୁ ସେ ପ୍ରଥମେ ଶିଖିଲା । କଥା ହେଲା ଜନ ଅଧୀନରେ ରହି ମେରିଲେଗ୍‌ସର ସମସ୍ତ ଦାୟିତ୍ୱ ସେହିଁ ନେବ । ଖୁସିରେ ସେ କାମକୁ ଆସେ । ମେରିଲେଗ୍‌ସ ଟିକେ ଦୁଃଖୀ ହେଲା, ତାର ଯତ୍ନ ଏଇ ଛୋଟ ଅନ୍ଧ ପିଲା କରିବ । କିନ୍ତୁ ଦୁଇ ସପ୍ତାହ ମଧ୍ୟରେ ସେ ଜୋ’କୁ ପ୍ରଶଂସା କରିବାରେ ଲାଗିଲା ।

 

ଅବଶେଷରେ ଜେମ୍‌ସର ଯିବାଦିନ ଆସିଗଲା । ସଦା ହସ ହସ ଜେମ୍‌ସ ସେଦିନ ସକାଳୁ ବିଷର୍ଣ୍ଣ ଦେଖାଯାଉଥାଏ । ଜନ୍‌କୁ କହିଲା ‘‘ଅନେକ କିଛି ମୁଁ ଏଠି ଛାଡ଼ି ଯାଉଛି- ମାଆ, ବେଟ୍‌ସି ଓ ତୁମକୁ । ଆଉ ମଧ୍ୟ ଛାଡ଼ି ଯାଉଛି ମୋର ଭଲ ମାଲିକ, ମାଲିକାଣୀଙ୍କୁ; ଏଇ ଘୋଡ଼ାମାନଙ୍କୁ, ବୁଢ଼ା ମେରିଲେଗ୍‌ସକୁ ନୂଆ ଜାଗାରେ ତ ମୁଁ କାହାରିକୁ ଚିହ୍ନି ନାହିଁ । ଯଦି ମତେ ଉଚ୍ଚ ପଦବୀ ଆଉ ବେଶି ପଇସା ମିଳୁ ନଥାନ୍ତା ମୁଁ କେବେ ବି ତୁମମାନଙ୍କୁ ଛାଡିବା କଥା ଭାବି ନଥାନ୍ତି । ଯେହେତୁ ମାଆର ମୋର ଟିକେ ବେଶି ସୁବିଧା ହେବ, ମୁଁ ବେଶି ଦେଇ ପାରିବି ତେଣୁ ମୁଁ ଯାଉଛି । କିନ୍ତୁ ଏଇ ବିଚ୍ଛେଦଟା ମତେ କଣ୍ଟା ଫୋଡ଼ି ହେଲା ପରି ଲାଗୁଛି ।

 

‘‘ଆରେ ଜେମ୍‌ସ ସେ ତ ସତ କଥା । ମୁଁ କିନ୍ତୁ ତୋ ପାଇଁ ବେଶି ଚିନ୍ତିତ ହେବି ନାହିଁ । ପ୍ରଥମଥର ଘର ଛାଡ଼ିବାରୁ ଖରାପ ଲାଗୁଛି ବୁଝୁଛି । ଦୁଃଖ କର ନା ସେଠାକୁ ଗଲେ ଧୀରେ ଧୀରେ ସମସ୍ତଙ୍କୁ ଚିହ୍ନିବୁ- ସମସ୍ତଙ୍କର ପ୍ରିୟ ଯେ ହେବୁ ମୁଁ ଠିକ୍‌ ଜାଣେ । ତୋ ମାଆ ଖୁସି ହେବେ । ପୁଣି ତୋର ଉଚ୍ଚ ପଦବୀ ଏବଂ ବେତନ ପାଇଁ ଗର୍ବ ଅନୁଭବ ବି କରିବେ ।

 

ଏହିପରି ଜନ୍ ତାକୁ ସାନ୍ତ୍ୱନା ଦେଲା । ତାର ଚାଲିଯିବାର ପ୍ରତ୍ୟେକେ ଦୁଃଖୀ ହେଉଥାନ୍ତି-। ମେରିଲେଗ୍‌ସ ଅନେକ ଦିନ ଯାଏଁ ନଖାଇ ନପିଇ ଦୁଃଖ କଲା । ତେଣୁ ଅନେକ ଦିନ ପର୍ଯ୍ୟନ୍ତ ଜନ୍‌ ସକାଳୁ ମତେ ବ୍ୟାୟାମ ପାଇଁ ନେଲାବେଳେ ତାକୁ ବି ଲଗାମ ଦେଇ ସାଥିରେ ନିଏ-। ମୋ ସହ ଦୌଡ଼ା ଦୌଡ଼ି କରି ସେ ବି ପ୍ରସନ୍ନ ହୁଏ । କିଛି ଦିନ ପରେ ସେ ପୁଣି ଠିକ୍‌ ହୋଇଗଲା-। ଜୋ’ର ପିତା ପ୍ରାୟ ଆସି ତାକୁ କାମରେ ସାହାଯ୍ୟ କରନ୍ତି । ଜୋ ମଧ୍ୟ କାମ ଶିଖିବାରେ ଉତ୍ସାହୀ ଥିଲା । ଜନ୍‌ର ମଧ୍ୟ ତା ଉପରେ ବେଶ୍‌ ଭରସା ରହିଥାଏ ।

•••

 

ମାଲିକାଣୀଙ୍କ ଅସୁସ୍ଥତା

 

ଜେମ୍‌ସ ଚାଲିଯିବାର ଅଳ୍ପଦିନ ପରେ ଦିନେ ମୁଁ ଖାଇଦେଇ ମୋ ଗଦି ଉପରେ ଗାଢ଼ ନିଦରେ ଶୋଇଥିଲାବେଳେ ହଠାତ୍‌ ଘୋଡ଼ାଶାଳର ଘଣ୍ଟି ବେଶ୍‌ ଜୋରରେ ବାଜି ଉଠିଲା । ମୁଁ ଧଡ଼ କରି ଉଠି ପଡିଲି । ଜନ୍‌ ଘରର ଦୁଆର ମେଲା ହେବା ଶବ୍ଦ ମୋ କାନରେପଡିଲା ଏବଂ ତାର ହଲକୁ ଦୌଡ଼ିବା ପଦଶବ୍ଦ ମଧ୍ୟ ଶୁଭିଲା । ସଙ୍ଗେ ସଙ୍ଗେ ପୁଣି ସେ ଆସି ଆମ ଦ୍ୱାରର ଚାବି ଫିଟେଇ ଭିତରକୁ ଆସି ଚିତ୍କାର କଲା, “ଉଠ ଉଠ ବିଉଟି ସଙ୍ଗେ ସଙ୍ଗେ ବାହାରିବାକୁ ପଡିବ ।’’ କଣ ହେଲା ଚିନ୍ତା କରିବା ପୂର୍ବରୁ ମୋ ମୁଣ୍ଡରେ ପଟି ଲଗାମ୍‌ ଓ ପିଠିରେ ବୁଦା ବନ୍ଧା ସରିଲାଣି । ତା କୋଟ୍‌ ଆଣିବାକୁ ସେ ଦୌଡିଲା ଏବଂ ମତେ ଆସି ଶୀଘ୍ର ଚଲେଇ ହଲ ଦୁଆରକୁ ନେଲା । ସ୍କୋୟାର ଲ୍ୟାଂପଟିଏ ଧରି ସେଠି ଠିଆହୋଇଥିଲେ । ସେ କହିଲେ ଯେତେ ଚଞ୍ଚଳ ପାର ସେତେ ଚଞ୍ଚଳ ଯାଇ ଏ ଚିଠିଟି ଡାହ୍ୱାଇଟ୍‌ଙ୍କୁ ଦେବ- ଏ ତୁମ ଜୀବନ ଅର୍ଥାତ୍‌ ତୁମ ମାଲିକାଣୀଙ୍କ ଜୀବନ ରକ୍ଷା ପାଇଁ, ତେଣୁ ମୁହୂର୍ତ୍ତଟେବି ନଷ୍ଟ କରିବ ନି । ଘୋଡ଼ାକୁ ଲନ୍‌ରେ ଠିକ୍‌ ଭାବେ ବିଶ୍ରାମ କରେଇ ଯେତେ ଶୀଘ୍ର ପାର ଚାଲି ଆସିବ ।’’ ଚିଠିଟି ତାଙ୍କ ହାତରୁ ନେଇ ଜନ୍‌ କହିଲା, ‘‘ଆଜ୍ଞା ସାର୍‌’’ ଏବଂ ମିନିଟ୍‌କରେ ମୋ ପିଠିରେ ବସିଗଲା । ଗେଟ୍‌ ପାଖ ମାଳୀଟି ମଧ୍ୟ ଘଣ୍ଟା ଶବ୍ଦରୁ ବୁଝିପାରି ଗେଟ୍‌ ଖୋଲି ଦେଇଥିଲା । ଆମେ ପାର୍କ ଏବଂ ଗାଁ ଦେଇ ଦୌଡ଼ିଲୁ । ଉଚ୍ଚା ପାହାଡ଼ରୁ ନୀଚରେ ଟୋଲ୍‌ ଗେଟ୍‌ ପାଖରେ ପହଞ୍ଚିଗଲୁ । ଜନ ଖୁବ୍‌ ଜୋରରେ ଡାକି ଦୁମ୍‌ ଦୁମ୍‌ କରି ଦୁଆର ବାଡେଇଲା । ଜଗୁଆଳି ଆସି ଗେଟ୍‌ ଖୋଲି ଦେଲା । ‘‘ଏ ଗେଟ୍‌ ଖୋଲା ରଖିବ - ଡାକ୍ତର ଆସିବେ’’ କହି ଜନ୍‌ କିଛି ଟଙ୍କା ତା ହାତରେ ଗୁଞ୍ଜି ଦେଇ ମତେ ପୁଣି ଦୌଡ଼େଇଲେ ।

 

ଆମ ସାମନାରେ ନଈ କୂଳେ କୂଳେ ଗୋଟାଏ ବିରାଟ ସମତଳ ରାସ୍ତା । ଜନ୍‌ କହିଲା “ବିଉଟି ବର୍ତ୍ତମାନ ସବୁଠୁ ଦ୍ରୁତ ଗତିରେ ଦୌଡ଼ୁ ।” ଏବଂ ମୁଁ ସେୟା କଲି- ଉପରେ ଚାବୁକ ବା ଲାଠି ବାଜିନି, ପବନ ପରି ମୁଁ ଦୌଡି ଅତି ଅଳ୍ପ ସମୟରେ ଦୁଇ ମାଇଲ ରାସ୍ତା ଅତିକ୍ରମ କଲି । ଭାବୁଛି ମୋ ଜେଜେବାପା ଯିଏ କି ନିଉ ମାର୍କେଟ ଘୋଡ଼ାଦୌଡ଼ରେ ଜିତିଥିଲେ ସେ ବି ଏତେ ଜୋରରେ ଦୌଡ଼ି ନଥିବେ । ବ୍ରିଜ୍‌ ନିକଟରେ ପହଞ୍ଚିଗଲା ପରେ ଜନ୍‌ ମତେ ଟିକେ ଟାଣି କେବଳ ଆଉଁସି ଦେଇ କହିଲା “ଖୁବ୍‌ ହେଲା ବିଉଟି ମୋ ସୁନା’’ । ହୁଏତ ସେ ମତେ ଆଉ ଟିକେ କମ୍‌ ଶୀଘ୍ର ଚଳେଇଥାନ୍ତା, ମାତ୍ର ମୁଁ ନିଜେ ନିଜର ତୀବ୍ର ଇଚ୍ଛାରେ ଏତେ ଜୋରରେ ଦୌଡ଼ିଲି । କୁହୁଡିଆ ଆକାଶ, ଉଜ୍ଜ୍ୱଳ ଚନ୍ଦ୍ର- ମତେ ବେଶ୍‌ ଭଲ ଲାଗୁଥାଏ । ଆମେ ଗୋଟିଏ ଗାଁବାଟରେ ଜଙ୍ଗଲ ଭିତରେ ପଶି ପାହାଡ଼ ଉପରକୁ ଉଠି, ପୁଣି ତଳକୁ ଖସି ଚାଲିଲୁ । ଆଠ ମାଇଲ ଚାଲିବା ପରେ ସହରରେ ପହଞ୍ଚିଲୁ । ଭିତରେ ଟିକେ ଯାଇ ମାର୍କେଟ ପ୍ଲେସରେ ପହଞ୍ଚିଲୁ । ସବୁ ନୀରବ । ପଥର ରାସ୍ତା ଉପରେ ମୋ ଟାପୁର ଶବ୍ଦ ହିଁ କେବଳ ଶୁଣାଯାଉଥାଏ । ସମସ୍ତେ ନିଦ୍ରିତ । ଚର୍ଚ୍ଚ ଘଣ୍ଟାରେ ତିନିଟା ବାଜିଲା, ଠିକ୍‌ ଆମେ ଡଃ ହ୍ୱାଇଟଙ୍କ ଘରେ ପହଞ୍ଚିବାବେଳେ । ଦୁଇଥର ବେଲ୍‌ ବଜାଇବା ପରେ ଜନ୍‌ ଧଡ଼୍‌ ଧଡ଼୍‌ କରି ଦୁଆର ଉପରେ ପ୍ରଚଣ୍ଡ ଶବ୍ଦରେ କରାଘାତ କଲା ପରେ ଗୋଟିଏ ଝରକା ଖୋଲିଗଲା । ଡଃ ହ୍ଵାଇଟ୍‌ ମୁହଁ ଗଳେଇ ବାହାରକୁ ଚାହିଁ ପ୍ରଶ୍ନ କଲେ “କ’ଣ ଦରକାର ?”

 

“ମିସେସ୍‌ ଗର୍ଡ଼ନ ଅତ୍ୟନ୍ତ ଅସୁସ୍ଥ । ମାଲିକ ଆପଣଙ୍କୁ ସଙ୍ଗେ ସଙ୍ଗେ ଯିବାକୁ କହିଛନ୍ତି । ଆପଣ ଶୀଘ୍ର ନ ପହଞ୍ଚିଲେ ପତ୍ନୀଙ୍କର ମୃତ୍ୟୁ ହେବାର ଭୟ ମଧ୍ୟ ମି. ଗର୍ଡ଼ନଙ୍କର ଅଛି । ଏଇ ଚିଠି ନିଅନ୍ତୁ’’ ? ‘‘ଅପେକ୍ଷା କର ମୁଁ ଆସୁଛି” କହି ଡାକ୍ତରବାବୁ ଝରକା ବନ୍ଦ କଲେ ଏବଂ ସଙ୍ଗେ ସଙ୍ଗେ ଦୁଆର ପାଖକୁ ଆସି କହିଲେ “ଗୋଟାଏ ମସ୍ତ ଅସୁବିଧା ହୋଇଗଲା । ମୋ ଘୋଡ଼ାଟି ଦିନସାରା ପରିଶ୍ରମ କରି ଏକଦମ୍‌ ହାଲିଆ ହୋଇ ପଡିଛି । ଅନ୍ୟ ଘୋଡ଼ାଟି ପୁଅକୁ ଆଣିବାକୁ ଯାଇଛି । କଣ କରିବା ? ମୁଁ ତୁମ ଘୋଡ଼ାରେ ଯାଇପାରେ କି ?””

 

“ସେ ଅତ୍ୟନ୍ତ ବେଗରେ ଲଗାତାର ଦୌଡ଼ିଛି ଏବେ । ତାକୁ ଟିକେ ବିଶ୍ରାମ ଦେବା ପ୍ରୟୋଜନ । କିନ୍ତୁ ବର୍ତ୍ତମାନ ଭାବୁଛି ସେ ଯଦି ଠିକ୍‌ ଥାଏ ତେବେ ମାଲିକ ନିଶ୍ଚୟ ତାକୁ ନେଇ ଶୀଘ୍ର ଚାଲିଯିବାଟା ବେଶି ପସନ୍ଦ କରିବେ । ଆପଣ ଦେଖନ୍ତୁ ସେ ଫିଟ୍‌ ଅଛି କି ନାହିଁ ।’’

 

“ଆଚ୍ଛା ମୁଁ ସଙ୍ଗେ ସଙ୍ଗେ ବାହାରୁଛି’’ ଡାକ୍ତର କହିଲେ । ମୋ ପାଖରେ ଠିଆ ହୋଇ ଜନ୍‌ ମୋ ବେକକୁ ଆଉଁସି ଦେଉଥାଏ । ଡାକ୍ତର ବାବୁ ଘୋଡ଼ାଚଢ଼ା ଚାବୁକଟି ଧରି ଆସିଲେ ।

 

‘‘ଆପଣ ସେଟାକୁ ନେବା ଦରକାର ନାହିଁ ସାର୍‌ । ବ୍ଲାକ ବିଉଟି ଆପଣଙ୍କୁ ଛାଡିଦେବା ପର୍ଯ୍ୟନ୍ତ ଚାଲିବ । ତାର ଯତ୍ନ କରିବେ ଯଦି ପାରିବେ । ତାର କୌଣସି କ୍ଷତି ହେଲେ ମତେ ଭଲ ଲାଗିବ ନାହିଁ !”

 

“ନା ନା ଜନ୍‌ ! କିଛି ଅସୁବିଧା ହେବ ନାହିଁ? କହି ତାକ୍ତର ବସିଗଲେ ଏବଂ ମୁହୂର୍ତ୍ତକ ମଧ୍ୟରେ ଆମେ ଜନଠାରୁ ଅନେକ ଦୂରକୁ ଚାଲି ଆସିଲୁ ।

 

ଫେରିବାବେଳ କଥା ମୁଁ ବର୍ଣ୍ଣନା କରିବି ନାହିଁ । ଡାକ୍ତର ଜନ୍‌ଠାରୁ ଅନେକ ମୋଟା ଏବଂ ତାପରି ଦକ୍ଷ ଚଢ଼ାଳି ବି ନୁହନ୍ତି । ଅବଶ୍ୟ ମୁଁ ମୋର ପାରୁପର୍ଯ୍ୟନ୍ତ ଚେଷ୍ଟା କଲି । ଟୋଲ୍‌ଗେଟ୍‌ର ରକ୍ଷୀ ଗେଟ ଖୋଲିଦେବା ପରେ ଯେତେବେଳେ ଆମେ ପାହାଡ଼ ପାଖକୁ ଆସିଲୁ ଡାକ୍ତର ମତେ ଟିକେ ବିଶ୍ରାମ ନେବାକୁ କହିବାରୁ ମୁଁ ଖୁସିରେ ଆରାମ କଲି । ତାହା ନିତାନ୍ତ ଆବଶ୍ୟକ ଥିଲା । କାରଣ ଏତେ କ୍ଲାନ୍ତ ହୋଇପଡିଥିଲି ଯେ ମୋର ସମସ୍ତ ଶକ୍ତି ନିଃଶେଷ ହୋଇଗଲା ପରି ଲାଗୁଥିଲା । ବିଶ୍ରାମ ପରେ ସୁସ୍ଥ ଲାଗିଲା ଏବଂ ଶୀଘ୍ର ଆମେ ପାର୍କ ପାଖରେ ପହଞ୍ଚିଗଲୁ । ଜୋ ଲଜ୍‌ ଗେଟ୍‌ରେ ଓ ମାଲିକ ହଲ୍‌ ଦ୍ୱାରରେ ଆମେ ପହଞ୍ଚିଯାଇଛୁ ଜାଣି ଠିଆ ହୋଇଥିଲେ । ନୀରବରେ ସେ ଡାକ୍ତରଙ୍କୁ ଭିତରକୁ ନେଲେ । ଆଉ ଜୋ ମତେ ଗୁହାଳକୁ ନେଲା । ମୁଁ ଭିତରକୁ ଆସି ଆଶ୍ଵସ୍ତ ହେଲି । କ୍ଲାନ୍ତିରେ ମୋ ଗୋଡ଼ ଥରୁଥିଲା, ଧଇଁସଇଁ ଅବସ୍ଥା, ଦେହଯାକ ଝାଳରେ ବୁଡି ଓଦା । ଜୋ ବିଚରା ଚୁଲି ଉପରେ ହାଣ୍ଡି ପରି ହନ୍ତସନ୍ତ ହେଉଥାଏ । ତା ବାପା ଥିଲେ ତାକୁ ସାହାଯ୍ୟ କରିଥାନ୍ତେ । କିନ୍ତୁ ତାଙ୍କୁ ପାଖ ଗାଁକୁ ପଠାଯାଇଥିଲା । ତେବେ ଜୋ ଯେତିକି ଜାଣିଥିଲା ତାର ସଫଳ ପ୍ରୟୋଗ କରିଥିଲା ବୋଲି ମୁଁ ନିଶ୍ଚିତ ରୂପେ କହିପାରେ । ସେ ମୋର ଗୋଡ, ଛାତି ଆଦି ଘଷି ଦେଲା, କିନ୍ତୁ ମୋ ଦେହ ଗରମ ଦେଖି ଗରମ ପୋଷାକ ପିନ୍ଧେଇଲା ନାହିଁ । କିନ୍ତୁ ହାଣ୍ଡିଏ ପାଣି ପିଇବାକୁ ଦେଲା । ମୁଁ ସଙ୍ଗେ ସଙ୍ଗେ ପିଇଦେଲି । ତା ପରେ ମକ୍କା ଆଉ କୁଟା ଆଣି ଖୁଆଇ ଦେଇ ସେଠାରୁ ଚାଲିଗଲା । ଖୁବ୍‌ ଶୀଘ୍ର ମତେ ପ୍ରଚଣ୍ଡ ଶୀତ ହୋଇ ମୋ ଦେହ ଥରିବାକୁ ଲାଗିଲା । ମୋ ଗୋଡ଼, ପିଚା ଓ ଛାତିରେ ଯନ୍ତ୍ରଣା ହେଲା । ସାରା ଦେହରେ କଷ୍ଟ ଅନୁଭବ କରି କରି ମୋର ଗରମ ପୋଷାକକୁ ମୁଁ ମନେ ପକାଉଥିଲି । ଜନ୍‌କୁ ମନେ ପଡିଲା । ମାତ୍ର ସେ ତ ଆଠ ମାଇଲ ରାସ୍ତା ଚାଲିକରି ଆସିବ । ମୁଁ କୁଟାଗଦା ଉପରେ ଗଡ଼ିପଡ଼ି ଶୋଇବାକୁ ଚେଷ୍ଟା କଲି । ବହୁ ସମୟ ପରେ ଜନ୍‌ର ପଦଶବ୍ଦ ଶୁଭିଲା । ପ୍ରଚଣ୍ଡ ଯନ୍ତ୍ରଣାରେ ମୁଁ କୁଁ କୁଁ କରୁଥିଲି । ସେ ମୋ ପାଖରେ ନଇଁ ପଡ଼ି ଠିଆହୋଇ ଯିବା ମାତ୍ରେ ମତେ ଯେ କେମିତି ଲାଗିଲା ମୁଁ କହିପାରିବି ନାହିଁ । ସେ କିନ୍ତୁ ସଙ୍ଗେ ସଙ୍ଗେ ବୁଝିପାରି ପ୍ରଥମେ ମତେ ଦୁଇ କି ତିନିଟା କମ୍ବଳ ଘୋଡ଼ାଇ ଦେଲା । ତାପରେ ଦୌଡ଼ିଯାଇ ଘରୁ ଗରମ ପାଣି ଆଣିଲା । ଗରମ ପାଣିରେ ପାଣିଆ ଖଳି କରି ମତେ ପିଆଇଲା । ତାପରେ ବୋଧହୁଏ ମୁଁ ଶୋଇପଡ଼ିଲି ।

 

ଜନ୍‌ ଭାରି ବ୍ୟସ୍ତ ହୋଇପଡ଼ିଥିଲା ପରି ମୋର ମନେ ହେଲା । ସେ କେବଳ ମନକୁ ମନ କହି ଯାଉଥାଏ “ବୋକା ଗଧ ପିଲା- କିଛି ଘୋଡ଼େଇ ନାହିଁ । ପାଣି ବି ଥଣ୍ଡା । ଆଜିକାଲି ପିଲାଗୁଡ଼ାକ ବିଶ୍ଵାସଯୋଗ୍ୟ ନୁହନ୍ତି ।’’ କିନ୍ତୁ ମୋ ମତରେ ଜୋ ବି ଭଲ ପିଲା ।’’

 

ଏହାପରେ ମୋର ଛାତିରେ କଷ୍ଟ ହୁଏ, ଫୁସ୍‌ଫୁସ୍‌ରେ ଜ୍ୱାଳା ହୁଏ । ଜନ୍‌ ମତେ ଦିନରାତି ସେବା କଲା । ରାତିରେ ଦୁଇ ତିନି ଥର ମୋ ନିକଟକୁ ଆସୁଥିଲା । ମୋ ମାଲିକ ମଧ୍ୟ ମତେ ଦେଖିବାକୁ ଆସୁଥିଲେ । ଦିନେ ହଠାତ୍‌ ସେ କହିଲେ “ହାୟ ବିଚରା ମୋ ବିଉଟି- ମୋ ସୁନା ଘୋଡ଼ା ତୁ ତୋ ମାଲିକାଣୀଙ୍କ ଜୀବନରକ୍ଷା କରିଛୁ ।’’ ମୁଁ ଏହା ଶୁଣି ଭାରି ଖୁସି ହୋଇଗଲି, ଅବଶ୍ୟ ସେଦିନ ଡାକ୍ତରଙ୍କ କଥା ବି ମୁଁ ଶୁଣିଥିଲି । ଆଉ ଟିକେ ତାଙ୍କର ପହଞ୍ଚିବାକୁ ଡେରି ହୋଇଥିଲେ ସବୁ ଶେଷ ହୋଇଯାଇଥାନ୍ତା ଜନ୍‌ ମଧ୍ୟ ମାଲିକଙ୍କୁ କହିଥିଲା ଯେ ଏତେ ଶୀଘ୍ର ଦୌଡ଼ିବା ଘୋଡ଼ା ଆଜିଯାଏ ସେ ଦେଖି ନଥିଲା ଏବଂ ତା ଦୌଡ଼ିବା ଦେଖି ମନେ ହେଉଥିଲା ସତେ ଯେପରି ସେ ପରିସ୍ଥିତିକୁ ବୁଝିପାରିଥିଲା । ଅବଶ୍ୟ ମୁଁ ବୁଝିପାରିଛି ବୋଲି ଜନ୍‌ ନ ଜାଣିଲେ ବି ମୁଁ ଏତିକି ଜାଣିଥିଲି ଯେ ମାଲିକାଣୀଙ୍କ ଜୀବନରକ୍ଷା ନିମିତ୍ତ ଆମେ ଉଭୟେ ଦ୍ରୁତତମ ଗତିରେ ଯିବୁ ଏବଂ ଯାଇଥିଲୁ ।

•••

 

କେବଳ ଅଜ୍ଞତା

 

ମୁଁ କେତେଦିନ ଅସୁସ୍ଥ ରହିଲି ଜାଣି ପାରିନି। କିନ୍ତୁ ମି. ବଣ୍ଡ ନାମକ ଘୋଡ଼ାମାନଙ୍କ ଡାକ୍ତର ପ୍ରତିଦିନ ଆସୁଥିଲେ । ଦିନେ ମୋର ରକ୍ତ ବି ବାହାର କରାହେଲା । ଜନ୍‌ ପାତ୍ରଟି ଧରିଥାଏ-। ଏହାପରେ ମତେ ଭୀଷଣ ଦୁର୍ବଳ ଲାଗିଲା । ଭାବିଲି ମରିଯିବି । ମୋର ଧାରଣା ଅନ୍ୟମାନେ ମଧ୍ୟ ସେୟା ଭାବୁଥିଲେ ।

 

ଜିଞ୍ଜର ଓ ମେରିଲେଗ୍‌ସଙ୍କୁ ଅନ୍ୟ ଗୋଟିଏ ଘୋଡ଼ାଶାଳକୁ ସ୍ଥାନାନ୍ତର କରାଗଲା । ବୋଧହୁଏ ମୁଁ ଆରାମ ପାଇବି ବୋଲି । ମୋର ଜ୍ଵର ଥାଏ, ଟିକେ ଗୋଳମାଳ ବି ମତେ ଜୋର ଶୁଭୁଥାଏ ଓ ବ୍ୟସ୍ତ ଲାଗୁଥାଏ । କିଏ ଆସୁଛି ବା କିଏ ଯାଉଛି ମୁଁ କେବଳ ପଦଶବ୍ଦରୁ ହିଁ ବୁଝିପାରୁଥାଏ । କ’ଣ ଘଟୁଛି ବି ଜାଣୁଥାଏ । ଦିନେ ରାତିରେ ଜନ୍‌ ମତେ ଔଷଧ ପିଆଇଲା । ସାହାଯ୍ୟ କରିବାକୁ ଥୋମାସ ଗ୍ରିନ୍‌ ବି ଆସିଥିଲେ । ପିଆଇଦେଇ ମତେ ଜନ ଆରାମରେ ଶୁଆଇଦେଲା । ତା ପରେ ଥୋମାସ୍‌ଙ୍କୁ କହିଲା ଯେ ଔଷଧ କେମିତି କାମ କରିବ ଦେଖିବା ପାଇଁ ସେ ସେଠି ଅଧଘଣ୍ଟାଏ ରହିବ । ଥୋମାସ୍‌ ବି ଶୁଣି ରହିବେ ବୋଲି କହିଲେ । ତେଣୁ ଦୁହେଁଯାକ ଜିଞ୍ଜର ଘରୁ ବେଞ୍ଚଟିଏ ଟାଣି ଆଣି ବସି ଗୋଡ଼ ପାଖକୁ ଲଣ୍ଠନଟି ରଖିଦେଲେ, ଯେମିତି ଆଲୁଅରେ ମୋର ଶାନ୍ତିଭଙ୍ଗ ନ ହୁଏ ।

 

ଦୁହେଁ କିଛି ସମୟ ଚୁପ୍‌ ରହିବା ପରେ ଥୋମାସ୍‌ ଗ୍ରିନ୍‌ ଧୀର ଗଳାରେ କହିଲେ ଜନ୍‌ ମୋର ଆଶା ଯେ ୟାପରେ ତୁମେ ଜୋକୁ ଟିକେ ମଧୁର ଗଳାରେ କଥା କହିବ । ପିଲାଟାର ମନ ପୂରା ଭାଙ୍ଗିଯାଇଛି । ହସୁନି କି ଖାଉନି । କହୁଛି- ତାରି ଦୋଷରୁ ଏମିତି ହେଲା । ଅବଶ୍ୟ ସେ ନିଶ୍ଚିତ ଯେ ସେ ଯାହା ଜାଣିଥିଲା ସେୟା କଲା । ପୁଣି ସେ କହୁଛି ଯେ ବିଉଟି ଯଦି ମରିଯାଏ କେହି ଆଉ ତା ସହ କେବେହେଲେ କଥା କହିବେନି । ତାର ଏଇସବୁ ଶୁଣି ମୋତେ ଭାରି କଷ୍ଟ ହେଉଛି । ତାଙ୍କୁ କେବଳ ଏତିକି କହିବ ଯେ ସେ ଖରାପ ପିଲା ନୁହେଁ ।

 

ଟିକେ ଚୁପ୍‌ ରହି ଜନ ଧୀର ଗଳାରେ ଉତ୍ତର ଦେଲା “ତୁମେ ବି ମୋ ଉପରେ ଏତେ ଶକ୍ତ ହୁଅନି ଟମ୍‌ । ଜାଣେ ସେ କ୍ଷତି କରିବାକୁ କିଛି କରିନି, ଆଉ ସେ କଥା ମୁଁ କେବେ ବି କହିନି, ଆଉ ସେ ଖରାପ ପିଲା ନୁହେଁ ମୁଁ ଜାଣିଛି । କିନ୍ତୁ ତୁମେ ଭାବ ମୋର ବି କେତେ କଷ୍ଟ- ଏ ଘୋଡ଼ା ମୋ ଜୀବନର ଗର୍ବ, ମାଲିକମାଲିକାଣୀଙ୍କ ଅତ୍ୟଧିକ ପ୍ରିୟ ଏବଂ ତାରି ଜୀବନ ଏପରି ଭାବେ ଚାଲିଯିବ ଏହା ସହ୍ୟ କରିବା ଶକ୍ତି ମୋର ନାହିଁ । କିନ୍ତୁ ତୁମେ ଯଦି ଭାବୁଛ ମୁଁ ତା ପ୍ରତି ରୁକ୍ଷ ବ୍ୟବହାର କରିଛି, ତେବେ କାଲି ସକାଳୁ ମୁଁ ତାକୁ ମିଠା କଥା କହିବି, ଅବଶ୍ୟ ବିଉଟି ଯଦି ଟିକେ ଭଲ ଥାଏ ।’’

 

‘‘ଆଚ୍ଛା ଧନ୍ୟବାଦ ଜନ୍‌ ! ମୁଁ ଅବଶ୍ୟ ଜାଣେ ତୁମେ କାହାରି ଉପରେ ଶକ୍ତ ହୋଇପାରିବନି । ଆଉ ଏଟା ମଧ୍ୟ ଜାଣି ମୁଁ ଆନନ୍ଦିତ ଯେ ତୁମେ ଏଟା ତାର ଅଜ୍ଞତା ବୋଲି ଜାଣିପାରିଛ ।’’

 

ଏହାର ଉତ୍ତରରେ ଜନ୍‌ର ସ୍ଵର ଶୁଣି ମୁଁ ଚମକି ପଡିଲି, ସେ କହିଲା “କେବଳ ଅଜ୍ଞତା, କେବଳ ଅଜ୍ଞତା ତୁମେ କହିପାରୁଛ କେମିତି ? ବୁଝିପାରୁନ ଯେ ଧୂର୍ତ୍ତତାର ପରେ ୟାଠୁ ଖରାପ କାମ କିଛି ପୃଥିବୀରେ ଆଉ ନାହିଁ । କୋଉଟା ବି ସବୁଠୁ ବଡ଼ ବଦମାସି ଭଗବାନ କେବଳ ଜାଣନ୍ତି-। ଯଦି ଲୋକେ କହନ୍ତି “ଓଃ ମୁଁ ଜାଣିନଥିଲି, ମୋର କ୍ଷତି କରିବାର ଉଦ୍ଦେଶ୍ୟ ନଥିଲା ।’’ ଏତକ କହିଦେଇ ସେମାନେ ନିଜକୁ ଠିକ ବୋଲି ଭାବନ୍ତି । ଧର ମାର୍ଥା ମୁଲ୍‌ୱାସ ପିଲାଟାକୁ ମାରିବାକୁ ଚାହିଁ ନଥିଲେ । କିନ୍ତୁ ଯେତେବେଳେ ଡାଲ୍‌ବି ସହ ସିରପ୍‌ ପିଆଇଲେ ସେ ମରିଗଲା ଏବଂ ତାଙ୍କୁ ନରହତ୍ୟା ପାଇଁ ଶାସ୍ତି ମିଳିଥିଲା । “ତାକୁ ଠିକ୍‌ ହୋଇଥିଲା ।’’ ଟମ୍‌ କହିଲେ ‘‘ଯେଉଁ ସ୍ତ୍ରୀ ଲୋକ ଗୋଟିଏ ଛୋଟ ଶିଶୁର ସେବା ଜାଣି ନାହିଁ, ସେ କାମ କରିବାକୁ ଯିବ କଣ ପାଇଁ ?’’

 

ଜନ୍‌ ପୁଣି କହିବାରେ ଲାଗିଲା “ବିଲ୍‌ ଷ୍ଟର୍କି ଯେତେବେଳେ ଭୂତ ସାଜି ତା ଭାଇ ପଛରେ ଜହ୍ନ ଆଲୁଅରେ ଗୋଡ଼େଇଥିଲା ସେ କ’ଣ କେବେ ବି ଭାବିଥିଲା ଯେ ତା ଭାଇ ବେହୋସ ହୋଇ ଏପରି ରହିବ । ଆଉ ସେହି ଉଜ୍ଜ୍ୱଳ, ସୁନ୍ଦର ପିଲାଟି ଦିନେ ଯେ ତା ମାଆର ଗର୍ବ ହୋଇଥାନ୍ତା ସେ ଅଶୀବର୍ଷ ବଞ୍ଚିଲେ ବି ସେମିତି ଇଡ଼ିଅଟ୍‌ଟିଏ ହୋଇ ବଞ୍ଚିବ । ତୁମେ ବି ଟମ୍‌ ଦୁଇ ସପ୍ତାହ ପୂର୍ବ କଥା ମନେ ପକାଅ- ସେଇ ଯୁବତୀମାନେ ଯେତେବେଳେ ତୁମ ଗରମ ଘରଦ୍ୱାର ଖୋଲି ଦେଇଥିଲେ, କୁହୁଡ଼ି ଆଉ ଥଣ୍ଡା ପବନ ତୁମର ଅନେକ ଗଛ ନଷ୍ଟ କରି ଦେଇଥିଲା ବୋଲି ତୁମେ କେତେ ବିରକ୍ତ ହୋଇଥିଲ !”

 

“ଖୁବ୍‌ ଗୋଟିଏ ହେଲେ କଅଁଳ ଚାରାବି ବଞ୍ଚି ନଥିଲା । ମତେ ଆଉ ଥରେ ଲଗେଇବାକୁ ପଡ଼ିଲା । ସବୁଠୁ ଦୁଃଖର କଥା କେଉଁଠୁ ଆଣିବି ତା ବି ମୁଁ ଜାଣି ନଥିଲି । ମୁଁ ତ ପ୍ରାୟ ପାଗଳ ପରି ହୋଇଗଲି ।’’

 

କିନ୍ତୁ ତଥାପି, ଜନ୍‌ କହିଲା “ମୁଁ ନିଶ୍ଚିତ ଯେ ସେମାନେ ଜାଣିକରି ଏହା କରି ନଥିଲେ, ଅଜ୍ଞତା ପାଇଁ ଘଟିଗଲା।”

 

ଏହାପରେ ସେମାନଙ୍କ କଥାବାର୍ତ୍ତା ମୁଁ ଶୁଣିନି । ଔଷଧର ପ୍ରଭାବରେ ମତେ ନିଦ ହୋଇଗଲା । ସକାଳୁ ବେଶ୍‌ ସୁସ୍ଥ ଲାଗିଲା । କିନ୍ତୁ ଜନ୍‌ର କଥାଗୁଡ଼ିକ ପରେ ପ୍ରାୟ ମୋର ମନେପଡ଼େ ।

•••

 

ଜୋ ଗ୍ରିନ୍‌

 

ଜୋ ଗ୍ରିନ୍‌ ଖୁବ୍‌ ଶୀଘ୍ର ସବୁ କାମଦାମ ଶିଖିଗଲା । ଖୁବ୍‌ ମନ ଲଗାଇ ସାବଧାନତା ସହ ସବୁ କରୁଥିବାରୁ ଜନ୍‌ ତାକୁ ଅନେକ କଥାରେ ବିଶ୍ଵାସ କରିବାକୁ ଆରମ୍ଭ କଲା । କିନ୍ତୁ ମୁଁ ତ ଆଗରୁ କହିଛି ସେ ତା ବୟସ ତୁଳନାରେ ଛୋଟ ଥିବାରୁ ଜିଞ୍ଜର ବା ମତେ ନେଇ ବ୍ୟାୟାମ କରାଇବାର ଅନୁମତି ତାକୁ ଦିଆଯାଇ ନଥିଲା । ଦିନେ ସକାଳେ ଜନ୍‌ ଜିନିଷପତ୍ର ବୁହା ଗାଡ଼ିରେ ଜଷ୍ଟିସ୍‌କୁ ନେଇ ବାହାରକୁ ଯାଇଥିଲା, ମାଲିକଙ୍କର ଖଣ୍ଡେ ଚିଠି ଜଣକ ପାଖକୁ ପଠାଇବାର ଥିଲା । ଶୀଘ୍ର ପହଞ୍ଚାଇବାର ଥିବାରୁ ସେ ମତେ ନେଇ ସଙ୍ଗେ ସଙ୍ଗେ ସେ ଭଦ୍ରଲୋକଙ୍କୁ ଦେଇ ଆସିବାର ନିର୍ଦ୍ଦେଶ ଜୋକୁ ଦେଲେ । ଅବଶ୍ୟ ସତର୍କତା ସହ ଯିବା ପାଇଁ କହିଥିଲେ ।

 

ଚିଠି ଦେଇସାରି ଆମେ ଇଟା ପଡ଼ିଆ ବାଟେ ଫେରୁଥାଉ । ଦେଖିଲୁ ଗୋଟାଏ ଗାଡ଼ିରେ ବହୁତ ଇଟା ଲଦା ହୋଇଛି । ଚକ ଗୁଡ଼ିକ ଗଭୀର ଗାତରେ ପଶିଯାଇଥିବାରୁ ଗାଡ଼ିଚାଳକ ଘୋଡ଼ା ଦୁଇଟାଙ୍କୁ ଠେଲି ଖୁବ୍‌ ପିଟୁଥାଏ ।

 

“ହେ ରହ ରହ ଘୋଡ଼ାଙ୍କୁ ଏମିତି ପିଟନି । ଚକ ଏତେ ଭିତରକୁ ପୋତି ହୋଇଛି ବୋଲି ସେମାନେ ଟାଣିପାରୁ ନାହାନ୍ତି ଜୋ କହିଲା” ।

 

ସେ ଲୋକଟି କିନ୍ତୁ ଜୋ କଥାରେ କର୍ଣ୍ଣପାତ ନକରି ସେମାନଙ୍କୁ ଆହୁରି ଜୋରରେ ପିଟିବାରେ ଲାଗିଲା ।

 

‘‘ବନ୍ଦ କର । ଦୟା କରି ବନ୍ଦ କର । ମୁଁ ତୁମକୁ ସାହାଯ୍ୟ କରିବି । ସେମାନେ ମୋଟେ ପାରିବେନି ।’’ ଜୋ କହିଲା ।

 

‘‘ନିଜ କାମ ଦେଖ- ଭାରି ସବ୍‌ଜାନ୍‌ତା ରାସ୍କେଲ । ମୋ କଥା ମୁଁ ନିଜେ ବୁଝିବି ।” ଖୁବ୍‌ ରାଗିକରି ଲୋକଟି କହିଲା ଏବଂ ମଦ ନିଶାରେ ଅଧିକ ଉନ୍ମତ୍ତ ହୋଇ ପୁଣି ଚାବୁକ୍‌ରେ ଅଧିକ ପିଟିବାରେ ଲାଗିଲା । ଜୋ ମତେ ବୁଲେଇ କରି ଚୂନଭାଟିର ମାଲିକଙ୍କ ଘର ଆଡକୁ ଦୌଡ଼େଇଲା-। ଆମ ଦୌଡ଼ା ଜନ ପସନ୍ଦ କରିଥାନ୍ତା କି ନାହିଁ ମୁଁ ଜାଣେ ନି, କିନ୍ତୁ ଜୋ ଆଉ ମୁଁ ଉଭୟେ ଏତେ ରାଗିଥିଲୁ ଯେ କମ୍‌ ବେଗରେ ଆମେ ଯାଇପାରି ନଥାନ୍ତୁ ।

 

ତାଙ୍କ ଘର ରାସ୍ତା କଡରେ । ଜୋ ଦୁଆରରେ କରାଘାତ କରି ଚିତ୍କାର କରି ଡାକିଲା ‘‘ହ୍ୟାଲୋ ମି. କ୍ଲେ ! ଜଣେ ଲୋକ ଘୋଡ଼ା ଦୁହିଁଙ୍କୁ ବାଡ଼ଉଛି । ବାଡ଼େଇ ବାଡେଇ ମାରିଦବ ବୋଧେ । ମୁଁ ତାକୁ ମନା କଲେ ବି ଶୁଣୁ ନାହିଁ । ମୁଁ ଏହା ବି କହିଛି ଯେ ମୁଁ ଗାଡ଼ିରୁ ଇଟା କାଢ଼ିଦେଇ ସେମାନଙ୍କୁ ଉଠେଇ ଦେବି ଓ ଗାଡ଼ି ଉଠିଯିବ । ସେ ଶୁଣିଲାନି । ତେଣୁ ଆପଣଙ୍କୁ ଜଣେଇବାକୁ ଆସିଲି ।

 

ଘରେ ଅଛନ୍ତି କି ? ଦୁଆର ଖୋଲିଗଲା । ନିଜେ ମି. କ୍ଲେ ବାହାରିଲେ ‘‘ହ୍ୟାଲୋ ୟଙ୍ଗମ୍ୟାନ୍‌ ! ଖୁବ୍‌ ତରତରରେ ଥିବା ପରି ଜଣାପଡୁଛ । ସ୍କୋୟାରଙ୍କଠାରୁ ସକାଳୁ ସକାଳୁ କିଛି ନିର୍ଦ୍ଦେଶ ଅଛି କି ?” “ନା ନା ମି. କ୍ଲେ ! ତୁମ ଇଟାଭାଟି ପାଖରେ ଜଣେ ଲୋକ ଘୋଡ଼ା ଦୁହିଁଙ୍କୁ ବାଡ଼ଉଛି । ବାଡ଼େଇ ବାଡ଼େଇ ମାରିଦେବ ବୋଧେ । ମୁଁ ତାକୁ ମନା କଲେ ବି ଶୁଣୁ ନାହିଁ । ମୁଁ ତାକୁ ଏହା ବି କହିଲି ଯେ ମୁଁ ଗାଡ଼ିରୁ ଇଟା କାଢ଼ିଦେଇ ସେମାନଙ୍କୁ ଓ ଗାଡ଼ିକୁ ଉଠେଇବାରେ ସାହାଯ୍ୟ କରିବି । ଶୁଣିଲାନି । ତେଣୁ ଆପଣଙ୍କୁ କହିବାକୁ ଆସିଲି । ଦୟାକରି ଯାଆନ୍ତୁ ସାର୍‌ ।” ଜୋର ଗଳା ଉତ୍ତେଜନାରେ ଥରି ଯାଉଥିଲା ।

 

“ଧନ୍ୟବାଦ ବାଳକ’’ କହି ଟୋପି ଆଣିବାକୁ ଦୌଡ଼ି ଯାଉ ଯାଉ ସେ ପଚାରିଲେ “ମୁଁ ଯଦି ତାକୁ ମାଜିଷ୍ଟ୍ରେଟ ପାଖକୁ ନିଏ ତୁମେ ସାକ୍ଷୀ ଦେବ ତ ?”

 

‘‘ଖୁସିରେ ଦେବି’’, ଜୋ ଉତ୍ତର ଦେଲା ।

 

ସେ ଚାଲିଗଲେ ଏବଂ ଆମେ ଆରାମରେ ଘର ଆଡ଼କୁ ଆସିଲୁ । ଜନ୍‌ ଆମକୁ ଦେଖି ପଚାରିଲା “କଣ ହେଲା କି ଜୋ ? ଏତେ ଚିଡ଼ିଲା ପରି ଦିଶୁଛୁ କାହିଁକି ?’’ ଜୋ ଉତ୍ତେଜନାରେ ମୋ ପିଠିରୁ ଡେଇଁବା ଦେଖିଲା ।

 

“ମୁଁ ଭୀଷଣ ରାଗିଛି, କାରଣ କହୁଛି । ‘‘ତାପରେ ବେଶ୍‌ ଉତ୍ତେଜିତ ହୋଇ ତରତରରେ ସବୁ ବଖାଣିଲା । ସାଧାରଣତଃ ଜୋ ଶାନ୍ତଶିଷ୍ଟ ଚୁପ୍‌ଚାପ୍‌ ପିଲା । ଆଜି ତାକୁ ଏଭଳି ଉତ୍ତେଜନାରେ ଦେଖି ମତେ ବେଶ୍‌ ଲାଗୁଥାଏ । ଠିକ୍‌ ଜୋ-ତୁ ଠିକ୍‌ କାମ କରିଛୁ । ଲୋକଟା କୋର୍ଟ ସମନ ପାଉ ବା ନ ପାଉ ଅନେକେ ହୁଏତ ତାପରି କହନ୍ତି “ଆମ କାମରେ ମୁଣ୍ତ ପୂରାଅନି ବା ନିଜ କଥା ବୁଝ ।” କିନ୍ତୁ ନିଷ୍ଠୁରତା ଦେଖିଲେ ହସ୍ତକ୍ଷେପ କରିବାର ଅଧିକାର ସମସ୍ତଙ୍କର ଅଛି- ସୁନା ପିଲା, ଏକଦମ୍‌ ଠିକ୍‌ କାମ କରିଛୁ ।’’ ଜନ୍‌ କହିଲା ସେତେବେଳକୁ ଜୋ' ଶାନ୍ତ ପଡି ଗଲାଣି-। ଆଉ ଜନ୍‌ର ସମର୍ଥନରେ ସେ ଗର୍ବିତ । ମୋ ପାଦ ସଫା କରି ଅଧିକ ଶକ୍ତ ହାତରେ ମୋତେ ଘଷାପୋଛା କରିଦେଲା ।

 

ସେମାନେ ରାତ୍ରୀଭୋଜନ ପାଇଁ ଠିକ୍‌ ବାହାରିଲାବେଳେ ମାଲିକଙ୍କ ଚାକର ଆସି ଜୋକୁ କହିଲା ଯେ ମାଲିକ ତାଙ୍କ ରୁମରେ ତାକୁ ଡାକୁଛନ୍ତି । ସେଠାକୁ ଘୋଡ଼ାଙ୍କୁ ଯନ୍ତ୍ରଣା ଦେଉଥିବା ଗୋଟେ ଲୋକ ଧରା ହୋଇ ଆସିଛି । ଜୋ’ର ସାକ୍ଷ୍ୟର ପ୍ରୟୋଜନ । ଜୋ’ର ମୁଖମଣ୍ଡଳ ଉଜ୍ଜ୍ୱଳ ହେଲା, କପାଳ ଲାଲ ପଡିଗଲା । ପ୍ରସନ୍ନ ଆଖିରେ ସେ କହିଲା “ମୁଁ ସାକ୍ଷୀ ଦେବି” । ଜନ୍‌ କହିଲା ‘‘ଟିକେ ଠିକ୍‌ ଠାକ୍‌ ହୋଇ ଯାଅ ।’’ ନେକ୍‌ଟାଇ ଟାଣି, ଜ୍ୟାକେଟ୍‌ ଠିକ୍‌ କରି ମୁହୂର୍ତ୍ତ ମଧ୍ୟରେ ଜୋ ଚାଲିଗଲା । ଆମ ମାଲିକ ମଧ୍ୟ ସେ ଅଞ୍ଚଳର ମାଜିଷ୍ଟ୍ରେଟମାନଙ୍କ ମଧ୍ୟରୁ ଜଣେ ଓ ମଝିରେ ମଝିରେ ବିଚାର ପାଇଁ ବହୁ କେସ୍‌ ମଧ୍ୟ ତାଙ୍କ ନିକଟକୁ ଆସେ ସେ କ’ଣ କରିବା ଉଚିତ୍‌ କହି ସମସ୍ୟାମାନ ସମାଧାନ କରନ୍ତି । ଘୋଡ଼ାଶାଳରେ ରହି କ’ଣ ହେଲା ଆମେ ସେତେ ବେଳେ କିଛି ଜାଣିପାରିଲୁନି । ଆଉ ମଧ୍ୟ ସେତେବେଳକୁ ପୁରୁଷମାନଙ୍କ ରାତ୍ରିଭୋଜନ ସମୟ ହୋଇ ଯାଇଥିଲା । ମାତ୍ର ଫେରି ଆସିଲା ବେଳକୁ ଜୋ ଭାରି ଖୁସି । ମତେ ଥାପୁଡ଼େଇ ଦେଇ କହିଲା ‘‘ଆମେ ଏମିତି କାମ ସହିବା ନାହିଁ- ନୁହେଁରେ ବୁଢ଼ା ?’’ ପରେ ଆମେ ଜାଣିଲୁ ଯେ ତାର ଭଲଭାବେ ସାକ୍ଷୀ ଦେବାରୁ ଓ ଘୋଡ଼ାମାନଙ୍କ କାଇଲା ଅବସ୍ଥା ଦେଖି, ତାଙ୍କ ଦେହରେ ଅତ୍ୟାଚାରର ଦାଗ ଦେଖି ଗାଡ଼ିବାଲାର କୋର୍ଟରେ ଟ୍ରାଏଲ ହୋଇ ଦୁଇ କି ତିନି ମାସ ପାଇଁ ତାକୁ ଜେଲ ହେଲା ।

 

ଆଶ୍ଚର୍ଯ୍ୟର କଥା ଜୋ’ର ବେଶ୍‌ ପରିବର୍ତ୍ତନ ହେଲା । ଜନ୍‌ ହସିକରି କହିଲା “ଜୋ ଏଇ ସପ୍ତାହକ ମଧ୍ୟରେ ଇଞ୍ଚେ ବଢ଼ିଛି, ଆଉ ମୁଁ ବି ସେୟା ଭାବିଲି । ପୂର୍ବରୁ ତ ସିଏ ଦୟାଳୁ ଏବଂ ଭଦ୍ର ଥିଲା, ମାତ୍ର ବର୍ତ୍ତମାନ କାମରେ ସେ ଅଧିକ ଦୃଢ଼ ହୋଇ ଗଲା । ମନେ ହେଲା ସତେ ଯେପରି ଗୋଟିଏ ବାଳକ ହଠାତ୍‌ କରି ବଡ଼ ମଣିଷଟିଏ ହୋଇଗଲା ।

•••

 

ବିଚ୍ଛେଦ

 

ଏଇ ସୁଖମୟ ସ୍ଥାନରେ ମୁଁ ଆଜକୁ ତିନିବର୍ଷ ରହି ସାରିଲିଣି । ଏବେ କିନ୍ତୁ ଦଃଖଦାୟକ ପରିବର୍ତ୍ତନ ଆମ ପାଇଁ ଆସିଗଲା । ପ୍ରାୟ ଆମେ ଶୁଣୁଥିଲୁ ଯେ ମାଲିକାଣୀ ଅସୁସ୍ଥ- ଡାକ୍ତର ଆସନ୍ତି ଓ ମାଲିକ ସର୍ବଦା ଗମ୍ଭୀର ଏବଂ ବ୍ୟସ୍ତ ଦେଖାଯାଆନ୍ତି । ତାପରେ ଶୁଣିଲୁ ଯେ ଖୁବ୍‌ ଶୀଘ୍ର ସେ ଦୁଇତିନି ବର୍ଷ ପାଇଁ କୌଣସି ଗରମ ସ୍ଥାନକୁ ଜଳବାୟୁ ପରିବର୍ତ୍ତନ ପାଇଁ ଯିବେ । ଏ ଖବର ଘର ଭିତରେ ମୃତ୍ୟୁର ଘଣ୍ଟା ବାଜିଲା ପରି ଶୁଭିଲା । ମାଲିକ ଯେ ତାଙ୍କ ବାସସ୍ଥାନ ଛାଡି ଇଂଲଣ୍ଡ ବାହାରକୁ ଯିବେ ଏଇ ଆଲୋଚନା ବ୍ୟତୀତ ଆମ ଗୁହାଳରେ ଆଉ କୌଣସି ଆଲୋଚନା ହେଲା ନାହିଁ ।

 

ଜନ୍‌ ନୀରବରେ କାମ କରେ । ସବୁବେଳେ ଦୁଃଖୀ ଥାଏ । ଆଉ ଜୋ’ର ଆନନ୍ଦରେ ହ୍ୱିସିଲ ମାରିବା ମଧ୍ୟ ବନ୍ଦ ହେଲା । ବେଶି ଯାତାୟାତ ବଢ଼ିବାରୁ ଜିଞ୍ଜର ଆଉ ମୋ ଉପରେ ମଧ୍ୟ ଅଧିକ କାମ ପଡିଲା ।

 

ପ୍ରଥମେ ମିସ୍‌ ଜେସି ଆଉ ଫ୍ଲୋରା ତାଙ୍କ ଗଭର୍ଣ୍ଣେସ୍‌ ସହ ବିଦାୟ ନେଲେ । ଆମକୁ ଗୁଡବାଇ କରିବାକୁ ଆସି ସେମାନେ ମେରିଲେଗ୍‌ସକୁ ବହୁ ପୁରୁଣା ବନ୍ଧୁ ପରି କୁଣ୍ଢେଇ ପକେଇ ଥିଲେ ଏବଂ ପ୍ରକୃତରେ ବି ସେ ସେୟା ଥିଲା । ତାପରେ ଆମ ପାଇଁ ଯେଉଁ ବନ୍ଦୋବସ୍ତ ସେଇ ବିଷୟରେ ବି ଆମେ ଶୁଣିଲୁ । ମାଲିକ ମତେ ଏବଂ ଜିଞ୍ଜରକୁ ତାଙ୍କ ପୁରୁଣା ବନ୍ଧୁ ଅର୍ଲ ଅଫ୍‌ ଡବ୍ଲୁଙ୍କୁ ବିକ୍ରି କରି ଦେଇଛନ୍ତି- ଅବଶ୍ୟ ସେଠି ଆମେ ଭଲରେ ରହିବୁ ଭାବି । ମେରିଲେଗ୍‌ସଙ୍କୁ ଭାଇକରଙ୍କୁ ଦେଲେ । ସେ ତାଙ୍କ ପତ୍ନୀ ମିସେସ୍‌ ବ୍ଲମଫିଲ୍ଡ଼ଙ୍କ ପାଇଁ ଗୋଟିଏ ଘୋଡ଼ା ଖୋଜୁଥିଲେ । କିନ୍ତୁ ଏଇ ସର୍ତ୍ତରେ ତାଙ୍କୁ ଛୋଟ ଉଚ୍ଚର ଘୋଡ଼ାଟିକୁ ଦିଆଗଲା ଯେ ସେ ତାକୁ କେବେ ବିକ୍ରି କରି ପାରିବେ ନାହିଁ । ସେ ଅକ୍ଷମ ହେବା ପରେ ତାକୁ ଶୁଳି କରି ମାରି ସମାଧିସ୍ଥ କରିବେ ।

 

ଜୋ’ ମେରିଲେଗ୍‌ସର ଯତ୍ନ ପାଇଁ ଭାଇକରଙ୍କ ଘରେ ହିଁ ରହିଲା । ଭାବିଲି ମେରିଲେଗ୍‌ସର ଅସୁବିଧା ହେବ ନାହିଁ । ଜନ୍‌ ପାଇଁ ମଧ୍ୟ ମାଲିକ ବହୁ ପ୍ରସ୍ତାବ ଦେଲେ, ମାତ୍ର ସେ କହିଲା ସେ ଆଉ କିଛିଦିନ ଚିନ୍ତା କରିବାକୁ ଅପେକ୍ଷା କରିବ ।

 

ଚାଲିଯିବା ଆଗଦିନ ସନ୍ଧ୍ୟାରେ ମାଲିକ ଆମ ପାଖକୁ ଆସିଲେ । ଆମ ଦୁହିଁଙ୍କୁ ଆଦରରେ ଆଉଁସି ଅନେକ କିଛି କହିଲେ ଏବଂ ଜନକୁ କିଛି ନିର୍ଦ୍ଦେଶ ଦେଲେ । ତାଙ୍କ ସ୍ଵରରୁ ତାଙ୍କ ଦୁଃଖ ମୁଁ ବୁଝି ପାରିଲି । ମୋ ଧାରଣା ଘୋଡ଼ା ହେଲେବି ଆମେ ମଣିଷମାନଙ୍କ ସ୍ଵରରୁ ମଣିଷମାନଙ୍କ ଅପେକ୍ଷା ସେମାନଙ୍କୁ ବେଶି ବୁଝିପାରୁ ।

 

“ଜନ୍‌ ! କଣ ଠିକ୍‌ କଲ ? ତୁମକୁ ତ ଯାହା କାମ ଦିଆଗଲା କୌଣସିଟା ତୁମର ପସନ୍ଦ ହେଲା ନାହିଁ ।’’

 

“ନା ସାର୍‌ ମୁଁ ଠିକ୍‌ କରିଛି ଯେ ଯଦି ମତେ ପ୍ରଥମ ଶ୍ରେଣୀ ଜାତିର ଘୋଡ଼ାଙ୍କୁ ଟ୍ରେନିଂ ଦେବା କାମ ମିଳିବ ତେବେ କରିବି । ଅନେକ ପଶୁ ପ୍ରଥମରୁ ଖରାପ ବ୍ୟବହାର ପାଇଁ ନଷ୍ଟ ହୋଇଯାନ୍ତି । ଯଦି ଭଲ ଶିଖାଳି ମିଳିଯାଏ ତେବେ ସେମାନେ ଭଲ ହୋଇ ପାରିଥାଆନ୍ତେ । ମୁଁ ତ ସବୁବେଳେ ଘୋଡ଼ାମାନଙ୍କ ସହ ବନ୍ଧୁତା କରିଥାଏ । ସେମାନଙ୍କୁ ଭଲ ଶିକ୍ଷା ଦେଇ ଯଦି ଭଲ ଘୋଡ଼ା ତିଆରି କରି ପାରିବି, ମୁଁ କିଛି ଭଲ କାମ କରିପାରିଛି ବୋଲି ଭାବିବି, ଏ ବିଷୟରେ ଆପଣଙ୍କ ମତ କଣ ସାର୍‌ ।’’

 

ଏହି କାମରେ ତୁମପରି ଯୋଗ୍ୟ ଲୋକ ମୁଁ ଆଉ କେଉଁଠି ଦେଖି ନାହିଁ । ତୁମେ ଘୋଡ଼ାଙ୍କୁ ବୁଝିପାର, ସେମାନେ ମଧ୍ୟ ତୁମକୁ ବୁଝିପାରନ୍ତି । ଯାହା ଚାହୁଁଛ ତାଠୁ ଭଲ କାମ ତୁମପାଇଁ ଆଉ ନାହିଁ । ଏ ପ୍ରକାର କାମ ତୁମେ ନିଶ୍ଚେ ପାଇଯିବ । ଏଥିପାଇଁ ମୁଁ ଯଦି କିଛି ସାହାଯ୍ୟ କରିପାରିବି ନିଶ୍ଚୟ ମତେ ଲେଖିବ । ମୁଁ ମୋର ଇଂଲଣ୍ଡର ଏଜେଣ୍ଟକୁ ତୁମ ବିଷୟରେ କହି ଯୋଗାଡ଼ କରିବି ।’’

 

ମାଲିକ ନାମ ଓ ଠିକଣା ଜନ୍‌କୁ ଦେଇ ତାର ଦୀର୍ଘ ସମୟର ବିଶ୍ୱାସଯୋଗ୍ୟ ସେବା ପାଇଁ ତାକୁ ଧନ୍ୟବାଦ ଦେଲେ । ଏ ସବୁକଥା ଜନ୍‌ ପାଇଁ ଅସହ୍ୟ ହେବାରୁ ସେ କହିଲା “ସାର୍‌ ଦୟାକରି ଏ ସବୁ କୁହନ୍ତୁ ନାହିଁ । ଆପଣ ଆଉ ମାଲିକାଣୀ ମୋ ପାଇଁ ଯେତେ କରିଛନ୍ତି ସେ ଋଣ ତ ଏ ଜୀବନରେ ସୁଝି ପାରିବନି, କେବେ ବି ଆପଣ ମାନଙ୍କୁ ଭୁଲିପାରିବନି । ଭଗବାନଙ୍କୁ ପ୍ରାର୍ଥନା କରୁଛି ଦିନେ ଯେମିତି ମାଲିକାଣୀ ସୁସ୍ଥ ହୋଇ ପୁଣି ଏଠିକୁ ଫେରି ଆସିବେ । ସେ ବିଶ୍ଵାସ ଆମମାନଙ୍କର ବି ଅଛି ସାର୍‌ ।” ମାଲିକ ନୀରବରେ ଜନ୍‌ ସହିତ କରମର୍ଦ୍ଦନ କଲେ । ତାପରେ ଉଭୟେ ସ୍ଥାନ ତ୍ୟାଗ କଲେ ।

 

ଅନ୍ତିମ ବିଷାଦର ଦିନ ଆସିଲା । ପିଅନ ସହିତ ପୂର୍ବ ଦିନରୁ ଜିନିଷପତ୍ର ସବୁ ପଠାଯାଇଥିଲା । କେବଳ ମାଲିକ, ମାଲିକାଣୀ ଆଉ ତାଙ୍କ ଚାକରାଣୀ ଥିଲେ । ଜିଞ୍ଜର ଆଉ ମୁଁ ଶେଷଥର ପାଇଁ ଗାଡ଼ି ନେଇ ହଲ ଦୁଆରକୁ ଗଲୁ । ମାଲିକ ତାଙ୍କର ଦୁଇ ବାହୁରେ ମାଲିକାଣୀଙ୍କୁ ଧରି ଧରି ଶିଢ଼ିରୁ ଓହ୍ଲାଇଲେ । ମୁଁ ପାଖଘରର ପାର୍ଶ୍ଵରେ ଥିବାରୁ ସବୁ ଦେଖିପାରୁଥିଲି । ସେ ଖୁବ୍‌ ସାବଧାନତା ସହ ତାଙ୍କୁ ଗାଡ଼ିରେ ବସାଇଲେ । ସେତେବେଳେ ଘରର ଅନ୍ୟ ଚାକରମାନେ ଚାରିପଟେ ଠିଆ ହୋଇ କାନ୍ଦୁଥାନ୍ତି । ‘‘ବିଦାୟ ଆଉ ଥର- ଆମେ କେବେ ହେଲେ କାହାରିକୁ ଭୁଲିବୁ ନାହିଁ । ଜନ୍‌ ଚାଲ ।’’ ଗାଡ଼ିକୁ ଉଠୁ ଉଠୁ ମାଲିକ କହିଲେ- ଜୋ ଉପରକୁ ଡେଇଁ ପଡ଼ିଲା । ଆମେ ଆସ୍ତେ ଆସ୍ତେ ପାର୍କ ଏବଂ ଗାଁଆ ଭିତର ଦେଇ ଚାଲିଲୁ । ଲୋକମାନେ ସମସ୍ତେ ଦୁଆରରେ ଠିଆ ହୋଇ ସେମାନଙ୍କୁ ଶେଷ ଦର୍ଶନ କରି କହୁଥାନ୍ତି ‘‘ଭଗବାନ ସେମାନଙ୍କର ମଙ୍ଗଳ କରନ୍ତୁ ।’’

 

ରେଳଷ୍ଟେସନରେ ପହଞ୍ଚିବାପରେ ମାଲିକାଣୀ ନିଜେ ପ୍ରତୀକ୍ଷା ଗୃହକୁ ଗଲେ । ତାଙ୍କ ସଦା ମଧୁର ସ୍ୱରରେ କହିବାର ଶୁଣିଲି ‘‘ବିଦାୟ ଜନ୍‌ ! ଭଗବାନ ତୁମର ମଙ୍ଗଳ କରନ୍ତୁ ।” ମୋ ଲଗାମ୍‌ ଟାଣି ହେଲା, କିନ୍ତୁ ଜନ୍‌ ନୀରବ ଥିଲା । ବୋଧହୁଏ ତା ପାଟିରୁ କଥା ବାହାରୁ ନଥିଲା । ଜୋ ଜିନିଷପତ୍ର ପହଞ୍ଚେଇ ଦେବା ପରେ ତାକୁ ଆମ ପାଖରେ ରଖି ଜନ୍‌ ପ୍ଲାଟଫର୍ମ ଭିତରକୁ ଗଲା-। ଜୋ ତା ଲୁହ ଲୁଚେଇବା ପାଇଁ ଯାଇ ଆମ ମୁଣ୍ଡ ପାଖରେ ଠିଆ ହେଲା । ଶୀଘ୍ର ଧୂଆଁ ଛାଡ଼ି ଛାଡ଼ି ରେଳଗାଡ଼ି ଷ୍ଟେସନରେ ପହଞ୍ଚିଲା । ଦୁଇ ତିନି ମିନିଟ୍‌ ମଧ୍ୟରେ ଦୁଆର ସବୁ ପୁଣି ପଡ଼ିଗଲା । ଗାର୍ଡ ହ୍ୱିସିଲ ମାରିଲା । ଗାଡ଼ି ଛୁଟିଲା । ରହିଗଲା କେବଳ ଗଦା ଗଦା ଧୂଆଁ ଏବଂ କେତୋଟି ଦୁଃଖୀ ହୃଦୟ ।

 

ଟ୍ରେନ ଦୃଷ୍ଟିରେଖାରୁ ଅନ୍ତର୍ହିତ ହେବା ପରେ ହିଁ ଜନ୍‌ ଫେରିଲା “ଆମେ କେବେ ବି ଆଉ ତାଙ୍କୁ ଦେଖି ପାରିବୁ ନାହିଁ । କେବେ ବି ନୁହେଁ ?” କହି ଜନ ଲଗାମ ଧରିଲା । ବକ୍ସ ଉପରକୁ ଉଠିଲା ଜୋ ବସିଲା । ଆମେ ଆସ୍ତେ ଆସ୍ତେ ଘର ଆଡ଼କୁ ଚାଲିଲୁ- ଯାହା ଆଉ ଆମର ଘର ନୁହେଁ ।

•••

 

 

 

 

 

 

 

 

 

 

 

 

ଦ୍ୱିତୀୟ ଭାଗ

 

ଅର୍ଲସ।ଲ

 

ପରଦିନ ସକାଳେ ଜଳଯୋଗ ପରେ ଜୋ’ ମେରିଲେଗ୍‌ସକୁ ମାଲିକାଣୀଙ୍କ ଦୁଇଚକିଆ ଛୋଟ ଗାଡ଼ିରେ ଯୋଚି ଭାଇକରଙ୍କ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଲା । ପ୍ରଥମେ ସେ ଆମମାନଙ୍କଠାରୁ ବିଦାୟ ନେବା ପାଇଁ ଆସିଲା ତାପରେ ମେରିଲେଗ୍‌ସ ମଧ୍ୟ ହ୍ରେଷାଧ୍ୱନି କରି ଆମଠୁ ବିଦାୟ ନେଲା । ଜନ୍‌ ଜିଞ୍ଜର ଉପରେ ହୁଦା ଓ ମୋତେ ଲଗାମ ଲଗେଇ ଦେଲା । ଆମେମାନେ ଆମ ଅଞ୍ଚଳ ଭିତରେ ଚାଲି ଚାଲି ପନ୍ଦର ମାଇଲ ଯିବାପରେ ଅର୍ଲସାଲ ପାର୍କରେ ପହଞ୍ଚିଲୁ । ସେଠାରେ ଅର୍ଲ ରହନ୍ତି । ସେଠି ଏକ ଚମତ୍କାର ଘର ଓ ଅନେକଗୁଡ଼ିଏ ଘୋଡ଼ାଶାଳ ଦେଖିଲୁ । ଆମେ ପଥର ଫାଟକ ଭିତରଦେଇ କମ୍ପାଉଣ୍ଡ ମଧ୍ୟରେ ପ୍ରବେଶ କଲୁ ଏବଂ ଜନ୍‌ ମିୟର୍କଙ୍କୁ ଦେଖା କରିବାକୁ ଚାହିଁଲା । କିଛି ସମୟପରେ ସେ ବାହାରି ଆସିଲେ । ସେ ବେଶ୍‌ ସୁନ୍ଦର, ମଧ୍ୟ ବୟସ୍କ ଲୋକ । ତାଙ୍କ ସ୍ଵର ଶୁଣି ତାଙ୍କ ବ୍ୟକ୍ତିତ୍ୱ ସମ୍ବନ୍ଧରେ ମୁଁ ଜାଣିଲି- ସମସ୍ତେ ତାଙ୍କର ବାଧ୍ୟ ହେବେ ତାହା ସେ ଆଶା କରନ୍ତି । ଜନ୍‌ ସହିତ ସେ ଖୁବ୍‌ ବିନୀତ ଓ ଭଲ ଭାବେ କଥାବାର୍ତ୍ତା କରୁଥାନ୍ତି । ଆମ ଉପରେ ସାମାନ୍ୟ ଦୃଷ୍ଟି ପକେଇ ସେ ସଇସକୁ ଡାକି ଆମ ଦୁହିଁଙ୍କୁ ଘୋଡ଼ାଶାଳକୁ ନେବାର ନିର୍ଦ୍ଦେଶ ଦେଇ ଜନ୍‌କୁ ଖାଇବା ପାଇଁ ଅନୁରୋଧ କଲେ ।

 

ବେଶ୍‌ ଭଲଭାବେ ଆଲୋକିତ ଓ ପବନ ଚଳାଚଳ ଥିବା ଘରକୁ ଆମକୁ ନିଆଗଲା ଏବଂ ଦୁଇଟି କୋଠରିରେ ଦୁହିଁଙ୍କୁ ରଖାଗଲା । ଆମ ଦେହ ପରିଷ୍କାର କରାଯାଇ ଆମକୁ ଖାଇବାକୁ ମଧ୍ୟ ଦିଆଗଲା । ଅଧଘଣ୍ଟାଏ ପରେ ଜନ୍‌ ଆମର ନୂତନ ଗାଡ଼ିଚାଳକକୁ ନେଇ ଆମ ପାଖକୁ ଆସିଲା ।

 

ଆମ ଦୁହିଁଙ୍କୁ କିଛି ସମୟ ଭଲ ଭାବରେ ଦେଖି ସାରି ସେ କହିଲେ “ମି. ମ୍ୟାନ୍‌ଲି । ବର୍ତ୍ତମାନ ମୁଁ ଦୁଇ ଘୋଡ଼ାଙ୍କ ପାଖରେ କୌଣସି ଦୋଷ ଦେଖିପାରୁ ନାହିଁ । ତେବେ ଆମେ ସମସ୍ତେ ଏ କଥା ଜାଣୁ ଯେ ମଣିଷଙ୍କ ପରି ଘୋଡ଼ାମାନଙ୍କ ମଧ୍ୟରେ ମଧ୍ୟ କିଛି ନିଜସ୍ଵ ବିଚିତ୍ର ଚରିତ୍ର ରହିଛି । ତେଣୁ ସେମାନେ ମଧ୍ୟ ଭିନ୍ନ ଭିନ୍ନ ହାବଭାବ (ଅବାଗିଆପଣ) ଦେଖାନ୍ତି । ଯଦି ଏ ଦୁଇ ଘୋଡାଙ୍କର କିଛି ଅସ୍ଵାଭାବିକ ପ୍ରକୃତ ଥିବ ମତେ ଜଣେଇଦେଲେ ଭଲ ହୁଅନ୍ତା । ଜନ୍‌ କହିଲା ଶୁଣନ୍ତୁ । ଏମାନଙ୍କଠାରୁ ଭଲ ଘୋଡ଼ା ଏ ଦେଶରେ ନଥିବ ବୋଲି ମୁଁ ଭାବୁଛି । ଏମାନଙ୍କଠୁ ଅଲଗା ରହିବା କଥା ଭାବିଲେ ଦୁଃଖ ଲାଗୁଛି । କିନ୍ତୁ ଦୁହେଁ ଏକା ପ୍ରକୃତିର ନୁହନ୍ତି । ଏ କଳା ଘୋଡ଼ାଟି ମୁଁ ଯେତେ ଘୋଡ଼ା ଦେଖିଛି ସମସ୍ତଙ୍କଠାରୁ ଶାନ୍ତ । ମୋର ଧାରଣା ଯେ ସେ ଜନ୍ମ ହେବା ଦିନଠାରୁ କେବେ ବି କଡ଼ା କଥା ବା ଗୋଟେ ବିଧା ପାଇ ନାହିଁ । ମାଲିକଙ୍କୁ ସନ୍ତୁଷ୍ଟ କରିବାରେ ହିଁ ତାର ସମସ୍ତ ଆନନ୍ଦ ଥାଏ ବୋଲି ମୋର ମନେ ହୁଏ । କିନ୍ତୁ ବାଦାମୀ ରଙ୍ଗର ଘୋଡ଼ୀଟି ମୋର ମନେ ହୁଏ ମୂଳରୁ କିଛି ରୁକ୍ଷ ବ୍ୟବହାର ପାଇଛି । ଏ କଥା ଆମେ ବ୍ୟବସାୟୀଠୁ ଶୁଣି ବି ଥିଲୁ । ଆମ ପାଖକୁ ଆସିବାବେଳେ ତାର ଟିକେ ସନ୍ଦେହୀ ଓ ବିଦ୍ରୋହୀ ମନୋଭାବ ଥିଲା । କିନ୍ତୁ ଆମ ପାଖରେ ରହି ଧୀରେ ଧୀରେ ତାର ଏ ସ୍ଵଭାବର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଗଲା । ଗତ ତିନିବର୍ଷ ମଧ୍ୟରେ ତାର ସାମାନ୍ୟତମ ରାଗ ଆମେ ଦେଖି ନାହୁଁ । କିନ୍ତୁ ଯାହା ହେଲେ ବି କଳାଠାରୁ ସେ ଟିକେ ଚିଡ଼ା ସ୍ଵଭାବର । ମାଛି ବସିଲେ ଉପରେ ଚିଡ଼େ, ଯୋଚିବାରେ ବିଳମ୍ବ ହେଲେ ଡିଏଁ, ଆଉ ତାକୁ କଷ୍ଟ ବା ଯନ୍ତ୍ରଣା ଦେଲେ ସେ ସହିବନି, ଯେଷାକୁ ତେଷା ନୀତିଟି ଧରିବ । ଆପଣ ତ ଜାଣନ୍ତି- ବହୁ ଉଚ୍ଚବଂଶୀୟ ଘୋଡ଼ାଙ୍କ ପ୍ରକୃତି ଏ ପ୍ରକାର ଥାଏ ।

 

ୟର୍କ କହିଲେ “ଅବଶ୍ୟ ! ସବୁ ବୁଝିଲି । କିନ୍ତୁ ତୁମେ ଜାଣ ଯେ ଏ ଘୋଡ଼ାଶାଳରେ ଏତେଗୁଡ଼ିଏ ସଇସମାନଙ୍କ ଭିତରୁ ପ୍ରତ୍ୟେକେ ତ ଆଉ ଆମ ମନମାନିବା ପରି ହୋଇପାରିବେ ନାହିଁ । ମୁଁ ସିନା ଖୁବ୍‌ ଭଲ ବ୍ୟବହାର କରିବି, ଅନ୍ୟଙ୍କ କଥା ତ କହିପାରିବି ନାହିଁ । ତେବେ ଘୋଡ଼ା ବିଷୟରେ ତୁମେ ଯାହା କହିଲ ମନେ ରଖିବି ।

 

ସେମାନେ ଘୋଡ଼ାଶାଳରୁ ଚାଲିଯିବା ବେଳକୁ ଜନ୍‌ ପୁଣି ରହିଯାଇ କହିଲା “ହଁ ଆଉ ଗୋଟିଏ କଥା ଭାବୁଛି ମୋର ଜଣାଇଦେବା ଉଚିତ । ଆମେ କେବେ ହେଲେ ତାଙ୍କୁ ବନ୍ଧା ଲଗାମ ଲଗେଇ ନାହୁଁ । କଳା ଘୋଡ଼ା ଉପରେ ତ କେବେ ବି ନୁହେଁ । ଆଉ ବ୍ୟବସାୟୀ କହିଛି ଯେ ପ୍ରଥମରୁ ଶକ୍ତ ଭାବେ ତୁଣ୍ଡି ବାନ୍ଧିବାରୁ ଘୋଡ଼ାଟିର ସ୍ଵଭାବ ନଷ୍ଟ ହୋଇଯାଇଥିଲା ।”

 

“ଆଚ୍ଛା !” ୟର୍କ କହିଲେ “କିନ୍ତୁ ଏଠି ରହିଲେ ତ ସେମାନଙ୍କୁ ଲଗାମ ବାନ୍ଧିବାକୁ ହିଁ ପଡିବ । ମୁଁ ନିଜେ ଢିଲାକରି ଲଗାମ ବାନ୍ଧେ । ଆମ ମାଲିକ ବି ଘୋଡ଼ାଙ୍କ ସୁବିଧା ଅସୁବିଧା ପାଇଁ ବିଚାରବନ୍ତ, ମାତ୍ର ମୋ ମାଲିକାଣୀ ଭିନ୍ନ ପ୍ରକାରର । ନିଜେ ସୌଖୀନ ଏବଂ ଘୋଡ଼ାମାନଙ୍କୁ ଶକ୍ତ କରି ଲଗାମ୍‌ ସହ ନ ବନ୍ଧାଗଲେ ସେ ଘୋଡ଼ାଙ୍କୁ ଚାହିଁବେ ବି ନାହିଁ । ମୁଁ ଶକ୍ତ ତୁଣ୍ଡିର ସର୍ବଦା ବିରୋଧୀ ଓ ସେୟା ରହିବି ମଧ୍ୟ । ମାତ୍ର ମାଲିକାଣୀଙ୍କ ଯାତ୍ରାବେଳେ ମତେ ଲଗାମ୍‌ ତୁଣ୍ଡିସହ ଶକ୍ତ କରି ବାନ୍ଧିବାକୁ ପଡିବ ।”

 

ଜନ୍‌ କହିଲା “ଏହା ଶୁଣି ମତେ ଦୁଃଖ ଲାଗୁଛି । ଖୁବ୍‌ ଦୁଃଖ ଲାଗୁଛି, ଯାହା ହେଉ ମୁଁ ସଙ୍ଗେ ସଙ୍ଗେ ନ ବାହାରିଲେ ଗାଡ଼ି ଫେଲ୍‌ କରିବି ।’’

 

ସେ ଆମ ଦୁହିଁଙ୍କୁ ଆଉଁସି ଦେଇ ବିଦାୟ ନେଲା । ତାର ସ୍ଵର ଅତି କରୁଣ । ମୁଁ ମୁହଁ ତା ପାଖକୁ ନେଲି । ତାକୁ ବିଦାୟ ଦେବାର ପ୍ରଣାଳୀ ମୋର ସେୟା ଥିଲା । ତାପରେ ମୁଁ ଆଉ ତାକୁ କେବେ ଦେଖିନାହିଁ ।

 

ପରଦିନ ଲର୍ଡ଼ ଡବ୍ଲୁ, ଆମକୁ ଦେଖିବାକୁ ଆସିଲେ । ଆମ ଦୁହିଁଙ୍କର ଚେହେରା ଦେଖି ସେ ଖୁସି ହେଲା ପରି ଲାଗିଲା । ସେ କହିଲେ ‘‘ମୋର ବନ୍ଧୁ ମି.ଗର୍ଡ଼ନଙ୍କର ଘୋଡ଼ାଦ୍ୱୟ ହୋଇଥିବାରୁ ସେମାନେ ଯେ ନିଶ୍ଚୟ ଭଲ ହୋଇଥିବେ, ଏ ବିଶ୍ଵାସ ମୋର ଅଛି । ଅବଶ୍ୟ ଦୁହିଁଙ୍କର ରଙ୍ଗ ମ୍ୟାଚ୍‌ ନୁହେଁ । କିନ୍ତୁ ମୋ ଧାରଣା ଯେ ଯେତେଦିନ ଆମେ ଗ୍ରାମାଞ୍ଚଳରେ ଥିବୁ ସେମାନେ ଗାଡ଼ିରେ ଯୋଚା ହୋଇ ଦୌଡ଼ିବେ । ଲଣ୍ଡନ ଯିବା ପୂର୍ବରୁ ଆମେ ବ୍ୟାରନକୁ ସେ ବାଦାମି ଘୋଡ଼ୀ ସହ ରଖିବା । ଆଉ କଳାଘୋଡାଟା ଚଢ଼ିବା ପାଇଁ ଉତ୍କୃଷ୍ଟ ।”

 

ତାପରେ ୟର୍କ ଜନ କହିଥିବା କଥାସବୁ ତାଙ୍କୁ କହିଲା । ସେ ଶୁଣି ସାରି କହିଲେ “ଠିକ୍‌ ଅଛି । ତୁମେ ଘୋଡ଼ୀ ଉପରେ ନଜର ରଖିବ ଏବଂ ହୁଗୁଳାକରି ଟଣା ଲଗାମଟା ବାନ୍ଧିବ । ମୁଁ ନିଶ୍ଚିତ ରୂପେ କହିପାରେ ଯେ ପ୍ରଥମରୁ ଟିକେ ଆଦର କରି ଚଳେଇଲେ ସେମାନେ ଖୁବ୍‌ ଭଲ କାମ ହିଁ କରିବେ । ମୁଁ ମାଲିକାଣୀଙ୍କୁ ବି କହିଦେବି ।

 

ଅପରାହ୍‌ଣ ଠିକ୍‌ ତିନିଟା ବାଜିଲା ବେଳକୁ ଆମକୁ ଗାଡ଼ି ସହ ଯୋଚା ଗଲା ଓ ଆମକୁ ନେଇ ବାହାରକୁ ଗଲେ । ଆମ ଘର ସାମନାକୁ ଆସିଲୁ । ଏହା ଖୁବ ବିଶାଳ । ବଟଓ୍ୱିକ୍‌ର ପୁରୁଣା ଘରର ତିନି କି ଚାରିଗୁଣ ବଡ଼ । କିନ୍ତୁ ଘୋଡ଼ାଟିର ବିଚାରରେ ମୁଁ କହିପାରେ ଯେ ତାର ଅଧା ବି ଆନନ୍ଦଦାୟକ ନୁହେଁ ।

 

ଦୁଇଜଣ ଇଉନିଫର୍ମ ପିନ୍ଧା ଚାକର ଠିଆ ହୋଇଥାନ୍ତି । ଆମେ ସିଲ୍କ ଘଷିହେଲେ ତହିଁରୁ ଉତ୍ପନ୍ନ ଫଡ଼୍‌ ଫଡ଼୍‌ ଶବଦ ଶୁଣି ପାରିଲୁ । ଆମ ମାଲିକାଣୀ ଶିଢ଼ିରେ ଓହ୍ଲାଉଥିଲେ । ତଳେ ଆସି ଆମକୁ ଚାହିଁଲେ, ଦୀର୍ଘକାୟ ଓ ଅହଙ୍କାରୀ ପରି ମନେ ହେଉଥିଲେ । କୌଣସି କାରଣରୁ ଅସନ୍ତୁଷ୍ଟ ମଧ୍ୟ ଥିଲା ପରି ଲାଗିଲା । ତେବେ କିଛି ନ କହି ଗାଡ଼ିରେ ଚଢ଼ିଲେ । ପ୍ରଥମ ଥର ପାଇଁ ମୋତେ ବନ୍ଧା ଲଗାମ ଲଗା ହୋଇଥିଲା । ଏଟା ଭୀଷଣ ବିରକ୍ତିକର । କାରଣ ଆମେ ମୋଟେ ମୁଣ୍ଡ ତଳକୁ ଉପରକୁ କରିପାରିବୁ ନାହିଁ । କିନ୍ତୁ ବନ୍ଧା ହୋଇ ମୋର ମୁଣ୍ଡ ଯେତିକି ଉଚ୍ଚରେ ଥିଲା, ମୁକ୍ତ ବେଳେ ବି ମୁଁ ମୁଣ୍ଡ ସେତିକି ଉଚ୍ଚା କରି ଚାଲୁଥିଲି । ମତେ ଜିଞ୍ଜର ପାଇଁ ବ୍ୟସ୍ତ ଲାଗିଲା- ଚାହିଁ ଦେଖିଲି ନୀରବରେ ଶାନ୍ତ ହୋଇ ଚାଲୁଥିଲା ।

 

ତାପର ଦିନ ପୂର୍ବଦିନ ପରି ଆମେ ଠିକ୍‌ ତିନିଟା ବେଳକୁ ତାଙ୍କ ଘର ସାମନାକୁ ନିଆଗଲୁ । ସେଠି ଠିଆ ହୋଇ ତାଙ୍କ ଓହ୍ଲାଇବା ଶବ୍ଦ ମଧ୍ୟ ଶୁଣିଲୁ । ସେ ଗାଡ଼ିର ନିକଟକୁ ଆସି ବେଶ୍‌ ଗମ୍ଭୀର ସ୍ୱରରେ ନିର୍ଦ୍ଦେଶ ଦେଲେ ‘‘ଘୋଡ଼ାମାନଙ୍କ ମୁଣ୍ଡ ଆହୁରି ଉପରକୁ ଉଠାଅ । ଆଖିରେ ପଡ଼ିବା ପରି ସେମାନଙ୍କ ମୁଣ୍ଡ ଉଠିନି ।

 

ୟର୍କ ତଳକୁ ଓହ୍ଲାଇ ବିନୟଭାବେ କହିଲା “କ୍ଷମା କରିବେ ମ୍ୟାଡାମ୍‌ ଏ ଘୋଡ଼ା ଦୁହେଁ ବନ୍ଧା ଲଗାମରେ ଗତ ତିନିବର୍ଷ ହେବ ଅଭ୍ୟସ୍ତ ନୁହଁନ୍ତି ଏବଂ ମାଲିକ କହିଛନ୍ତି ଯେ ଏମାନଙ୍କୁ ଧୀରେ ଧୀରେ ତାହା ଅଭ୍ୟାସ କରାଇବ ! ତାହା ହିଁ ନିରାପଦ । ମାତ୍ର ଆପଣ ଯଦି କହିବେ ତେବେ ମୁଁ ସେମାନଙ୍କ ମୁଣ୍ଡ ଆଉ ଟିକେ ଉଠେଇ ଦେବି ।” ‘‘ଉଠେଇ ଦିଅ ।’’ ସେ କହିଲେ-

 

ୟର୍କ ନିଜେ ଆମ ମୁଣ୍ଡ ପାଖକୁ ଆସି ଲଗାମରୁ ଗୋଟିଏ କଣା ଛୋଟ କରିଦେଲା । ଆମକୁ ସାମାନ୍ୟ ଫରକ ପଡ଼ିଲା, ଭଲ ବା ଖରାପ ଯାହା ହେଉ, ଭାଗ୍ୟକୁ ସେଦିନ ଆମକୁ ଉଚ୍ଚ ଜାଗାକୁ ଉଠିବାକୁ ପଡ଼ିଲା ! ଯାହା ଶୁଣିଥିଲି ତାହା ମୁଁ ବୁଝିପାରିଲି । ଅବଶ୍ୟ ନିଜ ଆଉ ମୁଣ୍ଡକୁ ସାମନାକୁ ଟାଣି ଉପରକୁ ଉଠେଇବାକୁ ଚେଷ୍ଟା କଲି, ଯେମିତି ଉଚ୍ଚା ରାସ୍ତାରେ ଚାଲିବାବେଳେ ଆମେ ସର୍ବଦା କରିଆସୁଥିଲୁ । କିନ୍ତୁ ନା ! ଏବେ ମୁଣ୍ଡ ଉପରକୁ କରି ମତେ ଟାଣିବାକୁ ପଡିଲା । ମୋର ସମସ୍ତ ଉତ୍ସାହ ଉଭେଇଗଲା । ମୋର ପଛରେ ଆଉ ଗୋଡ଼ରେ ବ୍ୟଥା ହେବାକୁ ଲାଗିଲା । ଫେରି ଆସିବା ପରେ ଜିଞ୍ଜର କହିଲା “ବର୍ତ୍ତମାନ ଦେଖ ଏଠି କେମିତି, ଅବଶ୍ୟ ବହୁତ ଖରାପ ନୁହେଁ । ମୁଁ ଚଳେଇଦେବି, କାରଣ ଏମାନଙ୍କର ଖୁବ୍‌ ଭଲ ବ୍ୟବହାର । ତେବେ ଏହାଠାରୁ ଅଧିକ ଖରାପ ହୋଇ ମତେ ଯଦି ଅତ୍ୟଧିକ କଷ୍ଟ ହୁଏ, ମୁଁ ପାରିବିନି, ମୋଟରୁ ସହିପାରିବି ନି ।’’

 

ଦିନକୁ ଦିନ ଗୋଟିଏ ଗୋଟିଏ କଣା କମାଇ କମାଇ ଆମ ଲଗାମ ଛୋଟ କରାହେବାରେ ଲାଗିଲା । ପୂର୍ବେ ଆମେ ଯାତ୍ରା କରିବାକୁ ଅପେକ୍ଷା କରାଇ ଆନନ୍ଦ ବର୍ତ୍ତମାନ ଭୟରେ ପରିଣତ ହେଲା । ଜିଞ୍ଜର ବି ଚଞ୍ଚଳ ହୋଇପଡ଼ିଲା । ଯଦି ବି ଚୁପ୍‌ ଥିଲା । ଅବଶେଷରେ ଲଗାମ ଅଧିକ ଛୋଟ କରିବା ବନ୍ଦ ହେବାରୁ ମୁଁ ଭାବିଲି ବିପଦ କଟିଗଲା ଏବଂ ସ୍ଥିର କଲି ଯେ ଖୁବ୍‌ ମନ ଲଗାଇ କାମ କରିବି । ଯଦିଓ ବର୍ତ୍ତମାନ କାମ ଅର୍ଥ କ୍ରମାଗତ ଯନ୍ତ୍ରଣା, ଆଗପରି ଆନନ୍ଦ ନୁହେଁ- କିନ୍ତୁ ଅତ୍ୟଧିକ ଏ ପର୍ଯ୍ୟନ୍ତ ଆସି ନଥିଲା ।

•••

 

ସ୍ୱାଧୀନତା ପାଇଁ ଧର୍ମଘଟ

 

ଦିନେ ମାଲିକାଣୀ ନିୟମିତ ସମୟର ଟିକେ ପରେ ତଳକୁ ଓହ୍ଲାଇଲେ ଏବଂ ସେଦିନ ତାଙ୍କ ସିଲ୍କ ପୋଷାକ ସବୁଦିନଠାରୁ ସୁନ୍ଦର ଥିଲା ।

 

“ଚାଲ ବି’ର ଡଚେସ୍‌ଙ୍କ ଘରକୁ' ' ଟିକେ ରହି ପୁଣି କହିଲେ “ତୁମେ କ'ଣ କେବେହେଲେ ଏଇ ଘୋଡ଼ାମାନଙ୍କ ମୁଣ୍ଡ ଉପରକୁ କରିବ ନାହିଁ ୟର୍କ ? ସଙ୍ଗେ ସଙ୍ଗେ ଉପରକୁ ଉଠାଅ । ତାଙ୍କର ମଜା ଓ ବଦମାସିକୁ ଅଧିକ ବଢ଼ାଅ ନାହିଁ ।”

 

ୟର୍କ ମୋ ପାଖକୁ ପ୍ରଥମେ ଆସିଲା । ସଇସ ଜିଞ୍ଜର ପାଖରେ ଠିଆ ହୋଇଥାଏ । ସେ ମୋ ମୁଣ୍ଡ ଉଠାଇ ଲଗାମକୁ ଏତେ ଶକ୍ତ କରିଦେଲା ଯେ ଯନ୍ତ୍ରଣାରେ ମତେ ଅସହ୍ୟ ଲାଗିଲା-। ତାପରେ ସେ ଜିଞ୍ଜର ନିକଟକୁ ଗଲା । ସେ ଅତି ଅସ୍ଥିର ହୋଇ ମୁଣ୍ଡ ଉପରତଳ କରିବାକୁ ଲାଗିଲା । ଆଜିକାଲି ତାର ଏଇପରି ଅଭ୍ୟାସ ହୋଇଛି ତୁଣ୍ଡି ପିନ୍ଧିବା ବେଳକୁ । ସେ ବୁଝିପାରିଥିଲା ଯେ ଗୋଟାଏ କ’ଣ ହେବାକୁ ଯାଉଛି । ଯେତେବେଳେ ୟର୍କ ତା ଲଗାମକୁ ଛୋଟ କରିବା ପାଇଁ ତାହା ଲୁହା ବଳୟରୁ ଖୋଲିଛି ସେଇ ମୁହୂର୍ତ୍ତରେ ସେ ଏତେ ଶୀଘ୍ର ଏତେ ଜୋରରେ ଠିଆ ହୋଇ ପଡ଼ିଲା ଯେ ୟର୍କର ନାକରେ ବାଡେଇ ହୋଇ ଟୋପି ପଡ଼ିଗଲା । ସଇସ ବି ମାଟିରେ ପଡ଼ିଲା । ଉଠି ଦୁହେଁ ତା ପାଖକୁ ଦୌଡ଼ିଲେ । କିନ୍ତୁ ସେ ବଳରେ ସେମାନଙ୍କୁ ପରାଜିତ କଲା । ଶେଷକୁ ସେ ଗାଡ଼ିର ପୋଲକୁ ଲାଥିମାରି ଗୋତେ ପ୍ରଚଣ୍ଡ ଜୋରରେ ଧକ୍କା ଦେଇ ତଳେ ପଡିଲା । ଆଉ କଣ ବଦମାସି କରିବା ପୂର୍ବରୁ ୟର୍କ ତା ମୁଣ୍ଡ ଉପରେ ବସିପଡିବାରୁ ତାର ଲଢ଼ିବା ବନ୍ଦ ହେଲା । ତାପରେ ସେ ବଡ଼ ପାଟିରେ କହିଲା “କଳା ଘୋଡ଼ାକୁ ଖୋଲି ଦିଅ, ରେଞ୍ଚି ଆଣି ପୋଲ୍‌ଟାକୁ ଖୋଲ- ଫିତା କାଟିଦିଅ, ଜଣେ ଚାକର ରେଞ୍ଚି ପାଇଁ ଆଉ ଜଣେ ଛୁରୀ ପାଇଁ ଘର ଭିତରକୁ ଦୌଡିଲେ । ତାପରେ ସଇସ ମତେ ଗାଡ଼ି ଓ ଜିଞ୍ଜରଠାରୁ ଅଲଗା କରି ମୋ କୋଠରିକୁ ନେଇଗଲା । ସେ ମତେ ଭିତରକୁ ଛାଡି ପୁଣି ୟର୍କ ନିକଟକୁ ଦୌଡ଼ିଲା । ଯାହାସବୁ ଘଟିଗଲା ତହିଁରେ ମୁଁ ବେଶ୍‌ ଉତ୍ତେଜିତ ହୋଇପଡ଼ିଥିଲି । ମୋର ଯଦି ଉଠିଯିବାକୁ ବା ଲାଥି ମାରିବାର ଅଭ୍ୟାସ ଥାନ୍ତା ତାହାହେଲେ ମୋର ସେତିକି ବେଳେ ହିଁ କରିବା ଉଚିତ ହୋଇଥାନ୍ତା, କିନ୍ତୁ ମୁଁ କେବେ ଏପରି କରି ନାହିଁ । ମୁଁ ରାଗରେ ଠିଆ ହେଲି- ଗୋଡ଼ ଖଣ୍ଡିଆ ମୁଣ୍ଡ ଦରଜ, ହୁଦାରେ ଲାଗିଥିବା ବଳା ପାଇଁ କଷ୍ଟ । ତାକୁ କାଢ଼ିଦେବା ଶକ୍ତି ମଧ୍ୟ ମୋ ହାତରେ ନାହିଁ । ମୁଁ ଭୀଷଣ ଅସହାୟ ଅନୁଭବ କଲି ଏବଂ ଖୁବ୍‌ ଇଚ୍ଛା ହେଲା ଯେ ଯିଏ ଲୋକ ମୋ ପାଖକୁ ଆସିବ ତାକୁ ଗୋଇଠା ମାରିବି ।

 

ଅଳ୍ପ ସମୟ ପରେ ଦୁଇଜଣ ସଇସ ଜିଞ୍ଜରକୁ ଧରି ଧରି ତା ଘରକୁ ଆଣିଲେ । ତା ଦେହସାରା ଖଣ୍ଡିଆଖାବରା । ୟର୍କ ବି ସାଥିରେ ଆସିଥିଲା । ତା ପାଇଁ ନିର୍ଦ୍ଦେଶ ଦେଇ ମତେ ଦେଖିବାକୁ ମୋ ନିକଟକୁ ଆସିଲା । ମୁହୂର୍ତ୍ତକ ମଧ୍ୟରେ ମୋ ତୁଣ୍ଡ ଇତ୍ୟାଦି ଖୋଲି ମତେ ମୁକ୍ତ କଲା । “ଲଗାମ ଟାଣିଦିଅ ହୁଁ’’ ନିଜେ ନିଜେ ସେ କହିବାକୁ ଲାଗିଲା ।” ମୁଁ ଭାବୁଥିଲି ଯେ ଏପରି ଘଟଣା ଶୀଘ୍ର ଘଟିବ । ମାଲିକ ତ ବହୁତ ବ୍ୟସ୍ତ ହେବେ, କିନ୍ତୁ କ’ଣ କହିବ ଯଦି ଗୋଟାଏ ସ୍ତ୍ରୀଲୋକକୁ ତା ସ୍ଵାମୀ ଶାସନ କରିପାରୁନି, ଚାକର କରିପାରିବ କି ?’’ ଯାହା ହେଉ ମୁଁ ମୁକ୍ତ ହେଲି ସମସ୍ୟାରୁ - ସେ ଯେ ଡଚେସ୍‌ଙ୍କ ଗାର୍ଡ଼େନ ପାର୍ଟିକୁ ଯାଇ ପାରିଲେନି, ମୁଁ କଣ କରିବି ?’’

 

ଅବଶ୍ୟ ୟର୍କ ଅନ୍ୟମାନଙ୍କ ଉପସ୍ଥିତିରେ ଏସବୁ କଥା କହି ନଥିଲା । ସେ ସବୁବେଳେ ଅନ୍ୟମାନଙ୍କ ନିକଟରେ ସେମାନଙ୍କ ବିଷୟରେ ସମ୍ମାନଜନକ କଥା କହେ । ତାପରେ ସେ ହାତ ବୁଲେଇ ମୋ ଦେହମୁଣ୍ଡ ସବୁ ଦେଖିଲା । ଆଣ୍ଠୁ ଫୁଲି ଦରଜ ହୋଇଥିବା ଜାଗା ବି ଦେଖିଲା । ସଙ୍ଗେ ସଙ୍ଗେ ସେଠି ଗରମ ପାଣିରେ ସ୍ପଜିଙ୍ଗ୍‌ କରି ଲୋଶନ୍‌ ଲଗାଇବାର ନିର୍ଦ୍ଦେଶ ଦେଲା ।

 

ଲର୍ଡ଼ ଡବ୍ଲୁ ଏ ଘଟଣା ଜାଣି ଭାରି ବ୍ୟସ୍ତ ହେଲେ । ସେ ୟର୍କ ମାଲିକାଣୀ କଥାରେ କାହିଁକି ପଡ଼ି ଆମକୁ ଏମିତି କଲା ବୋଲି ତାରି ଉପରେ ବିରକ୍ତ ହେଲେ । ୟର୍କ ସେଦିନ କହିଦେଲା ଯେ ଆଉ ଏମିତି କରିବ ନାହିଁ । ଭବିଷ୍ୟତରେ ସେ କେବଳ ମାଲିକଙ୍କ ନିର୍ଦ୍ଦେଶ ଅନୁଯାୟୀ କାମ କରିବ । କିନ୍ତୁ ମୁଁ ଦେଖିଲି ସେପରି କିଛି ପରିବର୍ତ୍ତନ ହେଲା ନାହିଁ, ଆମେ ପୂର୍ବପରି ହିଁ ରହିଲୁ । ମୁଁ ଭାବିଲି ଯେ ୟର୍କ ଘୋଡ଼ାମାନଙ୍କର ବେଶି ସୁବିଧା ଦେଖିବ । ଅବଶ୍ୟ ମୁଁ ବିଚାରକ ନୁହେଁ ।

 

ଏହାପରେ ଜିଞ୍ଜର ଆଉ କେବେହେଲେ ଗାଡ଼ିରେ ଯୋଚା ହେଲା ନାହିଁ । କିନ୍ତୁ ତାର ଘାଆଗୁଡିକ ଶୁଖିଯିବା ପରେ ମାଲିକଙ୍କର ଅଳ୍ପ ବୟସ, ପୁଅ ତହିଁରେ ଚଢ଼ିବା ପାଇଁ ପସନ୍ଦ କଲେ-। କାରଣ ସେ ନିଶ୍ଚିତ ଥିଲେ ଯେ ଜିଞ୍ଜର ଏକ ଭଲ ଶିକାରୀ ଘୋଡ଼ା ହୋଇପାରିବ । ମୁଁ କିନ୍ତୁ ଆଉ ଗୋଟାଏ ନୂଆ ଘୋଡ଼ା “ମ୍ୟାକ୍ସ’’ ସହ ଗାଡ଼ିଟାଣିବାରେ ଲାଗିଲି । ସେ ସର୍ବଦା ଛୋଟ ଆଉ ଶକ୍ତ ଲଗାମରେ ବନ୍ଧା ।

 

ମୁଁ ତାକୁ ପଚାରିଲି “ତୁ ଏହା ସହୁଛୁ କିପରି ?

 

‘ଆଚ୍’' ସେ ଉତ୍ତର ଦେଲା “ମୁଁ ସହୁଛି ମତେ ସହିବାକୁ ପଡ଼ିବ ବୋଲି । ଏହା ଯେ ମୋର ବଳ ଏବଂ ଆୟୁ କମ୍‌ କରି ଦେଉଛି ମୁଁ ଜାଣେ । ତୋର ବି ସେୟା ହେବ ତୁ ଯଦି ଏଇ ଛୋଟ ଲଗାମରେ ଗାଡ଼ି ଟାଣୁ । ପଚାରିଲି “ତୁ କଣ ଭାବୁଛୁ ଯେ ଆମ ମାଲିକମାନେ ଏକଥା ଜାଣନ୍ତି ?’’ ‘‘ସେ କଥା କହିପାରିବନି”, ସେ ଉତ୍ତର ଦେଲା, ମାତ୍ର ଘୋଡ଼ା ବ୍ୟବସାୟୀ ଏବଂ ଡାକ୍ତରମାନେ ଭଲକରି ଜାଣନ୍ତି’’ । ଏକଦା ମୁଁ ଜଣେ ବ୍ୟବସାୟୀଙ୍କ ନିକଟରେ ଟ୍ରେନିଂ ନେବାବେଳେ ସେ ମତେ ଆଉ ଗୋଟିଏ ଘୋଡ଼ା ସହ ଯୋଚି ଗାଡ଼ି ଟାଣି ଚାଲିବା ଶିଖଉଥି‌ଲେ । ପ୍ରତିଦିନ ସେ ଟିକିଏ ଟିକିଏ କରି ଲଗାମ ଛୋଟ କରୁଥାନ୍ତି ଏବଂ ଆମ ମୁଣ୍ଡ ଟିକେ ଟିକେ ଉପରକୁ ଉଠାଉଧାନ୍ତି । ଜଣେ ଭଦ୍ରଲୋକ ଏହା ଲକ୍ଷ୍ୟ କରି କାରଣ ପଚାରିଲେ । ସେ ଉତ୍ତର ଦେଲେ ‘‘ଏପରି ନକଲେ ଲୋକେ ଘୋଡ଼ାଙ୍କୁ କିଣିବେ ନି । ଲଣ୍ଡନର ଲୋକେ ସବୁବେଳେ ଚାହାନ୍ତି ଯେ ତାଙ୍କ ଘୋଡ଼ାମାନେ ମୁଣ୍ତ ଉପରକୁ ଉଠାଇ ବଡ଼ ବଡ ପାହୁଣ୍ଡ ପକାଇ ଚାଲିବେ । ଅବଶ୍ୟ ଏହା ଘୋଡ଼ାମାନଙ୍କ ପାଇଁ ଖୁବ୍‌ କ୍ଷତିକାରକ, ମାତ୍ର ଆମ ବ୍ୟବସାୟ ପାଇଁ ଭଲ ଲାଭଦାୟକ । ଏହା ଦ୍ଵାରା ସେମାନେ ଜଲଦି ବୁଢ଼ା ହୋଇଯାନ୍ତି, ରୋଗରେ ପଡ଼ନ୍ତି, ତାପରେ ତାଙ୍କ ମାଲିକମାନେ ଆଉ ଗୋଟିଏ ନୂତନ ଘୋଡ଼ା କିଣିବା ପାଇଁ ଆସନ୍ତି ।’’ ସେ ଏକଥା କହିଲା । ମୁଁ ଶୁଣିଲି । ଏଥରକ ତୁ ବୁଝ୍‌ ।

 

ମୁଁ ଚାରିମାସ ମାଲିକାଣୀଙ୍କ ଗାଡ଼ି ଚଳେଇ, ମୁଣ୍ଡ ଉପରକୁ କରି କରି କଷ୍ଟ ପାଇଲି । କିନ୍ତୁ ମୁଁ ନିଶ୍ଚିତ ଯେ ଏମିତି ଆଉ କେତେ ମାସ ଚାଲିଥିଲେ ମୋର ମିଜାଜ ବା ସ୍ଵାସ୍ଥ୍ୟ କାହାର ନା କାହାର କ୍ଷତି ହୋଇଥାନ୍ତା । ଏହା ପୂର୍ବରୁ ମୁହଁରୁ ଫେଣ ଫେଣ ହୋଇ ବାହାରିବା ମୁଁ କାହାରି ଦେଖି ନଥିଲି । କିନ୍ତୁ ବର୍ତ୍ତମାନ ତୀକ୍ଷ୍ମ ତୁଣ୍ଡି ବାନ୍ଧି ମୋର ଜିଭ ଓ ମାଢ଼ିର ଏବଂ ମୁଣ୍ଡର କଷ୍ଟଦାୟକ ଠାଣିରେ ମୋ ଗଳାରୁ ସବୁବେଳେ ପାଟିବାଟେ ଫେଣ ବାହାରୁଥାଏ । ମୋର ଏଇ ଅବସ୍ଥାରେ କେତେ ଲୋକ ଖୁସି ହୋଇ “ବଢ଼ିଆ ଘୋଡ଼ା” ବୋଲି ମତ ଦିଅନ୍ତି କିନ୍ତୁ ଫେଣ ବାହାରିବାଟା ମଣିଷଙ୍କ ପାଇଁ ଯାହା ଘୋଡ଼ାଙ୍କ ପାଇଁ ବି ତାହା- ଅସ୍ଵାଭାବିକ । ଆଉ ଏହା ଯନ୍ତ୍ରଣାର ଏକ ନିଶ୍ଚିତ ଚିହ୍ନ ଏବଂ ଏହାର ଚିକିତ୍ସା ଆବଶ୍ୟକ । ତା ଛଡ଼ା ସବୁବେଳେ ଶ୍ଵାସନଳୀରେ ଚାପପଡ଼ି ପ୍ରାୟ ନିଶ୍ଵାସ ନେବା ପାଇଁ ମଧ୍ୟ କଷ୍ଟ ହୁଏ । ଭାରି ଅସ୍ଵସ୍ତି ଲାଗେ । କାମରୁ ଫେରିବା ପରେ ମୋର ବେକ ଦରଜ ଏବଂ ତହିଁରେ ବ୍ୟଥା, ପାଟି ଆଉ ଜିଭ ମୁମୂର୍ଷ, ନିଜେ ମୁଁ କ୍ଲାନ୍ତ ଆଉ ଦୁଃଖୀ ।

 

ମୋର ପୁରୁଣା ବାସସ୍ଥାନରେ ସର୍ବଦା ମୁଁ ଜନ ଏବଂ ମାଲିକଙ୍କୁ ବନ୍ଧୁ ମନେ କରୁଥିଲି । କିନ୍ତୁ ଏଠି ? ଯଦି ମଧ୍ୟ ଅନେକ ଦିଗରୁ ମୋର ଯତ୍ନ କରାଯାଉଥିଲା, କିନ୍ତୁ ବନ୍ଧୁ କେହି ନଥିଲେ । ହୁଏତ ୟର୍କ ଖୁବ୍‌ ସମ୍ଭବ ବୁଝିପାରୁଥିଲା ଯେ ଏଇ ଲଗାମ ମତେ କେତେ କଷ୍ଟ ଦେଉଥିଲା । କିନ୍ତୁ ମୋ ଧାରଣା ଯେ ମୋର ଏଇ କଷ୍ଟକୁ ସେ ସାଧାରଣ ଭାବେ ନେଇ ଭାବୁଥିଲା ହୁଏତ ଏହାର ପ୍ରତିକାର କିଛି କରାଯାଇପାରିବ ନି । ତେବେ ବୁଝିଲେ ବି ମତେ ଏଇ କଷ୍ଟରୁ ମୁକ୍ତି ଦେବା ପାଇଁ କିଛି ବି କରାଗଲା ନାହିଁ ।

•••

 

Unknown

ଲେଡ଼ି ଆନ୍‌

 

ବସନ୍ତର ପ୍ରାରମ୍ଭରେ ଲର୍ଡ ଡବ୍ଲୁ ଏବଂ ତାଙ୍କ ପରିବାରର କେତେଜଣ ଲଣ୍ଡନ ଗଲେ । ସେମାନଙ୍କ ସହ ୟର୍କ ଚାଲିଗଲା । ଅନ୍ୟମାନଙ୍କ ପାଇଁ ମୁଁ, ଜିଞ୍ଜର, ଆଉ କେତୋଟି ଘୋଡ଼ା ରଖାଗଲେ । ପ୍ରଧାନ ସଇସଙ୍କ ତତ୍ତ୍ଵାବଧାନରେ ଆମକୁ ରଖାଗଲା ।

 

ହଲ୍‌ରେ ରହୁଥିବା ଲେଡି ହ୍ୟାରିଏଟ୍‌ ଭିନ୍ନକ୍ଷମ । ତେଣୁ ସେ ଗାଡ଼ିରେ କେବେ କେଉଁଠାକୁ ଯାଆନ୍ତି ନାହଁ । ଲେଡି ଆନ୍‌ ତାଙ୍କ ନିଜ ଭାଇ ବା ସମ୍ପର୍କୀୟ ଭାଇମାନଙ୍କ ସହିତ ଯିବା ପାଇଁ ପସନ୍ଦ କରନ୍ତି । ସେ ଘୋଡ଼ାଚଢ଼ାଳି ଭାବେ ଦକ୍ଷ ଏବଂ ଯେମିତି ସୁନ୍ଦରୀ ସେମିତି ଭଦ୍ର ଓ ପ୍ରଫୁଲ୍ଲ । ସେ ଚଢ଼ିବା ପାଇଁ ମତେ ପସନ୍ଦ କରି ମୋର ନାମ ରଖିଲେ “ବ୍ଲାକ ଅଷ୍ଟର’’ । ତାଙ୍କ ସହିତ କରିବା ଯାତ୍ରାଗୁଡ଼ିକ ମଧ୍ୟ ମୋତେ ଖୁବ୍‌ ଭଲ ଲାଗେ । ମୋ ସହିତ ବେଳେବେଳେ ଜିଞ୍ଜର ଏବଂ ବେଳେବେଳେ ଲିଜି ଯାଆନ୍ତି । ଲିଜି ମଧ୍ୟ ଗୋଟିଏ ସୁନ୍ଦର ଘୋଡ଼ୀ । ଖୁବ୍‌ ଗୁଣର । ତାର କାର୍ଯ୍ୟ ଆଉ ପ୍ରସନ୍ନତା ପାଇଁ ପରିବାରର ଯୁବକମାନଙ୍କର ସେ ଖୁବ୍‌ ପ୍ରିୟ । କିନ୍ତୁ ଜିଞ୍ଜର ତାକୁ ମୋଠାରୁ ଭଲ ଭାବେ ଜାଣିଥିଲା । ସେ କହେ ଯେ ଲିଜି ଭାରି ଡରୁଆ ।

 

ହଲ୍‌ରେ ବ୍ଲାଣ୍ଟାୟାର ନାମକ ଜଣେ ଭଦ୍ରଲୋକ ରହୁଥିଲେ । ସେ ସବୁବେଳେ ଲିଜି ଉପରେ ଚଢ଼ନ୍ତି । ସେ ସବୁବେଳେ ଲିଜିର ପ୍ରଶଂସା କରୁଥିବାରୁ ଦିନେ ଲେଡ଼ି ଆନ୍‌ ଆମ ଦୁହିଁଙ୍କୁ ହୁଦା ଇତ୍ୟାଦି ପିନ୍ଧାଇବାର ନିର୍ଦ୍ଦେଶ ଦେଲେ । ଆମେ ଯେତେବେଳେ ଦ୍ଵାରମୁହଁକୁ ଆସିଲୁ ଭଦ୍ରଲୋକ ଟିକେ ଅପ୍ରସ୍ତୁତ ହେବା ପରି ମନେ ହେଲା । କାରଣ ସେ ଦେଖିଲେ ଯେ ଆନ୍‌ ଲିଜି ପିଠିରେ ବସୁଛନ୍ତି । ପଚାରିଲେ ‘‘ଆପଶ ଆପଣଙ୍କ ପ୍ରିୟ ବ୍ଲାକ ଅଷ୍ଟରରେ ଚଢ଼ି ଚଢ଼ି କ୍ଲାନ୍ତ ହୋଇ ପଡ଼ିଲେ ନା କ’ଣ ?”

 

“ଓହୋ ! ନା ନା ମୋଟେ ନୁହେଁ । କିନ୍ତୁ ମୁଁ ଚାହେଁ ଯେ ଆପଣ ଦିନେ ମୋ ଘୋଡ଼ାରେ ଏବଂ ମୁଁ ଆପଣଙ୍କ ପ୍ରିୟ ଲିଜି ପିଠିରେ ବସି ଯିବି । ଆଉ ଏକଥା ଆପଣ ନିଶ୍ଚୟ ସ୍ଵୀକାର କରିବେ ଯେ ମୋ ପ୍ରିୟ ଘୋଡ଼ାଠାରୁ ସ୍ତ୍ରୀଲୋକଙ୍କ ଘୋଡ଼ୀ ପରି ଲିଜି ହିଁ ବେଶି ଦେଖାଯାଏ ।

 

‘‘ଓହୋ ! ଆପଣ ତା ଉପରେ ଚଢ଼ନ୍ତୁନି ଏୟା ମୋର ଉପଦେଶ’’ ସେ କହିଲେ ସେ ସୁନ୍ଦର ଘୋଡ଼ୀଟିଏ ସତ କିନ୍ତୁ ନାରୀ ଚଢ଼ାଳିମାନଙ୍କ କ୍ଷେତ୍ରରେ ଖୁବ୍‌ ଶଙ୍କିତ। ମୁଁ ନିଶ୍ଚିତ ରୂପେ କହିପାରେ ଯେ ସେ ନିରାପଦ ମୋଟେ ନୁହେଁ। ତେଣୁ ଘୋଡ଼ା ବଦଳ କରିବା ପାଇଁ ମୁଁ ତୁମକୁ ଅନୁରୋଧ କରୁଛି ।’’

 

‘‘ମୋ ପ୍ରିୟ ଭାଇ’’? ହସିକରି ଲେଡି ଆନ୍‌ କହିଲେ ‘‘ଦୟାକରି ମୋ ପାଇଁ ତୁମେ ମଥା ଖେଳାଅ ନାହିଁ । ଶିଶୁ ବେଳୁ ମୁଁ ଘୋଡ଼ା ଚଢ଼ିଛି, ଶିକାରରେ ମଧ୍ୟ ଯାଇଛି । ମୁଁ ଜାଣେ ଯେ ତୁମେ ଯୁବତୀମାନଙ୍କର ଶିକାର କରିବା ପସନ୍ଦ କରନି, ମାତ୍ର ମୁଁ ବହୁବାର ଯାଇଛି । ଆଉ ବର୍ତ୍ତମାନ ତୁମମାନଙ୍କର ସମସ୍ତଙ୍କର ପସନ୍ଦ ଲିଜି ସହିତ ମୁଁ ଥରେ ମାତ୍ର ଯିବାକୁ ଚାହୁଁଛି । ତେଣୁ ମତେ ବାଧା ନ ଦେଇ ସାହାଯ୍ୟ କର, ଯେହେତୁ ତୁମେ ମୋର ଜଣେ ବିଶିଷ୍ଟ ବନ୍ଧୁ ମଧ୍ୟ ।’’

 

ବ୍ଲାଣ୍ଟାୟାରଙ୍କର ଆଉ କିଛି କହିବାର ନଥିଲା । ଯେ ଯତ୍ନରେ ତାକୁ ଘୋଡ଼ୀ ପିଠିରେ ବସେଇଦେଇ ତୁଣ୍ଡି ଓ ଚେନ୍‌ ଆଡକୁ ଚାହିଁ ଲଗାମଟି ତା ହାତରେ ଧରାଇଦେଲେ । ତାପରେ ନିଜେ ମୋ ଉପରେ ବସିଲେ । ଠିକ୍‌ ବାହାରିବା ବେଳକୁ ରକ୍ଷୀ ଆସି ଲେଡି ହ୍ୟାରିଏଟ୍‌ଙ୍କର ଲେଖା ଚିଠିଟିଏ ହାତରେ ଦେଇ କହିଲା ‘‘ଏ ଚିଠି ଡଃ ଆସ୍ଳିଙ୍କୁ ତାଙ୍କ ଘରେ ଦେଇ ୟାର ଉତ୍ତର ଆଣିବାକୁ କହିଛନ୍ତି ।’’ ଡଃ ଆସ୍ଲିଙ୍କର ଗାଆଁ ମାଇଲିଏ ଦୂର ଏବଂ ତାଙ୍କ ଘରଟି ଶେଷ ପ୍ରାନ୍ତରେ । ଆନନ୍ଦରେ ଆମେ ଚାଲିଲୁ । ତାଙ୍କ ଗେଟ୍‌ରେ ପହଞ୍ଚି ପୁଣି ଟିକେ ଚାଲି ଭିତରକୁ ଗଲୁ । ଦୁଇପଟେ ଲମ୍ବା ଲମ୍ବା ସବୁଜ ଗଛ । ଘର ଗେଟ୍‌ ପାଖରେ ବ୍ଲାଣ୍ଟାୟାର୍‌ ଆନ୍‌ଙ୍କୁ ଓହ୍ଲାଇ ଦେବାକୁ ଯିବାରୁ ସେ କହିଲେ ‘‘ଆମେ ଏହିଠାରେ ଅପେକ୍ଷା କରୁଛୁ । ଆପଣ ଏଇ ଗେଟ୍‌ରେ ବ୍ଲାକ ଅଷ୍ଟରର ଲଗାମକୁ ବାନ୍ଧି ଦେଇ ଭିତରକୁ ଯାଆନ୍ତୁ’’ । ସେ ଟିକେ ସନ୍ଦିହାନ ଦୃଷ୍ଟିରେ ଆନ୍‌ଙ୍କୁ ଚାହିଁ କହିଲେ ‘‘ଠିକ୍‌ ଅଛି ମୁଁ ପାଞ୍ଚ ମିନିଟ୍‌ରେ ଆସୁଛି ।’’ ‘‘ତରତର ହେବା ଦରକାର ନାହିଁ । ଲିଜି ଆଉ ମୁଁ ଆପଣଙ୍କୁ ଛାଡ଼ି ପଳେଇବୁ ନାହିଁ ।’’

 

ସେ ମୋ ଲଗାମକୁ ଲୁହାରଡ୍‌ରେ ଝୁଲେଇଦେଇ ଦୃଷ୍ଟିରେଖାରୁ ଅନ୍ତର୍ହିତ ହେଲେ । ମୋ ଆଡକୁ ପଛକରି ମୋଠାରୁ କେତେ ପାହୁଣ୍ଡ ଦୂରରେ । ଲିଜି ରାସ୍ତାକଡ଼ରେ ଚୁପ୍‌ କରି ଠିଆ ହୋଇଥିଲା । ଆନ୍‌ ଲଗାମ ଢିଲା ଛାଡ଼ିଦେଇ ତା ଉପରେ ବସି ଗୁଣୁ ଗୁଣୁ କରି ଗୀତ ଗାଉଥାନ୍ତି । ମୁଁ ବ୍ଲାଣ୍ଟାୟାର ଦୁଆରରେ ପହଞ୍ଚିବା ଯାଏ ତାଙ୍କ ପଦଶବ୍ଦ ଶୁଣିପାରୁଥିଲି । ରାସ୍ତାର ଅନ୍ୟ ପାର୍ଶ୍ୱରେ ପଡ଼ିଆଟିଏ ଥିଲା । ତାର ଗେଟଟା ଠିଆ ମେଲା ହୋଇଥାଏ । ସେତିକି ବେଳେ କେତୋଟି ଗାଡ଼ିଟଣା ଘୋଡ଼ା ଏବଂ ଘୋଡ଼ାପିଲାମାନେ ଖୁବ୍‌ ଇତସ୍ତତଃ ହୋଇ ଚାଲି ଚାଲି ଆସୁଥିଲେ । ସେମାନଙ୍କ ଜଗୁଆଳି ବାଳକଟି ପଛରୁ ବାଡ଼େଇ ବାଡ଼େଇ ଆସୁଥିଲା । ସେଇ ଘୋଡ଼ାପିଲାମାନେ ବଣୁଆ ଏବଂ ଖୁସିବାସିଆ । ସେମାନଙ୍କ ମଧ୍ୟରୁ ଜଣକ ଗୋଡ଼ ଛନ୍ଦି ହୋଇ ରାସ୍ତାରେ ପଡିଗଲା ବେଳକୁ ଲିଜିର ପଛଗୋଡ଼ରେ ଧକ୍କା ମାରିଦେଲା । ଅବଶ୍ୟ ଘୋଡ଼ାପିଲାଟା ବୋକା କି ଚାବୁକର ଜୋର ଶବ୍ଦ ଅଥବା ଉଭୟ ମୁଁ କହିପାରିବି ନି କିନ୍ତୁ ଲିଜି ପ୍ରଚଣ୍ତ ଜୋରରେ ଗୋଇଠାମାରି ଛିଟିକି ପଡ଼ି ଦୌଡ଼ିଲା । ଏହା ଏତେ ଶୀଘ୍ର ଘଟିଗଲା ଯେ ଆନ୍‌ ପ୍ରାୟ ପଡ଼ିଯାଉଥିଲେ, କିନ୍ତୁ ଶୀଘ୍ର ନିଜକୁ ସମ୍ଭାଳିନେଲେ । ମୁଁ ହ୍ରେଷାରଡ଼ି କଲି, ପାଦରେ ମାଟିକୁ ବାଡ଼େଇବାଡ଼େଇ ଅଧୈର୍ଯ୍ୟ ହୋଇ ପୁଣି ଲଗାମ ଢିଲା କରିବାକୁ ମୁଣ୍ଡ ଏପଟ ସେପଟ କଲି । ମତେ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିନି । ବ୍ଲାଣ୍ଟାୟାର ଗେଟପାଖକୁ ଦୌଡ଼ି ଆସିଲେ । ବ୍ୟସ୍ତ ହୋଇ ଚାରିଆଡ଼କୁ ଚାହିଁ ପବନ ପରି ଦୌଡୁଥିବା ଲିଜିକୁ ଦେଖିଲେ । ତତ୍‌କ୍ଷଣାତ୍‌ ଡେଇଁପଡ଼ି ମୋ ପିଠିରେ ବସିପଡ଼ିଲେ ମୁଁ ଆଉ ଚାବୁକ ବା ଲାଠିକୁ ଅପେକ୍ଷା କଲିନି । ମତେ ମଧ୍ୟ ନିଜପରି ବ୍ୟସ୍ତ ଦେଖି ସେ ଲଗାମ ଢିଲା କରି ଦେଇ ମତେ ଲିଜି ପଛେ ପଛେ ଦୌଡ଼େଇଲେ ।

 

ରାସ୍ତା ଦେଢ଼ମାଇଲ ସିଧା ଥିଲା । ତାପରେ ଡାହାଣକୁ ବଙ୍କି ଯାଇ ତାପରେ ରାସ୍ତା ଦୁଇଭାଗ ହୋଇ ଯାଇଥିଲା । ଆମେ ବଙ୍କା ରାସ୍ତାକୁ ଆସିବା ବେଳକୁ ଲିଜି ଦୃଷ୍ଟିରୁ ଅନ୍ତର୍ହିତ । କେଉଁପଟକୁ ଯିବୁ ? ଭାଗ୍ୟକୁ ଜଣେ ସ୍ତ୍ରୀ ଲୋକ ତା ଗେଟପାଖରେ ଆଖି ଉପରି ପଟେ ପାପୁଲି ରଖି ରାସ୍ତା ଆଡକୁ ଚାହିଁଥିଲେ । ବ୍ଲାଣ୍ଟାୟାର ପଚାରିଲେ ‘‘କେଉଁ ପଟକୁ ଗଲା ?’’ ଉତ୍ତର ମିଳିଲା ‘‘ଡାହାଣ ପଟକୁ’’ । ଆମେ ଡାହାଣ ପଟକୁ ବୁଲିପଡ଼ି ଦୂରରୁ ତାକୁ ଟିକେ ଦେଖିଛୁ କି ନାହିଁ, ସେ ଆଉ ଗୋଟିଏ ବାଙ୍କରେ ବୁଲିଯାଇ ପୁଣି ଦୃଷ୍ଟିରୁ ଅନ୍ତର୍ହିତ ହୋଇଗଲା । ଏହିପରି ବାରବାର ହେଲା-। ଆମେ ତାକୁ ପାଇବା ଆଶା ହରେଇଲାବେଳକୁ ଜଣେ ପୁରୁଣା ରାସ୍ତା ମରାମତି କରୁଥିବା ଲୋକ ଠିଆ ହେବାର ଦେଖିଲୁ । ପାଖରେ ଗଦେ ପଥର ଉପରେ ତା ଫାଉଡ଼ାଟା ମଧ୍ୟ ପଡ଼ିଥାଏ । ସେ ଆମ ଆଡ଼କୁ ହାତଠାରି କଣ କହିବାକୁ ଚାହିଁବା ପରି ଲାଗିବାରୁ ବ୍ଲାଣ୍ଟାୟାର ତା ନିକଟକୁ ଗଲେ । ସେ କହିଲା ଯେ ଘୋଡ଼ାଟି ସର୍ବସାଧାରଣଙ୍କ ପଡ଼ିଆ ଆଡ଼କୁ ଯାଇଛି । ସେଇ ପଡ଼ିଆଟି ଖାବୁଡ଼ାଖାବୁଡ଼ା, ହୁଡ଼ା ଓ କଣ୍ଟାଗଛରେ ଭର୍ତ୍ତି ବୋଲି ଆମେ ଜାଣିଥିଲୁ । ଖାଲଢ଼ିପ ଜାଗା । ଦୌଡ଼ିବା ପାଇଁ ସବୁଠାରୁ ମାରାତ୍ମକ ସ୍ଥାନ, ବିଶେଷ କରି ଘୋଡ଼ାଙ୍କ ପାଇଁ । ଆମେ ଠିକ୍‌ ସେପଟକୁ ମୋଡ଼ିଛୁ କି ନାହିଁ ଦୂରରୁ ଲେଡି ଆନ୍‌ଙ୍କୁ ଲିଜି ଉପରେ ପଛକୁ ଝୁଙ୍କି ପଡ଼ିଥିବା ଦେଖିଲି । ଟୋପିଟି ମୁଣ୍ଡରୁ ଉଡ଼ି ଯାଇଛି ଏବଂ କେଶବାସ ବିପର୍ଯ୍ୟସ୍ତ । ଲିଜିର ଗତି ଏଇ ଉଚ୍ଚାନୀଚା ରାସ୍ତାରେ ନିଶ୍ଚୟ କମିଯାଇଥିବ ଏବଂ ତେଣୁ ଆମେ ତାକୁ ନିଶ୍ଚୟ ଧରିପାରିବୁ ଭାବି ଚାଲିଲୁ ।

 

ବ୍ଲାଣ୍ଟାୟାର ମତେ ଠିକ୍‌ ଭାବେ ଗାଇଡ କରିବାରୁ ମୁଁ ଶୀଘ୍ର ଶୀଘ୍ର ସେ ରାସ୍ତାରେ ଦୌଡ଼ି ଲିଜିକୁ ଧରିବାର ଚେଷ୍ଟା କଲି । କଣ୍ଟାବଣ ଭିତରେ ଅଧରାସ୍ତା ଯିବାପରେ ଗୋଟାଏ ବଡ଼ ଖାତ ପଡିଲା । ଅଳ୍ପଦିନ ହେବ ଖୋଳା ହୋଇଛି । ଅନ୍ୟ ପଟରେ ମାଟିଗୁଡାକ ଜମା ହୋଇଥିଲା । ସେପଟକୁ ସେମାନେ ଗଲେ ବା କେମିତି ? କିନ୍ତୁ ଲିଜି ଟିକେ ରହିଯାଇ ଖୁବ୍‌ ଜୋରରେ ଡେଇଁ ସେପଟ ମାଟିଗଦାରେ ପଡିଗଲା । ବ୍ଲାଣ୍ଟାୟାର ହତାଶାରେ କହିଲେ ‘‘ଅଷ୍ଟର ଏ ତୋର ବଡ଼ ପରୀକ୍ଷା-’’ ସେ ମୋର ଲଗାମ ଠିକ୍‌ ଭାବରେ ଧରିଲେ, ମୁଁ ମୋର ସମସ୍ତ ଶକ୍ତି ଦେଇ ଡେଇଁ ପଡ଼ିଲି । ଗାତ ଏବଂ ବନ୍ଧ ଉଭୟ ଅତିକ୍ରମ କରି ଅନ୍ୟ ପଟକୁ ଚାଲି ଆସିଲୁ ।

 

ଆନ୍‌ ବୁଦା ଭିତରେ ତଳକୁ ମୁହଁ କରି ସ୍ଥିର ହୋଇ ପଡିଥାଆନ୍ତି । ବ୍ଲାଣ୍ଟାୟର ପାଖରେ ଆଣ୍ଠେଇପଡି ତାଙ୍କୁ ନା ଧରି ଡାକିଲେ, ଶବ୍ଦ ନାହିଁ । ଆସ୍ତେ କରି ତାଙ୍କ ମୁହଁ ବୁଲେଇ ଉପରକୁ କଲେ । ମୁହଁ ଶେତା, ଆଉ ଆଖି ଦୁଇଟି ବନ୍ଦ । ‘‘ଆନି ଆନିରେ କଥା କହ’’ ଉତ୍ତର ନାହିଁ । ସେ ତାଙ୍କ ବୋତାମ ଖୋଲି ଦେଇ କଲର ଢିଲା କରି ଦେଲେ ତାଙ୍କ ହାତ ଛୁଇଁ ନାଡ଼ି ଦେଖିଲେ । ବ୍ୟସ୍ତ ହୋଇ ଚାରିଆଡ଼କୁ ଚାହିଁଲେ ।

 

ନିକଟରେ ଦୁଇଜଣ ଲୋକ ଘାସ କାଟୁଥିଲେ । ସେମାନେ ଏକା ଲିଜିକୁ ଦୌଡ଼ିବା ଦେଖି କାମ ଛାଡ଼ି ତାକୁ ଧରିବାକୁ ଚେଷ୍ଟା କରୁଥିଲେ ।

 

ବ୍ଲାଣ୍ଟାୟରଙ୍କ ଡାକରେ ସେମାନେ ଆସିଲେ । ପ୍ରଥମ ଲୋକଟି ଏପରି ଦୃଶ୍ୟ ଦେଖି ବ୍ୟସ୍ତ ହୋଇ ପଡିଲା । ସେ କ’ଣ କରିବ ପଚାରିଲା ‘‘ତୁମେ ଘୋଡ଼ା ଚଢ଼ି ଯାଇପାରିବ ?’’

 

‘‘ହଁ ସାର୍‌ ମୁଁ ଘୋଡ଼ା ଚଢ଼ାଳି ନ ହେଲେ ମଧ୍ୟ ଲେଡି ଆନ୍‌ଙ୍କ ପାଇ ଜୀବନ ଦେଇପାରେ । ଗତ ଶୀତକାଳରେ ମୋ ସ୍ତ୍ରୀକୁ ସେ ଯାହା ସାହାଯ୍ୟ କରିଥିଲେ ତାହା ଅସାଧାରଣ-

 

‘‘ତେବେ ଏ ଘୋଡ଼ାରେ ଚଢ଼, ତୁମ ଜୀବନ ଅବଶ୍ୟ ନିରାପଦ । ଯାଇ ଡାକ୍ତରଙ୍କୁ ସଙ୍ଗେ ସଙ୍ଗେ ଏଠାକୁ ଆସିବା ପାଇଁ କହିବ । ସେଠୁ ହଲକୁ ଯାଇ ସେମାନଙ୍କୁ କହିବ ଗୋଟିଏ ଗାଡ଼ି ଆଉ ଆନ୍‌ର ଚାକରାଣୀକୁ ସଙ୍ଗେ ସଙ୍ଗେ ଏଠାକୁ ପଠାଇଦେବେ । ମୁଁ ଏଠି ଅଛି ।’’

 

‘‘ଠିକ୍‌ ଅଛି ସାର୍‌, ମୁଁ ଯେତେଟା ପାରିବି ନିଶ୍ଚୟ କରିବି ଏବଂ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ମୋର ପ୍ରିୟ ଲେଡି ଯେମିତି ଶୀଘ୍ର ଆଖି ଖୋଲିବେ । ତାପରେ ସେ ଅନ୍ୟ ଲୋକଙ୍କୁ କହିଲା ଯେ ସେ ଯେମିତି ଘରକୁ ଯାଇ ପାଣି ଏବଂ ତାର ସ୍ତ୍ରୀକୁ ଆନ୍‌ ପାଖକୁ ଡାକି ଆଣିବ ।

 

ତାପରେ ସେ ମୋ ଉପରେ ବସିଲା । ଆମେ ଗାତ ବାଟେ ନ ଯାଇ ଅନ୍ୟ ରାସ୍ତାରେ ବୁଲିକରି ଗଲୁ । ତାର ଚାବୁକ ନଥିବାରୁ ତାର ପ୍ରଥମରୁ ବୋଧହୁଏ ଟିକେ ଭୟ ହେଉଥିଲା, କିନ୍ତୁ ମୋର ଚାଲି ଦେଖିବା ପରେ ତାହା ଦୂର ହେଲା । ସେ ନିଜ ବୁଦ୍ଧିରେ ହୁଦାକୁ ଧରି ଆରାମରେ ଗଲା । ମୁଁ ତାକୁ ହଲାହଲି ନ କରିବା ଚେଷ୍ଟା କଲେ ମଧ୍ୟ ରାସ୍ତା ଉଚ୍ଚନୀଚ ହେତୁ ଟିକେ ଟିକେ ସେ ହଲିଯାଉଥାଏ । ସଙ୍ଗେ ସଙ୍ଗେ ସେ ଚିତ୍କାର କଲେ ‘‘ସ୍ଥିର ହୁଅ ସ୍ଥିର ହୁଅ ।’’ ବଡ଼ ରାସ୍ତାରେ ଆମେ ଠିକ୍‌ ଦୌଡ଼ିଲୁ । ଆଉ ଡାକ୍ତର ଘରକୁ ଏବଂ ହଲକୁ ଯାଇ ତାକୁ ଦିଆଯାଇଥିବା କାମ ସେ ସବୁ ଠିକ୍‌ କରି କଲା । ସେମାନେ ଚା ବା କିଛି ଟିକେ ପିଇକରି ଯିବା ପାଇଁ ତାକୁ ଅନୁରୋଧ କରିବାରୁ ସେ କହିଲା ‘‘ନା ନା, ମୁଁ କମ୍‌ ରାସ୍ତା ଦେଇ ଶୀଘ୍ର ଫେରିବି । ସେଠାରେ ଗାଡ଼ି ପହଞ୍ଚିବା ପୂର୍ବରୁ ମତେ ପହଞ୍ଚିବାକୁ ହେବ ।’’

 

ସମ୍ବାଦଟି ହଲରେ ପହଞ୍ଚିବା ମାତ୍ରେ ଭୀଷଣ ଗହଳଚହଳ ଆରମ୍ଭ ହେଲା । ମୋର ହୁଦା ଏବଂ ଲଗାମ ଇତ୍ୟାଦି ଫିଟାଇ ମତେ ମୋ ଗୁହାଳରେ ରଖିଦେଲେ । ଜିଞ୍ଜରକୁ ହୁଦା ଆଦି ବାନ୍ଧି ଲର୍ଡ ଜର୍ଜଙ୍କୁ ସଙ୍ଗେ ସଙ୍ଗେ ଆଣିବା ପାଇଁ ପଠାଗଲା । ମୁଁ ଗାଡ଼ିଟା ଗଡ଼ିଗଡ଼ି ଯିବାର ଶବ୍ଦ ଶୁଣୁଥିଲି । ଜିଞ୍ଜର ଅନେକ ସମୟ ପରେ ଫେରି ତା ଘରକୁ ଆସିବାରୁ ମୁଁ ତାର ଘଟଣାତକ ଶୁଣିଲି । ସେ କହିଲା ‘‘ମୁଁ ପୂରା କହିପାରିବି ନି, କିନ୍ତୁ ଆମେ ବହୁ ସମୟ ଦୌଡ଼ିବା ପରେ ସେ ଜାଗା ପାଇଲୁ । ଡାକ୍ତର ଏବଂ ଜଣେ ସ୍ତ୍ରୀଲୋକ ସେଠି ଥିଲେ । ଆନ୍‌ଙ୍କ ମଥା ସେଇ ସ୍ତ୍ରୀ ଲୋକଟିର କୋଳରେ ରହିଥିଲା । ଡାକ୍ତର କିଛି ଜିନିଷ ତାଙ୍କ ପାଟିରେ ଢାଳିଦେଲେ । ମତେ କେବଳ ଏତିକି ଶୁଭିଲା ଯେ ସେ ମରି ନାହାନ୍ତି । ତାପରେ ଗୋଟାଏ ଲୋକ ମତେ ଟିକେ ଦୂରକୁ ନେଇ ଗଲା । ତାପରେ ସେ ଗାଡ଼ିକୁ ଅଣାହେଲା ଏବଂ ଆମେ ସମସ୍ତେ ଏକାଠି ଘରକୁ ଫେରିଲୁ । ସେ ସ୍ତ୍ରୀଲୋକଟି ମଧ୍ୟ ତାଙ୍କ ସହିତ ଗାଡ଼ିରେ ବସିଥିଲା । ରାସ୍ତାରେ ଜଣେ ଭଦ୍ରଲୋକ ଗାଡ଼ି ଅଟକାଇ ପଚାରିବାରେ ମି. ଜର୍ଜ କହିଲେ ଯେ ତାଙ୍କର ଆଶା ହାଡ଼ ଭାଙ୍ଗି ନଥିବ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବେହୋସ ଅଛନ୍ତି ।

 

ଯେତେବେଳେ ଲର୍ଡ ଜର୍ଜ ଜିଞ୍ଜରକୁ ପ୍ରଥମଥର ପାଇଁ ଶିକାର କରିବାବେଳେ ନେବା ପାଇଁ ଚାହିଁଥିଲେ ୟର୍କ ମନା କରି ଦେଇଥିଲା । କହିଥିଲା ଯେ ପ୍ରଥମ ଶିକ୍ଷା ପାଇଁ ଗୋଟିଏ ପୋଖତ ହାତ ଦରକାର, ଲର୍ଡ ଜର୍ଜଙ୍କ ପରି ଯେମିତିସେମିତି ଚଢ଼ାଳି ନୁହେଁ । ଏଇ କଥା ଜିଞ୍ଜରକୁ ଭାରି ଭଲ ଲାଗିଥିଲା । ବେଳେବେଳେ ସେ କାମ କରି ଫେରିବା

 

ବେଳକୁ ଭାରି କ୍ଲାନ୍ତ ଦେଖାଯାଏ, ଟିକେ ଟିକେ କାଶ ବି ହୁଏ । ତାର ଆପତ୍ତି କରିବା ମାନସିକତା ଅତ୍ୟଧିକ ଥିଲେ ବି ମତେ ତା ପାଇଁ ଖୁବ୍‌ ବ୍ୟସ୍ତ ଲାଗେ ।

 

ଦୁର୍ଘଟଣାର ଦୁଇଦିନ ପରେ ବ୍ଲାଣ୍ଟାୟାର ମତେ ଦେଖିବାକୁ ଆସିଲେ । ମତେ ଆଉଁସି ଆଉଁସି ସେ ବହୁତ ପ୍ରଶଂସା କଲେ। ଲର୍ଡ ଜର୍ଜଙ୍କୁ କହିଲେ ‘‘ମୁଁ ଭଲକରି ଜାଣେ ଯେ ମୋ ସହିତ ଏଇ ଘୋଡ଼ାଟି ବି ଆନ୍‌ର ବିପଦ ବୁଝି ପାରିଥିଲା । ମୁଁ ତାକୁ ଅଟକାଇବାକୁ ଚାହିଁଥିଲେ ବି ସେ ରହି ନଥାନ୍ତା । ଆନ୍‌ ଏଇ ଘୋଡା ବ୍ୟତୀତ କେବେ ବି ଅନ୍ୟ କେଉଁ ଘୋଡ଼ାରେ ଚଢ଼ିବ ନାହିଁ ।’’ ସେମାନଙ୍କ କଥାବାର୍ତ୍ତାରୁ ବୁଝିଲି ଯେ ମୋର ଯୁବ ମାଲିକାଣୀ ବିପଦମୁକ୍ତ ଏବଂ ଖୁବ୍‌ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘୋଡ଼ା ଚଢ଼ିବେ । ଏହା ମୋ ପାଇଁ ଖୁବ୍‌ ସୁସମ୍ବାଦ ଏବଂ ମୁଁ ଏଇ ଆଗତ ସୁଖୀ ଜୀବନକୁ ଆଗ୍ରହରେ ଅପେକ୍ଷା କରି ରହିଲି ।

•••

 

ରିବେନ ସ୍ମିଥ୍‌

 

ବର୍ତ୍ତମାନ ମୁଁ ରିବେନ ସ୍ମିଥି ସମ୍ବନ୍ଧରେ କିଛି କହିବାକୁ ଯାଉଛି । ୟର୍କ ଲଣ୍ଡନ ଚାଲିଯିବା ପରେ ସେ ଘୋଡ଼ା ଓ ଘୋଡ଼ାଶାଳର ଦାୟିତ୍ୱରେ ରହିଲା । ଏହି କାର୍ଯ୍ୟରେ ତାଠାରୁ ଅଧିକ ଦକ୍ଷ କେହି ନଥିଲେ । ତେବେ ସେ ଯେତେବେଳେ ଠିକ୍‌ ଥାଏ ସବୁଠାରୁ ବିଶ୍ଵାସୀ ଭଲ ଲୋକ । ଖୁବ୍‌ ଭଦ୍ର, ଘୋଡ଼ା ଚଳାଇବାରେ ବେଶ୍‌ ଦକ୍ଷ ଏବଂ ଘୋଡ଼ାଙ୍କୁ ସେବା କରିବାରେ ଜଣେ ଚିକିତ୍ସକର କାମ କରିପାରୁ ଥିଲା । କାରଣ ସେ ଦୁଇବର୍ଷ କାଳ ଜଣେ ପଶୁ ଚିକିତ୍ସକ ପାଖରେ ଚାକିରି କରିଥିଲା ! ସେ ଜଣେ ପ୍ରଥମ ଶେଣୀର ଚାଳକ, ସେ ଚାରିଟା ଘୋଡ଼ା ଯୋଟି ଦୁଇଟା ଗାଡ଼ି ସାମନାସାମନି ଚଳାଇ ନେଇପାରେ ଏକା । ସୁନ୍ଦର ଚେହେରା, ବୁଦ୍ଧିମାନ ଏବଂ ମଧୁର ବ୍ୟବହାର, ସମସ୍ତେ ବିଶେଷ କରି ଘୋଡ଼ାମାନେ ତାକୁ ଖୁବ୍‌ ଭଲପାନ୍ତି । ଅଥଚ ଆଶ୍ଚର୍ଯ୍ୟର ବିଷୟ ଯେ ସେ ସହକାରୀ ହିସାବରେ ୟର୍କ ପରି ମୁଖ୍ୟଚାଳକ ହିସାବରେ କାମ କରୁ ନଥିଲା ! କିନ୍ତୁ ତାର ଗୋଟାଏ ବଡ଼ ଦୋଷ ଥିଲା- ତାହା ହେଉଛି ସେ ମଦ୍ୟପ୍ରିୟ । ଅବଶ୍ୟ କେତେ ଲୋକଙ୍କ ପରି ସବୁବେଳେ ପିଏ ନାହିଁ, କିନ୍ତୁ ମଝିରେ ମଝିରେ ହଠାତ୍‌ ପିଇଦେଇ ତା ଖେଳ ଦେଖାଏ । ନିଜେ ଅପମାନିତ, ସ୍ତ୍ରୀ ପାଇଁ ଭୟଙ୍କର ଏବଂ ଅନ୍ୟ ସହଯୋଗୀମାନଙ୍କ ପାଖରେ ବଦମାସ୍‌ ହୋଇଯାଏ-। ସେ ଏତେ ଦରକାରୀ ଯେ ଦୁଇ ତିନିଥର ଏ ପରିସ୍ଥିତିକୁ ୟର୍କ ଆର୍ଲଙ୍କୁ ନ କହି ଚାପିଦେଇଥିଲା । ମାତ୍ର ଥରେ ରାତିରେ ସେ ଏକ ପାର୍ଟିକୁ ନାଚହଲରୁ ଆଣିବାବେଳେ ଏତେ ପିଇଦେଇଥିଲା ଯେ ଲଗାମ ଠିକ୍‌ ଭାବେ ଧରିପାରୁ ନଥିଲା । ତେଣୁ ପାର୍ଟିର ଜଣେ ଭଦ୍ର ଲୋକ ଗାଡ଼ି ଚଳେଇ ମହିଳାମାନଙ୍କୁ ଛାଡ଼ିଲେ । ଏ କଥା ଲୁଚି ରହିଲା ନି ଓ ସେ ବରଖାସ୍ତ ହେଲା । ବିଚରା ସ୍ତ୍ରୀ ପୁଅ ଘର ଛାଡ଼ି ରାସ୍ତାକୁ ଗଲେ । ବୁଢ଼ା ମ୍ୟାକ୍ସ ମତେ ଏ କଥା କହିଥିଲା, ଅବଶ୍ୟ ଅନେକ ବର୍ଷ ଆଗରୁ ଏହା ଘଟିଥିଲା । କିନ୍ତୁ ଠିକ୍‌ ଜିଞ୍ଜର ଆଉ ମୋର ଆସିବା ପୂର୍ବରୁ ତାକୁ ପୁଣିଥରେ-ଚାକିରିରେ ବାହାଲ କରାଦିଆଗଲା । ୟର୍କ ବୁଝାଇବାରୁ ଦୟାଳୁ ଆର୍ଲ ରାଜି ହେଲେ । ତେବେ ସ୍ମିଥ ଶପଥ କରି କହିଥିଲା ଯେ ଯେତେଦିନ ସେଠି କାମ କରିବ ସେ ଟୋପାଏ ହେଲେ ମଦ ସ୍ପର୍ଶ କରିବ ନାହିଁ-। ତା ଶପଥ ସେ ଏତେ ଭଲ ଭାବେ ରକ୍ଷା କରିଥିଲା ଯେ ୟର୍କ ତାକୁ ତା କାମ ସମର୍ପି ଦେଇ ଲଣ୍ଡନ ଯିବା ସ୍ଥିର କଲା । ଯେତେଦିନ ସେ ସେଠି ରହିବ, ସେତେ ଦିନ ସ୍ମିଥ୍‌ ତା କାମ ଚଳେଇବ । ସେ ବୁଦ୍ଧିମାନ ଏବଂ ସଚ୍ଚୋଟ ଥିବାରୁ ଏଇ ଦାୟିତ୍ୱ ପାଇଁ ସେ ହିଁ ଯୋଗ୍ୟ ।

 

ଏପ୍ରିଲ୍‌ର ପ୍ରଥମ ସପ୍ତାହ । ଆର୍ଲ ପରିବାର ମେ ମାସରେ ଫେରିବା କଥା । ଗାଡ଼ିଟା ଟିକେ ଠିକ୍‌ଠାକ୍‌ କରାଯିବା ସ୍ଥିର ହେଲା । କର୍ଣ୍ଣେଲ୍‌ ବ୍ଲାଣ୍ଟାୟାର ତାଙ୍କ ସେନା ଛାଉଣୀକୁ ଫେରିବାର କଥା । ଠିକ୍‌ ହେଲା ଯେ ତାଙ୍କ ସହିତ ସ୍ମିଥ୍‌ ଘୋଡ଼ା ଚଳେଇ ଯିବ ଏବଂ ତାଙ୍କୁ ଛାଡ଼ିଦେଇ ପେରି ଆସିବ । ଏଇଥିପାଇଁ ସେ ଆଉ ଗୋଟାଏ ହୁଦା ନେଇ ବସିଲେ ଏବଂ ସେମାନଙ୍କୁ ନେବା ପାଇଁ ମତେ ହିଁ ବଛା ହୋଇଥିଲା । ଷ୍ଟେସନରେ ବ୍ଲାଣ୍ଟାୟାର ସ୍ମିଥ୍‌ ହାତରେ କିଛି ଟଙ୍କା ଗୁଞ୍ଜିଦେଇ କହିଲେ ‘‘ବିଦାୟ- ଆନ୍‌ର ଯତ୍ନ ନେବ ଏବଂ ତାଙ୍କୁ ବ୍ଲାକ୍‌ ଅଷ୍ଟର ବ୍ୟତୀତ ଅନ୍ୟ ଘୋଡ଼ାରେ ବୁଲିବାକୁ ଛାଡ଼ିବ ନି ଏବଂ ଦେଖିବ ସେ ଘୋଡ଼ାରେ ଅନ୍ୟ କେହି ଯେମିତି ନ ଚଢ଼ିବେ ।

 

ଗାଡ଼ିଟିକୁ ଠିକ୍‌ କରିବା ପାଇଁ ମିସ୍ତ୍ରୀ ପାଖରେ ଛାଡ଼ିଦେଇ ଆମେ ଆସିଲୁ । ତାପରେ ସ୍ମିଥ୍‌ ମତେ ହ୍ଵାଇଟ ଲାୟନରେ ଛାଡ଼ି ଘୋଡ଼ାରକ୍ଷୀକି ମତେ ଭଲ କରି ଖୁଆଇ ପିଆଇ ଚାରିଟା ବେଳକୁ ପ୍ରସ୍ତୁତ ରଖିବାକୁ କହି ଚାଲିଗଲା । ମୋ ଜୋତାରୁ କଣ୍ଟାଟିଏ ବାହାରି ଯାଇଥିଲା । ରକ୍ଷୀର ଠିକ୍‌ ଚାରିଟା ବେଳକୁ ହିଁ ସେଥିରେ ନଜର ପଡିଲା । ସ୍ମିଥ୍‌ ପାଞ୍ଚଟା ଯାଏ ତ ଆସିଲା ନାହିଁ, ତାପରେ ପୁଣି କହିଲା ଯେ କିଛି ପୁରୁଣା ବନ୍ଧୁଙ୍କ ସହ ତାଙ୍କର ସାକ୍ଷାତ ହେବାରୁ ସେ ଛଅଟା ଆଗରୁ ବାହାରି ପାରିବ ନାହିଁ । ସେତେବେଳେ ରକ୍ଷୀ ଜୋତା କଣ୍ଟା ବାହାରି ଯାଇଥିବା କହି ତାକୁ ଠିକ୍‌ କରିବା ବିଷୟରେ ପଚାରିବାରୁ ସେ ମନା କରି ଚାଲିଗଲେ । କହିଲେ ‘‘ଆମେ ସେଇ ଅବସ୍ଥାରେ ଘର ପର୍ଯ୍ୟନ୍ତ ଚାଲିଯାଇ ପାରିବୁ ।’’

 

ସେତେବେଳେ ତାର ଉଚ୍ଚସ୍ଵରରେ ଅସଂଲଗ୍ନ କଥା ଶୁଣି ମତେ ଆଶ୍ଚର୍ଯ୍ୟ ଲାଗୁଥିଲା । ସ୍ମିଥ୍‌ ପରି ଲାଗୁ ନଥିଲା, ତା କଥା ପରି ବି ଲାଗୁ ନଥିଲା । ସେ ଯାହାହେଉ ସେ ସନ୍ଧ୍ୟା ସାତଟା କି ଆଠଟା ପର୍ଯ୍ୟନ୍ତ ଆସିଲା ନାହିଁ । ପ୍ରାୟ ନଅଟା ବେଳକୁ ମତେ ନେବା ପାଇଁ ଆସିଲା । ଖୁବ୍‌ ଜୋରରେ ରୁକ୍ଷଭାବେ ଡାକି ଘୋଡ଼ାରକ୍ଷୀକୁ ଗାଳି ଦେବାରେ ଲାଗିଲା ! ମିଜାଜ୍‌ ଖୁବ୍‌ ଖରାପ । ମୁଁ ଏହାର କାରଣ କିଛି ବି ବୁଝିପାରିଲି ନାହିଁ ।

 

ଇନ୍‌ର ମାଲିକ ଦୁଆର ମୁହଁରେ ଠିଆ ହୋଇଥିଲେ କହିଲେ, ‘‘ମି. ସ୍ମିଥ୍‌ ସାବଧାନ’’ । କିନ୍ତୁ ସେ ରାଗିଯାଇ ତାଙ୍କୁ ଗାଳି ଦେଇ ଦେଇ ଚାଲିଲା । ସହର ଅତିକ୍ରମ କରିବାର ସାମାନ୍ୟ ପୂର୍ବରୁ ସେ ମତେ ଜୋରରେ ଦୌଡ଼େଇଲା । ମୁଁ ଜୋରରେ ଦୌଡୁଥିଲେ ବି ସେ ମତେ ଚାବୁକ୍‌ରେ ପାହାରେ ପାହାରେ ଖୁବ୍‌ ଜୋରରେ ପକାଉଥାନ୍ତି । ଆକାଶରେ ଚନ୍ଦ୍ର ଉଦୟ ହୋଇ ନଥିଲେ, ଚାରିଆଡ଼ ଅନ୍ଧାର ଥିଲା । ରାସ୍ତା ଅଳ୍ପଦିନ ହେବ ମରାମତି ହୋଇଥିବାରୁ ଗୋଡ଼ି କାଙ୍କର ଭର୍ତ୍ତି । ଏଇ ଭଳିଆ ରାସ୍ତାରେ ଏତେ ଜୋର୍‌ରେ ଦୌଡ଼ିବାରୁ ମୋର ଜୋତା ଢିଲା ହୋଇ ଠିକ୍‌ ବାଙ୍କରେ ବୁଲିବାବେଳକୁ ଗୋଡ଼ରୁ ଖସିଗଲା ।

 

ଯଦି ସ୍ମିଥ୍‌ର ମଥା ଠିକ୍‌ ଥାଆନ୍ତା ସେ ବୁଝିଥାନ୍ତା ଯେ ମୁଁ ଛୋଟଉଛି, ତେଣୁ ମୋର କିଛି ହୋଇଛି । କିନ୍ତୁ ସେ ତ ପୁରାପୁରି ମଦନିଶାରେ ! ତେଣୁ କିଛି ଲକ୍ଷ୍ୟ କଲା ନାହିଁ ।

 

ସେଇ ପ୍ରଧାନ ରାସ୍ତା ପରେ ବେଶ୍‌ ଅନେକଟା ରାସ୍ତାରେ ଖଣ୍ଡ ଖଣ୍ଡ ପଥର ଜମା ହୋଇଥାଏ । ପଥର ଖଣ୍ଡଗୁଡ଼ିକ ବେଶ୍‌ ଗୋଳିଆ ବି ଥିଲା । ତା ଉପରେ କୌଣସି ଘୋଡ଼ା ନିରାପଦରେ ଜଲଦି ଜଲଦି ଚାଲିପାରିବ ନାହିଁ । ଏହିପରି ରାସ୍ତାରେ ଗୋଟିଏ ପାଦରେ ଜୋତା ଅନ୍ୟ ପାଦ ଖାଲି ଥାଇ ଦ୍ରୁତ ଗତିରେ ଚାଲିବାରେ ମତେ ପ୍ରଚଣ୍ଡ ଯନ୍ତ୍ରଣା ହେଉଥାଏ । ତହିଁ ଉପରେ ପୁଣି ଚାବୁକରେ ପିଟି ପିଟି ଓ ମତେ ଗର୍ଜନ କରି ଆହୁରି ଶୀଘ୍ର ଦୌଡ଼ିବାକୁ ସେ ନିର୍ଦ୍ଦେଶ ଦେବାରେ ଲାଗିଥିଲା । ମୋ ଜୋତା ନଥିବା ପାଦର ଖୁରା ଭାଙ୍ଗି ଖଣ୍ଡ ଖଣ୍ଡ, ତା ଭିତରେ ଧାରୁଆ ପଥର ପଶି ପୁରା କଟିଯାଇଥିଲା ।

 

ଏପରି ଚାଲିବା ତ ଅସମ୍ଭବ, ଏଇ ଅବସ୍ଥାରେ କୌଣସି ଘୋଡ଼ା ଚାଲିପାରିବ ନି । ମୋର ଭୟଙ୍କର ଯନ୍ତ୍ରଣା ହେଉଥିଲା । ମୁଁ ଥରି ଥରି ଖୁବ ଜୋର୍‌ରେ ଆଣ୍ଠୋଇ ପଡିଲି । ଜୋରରେ ଦୌଡ଼ଉ ଥିବାରୁ ସ୍ମିଥ୍‌ ଖୁବ୍‌ ଜୋରରେ ଛାଟି ହୋଇ ପଥର ଉପରେ ପଡିଲା । ସଙ୍ଗେ ସଙ୍ଗେ ଠିଆ ହେବାକୁ ଚେଷ୍ଟା କରି ଛୋଟେଇ ଛୋଟେଇ ରାସ୍ତା ଧାରକୁ, ଯେଉଁଠି ପଥର ପଡ଼ି ନଥିଲା ଗଲି, ଚନ୍ଦ୍ର ଉଠିବାରୁ ଦେଖିଲି ସ୍ମିଥ୍‌ ମୋଠାରୁ ଅଳ୍ପ କେତେ ଗଜ ଦୂରରେ ପଡିଛି । କିନ୍ତୁ ସେ ଉଠିବା ପାଇଁ ସାମାନ୍ୟ ଚେଷ୍ଟା କରି ପାରିଲା ନାହିଁ । କେବଳ ଖୁବ୍‌ ଜୋରରେ ‘‘କୁଁ କୁଁ’’ ଶବ୍ଦ କରୁଥାଏ । ମୋର ମଧ୍ୟ ପାଦ ଓ ଆଣ୍ଠୁରେ ଅତ୍ୟନ୍ତ କଷ୍ଠ ହେଉଥିଲା, ମାତ୍ର ଘୋଡ଼ାମାନେ ଯେହେତୁ ଅତ୍ୟନ୍ତ କଷ୍ଟ ସହିବାରେ ଅଭ୍ୟସ୍ତ ତେଣୁ ମୁଁ କିଛି ଶବ୍ଦ କଲି ନାହିଁ ! ପୁଣି ଥରେ ସ୍ମିଥ୍‌ର କୁଁ କୁଁ ଶୁଣିଲି ଯଦି ବି ତା ସମସ୍ତ ଶରୀରରେ ଚନ୍ଦ୍ରକିରଣ ପଡୁଥାଏ ତା ହଲିବା ମତେ ଦେଖାଗଲା ନାହିଁ । ମୁଁ ନିଜ ପାଇଁ ଅବା ତା ପାଇଁ କିଛି କରି ନପାରୁ ଥିବାରୁ କେବଳ ଅସ୍ଥିର ହୋଇ ଗାଡ଼ି, ଘୋଡ଼ା ବା ମଣିଷ ପାଦଶବ୍ଦକୁ କାନ ଡେରି ଥିଲି । ରାସ୍ତାଟା ଏକେତ ଜନଗହଳି ନୁହେଁ, ତାପରେ ପୁଣି ଅଧରାତି । ହୁଏତ ଅନେକ ଘଣ୍ଟା ଅପେକ୍ଷା ପରେ କିଛି ସାହାଯ୍ୟ ମିଳିପାରେ । ମୁଁ କାନ ପାତିଥାଏ, ଲକ୍ଷ୍ୟ ବି କରୁଥାଏ । ଏପ୍ରିଲର ଗୋଟିଏ ସୁନ୍ଦର ଶୀତଳ ରାତି । ନାଇଟିଂଗଲର ଧୀର ସ୍ଵର ଛଡ଼ା ଆଉ କୌଣସି ଶବ୍ଦ ନାହିଁ । ଚନ୍ଦ୍ର ପାଖରେ ଧଳା ମେଘ ବ୍ୟତୀତ ଆଉ ସବୁ କିଛି ସ୍ଥିର । ବାଡ଼ ଉପରେ ଗୋଟିଏ ମାଟିଆ ପେଚା ବସି ରାବୁଥାଏ । ମୋର ହଠାତ୍‌ ଅନେକ ଆଗର ଗୋଟିଏ ରାତିରେ କୃଷକ ଗ୍ରେଙ୍କ ପଡିଆରେ ମାଆ ପାଖରେ ଗଡୁଥିବା କଥା ମନେ ପଡ଼ିଗଲା ।

•••

 

ପରିଣତି

 

ରାତି ଅଧରେ ଘୋଡ଼ାଟାପୁର ଶବ୍ଦ ମତେ ଅନେକ ଦୂରରୁ ଶୁଣାଗଲା । କିଛି ସମୟ ଶବ୍ଦ ବନ୍ଦ ହୋଇ ପୁଣି ବଢ଼ିଯାଇ ପାଖକୁ ପାଖକୁ ଆସିବା ପରି ଲାଗୁଥାଏ । ଆର୍ଲସାଲକୁ ଯିବା ପାଇଁ ଆର୍ଲଙ୍କ ବଗିଚାସବୁ ମଧ୍ୟ ଦେଇ ଯାଇଥିବା ରାସ୍ତାରେ ଯିବାକୁ ପଡ଼େ । ମୋର ମନେ ହେଲା ବୋଧହୁଏ ଆମକୁ ଖୋଜିବାକୁ ସେଠୁ କିଏ ଆସୁଛି । ଶବ୍ଦ ପାଖକୁ ଆସିବାରୁ ମୁଁ ଜିଞ୍ଜରର ପଦଶବ୍ଦ ବୋଲି ବୁଝିପାରିଲି । ଆହୁରି ନିକଟକୁ ଆସିବା ପରେ ଗାଡ଼ି ନେଇ ଜିଞ୍ଜର ହିଁ ଆସୁଛି ବୋଲି ମୁଁ ନିଶ୍ଚିତ ହେଲି । ମୁଁ ଜୋରରେ ରଡ଼ି କଲି, ସେ ବି ଉତ୍ତର ଦେଲା । ଆଉ ଲୋକଙ୍କ ସ୍ଵର ବି ଶୁଣିଲି । ସେମାନେ ପଥୁରିଆ ରାସ୍ତାରେ ଧୀରେ ଧୀରେ ଆସୁଥିଲେ । ତାପରେ କଳା ଶରୀରଟିଏ ତଳେ ପଡ଼ିଥିବା ଦେଖି ଠିଆହୋଇ ଗଲେ ।

 

ଜଣେ ଡେଇଁ କରି ତା ପାଖରେ ନଇଁପଡ଼ି କହିଲା ‘‘ଏତ ରିବେନ୍‌‌, ହଲୁ ବି ନାହିଁ ।’’

 

ଆର ଜଣକ ଯାଇ ଝୁକିପଡ଼ି ପୁଣି ତାକୁ ଦେଖି କହିଲା ‘‘ଆରେ ଏ ତ ମରିଯାଇଛି’’ ପୁଣି ତା ହାତଛୁଇଁ କହିଲା ‘‘ଏଇ ଦେଖ କେତେ ଥଣ୍ଡା’’ ତାପରେ ସେମାନେ ତାକୁ ଉଠାଇଲେ, ନା ଜୀବନ ନାହିଁ, ତା ମୁଣ୍ଡବାଳ ରକ୍ତରେ ଜୁଡୁବୁଡୁ ।

 

ସେମାନେ ତାକୁ ସେଠି ଶୁଆଇଦେଇ ପୁଣି ମୋ ନିକଟକୁ ଆସିଲେ । ମୋ ଖଣ୍ଡିଆ ଆଣ୍ଠୁକୁ ଦେଖି କହିଲେ ‘‘ଆରେ ଘୋଡ଼ାଟା ବସିପଡ଼ି ତାକୁ ଫୋପାଡ଼ି ଦେଇଛି । କଳା ଘୋଡ଼ାଟା ଯେ ଏମିତି କରିପାରେ କିଏ କେବେ ଭାବିବି ପାରିଥିଲା ? ସେ ପଡିଯିବ ବୋଲି କେହି କେବେ ବି ଭାବି ନଥିଲେ । ରିବେନ୍‌ ନିଶ୍ଚୟ ଅନେକ ଘଣ୍ଟାଧରି ଏଠାରେ ପଡ଼ିଥିବ, କିନ୍ତୁ ଆଶ୍ଚର୍ଯ୍ୟ ଦେଖ ଘୋଡ଼ାଟା କେଉଁଠିକି ଚାଲି ବି ଯାଇନି ।

 

ରବର୍ଟ ମତେ ଆଗକୁ ଚଳେଇବାକୁ ଚେଷ୍ଟା କଲା । ମୁଁ ପାଦେ ଚାଲିଯାଇ ପୁଣି ପଡ଼ିଗଲି-। ଆରେ ଘୋଡ଼ାର ଆଣ୍ଠୁ ଆଉ ପାଦ ଉଭୟ ଖଣ୍ଡିଆ । ଦେଖ ଦେଖ ଖୁରା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି । ବିଚରା ସେ ନିଶ୍ଚେ ପଡ଼ିଯାଇଥିବ । ବୁଝିଲୁ ନେଡ୍‌ ଏସବୁ ରିବେନର କାଣ୍ଡ । ତୁ ଭାବେ ଜୋତା ନଥିବା ଘୋଡ଼ାକୁ ଏଇ କାଙ୍କର ପଥର ରାସ୍ତାରେ ଦୌଡ଼େଇବାର ଫଳ କ’ଣ ହେବ-। ସେ ଠିକ୍‌ ମନରେ ନ ଥାଇ ଚନ୍ଦ୍ରରେ ଚାଲିଲା ପରି ତାକୁ ଦୌଡ଼ଉଥିଲା । ମୋର ଭୟ ଯେ ସେ ପୁଣି ତାର ପୁରୁଣା ଅଭ୍ୟାସକୁ ଫେରିଯାଇଥିଲା ! ବିଚାରୀ ସୁଶାନ-ସ୍ମିଥ୍‌ ଡେରି କଣ ପାଇଁ ହେଉଛି ବୁଝିବାକୁ ମୋ ଘରକୁ ଆସିଥିଲା । ମୁହଁରେ ତାର ରଙ୍ଗ ନଥିଲା । ଅବଶ୍ୟ ସେ ନିଜ ବ୍ୟସ୍ତତା ଦେଖେଇ ଡେରି ହେବାର କାରଣମାନ ବିଶ୍ଳେଷଣ କର ନିଜେ ନିଜକୁ ବୁଝାଉଥିଲା ତଥାପି ଟିକେ ଖୋଜିବାକୁ ଅନୁରୋଧ କଲା । ବର୍ତ୍ତମାନ ଆମେ କଣ କରିବା ? ତା ଦେହ ଏବଂ ଏ ଆହତ ଘୋଡ଼ା ଦୁହିଁଙ୍କୁ ଘରକୁ କେମିତିକା ନେବା ? ଏ ତ ସହଜ ବ୍ୟାପାର ନୁହେଁ ।’’ ରବର୍ଟ କହିଲା ।

 

ସେମାନେ ବହୁ ସମୟ ଆଲୋଚନା ପରେ ସ୍ଥିର କଲେ ଯେ ମତେ ଜଣେ ଧରି ଧରି ଆସ୍ତେ ଆସ୍ତେ ନେବ ଏବଂ ତା ମୁର୍ଦ୍ଦାରକୁ ଗାଡ଼ିରେ ନିଆଯିବ । ତେବେ ତା ଶରୀରଟି ଗାଡ଼ି ଉପରକୁ ନେବା ବି ତ ମୁସ୍କିଲ । ସେତେବେଳେ ଜିଞ୍ଜରକୁ ଧରିବ କିଏ ? କିନ୍ତୁ ଆମେ ଦୁହେଁ ପରିସ୍ଥିତି ବୁଝିଥିଲୁ । ତେଣୁ ଜିଞ୍ଜର ମଧ୍ୟ ଏକଦମ୍‌ ସ୍ଥିର ହୋଇ ଠିଆହେଲା, ମୁଁ ଲକ୍ଷ୍ୟ କଲି । ଅନ୍ୟ ସମୟରେ ଏତେ ସମୟ ଠିଆ ହେଲେ ସେ ଅସ୍ଥିର ହୁଏ ।

 

ନେଡ୍‌ ତା ବୋଝ ଖୁବ୍‌ ଦୁଃଖର ସହିତ ଧରି ଆସ୍ତେ ଆସ୍ତେ ଚାଲିଲା । ରବର୍ଟ ଆସି ପୁଣିଥରେ ମୋ ଗୋଡ଼କୁ ଚାହିଁ ରୁମାଲଟି ଆଣି ଭଲକରି ମୋ ଗୋଡ଼ରେ ବାନ୍ଧି ମତେ ଘର ଆଡକୁ ଚଲେଇଲା । ସେ ରାତିର ସେଇ ଯାତ୍ରା ମୁଁ ଜୀବନରେ ଭୁଲିପାରିବି ନି । ତିନି ମାଇଲରୁ ଅଧିକ ରାସ୍ତା ସେ ଖୁବ୍‌ ଆସ୍ତେ ଆସ୍ତେ ଚଲଉଥିଲା । ଭୟଙ୍କର କଷ୍ଟରେ ମୁଁ ଛୋଟେଇ ଛୋଟେଇ ଚାଲୁଥିଲି । ଅବଶ୍ୟ ସେ ଯେ ମୋ ପାଇଁ ଖୁବ୍‌ ଦୁଃଖିତ ଏ ବିଷୟରେ ମୁଁ ନିଶ୍ଚିତ ଥିଲି । ମତେ ସାରା ରାସ୍ତା ଆଉଁସି ଆଉଁସି ମଧୁର କଥାରେ ଆଶ୍ଵାସନା ଦେଇ ଦେଇ ସେ ନେଉଥିଲା !

 

ଅବଶେଷରେ ମୁଁ ଘରେ ପହଞ୍ଚି ଖାଇଲି । ରବର୍ଟ ମୋ ଆଣ୍ଠୁରେ ଭିଜାକନା ଗୁଡ଼େଇ ମୋ ପାଦଟିକୁ ଚଷୁ ବସ୍ତାରେ ପୂରେଇ ବାନ୍ଧିଦେଲା- କାରଣ ପାଦଟି ରାତିରେ ଉଷୁମ ରହିବ । ସକାଳୁ ଡାକ୍ତର ଆସିବା ପୂର୍ବରୁ ଅବଶ୍ୟ ସେ ପାଦକୁ ସଫା କରି ଦେଇଥିଲା । ସେ ରାତିରେ କିନ୍ତୁ ମୁଁ ଏତେ ଯନ୍ତ୍ରଣା ସତ୍ତ୍ୱେ ବି କୌଣସିମତେ କୁଟା ବିଛଣାରେ ଶୋଇପଡ଼ିଥିଲି ।

 

ପରଦିନ ଡାକ୍ତର ମୋ କ୍ଷତଗୁଡିକୁ ପରୀକ୍ଷାକରି ଦେଖି ହାଡ଼ ଭାଙ୍ଗି ନଥିବା କଥା ଜଣାଇଲେ । ମତେ ପୁଣି କାର୍ଯ୍ୟୋପଯୋଗୀ କରିବା ପାଇଁ ସବୁଠାରୁ ଉତ୍କୃଷ୍ଟ ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଗଲା । ମୋ କ୍ଷତ ଧୀରେ ଧୀରେ ଶୁଖିବାରେ ଲାଗିଲା । ସ୍ମିଥ୍‌ର ଆକସ୍ମିକ ମୃତ୍ୟୁ ଏବଂ ସେତେବେଳେ ଅନ୍ୟ ଲୋକ ଉପସ୍ଥିତ ନଥିବାରୁ ତା ମୃତ୍ୟୁର ଇନକ୍ୱାରୀ ହେଲା । ହ୍ଵାଇଟ୍‌ ଲାୟନର ମାଲିକ, ସେଠା ଘୋଡ଼ାରକ୍ଷୀ ଏବଂ ଆହୁରି କେତେଲୋକ ସ୍ମିଥ୍‌ ମାତାଲ ଅବସ୍ଥାରେ ପାନ୍ଥଶାଳା ଛାଡିବା କଥା କହିଲେ । ଟୋଲଗେଟ୍‌ ଲୋକ ମଧ୍ୟ ତାକୁ ମାତାଲ ଅବସ୍ଥାରେ ଘୋଡ଼ାକୁ ଖୁବ୍‌ ଦ୍ରୁତଗତିରେ ଦୌଡ଼େଇବା ଏବଂ ଘୋଡ଼ାର ପଟେ ଜୋତୀ ପଥରରେ ଖସିପଡ଼ିଥିବା କଥା କହିଥିଲା । ଏସବୁ ଜଣାପଡ଼ିବା ପରେ ମୁଁ ଯେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ତାହା ପ୍ରମାଣିତ ହେଲା ।

 

ସମସ୍ତେ ସୁଶାନ ପାଇଁ ବ୍ୟସ୍ତହେଲେ । ବିଚାରୀ ପାଗଳ ପରି ହୋଇ କେବଳ କହି ଲାଗିଲା ‘‘ଓଃ ! ସେ ଏତେ ଭଲ ଥିଲା ଏତେ ଭଲ- ସେଇ ଅଭିଶପ୍ତ ମଦ ପାଇଁ କାହିଁକି ଏସବୁ ବିକ୍ରି ହେଉଛି ? ଓଃ ରିବେନ, ରିବେନ । ତାର କ୍ରିୟାକର୍ମ ସବୁ ଶେଷ ହେବାଯାଏଁ ସେ ଏପରି କହି କହି ବ୍ୟସ୍ତ ହେବାରେ ଲାଗିଥାଏ । ଶେଷରେ ସେଇ ଲମ୍ବା ଲମ୍ବା ଓକ୍‌ ଗଛମାନଙ୍କ ମଧ୍ୟରେ ଥିବା ସୁନ୍ଦର ଘରଟିକୁ ତାକୁ ଛାଡ଼ିବାକୁ ପଡିଲା । ତାର ଛଅଟି ସନ୍ତାନଙ୍କ ସହ ଅନ୍ଧାରିଆ ଇଉନିଅନ ହାଉସରେ ସେ ରହିଲା ।

•••

 

ସ୍ଥାନାନ୍ତର

 

ମୋର ଆଣ୍ଠୁ ପ୍ରାୟ ଭଲ ହୋଇସାରିବା ପରେ ମତେ ଗୋଟାଏ ବଡ଼ ଘାସ ପଡ଼ିଆରେ ମାସେ ଦୁଇମାସ ପାଇଁ ଖୋଲା ଛାଡ଼ି ଦିଆଗଲା । ଆଉ କୌଣସି ପଶୁ ସେଠି ନଥିଲେ । ଯଦିଓ ମୁଁ ମୁକ୍ତ ହୋଇ ବେଶ୍‌ ସୁସ୍ଵାଦୁ ଘାସ ଖାଉଥିଲି, କିନ୍ତୁ ସବୁବେଳେ ଆଗରୁ ମୁଁ ଅନ୍ୟ ଘୋଡ଼ାମାନଙ୍କ ସହିତ ଥିବା ଯୋଗୁଁ ଏବେ ମତେ ଖୁବ୍‌ ନିଃସଙ୍ଗ ଓ ନିର୍ଜନ ଲାଗୁଥିଲା । ଜିଞ୍ଜର ଆଉ ମୁଁ ଅନ୍ତରଙ୍ଗ ବନ୍ଧୁ ହୋଇପଡ଼ିଥିଲୁ, ତେଣୁ ମୁଁ ତାକୁ ଖୁବ୍‌ ବେଶି ମନେ ପକାଉଥାଏ । ରାସ୍ତାରେ ଚାଲୁଥିବା ଘୋଡ଼ାମାନଙ୍କ ଉଦ୍ଦେଶ୍ୟରେ ମୁଁ ହ୍ରେଷାରାବ କଲେ ବି କ୍ଵଚିତ୍‌ ଉତ୍ତର ପାଏ । ଦିନେ ହଠାତ୍‌ ଗେଟ୍‌ ଖୋଲିଗଲା ଏବଂ ମୋର ପୁରୁଣା ବନ୍ଧୁ ଜିଞ୍ଜର ଆସିଲା । ସଇସ ତାକୁ ଖୋଲିଦେଇ ମୁକ୍ତ ଛାଡି ଦେଇ ଚାଲିଗଲା । ଗୋଟିଏ ଆନନ୍ଦର ଧ୍ଵନି କରି ମୁଁ ତାପାଖକୁ ଦୌଡ଼ିଗଲି । ଉଭୟେ ଉଭୟଙ୍କୁ ଦେଖି ଖୁବ୍‌ ଖୁସି ହେଲି । କିନ୍ତୁ ପରମୁହୂର୍ତ୍ତରେ ବୁଝିପାରିଲି ଯେ ମତେ ଖୁସି କରିବା ପାଇ ତାକୁ ଏଠାକୁ ଅଣାହୋଇ ନି । ତାର ସମ୍ପୂର୍ଣ୍ଣ କାହାଣୀ ବର୍ତ୍ତମାନ କହିଲେ ଖୁବ୍‌ ଦୀର୍ଘ ହେବ। ମାତ୍ର ଏତିକି ସଂକ୍ଷେପରେ କୁହାଯାଇପାରେ ଯେ ଅନଭ୍ୟସ୍ତ କଠୋର ବ୍ୟକ୍ତି ତା ଉପରେ ଚଢ଼ିବାରୁ ତାର ସ୍ଵାସ୍ଥ୍ୟ ନଷ୍ଟ ହୋଇଛି । ତେଣୁ ବିଶ୍ରାମ ପାଇଁ ମୋ ପରି ତାକୁ ମଧ୍ୟ ଏଠାକୁ ଅଣାଯାଇଛି ।

 

ଲର୍ଡ ଜର୍ଜ ଯୁବକ, ତେଣୁ କୌଣସି ପ୍ରକାର ସତର୍କତା ଅବଲମ୍ବନ କରନ୍ତି ନାହିଁ । ଘୋଡ଼ାର ଅବସ୍ଥାକୁ ପରୱା ନ କରି ଯେତେବେଳେ ଇଚ୍ଛା ଶିକାରରେ ଯିବେ । ମୁଁ ଘୋଡ଼ାଶାଳ ଛାଡିବା ପରେ ପରେ ସେ ଗୋଟାଏ ଘୋଡ଼ାଦୌଡ଼ରେ ଭାଗ ନେବା ପାଇଁ ସ୍ଥିର କଲେ; ଯଦି ବି ସଇସ କହିଥିଲା ଯେ ଏ ପ୍ରକାର ଦୌଡ଼ ପ୍ରତିଯୋଗିତା ପାଇଁ ଉପଯୁକ୍ତ ଘୋଡ଼ା ନାହିଁ କାରଣ ଏ ପ୍ରକାର ପ୍ରତିଯୋଗିତାରେ ଅନେକ ଡେଇଁ ଡେଇଁ ଦୌଡ଼ିବାକୁ ପଡେ । ମାତ୍ର ସେ ଏ କଥାରେ ବିଶ୍ଵାସ ନ ନେଇ ଜିଞ୍ଜରକୁ ନେଇ ଏହି ଦୌଡ଼ ପ୍ରତିଯୋଗିତାରେ ଭାଗ ନେଲେ । ଜିଞ୍ଜର ଅବଶ୍ୟ ଅନେକ କଷ୍ଟ ପାଇଥିଲା । କିନ୍ତୁ ସେ ପ୍ରଥମ ତିନିଜଣ ବିଜୟୀ ଘୋଡ଼ାଙ୍କ ମଧ୍ୟରେ ଜଣେ ହେଲା । ତାପରେ ତାରପେଟ ବ୍ୟଥା, ପିଠି ଦରଜ (ଯେହେତୁ ଜର୍ଜ ମୋଟା) ଆଦି ବାହାରିଲା । ଏ ସବୁ ମତେ କହି ଜିଞ୍ଜର ପୁଣି କହିଲା ‘‘ଆମେ ଦୁହେଁ ଯାକ ଅପାହିଜ ହୋଇ ରହିଲେ । ତୁ ଗୋଟାଏ ମଦୁଆ ପାଲରେ ପଡି ଆଉ ମୁଁ ଗୋଟାଏ ମୂର୍ଖ ପାଲରେ ପଡ଼ି କି କଷ୍ଟ ଯେ ପାଇଲେ ଆମେ’’ । ଦୁହେଁ ଯାକ ଭାବିଲୁ ଯେ ଆମେ ଆଗେ ଯାହା ଥିଲୁ ତା ଆଉ ନାହୁଁ । କିନ୍ତୁ ତଥାପି ଦୁହିଁଙ୍କର ଏକାଠି ହେବାର ଆନନ୍ଦ କମ୍‌ ହେଲା ନାହିଁ । ଆଗ ପରି ଏକାଠି ଗାଡ଼ି ଟାଣି ଟାଣି ଦୌଡୁ ନଥିଲୁ, ମାତ୍ର ଏକାଠି ଖାଉ, ଏକାଠି ଶୋଉ ଆଉ ପୁଣି ସେଇ ଲେମ୍ବୁ ଗଛର ଛାୟାତଳେ ଘଣ୍ଟା ଘଣ୍ଟା ଧରି ମୁହଁ ଯୋଡ଼ି ଗପସପ କରୁ । ମାଲିକଙ୍କ ପରିବାର ସହରରୁ ଫେରିବା ପର୍ଯ୍ୟନ୍ତ ଆମେ ଆନନ୍ଦରେ ଦିନ କଟାଉଥାଉ ।

 

ଦିନେ ଆର୍ଲ ଏବଂ ୟର୍କ ଉଭୟେ ପଡ଼ିଆକୁ ଆସିବାର ଆମେ ଦେଖିଲୁ । ସେତେବେଳେ ଆମେ ଲେମ୍ବୁଗଛ ତଳେ ଠିଆ ହୋଇଥାଉ । ସେମାନେ ପାଖକୁ ଆସି ଆମକୁ ଭଲ ଭାବେ ଦେଖାଦେଖି କଲେ । ଆର୍ଲ ପ୍ରଚଣ୍ଡ ବିରକ୍ତ ହୋଇ କହିଲେ, ‘‘ଠିକ୍‌ ଭାବେ ବ୍ୟବହାର ନ ହୋଇପାରି ତିନିଶହ ଡଲାର ନଷ୍ଟ ହେଲା । କିନ୍ତୁ ମୋର ପୁରାତନ ବନ୍ଧୁଙ୍କର ଘୋଡ଼ାଗୁଡିକୁ ଯେ ନଷ୍ଟ କଲି ଟଙ୍କାଠାରୁ ସେଇଟା ହିଁ ମତେ ଅନେକ ବେଶି କଷ୍ଟ ଦେଉଛି । ମୋ ଘରେ ଭଲଭାବେ ରହିବେ ବୋଲି ଭାବି ସେ ମତେ ଦେଇଥିଲେ । ଘୋଡ଼ୀକୁ ବର୍ତ୍ତମାନ ବର୍ଷେ ଚଳେଇ ଦେଖିବା, ତାପରେ ଯାହା କରିବା, ମାତ୍ର କଳାଘୋଡ଼ାକୁ ବିକ୍ରି କରିବାକୁ ହିଁ ପଡ଼ିବ । ବହୁତ ଦୁଃଖ ଲାଗୁଛି, କିନ୍ତୁ ଉପାୟ ନାହିଁ । କିନ୍ତୁ ମୋ ଘୋଡ଼ାଶାଳରେ ଏହିପରି ଆଣ୍ଠୁବଙ୍କା ଘୋଡ଼ାଟିଏ ତ ଆଉ ରହିପାରିବ ନି ।’’

 

‘‘ନା ସାର୍‌, ଅବଶ୍ୟ ନୁହେଁ । ମାତ୍ର ତାକୁ ଏପରି ଏକ ସ୍ଥାନରେ ରଖିବାକୁ ହେବ ଯେଉଁଠି କି ରୂପର ଦୋଷ ଏତେ ଦେଖା ଯାଏନି ଏବଂ ଯେଉଁଠି ତାକୁ ଭଲ ଭାବରେ ମଧ୍ୟ ରଖିବେ । ବାଥ୍‌ରେ ବାସ କରୁଥିବା ଅନେକ ଗୁଡ଼ିଏ ଘୋଡ଼ାଶାଳର ମାଲିକ ଜଣଙ୍କୁ ମୁଁ ଜାଣେ । ସେ କମ୍‌ ଦାମ୍‌ରେ ଭଲ ଘୋଡ଼ା ପାଇଲେ ପ୍ରାୟ କିଣନ୍ତି ଓ ତାଙ୍କୁ ଯତ୍ନରେ ବି ରଖନ୍ତି । ଆଉ ତଦନ୍ତରେ ଏ ଭଲ ଘୋଡ଼ା ବୋଲି ପ୍ରମାଣିତ ବି ହୋଇଛି । ତା ବ୍ୟତୀତ ମୁଁ ବା ଆପଣ ସୁପାରିଶ କଲେ ତା ପାଇଁ ଯଥେଷ୍ଟ ହେବ ।’’

 

‘‘ୟୁର୍କ ତୁମେ ତାଙ୍କୁ ଲେଖି ଜଣାଅ । ଟଙ୍କା ଯେତେ କମ୍‌ ହେଲେ ବି ମୁଁ ତା ପାଇଁ ଭଲ ଜାଗା ଚାହେଁ ।’’

 

ଏଇ କଥାବାର୍ତ୍ତା ପରେ ସେମାନେ ଚାଲିଗଲେ ।

 

ଜିଞ୍ଜର କହିଲା, ‘‘ତତେ ଶୀଘ୍ର ସେମାନେ ଏଠୁ ନେଇଯିବେ ଏବଂ ମୋର ଏକମାତ୍ର ବନ୍ଧୁକୁ ମୁଁ ହରାଇବି । ଯାହା ଜଣାପଡୁଛି ଆମର ଆଉ ଜୀବନରେ ପରସ୍ପର ସହ ଦେଖା ହେବନି । ଦୁନିଆଟା ସତରେ ବଡ଼ ନିଷ୍ଠୁର ।

 

ସପ୍ତାହେ ପରେ ରବର୍ଟ ଆସି ମତେ ଚେନ ଆଦି ଲଗେଇସାରି ନେଇଗଲା । ଆମେ ପରସ୍ପର ନିକଟରୁ ବିଦାୟ ନେଇ ନଥିଲୁ । କେବଳ ଗଲାବେଳକୁ ମୁଁ ଟିକେ ରାବ ଦେଲି ଓ ସେ ମଧ୍ୟ ସେଇପରି ଉତ୍ତର ଦେଲା । ତାପରେ ବାଡ ଚାରିପଟେ ସେ ଦୌଡ଼ି ଦୌଡ଼ି ମତେ ଡାକ ଦେଉଥାଏ, ମୋ ପାଦଶବ୍ଦ ଯେତେବେଳ ଯାଏଁ ତାକୁ ଶୁଭୁଥିଲା ।

 

ୟର୍କର ସୁପାରିଶ୍‌ରେ ମୁଁ ସେଇ ଘୋଡ଼ାଶାଳର ମାଲିକଙ୍କ ଦ୍ୱାରା କିଣା ହେଲି । ମତେ ରେଳଗାଡ଼ିରେ ଯିବାକୁ ପଡ଼ିଲା, ଯାହା ମୋ ପାଇଁ ନୂତନ । ପ୍ରଥମ ଥରର ରେଳଯାତ୍ରା ପାଇଁ ଅନେକ ସାହସର ପ୍ରୟୋଜନ । ତେବେ ଯେତେବେଳେ ମୁଁ ଦେଖିଲି ଯେ ଧୂଆଁ ଛାଡିବାର, ହ୍ୱିସିଲର, ଜୋରରେ ଦୌଡ଼ିବା ଆଦି ପ୍ରତ୍ୟେକଟି ଶବ୍ଦ ଏବଂ ସବୁଠାରୁ ବେଶି ମୋ ଘୋଡ଼ା ଜନ୍ତାଟିର ହଲିବାରେ ମୋର କିଛି ବି କ୍ଷତି ହେଉ ନାହିଁ, ମୋର ବ୍ୟସ୍ତତା ଏବଂ ଭୟ ଅନ୍ତର୍ହିତ ହେଲା।

 

ଯାତ୍ରା ଶେଷରେ ମୁଁ ଗୋଟାଏ ଆରାମଦାୟକ ଘୋଡ଼ାଶାଳରେ ରହିଲି । ଯତ୍ନ ମଧ୍ୟ ବେଶ୍‌ ପାଇଲି । ତେବେ ଏଇ ଘରଗୁଡ଼ାକ ମୁଁ ପୂର୍ବରୁ ଅଭ୍ୟସ୍ତ ଥିବା ସ୍ଥାନ ପରି ନୁହେଁ । ଘରଗୁଡ଼ାକର ଗଡ଼ାଣିଆ ଚଟାଣ, ସମତଳ ଭୂମି ନୁହେଁ ଏବଂ ଏଥିରେ ଆମେ ବନ୍ଧା ହୋଇଥାଉ ଖୁଣ୍ଟରେ । ତେଣୁ ଅସମାନ ଚଟାଣରେ ଠିଆ ହୋଇ ହୋଇ ମୁଁ ଖୁବ୍‌ କ୍ଲାନ୍ତ ହୋଇପଡ଼େ । ମଣିଷମାନେ ବୋଧ ହୁଏ ବୁଝି ପାରନ୍ତିନି ଯେ ଘୋଡ଼ାମାନଙ୍କୁ ଠିକ୍‌ ଭାବରେ ଠିଆ କରେଇଲେ ଏବଂ ସେମାନେ ବନ୍ଧା ହୋଇ ନ ରହିଲେ ବେଶି କାମ କରି ପାରିବେ । ସେ ଯାହାହେଉ ମୁଁ ଭଲ ଖାଇବାକୁ ପାଉଥିଲି ପରିଷ୍କାର ବି କରା ହେଉଥିଲା । ଗୋଟାଏ କଥାରେ ମୁଁ କହିପାରେ ଯେ ମୋର ମାଲିକ ଆମ ଯତ୍ନରେ ତ୍ରୁଟି କରୁ ନଥିଲେ । ସେ ଭଡ଼ାଦେବା ଉଦ୍ଦେଶ୍ୟରେ ଅନେକ ପ୍ରକାର ଗାଡ଼ି ଏବଂ ଘୋଡ଼ା ରଖୁଥାନ୍ତି । ବେଳେବେଳେ ଅବଶ୍ୟ ତାଙ୍କ ଲୋକ ବି ଚଳାନ୍ତି । ବେଳେବେଳେ ଗାଡ଼ି ଓ ଘୋଡା ଭଡ଼ାରେ ନେଇ ଭଦ୍ରଲୋକ ବା ଭଦ୍ରମହିଳାମାନେ ନିଜେ ନିଜେ ଚଳାନ୍ତି ।

•••

 

ଗୋଟାଏ ଭଡ଼ା ଘୋଡ଼ା ଏବଂ ତାର ଚାଳକଗଣ

 

ଆଜି ପର୍ଯ୍ୟନ୍ତ ମୋ ଚାଳକମାନେ ଅନ୍ତତଃ ଘୋଡ଼ାମାନଙ୍କୁ ଚଳେଇବାକୁ ଜାଣିଥିଲେ । କିନ୍ତୁ ଏଠାରେ ମୋର ବିଭିନ୍ନ ଧରଣର ଚାଳକମାନଙ୍କ ଚଳେଇବାର ଅନୁଭୂତି ହେଲା । ନିତାନ୍ତ ବାଜେ ଓ ମୂର୍ଖ ଚାଳକମାନଙ୍କ ପାଲରେ ପଡ଼ିଲି, କାରଣ ମୁଁ ଥିଲି ଭଡ଼ା ଘୋଡ଼ା ଏବଂ ଯିଏ ଚାହିଁଲା ସିଏ ମତେ ଭଡ଼ାରେ ନେଇ ଚଳେଇଲା । ଏହା ବ୍ୟତୀତ ମୁଁ ଶାନ୍ତଶିଷ୍ଟ ସ୍ଵଭାବର ଓ ଭଦ୍ର ଥିବାରୁ ମତେ ଅନ୍ୟ ଘୋଡ଼ାମାନଙ୍କ ଅପେକ୍ଷା ଅଧିକ ଥର ଭଡ଼ା ଲଗାଉଥିଲେ । ମୋ ଉପରେ ବିଶ୍ଵାସ ମଧ୍ୟ ବେଶି ଥିଲା । ଯେତେ ପ୍ରକାର ଚଢ଼ାଳିଙ୍କୁ ମୁଁ ଭେଟିଲି ସମସ୍ତଙ୍କ ବିଷୟରେ କହିଲେ ତ ବିରାଟ ହେବ, ତେଣୁ ମୁଁ ଭିନ୍ନ ଭିନ୍ନ ଷ୍ଟାଇଲରେ ଚଢୁଥିବା କେତେକ ଚଢ଼ାଳିଙ୍କ ବିଷୟରେ ବର୍ଣ୍ଣନା କରୁଛି ।

 

ପ୍ରଥମ ଶ୍ରେଣୀ ଚାଳକମାନେ ହେଲେ ଶକ୍ତ ଲଗାମଧରା ଚାଳକ । ସେମାନଙ୍କ ଧାରଣା ଲଗାମକୁ ମୋଟେ କୋହଳ ନକରି ଖୁବ୍‌ ଜୋରରେ ଟାଣିକରି ଧରିଲେ ଘୋଡ଼ା ଭଲ ଚାଲିବ । ସେମାନେ ପ୍ରାୟ କହିଥାନ୍ତି ‘‘ଘୋଡ଼ାକୁ ଜବତ କରି ଏବଂ ମୁହଁ ଉପରକୁ ଉଠାଇ ଧରିବା ଉଚିତ୍‌’’, ସତେ ଯେମିତି ଘୋଡ଼ା ନିଜେ ସିଧା ଠିଆ ହୋଇପାରେ ନାହିଁ ।

 

ଯେଉଁ ଘୋଡ଼ାମାନେ ଆରମ୍ଭରୁ ଏହି ପ୍ରକାର ଚାଳକମାନଙ୍କ ହାତରେ ପଡ଼ି ତାଙ୍କ ପାଟି ଟାଣ ଓ ଶକ୍ତ ହୋଇଥାଏ ସେମାନେ ହୁଏତ ଏପରି ଚାଳକଙ୍କ ପାଇଁ ଠିକ୍‌, କିନ୍ତୁ ଯେଉଁମାନେ ସୁସ୍ଥ ଓ ଅକ୍ଷତ ସେମାନଙ୍କୁ ଭଲ ଭାବରେ ନ ଚଳାଇ ଉପରୋକ୍ତ ପ୍ରକାରେ ଚଳାଇଲେ ଘୋଡ଼ାଙ୍କୁ କେବଳ କଷ୍ଟ ଦିଅନ୍ତି ନି, ନିଜେ ବି ମୂର୍ଖ ପରି କାମ କରନ୍ତି ।

 

ଦ୍ୱିତୀୟ ପ୍ରକାର ହେଲେ ଲଗାମ ଢିଲା କରି ରଖିବା ଚାଳକ । ଏମାନଙ୍କ ହାତରେ ଲଗାମ ଢିଲା ହୋଇ ଆଣ୍ଠୁ ପାଖରେ ହାତ ଥାଏ ଏବଂ ତାହା ଆମ ପିଠିରେ ବି ଢ଼ିଲା । ଏପରି ଚାଳକଙ୍କର ଘୋଡ଼ା ଉପରେ ଶାସନ ବା କଣ୍ଟ୍ରୋଲ ନ ଥାଏ । ଯଦି ଘୋଡ଼ାଟି ହଠାତ୍‌ ଡରି ଯାଇ ଚମକି ପଡ଼େ ଅବା ପଡ଼ିଯାଏ ତେବେ ଏମାନେ ନା ନିଜକୁ ନା ଘୋଡ଼ାକୁ କିଛି ସାହାଯ୍ୟ କରିପାରନ୍ତି, ହଇରାଣ ହୁଅନ୍ତି । ଅବଶ୍ୟ ଏ ଧରଣର ଚାଳକ ମୋ ପାଇଁ ହଇରାଣରେ ପଡ଼ିବେ ନି, କାରଣ ମୁଁ ନା ଡରେ ନା ଚମକେ । ମୁଁ କେବଳ ଚାଳକ ରାସ୍ତା ଦେଖେଇ ଉତ୍ସାହିତ କରିବାଟା ହିଁ ଆଶା କରେ । ତଥାପି ଲଗାମ ଉପରେ ପ୍ରତି ଘୋଡା ନିଶ୍ଚୟ ଟିକେ ନିର୍ଭର କରିବ, ବିଶେଷ କରି ପାହାଡ଼ିଆ ଜାଗାରେ ଉଚ୍ଚରୁ ନୀଚକୁ ଗଡ଼ିବା ବେଳକୁ ଏବଂ ଚାଳକ ଶୋଇପଡ଼ି ନାହିଁ ବୋଲି ଜାଣିବାକୁ।

 

ଏହା ବ୍ୟତୀତ ଅସଂଯତ ଚାଳନାରେ ମଧ୍ୟ ଘୋଡ଼ାମାନେ ଖରାପ ଏବଂ ଅଳସୁଆ ହୁଅନ୍ତି । ଯେତେବେଳେ ହାତ ବଦଳାଏ ତାକୁ ଚାବୁକ ମାରିଲେ ଦେଖିବା ଉଚିତ୍‌ ଯେପରି କଷ୍ଟ ନହୁଏ । ସ୍କୋୟାର ଗର୍ଡନ ସର୍ବଦା ଆମକୁ ଠିକ୍‌ ପାହୁଣ୍ଡ ପକେଇ ଭଲ ଭାବରେ ଚଳାନ୍ତି । ଯେ କୁହନ୍ତି ଗୋଟିଏ ଘୋଡ଼ାକୁ ପ୍ରଥମରୁ ଅଳସୁଆ କରି ବିଗାଡ଼ି ଦେବା ଯାହା - ପିଲାକୁ ବିଗାଡ଼ିବା ବି ସେୟା । ଅବଶେଷରେ ସେଇମାନେ ହିଁ କଷ୍ଟ ପାଆନ୍ତି ।

 

ଏହା ବ୍ୟତୀତ ଅନେକ ଚାଳକ ପ୍ରାୟ ଯତ୍ନହୀନ ଏବଂ ଘୋଡ଼ାଙ୍କୁ ମୋଟରୁ ଯତ୍ନ କରନ୍ତିନି । ଏହିପରି ଜଣେ ଚାଳକଙ୍କ ସହିତ ମୁଁ ଥରେ ଗୋଟିଏ ଫେଟନରେ ଯାଉଥିଲି । ଗାଡ଼ିରେ ଜଣେ ମହିଳା ଓ ଦୁଇଟି ପିଲା ବି ଥିଲେ । ଠିକ୍‌ ଯାତ୍ରା ଆରମ୍ଭ କଲାବେଳେ ସେ ପ୍ରଥମେ ଲଗାମ ଟଣାଟଣି କରି ବିନା କାରଣରେ ମତେ ଦୁଇ ଚାରି ଚାବୁକ୍‌ ପିଟିଦେଲେ । ସେତେବେଳେ ରାସ୍ତା ମରାମତି କାମ ଚାଲିଥିବାରୁ ଚାରିଆଡ଼େ ପଥରଗୁଡ଼ାକ ଏପଟସେପଟ ହୋଇ ପଡ଼ିଥାଏ । ମୋ ଗାଡ଼ିଚାଳକ ସେ ମହିଳା ଏବଂ ପିଲାଙ୍କ ସହ ଥଟ୍ଟାତାମସା କରି ହସିହସି ଗାଡ଼ି ଚଳଉଥାନ୍ତି । ଘୋଡ଼ା ଉପରେ ଦୃଷ୍ଟି ରଖି ଚଳାଇବାବେଳେ ଭଲ ରାସ୍ତାରେ ତାକୁ କେମିତି ନିର୍ଦ୍ଦେଶ ଦେବା ଚାଲିବା ପାଇଁ ତାହା ସେ କଲେ ନାହିଁ । ଫଳରେ ମୋ ପଛ ପାଦରେ ପଥରଟିଏ ଗଳିଗଲା ।

 

ଏଇ ପରିସ୍ଥିତିରେ ଗର୍ଡନ ବା ଜନ୍‌ ଥିଲେ ମୁଁ ତିନି ପାହୁଣ୍ଡ ଯିବା ପୂର୍ବରୁ ସେମାନେ ମୋର ଯାହା କିଛି ଅସୁବିଧା ହେଉଛି ତାହା ବୁଝିପାରିଥାନ୍ତେ, ଆଉ ଅନ୍ଧକାରରେ ବି ଅଭ୍ୟସ୍ତ ଚାଳକ ନିଶ୍ଚୟ ଲଗାମ ଧରିଲେ ବୁଝିପାରିବ ଯେ ମୋର ପାଦ ଠିକ୍‌ ପଡ଼ୁ ନାହିଁ । ସଙ୍ଗେ ସଙ୍ଗେ ସେମାନେ ଓହ୍ଲାଇ ପଡ଼ି ପଥରଟାକୁ କାଢ଼ି ଦେଇ ଥାଆନ୍ତେ ମାତ୍ର ଚାଳକ ଭଦ୍ରଲୋକ ତ ଗପସପ କରି ହସାହସିରେ ବ୍ୟସ୍ତ ଥିଲେ । ପ୍ରତିଟି ପାହୁଣ୍ତରେ ସେଇ ପଥରଖଣ୍ଡଟା ମୋ ଜୋତା ଆଉ ପାଦ ଭିତରେ ଅଧିକ ଅଧିକ ପଶିଯାଉଥିଲା । ପଥରଟି ବାହାରୁ ଗୋଲିଆ ହେଲେ ବି ଭିତର ତୀକ୍ଷ୍ମ ଏବଂ ସମସ୍ତେ ଜାଣନ୍ତି ଯେ ଏ ପ୍ରକାର ପଥରଖଣ୍ଡି ଘୋଡ଼ା ପାଦରେ ପଶିବା ସବୁଠାରୁ ମାରାତ୍ମକ ।

 

ତା ପାଦ ତ କଟିଯିବ ଏବଂ ଭାରସାମ୍ୟ ହରେଇ ସେ ପଡ଼ିଯାଇ ବି ପାରେ । ଲୋକ ଜଣକ ଆଂଶିକ ଭାବେ ଅନ୍ଧ କିମ୍ବା କେବଳ ଅତ୍ୟଧିକ ଯତ୍ନହୀନ ମୁଁ କହିପାରିବି ନାହିଁ, କିନ୍ତୁ ମତେ ଏଇପରି ପଥର ବା ଗୋଡ଼ି ଫୁଟା ପାଦରେ ଅଧା

 

ମାଇଲ ଚଲେଇଲା ପରେ ବୋଧହୁଏ ସେ କିଛି ପରିବର୍ତ୍ତନ ମୋଠରେ ଲକ୍ଷ୍ୟ କଲେ । ସେତେବେଳକୁ ମୁଁ ଯନ୍ତ୍ରଣା ସହ ଛୋଟଉ ଥାଏ । ସେ କହିଲେ ‘‘ଦେଖ ମ କେମିତି ସେମାନେ ଆମକୁ ଛୋଟା ଘୋଡ଼ାଟିଏ ଦେଇଛନ୍ତି । କି ଲଜ୍ଜା ।’’ ତାପରେ ସେ ଲଗାମ ଏବଂ ଚାବୁକ ଫୋପାଡ଼ିଦେଇ କହିଲେ ‘‘ଆଉ ଦରକାର ନାହିଁ ଏ ବୁଢ଼ା ଘୋଡ଼ାର ଖେଳ, ଯିବାକୁ ତ ହେବ କ’ଣ ଆଉ କରାଯିବ ।

 

ଠିକ୍‌ ସେତିକି ବେଳେ ମାଟିଆ ରଙ୍ଗର ଛୋଟ ଘୋଡ଼ାଟିରେ ଜଣେ ଚାଷୀ ଆସୁଥିଲା । ସେ ତା ଟୋପି ଉପରକୁ ଉଠାଇ ଗତି ବନ୍ଦ କଲା । ‘‘ସାର୍‌ କିଛି କହିବି, ମୁଁ ଭାବୁଛି ଆପଣଙ୍କ ଘୋଡ଼ା ଗୋଡ଼ରେ ପଥର ଗଳି ଯାଇଛି, ତେଣୁ ସେ ଏପରି ଚାଲୁଛି । ମତେ ଅନୁମତି ଦେଲେ ମୁଁ ତା ପାଦଟା ଦେଖି ଦିଅନ୍ତି । ଏଠି ଯାହା ଖଣ୍ଡ ଖଣ୍ଡ ପଥର ମାନ ବିଛା ହୋଇଛି ନା ସେଗୁଡାକ ଘୋଡ଼ାଙ୍କ ପାଦ ପାଇଁ ଅତି ଭୟଙ୍କର ।

 

ଚାଳକ ଭଦ୍ରଲୋକ କହିଲେ ‘‘ସେ ଭଡ଼ାରେ ନିଆହୋଇଥିବା ଘୋଡ଼ାଟିଏ, ତାର କଣ ହୋଇଛି ମୁଁ ଜାଣନି । କିନ୍ତୁ ଏହିପରି ଗୋଟାଏ ଘୋଡ଼ା ଦେବା ତା ମାଲିକର କେତେ ଅନ୍ୟାୟ ହୋଇଛି ।

 

ଚାଷୀଟି ଓହ୍ଲେଇ ପଡ଼ି ମୋ ପାଦ ପାଖକୁ ଆସି ନିରୀକ୍ଷଣ କଲା ।

 

‘‘ହେ ଭଗବାନ ଏଡ଼େ ପଥରଟେ- ହଁ ରେ ବାବା ମୋ ଭାବନାଟା ଠିକ୍‌’’ ପ୍ରଥମେ ସେ ହାତରେ କାଢ଼ିବାକୁ ଚେଷ୍ଟା କଲା । ବାହାର କରି ନ ପାରିବାରୁ ପକେଟରୁ ପଥର କଢ଼ାଟିଏ କାଢ଼ି ତହିଁରେ କାଢ଼ିବାକୁ ଚେଷ୍ଟା କଲା । ଖୁବ୍‌ ସାବଧାନ ହୋଇ କଷ୍ଟ କରି ପଥରଟା କାଢ଼ିଲା । ତାପରେ ସେଟା ଦେଖାଇ କହିଲା ‘‘ଏ ଖଣ୍ତକ ତା ପାଦରେ ଥିଲା । ଆଶ୍ଚର୍ଯ୍ୟ କଥା ଯେ ସେ ଆପଣଙ୍କ ସହିତ ଯାଇ ପଡ଼ିକରି ତା ଆଣ୍ଠୁ ଭାଙ୍ଗିନି ।

 

‘‘ଖୁବ୍‌ ଅଖାଡୁଆ କଥା । ମୁଁ ତ ଆଗରୁ ଘୋଡ଼ାଙ୍କ ପାଦରେ ଯେ ପଥର ଫୁଟେ ଏହା ଜାଣି ନଥିଲି ।

 

ଘୃଣାର ସହ ଚାଷୀ କହିଲା ‘‘ଜାଣି ନଥିଲେ ? କିନ୍ତୁ ସେମାନେ ଜାଣନ୍ତି । ଯଦିଓ ଏମିତି ରାସ୍ତାରେ ସର୍ବୋତ୍କୃଷ୍ଟ ଘୋଡ଼ାମାନେ ବି ପାଦରେ ମାଡ଼ି ହଇରାଣ ହୁଅନ୍ତି । ଆଉ ଆପଣ ଯଦି ଘୋଡ଼ାକୁ ଛୋଟା କରିବାକୁ ନ ଚାହାନ୍ତି, ଭଲ ଭାବେ ଲକ୍ଷ୍ୟ କରୁଥିବେ ଏବଂ ଏମିତି ହେବା ମାତ୍ରେ ପଥର କଢେଇବାର ବନ୍ଦୋବସ୍ତ କରିବେ । ୟା ପାଦଟା ତ ଖୁବ୍‌ ଖଣ୍ଡିଆ ହୋଇଛି ମୋ ଗୋଡ଼ଟିକୁ ଆସ୍ତେ କରି ଭୂଇଁରେ ରଖି କୃଷକ କହିଲା । ମତେ ଆଉଁସି ଦେଇ ପୁଣି କହିଲା ‘‘ସାର୍‌ ମୋ କଥା ଶୁଣିଲେ ତ । ଆପଣ ତାକୁ ଆସ୍ତେ ଆସ୍ତେ ଚଳେଇବେ । ପାଦ ତାର ବେଶ୍‌ ଖଣ୍ଡିଆ ହୋଇଛି ଆଉ ଛୋଟେଇ ଛୋଟେଇ ଚାଲିବାଟା ତାର ଏତେ ଶୀଘ୍ର ଯିବ ନାହିଁ ।’’

 

ତାପରେ ମହିଳାଙ୍କୁ ଟୋପି ଉଠେଇ ସମ୍ମାନ ଜଣାଇ ସେ ଚାଲିଗଲା । ସେ ଚାଲିଯିବା ପରେ ମୋ ଚାଳକ ଲଗାମ ଓ ଚାବୁକ୍‌ ଠିକ୍‌ ଭାବରେ ଧରିବାରୁ ମୁଁ ଚାଲିବାର ନିର୍ଦ୍ଦେଶ ପାଇଲି । ମୁଁ ଚାଲିଲି । ପଥରଟି ବାହାରିଯାଇ ଥିବାରୁ ଟିକେ ଉଶ୍ୱାସ ଲାଗୁଥାଏ, ମାତ୍ର ତଥାପି ଖୁବ୍‌ ଯନ୍ତ୍ରଣା ହେଉଥାଏ ।

 

ଆମ ପରି ଭଡ଼ାଦିଆ ଯାଉଥିବା ଘୋଡ଼ାଙ୍କର ଏମିତି ଅନେକ ପ୍ରକାର ଅନୁଭୂତି ହୋଇଥାଏ ।

•••

 

ସହରୀ ଭଦ୍ରଲୋକ

 

ଆଉ ଏକ ପ୍ରକାର ଘୋଡ଼ାଗାଡ଼ି ଚାଳକ ବି ଅଛନ୍ତି, ଯେଉଁମାନେ ଘୋଡ଼ା ଗାଡିକୁ ଷ୍ଟିମ୍‌ ଇଞ୍ଜିନ ଚଳାଇବା ଢ଼ଙ୍ଗରେ ଚଳାନ୍ତି ସେମାନେ ପ୍ରାୟତଃ ସହରବାସୀ । ସେମାନଙ୍କର ନିଜର ଘୋଡ଼ା ନଥାଏ ଏବଂ ବେଶିଭାଗ ରେଳଗାଡ଼ିରେ ଯାତ୍ରା କରନ୍ତି ।

 

ସେମାନେ ସବୁବେଳେ ମନେ କରନ୍ତି ଯେ ଘୋଡ଼ା ଗୋଟିଏ ବାଷ୍ପୀୟ ଯାନ । ସେମାନଙ୍କ ଧାରଣା ଯେ ଘୋଡ଼ାଟିଏ ଭଡ଼ାରେ ନେଲେ ତାକୁ ଯେତେ ଦୂର ଯେତେ ଶୀଘ୍ର ଏବଂ ଯେତେ ଇଚ୍ଛା ଦୌଡ଼ା ଯାଇପାରେ । ପୁଣି ଯେତେ ଖୁସି ସେତେ ଓଜନର ଭାର ମଧ୍ୟ ତା ଉପରେ ଲଦାଯାଇ ପାରେ । ତା ଛଡ଼ା ରାସ୍ତା କାଦୁଅ ପଙ୍କ ବା ଶୁଖିଲା, ପଥୁରିଆ କି ସମତଳ, ଉଚ୍ଚା କି ନୀଚା, ଯାହା ହେଲେ ଯେମିତି ହେଲେ ଘୋଡ଼ା ଏକାପରି ଦୌଡ଼ିବ । କୌଣସି ସାହାଯ୍ୟ ସମବେଦନା ମୋଟେ ଆବଶ୍ୟକ ନାହିଁ ।

 

ଏପରି ଲୋକମାନେ ଉଠାଣିଆ ରାସ୍ତାରେ କେବେହେଲେ ଟିକେ ତଳକୁ ଓହ୍ଲେଇବେ ନାହିଁ କି ଚାଲିବେ ନାହିଁ । ଘୋଡ଼ାର ଯେତେ କଷ୍ଟ ହେଲେ ବି ଟଙ୍କା ଦେଇଛନ୍ତି ତେଣୁ ଚଢ଼ିବେ ଏବଂ ଘୋଡ଼ା ମଧ୍ୟ ସବୁ ପ୍ରକାର ଯାତ୍ରା ପାଇଁ ଅଭ୍ୟସ୍ତ ବୋଲି ସେମାନେ ଭାବନ୍ତି । ଆଉ ପାହାଡ଼ିଆ ରାସ୍ତାରେ ଗାଡ଼ି ଉଠାଇ ନ ପାରିଲେ ସେମାନେ ଆଉ ଘୋଡ଼ା କଣ ? ଚାଲିଲେ ବି ରକ୍ଷା ନାହିଁ । ମଜା ପ୍ରକୃତରେ ହେଉଛି ଲଗାମ ଟାଣି ଧରିବା, ଚାବୁକରେ ମାରିବା ଓ ଚିତ୍କାର କରି ପ୍ରାୟ କହିବା- ହେ ଅଳସୁଆ ଚାଲ୍‌ । ଯଦି ବି ଆମେ ବିନା ଆପତ୍ତିରେ ଭଲ କରି ଗାଡ଼ିଟାଣୁ ତଥାପି ଆମକୁ ଅକାରଣେ କଷ୍ଟ ଦିଆଯାଇ ହତାଶ କରାଯାଉଥାଏ ।

 

ଏଇ ବାଷ୍ପୀୟ ଯାନ ଭାବିବା ଚାଳକମାନଙ୍କ ସହ ଗାଡ଼ି ଚଳେଇବାଟାରେ ଆମେ ସବୁ ପ୍ରକାର ଚାଳକଙ୍କ- ଚଳେଇବାଠାରୁ ବେଶି ଭୋଗୁ ଓ ଶୀଘ୍ର ଝାଉଁଳି ପଡୁ । ଜଣେ ଭଲ ବିଚାରବନ୍ତ ଚାଳକ ସହିତ କୋଡ଼ିଏ କିଲୋ ମିଟର ଯିବାଟାକୁ ମୁଁ ଏ ପ୍ରକାର ଚାଳକ ସହିତ ଦଶ କି.ମି ଯିବାଠାରୁ ବେଶି ପସନ୍ଦ କରେ । କାରଣ ମୋ ଉପରେ ଭଲ ଚାଳକ ଥିଲେ କମ୍‌ କଷ୍ଟ ପଡ଼େ ।

 

ଆଉ ଗୋଟାଏ କଥା ଏଇ ସହରୀ ଭଦ୍ରଲୋକମାନେ ଯେତେ ଗଡ଼ାଣିଆ ରାସ୍ତା ହେଲେ ମଧ୍ୟ ଆସ୍ତେ ଟଣା ହେବାକୁ ମୋଟେ ପସନ୍ଦ କରନ୍ତି ନାହିଁ । ଫଳରେ ବେଳେବେଳେ ସାଙ୍ଘାତିକ ଦୁର୍ଘଟଣାମାନ ଘଟିଥାଏ । ଆଉ ଯଦି ସେମାନେ ଟାଣିବା ଶିକୁଳିଟା ଧରି ସମତଳ ଭୂମିକୁ ଆସନ୍ତି ତାହାଲେ ତାକୁ ପାହାଡ଼ ତଳକୁ ଆସିଲେ ଖୋଲି ଦେବାକୁ ଭୁଲିଯାନ୍ତି ଏବଂ ଏହା ଦ୍ଵାରା ଘୋଡ଼ା ଉପରେ ଯଥେଷ୍ଟ ଚାପ ପଡ଼େ ।

 

ଯିଏ ପ୍ରକୃତରେ ଭଦ୍ରଲୋକ ସେ ଘୋଡ଼ାକୁ ପ୍ରଥମରୁ ଆସ୍ତେ ଆସ୍ତେ କରି ଚଳେଇ ଧୀରେ ଧୀରେ ଗତି ବଢ଼ାନ୍ତି, ମାତ୍ର ଏଇ ଭଦ୍ରଲୋକ ମାନେ ତାହା କରନ୍ତି ନାହିଁ । ଆମକୁ ଘୋଡ଼ାଶାଳରୁ ହିଁ ଦୌଡ଼େଇବା ଆରମ୍ଭ କରନ୍ତି ଆଉ ଦୌଡ଼ା ବନ୍ଦ କରିବାବେଳେ ହଠାତ୍‌ ଜୋରରେ ଚାବୁକରେ ପିଟି ସେଇମିତି ଜୋର୍‌ରେ ଲଗାମ ଟାଣି ଦିଅନ୍ତି । ଏତେ ଅପ୍ରତ୍ୟାଶିତ ଚାଳନାରେ ଆମେ ପ୍ରାୟ ଆମ କୁଜ ଉପରେ ଲଇଁ ଯାଉ, ତୁଣ୍ଡି ପାଟିକୁ ଆଘାତ ଦିଏ । କିନ୍ତୁ ସେମାନେ ଏଥିରୁ ଆନନ୍ଦ ପାଆନ୍ତି । ଆଉ ଯେତେବେଳେ ରାସ୍ତା କୋଣରେ ଘୂରନ୍ତି ଏତେ ଜୋରରେ ଆମକୁ ଘୂରେଇ ଦିଅନ୍ତି ଯେମିତି ରାସ୍ତାର ଡାହାଣ ବା ବାମ ପାର୍ଶ୍ଵ ବୋଲି କିଛି ନାହିଁ ।

 

ଥରେ ବସନ୍ତ ସମୟର ସନ୍ଧ୍ୟା । ମୁଁ ଆଉ ରରି ବାହାରକୁ ଯିବା ପାଇଁ ଗାଡ଼ିରେ ଯୋଚା ହେଲୁ । (ଯେତେବେଳେ ଦୁଇଟି ଘୋଡ଼ାର ପ୍ରୟୋଜନ ହୁଏ ପ୍ରାୟ ରରି ହିଁ ମୋ ସହିତ ରହେ । ସେ ଖୁବ୍‌ ଭଲ ଏବଂ ସଚ୍ଚୋଟ) ଆମ ସହିତ ଖୁବ୍‌ ଭଲ, ଭଦ୍ର ଓ ବିଚାରବନ୍ତ ଚାଳକ ଜଣେ ଥିଲା । ତେଣୁ ଦିନଟି ଆମ ପାଇଁ ବେଶ୍‌ ଆନନ୍ଦଦାୟକ ଥିଲା । ଅଳ୍ପ ଅନ୍ଧକାର ବେଳକୁ ଆମେ ବେଶ୍‌ ଆରାମରେ ଘରକୁ ଫେରୁଥିଲୁ । ଆମ ରାସ୍ତା ବାମ ପଟକୁ ଯାଇଥିଲା । ଆମ ପଟେ ବାଡ଼ ଥିଲା, ମାତ୍ର ରାସ୍ତା ପ୍ରଶସ୍ତ ଥିବାରୁ ଚାଳକ ଆମକୁ ଜୋରରେ ଟାଣି ଚଳାଉ ନଥିଲା । ଆମେ ଠିକ୍‌ ରାସ୍ତା କୋଣ ପାଖରେ ପହଞ୍ଚିଲା ବେଳକୁ ଗୋଟିଏ ଘୋଡ଼ା ଟାପୁ ଓ ଗାଡ଼ି ଚକର ଶବ୍ଦ ମୁଁ ଶୁଣିପାରିଲି । ଗାଡ଼ିଟା ଖୁବ୍‌ ଜୋରରେ ଆମ ଆଡ଼କୁ ଦୌଡ଼ୁଥିଲା । ବାଡ଼ଟା ବେଶ୍‌ ବଡ଼ ଥିବାରୁ ଦେଖି ହେଉ ନଥିଲା, ମାତ୍ର ପରମୁହୂର୍ତ୍ତରେ ଆମେ ପରସ୍ପରର ମୁହାମୁହିଁ ହେଲୁ । ଭାଗ୍ୟକୁ ମୁଁ ବାଡ଼ ପଟକୁ ଥିଲି, କିନ୍ତୁ ରରି ଡାହାଣ ପଟେ ଥିଲା । ଯିଏ ଗାଡ଼ିଟା ଚଳଉଥିଲା, ସିଧା କୋଣକୁ ଆସିଗଲା । ଆମକୁ ଦେଖିବା ବେଳକୁ ଗାଡ଼ିଟା ଘୁଞ୍ଚେଇବାକୁ ତାର ସମୟ ନାହିଁ । ପୂରା ଗାଡ଼ିଟି ରରି ଉପରେ ପଡ଼ିଗଲା । ତା ଛାତିରେ ସେ ଗାଡ଼ିର ରଡ୍‌ ପଶିଗଲା । ତାହାର ଆର୍ତ୍ତଚିତ୍କାର ମୁଁ ଜୀବନସାରା ଭୁଲି ପାରିବି ନାହିଁ । ଆର ଗାଡ଼ିର ଘୋଡ଼ାଟି ବି ପଡ଼ିଯାଇ ଗୋଟାଏ ରଡ୍‌ ମଧ୍ୟ ଭାଙ୍ଗିଗଲା । ପରେ ଜଣାପଡ଼ିଲା ଯେ ସେ ଘୋଡ଼ାଟି ମଧ୍ୟ ଆମରି ଘୋଡ଼ାଶାଳର । ବଡ଼ ବଡ଼ ଚକଥିବା ଗାଡ଼ିର ଯେଉଁ ଗାଡ଼ି କି ଯୁବବମାନକ ଅଧିକ ପ୍ରିୟ ।

 

ସେଇ ଗାଡ଼ି ଚାଳକଟି ସମ୍ପୂର୍ଣ ଅଜ୍ଞ । କେଉଁ ଦିଗକୁ ଗାଡ଼ିଟି ନେବ ସେ ନିଜେ ଇଁ ବୋଧହୁଏ ଜାଣି ନଥିଲା ବା ଜାଣି ଥିଲେ ବି ଖାତିର ନଥିଲା । ବିଚରା ରରିର ମାଂସ ବାହାରି ରକ୍ତଶ୍ରାବ ହେଉଥାଏ । ସେମାନଙ୍କ କଥାବାର୍ତ୍ତାରୁ ମୁଁ ଜାଣିଲି ଯେ ଆଉ ଟିକେ ଅଧିକ ଗୋଟିଏ ଦିଗକୁ ଯାଇଥିଲେ ରରିର ମୃତ୍ୟ ହିଁ ହୋଇଥାନ୍ତା, ଆଉ ତାହା ଘଟିଥିଲେ ବୋଧହୁଏ ତା ପାଇଁ ଭଲ ହୋଇଥାନ୍ତା ।

 

ତାର କ୍ଷତ ଶୁଖିବାକୁ ତାକୁ ବହୁଦିନ ଲାଗିଲା, ତାପରେ ସେ ବକ୍ର ହୋଇଗଲା । କୋଇଲା ଗାଡ଼ି ଟାଣିବା କାର୍ଯ୍ୟରେ ହିଁ ସେ ନିୟୋଜିତ ହେଲା । କେବଳ ଘୋଡ଼ାମାନେ ବୁଝିପାରିବେ ଯେ କୋଇଲାଭର୍ତ୍ତି ଗାଡ଼ି ଟାଣି ପାହାଡ଼ିଆ ସ୍ଥାନରେ ଉପରକୁ ଉଠାଇବା କେତେ କଷ୍ଟ । ମୁଁ ତ ଦେଖୁଛି କିପରି ଭାବେ କୋଇଲା ବୋଝେଇ ଗାଡ଼ିକୁ ଏକଚକିଆ ଗାଡ଼ିକୁ ସେମାନେ ଉପରୁ ତଳକୁ ନିଅନ୍ତି । ସେ କଷ୍ଟ ଭାବିଲେ ଏବେ ବି ମୋର ଦୁଃଖ ହୁଏ ।

 

ରରି ଅପାହିଜ ହୋଇଯିବା ପରେ ମୁଁ ପେଗି ନାମକ ଘୋଡ଼ୀ ସହିତ ଗାଡ଼ି ଟାଣେ । ପେଗି ମୋ ପାଖ କୋଠରିରେ ରହୁଥିଲା । ସେ ପାଉଁଶିଆ ଓ ମାଟିଆ ମିଶ୍ରିତ ରଙ୍ଗର ଘୋଡ଼ୀଟିଏ, ଭାରି ସୁନ୍ଦର ରୂପ, ଦାଢ଼ି ଓ ଲାଙ୍ଗୁଡ଼ ଗାଢ଼ ବ୍ରାଉନ ରଙ୍ଗର, ଉଚ୍ଚ ଜାତିର ନ ହେଲେ ବି ସେ ଭାରି ସୁନ୍ଦର, ଅତ୍ୟଧିକ ଶାନ୍ତ ଏବଂ ସର୍ବଦା କର୍ମତତ୍‌ପର । ତଥାପି ତାର ସର୍ବଦା ଆଖିର ଚାହାଣିରୁ ମୁଁ ବୁଝିପାରେ ଯେ ତାର ବି କିଛି ଅସୁବିଧା ଅଛି । ପ୍ରଥମ ଥର ଆମେ ଏକାଠି ଚାଲିବାବେଳେ ମୁଁ ଲକ୍ଷ୍ୟ କଲି ଯେ ସେ ପାହୁଣ୍ଡ ପକେଇଲା ବେଳେ ଟିକେ ଇତସ୍ତତଃ, କେତେବେଳେ ଦୌଡ଼ୁଛି ତ କେତେବେଳେ ଆସ୍ତେ ଚାଲୁଛି, ଅବା କେତେବେଳେ ଡେଉଁଛି ।

 

ଏହି କାରଣରୁ ଯେ ତା ସହ ଗାଡ଼ି ଟାଣିବ ତାକୁ ନିଶ୍ଚୟ ଅସୁବିଧା ହେବ ଏବଂ ମତେ ଏକଦମ୍‌ ଖରାପ ଲାଗୁଥିଲା । ଘରକୁ ଫେରିବା ପରେ ମୁଁ ତାକୁ ପଚାରିଥିଲି କ’ଣ ପାଇଁ ସେ ଏମିତି ଅବାଗିଆ ଚାଲି ଚାଲୁଥିଲା । ‘‘ଓହୋ ! ସେ ବ୍ୟସ୍ତ ହୋଇ କହିଲା ‘‘ମୁଁ ଜାଣେ ମୋ ପାହୁଣ୍ଡ ନିହାତି ଅସମାନ । କିନ୍ତୁ ମୁଁ ବା ଏଥିପାଇଁ କଣ କରିପାରିବି ? ପ୍ରକୃତରେ ମୋର ଏଟା ଦୋଷ ନୁହେଁ- ଏହାର କାରଣ ମୋର ଛୋଟ ଗୋଡ଼ ଦୁଇଟା । ମୋର ତୋର ଏକା ଉଚ୍ଚତା ହେଲେ ମଧ୍ୟ ମୋ ଗୋଡ଼ ତୋ ଗୋଡ଼ ଠାରୁ ତିନି ଇଞ୍ଚ ସାନ । ଦୁଇ ଜଣଙ୍କ ଆଣ୍ଠୁ ଦେଖିଲେ ତୁ ବୁଝିପାରିବୁ । ସେଥିପାଇଁ ତୁ ମୋଠାରୁ ବଡ଼ ବଡ଼ ପାହୁଣ୍ଡ ପକେଇ ଜୋରରେ ଦୌଡ଼ି ପାରିବୁ । କିନ୍ତୁ ଯଦି ବି ମୋର ସେମିତିକା ଦୌଡ଼ିବାର ଇଚ୍ଛା ଏଇ ଛୋଟ ଗୋଡ଼ ପାଇଁ ମୁଁ ପାରୁ ନାହିଁ । ହଇରାଣ ହେଉଛି-। ମୋର ଏଇ ଛୋଟ ଗୋଡ଼ମାନଙ୍କ ପାଇଁ ସବୁ ଗଞ୍ଜଣା’’ । ଖୁବ୍‌ ଦୁଃଖିତ ହୋଇ ପେଗି କହିଲା । କନ୍ତୁ ଏଟା କେମିତିକା ହେଲା ତୋପରି ଶାନ୍ତ ଶିଷ୍ଟ ବାଧ୍ୟ ଘୋଡ଼ା ସହିତ ?

 

ଆରେ ତୁ କଣ ଦେଖୁନୁ ପୁରୁଷମାନେ ସର୍ବଦା ଶୀଘ୍ର ପହଞ୍ଚିବାକୁ ଚାହାନ୍ତି । ତେଣୁ ଘୋଡ଼ାଟିଏ ତାର ସଙ୍ଗୀ ଘୋଡ଼ା ସହିତ ପାଦ ମିଳାଇ ନ ଦୌଡ଼ି ପାରିଲେ ତା ଉପରେ ସର୍ବଦା ଚାବୁକ ମାଡ଼ ପଡେ । ତେଣୁ ମୁଁ ଯେମିତି ହେଲେ ମୋ ପାର୍ଟନର ସହ ଦୌଡ଼ିବାକୁ ଖୁବ୍‌ ଚେଷ୍ଟା କରେ । ଏଇ ଚେଷ୍ଟା ଫଳରେ ମୋ ପାହୁଣ୍ଡଗୁଡିକ ଏମିତି ଅସମାନ, ଅସୁନ୍ଦର ଏବଂ ଅବାଗିଆ ହୋଇଯାଇଛି । ସବୁବେଳେ ତାହା ଏମିତି ନଥିଲା । ମୋର ପ୍ରଥମ ମାଷ୍ଟର ଗୋଟିଏ ଗାଆଁର ଜଣେ ଦୟାଳୁ ଭଲ କ୍ଲର୍ଜିମ୍ୟାନ ଥିଲେ । ତାଙ୍କୁ ଦୁଇଟା ଚର୍ଚ୍ଚ ଦେଖିବାକୁ ପଡ଼ୁଥିଲା ଏବଂ ସେ ଦୁଇଟାର ଦୂରତ୍ୱ ବେଶ୍‌ ବେଶିଥିଲା । ତାଙ୍କ କାମ ବି ବହୁତ ଥାଏ । ମାତ୍ର ମୁଁ ଯେ ଜୋରରେ ଦୌଡ଼ିପାରୁ ନଥିଲି ସେଥିପାଇଁ ସେ କେବେହେଲେ ମତେ ଚାବୁକ୍‌ରେ ମାରିନାହାନ୍ତି କି ଗାଳି ଦେଇ ନାହାନ୍ତି । ମୁଁ ତାଙ୍କର ଅତି ପ୍ରିୟ ଥିଲି। ଏବେ ଭାବେ ଯେ ମୁଁ ଯଦି ଆଜି ତାଙ୍କ ପାଖରେ ଥାନ୍ତି କେତେ ଭଲ ହୋଇଥାନ୍ତା । କିନ୍ତୁ ସେ ସ୍ଥାନ ଛାଡ଼ି ସେ ବଡ଼ ସହରକୁ ଚାଲିଗଲେ । ସେତେବେଳେ ମତେ ଜଣେ ଚାଷୀକୁ ବିକି ଦେଇଥିଲେ ।

 

ଅନେକ କୃଷକ ବେଶ୍‌ ଧନୀ ଥିଲେ ବି ମୋର ମାଲିକ ଏତେ ପଇସାବାଲା ନଥିଲେ । ସେ ଭଲ ଘୋଡ଼ା ଅବା ଭଲ ଚାଳକ ହେବାକୁ ନ ଦେଖି କେବଳ ଶୀଘ୍ର କେମିତି ଯିବା ଆସିବା କରିବେ ତାରି ଉପରେ ଧ୍ୟାନ ଦେଉଥିଲେ । ତାହା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା । ମୁଁ ଯେତେ ଶୀଘ୍ର ପାରେ ଦୌଡ଼ୁଥିଲେ ମଧ୍ୟ ସେ ଅସନ୍ତୁଷ୍ଟ ହୋଇ ଆହୁରି ଜୋରରେ ଦୌଡ଼େଇବା ପାଇଁ ଚାବୁକ ଉପରେ ଚାବୁକ ମାରି ଚାଲନ୍ତି । ତେଣୁ ମୁଁ ପ୍ରାୟ ଡେଇଁ ଡେଇଁ କରି ଶୀଘ୍ର ଦୌଡ଼ିବାକୁ ଚେଷ୍ଟା କରେ । ହାଟଦିନ ସେ ବହୁତ ଡେରି ରାତି ଯାଏ ପାନ୍ଥଶାଳାରେ ବସନ୍ତି ଏବଂ ଫେରିବା ବେଳେ ଖୁବ୍‌ ଜୋର୍‌ରେ ମତେ ଦୌଡ଼ାନ୍ତି

 

ଥରେ ଗୋଟାଏ ଅନ୍ଧାର ରାତିରେ ସେ ପ୍ରାୟ ଯେମିତି ଫେରନ୍ତି ଆମେ ଫେରୁଥିଲା । ମୁଁ ପ୍ରାଣପଣେ ଜୋରରେ ଦୌଡୁଥିଲି । ହଠାତ୍ ରାସ୍ତା ଉପରେ କୌଣସି ଭାରି ଜିନିଷ ଚକରେ ବାଡ଼େଇ ହୋଇ ଗାଡ଼ିଟାକୁ ମିନିଟକ ମଧ୍ୟରେ ଓଲଟାଇ ଦେଲା । ସେ ବି ଛିଟକି ପଡ଼ି ତାଙ୍କ ହାତ ଓ ମେରୁ ହାଡ଼ କେତୋଟି ଭାଙ୍ଗିଯିବାର ଶୁଣିଥିଲି । ଯାହା ହେଉ ସେଇ ମୋର ତାଙ୍କ ସହ ରହିବାର ଶେଷଦିନ । ଅବଶ୍ୟ ସେଥିପାଇଁ ମୁଁ ଆଦୌ ଦୁଃଖିତ ନୁହେଁ, କିନ୍ତୁ ତୁ ଦେଖ ବର୍ତ୍ତମାନ ଯେଉଁଠି କାମ କଲେ ମଧ୍ୟ ମୋ ପାଇଁ ସେଇ ଏକା କଥା ହିଁ ହେବ, ଯଦି ଲୋକମାନେ ଶୀଘ୍ର ଯିବା ପାଇଁ ଚାହିଁବେ । ଆହା, ମୋ ଗୋଡ଼ଗୁଡିକ ହେଲେ ଆଉ ଟିକେ ଲମ୍ବା ହୋଇଥାନ୍ତା !

 

ବିଚାରୀ ପେଗି-ତା ପାଇଁ ମତେ ଖୁବ୍‌ ଖରାପ ଲାଗଲେ ବି କିଛି ସାନ୍ତ୍ୱନା ମୁଁ ତାକୁ ଦେଇପାରିଲି ନାହିଁ, କାରଣ ମୁଁ ଜାଣେ ଯେ ଗୋଟିଏ ଗାଡ଼ିରେ ଗୋଟେ ବଡ଼ ପାହୁଣ୍ଡରେ ଯିବା ଘୋଡ଼ା ସହ ଛୋଟ ପାହୁଣ୍ଡରେ ଯିବା ଘୋଡ଼ାକୁ ଏକତ୍ର ଯୋଚିଲେ ଛୋଟ ପାହୁଣ୍ଡ ବାଲାର କେଡ଼େ କଷ୍ଟ । ତାରି ଉପରେ ହିଁ ସବୁ ଚାବୁକମାଡ଼ ପଡ଼ିବ ଏବଂ ସେ କିଛି କରିପାରୁ ନଥିବ ।

 

ତାକୁ ପ୍ରାୟ ଫେଟନ୍‌ରେ ବ୍ୟବହାର କରାହେଉଥିଲା, କାରଣ ତାର ଚେହେରା ଚାଲି ଶାନ୍ତ ସ୍ଵଭାବ ପାଇଁ ମହିଳାମାନେ ତାକୁ ଖୁବ୍‌ ପସନ୍ଦ କରୁଥିଲେ । ଏହି ଘୋଡ଼ୀର ଦୌଡ଼ାକୁ ଭଲ ଓ ନିରାପଦ ମନେ କରି କିଛି ଦିନ ପରେ ଦୁଇଜଣ ଭଦ୍ର ମହିଳା ତାକୁ କିଣି ନେଲେ ।

 

ଏହା ପରେ ମୁଁ ପେଗିକୁ ସେହି ଅଞ୍ଚଳରେ ଅନେକବାର ଦେଖିଛି । ସେ ବେଶ୍‌ ଦୃଢ଼ ପାହୁଣ୍ଡରେ ଦୌଡ଼େ । ଖୁସି ଓ ସନ୍ତୁଷ୍ଟ ଥିବାର ମନେ ହୁଏ । ଏହାଠାରୁ ଗୋଟିଏ ଘୋଡ଼ୀ ବା କଣ ଅଧିକ ଆଶା କରିପାରେ । ସେ ତାର ଉପଯୁକ୍ତ ସ୍ଥାନ ପାଇଥିବାରୁ ମୁଁ ବି ତାକୁ ଦେଖି ଖୁସି ହୁଏ ।

 

ସେ ଚାଲିଯିବା ପରେ ତା ସ୍ଥାନରେ ଆଉ ଗୋଟାଏ ଘୋଡ଼ାକୁ ଅଣାଗଲା । ଏ ଘୋଡ଼ାର ବୟସ କମ୍‌, ତାର ଏକ ବଦନାମ ବି ଥିଲା । ସେ ଚମକି ପଡ଼ୁଥିଲା, ଆଉ ଏଇ ଚମକିବା ପାଇଁ ସେ ଭଲ ଜାଗାଟିଏ ବି ହରାଇଥିଲା । ମୁଁ ତାକୁ ତୁ କଣ ପାଇଁ ଚମକି ପଡ଼ୁ ପଚାରିବାରେ ସେ ଉତ୍ତର ଦେଲା, “କେଜାଣି ମୁଁ ଜାଣେ ନାହିଁ । ପିଲାବେଳେ ଅନେକ ଭୟ ପାଇଛି । କିଛି ଅଦ୍‌ଭୁତ ଜିନିଷ ଦେଖିଲେ ମୁଁ ବୁଲିପଡ଼ି ଚାହେଁ-ଆଉ ଆଖିର ପାର୍ଶ୍ୱ ବନ୍ଧା ହୋଇଥିବାରୁ କଡ଼କୁ ଚାହିଁବା ପାଇଁ ମୁହଁ ପୂରା ବୁଲେଇକରି ଚାହେଁ ଏବଂ ସେତେବେଳେ ମାଲିକ ଚାବୁକ ମାରନ୍ତି । ମୋର ଗତି ବଢ଼େ ମାତ୍ର ଭୟ କମେ ନି । ଯଦି ମତେ ସେ ଚୁପ୍‌ଚାପ୍‌ ଏପଟ ସେ ପଟକୁ ଚାହିଁବାକୁ ଦେଉଥାନ୍ତେ ଏବଂ ମାରୁ ନଥାନ୍ତେ ବୋଧହୁଏ ଭଲ ହୋଇଥାନ୍ତା, ମୁଁ ସେମାନଙ୍କ ସହ ଅଭ୍ୟସ୍ତ ହୋଇଯାଇଥାନ୍ତି । ଥରେ ଜଣେ ବୁଢ଼ାଲୋକ ମୋ ମାଲିକଙ୍କ ସହ ଯାଉଥିଲେ । ସେତେବେଳେ ଖଣ୍ଡେ ବଡ଼ କାଗଜ ବା କନାଖଣ୍ଡେ ମୋ ଠିକ୍‌ ପାଖରେ ପବନରେ ଉଡ଼ିଗଲା । ମୁଁ ଭୟରେ ଆଗକୁ ଦୌଡ଼ିଲି । ମୋ ମାଲିକ ସବୁବେଳ ପରି ମତେ ଚାବୁକରେ ମାରିବାରେ ଲାଗିଲେ । ସେ ବୁଢ଼ା ସଙ୍ଗେ ସଙ୍ଗେ ଚିତ୍କାର କରି କହିଲେ, ‘‘ତୁମେ ଭୁଲ କରୁଛ, ଭୁଲ କରୁଛ । ଚମକି ପଡ଼ିଲେ ତୁମେ କେବେ ବି ଘୋଡ଼ାକୁ ମାରିବ ନାହିଁ । ଏହାଦ୍ଵାରା ତୁମେ ତାକୁ ଅଧିକ ଭୟଭୀତ କରାଇ ତାର ଅଭ୍ୟାସ ଖରାପ କରୁଛ ।’’ ମୁଁ ବୁଝିଲି ଯେ ସବୁଲୋକ ଏହିପରି ନୁହନ୍ତି, କିନ୍ତୁ ମୁଁ ବି ଜାଣେ ମୁଁ ଚମକିବି ବୋଲି ଚମକି ପଡ଼ୁ ନଥିଲି । କିନ୍ତୁ ଜଣେ କେଉଁଟା କ୍ଷତିକର କେଉଁଟା ନୁହେଁ ଏହା ଜାଣିବ କେମିତି, ଯଦି ଜଣେ କଥାଟା ନ ବୁଝିବ । ସବୁକଥା ଶିଖା ହେଲେ ସିନା ସେ ଶିଖି‌ବ । ମୁଁ ଜାଣିଥିବା ଜିନିଷରେ କେବଳ ବି ଭୟପାଏ ନାହିଁ । ମୁଁ ଗୋଟାଏ ପାର୍କରେ ପାଳିତ ହେଉଥିଲି । ସେଠାରେ ଅନେକ ହରିଣ ଥିଲେ-। ମୁଁ ଗାଈ ମଇଁଷିଙ୍କ ପରି ସେମାନଙ୍କୁ ଚିହ୍ନି ଯାଇଥିଲି । କିନ୍ତୁ ଯେହେତୁ ହରିଣମାନେ ସାଧାରଣତଃ ସବୁ ଆଡ଼େ ଦୃଶ୍ୟ ହୁଅନ୍ତି ନି, ତେଣୁ ଅନେକ ଭଲ ଘୋଡ଼ା ପ୍ରଥମ କରି ତାଙ୍କୁ ଦେଖିଲେ ଡରିଯାନ୍ତି-। ଯଦି ଗୋଟିଏ ପଡ଼ିଆରେ କିଛି ହରିଣଙ୍କୁ ଦେଖି ଦିଅନ୍ତି ଭୟ ପାଇ ଖୁବ୍ ହଲ୍ଲାଗୁଲ୍ଲା କରନ୍ତି ।

 

ମୋ ସାଥି ଯାହା ସବୁ କହିଲା ମୁଁ ଜାଣେ ଯେ ସେ କଥା ସତ । ତେଣୁ ମୁଁ ଇଚ୍ଛାକଲି ପ୍ରତି ଅଳ୍ପବୟସ୍କ ଘୋଡ଼ାମାନଙ୍କର ଫାର୍ମର ଗ୍ରେ ବା ସ୍କୋୟାର ଗର୍ଡନଙ୍କ ପରି ଭଲ ମାଲିକର ଆବଶ୍ୟକ ।

 

ଅବଶ୍ୟ ବେଳେବେଳେ ଆମେ ଭଲ ଚଳେଇବା ଶିକ୍ଷା ପାଇଁ ଏଠାକୁ ଆସୁ । ମୋର ମନେ ଅଛି ଦିନେ ସକାଳେ ମତେ ଗୋଟାଏ ହାଲ୍‌କା ଗାଡ଼ି ସହ ଯୋଚା ହେଲା । ଆମେ ପୁଲ୍‌ଟେନି ଷ୍ଚ୍ରିଟ୍‌ର ଗୋଟାଏ ଘରକୁ ଗଲୁ । ଦୁଇଜଣ ଭଦ୍ରଲୋକ ବାହାରକୁ ଆସିଲେ । ଡେଙ୍ଗା ଲୋକ ଜଣକ ମୋ ନିକଟକୁ ଆସି ମୋର ତୁଣ୍ଡି ଓ ଲଗାମ ଇତ୍ୟାଦିକୁ ଦେଖିଲେ, କଲାରଟାକୁ ଟିକେ ଘୁଞ୍ଚେଇ ଦେଇ ଠିକ୍‌ ମାପରେ ରହିଛି କି ନାହିଁ ପରୀକ୍ଷା କଲେ ।

 

ତାପରେ ଘୋଡ଼ା ଚାଳକକୁ ପଚାରିଲେ, ‘‘ତୁମେ କଣ ଭାବୁଛ ଯେ ଏଇ ଘୋଡ଼ାର ଏ ଚେନ୍‌ଟି ଦରକାର ? ମୁଁ ଭାବୁଛି ଏହାର ଆବଶ୍ୟକତା ନାହିଁ । ଏହାର ପାଟିଟି ଅସାଧାରଣ ଭାବେ ଭଲ । ତାର ମନବଳ ବି ବେଶ୍‌, କିଛି ଦୋଷ ନାହିଁ’’ ‘‘ତଥାପି ଆମେ ସାଧାରଣତଃ ଦେଖୁ ଯେ ଲୋକେ ଏଇ ବନ୍ଧାବନ୍ଧିଟା ପସନ୍ଦ କରନ୍ତି ।’’ ଚାଳକ ଉତ୍ତର ଦେଲା ।

 

ଭଦ୍ରଲୋକ କହିଲେ ‘‘ମତେ ଏଟା ପସନ୍ଦ ନୁହେଁ । ଏଟା ଖୋଲି ଦିଅ ଖାଲି ଲଗାମଟା ଲାଗିଥାଉ । ଦୂର ଯାତ୍ରା ଖୋଲା ଟିକେ ଥିବା ପାଟିଟା ସୁବିଧା ନୁହେଁରେ ବୁଢ଼ା ? ଆଉଁସି ଆଉଁସି ସେ କହିଲେ ।

 

ତାପରେ ସେ ଲଗାମ ଧରିଲେ ଏବଂ ଉଭୟେ ଉଠି ବସିଲେ । ମୋର ବର୍ତ୍ତମାନ ବି ମନେ ଅଛି ମତେ କେତେ ସୁନ୍ଦର ଭାବେ ସେ ଚଳେଇଲେ । ଖୁବ୍ ଆସ୍ତେ କରି ଲଗାମ ଟାଣି, ଚାବୁକ ଆସ୍ତେ ଲଗେଇ ଆମେ ଚାଲିଲୁ।

 

ମୁଁ ନିଜେ ମୁଣ୍ଡ ଉଠାଇ ଭଲ ପାହୁଣ୍ଡରେ ଦୌଡ଼ିଲି । ମୁଁ ବୁଝିପାରିଲି ଯେ ମୋ ପଛରେ ଜଣେ ଭଲ ଘୋଡ଼ାଚଢ଼ାଳି ଅଛନ୍ତି । ସେ ଜାଣନ୍ତି ଯେ ଭଲ ଘୋଡ଼ାଙ୍କୁ କିପରି ଭାବେ ଚଳାଇବାକୁ ପଡ଼ିବ । ପୁରୁଣା ଦିନର ମଧୁର ସ୍ମୃତି ସବୁ ମନେ ପଡ଼ିଗଲା । ମୁଁ ବେଶ୍‌ ଆନନ୍ଦ ଅନୁଭବ କଲି ।

 

ଏଇ ଭଦ୍ରଲୋକ ମତେ ଖୁବ୍‌ ପସନ୍ଦ କଲେ ଏବଂ ଅନେକ ଥର ଚଢ଼ିବା ପରେ ସେ ମୋ ମାଷ୍ଟରଙ୍କ ଅନୁରୋଧ କଲେ ମତେ ତାଙ୍କର ଜଣେ ବନ୍ଧୁଙ୍କୁ ବିକ୍ରି କରିଦେବାକୁ । ତାଙ୍କ ବନ୍ଧୁ ମୋରି ପରି ନିରାପଦ ଭଲ ଘୋଡ଼ାରେ ଚଢ଼ିବାକୁ ଚାହାନ୍ତି । ବହୁ ଅନୁରୋଧ ପରେ ମୋ ମାଲିକ ମତେ ମି. ବେରୀଙ୍କୁ ବିକ୍ରି କରିଦେଲେ ।

•••

 

ଚୋର

 

ମୋ ନୂତନ ମାଲିକ ଅବିବାହିତ । ସେ ବାଥ୍‌ରେ ବାସ କରୁଥିଲେ ଏବଂ ତାଙ୍କ ବ୍ୟବସାୟରେ ପ୍ରାୟ ସର୍ବଦା ବ୍ୟସ୍ତ ରହୁଥିଲେ । ତାଙ୍କ ଚିକିତ୍ସକଙ୍କ ପରାମର୍ଶରେ ସେ ଘୋଡ଼ାରେ ବ୍ୟାୟାମ ଇତ୍ୟାଦି କରିବାକୁ ମତେ କିଣିଥି‌ଲେ । ତେଣୁ ତାଙ୍କ ବାସଗୃହଠାରୁ ଅଳ୍ପ ଦୂରରେ ସେ ଗୋଟିଏ ଘୋଡ଼ାଶାଳ ଭଡ଼ାରେ ନେଇ ମତେ ସେଠି ରଖିଲେ । ମୋର ଦେଖାଦେଖି ପାଇଁ ଫିଲ୍‌ଚର ନାମକ ସଇସକୁ ମଧ୍ୟ ନିଯୁକ୍ତି ଦେଲେ । ମୋ ମାଲିକଙ୍କର ଘୋଡ଼ାମାନଙ୍କ ସମ୍ବନ୍ଧରେ ଖୁବ୍‌ କମ୍‌ ଜ୍ଞାନ ଥିଲେ ମଧ୍ୟ ସେ ମତେ ବେଶ୍‌ ଭଲଭାବେ ରଖିଥିଲେ । ମୋର ସୁବିଧା ପ୍ରତି ଦୃଷ୍ଟି ମଧ୍ୟ ଦେଉଥିଲେ । କିନ୍ତୁ କେତେ ଗୁଡ଼ିଏ ପରିସ୍ଥିତି ବିଷୟରେ ସେ ଅନଭିଜ୍ଞ ଥିବାରୁ ପରେ ସମସ୍ୟା ହେଲା । ସେ ଉତ୍ତମ ଖାଦ୍ୟ ଯଥା ରାଇ, ଓଟସ୍‌, ବିନ୍‌ସ ଓ ଉତ୍କୃଷ୍ଟ ଘାସ, କୁଟା ଆଦି ମୋ ପାଇଁ ଅର୍ଡ଼ର କରିବା ମୁଁ ଶୁଣେ ଏବଂ ମତେ ଯଥେଷ୍ଟ ଖାଦ୍ୟ ବି ମିଳୁଥିଲା । ମୋର ମନେ ହେଉଥିଲା ଯେ ମୁଁ ଖୁବ୍‌ ଖୁସିରେ ରହିବି ।

 

କିଛିଦିନ ଏମିତି ଭଲରେ କଟିଲା । ସଇସ ତା କାମରେ ଦକ୍ଷ । ସେ ଘୋଡ଼ାଶାଳ ପରିଷ୍କାର, ବାୟୁ ଚଳାଚଳ ଭଲ ହେବା ଦେଖୁଥିଲା । ସର୍ବଦା ଭଦ୍ର ଓ ମୋର ଯତ୍ନ ମଧ୍ୟ କରୁଥଲା । ଯେହେତୁ ପୂର୍ବରୁ ସେ ବାଥ୍‌ର ଗୋଟିଏ ବଡ଼ ହୋଟେଲରେ ଅଶ୍ଵରକ୍ଷୀର କାମ କରିଥିଲା ତେଣୁ ତାକୁ କାମ ଜଣାଥିଲା । ସେ ହୋଟେଲ ଚାକିରିଟି ଛାଡ଼ି ଫଳପରିବା ଚାଷ କରି ବିକ୍ରି କରୁଥାଏ ଏବଂ ତା ସ୍ତ୍ରୀ କୁକୁଡ଼ା, ଠେକୁଆ ଆଦି ପାଳି ମଧ୍ୟ ବିକ୍ରି କରେ । କିଛି ଦିନ ପରେ ମୋ ଖାଦ୍ୟରେ ଓଟ୍‌ସ କମି କମି ଗଲା ଏବଂ ବିନ୍ସ ସହ ଚଷୁ ମିଶେଇ ମତେ ଖାଇବାକୁ ଦିଆଗଲା । ଦୁଇ ତିନ ସପ୍ତାହ ମଧ୍ୟରେ ମୁଁ ଦୁର୍ବଳ ହେବାରେ ଲାଗିଲି । ମକ୍କା ବ୍ୟତୀତ ଯଦିଓ ଭଲ ଘାସ ମିଳୁଥିଲା, ମାତ୍ର ମୋ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଲା । ମୋର ଆପତ୍ତି କରିବାକୁ ଅଥବା ଆବଶ୍ୟକତା ପୂରଣ କରିବାକୁ କହିବାର ତ ଉପାୟ ନଥିଲା । ଏହି ପରି ଦୁଇମାସ ବିତିଗଲେ ମଧ୍ୟ ମତେ ଆଶ୍ଚର୍ଯ୍ୟ ଲାଗେ ଯେ ମୋ ମାଲିକ କିଛି କେମିତି ବୁଝିପାରୁ ନଥିଲେ । ଦିନେ ଅପରାହ୍ନରେ ସେ ମୋ ଉପରେ ଚଢ଼ି ତାଙ୍କର ଜଣେ କୃଷକ ବନ୍ଧୁଙ୍କ ଘରକୁ ବୁଲିବାକୁ ଗଲେ । ସେ ବନ୍ଧୁ ଓ୍ୱେଲ୍‌ସକୁ ଯିବା ରାସ୍ତା ନିକଟରେ ରହୁଥାନ୍ତି । ସେ ଭଦ୍ରଲୋକ ଘୋଡ଼ାମାନଙ୍କୁ କେବଳ ଚାହିଁଦେଇ ସେମାନଙ୍କୁ ବୁଝିପାରୁଥିବାରୁ ବନ୍ଧୁଙ୍କୁ ଅଭ୍ୟର୍ଥନା କରି ବସେଇ ଦେଇ ମତେ ଚାହିଁ କହିଲେ ‘‘ବେରୀ ତୋ ଘୋଡ଼ା ଆସିବା ବେଳଠାରୁ ବର୍ତ୍ତମାନ ବହୁତ ଦୁର୍ବଳ ହୋଇଯାଇଛି । ସେ ଭଲ ରହୁଛି ତ ? ‘‘ହଁ ଭଲ ତ ଅଛି । ମାତ୍ର ଆଗ ପରି ସତେଜ ଦେଖାଯାଉନି । ମୋ ସଇସ ମତରେ ଶରତ ଋତୁରେ ଘୋଡ଼ାମାନେ ଦୁର୍ବଳ ଓ ମାନ୍ଦା ହୋଇଯାଆନ୍ତି-ତେଣୁ ମୁଁ ସେୟା ଭାବିଲି ।’’

 

‘‘ଶରତ ଋତୁ ? ତୋ ମୁଣ୍ଡ ଖରାପ । ବର୍ତ୍ତମାନ ଅଗଷ୍ଟ ବି ହେଇନି । ତୋର ହାଲୁକା କାମ ଓ ଭଲ ଖାଦ୍ୟରେ ଘୋଡ଼ା ଶରତ ଋତୁରେ ବି ଏମିତି ହୋଇପାରିବ ନାହିଁ । କେମିତି ତାକୁ ଖୁଆଉ ?’’

 

ମୋ ମାଲିକ ସବୁ କହିଲେ । ତାଙ୍କ ବନ୍ଧୁ ମୋ ଦେହରେ ହାତ ବୁଲେଇ ବୁଲେଇ ଅନୁଭବ କରିବାରେ ଲାଗିଥାନ୍ତି । ତୋ ଶସ୍ୟ ତକ କିଏ ଖାଉଛି ମୁଁ ତ ବୁଝିପାରୁ ନି, କିନ୍ତୁ ନିଶ୍ଚିତ ଯେ ତୋ ଘୋଡ଼ା ତାହା ଖାଉ ନାହିଁ । ତୁ କଣ ଖୁବ୍‌ ଜୋର୍‌ରେ ତାକୁ ଦୌଡ଼ାଉ ?’’

 

‘‘ନା ତ ବେଶ୍‌ ଆସ୍ତେ ଆସ୍ତେ ।’’

 

‘‘ତେବେ ତୁ ଏଠି ହାତ ଦେଇ ଦେଖ’’ ମାଲିକଙ୍କ ହାତ ନେଇ ମୋ ବେକ ଏବଂ କାନ୍ଧରେ ବୁଲେଇଲେ, ଠିକ୍‌ ଯେମିତି ଘାସଖାଇ ଆସିଛି ଉଷୁମ ଓ ଓଦାଳିଆ । ମୋର ଉପଦେଶ ତୁ ଘୋଡ଼ାଶାଳ ଉପରେ ନଜର ଟିକେ ରଖ, ମତେ ସନ୍ଦେହ କରିବାକୁ ତ ଭଲ ଲାଗେନି । ଆଉ ପ୍ରଭୁଙ୍କୁ ଧନ୍ୟବାଦ ଯେ ମୋ ପାଖରେ କାମ କରୁଥିବା ଲୋକମାନେ ସମସ୍ତେ ସାଧୁ ପ୍ରକୃତିର, କିନ୍ତୁ ବଦମାସ ଲୋକେ ବି ଅଛନ୍ତି ଯେଉଁମାନେ ଏକ ମୂକ ପଶୁମାନଙ୍କ ଖାଦ୍ୟ ମଧ୍ୟ ଚୋରାନ୍ତି । ତୁ ଲକ୍ଷ୍ୟ କରିବୁ ନିଶ୍ଚେ । ଏ ଘୋଡ଼ାକୁ ଛେଚା ଓଟ୍‌ସ ଦେବୁ ଏବଂ ପରିଷ୍କାର ରଖିବୁ ।’’

 

‘‘ମୂକ ପଶୁ’’- ହଁ ଆମେମାନେ ସେୟା । ତେବେ କଥା କହି ପାରୁଥଲେ ମୁଁ ନିଶ୍ଚେ ଓଟ୍‌ସ କୁଆଡେ ଯାଉଛି ମୋ ମାଲିକଙ୍କୁ କହି ପାରିଥାଆନ୍ତି । ମୋ ସଇସ ସକାଳ ଛଅଟାରେ ବାଳକଟିଏ ସାଙ୍ଗରେ ନେଇ ଆସେ-ସାଥିରେ ଥାଏ ଗୋଟାଏ ଢାକଣା ଥିବା ବେତା, ଭିତରେ ସେ ହାର୍ନେସ ରୁମ୍‌କୁ ଯାଏ । ସେଠି ଓଟ୍‌ସ ରଖାହୋଇଥାଏ । ବେତାଟି ଭର୍ତ୍ତିକରି ବାଳକ ଚାଲିଯାଏ ।

 

ପାଞ୍ଚଛଅ ଦିନ ଖଣ୍ଡେ ପରେ ଦିନେ ସେ ବାଳକଟି ଘୋଡ଼ାଶାଳରୁ ଠିକ୍ ପଳାଇ ଯିବାବେଳେ ଦୁଆର ଖୋଲି ଜଣେ ପୋଲିସ ଆସି ପିଲାର ଡେଣା ଧରି ଭିତରକୁ ପଶିଲା । ଆଉ ଜଣେ ପୋଲିସ ତାଙ୍କ ପଛେ ପଛେ ଆସି ଦୁଆର ବନ୍ଦ କଲା । କହିଲା ‘‘ଦେଖା ତୋ ବାପା କେଉଁଠି ଠେକୁଆର ଖାଦ୍ୟ ରଖିଛି’’ ।

 

ପିଲାଟି ଭୀଷଣ ଭୟରେ କାନ୍ଦିବାରେ ଲାଗିଲା । କିନ୍ତୁ ଖସି ତ ପାରିବ ନାହିଁ-ତେଣୁ ଭିତରକୁ ନେଲା । ପୋଲିସ୍‌ମାନେ ସେଠି ଗୋଟାଏ ଖାଲି ବ୍ୟାଗ ଦେଖିଲେ, ଠିକ୍‌ ବାଳକର ଭର୍ତ୍ତି ବ୍ୟାଗ ପରି ।

 

ସେତେବେଳେ ଫିଲ୍‌ଚର ମୋର ପାଦ ପରିଷ୍କାର କରୁଥିଲା । କିନ୍ତୁ ସେମାନେ ସଙ୍ଗେ ସଙ୍ଗେ ତାକୁ ଧରିଲେ। ଯଦିଓ ସେ ଅନେକ କିଛି ବାହାନା କରି କହୁଥାଏ, ମାତ୍ର ସେମାନେ ତାକୁ ସିଧା ଲକ୍‌ ଅପ୍‌ ରୁମକୁ ନେଇଗଲେ । ପରେ ମୁଁ ଶୁଣିଲି ଯେ ବାଳକଟି ନିର୍ଦ୍ଦୋଷରେ ଖଲାସ ହେଲା । ମାତ୍ର ଫିଲ୍‌ଚରକୁ ଦୁଇମାସ ଜେଲ ହେଲା ।

•••

 

ପ୍ରତାରକ

 

ମୋ ମାଲିକ ସଙ୍ଗେ ସଙ୍ଗେ ନ ହେଲେ ମଧ୍ୟ ଅଳ୍ପ ଦିନ ପରେ ଅନ୍ୟ ଏକ ସଇସକୁ ନିଯୁକ୍ତ କଲେ । ସେ ଦୀର୍ଘକାୟ ଓ ସୁନ୍ଦର, କିନ୍ତୁ ଆଲଫ୍ରେଡ ସ୍ମାର୍କ ଥିଲା ସଇସ ରୂପରେ ଏକ ବିରାଟ ଠକ ବା ପ୍ରତାରକ । ଖୁବ୍‌ ଭଦ୍ର, ମତେ କେବେ ଖରାପ ବ୍ୟବହାର କରେନି । ବିଶେଷ କରି ମାଲିକଙ୍କ ଉପସ୍ଥିତିରେ ମତେ ଖୁବ୍‌ ଆଦର ସ୍ନେହ ଦେଖାଏ । ମତେ କାମକୁ ନେବା ପୂର୍ବରୁ ପ୍ରତିଥର ମୋ ଦାଢ଼ି ଲାଞ୍ଜ ଭଲ ଭାବେ ପରିଷ୍କାର କରି ଖୁରାକୁ ତେଲରେ ଚକ୍‌ ଚକ୍ କରେ । ମୁଁ ସ୍ମାର୍ଟ ଦେଖାଗଲେ ମଧ୍ୟ ମୋ ଦେହ ଗୋଡ଼ ହାତ ଆଦି କେବେ ବି ସେ ପରିଷ୍କାର କରୁନଥିବାରୁ ମୋ ତୁଣ୍ଡିରେ କଳଙ୍କି, ଓଦାଳିଆ ହୁଦା ଏବଂ ପଟି ଶକ୍ତ । ଗାଈ ପରି ମତେ ଧ୍ୟାନ ଦିଏ ନାହିଁ ।

 

ଆଲ୍‌ଫ୍ରେଡ଼ ସ୍ମାର୍କ ନିଜକୁ ଖୁବ୍ ସୁନ୍ଦର ବୋଲି ଭାବୁଥିଲା । ହାର୍ଣ୍ଣେସ୍‌ ରୁମରେ ଯେଉଁ ଛୋଟ ଦର୍ପଣଟି ଥାଏ ତା ଆଗରେ ସର୍ବଦା ଠିଆ ହୋଇ ନିଜର ଦାଢ଼ି ବାଳ ଓ ଟାଇ ସଜାଡ଼ୁଥାଏ । ମାଲିକ ଯେତେବେଳେ ତା ସହ କଥାବାର୍ତ୍ତା କରନ୍ତି ସେ ସବୁବେଳେ ‘‘ହଁ ସାର୍‌ ଆଜ୍ଞା ସାର୍‌’’ କହୁଥାଏ ଏବଂ ପ୍ରତିଶବ୍ଦରେ ଟୋପିଛୁଇଁ ଦେଉଥାଏ । ସମସ୍ତେ ତାକୁ ବେଶ୍‌ ଉତ୍ତମ ଯୁବକ ଭାବି ମି.ବେରୀ ଏପରି ଏକ କାମିକା ଲୋକ ପାଇଥିବା ନିମିତ୍ତ ତାଙ୍କୁ ଭାଗ୍ୟବାନ ବୋଲି ମନେକରୁଥିଲେ । ମୋ ମତରେ କିନ୍ତୁ ଏପରି ପ୍ରତାରକ ଏବଂ ଅଳସୁଆ ଲୋକକୁ ମୁଁ ଆଜିଯାଏଁ ଦେଖି ନଥିଲି । ଅବଶ୍ୟ ସେ ମତେ ଖରାପ ବ୍ୟବହାର କରୁ ନଥିଲା, ଏହା ମଧ୍ୟ ମୋର ବଡ଼ ସୌଭାଗ୍ୟ । ମାତ୍ର ଏତିକି ବ୍ୟତୀତ ଘୋଡ଼ା ପାଇଁ ଅନେକ କିଛି ବି କରିବାକୁ ପଡ଼େ । ଧରନ୍ତୁ ମୋ ବଡ଼ ଶୋଇବା ବାକ୍ସଟି ତାକୁ ସଫା କରାହେଲେ ମୋ ପାଇଁ ଅନେକ ଆରାମ ଦାୟକ ହୁଅନ୍ତା । କିନ୍ତୁ କେବେ ସେ ତାହା କରେ ନାହିଁ । ଏପରିକି ସେଠାରୁ କୁଟାଟିଏ ମଧ୍ୟ ଉଠାଇ ଦିଏ ନାହିଁ । ଖାଦ୍ୟ ସେଠି ପଡ଼ି ଓ ସଢ଼ି ତହିଁରୁ ଦୁର୍ଗନ୍ଧ ହୁଏ । ସେ ଗନ୍ଧରେ ମୋର ଆଖି ପୋଡ଼େ, ଭଲ ଭୋକ ମଧ୍ୟ କରେ ନାହିଁ ।

 

ଦିନେ ମାଲିକ ଘୋଡ଼ାଶାଳକୁ ଆସି କହିଲେ ‘‘ଆଲ୍‌ଫ୍ରେଡ଼ ଏତେ ଦୁର୍ଗନ୍ଧ ହେଉଛି କାହିଁକି ? ଷ୍ଟଲକୁ ଭଲ କରି ସଫା କରୁନ ନା କଣ ? ଖୁବ୍ ପାଣି ଦେଇ ଧୋଉଛ ତ ?’’ ଟୋପି ଛୁଇଁ ସେ ଉତ୍ତର ଦେଲା ‘‘ଠିକ୍‌ ଅଛି ଆଜ୍ଞା ଆପଣ ଯଦି କହୁଛନ୍ତି ମୁଁ ନିଶ୍ଚୟ କରିବି । କିନ୍ତୁ ସାର୍‌ ଏହା ଘୋଡ଼ାଙ୍କ ପାଇଁ ବିପଦ ପୂର୍ଣ୍ଣ । ତାଙ୍କ ବାକ୍ସରେ ଗୁଡ଼ାଏ ପାଣି ଢାଳିଲେ ତ ତାଙ୍କୁ ନିଶ୍ଚୟ ଥଣ୍ଡା ଲାଗିବ । ଏମିତି ସେମାନଙ୍କୁ ଭୋଗେଇବାକୁ ମତେ ଭଲ ତ କେବେ ବି ଲାଗିବ ନି । ମାତ୍ର ଆପଣ ଯଦି ଆଦେଶ ଦେବେ ତେବେ ତ ମୁଁ ନିଶ୍ଚୟ ସେୟା କରିବି ।’’ ମାଲିକ କହିଲେ ‘‘ଘୋଡ଼ାକୁ ଥଣ୍ଡା ହେବାଟା ମୁଁ ନିଶ୍ଚୟ ଚାହେଁ ନି, କିନ୍ତୁ ଏମିତି ଦୁର୍ଗନ୍ଧ ବି ମତେ ଭଲ ଲାଗୁନି, ଆଚ୍ଛା ଏଠା ନଳାଗୁଡାକ ଠିକ୍‌ ଅଛି ତ ?’’

 

‘‘ଆପଣ ଠିକ୍‌ କହିଛନ୍ତି । ମତେ ମଧ୍ୟ ମନେ ହେଉଛି ନଳାରୁ ବେଳେବେଳେ ଗନ୍ଧ ଆସୁଛି । ସେଠି ବୋଧହୁଏ କିଛି ସଢ଼ିଛି ।

 

‘‘ତେବେ ଜମାଦାର ଡାକି ଦେଖାଅ ।’’

‘‘ଆଜ୍ଞା ସାର୍‌ ସେୟା କରିବି ।’’

 

ଇଟା ତିଆରିବାଲା ଆସି ଅନେକଗୁଡାଏ ଇଟା କାଢ଼ିବା ସତ୍ତ୍ଵେ ବି କିଛି ପଚାସଢ଼ା ପାଇଲା ନି । ଟିକେ ଚୂନ ପକେଇ ଦେଇ ମାଲିକଙ୍କଠାରୁ ପାଞ୍ଚ ଶିଲିଂ ଚାର୍ଜ କରି ନେଇଥିଲା । ମାତ୍ର ଗନ୍ଧଟି ଠିକ୍‌ ଆଗପରି ହିଁ ରହିଲା । କେବଳ ସେତିକି ନୁହେଁ । ସବୁବେଳେ ଓଦା କୁଟା ଉପରେ ଠିଆ ହୋଇ ମୋର ପାଦ ଦରଜ ଓ ନରମ ହୋଇ ଯିବାରୁ ମତେ ଚାଲିବାକୁ ମଧ୍ୟ କଷ୍ଟ ହେଉଥିଲା-

 

ମାଲିକ ପ୍ରାୟ କୁହନ୍ତି ‘‘ଏ ଘୋଡ଼ାଟାର ଯେ କଣ ହୋଇଛି ମୋଟେ ବୁଝାଯାଉନି । ଏତେ ଥରି ଥରି ଚାଲୁଛି ଯେ ମୋର ଭୟ ହେଉଛି ସେ କେତେବେଳେ ପଡ଼ିଯିବ’’ ।

 

ଆଲ୍‌ଫ୍ରେଡ ଉତ୍ତର ଦିଏ ‘‘ହଁ ଆଜ୍ଞା ମୁଁ ବି ତାକୁ ଚଲେଇଲା ବେଳେ ସେୟା ଲକ୍ଷ୍ୟ କରିଛି’’ ।

 

ପ୍ରକୃତରେ କିନ୍ତୁ ସେ ମତେ କ୍ଵଚିତ୍‌ ଚଲେଇବାକୁ ବାହାରକୁ ନେଉଥିଲା । ମାଲିକ କାର୍ଯ୍ୟବ୍ୟସ୍ତ ଥିଲାବେଳେ ମୁଁ ପ୍ରାୟ ଗୋଡ଼ ଟିକେ ମେଲା ହଲା କରିବାକୁ ପାଉ ନଥିଲି । ଦିନ ଦିନ ଧରି ଠିଆ ହୋଇ ରହୁଥିଲି, ମାତ୍ର ମୋର ଖାଦ୍ୟ ସେତେବେଳେ ବି ପରିଶ୍ରମ କରିବା ଦିନମାନଙ୍କ ପରି ଦିଆଯାଉଥିଲା । ଫଳର ପ୍ରାୟ ମୁଁ ଅସୁସ୍ଥ ରହୁଥିଲି । ବେଳେବେଳେ ପେଟ ଭାରି, ଅଳସ, ଅସ୍ଥିର ଓ ଜରୁଆଜରୁଆ। ଲାଗେ । ସେ ମତେ ମୋ ଦେହ ଥଣ୍ଡା ରଖିବା ପାଇଁ ଗ୍ରୀନ୍‌ ମିଟ୍‌, ଚଷୁଗୁଣ୍ଡ ଆଦି ଦିଏ ନାହିଁ କାରଣ ଘୋଡ଼ାଙ୍କ ଯତ୍ନ ବିଷୟରେ ତାର କିଛି ବି ଜ୍ଞାନ ନଥିଲା । ଯେମିତି ଅଜ୍ଞ ସେମିତି ଠକ । ତାଛଡ଼ା କାମ କରେଇ ବା ଖାଦ୍ୟ ପରିବର୍ତ୍ତନ କରି ସୁସ୍ଥ କରିବା ବଦଳରେ ବଟିକା ଓ ଔଷଧ ଖୁଆଉଥିଲା । ମୋ ପାଟିରେ ତାହା ଢାଳି ପିଆଇବାର ଅସ୍ଵସ୍ତି ପାଇଁ ଅସୁସ୍ଥ ପରି ମୋର ମନେ ହେଉଥିଲା ।

 

ଦିନେ ମୋ ପାଦଗୁଡ଼ିକ ଖୁବ୍‌ ଦରଜ ହୋଇଥାଏ । ମାଲିକଙ୍କୁ ପିଠିରେ ନେଇ ଚାଲିଲାବେଳେ କିଛି ପଥର ଲାଗି ଥରି ଥରି ମୁଁ ପ୍ରାୟ ଦୁଇଥର ପଡ଼ି ଯାଇଥିଲି । ସେତେବେଳେ ମାଲିକ ସହରକୁ ଯାଉଥିବାରୁ ମତେ ସଙ୍ଗେ ସଙ୍ଗେ ଅଶ୍ୱ ଚିକିତ୍ସକୁ ନିକଟକୁ ନେଲେ । ଡାକ୍ଟର ମୋ ପାଦକୁ ଗୋଟି ଗୋଟି କରି ପରୀକ୍ଷା କରି ସାରି ଠିଆ ହୋଇ ମାଲିକଙ୍କୁ କହିଲେ ତୁମ ଘୋଡ଼ାର ଗୋଡ଼ରେ ଖୁବ ସାଂଘାତିକ ଧରଣର ଘାଆ ହୋଇଛି । ସୌଭାଗ୍ୟର କଥା ଯେ ସେ ଶଯ୍ୟାଶାୟୀ ହୋଇ ନାହିଁ, ତୁମ ସଇସ ଏହା ଆଗରୁ କେମିତି ଦେଖିଲା ନି ଭାବିଲେ ମତେ ଆଶ୍ଚର୍ଯ୍ୟ ଲାଗୁଛି । ଏ ପ୍ରକାର ଇନ୍‌ଫେକ୍‌ସନ ଆମେ ଅପରିଷାର ଦୁର୍ଗନ୍ଧ ଘୋଡ଼ାଶାଳରେ ହିଁ ଦେଖୁ । ଠିକ୍ ଭାବେ ପରିଷ୍କାର ନ କରାଯିବାରୁ ଏପରି ହୁଏ । ଏ ଘୋଡ଼ାକୁ କାଲି ମୋ ନିକଟକୁ ପଠାଇଲେ ମୁଁ ତା ପାଦର ଚିକିତ୍ସା କରିବି, ସଇସକୁ ମଧ୍ୟ ବତାଇ ଦେବି ଯେ ମଲମକୁ ସେ କେମିତି ଘୋଡ଼ା ପାଦରେ ଲଗାଇବ ।

 

ତାପରଦିନ ମୋ ପାଦ ଭଲ ଭାବେ ପରିଷ୍କାର କରାଗଲା ଏବଂ ଔଷଧ ବୁଡ଼ା ହୋଇ ତୁଳା ଆଙ୍ଗୁଠିମାନଙ୍କ ମଧ୍ୟରେ ଭର୍ତ୍ତି ହେଲା । ମତେ ଭାରି ବିରକ୍ତ ଲାଗୁଥାଏ ।

 

ଡାକ୍ତର ବକ୍ସରୁ ସମସ୍ତ ଜିନିଶ କାଢ଼ି ତା ଚଟାଣ ଏକଦମ୍‌ ସଫା ରଖିବାର ନିର୍ଦ୍ଦେଶ ଦେଲେ । ଚିକିତ୍ସା ପରେ ମୁଁ ଶୀଘ୍ର ମୋର ବଳ ଫେରିପାଇଲି । କିନ୍ତୁ ଶ୍ରୀଯୁକ୍ତ ବେରୀ ଦୁଇ ଦୁଇ ଥର ପ୍ରତାରିତ ହୋଇ ଏତେ ଉତ୍‌କ୍ଷିପ୍ତ ହୋଇ ଯାଇଥିଲେ ଯେ ଆଉ ନିଜେ ଘୋଡ଼ା ନ ରଖି ଭଡ଼ାରେ ଆଣି ଘୋଡ଼ା ଚଢ଼ିବା ସ୍ଥିର କଲେ । ତେଣୁ ମୋର ପାଦ ଭଲ ହୋଇ ସାରିବାପରେ ପୁଣି ଥରେ ବିକ୍ରି ହେଲି ।

•••

 

 

 

 

 

 

 

 

 

 

 

 

ତୃତୀୟ ଭାଗ

 

ଅଶ୍ୱମେଳା

 

ଅଶ୍ଵମେଳାରେ ବୁଲି ଦେଖିବାରେ ଯେ ଆନନ୍ଦ ଅଛି ଏଥିରେ ସନ୍ଦେହ ନାହିଁ । ତେବେ ଆନନ୍ଦ ସେଇମାନଙ୍କ ପାଇଁ ଯେଉଁମାନଙ୍କୁ ଏଥିରେ କିଛି ହରାଇବାକୁ ପଡ଼ି ନଥାଏ ।

 

ଏଠି ଅନେକ ପ୍ରକାରର ଘୋଡ଼ା ଯଥା: ସାଧାରଣ ଘୋଡ଼ା, ତଟୁ ଘୋଡ଼ା, ଓ୍ୱେଲ୍‌ସର ଘୋଡ଼ା, ମେରିଲେଗ୍‌ସ ପରି ଛୋଟ ଘୋଡ଼ା, ଗାଡ଼ିଟଣା ଘୋଡ଼ା ଆଦି ଦେଖାଯାଏ ଭିନ୍ନ ଭିନ୍ନ ରଙ୍ଗର, ଭିନ୍ନ ଭିନ୍ନ ଜାତିର, ଭିନ୍ନ ଭିନ୍ନ ସାଜସଜାରେ ଲମ୍ବା ଧାଡ଼ି ଧାଡ଼ି ହୋଇ ଘୋଡ଼ାମାନେ ଥାଆନ୍ତି । କାହାର ଲମ୍ବା ଲାଞ୍ଜରେ ବେଣୀ, କାହାର ବା ରିବନ ବନ୍ଧା, କିଏ ମୋ ପରି ସୁନ୍ଦର ଏବଂ ଉଚ୍ଚ ବଂଶଜାତ ହେଲେ ବି ଦୁର୍ଭାଗ୍ୟବଶତଃ ରୋଗରେ ଅବା ଦୁର୍ଘଟଣାରେ ଅପାହିଜ । ଅନେକ ଯୁବା ଘୋଡ଼ା ଯେଉଁମାନେ ସବୁ କାମ ପାଇଁ ସକ୍ଷମ ଏବଂ ତାଙ୍କୁ ଗୋଡ଼ ହଲେଇ ବଡ଼ ବଡ଼ ପାହୁଣ୍ଡ ପକାଇ ଚାଲିବା ମଧ୍ୟ ଦେଖାଯାଏ । ସେମାନଙ୍କ ଲଗାମ ଧରି ସଇସ ବି ପାଶେ ପାଶେ ଚାଲିଥାଏ କିନ୍ତୁ ଏ ସହର ଅନ୍ତରାଳରେ ଅନେକ ଘୋଡ଼ା ବି ଥାଆନ୍ତି ଯେଉଁମାନେ ଅତ୍ୟଧିକ ଖଟଣି ଯୋଗୁଁ ଦୁର୍ବଳ, ଚାଲିଲାବେଳେ ଗୋଡ଼ ଥରେ । ଏହା ବ୍ୟତୀତ ବି ଅତ୍ୟଧିକ ରୁଗ୍‌ଣ ଘୋଡ଼ା ମଧ୍ୟ ଥାଆନ୍ତି-। ସେମାନଙ୍କ ଗତିବିଧିରୁ ମନେହୁଏ ସତେ ଯେମିତି ସେମାନେ ଜୀବନପ୍ରତି ନିସ୍କୃହ, ହତାଶ । କେତକ ଏତେ ପତଳା ଯେ ତାଙ୍କ ହାଡ଼ ଦେଖାଯାଉଥାଏ । ଏ ସବୁ ଦୃଶ୍ୟ କୌଣସି ଘୋଡ଼ାକୁ ଦେଖିବାକୁ ଭଲ ଲାଗେ ନାହିଁ-କିଏ ଜାଣେ ଯେ କାଲି ତାର ବି ଏପରି ଅବସ୍ଥା ନ ହେବ-

 

ଏଠାରେ ଖୁବ୍‌ ମୂଲଚାଲ ହୁଏ । ଦାମ ବଢ଼େ, ପୁଣି କମେ । ଯଦି ଘୋଡ଼ାଙ୍କର କହିବା ଶକ୍ତି ଥାଆନ୍ତା ଏ କଥା ମୁଁ ନିଶ୍ଚିତ ରୂପେ କହିପାରନ୍ତି ଯେ ଏଇ ମୂଲଚାଲ ମଧ୍ୟରେ ଅନେକ ମିଛକୁହା ଠକାଠକି ଚାଲେ । ଘୋଡ଼ା ନିଜେ ଯାହା ବୁଝେ ଜଣେ ଚାଲାକ ଲୋକ ବି ବୁଝିପାରିବ ନାହିଁ । ମତେ ଦୁଇତିନିଟା କାର୍ଯ୍ୟକ୍ଷମ ଘୋଡ଼ାଙ୍କ ମଧ୍ୟରେ

 

ରଖାଯାଇଥାଏ ଏବଂ ଅନେକ କିଣାଳି ଆମକୁ ଦେଖିବାକୁ ଆସୁଥାଆନ୍ତି । ମୋ ଭଙ୍ଗା ଆଣ୍ଠୁ ଦେଖିବାମାତ୍ରେ ଭଦ୍ର ଲୋକମାନେ ଦୂରେଇ ଯାଉଥାଆନ୍ତି, ଯଦି ବି ମତେ ମେଳାକୁ ନେଇଥିବା ଲୋକଟି ବାରବାର ଗୁହାଳରେ ପଡ଼ିଯାଇ ମୋର ଏମିତି ଟିକେ ହୋଇଯାଇଛି ବୋଲି କହୁଥାଏ ।

 

ସେମାନଙ୍କ ଦେଖିବା ପ୍ରଣାଳୀ ଏଇ ପ୍ରକାର-ପ୍ରଥମେ ମୋ ପାଟି, ତାପରେ ଆଖି, ତାପରେ ଗୋଡ଼ରୁ ମୁଣ୍ଡ ଯାଏ । ତାପରେ ସାରା ଦେହ ହାତ ବୁଲେଇ ବୁଲେଇ ଅନୁଭବ, ତାପରେ ମୋ ଚାଲି ଆଦି ପରୀକ୍ଷା କରୁଥାନ୍ତି । ମୋ ଦେହରେ ଚମଡ଼ା ନା ମାଂସ ଅର୍ଥାତ୍‌ ମୋ ସ୍ଵାସ୍ଥ୍ୟ ମଧ୍ୟ ଲକ୍ଷ୍ୟ କରୁଥାଆନ୍ତି । ଏଇ ପରୀକ୍ଷା ନିରୀକ୍ଷାର ପ୍ରଣାଳୀ ମଧ୍ୟ ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ଭାବେ କରୁଥାନ୍ତି । କେତେକ ରୁକ୍ଷ ଭାବେ-ସତେ ଅବା ମୁଁ ଜୀବନ୍ତ ନୁହେଁ କାଠ ଖଣ୍ଡ, ଆଉ କେତେକ ମଧୁର ଭାବେ ଆଉଁସି ଆଉଁସି କଥା କହି କହି ପରୀକ୍ଷା କରୁଥାନ୍ତି । କ୍ରେତାମାନଙ୍କର ଏଇ ପରୀକ୍ଷା ପ୍ରଣାଳୀରୁ ମୁଁ କିଏ କେମିତି ଲୋକ ବୁଝି ପାରୁଥାଏ ।

 

ଏଇପରି ଜଣକ ବ୍ୟବହାରରୁ ମୁଁ ବୁଝିପାରିଲି ଯେ ସିଏ ମତେ କିଣିଲେ ମୁଁ ଖୁସି ରହିବି-। ସେ ବଡ଼ଲୋକ ବି ନୁହନ୍ତି କି ଦେଖେଇ ହେବା ପ୍ରକୃତିର ବି ନୁହଁନ୍ତି । ଜଣେ ସାଧାରଣ ଭଲ ମଣିଷ ଓ ବେଶ୍‌ ଚଞ୍ଚଳ ମଧ୍ୟ । ମତେ ଯେପରି ଭାବେ ସେ ଦେଖାଦେଖି କଲେ, ମୁଁ ବୁଝିଲି ଯେ ସିଏ ଘୋଡ଼ାମାନଙ୍କ ହାବଭାବ ସହ ବେଶ୍‌ ପରିଚିତ । ତାଙ୍କର ଦୟାପୂର୍ଣ୍ଣ ଆଉ ହସ ହସ ଚାହାଣିରୁ ମତେ ସେମିତି ଲାଗିଲା, ହୁଏତ ଆଉ କାହାକୁ ଅଦ୍‌ଭୁତ ଲାଗିପାରେ-କିନ୍ତୁ ମୋ ଧାରଣାଟା ହିଁ ସତ-। ତାଙ୍କ ପରିଷ୍କାର ସତେଜ ଚେହେରା, ଟବାକୋ ବା ବିଅରର ଗନ୍ଧହୀନ ମୁହଁ ଦେଖି ମନେ ହେଲା ସତେ ଯେମିତି ସେ ପରିଷ୍କାର ଭାଡ଼ିରୁ ଓହ୍ଲାଇ ଆସିଛନ୍ତି । ମୋ ପାଇଁ ସେ ତେଇସି ପାଉଣ୍ଡ ଦେବେ ବୋଲି କହିବାରୁ ତାଙ୍କୁ ମନା କରାହେଲା ଏବଂ ସେ ଚାଲିଗଲେ । ମୁଁ ତାଙ୍କୁ ପଛରୁ ଚାଲିଯିବାର ଦେଖିଲି । ତାପରେ ଜଣେ ବଡ଼ପାଟିଆ କଡ଼ା ମିଜାଜର ଲୋକ ଆସିଲେ, କାଳେ ସେ ମତେ କିଣି ପକେଇବେ ଭାବି ମୁଁ ପ୍ରଚଣ୍ଡ ଭୟ ପାଇଲି । କିନ୍ତୁ ସେ ବି ଚାଲିଗଲେ । ତାପରେ ଯଦି ବି ଜଣେ କି ଦି ଜଣ ଆସିଲେ ସେମାନେ ବୋଧ ହୁଏ ସତରେ କିଣିବାକୁ ଆସି ନଥିଲେ । ତାପରେ ସେଇ ରୁକ୍ଷ ଲୋକଟି ପୁଣି ଆସି ତେଇଶି ପାଉଣ୍ଡରେ ମତେ କିଣିବ ବୋଲି କହିଲା । ମତେ ନେଇଥିବା ଲୋକ ହୁଏତ ଭାବିଲା ସେ ଅତି ବେଶି ଦାମ୍‌ ଚାହିଁଲେ ମୋର ବିକ୍ରି ହୋଇ ପାରିବ ନାହିଁ । ତଥାପି ତା ସହ ଖୁବ୍ ଦର କଷାକଷି ଚାଲିଲା । ଠିକ୍‌ ସେତିକି ବେଳେ ପୂର୍ବର ସେ ବୁଢ଼ା ଲୋକଟି ଆସିଲେ, ମୁଁ ତାଙ୍କ ଆଡକୁ ମୁଣ୍ଡ ବଢ଼ାଇ ଦେଲି ଓ ସେ ଗେହ୍ଲାରେ ମତେ ଆଉଁସିଲେ ।

 

‘‘ଆରେ ବୁଢ଼ା, ମୁଁ ତ ଦେଖୁଛି ଆମେ ଦୁହେଁ ଦୁହିଁଙ୍କୁ ବେଶ୍‌ ମାନିବୁ । ମୁଁ ୟା ପାଇଁ ଚବିଶ ପାଉଣ୍ଡ ଦେବି।’’ ସେ କହିଲେ ।

 

ପଚିଶି କୁହନ୍ତୁ-ସଙ୍ଗେ ସଙ୍ଗେ ଆପଣଙ୍କର ହେବ, ଚବିଶ ପାଉଣ୍ଡ ଦଶ ଶିଲିଂ ତାଠୁ ବେଶି ନୁହେଁ, ଛ ପେନ୍ସ ବି ନୁହେଁ, ‘‘ଆଚ୍ଛା’’ ସେଲ୍‌ସମ୍ୟାନ କହିଲା ‘‘ଆପଣ ବିଶ୍ଵାସ କରନ୍ତୁ ସେ ନିର୍ଭରଯୋଗ୍ୟ ଭଲ ଘୋଡ଼ାଟିଏ । ଦାମକୁ ଚାହିଁ ଆପଣ ଖୁବ୍ ଭଲ ପାଇଲେ ଗାଡ଼ି ଚଳେଇବାରେ ସେ ପଟୁ ।’’

 

ସଙ୍ଗେ ସଙ୍ଗେ ଟଙ୍କା ଦେଇ ଲଗାମ ଧରି ମତେ ନେଇ ସେ ଗୋଟାଏ ପାନ୍ଥଶାଳାକୁ ଗଲେ । ସେଠାରେ ହୁଦା ଓ ପୋଷାକ ଆଦି ପ୍ରସ୍ତୁତ ଥିଲା । ସେ ନିଜେ ପାଖରେ ଠିଆ ହୋଇ ମୋ ସହିତ କଥା କହି କହି ମତେ ଓଟ୍‌ସ ଖୁଆଇଲେ । ଅଧଘଣ୍ଟା ପରେ ଆମେ ଲଣ୍ଡନ ଅଭିମୁଖରେ ଯାତ୍ରା କଲୁ । ପ୍ରଥମେ ଛୋଟ ଓ ସରୁ ଗ୍ରାମ୍ୟ ରାସ୍ତା ମାନ ଦେଇ ତାପରେ ଲଣ୍ଡନର ବଡ଼ ରାସ୍ତାରେ ପହଞ୍ଚି ଗଲୁ । ଏଇ ବଡ଼ ରାସ୍ତାରେ ସିଧା ଚାଲି ଚାଲି ଆମେ ମୁହଁ ଅନ୍ଧାର ବେଳକୁ ଲଣ୍ଡନରେ ପହଞ୍ଚିଲୁ । ସେତେବେଳକୁ ରାସ୍ତାରେ ଆଲୁଅ ସବୁ ଜଳିଲାଣି । ସେଠି ଡାହାଣକୁ, ବାଁକୁ ଏବଂ ଗୋଟିଏ ରାସ୍ତା ଅନ୍ୟ ଆଡ଼କୁ କ୍ରସ କରି ମାଇଲ ମାଇଲ ଧରି ଲମ୍ବିଥାଏ । ମତେ ମନେ ହେଲା ଏ ରାସ୍ତା ବୋଧହୁଏ ଶେଷ ହେବ ନାହିଁ । ଶେଷରେ ଗୋଟାଏ ବାଟେ ଗଲାବେଳକୁ ଗୋଟାଏ ଗାଡ଼ି ଷ୍ଟାଣ୍ଡ୍ ପଡ଼ିଲା । ମୋ ମାଲିକ ଉଚ୍ଚ ସ୍ଵରେ ମଧୁର ଗଳାରେ କହିଲେ ‘‘ଶୁଭରାତ୍ରୀ ଗଭର୍ଣ୍ଣର ।’’ ‘‘ହାଲୋ ! ଭଲ ଘୋଡ଼ା ପାଇଲ ତ ?’’ କାହାର ଗଳା ଶୁଭିଲା ‘‘ତାର ପ୍ରାପ୍ତିରେ ତୁମେ ଭାଗ୍ୟବାନ ହୁଅ ।’’

 

‘‘ଧନ୍ୟବାଦ ଗଭର୍ଣ୍ଣର’’ ମୋ ମାଲିକ ଉତ୍ତର ଦେଲେ । ତାପରେ ସେ ମତେ ଚଳେଇଲେ । ଶୀଘ୍ର ଆମେ ଗୋଟେ ପଟର ଗଳିକୁ ଆସି ଅଧା ରାସ୍ତା ଯିବା ପରେ ଗୋଟାଏ ଖୁବ୍‌ ସଂକୀର୍ଣ୍ଣ ଗଳିରେ ପଶିଲୁ । ତାହାର ଗୋଟିଏ ପଟେ ବସ୍ତି । ଗରିବ କୋଚ୍‌ମ୍ୟାନମାନଙ୍କର ଘର ଏବଂ ଅପର ପଟେ ଗୁଡ଼ାଏ ଘୋଡ଼ାଶାଳ ।

 

ମୋ ମାଲିକ ଗୋଟାଏ ଘର ସାମନାରେ ରହି ହ୍ୱିସ୍‌ଲ ମାରିଲେ । ଦୁଆର ଖୋଲିଲା । ଜଣେ ଯୁବକ ପୁଅଟିଏ ଓ ଝିଅଟିଏ ଦୌଡ଼ି ଆସିଲେ, ମୋ ଚଢ଼ାଳି ଓହ୍ଲେଇ ପଡ଼ିଲେ । ସେମାନେ ତାଙ୍କୁ ଖୁବ୍‌ ମଧୁର ଓ ହାର୍ଦ୍ଦିକ ସ୍ଵାଗତ କଲେ ।

 

‘‘ଆରେ ହ୍ୟାରି ଯା ଗେଟ୍‌ ଖୋଲିଦେ । ଆଈ ମାଆ ଆମକୁ ଦେଖେଇବାକୁ ଲଣ୍ଠନ ନେଇ ଆସୁ ।’’

 

ପର ମୁହୂର୍ତ୍ତରେ ସେମାନେ ସମସ୍ତେ ଘୋଡ଼ାଶାଳ ଭିତରେ ମତେ ଘେରି କରି ଠିଆ ହେଲେ ।

‘‘ବାପା, ୟେ ଭଲ ତ ?’’

 

‘‘ହଁ ଡଲି । ଠିକ୍ ତୋ ବିଲେଇ ଛୁଆ ପରି ଶାନ୍ତ । ଆ ଆ ତାକୁ ଗେଲ କର । ସଙ୍ଗେ ସଙ୍ଗେ ଛୋଟ ହାତଟିଏ ମୋ କାନ୍ଧ ଯାକ ଆଉଁସିବାରେ ଲାଗିଲା । କି ଭଲ ଲାଗିଲା ।

 

ସେମାନଙ୍କ ମାଆ କହିଲେ ‘‘ମୁଁ ଯାଏଁ ତା ପାଇଁ ଚଷୁ ଆଣେ ଖୁଆଇବି । ତୁମେ ତାକୁ ସଫା କରୁଥାଅ ।

 

ହଁ ଯାଅ ପଲି । ତାର ଠିକ୍ ସେଇଟା ହିଁ ଏଇଲେ ଦରକାର । ଆଉ ମୁଁ ବି ଜାଣେ ଯେ ତୁମେ ମୋ ପାଇଁ ସେଟା ପ୍ରସ୍ତୁତ କରି ରଖିଥିବ ।

•••

 

ମୋର ନୂତନ ମାଲିକ

 

ମୋ ନୂଆ ମାଲିକଙ୍କ ନାମ ଜେରେମିଆ ବାର୍କର । କିନ୍ତୁ ସମସ୍ତେ ତାଙ୍କୁ ଜେରୀ ଡାକୁଥିବାରୁ ମୁ ମଧ୍ୟ ସେୟା କହିବି । ତାଙ୍କ ପତ୍ନୀ ପଲି ମଧ୍ୟ ତାଙ୍କ ପାଇଁ ଏକ ଉତ୍ତମ ଯୋଡି । ଜଣେ ଲୋକ ଯେତେ ଭଲ ପାଇପାରେ ପଲି ସେମିତିକା । ସେ ମୋଟାଳିଆ, ପରିଷ୍କାର ବାଙ୍ଗରା ଯୁବତୀଟିଏ । ତାର ନରମ କଳା କେଶ, କଳା ଆଖି ଦୁଇଟି, ଛୋଟ ହସ ହସ ପାଟିଟିଏ । ପୁଅଟି ପ୍ରାୟ ବାରବର୍ଷର ହେବ । ଡେଙ୍ଗା, ସରଳ, ଶାନ୍ତଶିଷ୍ଟ ପିଲାଟି । ଆଉ ଆଠବର୍ଷର ଝିଅ ଡରଥି (ଡାକ ନାଁ ଡଲି) ଠିକ୍‌ ତା ମାଆ ପରି । ସେମାନେ ଆଶ୍ଚର୍ଯ୍ୟଜନକ ଭାବେ ପରସ୍ପରର ପ୍ରିୟ। ମୁଁ ଏତେ ସୁଖୀ ପରିବାର ପୂର୍ବରୁ କେବେ ଦେଖି ନଥିଲି, ଆଉ ପରେ ବି ଦେଖି ନାହିଁ । ଜେରୀର ଗୋଟାଏ ଗାଡ଼ି ଓ ଦୁଇଟା ଘୋଡ଼ା ଥିଲେ । ସେ ନିଜେ ସେମାନଙ୍କର ସବୁ ଯତ୍ନ କରନ୍ତି । କ୍ୟାପ୍‌ଟେନ ଅର୍ଥାତ୍‌ ତାଙ୍କ ଅନ୍ୟ ଘୋଡ଼ାଟି ଡେଙ୍ଗା ଓ ହାଡ଼ୁଆ । ବର୍ତ୍ତମାନ ସେ ବୁଢ଼ା । ମାତ୍ର ବୟସ ଥିଲାବେଳେ ସେ ନିଶ୍ଚୟ ଏକ ଚମତ୍କାର ଘୋଡ଼ା ହୋଇଥିବ। ବର୍ତ୍ତମାନ ବି ତାର ମୁଣ୍ଡ ଉଚ୍ଚକରି ବେକ ବଙ୍କେଇ ଠିଆ ହେବା ଢ଼ଙ୍ଗରେ ଆଭିଜାତ୍ୟର ଚିହ୍ନ ରହିଛି । ସେ ତା ଯୌବନରେ କ୍ରିମିଆ ଯୁଦ୍ଧରେ ଭାଗ ନେଇଥିବା କଥା ମତେ କହିଥିଲା । ସ୍ଥଳଯୁଦ୍ଧରେ ଥିବା ଜଣେ ଅଫିସର ତାଙ୍କ ରେଜିମେଣ୍ଟକୁ ଆଗେଇ ନେଉଥିଲେ ତାହାରି ଉପରେ ଚଢ଼ି । ଏ ବିଷୟରେ ମୁଁ ପରେ ଆପଣଙ୍କୁ କହିବି ।

ପରଦିନ ସକାଳୁ ମୁଁ ପରିଷ୍କାର ହୋଇ ସାରିବା ପରେ ପଲି ଏବଂ ଡଲି ମୋ ପାଖରେ ଆସି ପହଞ୍ଚଲେ । ସେମାନେ ବନ୍ଧୁତା କରିବା ପାଇଁ ଆସିଥିଲେ । ସକାଳୁ ହ୍ୟାରି ତା ବାପାକୁ ସାହାଯ୍ୟ କରିବାରେ ଲାଗିଥାଏ । ତା ମତରେ ମୁଁ ଖୁବ୍‌ ଭଲ କାମ କରିପାରିବି । ମୋ ପାଇଁ ପଲି ଖଣ୍ଡେ ଆପେଲ୍‌ ଓ ଡଲି ପାଉଁରୁଟି ଆଣିଥିଲେ । ସେମାନଙ୍କର ମଧୁର ବ୍ୟବହାରରେ ମୋର କେବଳ ମନେ ହେଉଥିଲା ଯେ ମୁଁ ପୁରୁଣା ଦିନର ସେଇ ‘‘ବ୍ଲାକ୍‌ ବିଉଟି’’ ପୁଣିଥରେ ହୋଇ ଯାଇଛି-। ଆଉ ଥରେ ଗେହ୍ଲା ହେବାର ଅଳି, ଶାନ୍ତ ଭାବେ କଥା ଶୁଣିବା ପରି ମୁଁ ମଧ୍ୟ ଏପରି ହାବଭାବ ଦେଖାଉଥିଲି ଯେ ସତେ ଅବା ମୁଁ ସେମାନଙ୍କର ଅନେକ ‘‘ଦିନର ବନ୍ଧୁ । ପଲି ମତରେ ମୁଁ ଖୁବ୍‌ ସୁନ୍ଦର ଏବଂ ମୋ ଆଣ୍ଠୁଟି ଭାଙ୍ଗିଯାଇ ନଥିଲେ ଗାଡ଼ିଟଣା ଘୋଡ଼ାମାନଙ୍କଠାରୁ ଅଧିକ ଆଭିଜାତ୍ୟ ସଂପନ୍ନ ଦେଖାଯାଉଥାନ୍ତି।

ଜେରୀ କହିଲା ‘‘ଅବଶ୍ୟ କାହା ଦୋଷରୁ ବିଚରାର ଏ ଅବସ୍ଥା ମୁଁ ତ ଜାଣିନି । ଏ ସନ୍ଦେହ ମୋର ସବୁବେଳ ପାଇଁ ରହିବ । କିନ୍ତୁ ଆଜି ପର୍ଯ୍ୟନ୍ତ ଏତେ ଦୃଢ଼, ପରିଷ୍କାର ସମାନ ପାହୁଣ୍ଡ ପକାଇ ଚାଲିବା ଘୋଡ଼ା ମୁଁ ଚଢ଼ି ନଥିଲି । ଆମେ ତାକୁ ଆମ ଆଗ ଘୋଡ଼ାଟିର ନାମ ଦେଇ ‘‘ଜ୍ୟାକ୍‌” ବୋଲି ଡାକିବା । ପଲି ଠିକ୍‌ ତ ? ‘‘ଡାକ-ମତେ ଏମିତି ନାଁଟିଏ ଭଲ ଲାଗେ ।’’ ପଲି ଉତ୍ତର ଦେଲା ।

ସକାଳସାରା କ୍ୟାପ୍‌ଟେନ ଗାଡ଼ି ଟାଣୁଥିଲା । ହ୍ୟାରି ସ୍କୁଲରୁ ଫେରି ମତେ ଖୁଆଇପିଆଇବାକୁ ଆସିଲା । ଉପରଓଳା ମତେ ଗାଡ଼ିରେ ଯୋଚିଲେ । ଯୋଚି ସାରିବାପରେ ମତେ ପୋଷାକ ଚେନ୍‌ ଆଦି ଠିକ୍‌ ଫିଟ୍‌ କରୁଛି କି ନାହିଁ ଜେରୀ ପରୀକ୍ଷା କଲା । ମୋର ମନ ହେଲା ସତେ ଅବା ସେ ଜନ୍‌ ମ୍ୟାନ୍‌ଲୀ । ବେକ ବନ୍ଧାଟାରେ ଗୋଟାଏ କି ଦୁଇଟା ଛିଦ୍ର ବାଦ୍ ଦେବାରୁ ତାହା ମତେ ଫିଟ ହେଲା । ଟଣା ଲଗାମ ନାହିଁ, ଚେନ୍ ବି ନାହଁ କେବଳ ସାଧା ଗୋଲ ରିଙ୍ଗ ମଧ୍ୟରେ ତୁଣ୍ଡି । ଆହା କି ମଜା ! ପାର୍ଶ୍ୱ ରାସ୍ତାରେ ଦୌଡ଼ି ଆମେ ଏକ ବଡ଼ ଗାଡ଼ିଷ୍ଟ୍ୟାଣ୍ଡରେ ପହଞ୍ଚିଲୁ, ଯେଉଁଠିକି ଜେରୀ ‘‘ଶୁଭରାତ୍ରୀ’’ କହିଥିଲା । ଏଇ ପ୍ରଶସ୍ତ ରାସ୍ତାର ଗୋଟିଏ ପଟେ ବଡ଼ ବଡ଼ ଘର ଓ ଦୋକାନ ଘରମାନ ଏବଂ ଅନ୍ୟ ପଟେ ଏକ ପୁରୁଣା ଚର୍ଚ୍ଚ, ଚର୍ଚ୍ଚର ଚାରିପଟ ଲୁହାବାଡ଼ରେ । ଘେରା । ସେ ବାଡ଼ ପାଖରେ ଗୁଡ଼ାଏ ଗାଡ଼ି ଭଡ଼ାନେବା ଚଢ଼ାଳିଙ୍କ ପାଇଁ ଅପେକ୍ଷା କରିଥାନ୍ତି । ତଳେ ଗୁଡ଼ାଏ କୁଟା ପଡ଼ିଥିଲା । କେତେ ଲୋକ ଏକାଠି ଠିଆ ହୋଇଥିଲେ, ଆଉ କେତେ ଜଣ ସିଟ୍‌ ଉପରେ ବସି ସମ୍ବାଦପତ୍ର ପଢୁଥିଲେ । ଜଣେ ଦିଜଣ ଘୋଡ଼ାମାନଙ୍କୁ କୁଟା ଖୁଆଉଥାଆନ୍ତି ବା ପାଣି ପିଆଉ ଥାନ୍ତି । ଆମେ ଶେଷଗାଡ଼ିଟିର ପଛକୁ ଯାଇ ଠିଆ ହେଲୁ । ଦୁଇ ତିନି ଜଣ ଆସି ମତେ ଦେଖିଦେଇ ମତ ବ୍ୟକ୍ତ କଲେ ‘‘ଫ୍ୟୁନେରାଲ ପାଇଁ ବେଶ୍‌ ଭଲ ।’’ ଅନ୍ୟ ଜଣେ କହିଲା ଖୁବ୍‌ ବୁଦ୍ଧିମାନ, ତାପରେ ମୁଣ୍ଡ ହଲାଇ ପୁଣି କହିଲା ‘‘ଦିନେ ହଠାତ୍ ସକାଳେ ତୁମେ ଦେଖିବ ତାର କିଛି ଦୋଷ ଅଛି, ନଥିଲେ ମୋ ନାଁ ଜୋନ୍‌ସ ନୁହେଁ ।

‘‘ଆହା’’ ଜେରୀ ଖୁସିରେ କହିଲା ‘‘ମୁଁ ଭାବୁଛି ତା ଦୋଷ ମୋର ଜାଣିବା ପୂର୍ବରୁ ସେ ମୋ ଦୋଷ ଜାଣୁ । ଆଉ ତା ହେଲେ ବି ମୁଁ ମୋ ମୁଡ଼୍ ଭଲ ରଖିବି ।

ଏହାପରେ ଜଣେ ବଡ଼ ମୁହଁଥିବା ଲୋକ ପହଞ୍ଚିଲା । ଦେହରେ ମାଟିଆ ରଙ୍ଗ କୋଟ, ମାଟିଆ କେପ, ବଡ଼ ବଡ଼ ଧଳା ବୋତାମ, ମାଟିଆ ଟୋପି ଏବଂ ଢିଲା କରି ମଫଲରଟିଏ ବେକରେ ଗୁଡ଼ା ହୋଇଥିଲା । ତା କେଶ ବି ଧଳା, କିନ୍ତୁ ସେ ଭାରି ଖୁସିବାସିଆ ଜଣା ପଡ଼ୁଥିଲା । ସେ ମତେ ଭଲ କରି ଦେଖିଗଲା, ସତେ ଅବା ମତେ କିଣିବ । ତାପରେ ଟିକେ ସିଧା ହୋଇ କହିଲା ‘ଜେରୀ ତୋ ପାଇଁ ଘୋଡ଼ାଟି ଏକଦମ୍‌ ଉପଯୁକ୍ତ । କେତେ ଟଙ୍କାରେ କିଣିଲୁ ତା ତ ମୁଁ ଜାଣିନି । କିନ୍ତୁ ଯେତେ ଦେଇଥିଲେ ମଧ୍ୟ ୟାର ମୂଲ୍ୟ ଅନେକ ।’’

ଏହି ଭାବରେ ମୋର ଚରିତ୍ରର ଶୁଦ୍ଧତା ଷ୍ଟ୍ୟାଣ୍ଡରେ ହିଁ ପ୍ରମାଣିତ ହୋଇଗଲା ।

ସେ ଭଦ୍ରଲୋକଙ୍କ ନାମ ଗ୍ରାଣ୍ଟ, କିନ୍ତୁ ସମସ୍ତେ ତାଙ୍କୁ ଗ୍ରେ ଗ୍ରାଣ୍ଟ ନାମରେ ଅଥବା ଗଭର୍ଣ୍ଣର ଗ୍ରାଣ୍ଟ ନାମରେ ଡାକନ୍ତି । ସେ ଏଇ ପଦରେ ସବୁଠାରୁ ପୁରୁଣା । ଗୋଳମାଳ ବା କଳିକଜିଆ ହେଲେ ସେ ତାହା ବନ୍ଦ କରି ନ୍ୟାୟ କରନ୍ତି । ସେ ବିଜ୍ଞ ଲୋକ, ସବୁବେଳେ ପ୍ରଫୁଲ୍ଲ ଓ ଭଦ୍ର । ସାଧାରଣତଃ ଖୁବ୍‌ ଶାନ୍ତ, ମାତ୍ର ଯଦି ରାଗିଯାନ୍ତି (ମାତାଲ ହେଲେ) ଏତେ ଜୋରରେ ସେ ବିଧା ମାରିବେ ଯେ ଡରରେ କେହି ବି ତାଙ୍କ ପାଖ ମାଡ଼ନ୍ତି ନି ।

ଗାଡ଼ିଟଣା ଘୋଡ଼ା ଭାବେ ପ୍ରଥମେ ସପ୍ତାହଟା ବେଶ୍‌ ହଇରାଣରେ କଟିଥିଲା । କାରଣ ଲଣ୍ଡନପରି ଜନଗହଳିର ଶଦ୍ଦ ଓ ଗୋଳମାଳ, ଜଲ୍‌ଦି ଜଲ୍‌ଦି ଦୌଡ଼ା ଦୌଡ଼ି, ଗଦା ଗଦା ଗାଡ଼ି, ଘୋଡ଼ାଗାଡ଼ି ଓ ଘୋଡ଼ା ଇତ୍ୟାଦିଙ୍କ ସମାଗମ ମଧ୍ୟରେ ମୁଁ ଆଗରୁ ଅଭ୍ୟସ୍ତ ନଥିଲି । ତେଣୁ ରାସ୍ତା ଦେଖି ଦୌଡ଼ିବା ପାଇଁ ମୁଁ ସବୁବେଳେ ବ୍ୟସ୍ତ ଓ ହଇରାଣ ହେଉଥିଲି । କିନ୍ତୁ ଖୁବ୍‌ ଶୀଘ୍ର ମୋ ଚାଳକଙ୍କ ପ୍ରବୀଣତା ବୁଝିପାରି ମୁଁ ନିଜକୁ ସହଜ କଲି ଓ ଅଭ୍ୟସ୍ତ ହେଲି । ମୁଁ ଆଗରୁ ଯେତେ ଚାଳକ ଦେଖିଥିଲି ଜେରୀ ସମସ୍ତଙ୍କଠାରୁ ଭଲ । ତେବେ ସବୁଠୁ ଭଲ ଗୁଣ ହେଲା ଯେ ସେ ନିଜ ପାଇଁ ଯେତିକି ଭାବେ, ଘୋଡ଼ାମାନଙ୍କ ପାଇଁ ମଧ୍ୟ ସେତିକି ଭାବେ । ସେ ବେଶ୍‌ ଶୀଘ୍ର ବୁଝିପାରିଲା ଯେ ମୋର କାମ କରିବାରେ ବେଶ୍‌ ଆଗ୍ରହ । ନିଜ ଶକ୍ତି ଅନୁଯାୟୀ ସର୍ବୋତ୍କୃଷ୍ଟ କାମ ମଧ୍ୟ କରେ । କେବେ ତେଣୁ ସେ ମତେ ଚାବୁକ ମାରେନି, ନିହାତି ଯିବାବେଳେ ଆସ୍ତେ କରି ଚାବୁକଟା ହଲେଇ ଦିଏ । ସାଧାରଣତଃ ତା ଲଗାମ ଧରିବା ଢଙ୍ଗରୁ ମୁଁ ଯିବାକଥା ବୁଝି ବି ପାରେ । ଆହୁରି ମଧ୍ୟ ବେଶି ସମୟ ଚାବୁକଟି ତା ହାତରେ ନଥାଇ ପାଖରେ ଥାଏ ।

ଖୁବ୍‌ ଅଳ୍ପ ସମୟ ମଧ୍ୟରେ ମାଲିକ ଏବଂ ମୁଁ ପରସ୍ପରକୁ ବୁଝିଗଲୁ, ଗୋଟିଏ ଘୋଡ଼ା ଓ ଜଣେ ମଣିଷ ଯେତେ ଦୂର ବୁଝିବା କଥା । ଆମ ସୁବିଧା ପାଇଁ ସେ ତାର ପାରୁପର୍ଯ୍ୟନ୍ତ ଯତ୍ନ କରେ-। ଆମ ଘୋଡ଼ାଶାଳ ଗୁଡ଼ାକ ପୁରୁଣା ଢ଼ଙ୍ଗର, ଗଡ଼ାଣିଆ । ତେଣୁ ସେ ଦୁଇଟା ବାର ଷ୍ଟଲ ପଛପଟରେ ରଖିଥାନ୍ତି । ଆମେ ଶୋଇବା ବା ବିଶ୍ରାମ କରିବା ବେଳକୁ ରାତିରେ ସେ ବାରଗୁଡାକ ଲଗେଇ ଦେଇ ଆମକୁ ପୂରା ମୁକ୍ତ କରି ଦିଅନ୍ତି ଏବଂ ଆମେ ଆରାମରେ ହାତ ଗୋଡ଼ ହଲେଇ ବିଶ୍ରାମ କରିପାରୁ । ସତରେ ଏ ପ୍ରକାର ବ୍ୟବସ୍ଥା ଆମ ପାଇଁ ଭାରି ଆରାମଦାୟକ ।

ଜେରୀ ଆମକୁ ଖୁବ୍‌ ପରିଷ୍କାର ରଖେ । ଯେତେଟା ସମ୍ଭବ ହୁଏ ଖାଦ୍ୟ ବି ଭିନ୍ନ ଭିନ୍ନ ପ୍ରକାର ଓ ପ୍ରଚୁର ପରିମାଣରେ ଖୁଆଏ । କେବଳ ସେତିକି ନୁହେଁ, ଗରମକାଳ ଛଡ଼ା ସବୁବେଳେ ପ୍ରଚୁର ନିର୍ମଳ ସଜ ପାଣି ଆମ ପାଖରେ ମହଜୁଦ ଥାଏ । କେତେକଙ୍କ ମତରେ ଘୋଡ଼ାମାନଙ୍କର ଏକାଥରକେ ଖୁବ୍‌ ବେଶି ପାଣି ପିଇବା ଉଚିତ୍‌ ନୁହେଁ । କିନ୍ତୁ ମୁଁ ଜାଣେ ଯେ ପାଣିଟା ପାଖରେ ରହିଥିଲେ ହିଁ ଆମେ ଅଳ୍ପ ଅଳ୍ପ କରି ବେଶି ଥର ପିଉ । ଆମ ପାଇଁ ଏକାବେଳେ ଅଧ ବାଲ୍‌ଟିଏ ପାଣି ପିଇବାଠାରୁ ଏମିତି ପିଇବାଟା ଅଧିକ ସ୍ଵାସ୍ଥ୍ୟକର, ଅଧିକ ଆରାମଦାୟକ । ପାଣି ପାଖରେ ନଥିଲେ ଆମେ ଏଇ କାରଣରୁ ବେଶି ପିଇଦେଉ କାରଣ ଯେତେବେଳେ ଶୋଷ ହେବ ଆଉ ମିଳିବନି ଓ ଶୋଷରେ କଷ୍ଟ ପାଇବୁ । କେତେକ ସଇସ ବିଅର ପିଇବା ପାଇଁ ଚାଲିଯାଇ ଆମକୁ ଘଣ୍ଟା ଘଣ୍ଟା ଧରି ଶୋଷରେ ପକେଇ ରଖନ୍ତି । ଶୁଖିଲା କୁଟା ଓ ଓଟ୍‌ସ ଖାଇବାକୁ ଥିଲେ ବି ଜିଭ ଓଦା ପାଇଁ କିଛି ନଥାଏ । ସେତେବେଳେ ବିକଳ ହୋଇ ବେଶି ଖାଦ୍ୟ ଗିଳୁ, ଯାହା ଫଳରେ କି ଆମ ପେଟ ଖରାପ ହୁଏ ଏବଂ ନିଶ୍ଵାସପ୍ରଶ୍ଵାସରେ କଷ୍ଟ ମଧ୍ୟ ହୁଏ । ଯାହା ବି ହେଉ ଏଠାରେ ଆସି ଅନେକ ସୁବିଧା ମଧ୍ୟରୁ ସବୁଠୁ ବଡ଼ ସୁବିଧା ହେଲା ରବିବାରଟି ଛୁଟି । ସାରା ସପ୍ତାହ ଖୁବ୍‌ କଠିନ ପରିଶ୍ରମ, ପରେ ଏଟା ଏକାନ୍ତ ଜରୁରୀ ନଚେତ୍ ଆମେ ଚଳିପାରନ୍ତୁ ନାହିଁ । ଆମେ ଏଇ ସମୟରେ ପରସ୍ପରର ସାନ୍ନିଧ୍ୟ ମଧ୍ୟ ପାଉ । ଏହି ବିଶ୍ରାମ ଦିନଗୁଡ଼ିକରେ ହିଁ ମୁଁ ମୋ ସାଥୀର ଜୀବନ ଇତିହାସ ଜାଣିଲି ।

•••

 

ଏକ ବୃଦ୍ଧ ଯୁଦ୍ଧ ଅଶ୍ୱର କାହାଣୀ

 

କ୍ୟାପଟେନ୍‌କୁ ପ୍ରଥମରୁ ହିଁ ଯୁଦ୍ଧ ଘୋଡ଼ାଭାବେ କାମ କରିବାର ଶିକ୍ଷା ଦିଆଯାଉ ଥିଲା-। ତାର ପ୍ରଥମ ମାଲିକ ଯୁଦ୍ଧରେ ଅଶ୍ଵାରୋହୀ ବାହିନୀର ଜଣେ ଅଫିସର । ସେ କ୍ରିମିଆ ଯୁଦ୍ଧରେ ମଧ୍ୟ ଭାଗ ନେଇଥିଲେ । କ୍ୟାପ୍‌ଟେନ କହେ ଯେ ସେ ଟ୍ରେନିଂ ନେବା ସମୟରେ ତାଙ୍କୁ ଭାରି ମଜା ଲାଗୁଥିଲା । ସମସ୍ତଙ୍କ ସହିତ ମାର୍ଚ୍ଚ କରିବା, ଏକାଠି ବାମ ଓ ଡାହାଣକୁ ଦିଗ ପରିବର୍ତ୍ତନ କରିବା, ନିର୍ଦ୍ଦେଶ ପାଇବା ମାତ୍ରେ ଠିଆ ହୋଇ ପଡ଼ିବା କିମ୍ବା ଟ୍ରମ୍ପେଟ ବାଜିବା ବା ଅଫିସରଙ୍କ ନିର୍ଦ୍ଦେଶ ମାତ୍ରେ ପବନ ବେଗରେ ଦୌଡ଼ିବାରେ ଭାରି ମଜା ଲାଗୁଥିଲା । ଯେତେବେଳେ ସେ ଛୋଟ ଥିଲା ଗାଢ଼ ମାଟିଆ ରଙ୍ଗର ଦେହ ଉପରେ ଗୋଲ ଗୋଲ ଡିଜାଇନ ହୋଇ ସେ ଭାରି ସୁନ୍ଦର ଥିଲା ବୋଲି ସମସ୍ତେ କହୁଥିଲେ । ତାର ଯୁବକ ମାଲିକ ଖୁବ୍‌ ମଜାଦାର ଭଦ୍ରଲୋକ । ସେ ତାଙ୍କର ଭାରି ପ୍ରିୟ ଥିଲା । ପ୍ରଥମରୁ ହିଁ ସେ ସହାନୁଭୂତି ସହ ତାକୁ ଭାରି ଯତ୍ନରେ ପାଳୁଥିଲେ । ସେ ମତେ କହିଲା ଯେ ପ୍ରଥମରୁ ଭାବିଥିଲା ଯୁଦ୍ଧ ଘୋଡ଼ାଙ୍କ ଜୀବନ ଭାରି ମଧୁର, କିନ୍ତୁ ଯେତେବେଳେ ସେ ବୁଡ଼ାଜାହଜ ଦ୍ଵାରା ସମୁଦ୍ରରେ ବିଦେଶ ପଠାଗଲା, ତାର ମତ ବଦଳି ଗଲା ।

 

କ୍ୟାପଟେନ୍‌ କହିଲା ‘‘ସେଇ ଭାଗଟା ଖୁବ୍ ଭୟଙ୍କର । ଅବଶ୍ୟ ଆମେ ତ ଆଉ ସ୍ଥଳରୁ ଜଳକୁ ଯାଇ ଜାହାଜରେ ଚଢ଼ିପାରି ନଥାଆନ୍ତୁ । ତେଣୁ ଜାହାଜକୁ ନେବା ପାଇଁ ଆମମାନଙ୍କୁ ଶକ୍ତ ଦଉଡ଼ିରେ ବନ୍ଧାଗଲା । ଆମେ ଯେତେ ଛଟପଟ ହେଉଥିଲେ ବି ଆମକୁ ଟେକି ଟେକି ଜାହାଜକୁ ନିଆଗଲା । ତାହା ପୁଣି ପାଣିରେ ଥିବା ଜାହାଜର ଡେକ୍‌ ଉପରକୁ ଫିଙ୍ଗି ଦେଇ । ଜାହାଜ ଭିତରେ ଆମମାନଙ୍କୁ ଯନ୍ତାପରି କୋଠରିରେ ରଖାଗଲା । ଅନେକ ଦିନ ପର୍ଯ୍ୟନ୍ତ ଗୋଡ଼ ହଲେଇ ମେଲେଇବା ବା ଆକାଶକୁ ଦେଖିପାରୁ ନଥିଲା । ବେଳେବେଳେ ପବନର ଅତ୍ୟଧିକ ବେଗ ପାଇଁ ଜାହାଜ ଜୋରରେ ହଲଚଲ ହେଉଥାଏ । ସେତେବେଳେ ଆମ ଦେହ ବାଡ଼େଇ ହୋଇ ମତେ ଭୟଭୀତ କରୁଥାଏ । ଅବଶେଷରେ ଯାତ୍ରା ଶେଷ ହେଲା । ଆମେ ପୁଣି ବୁହା ହୋଇ ସ୍ଥଳଭାଗକୁ ଆସିଲୁ । ମାଟିରେ ଆମ ପାଦ ପଡ଼ିବା ପରେ ଆମେ ଆନନ୍ଦରେ ହେଁ ହେଁ ଶବ୍ଦ କଲୁ ।

 

ଆମେ ଶୀଘ୍ର ଜାଣିପାରିଲୁ ଯେ ଆମେ ଆସି ପହଞ୍ଚିଥିବା ଦେଶଟି ଆମ ଦେଶଠାରୁ ଅନେକ ଭିନ୍ନ । ଲଢ଼େଇ ବ୍ୟତୀତ ଆମକୁ ଅନେକ ଆହୁରି କଷ୍ଟ ସହିବାକୁ ପଡ଼ିବ । ତେବେ ବହୁ ଯୋଦ୍ଧା ତାଙ୍କ ଘୋଡ଼ାମାନଙ୍କ ପାଇଁ ବେଶ୍‌ ସ୍ନେହଶୀଳ । ସେମାନେ ଘୋଡ଼ାଙ୍କ ଆରାମ ପାଇଁ ପାରୁପର୍ଯ୍ୟନ୍ତ ଯତ୍ନଶୀଳ ଥାଆନ୍ତି । ପ୍ରଚଣ୍ଡ ବରଫ ପାତ, ଓଦା ଏବଂ ଆହୁରି ଅନେକ ଅସୁବିଧା ସତ୍ତ୍ୱେ ମଧ୍ୟ ସେମାନେ ଘୋଡ଼ାଙ୍କ ଯତ୍ନ ନିଅନ୍ତି ।

 

‘‘କିନ୍ତୁ ଯେକୌଣସି କଷ୍ଟଠାରୁ ଯୁଦ୍ଧ ଅଧିକ କଷ୍ଟଦାୟକ ନୁହେଁ କି ?’’ ମୁଁ ପଚାରିଲି ।

 

ସେ ଉତ୍ତର ଦେଲା ‘‘କେଜାଣି ମୁଁ ଜାଣିନି । ତେବେ ଆମେ ଟ୍ରମ୍ପେଟ ଶହ ଶୁଣିଲେ ଡକାହେବା ପାଇଁ ଅଧିର ହୋଇ ପଡ଼ୁଥିଲା । କାରଣ ଏ ସବୁ ବହୁତ ଭଲ ଲାଗୁଥିଲା । ଯଦିଓ ବେଳେବେଳେ ନିର୍ଦ୍ଦେଶ ପାଇଁ ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡ଼ୁଥିଲା, କିନ୍ତୁ ନିର୍ଦ୍ଦେଶ ପାଇବା ମାତ୍ରେ ଆମେ ଆଗ୍ରହରେ ଖୁସିହୋଇ ଦୌଡ଼ୁଥିଲା, ସତେ ଅବା ଗୁଳିଫୁଟା ଶବ୍ଦଗୁଡ଼ାକ ନ ଥିଲା । ଯେପର୍ଯ୍ୟନ୍ତ ଆମ ଯୋଦ୍ଧା ଆମ ପିଠିରେ ଲଗାମଧରି ବସିଛନ୍ତି, ଆମ ଭିତରୁ କେହି ହେଲେ ଭୟଭୀତ ହେଉ ନଥିଲେ । ଏପରିକି ଯେତେବେଳେ ଭୟଙ୍କର ବମ୍‌ଫୁଟା ଶବ୍ଦରେ ଆକାଶ କମ୍ପିଯାଉଥିଲା ଏବଂ ତାହା ହଜାର ଖଣ୍ଡ ହୋଇ ପଡ଼ୁଥିଲା ସେତେବେଳେ ମଧ୍ୟ ଆମେ ଡରୁ ନଥିଲା ।

 

‘‘ମୁଁ ମୋର ବୀର ମାଲିକଙ୍କ ସହିତ ଅନେକ ଦୂର ଭିତରକୁ ଯାଇଛି, ମୋର କିଛି ବି କ୍ଷତି ହୋଇନି । ଅବଶ୍ୟ ମୁଁ ଘୋଡ଼ାଙ୍କ ଦେହରେ ବର୍ଚ୍ଛା, ଗୁଳିର, ବାୟୋନେଟ୍‌ର ଆଘାତ ପାଇବା ଦେଖିଛି ଏବଂ ଯୁଦ୍ଧକ୍ଷେତ୍ରରେ ମରି ପଡ଼ିଥିବାର ବା ମରଣାନ୍ତକ ଯନ୍ତ୍ରଣାରେ ଆର୍ତ୍ତନାଦ କରିବା ଘୋଡ଼ାକୁ ବି ଦେଖୁଛି-ମାତ୍ର ନିଜ ପାଇଁ ମୁଁ କେବେ ବି ଭୟ ପାଇନି । ଯେତେବେଳେ ମୋ ମାଲିକ ତାଙ୍କ ସୈନ୍ୟଦଳଙ୍କୁ ଉତ୍‌ଫୁଲ୍ଲ ସ୍ଵରରେ ସାହସ ଓ ଅଭୟ ଦିଅନ୍ତି, ମୋର ମନେହୁଏ ଯେ ସେ ଆଉ ମୁଁ କେବେ ବି ମରିବୁ ନାହିଁ । ତାଙ୍କ ଉପରେ ମୋର ଏପରି ବିଶ୍ଵାସ ଥିଲା ଯେ ସେ ବନ୍ଧୁକ ମୁହଁକୁ ମତେ ଯିବା ପାଇଁ ନିର୍ଦ୍ଦେଶ ଦେଲେ ବି ମୁଁ ମାଡ଼ି ଯିବାପାଇଁ ପ୍ରସ୍ତୁତ ଥାଏ । ଅନେକ ସାହସୀ ବୀରଙ୍କୁ ମୃତ ହେବା ବା ଘୋଡ଼ା ପିଠିରୁ ପଡ଼ିଯାଇ ଅପାହିଜ ହେବା ତ ମୁଁ ଆଖିରେ ଦେଖୁଛି । ମୃତ୍ୟୁକାଳୀନ ବିକଳ ଯନ୍ତ୍ରଣା ମଧ୍ୟ ଶୁଣିଛି, ରକ୍ତଭିଜା ଖସଡ଼ା ରାସ୍ତାରେ ବି ଚାଲିଛି । ପ୍ରାୟ ସମୟ ମଣିଷ ବା ହାତୀଙ୍କ ଉପରେ ପାଦ ନ ପକେଇ ଚାଲିବାର ଚେଷ୍ଟା ମଧ୍ୟ କରିଛି । କିନ୍ତୁ ଦିନେ ଗୋଟିଏ ଘଟଣା ଘଟିଲା । ତାହା ଏତେ ଭୟଙ୍କର ଯେ ମୋ ପରି କେବେ ଭୟ ନ ପାଇଥିବା ପଶୁ ବି ତାହା ଭୁଲିପାରିଲା ନାହିଁ ।’’

 

ଏତିକି କହି କ୍ୟାପଟେନ୍ ଟିକେ ରହି ଲମ୍ବା ନିଶ୍ଵାସ ନେଲା । ମୁଁ ଚୁପ୍‌ ଥିଲି । ତାପରେ ସେ ପୁଣି ଆରମ୍ଭ କଲା-

 

ସେଦିନ ଶରତର ଗୋଟିଏ ସକାଳ । ସବୁବେଳ ପରି ଭୋର ହେବାର ଘଣ୍ଟାଏ ଆଗରୁ ଆମ ସୈନ୍ୟଦଳ ଦିନର କାମ ପାଇଁ ପ୍ରସ୍ତୁତ ହେଲେ । ଯୁଦ୍ଧ ପାଇଁ ହେଉ ବା ଅପେକ୍ଷା କରିବା ପାଇଁ ହେଉ, କିନ୍ତୁ ସେମାନେ ତାଙ୍କ ନିଜ ନିଜ ଘୋଡ଼ା ପାଖରେ ହିଁ ରହିଲେ । ଦିନ ଯେତିକି ଯେତିକି ବଢ଼ିଲା ଅଫିସରମାନଙ୍କ ମଧ୍ୟରେ ସେତିକି ସେତିକି ଉଦ୍‌ବିଗ୍ନତା ବଢ଼ୁଥିଲା ଏବଂ ଠିକ୍‌ ସକାଳ ହେବା ପୂର୍ବରୁ ଶତ୍ରୁପକ୍ଷର ବନ୍ଧୁକରୁ ଗୁଳି ଫୁଟିବାର ଶବ୍ଦ ଶୁଣାଗଲା । ଏହାପରେ ଜଣେ ଅଫିସର ଘୋଡ଼ା ଉପରେ ବସି ସମସ୍ତଙ୍କୁ ପ୍ରସ୍ତୁତ ରହିବାର ନିର୍ଦ୍ଦେଶ ଦେଲେ ଏବଂ ଗୋଟିଏ ମୁହୂର୍ତ୍ତରେ ସମସ୍ତେ ପ୍ରସ୍ତୁତ ହେଲେ । ଆଉ ଘୋଡ଼ାମାନେ ମଧ୍ୟ ଲଗାମ ଟଣା ବା ଗୋଡ଼ ଚାପାପାଇଁ ଅପେକ୍ଷା କରି ରହିଲେ । ଆମେ ସବୁ ଏତେ ଭଲ ଭାବରେ ପ୍ରଶିକ୍ଷଣ ପାଇଥିଲୁ ଯେ ସମୟ ସମୟରେ ତୁଣ୍ଡି ଓ ମୁଣ୍ଡ ହଲେଇବା ବ୍ୟତୀତ ଆଉ କିଛି କରୁ ନଥିଲୁ । କେହି ବି ଆମେ ଇତସ୍ତତଃ ହେଉଥିବାର କହିପାରିବ ନାହିଁ ।

 

ଧାଡ଼ିର ସବୁଠୁ ପ୍ରଥମେ ମୁଁ ଆଉ ମୋର ପ୍ରିୟ ମାଲିକ ଥିଲୁ । ସମସ୍ତେ ସତର୍କ ହୋଇ ସ୍ଥିର ରହିଥାନ୍ତି । ମୋ ଦାଢ଼ିରୁ କିଛି କେଶ ଓଲଟା ପଟକୁ ପଡ଼ି ଯାଇଥିବାରୁ ସେ ତାକୁ ସଜାଡ଼ି ଓ ମୋର ବେକକୁ ଆଉଁସି କହିଲେ ‘‘ଆଜି ଆମର ପରୀକ୍ଷାର ଦିନ ବୟାର୍ଡ, ମୋ ସୌନ୍ଦର୍ଯ୍ୟ କିନ୍ତୁ ଆମେ ଅତୀତରେ ଯେମିତି ସୁଚାରୁରୂପେ ଆମର କର୍ତ୍ତବ୍ୟ କରିଆସିଛୁ ଠିକ୍‌ ସେଇପରି କରିବା । ସେଦିନ ସେ ମତେ ଯେତେ ଆଦର କରିଥିଲେ, ଆଗରୁ କେବେ କରି ନଥିଲେ । ଚିନ୍ତାଗ୍ରସ୍ତ ଥିବା ଭଳି ସେ ଚୁପ୍‌ଚାପ୍‌ ଚାଲିଥାନ୍ତି । ତାଙ୍କ ଆଉଁସା ମତେ ଭାରି ଭଲ ଲାଗୁଥାଏ । ଆନନ୍ଦ ଓ ଗର୍ବରେ ଛାତି ଫୁଲେଇ ମୁଁ ଠିଆ ହୋଇଥାଏ। କିନ୍ତୁ ମୁଁ ସ୍ଥାଣୁ ପାଲଟି ଯାଇଥିଲି, ଯେହେତୁ ମୁଁ ତାଙ୍କ ମତିଗତି ବୁଝିପାରେ । ସେ କେତେବେଳେ ମତେ ନୀରବ ଓ କେତେବେଳେ ମତେ ଖୁସିରେ ଡିଆଁଡେଇଁ କରିବା ଚାହାନ୍ତି ତାହା ମୁଁ ବୁଝିପାରେ ।

 

ସେଦିନ କଣ କଣ ଘଟିଗଲା ମୁଁ ତ ତତେ ସବୁ କହିପାରିବି ନାହିଁ । କିନ୍ତୁ ଆମେ ଦୁହେଁ ଏକାଠି ଯେଉଁ ଶେଷ ଆକ୍ରମଣର ସମ୍ମୁଖୀନ ହୋଇଥିଲୁ ସେତିକି କହିବି । ଗୋଟିଏ ଉପତ୍ୟକା ଉପରେ ଶତ୍ରୁଙ୍କ ଗୋଳାବାରୁଦ ଭିତରେ ଆମେ ଥିଲୁ । ଅବଶ୍ୟ ସେ ସମୟକୁ ଆମେ ଖୁବ୍‌ ବଡ଼ ବନ୍ଧୁକର ଗର୍ଜନ, ଅଗ୍ନି ଜଳିବା, କାନ ପାଖ ଦେଇ ଗୁଳି ଯିବାର ଇତ୍ୟାଦି ସବୁଥିରେ ଅଭ୍ୟସ୍ତ ହୋଇସାରିଥିଲୁ । କିନ୍ତୁ ସେଦିନ ସେ ଯୁଦ୍ଧକ୍ଷେତ୍ରରେ ଆଗେଇ ଗଲାବେଳେ ଯେଉଁ ଗର୍ଜନ, ଗୋଳାବାରୁଦ ଚାଳନା, ଯେଉଁ ଅଗ୍ନି ତାହା ଆଗରୁ କେବେ ବି ଦେଖି ନଥିଲୁ । ଡାହାଣରୁ, ବାମରୁ ଓ ସାମନାରୁ ଅବିରତ ଗୁଳି ବାରୁଦ ଆମ ଉପରେ ପଡୁଥାଏ । ବହୁ ବୀର ବହୁ ଘୋଡ଼ା ଭୂପତିତ ହେଲେ । ଯୋଦ୍ଧାମାନଙ୍କୁ ମାଟିରେ ଫୋପାଡ଼ି ବହୁ ଅଶ୍ଵ ଆହତ ହୋଇ ଦୌଡ଼ିଲେ କିମ୍ବା ମୃତ୍ୟୁମୁଖରେ ପଡ଼ିଲେ । ଅନେକ ଅଶ୍ଵ ଆରୋହୀ ବିନା ଯୁଦ୍ଧକ୍ଷେତ୍ରରେ ଲାଇନ୍‌ଚ୍ୟୁତ ହୋଇ ଇତସ୍ତତଃ ପାଗଳ ପରି ବୁଲୁ ଥାଆନ୍ତି । କିଛି ସମୟ ଉତାରୁ ପୁଣି ଫେରି ଆସି ପୁରୁଣା ସାଥୀସହ ସାମନାକୁ ମାଡ଼ି ଚାଲିଥାନ୍ତି ।

 

ଯେହେତୁ ଯୁଦ୍ଧକ୍ଷେତ୍ର ବଡ଼ ଭୟଙ୍କର, କେହି ଅଟକୁ ନଥାନ୍ତି ବା ପଛକୁ ଫେରୁ ନଥାନ୍ତି । ପ୍ରତି ମୁହୂର୍ତ୍ତରେ ସେନାବାହିନୀ ପତଳା ହେଉଥାଆନ୍ତି, କିନ୍ତୁ ଆମ ସାଥୀମାନେ ପଡ଼ିଗଲେ ଆମେ ସେମାନଙ୍କୁ ଏକାଠି ରଖିବା ପାଇଁ ଜୋରରେ ଆଗକୁ ମାଡ଼ିଯାଉ। ଗୁଳିବାରୁଦର ନିକଟବର୍ତ୍ତୀ ହେଲାପରେ କେବଳ ଧୂଆଁ ଏବଂ ଲାଲ ଅଗ୍ନି ତା ଭିତରୁ ବାହାରୁ ଥିବାର ମୁଁ ଦେଖିଲି ।

 

ମୋ ମାଲିକ, ମୋ ପ୍ରିୟ ମାଲିକ ତାଙ୍କ ଡାହାଣ ହାତଟା ଉପରକୁ ଉଠେଇ ତାଙ୍କ ସେନାଦଳକୁ ସାହସ ଦେବା ପାଇଁ ଚେଷ୍ଟା ଚଳେଇଥାନ୍ତି । ତାପରେ ଯେତେବେଳେ ଗୋଟାଏ ଗୁଳି ଆସି ମୋ ମୁଣ୍ଡ ଉପରଦେଇ ଯାଇ ତାଙ୍କୁ ବିଦ୍ଧ କଲା ମୋର ମନେ ହେଲା ଯେ ସେ ଖୁବ୍‌ କଷ୍ଟରେ ହଲିବାକୁ ଲାଗିଲେ ! ଯଦିଓ ସେ ଚିତ୍କାର କରି ନଥିଲେ, ମୁଁ ମୋର ଗତି କମେଇଦେଲି । କିନ୍ତୁ ତାଙ୍କ ଡାହାଣ ହାତରୁ ଖଣ୍ଡାଟି ତଳକୁ ଖସିପଡିଲା, ବା ହାତରୁ ଲଗାମ ଢ଼ିଲା ହୋଇଗଲା ଏବଂ ପଛପଟକୁ ଝୁଲିଯାଇ ସେ ତଳେ ପଡ଼ିଗଲେ । ଅନ୍ୟ ସୈନିକମାନେ ଜୋରରେ ଦୌଡୁଥିବାରୁ ମୁଁ ତାଙ୍କ ପଡ଼ିବା ସ୍ଥାନଠାରୁ ଠେଲି ହୋଇ ଦୂରକୁ ଚାଲିଗଲି ।

 

ତାଙ୍କ ପାଖରେ ରହିବା ଇଚ୍ଛା ମୋର ଥିଲା । ତାଙ୍କୁ ଘୋଡ଼ାମାନେ ପାଦରେ ନଦଳି ପାରିବା ଚେଷ୍ଟା ମଧ୍ୟ କଲି । କିନ୍ତୁ ସବୁ ବୃଥା ହେଲା । ବର୍ତ୍ତମାନ ମାଲିକ ବା ବନ୍ଧୁବିନା ମୁଁ ସେଇ ବିରାଟ ହତ୍ୟାଭୂମିରେ ଏକା । ପ୍ରଚଣ୍ଡ ଭୟରେ ମୁଁ ଜୋରରେ ଥରିବାକୁ ଲାଗିଲି । ପୂର୍ବରୁ କେବେହେଲେ ମୁଁ ଏଭଳି ଥରି ନଥିଲି । ତାପରେ ଅନ୍ୟ ଘୋଡ଼ାମାନଙ୍କୁ ଦୌଡ଼ିବା ଦେଖି ମୁଁ ମଧ୍ୟ ସୈନ୍ୟଦଳଙ୍କ ସହ ଦୌଡ଼ିବାରେ ଲାଗିଲି । କିନ୍ତୁ ଅନ୍ୟ ସେନାଙ୍କ ଖଣ୍ଡାମାନ ମୋ ଦେହରେ ପିଟି ହେଉଥାଏ । ଏଇ ସମୟରେ ଘୋଡ଼ା ମରିପଡିଥିବା ଜଣେ ସୈନିକ ମୋ ଲଗାମ ଧରି ମୋ ପିଠିରେ ବସି ପଡ଼ିଲେ । ତାଙ୍କୁ ନେଇ ମୁଁ ପୁଣି ଆଗକୁ ମାଡ଼ି ଚାଲିଲି । କିନ୍ତୁ ଆମ ପକ୍ଷର ପରାଜୟ ହେଲା ଏବଂ ଯେଉଁ କେତେଜଣ ବଞ୍ଚି ରହିଲେ ସେମାନେ ପୁଣି ସେଇ ରାସ୍ତାଦେଇ ଫେରିଲେ । କେତେକ ଘୋଡ଼ା ଏପରି ଭାବରେ ଆହତ ହୋଇଥିଲେ ଯେ ସେମାନେ ପ୍ରବଳ ରକ୍ତସ୍ରାବ ହେତୁ ଚାଲି ପାରିଲେ ନାହିଁ, କେତେକ ତିନିଟା ଗୋଡ଼ରେ (ଗୋଟାଏ ନଷ୍ଟ) ଚାଲିବାର ଚେଷ୍ଟା ମଧ୍ୟ କରୁଥାନ୍ତି, ଆଉ କେତେକଙ୍କର ପଛ ଦୁଇଟା ଗୋଡ଼ ଗୁଳିରେ ଗୁଣ୍ଡ ହୋଇଯାଇ ଥିବାରୁ ସେମାନେ ମଧ୍ୟ ଦୁଇଗୋଡ଼ରେ ଚାଲିବାକୁ ଚେଷ୍ଟା କରୁଥାନ୍ତି । ସେମାନଙ୍କ ଯନ୍ତ୍ରଣା, କାତର ଚିତ୍କାର ଏବଂ ସେମାନଙ୍କୁ ଛାଡ଼ି ଯୁଦ୍ଧକ୍ଷେତ୍ରରୁ ପଳାଇ ଆସୁଥିବା ଅକ୍ଷତ ଲୋକଙ୍କ ଉପରେ ସେମାନଙ୍କ ହତାଶ ଦୃଷ୍ଟି ମୁଁ କେବେ ବି ଭୁଲିପାରିବିନି । ଯୁଦ୍ଧ ପରେ ଆହତ ସୈନ୍ୟମାନଙ୍କୁ ଅଣାଗଲା ଏବଂ ମୃତମାନଙ୍କୁ କବର ଦିଆଗଲା ।

 

ମୁଁ ପଚାରିଲି ‘‘ଆହତ ଘୋଡ଼ାମାନଙ୍କର ପୁଣି କଣ ହେଲା ? ସେମାନଙ୍କୁ ମରିବାକୁ ଛାଡ଼ିଦେଇ କ’ଣ ସମସ୍ତେ ପଳେଇ ଆସିଲେ ?’’

 

‘‘ନା ଆର୍ମିର ଅଶ୍ଵଚିକିତ୍ସକମାନେ ପିସ୍ତଲ ନେଇ ଯୁଦ୍ଧକ୍ଷେତ୍ରକୁ ଯାଇ ଯେଉଁମାନେ ଅଧିକ ଆହତ ସେମାନଙ୍କୁ ଗୁଳି କଲେ, ଯେଉଁମାନେ କମ୍‌ ଆହତ ସେମାନଙ୍କୁ ଚିକିତ୍ସା ପାଇଁ ଆଣିଲେ । କିନ୍ତୁ ବେଶି ଭାଗ ସେଦିନ ସେଠାରୁ ଫେରିପାରି ନଥିଲେ । ଆମ ଘୋଡ଼ାଶାଳାର କେବଳ ଏକ ଚତୁର୍ଥାଂଶ ଫେରିଥିଲେ ।

 

ମୋ ପ୍ରିୟ ମାଲିକଙ୍କୁ ମୁଁ ଆଉ ଦେଖିପାରିଲି ନି । ମୋର ବିଶ୍ଵାସ ସେଦିନ ସେ ଖସିପଡ଼ି ମୃତ୍ୟୁବରଣ କରିଥିଲେ । ତାପରେ ଆଉ କୌଣସି ମାଲିକଙ୍କୁ ମୁଁ ଏତେ ଭଲ ପାଇନି । ଏହାପରେ ମଧ୍ୟ ମୁଁ ଅନେକ ପ୍ରକାର ଲଢ଼ାଇରେ ଯାଇଛି, କେବଳ ଥରଟିଏ ମାତ୍ର ସାମାନ୍ୟ ଆଘାତ ପାଇଥିଲି । ଯୁଦ୍ଧ ଶେଷ ହେବା ପରେ ମୁଁ ଇଂଲଣ୍ଡରୁ ଫେରି ଆସିଥିଲି । ଯିବା ବେଳକୁ ଯେତିକି ସୁସ୍ଥ ଓ ସମର୍ଥ ଥିଲି, ଫେରିବା ବେଳକୁ ମଧ୍ୟ ସେୟା ରହିଥିଲି ।

 

କହିଲି ‘‘ଲୋକଙ୍କ କଥାବାର୍ତ୍ତାରୁ ସତେ ଅବା ଯୁଦ୍ଧ ଖୁବ୍‌ ଭଲ ବୋଲି ଶୁଣିଥିଲି ।’’ ସେ କହିଲା ‘‘ଯେଉଁମାନେ ଏମିତି କହନ୍ତି ସେମାନେ ନିଶ୍ଚୟ ଯୁଦ୍ଧ କେବେ ଦେଖି ନାହାନ୍ତି । ଶତ୍ରୁ ଆକ୍ରମଣ ନଥିବାବେଳେ ନିଶ୍ଚୟ ଖୁବ୍‌ ମଜା ହୁଏ । କେବଳ ବ୍ୟାୟାମ୍‌ ପରେଡ୍‌ ଆଉ ଯୁଦ୍ଧଶିକ୍ଷା । ସେତିକି ବେଳେ ଖୁବ୍‌ ଫୂର୍ତ୍ତି, କିନ୍ତୁ ଯେତେବେଳେ ଯୁଦ୍ଧରେ ହଜାର ହଜାର ସାହସୀ ବୀର, ଘୋଡ଼ାଙ୍କର ହୁଏତ ମୃତ୍ୟୁ ହୁଏ ନଚେତ ସାରା ଜୀବନ ଅପାହିଜ ହୋଇ ରହି ଯାଆନ୍ତି ସେତେବେଳେ ନିଶ୍ଚୟ ତାହା ଅନେକ ଭିନ୍ନ ।

 

‘‘କଣ ପାଇଁ ଲୋକେ ଯୁଦ୍ଧ କରନ୍ତି ତୁ ଜାଣୁ ? ‘‘ମୁଁ ପ୍ରଶ୍ନ କଲି ।’’ ନା ! ଗୋଟିଏ ଘୋଡ଼ା ପକ୍ଷରେ ଏହା ବୁଝିବାର ବାହାରେ, ତେବେ ଯାହା ବି ହେଉ ଶତ୍ରୁମାନେ ଖୁବ୍‌ ବଦମାସ ନିଶ୍ଚୟ, ନହେଲେ କ’ଣ ସେମାନେ କେବଳ ମଣିଷ ମାରିବା ଉଦ୍ଦେଶ୍ୟରେ ସମୁଦ୍ର ପାର ହୋଇ ଆସନ୍ତେ-।’’

•••

 

ଜେରୀ ବାର୍କର

 

ମୋର ନୂଆ ମାଲିକଙ୍କ ଅପେକ୍ଷା ଅଧିକ ଭଲଲୋକ ମୁଁ ଆଜି ଯାଏଁ ଦେଖି ନଥିଲି । ସେ ଦୟାଳୁ, ଭଦ୍ର ଏବଂ ଜନ୍‌ ମ୍ୟାନ୍‌ଲୀ ପରି ଠିକ୍‌ କାର୍ଯ୍ୟ କରିବା ବା କରାଇବା ପାଇଁ ବେଶ୍‌ ଶକ୍ତ-। ଏତେ ଶାନ୍ତ ଓ ପ୍ରଫୁଲ, ଯେ କେହି ବି ତା ସହିତ କବି କରିପାରିବ ନି । ଛୋଟ ଛୋଟ କବିତା ରଚନା କରିବାରେ ତାର ଆନନ୍ଦ । ସେ ନିଜେ ଗାଇ ବି ପାରେ । ତାର ଗୋଟିଏ ପ୍ରିୟ କବିତା ହେଉଛି–

ଆସ ବାପା ମାଆ ପୁଣି ଭଉଣୀ

ଆସ ଭାଇ ସାଥେ ସମସ୍ତେ ପୁଣି,

ସାହାଯ୍ୟ କରିବା ଜଣକୁ ଜଣେ

ଖୁସି ହେଉଥିବା ଆପଣା ମନେ ।

ସେମାନେ ଏଇ ପ୍ରକାରେ ମଧ୍ୟ ଚଳନ୍ତି । ଘୋଡ଼ାଶାଳର କାମରେ ହ୍ୟାରୀ ତାଠାରୁ ବଡ଼ ପିଲାମାନଙ୍କଠାରୁ ଚତୁର ଓ କୁଶଳୀ । ସର୍ବଦା ସେ ପାରୁପର୍ଯ୍ୟନ୍ତ କାମ କରୁଥାଏ । ପ୍ରତି ସକାଳେ ପଲି ଡଲି ଗାଡି ତାର ଗଦି ଓ କାଚକୁ ଭଲ ଭାବେ ପୋଛନ୍ତି । ହ୍ୟାରୀ ଫିତା ଶିକୁଳି ଆଦିକୁ ସଫା କରେ ଏବଂ ଜେରୀ ଆମମାନଙ୍କୁ ଘସି ମାଜି ସଫା କରେ । ସେମାନଙ୍କ ପରସ୍ପର ମଧ୍ୟରେ ହସ ମଜା ହୁଏ । ଏହା କ୍ୟାପଟେନ ଓ ମତେ ପୂରାପୂରି ସତେଜ କରିଦିଏ । ଆମେ ଯଦି ସେମାନଙ୍କଠାରୁ ରୁକ୍ଷ କଠିନ କଥା ଶୁଣନ୍ତୁ ତେବେ ଭଲ ଲାଗନ୍ତା କି ? ସବୁବେଳେ ସେମାନେ ଖୁବ୍‌ ସକାଳୁ ଆସନ୍ତି । କାରଣ ଜେରୀ କହେ–

ପ୍ରଭାତରେ ଯଦି ନଷ୍ଟ କରିବ ମୁହୂର୍ତ୍ତଟିଏ

ସାରାଦିନ ଆଉ ଫେରି ଆସିବ ନି ତୁମର ସିଏ,

ଯେତେ ଯାହା କରି ହଜିବା ସମୟ ଆଉ ନ ମିଳେ

ମିଶିଯିବ ସେଇ ଅମୃତ ମୁହୂର୍ତ୍ତ କାଳର କୋଳେ ।

ସେ ଅଯଥା ସମୟ ନଷ୍ଟ କରି ବୁଲିବାକୁ ବି ଭଲ ପାଏନି । ଯେଉଁ ଲୋକମାନେ ସର୍ବଦା ଡେରିରେ ଆସି ତାଙ୍କ କାମ ବିଳମ୍ବ ହୋଇ ଯିବା ଭୟରେ ଘୋଡ଼ାଙ୍କୁ ଜୋରରେ ଦୌଡାନ୍ତି ଜେରୀ ସେମାନଙ୍କ ଉପରେ ଅଳସୁଆମି ଯୋଗୁଁ ଭୀଷଣ ବିରକ୍ତ ହୁଏ ।

ଦିନେ ଦୁଇଜଣ ଗୁଣ୍ଡା ସଦୃଶ ଯୁବକ ଷ୍ଟାଣ୍ଡ ପାଖରେ ଥିବା ଏକ ମଦପିଆ ହୋଟେଲରୁ ଆସି ଜେରୀକୁ ଡାକିଲେ ‘‘ହେ ଗାଡ଼ିବାଲା ଜଲଦି ଗାଡ଼ି ଆଣ । ଆମକୁ ଶୀଘ୍ର ଭିକ୍ଟୋରିଆ ନେବୁ ଯେପରି କି ଆମେ ଗୋଟାଏ ବେଳ ଟ୍ରେନ୍‌ ପାଇବୁ । ତେବେ ଟଙ୍କାଟେ ବେଶି ଭଡ଼ା ପାଇବୁ ।’’

‘‘ମୁଁ ନିୟମିତ ଯେମିତି ଚଳାଏ, ସେହିପରି ଗାଡ଼ି ଚଳାଇବି । ଅଧିକା ଗୋଟାଏ ଟଙ୍କାରେ ମୁଁ ଜୋର୍‌ରେ ନେବି ନାହିଁ ।’’ ଲ୍ୟାରୀର ଗାଡ଼ି ଆମ ପଛକୁ ଥିଲା । ସେ ସଙ୍ଗେ ସଙ୍ଗେ ତା ଗାଡ଼ି ଦ୍ଵାରଟି ଖୋଲି ଦେଇ କହିଲା ‘‘ମୁଁ ନେଇଯିବି ଆଜ୍ଞା, ମୋ ଘୋଡ଼ା ଆପଣମାନଙ୍କୁ ଠିକ୍‌ ସମୟରେ ପହଞ୍ଚାଇ ଦେବ ।’’ ତାପରେ ସେମାନେ ବସିଲେ ଓ ଲ୍ୟାରୀ ଜେରୀକୁ ଆଖୀ ମାରି ଖୁବ୍‌ ଜୋର୍‌ରେ କହିଲା (ତା ବିବେକରେ ଘୋଡ଼ାଙ୍କୁ ଖୁବ୍‌ ଜୋରରେ ଦୌଡ଼େଇବାକୁ ବାଧେ ।’’ ଏତିକି କହି ଚାବୁକ୍‌ ମାରି ସେ ପବନ ବେଗରେ ଗାଡ଼ି ଛୁଟେଇଲା । ଜେରୀ ମୋ ବେକ ଆଉଁସି କହିଲା ‘‘ନାରେ ଜ୍ୟାକ୍‌ ଟଙ୍କା ଗୋଟିଏ ପାଇଁ ଏମିତି କରିବା ଉଚିତ୍‌ ନୁହେଁ । ନାଇଁ କି ବାପା ?’’

ଯଦି ମଧ୍ୟ ଜେରୀ ଯତ୍ନହୀନ ଓ ନିର୍ଦ୍ଦୟ ଚାଳକ ପରି ଖୁବ୍‌ ଜୋର୍‌ରେ ଗାଡ଼ି ନ ଚଳାଇବାକୁ ଦୃଢ଼ପ୍ରତିଜ୍ଞ, ମାତ୍ର ତଥାପି ଖୁବ୍‌ ଆବଶ୍ୟକ ଜାଣିଲେ ସ୍ଥଳବିଶେଷରେ ସେ ଶୀଘ୍ର ଚଳାଏ ।

ମୋର ମନେ ପଡ଼ୁଛି ଥରେ ସକାଳୁ ଆମେ ଭଡ଼ା ନିମିତ୍ତ ଷ୍ଟ୍ୟାଣ୍ଡରେ ଅପେକ୍ଷା କରିଥାଉ-। ଜଣେ ଯୁବକ ଗୋଟିଏ ବିରାଟ ବୋଝଟିଏ ଧରି ଆସୁ ଆସୁ କମଳାଚୋପା ଲାଗି ତା ଗୋଡ଼ ଖସିଗଲା । ସେ ଖୁବ୍‌ ଜୋରରେ ତଳେ ପଡ଼ିଗଲା ।

ଜେରୀ ହିଁ ପ୍ରଥମେ ଦୌଡ଼ିଯାଇ ତାକୁ ମାଟିରୁ ଉଠାଇଲା । ସେ ଖୁବ୍‌ ଅସହାୟ ମନେ ହେଲା ଏବଂ ଜେରୀ ସହିତ ଅନ୍ୟ କେତେଜଣ ମିଶି ତାକୁ ନିକଟତମ ଗୋଟାଏ ଦୋକାନକୁ ଧରିଧରି ନେଉଥାନ୍ତି, ମନେ ହେଉଥାଏ ତାହାର ଯେମିତି ଚାଲିବାରେ ଭୀଷଣ କଷ୍ଟ ହେଉଛି । ତାହାପରେ ଜେରୀ ଷ୍ଟାଣ୍ଡକୁ ଫେରି ଆସିଲା । ଦଶମିନିଟ୍‌ ଖଣ୍ଡେ ପରେ ପୁଣି ତାକୁ ଦୋକାନୀ ଡାକିବାରୁ ଆମେ ସେଠାକୁ ଗଲୁ । ଯୁବକଟି ପଚାରିଲା ‘‘ମତେ ସାଉଥ୍‌ ୱେଷ୍ଟର୍ଣ୍ଣ ରେଲୱେରେ ଛାଡି ଦେଇ ପାରିବ ? ଦୁର୍ଭାଗ୍ୟବଶତଃ ଏଇ ଯେଉଁ ପଡ଼ିଗଲି ମୋର ଡେରି ହୋଇଗଲା । ଭୟ ହେଉଛି କାଳେ ଗାଡ଼ି ଫେଲ କରିବି । ବାରଟା ବେଳ ଟ୍ରେନଟା ଧରିବା ମୋର ଅତି ଜରୁରୀ । ଯଦି ଆପଣ ମତେ ସମୟାନୁସାରେ ସେଠି ପହଞ୍ଚାଇ ଦେବେ ମୁଁ ଆପଣଙ୍କ ନିକଟରେ ଚିରକୃତଜ୍ଞ ରହିବି-। ଅଧିକ ଭଡା ମଧ୍ୟ ଦେବି ।’’ ଜେରୀ ପ୍ରଫୁଲ୍ଲ ସ୍ଵରରେ କହିଲା ‘‘ମୁଁ ଶକ୍ତି ଅନୁସାରେ ଚେଷ୍ଟା କରିବି, କିନ୍ତୁ ଆପଣ ଯାଇପାରିବା ପରି ସୁସ୍ଥ ଅଛନ୍ତି ବୋଲି ଭାବୁଛନ୍ତି ତ ସାର୍‌ ? କାରଣ ସେ ଯୁବକ ଅତ୍ୟନ୍ତ ଅସୁସ୍ଥ ଓ ଶେତା ଦେଖାଯାଉ ଥିଲେ ।

‘‘ମୁଁ ଯେମିତି ହେଲେ ବି ଯିବି । ଅନୁଗ୍ରହ କରି ଦ୍ଵାର ଖୋଲିଦିଅ ଏବଂ ଆଉ ସମୟ ନଷ୍ଟ ନକରି ଶୀଘ୍ର ଚାଲ।’’

ପର ମୁହୂର୍ତ୍ତରେ ଜେରୀ ସିଟ୍‌ରେ ବସି ପଡିଲା ଏବଂ ଲଗାମଟା ଯେପରି ଖୁସିରେ ଟାଣିଲା ମୁଁ ତାର ଉଦ୍ଦେଶ୍ୟ ଭଲ ଭାବେ ବୁଝିଗଲି

‘‘ଜ୍ୟାକ୍‌ ମୋ ଧନ–ଏବେ ତାହାଲେ ଦୌଡ଼ ! ମୁଁ ପ୍ରକୃତ କାରଣ ବୁଝିଲେ ହିଁ ଭଡାଟିଆଙ୍କୁ କେତେ ସମୟରେ ପହଞ୍ଚେଇ ଦେଇ ପାରିବି ସେମାନେ ଜାଣିବେ ।’’ ଜେରୀ କହିଲା-

ମଧ୍ୟାହ୍ନରେ ସହର ଭିତରେ ଜୋରରେ ଦୌଡ଼ିବା ସବୁବେଳେ କଷ୍ଟକର, କାରଣ ସେତେବେଳେ ଜନଗହଳି ଅଧିକ ଯାତାୟାତ ବେଶି । ମାତ୍ର ଆମେ ଯାହା କରିପାରିଥାନ୍ତୁ କଲୁ । ଭଲ ଚାଳକ ଏବଂ ଘୋଡ଼ା ଯଦି ପରସ୍ପରକୁ ଭଲ ଭାବେ ବୁଝିଥାଆନ୍ତୁ ସେମାନେ ଆଶ୍ଚର୍ଯ୍ୟଜନକ କାମ ବି କରି ପାରନ୍ତି । ମୋ ପାଟିଟି ଭଲ- ଅର୍ଥାତ୍‌ ଲଗାମ ଛୁଇଁବା ମାତ୍ରେ ମୁଁ ବୁଝିପାରି ଠିକ୍‌ ଭାବେ ଚାଲେ । ଏଇଟା ଲଣ୍ଡନରେ ଏକ ବଡ଼ କଥା । ଘୋଡ଼ାଗାଡ଼ି, ବସ, ଶଗଡ଼, ଭ୍ୟାନ, ଟ୍ରକ, କାର ଓ ୱାଗନଗୁଡ଼ିକ ରାସ୍ତାରେ ନାନା ଦିଗରେ, ବିଭିନ୍ନ ଗତିରେ ଚାଲୁଥାନ୍ତି । ସେଗୁଡ଼ିକୁ ଅତିକ୍ରମ କରି ଶୀଘ୍ର ଦୌଡ଼ିବାଟା କିଛି ସହଜସାଧ୍ୟ କାମ ନୁହେଁ । ତାପରେ ମନେକର ଆଗରେ ବସ୍‌ ରହିଲା ଠିଆ ହୁଅ, ପାର୍ଶ୍ଵରେ ଅନ୍ୟ ଗାଡ଼ି, ଏହି ପ୍ରକାରେ ନାନା ବାଧା ମଧ୍ୟ ଦେଇ ଯିବାକୁ ପଡ଼େ। ପୁଣି ବେଳେବେଳେ ଗାଡ଼ିମାନଙ୍କର ଲମ୍ବା ଧାଡ଼ି ଲାଗିଥାଏ, ଆଉ ରାସ୍ତା ଜାମ୍‌ ହେଲେ ତ କଥା ହିଁ ନାହିଁ-। ରାସ୍ତା ଖାଲି ହେବା ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼େ । ପୁଣି ବେଳେବେଳେ ପୋଲିସ ମଧ୍ୟ ଅଟକାଏ- ଏଇମିତି ସବୁ ପ୍ରକାର ବାଧା ପାଇଁ ଗାଡ଼ିକୁ ପ୍ରସ୍ତୁତ ରହିବା ଆବଶ୍ୟକ । ଟିକେ ଜାଗାପାଇଲେ ପଶିଯାଇ ପୁଣି ସତର୍କ ହୋଇ ଦୌଡ଼ିବା ପାଇଁ ପଡ଼ିବ, ନଚେତ୍‌ ନିଜ ଗାଡ଼ି ଭାଙ୍ଗୁ ବା ଅନ୍ୟ ଗାଡ଼ି ଭାଙ୍ଗୁ ଅଟକି କରି ରହିବାକୁ ପଡ଼ିବ । ଏଇସବୁ ପାଇଁ ପ୍ରସ୍ତୁତ ରହି ଯଦି ତୁମେ ଖରାବେଳେ ଲଣ୍ଡନ ରାସ୍ତାରେ ଶୀଘ୍ର ଯିବା ପାଇଁ ଚାହିଁବ, ତେବେ ତୁମକୁ ଅନେକ ଦିନ ଧରି ଅଭ୍ୟାସ କରିବାକୁ ପଡ଼ିବ ।

ଜେରୀ ଆଉ ମୁଁ ଏଥିରେ ଅଭ୍ୟସ୍ତ ଏବଂ କେହି ବି ଆମକୁ ଏଇ ପରିସ୍ଥିତିରୁ ବଞ୍ଚିଯାଇ ଶୀଘ୍ର ଯିବାରେ ବଳିଯିବେ ନାହିଁ । ମୁଁ ଚଞ୍ଚଳ, ସାହସୀ ଏବଂ ମୋର ଚାଳକଙ୍କ ଉପରେ ଅଗାଧ ବିଶ୍ଵାସ । ଜେରୀ ମଧ୍ୟ ସେମିତି ଚଞ୍ଚଳ, ଧୈର୍ଯ୍ୟବାନ ଏବଂ ଘୋଡ଼ା ଉପରେ ତାର ବିଶ୍ୱାସ । ଏହା ମଧ୍ୟ ଖୁବ୍‌ ଜରୁରୀ । ସେ କ୍ଵଚିତ୍‌ ଚାବୁକ ପ୍ରୟୋଗ କରେ । ମୁଁ ତା ସ୍ଵରରୁ ତା ନିର୍ଦ୍ଦେଶ ବୁଝିପାରେ । କେବଳ ତାର କ୍ଲିକ୍‌ କ୍ଲିକ୍‌ ହିଁ ମତେ ଜୋରରେ ଦୌଡ଼ାଏ । ଆଉ ତା ଲଗାମରୁ କୋଉ ଆଡ଼କୁ ଯିବି ବୁଝେ । ବର୍ତ୍ତମାନ ମୋର କାହାଣୀ ଆଡ଼କୁ ମୁଁ ଯାଉଛି ।

ସେଦିନ ରାସ୍ତାରେ ଭାରି ଗହଳି । କିନ୍ତୁ ଆମେ ସୁବିଧାରେ ଚିପ୍‌ସାଇଡର ତଳ ପର୍ଯ୍ୟନ୍ତ ଚାଲିଯିବା ପରେ ତିନିଚାରି ମିନିଟ୍‌ ଅଟକି ଗଲୁ । ଗାଡ଼ିରେ ବସିଥିବା ଯୁବକ ଜଣକ ବାହାରକୁ ମୁହଁ କାଢ଼ି କହିଲେ ‘‘ମୁଁ ବରଂ ଓହ୍ଲେଇ ପଡ଼ି ଚାଲିବି, ଏମିତି ରହି ରହିଲେ ତ ମୁଁ ମୋଟେ ଠିକ୍‌ ସମୟରେ ପହଞ୍ଚି ପାରିବି ନି ।’’

ଜେରୀ କହିଲା ‘‘ସାର୍‌ ବସନ୍ତୁ । ମୁଁ ଯାହା କରିବା କଥା କରି ଆପଣଙ୍କୁ ଠିକ୍‌ ସମୟରେ ପହଞ୍ଚାଇ ଦେବି । ଏ ରାସ୍ତା ବେଶୀବେଳ ବନ୍ଦ ରହିବନି । ଆପଣଙ୍କ ଜିନିଷପତ୍ର ବହୁତ ଭାରି, ତାକୁ ଧରି ଆପଣ ମୋଟେ ଚାଲିକରି ଯାଇପାରିବେ ନି ।

ଠିକ୍‌ ସେତିକିବେଳେ ଆମ ଗାଡ଼ି ଚାଲିବାକୁ ଆରମ୍ଭ କଲା । ଆମେ ବୁଲିଗଲୁ । ଏପଟ ସେପଟ କରି ଗୋଟାଏ ଘୋଡ଼ା ଯେତେ ଶୀଘ୍ର ପାରେ ଚାଲିଲି । ଲଣ୍ଡନ ବ୍ରିଜ୍‌ରେ ରାସ୍ତା ପାଇଗଲୁ, ଯଦିଓ ଗୁଡ଼ାଏ ଗାଡ଼ି ଲାଇନ୍‌ ମାରି ଷ୍ଟେସନ ଆଡ଼କୁ ଚାଲିଥାନ୍ତି ବୋଧହୁଏ ହୁଏ ସେଇ ଟ୍ରେନକୁ ଧରିବା ପାଇଁ । ସେ ଯାହା ହେଉ ଆମେ କୌଣସି ମତେ ଅନ୍ୟମାନଙ୍କ ସହିତ ବାରଟା ବାଜିବାକୁ ବାର ମିନିଟ୍‌ ବାକି ଥିବାବେଳେ ଷ୍ଟେସନରେ ପହଞ୍ଚିଗଲୁ ।

‘‘ଥ୍ୟାଙ୍କ ଗଡ୍‌ ! ଆମେ ଠିକ୍‌ ସମୟରେ ପହଞ୍ଚିଗଲୁ । ପ୍ରିୟ ବନ୍ଧୁ ତୁମ ସହିତ ତୁମ ଘୋଡ଼ାକୁ ମଧ୍ୟ ଧନ୍ୟବାଦ । ତୁମେ ମତେ ଆଜି ବଞ୍ଚେଇଲ ଭାଇ । ଯେତେ ଦେଲେ ବି ଏ ଋଣ ସୁଝିପାରିବି ନାହିଁ । ନିଅ ତୁମ ଭଡ଼ା ସହିତ କିଛି ଅଧିକା ଟଙ୍କା ।’’ ନାହିଁ ସାର୍‌, ଅଧିକା ନେବିନି । ଆମେ ବି ତ ସମୟରେ ପହଞ୍ଚିପାରିବାରୁ ଭାରି ଖୁସି । ହଉ ଆଉ ଠିଆ ହୁଅନ୍ତୁ ନି। ବେଲ ବାଜୁଛି । ହେ କୁଲି-ମାଲ ଉଠା । ତୋଭର ଲାଇନ- ୧୨ଟା ଟ୍ରେନ ହେଇଟି-’’ ଆଉ ଶବ୍ଦଟିଏ ମଧ୍ୟ ନ କହି ଜେରୀ ଗାଡ଼ି ବୁଲାଇ ଆହୁରି ବିଳମ୍ବରେ ପହଞ୍ଚିଥିବା ଗାଡ଼ିମାନଙ୍କୁ ରାସ୍ତା ଦେଲା ।

ତାପରେ ଆମେ ଗୋଟାଏ ପଟକୁ ଗହଳ ନ କମିବା ପଯ୍ୟନ୍ତ ଠିଆ ହୋଇ ରହିଲୁ ।

‘‘ଏତେ ଖୁସି ! ଏତେ ଖୁସି ବିଚରା ଯୁବକଟି ହେଲା । ଏତେ ବ୍ୟସ୍ତ ଯେ କଣ ପାଇଁ ହେଉଥିଲା ଭାବିଲେ ମତେ ଆଶ୍ଚର୍ଯ୍ୟ ଲାଗୁଛି ।’’ ଜେରୀ କହିଲା ।

ଆମେ ଠିଆ ହୋଇଥିବା ସମୟରେ ବେଳେବେଳେ ଜେରୀ ମନକୁ ମନ ଜୋରରେ କଥା କହେ ଯେମିତି ମୁଁ ଶୁଣି ପାରିବି ।

ଆମେ ଷ୍ଟାଣ୍ଡକୁ ଫେରିବା ବେଳକୁ ସେଠାରେ ଜେରୀ କେମିତି ପଇସା ଲୋଭରେ ତା ନୀତି ତ୍ୟାଗ କରି ଜୋରରେ ଗାଡ଼ି ଦୌଡ଼ଉଥିଲା ସେ ବିଷୟରେ ଆଲୋଚନା କରି ସମସ୍ତେ ହସାହସି ହେଉଥିଲେ ଏବଂ ଆମେ ଆସିବାରୁ ସେମାନେ ଜେରୀ କେତେ ଟଙ୍କା ବେଶୀ ପାଇଲା ଜାଣିବାକୁ ଚାହିଁଲେ ।

ଧୂର୍ତ୍ତଙ୍କ ପରି ମୁଣ୍ଡ ହଲାଇ ଜେରୀ ଉତ୍ତର ଦେଲା ‘‘ଯାହା ସାଧାରଣତଃ ମୁଁ ପାଏ ତାଠାରୁ ଅନେକ ବେଶୀ । ସେ ମତେ ଯେତେ ଦେଇଛନ୍ତି ମୁଁ ବହୁଦିନ ସ୍ଵଚ୍ଛନ୍ଦରେ ଚଳି ପାରିବି ।

ଅନ୍ୟ ଜଣେ କହିଲା ‘‘କେମିତି ଠକ ଦେଖୁଛ ତ ? ଆମକୁ ଯାହା କରିବା ଉଚିତ୍‌ ନୁହେଁ ବୋଲି ଉପଦେଶ ଦିଏ ନିଜେ ସେୟା କରୁଛି ।’’ ଜେରୀ କହିଲା ‘‘ବନ୍ଧୁଗଣ ଶୁଣ । ସେ ମତେ କିଛି ଟଙ୍କା ଅଧି‌କା ଦେଉଥିଲେ, ମାତ୍ର ମୁଁ ନେଲି ନି । ତାଙ୍କୁ ଟ୍ରେନ ଧରେଇ ଦେଇପାରିବାରେ ମୋର ଯେଉଁ ଆନନ୍ଦ ତହିଁରୁ ମୁଁ ଅନେକ ବେଶୀ ପାଇଲି। ଆଉ ଯଦି ଜ୍ୟାକ୍‌ ଏବଂ ମୁଁ କେବେ କେବେ ଆତ୍ମ ସନ୍ତୋଷ ପାଇଁ ଏମିତି ଶୀଘ୍ର ଦୌଡୁ, ତହିଁରେ କାହାର ମୁଣ୍ଡ ବଥେଇବାର କିଛି ନାହିଁ । ‘‘ଠିକ୍‌ ଅଛି।’’ ଲ୍ୟାରୀ କହିଲା ‘‘କିନ୍ତୁ ତୁ କେବେ ବି ଧନୀ ହୋଇପାରିବୁ ନାହିଁ ।’’

ଜେରୀ ଉତ୍ତର ଦେଲା ‘‘ନିଶ୍ଚୟ ପାରିବି ନାହିଁ କିନ୍ତୁ ସେଥିପାଇଁ ମୁଁ କେବେ ଦୁଃଖିତ ବି ନୁହେଁ । ଅନେକ ବାର ଭଗବାନଙ୍କ ଦଶ ଆଦେଶବାଣୀ ପଢ଼ା ହେବାର ମୁଁ ଶୁଣିଛି, କିନ୍ତୁ କେବେ ବି ‘‘ତୁମେ ଧନୀ ହେବ’’ କଥାଟି ମୁଁ ଶୁଣିନି । ଧନୀଲୋକମାନଙ୍କ ବିଷୟରେ ବହୁ କୌତୁକ କାହାଣୀମାନ ମଧ୍ୟ ‘‘ନିଉ ଟେଷ୍ଟାମେଣ୍ଟ’’ରେ କୁହାଯାଇଛି, ଯେଉଁଥିରୁ ମୁଁ ବୁଝିଛି ଯେ ମୁଁ ଧନୀ ହେଲେ ଭାରି ଅଶ୍ୱସ୍ତି ଅନୁଭବ କରିବି ।

‘‘ଯଦି ତୁ କେବେ ବି ଧନୀ ହେଉ, ତୁ ଯୋଗ୍ୟତା ବଳରେ ହିଁ ଖଟିକରି ହେବୁ ଏବଂ ତୋ ଧନ ସହିତ କୌଣସି ଅଭିଶାପ ତୋ ପାଖକୁ ଆସିବ ନାହିଁ । ଆଉ ଲ୍ୟାରୀ ତୁ ଦରିଦ୍ର ହୋଇ ହିଁ ମରିବୁ- କାରଣ ତୁ ତୋ ଚାବୁକ ଦୌଡିଟା ଅନେକ ବେଶୀ କରୁଛୁ ।” ଗଭର୍ଣ୍ଣର ଗାଡ଼ିର ଉପରୁ ଜେରୀକୁ ଚାହିଁ କହି ଉଠିଲେ ।

ଲ୍ୟାରୀ କହିଲା ‘‘ଆଚ୍ଛା ଘୋଡ଼ା ଯଦି ଚାଳକର ଚାବୁକ ନ ଖାଇଲେ ଚାଲିବ ନି, ତେବେ ସେ ବିଚରା କ’ଣ କରିବ ?’’ ‘‘ତୁ କେବେ ପରୀକ୍ଷା କରି ଦେଖିଛୁ କି ବିନା ଚାବୁକମାଡ଼ରେ ଘୋଡ଼ା ଚାଲୁଛି କି ନାହିଁ ? ତୋ ହାତରେ ଅନବରତ ତ ଚାବୁକ ଚାଲିଥାଏ, ସତେ ଅବା ତୋ ବାହୁ ସେଣ୍ଟ ଭିଟସ୍‌ ନାଚ ପରି ନାଚୁଛି । ଏହା ତତେ ହୁଏତ କ୍ଲାନ୍ତ କରେ ନି, କିନ୍ତୁ ତୋ ଘୋଡ଼ାକୁ ନିଶ୍ଚୟ ଦୁର୍ବଳ ଓ କ୍ଲାନ୍ତ କରେ । ତୋର ଯେ ସବୁବେଳେ ଏତେ ଘୋଡ଼ା ବଦଳ ହୁଏ କ’ଣ ପାଇଁ ଜାଣିଛୁ ? ତୁ ସେମାନଙ୍କୁ ଶାନ୍ତି ବା ଉତ୍ସାହ କିଛି ନ ଦେଉଥିବାରୁ ।’’ ‘‘ହୁଏ ତ - ମୋର ଭାଗ୍ୟ ହିଁ ଖରାପ । ସାର କଥାଟି ସେୟା ।’’ ଗଭର୍ଣ୍ଣର କହିଲେ ‘‘ଆଉ ତୋର ଭାଗ୍ୟ ବଦଳିବ ବି ନାହିଁ । ସୌଭାଗ୍ୟଟା ଏପରି ଏକ ଜିନିଷ ତାରି ପାଖରେ ଥାଏ, ଯାହାର କି ବିଚାରବୁଦ୍ଧି ଭଲ, ହୁଦୟ ନିର୍ମଳ, ଅନ୍ତତଃ ମୋ ନିଜ ଅନୁଭୂତିରୁ ମୁଁ ଏତକ କହିପାରେ ।’’

ଗଭର୍ଣ୍ଣର ଗ୍ରେ ସମ୍ବାଦପତ୍ର ପଢ଼ିବାରେ ମନ ଦେଲେ ଏବଂ ଅନ୍ୟମାନେ ନିଜ ନିଜ ଗାଡ଼ିକୁ ଚାଲିଗଲେ ।

•••

 

ରବିବାରର ଗାଡ଼ି

 

ଥରେ ସକାଳେ ବେରୀ ମତେ ଯୋଚୁଥିବା ସମୟରେ ଜଣେ ଭଦ୍ରଲୋକ ଅଗଣା ଭିତରକୁ ପଶି ଆସିଲେ ।

 

ତାଙ୍କୁ ଦେଖି ଜେରୀ କହିଲା, ‘‘ଆଜ୍ଞା ଆଦେଶ କରନ୍ତୁ ।’’

 

‘‘ସୁପ୍ରଭାତ ମି. ବାର୍କର’’ ଭଦ୍ରଲୋକ କହିଲେ । ‘‘ମୁଁ ତୁମ ସହିତ ଗୋଟାଏ ବିଷୟରେ ଏକ ପକ୍କା ବନ୍ଦୋବସ୍ତ କରିବାକୁ ଆସିଛି । ମିସେସ୍‌ ବ୍ରିଗ୍‌ସଙ୍କୁ ତୁମ ଗାଡି ପ୍ରତି ରବିବାର ସକାଳେ ଚର୍ଚ୍ଚକୁ ନେବା ଆଣିବା କରିବ । ଆଜିକାଲି ଆମେ ନିଉ ଚର୍ଚ୍ଚକୁ ଯାଉଛୁ ଏବଂ ଶ୍ରୀମତୀଙ୍କୁ ଏତେ ରାସ୍ତା ଚାଲିବାକୁ କଷ୍ଟ ହେଉଛି ।’’

 

ଜେରୀ କହିଲା ‘‘ସାର୍‌ ଧନ୍ୟବାଦ । କିନ୍ତୁ ମୋର ତ ଛଅଦିନିଆ ଲାଇସେନ୍ସ ତେଣୁ ମୁଁ ରବିବାର ଦିନ ଭଡ଼ା ନେଇ ପାରିବି ନି । ତାହା ଆଇନସମ୍ମତ ହେବ ନାହିଁ ।

 

ଆଚ୍ଛା, ସେ କହିଲେ, ‘‘ମୁଁ ତ ତୁମର ଛଅଦିନ ଚାଲିବା ଗାଡ଼ି ବୋଲି ଜାଣି ନଥିଲି । ଅବଶ୍ୟ ଲାଇସେନ୍ସ ବଦଳାଇ ଦେବା ତ ଖୁବ୍‌ ସହଜ । ତୁମର ଏଥିରେ ଯେମିତି କିଛି ଅସୁବିଧା ବା କ୍ଷତି ନ ହୁଏ ସେଟା ମୁଁ ଦେଖିବି ମଧ୍ୟ । କଥା କଣ କି- ମିସେସ୍‌ ବ୍ରିଗ୍‌ସଙ୍କର ତୁମ ଗାଡ଼ି ଚଳାଟା ବେଶ୍‌ ପସନ୍ଦ । ସେଥିପାଇଁ ମୁଁ ତୁମକୁ କହୁଛି ।’’

 

‘‘ମୁଁ ମଧ୍ୟ ମ୍ୟାଡାମ୍‌ଙ୍କୁ ଛାଡ଼ିଦେଇ ପାରିଲେ ନିଜେ ବି ଖୁସି ହୁଅନ୍ତି, ମାତ୍ର କଥା କଣ କି ଥରେ ମୁଁ ସାତଦିନିକିଆ ଲାଇସେନ୍ସ କରିଥିଲି । ତହିଁରେ ମତେ ଏବଂ ମୋ ଘୋଡ଼ାଙ୍କୁ ଭାରି କଷ୍ଟ ହେଲା । ସାରା ବର୍ଷରେ ଦିନଟିଏ ବି ବିଶ୍ରାମ ନଥିଲା । ମୁଁ ବି ଟିକେ ରବିବାରରେ ମୋର ସ୍ତ୍ରୀ ପିଲାଙ୍କ ସହ କଟେଇ ପାରୁ ନଥିଲି । ଏପରିକି ପୂଜାପୂଜି କରିବାକୁ ବି କେବେ ସମୟ ପାଉ ନଥିଲି-। ଅଥଚ ଏ କାମ କରିବା ଆଗରୁ ମୁଁ ସେ ସବୁ କରୁଥିଲି । ତେଣୁ ବିଗତ ପାଞ୍ଚବର୍ଷ ଧରି ମୁଁ ସପ୍ତାହରେ ଛଅଦିନ ହିଁ ଗାଡ଼ି ଚଲାଏ । ଆଉ ମୁଁ ଦେଖିଛି ଯେ ମୋ ପାଇଁ ଏହା ସୁବିଧା । ‘‘ହଁ ସେଟା ତ ନିଶ୍ଚୟ । ପ୍ରତି ଲୋକର ବିଶ୍ରାମ ମଧ୍ୟ ଆବଶ୍ୟକ ଏବଂ ପ୍ରତ୍ୟେକଙ୍କର ରବିବାର ଚର୍ଚ୍ଚ ଯିବାଟା ମଧ୍ୟ ଜରୁରୀ । କିନ୍ତୁ ମୁଁ ଭାବିଲି ଯେ ଏତେ ଅଳ୍ପ ରାସ୍ତା ଯିବା ପାଇଁ ତୁମ ଘୋଡ଼ାର ବା ତୁମର କିଛି କଷ୍ଟ ହେବ ନାହିଁ । ତାଛଡ଼ା କେବଳ ସକାଳେ ତ ଥରଟିଏ ଯିବ । ଦ୍ୱିପହର ଓ ସନ୍ଧ୍ୟା ତ ତୁମର ରହିଲା । ଆମେ ଭଲ ଭଡ଼ା ଯେ ଦେବୁ ତା ତ ତୁମେ ଜାଣ।’’ ମି. ବ୍ରିଗ୍‌ସ କହିଲେ ।

 

‘‘ହଁ ସାର୍‌ ସେ କଥା ସତ । ଆପଣଙ୍କ ଅନୁଗ୍ରହ ପାଇଁ ମୁଁ କୃତଜ୍ଞ । ଏ କଥା ମୁଁ ନିଶ୍ଚିତ ରୂପେ କହିପାରେ ଯେ ଆପଣଙ୍କ ପାଇଁ ବା ମ୍ୟାଡମ୍‌ଙ୍କ ପାଇଁ କିଛି କରିପାରିଲେ ମୁଁ ଗର୍ବରେ ଓ ଖୁସିରେ କରିବି । କିନ୍ତୁ ମୁଁ ମୋର ରବିବାରଟା ଛାଡି ପାରିବିନି ସାର୍‌, ପ୍ରକୃତରେ ପାରିବି ନି । ମୁଁ ପଢ଼ିଛି ଯେ ଭଗବାନ ମଣିଷ ଓ ଜୀବଜଗତକୁ ସୃଷ୍ଟି କରି ଗୋଟିଏ ଦିନ ସେମାନଙ୍କ ବିଶ୍ରାମ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ କରି ଦେଇଛନ୍ତି- ସୃଷ୍ଟି କରିବା ସଙ୍ଗେ ସଙ୍ଗେ । ସମସ୍ତେ ତାହାହେଲେ ସପ୍ତାହରେ ଗୋଟିଏ ଦିନ ଛୁଟି ପାଇବେ । ଭାବୁଛି ସୃଷ୍ଟିକର୍ତ୍ତା ଆମମାନଙ୍କ ପାଇଁ କ’ଣ ଭଲ ହେବ ଜାଣିଥିଲେ ଏବଂ ମୁଁ ନିଶ୍ଚିତ ଯେ ମୋ ପାଇଁ ଏଟା ଖୁବ୍‌ ଭଲ । ଏଇ ବିଶ୍ରାମ ନିମିତ୍ତ ମୁଁ ତ ପୂରା ସୁସ୍ଥ ବଳବାନ ରହିଛି ଏବଂ ମୋ ଘୋଡ଼ାମାନେ ମଧ୍ୟ ସତେଜ ଏବଂ ସବଳ ହୋଇ ଦୀର୍ଘଦିନ ରହୁଛନ୍ତି । ସବୁ ଛଅଦିନିଆ ଚାଳକମାନେ ମତେ ଏଇ କଥା ବି କହନ୍ତି । ମୋର ଆଗ ଅପେକ୍ଷା ବ୍ୟାଙ୍କରେ ବେଶୀ ଟଙ୍କା ମଧ୍ୟ ଜମା ହେଉଛି । ସ୍ତ୍ରୀ ପିଲାଙ୍କ ପାଇଁ ସମୟ ଦେଇ ପାରୁଥିବାରୁ ସେମାନେ ମଧ୍ୟ ଆନନ୍ଦିତ-। ଆଉ ସେମାନେ ମଧ୍ୟ ସାତଦିନିଆ କାମ ପାଇଁ ମୋଟେ ରାଜି ହେବେ ନାହିଁ ।’’

 

‘‘ଭଲ କଥା- ମି. ବାର୍କର ମୁଁ ଆଉ ତୁମକୁ ବାଧ୍ୟ କରିବି ନି । ଆଉ କାହାକୁ ଦେଖିବି ।’’ କହି ସେ ଚାଲିଗଲେ ।

 

ଜେରୀ ମତେ କହିଲା ‘‘ଭଲ ହେଲା ନା ଜ୍ୟାକ୍‌, ମୁଁ ଏମିତି କହିବାକୁ ବାଧ୍ୟ ହେଲି । କାରଣ ରବିବାରଗୁଡ଼ିକ ଆମେ ନଷ୍ଟ କରିପାରିବା ନି ।’’ ତାପରେ ସେ ପାଟିକରି ଡାକିଲେ ‘‘ପଲି ପଲି ଏଠିକି ଆସ ।’’

 

ପଲି ସଙ୍ଗେ ସଙ୍ଗେ ଆସିଲା ।

‘‘କଣ ହେଲା ଜେରୀ ?’’

 

‘‘କଣ ହେଲା ? ଶ୍ରୀଯୁକ୍ତ ବ୍ରିଗ୍‌ସଙ୍କର ଇଚ୍ଛା ଯେ ମୁଁ ଶ୍ରୀମତୀ ବ୍ରିଗ୍‌ସଙ୍କୁ ନେଇ ପ୍ରତି ରବିବାର ଦିନ ଚର୍ଚ୍ଚ ଯିବି । ମୁଁ ମୋର ଛଅ ଦିନର ଲାଇସେନ୍ସ ଅଛି କହିବାରୁ ସେ ମତେ ସାତ ଦିନର ଲାଇସେନ୍ସ କରିବାକୁ କହୁଥିଲେ । ମତେ ପୁରସ୍କୃତ କରିବେ ବୋଲି ମଧ୍ୟ କହିଲେ । ଆଉ ପଲି ଏକଥା ବି ତ ତୁମେ ଜାଣିଛ ଯେ ସେମାନେ ଆମ ପାଇଁ କେତେ ଉଦାର । ଶ୍ରୀମତୀ ବ୍ରିଗ୍‌ସଙ୍କୁ ଯେତେବେଳେ ମୁଁ ନେଇ କେଉଁଠିକି ଯାଇଛି ସେ ଅନ୍ୟ କେତେକଙ୍କ ପରି ଖିଚ୍‌ ଖିଚ୍‌ କରନ୍ତି ନାହିଁ । ଭଲ ଭଡା ବି ଦିଅନ୍ତି । ସେ ପ୍ରକୃତରେ ଭଦ୍ର । ଯାତ୍ରାବେଳେ ତିନି ଘଣ୍ଟାର ରାସ୍ତାକୁ ଦୁଇଘଣ୍ଟା ମଧ୍ୟରେ ପହଞ୍ଚାଇବାକୁ ସେ କେବେ ବି କହନ୍ତି ନାହିଁ- ଯେମିତି ଟ୍ରେନ ଧରିବା ବେଳେ ଅନ୍ୟମାନେ କହନ୍ତି । ଘୋଡ଼ାଙ୍କ ପାଇଁ ଏ ପ୍ରକାର ଚଢ଼ାଳି ବି ଭଲ। ମୁଁ କିନ୍ତୁ ଏଇ ରବିବାର ଭଡ଼ା ବିଷୟରେ ମନା କରିଦେଲି । ଫଳରେ ହୁଏତ ଆମେ ତାଙ୍କୁ ପୂରାପୂରି ହରେଇ ପାରୁ । କଣ କହୁଛ?’’

 

ପଲି ଆସ୍ତେ ଆସ୍ତେ କହିଲା ‘‘ଜେରୀ ଶ୍ରୀମତୀ ବ୍ରିଗ୍‌ସ ଯଦି ଏଇ ରବିବାର ଗୁଡିକ ପାଇଁ ଥରକେ ଶହେ ଟଙ୍କା ବି ତତେ ଦିଅନ୍ତି ତଥାପି ମୁଁ ରାଜି ହେବିନି । ପୂର୍ବ ଅନୁଭୂତିରୁ ଆମେ ବୁଝିପାରିଛୁ ଯେ ରବିବାର କାମବେଳେ ଆମକୁ କେମିତି ଲାଗେ, ରବିବାର ବିଶ୍ରାମବେଳେ ଆମକୁ କେମିତି ଲାଗେ । ଭଗବାନଙ୍କୁ ଅଶେଷ ଧନ୍ୟବାଦ । ତୁମେ ବର୍ତ୍ତମାନ ଆମ ପାଳନପୋଷଣ ନିମିତ୍ତ ଯଥେଷ୍ଟ ରୋଜଗାର କରୁଛ । ଅବଶ୍ୟ ବେଳେ ବେଳେ ଓଟ୍‌ସ, କୁଟା, ଲାଇସେନ୍ସ, ଭଡା ଇତ୍ୟାଦି ପାଇଁ ଟିକେ ବେଶୀ ଖଟିବାକୁ ପଡୁଛି, କିନ୍ତୁ ହ୍ୟାରି ତ ଆଉ କିଛି ଦିନ ପରେ ପୁଣି କିଛି ରୋଜଗାର କରିବ । ପ୍ରତିଦିନ ଗାଡ଼ି ଚଳେଇବାଟା ଭୟଙ୍କର କଷ୍ଟ । ମୁଁ କେବେ ପସନ୍ଦ କରିବିନି । ସେଥିରେ ନା ତୁମେ ପରିବାରକୁ ସମୟ ଦେଇପାରିବ, ନା ପ୍ରାର୍ଥନା ପାଇଁ ଯାଇପାରିବ ନା ନୀରବ ଦିନର ଆରାମ ଟିକେ ପାଇପାରିବ । ସେଇ ପୁରୁଣା ଦିନର କଷ୍ଟକୁ ଭଗବାନ ଆମ ପାଇଁ ପୁଣି ଥରେ ଫେରାଇ ନ ଆଣନ୍ତୁ । ମୁଁ ତ ଏୟା କହିବି ଜେରୀ ।’’

 

ଜେରୀ କହିଲା ‘‘ମୁଁ ଠିକ୍‌ ଏଇ କଥା ମି ବ୍ରିଗ୍‌ସଙ୍କୁ କହିଲି ଏବଂ ସେଇପରି ହିଁ ଚଳିବି ।” ପଲି କାନ୍ଦିବାକୁ ଆରମ୍ଭ କରିଦେଇଥିବାରୁ ସେ ପୁଣି କହିଲା । ‘‘ଏମିତି କେଁ କେଁ ହୁଅନି । ମୁଁ କେବେ ବି ସେଇ ପୁରୁଣା ଦିନକୁ ଫେରିବି ନି । ଏଇୟା ଠିକ୍‌ ହେଲା । ବର୍ତ୍ତମାନ ଯାଅ, ଲୁହ ପୋଛ, ଆଉ ମୁଁ ଷ୍ଠାଣ୍ଡକୁ ଚାଲିଲି ।

 

ତିନି ସପ୍ତାହ ବିତିଗଲା ପରେ ମଧ୍ୟ ଜେରୀ ଆଉ ବ୍ରିଗସଙ୍କଠାରୁ ଭଡ଼ା ପାଇଲାନି । କେବଳ ଷ୍ଟ୍ୟାଣ୍ତରୁ ହିଁ ଭଡ଼ା ପାଇଲା । ଯଦିଓ ଏହା ଘୋଡ଼ା ଓ ଚାଳକ ପାଇଁ ଟିକେ ଅଧିକ ପରିଶ୍ରମର କାମ, ମାତ୍ର ଜେରୀ କିଛି ଭାବିଲା ନାହିଁ । ପଲି ସର୍ବଦା ତାକୁ ଉତ୍ସାହ ଦେଉଥାଏ, କହୁଥାଏ - ମନ ଖରାପ କରନି ବାପା, ମନ ଖରାପ କରନି ।

 

ସବୁଠୁ ଉତ୍ତମ କରିବ କାମ

ଆଉ ସବୁ କଥା ଛାଡ଼ି

ସେଇ ସବୁ ଆପେ ହୋଇଯିବ ଠିକ୍‌

ଦିନରେ ହେଉ ବା ରାତି ।

 

ଜେରୀ ଯେ ତାର ସର୍ବଶ୍ରେଷ୍ଠ ଭଡ଼ାଟିଆକୁ ହରାଇଲା ଏ ଖବର ଖୁବ୍‌ ଶୀଘ୍ର ପ୍ରଚାରିତ ହୋଇଗଲା । କେତେକ ତାକୁ ବୋକାମି କଲ ବୋଲି କହିଲେ । ପୁଣି କେତେ ତା ସପକ୍ଷରେ ରାୟ ମଧ୍ୟ ଦେଲେ । ଯଦି କାମ କରୁଥିବା ଲୋକ ରବିବାରରେ ଟିକେ ବିଶ୍ରାମ ନ ପାଇବେ ତେବେ ସେମାନେ ଭାବିବେ ଯେ ତାଙ୍କର କିଛି ନାହିଁ । କାରଣ ସାମୟିକ ବିଶ୍ରାମ ପ୍ରତ୍ୟେକ ମଣିଷ ଓ ପ୍ରତି ଜୀବଜନ୍ତୁଙ୍କର ଅଧିକାର । ଭଗବାନଙ୍କ ନିୟମ ମଧ୍ୟ ସେୟା- ଦିନଟିଏ ବିଶ୍ରାମ । ଇଂଲଣ୍ଡର ଆଇନ ଅନୁଯାୟୀ ସମସ୍ତ ଦିନଟିଏ ଛୁଟି । ଆଉ ଏ ନିୟମର ମଧ୍ୟ ରକ୍ଷା ହେବା ଉଚିତ୍‌ । ପରପିଢିଙ୍କୁ ମଧ୍ୟ ଶିକ୍ଷା ଦେବା ଉଚିତ୍‌ ।” ଟ୍ରୁମ୍ୟାନ କହିଲେ ଲ୍ୟାରୀ କହିଲା ‘‘ତୁମପରି ଧାର୍ମିକମାନେ ଏ କଥା ନିଶ୍ଚୟ କହିବେ, ମାତ୍ର ମୋ ମତରେ ଯେତେ ମୁଁ ପାରିବି ରୋଜଗାର କରିବି । ମୁଁ ଧର୍ମରେ ବିଶ୍ୱାସ ବି କରେ ନାହିଁ; ଅବା ତୁମପରି ଧାର୍ମିକ ଲୋକମାନେ କିଛି ବଡ଼ ବୋଲି ବି ବୁଝେ ନାହିଁ । ଜେରୀ କହିଲା ‘‘ସେମାନେ ଯଦି ଅନ୍ୟ ମାନଙ୍କଠାରୁ ଅପେକ୍ଷାକୃତ ଭଲ ନ ହୁଅନ୍ତି, ତେବେ ସେମାନେ ଧାର୍ମିକ ହିଁ ନୁହନ୍ତି । ତେବେ ତ ତୁମେ ଆମ ଦେଶ ନିୟମ କାନୁନ୍‌ଗୁଡ଼ିକୁ ମଧ୍ୟ ଠିକ୍‌ ବା ଭଲ ନୁହେଁ କହିବ । କାରଣ ଅନେକ ତାହା ମାନନ୍ତି ନାହିଁ । ଜଣେ ଲୋକ ମିଜାଜ ଦେଖାଏ, ପଡୋଶୀଙ୍କୁ ହଇରାଣ କରେ, ଋଣ ନେଇ ପରିଶୋଧ କରେନି, ସେ ତ ମୋଟରୁ ଧାର୍ମିକ ହିଁ ନୁହେଁ । ସେ କେତେ ଚର୍ଚ୍ଚକୁ ଯାଏ ତାହା ମୁଁ ଜାଣେନି, କେତେ ବଦମାସ ଆଉ ବୋକା ଲୋକ ତ ଆଉ ଧର୍ମକୁ ମିଥ୍ୟା ବୋଲି ପ୍ରମାଣ କରିପାରିବେନି । ପୃଥିବୀରେ ସର୍ବଶ୍ରେଷ୍ଠ ଧର୍ମ ହିଁ ସର୍ବଶ୍ରେଷ୍ଠ ସତ୍ୟ ଏବଂ ଏହି ଧର୍ମ ହିଁ ମଣିଷକୁ ପ୍ରକୃତ ସୁଖ ଦେଇପାରେ, ପୃଥିବୀକୁ ଆହୁରି ଭଲ କରିପାରେ ।’’

 

‘‘ଜୋନ୍‌ସ କହିଲା ‘‘ଯଦି ଧର୍ମ ସବୁ ପାଇଁ ଭଲ ତେବେ ତ ତୁମ ଧାର୍ମିକମାନେ ଆମକୁ ଆଗରୁ ରବିବାର ଦିନ କାମ କରିବା ପାଇଁ ବାରଣ କରିଥାନ୍ତେ । ତୁମେ ତ ସମସ୍ତେ ଜାଣ ଯେ ବହୁ ଲୋକ ରବିବାର ଦିନ କାମ ବି କରନ୍ତି ଏବଂ ସେହି କାରଣରୁ ମୁଁ କହେ ଯେ ଧର୍ମ କିଛି ନୁହେଁ, ଏକ ପ୍ରହସନ ମାତ୍ର । କାରଣ ଏହା ଚର୍ଚ୍ଚ ଏବଂ ଚର୍ଚ୍ଚ ଯିବା ଲୋକଙ୍କ ପାଇଁ ହିଁ ଲାଭ, ଆମ ପାଇଁ ନୁହେଁ । ସେମାନେ ଯାହା କରନ୍ତି ତାହା ନିଜ ପାଇଁ । ଯଦି ମୋ ଆତ୍ମାର ଡାକରେ ସେମାନେ ଜବାବ ଦେବା ମୁଁ ଆଶା କରେ, ମାତ୍ର ମୁଁ ତ ସେ ସୁଯୋଗ ପାଉନାହିଁ ।

 

ଅନେକ ଲୋକ ତାକୁ ବାଃ ବାଃ କଲେ । ତାପରେ ଜେରୀ ଆରମ୍ଭ କଲା- ‘‘ତୋ କଥା ଶୁଣିବାକୁ ତ ଭଲ ଲାଗୁଛି, କିନ୍ତୁ ତାହା ବାସ୍ତବ ହୋଇପାରିବ ନାହିଁ । ମଣିଷ ନିଜ ନିଜର ଆତ୍ମା ପ୍ରତି ସଜାଗ ରହିବା କଥା । ତୁମେ ଅନ୍ୟ ଉପରେ ଦାୟିତ୍ୱଦେଇ ନିଜ ଆତ୍ମାକୁ ଶୁଦ୍ଧିକରିବା ଭାବିବା ଠିକ୍‌ ଗୋଟିଏ ଅଜ୍ଞାତକୁଳଶୀଳ ସଦ୍ୟଜାତ ଶିଶୁକୁ ଅନ୍ୟ ଲୋକ ଦ୍ୱାରରେ ଥୋଇଦେଇ ତାର ଯତ୍ନ କରେଇବାକୁ ଭାବିବା ସହ ସମାନ । ତୁମେ ସବୁବେଳେ ନିଜ ସିଟ୍‌ଉପରେ ବସି ଭଡ଼ା ପାଇଁ ଅପେକ୍ଷା କରିବା ବେଳେ କ’ଣ ଜାଣିପାରୁନ ଯେ ସେମାନେ କହିବେ ଆମେ ତାଙ୍କୁ ନ ନେଲେ ଅନ୍ୟ କେହି ନେବ ଏବଂ ସେ ଛୁଟି ଚାହୁଁନାହିଁ । ତେବେ ରବିବାରରେ ଯଦି କେହି ଭଡ଼ା ଗାଡି ନିଅନ୍ତେ ନି ତେବେ ସମସ୍ତେ ବିଶ୍ରାମ ପାଆନ୍ତେ । କିନ୍ତୁ ଏହା ଭଡ଼ାନେବା ଲୋକଙ୍କ ପାଇଁ ସୁବିଧାଜନକ ମଧ୍ୟ ନୁହେଁ । ଆଉ ତୁମେ ରବିବାର ଚାଳକମାନେ ଯଦି ଷ୍ଟ୍ରାଇକ ବି କରନ୍ତ ଗୋଟାଏ ଦିନ ଛୁଟି ପାଇଁ ତେବେ ପରିସ୍ଥିତି ଭିନ୍ନ ହୁଅନ୍ତା ।’’ ଲ୍ୟାରୀ ପଚାରିଲା ‘‘ତେବେ ସବୁ ଧାର୍ମିକମାନେ ତାଙ୍କ ପ୍ରିୟ ପ୍ରଚାରକଙ୍କ ନିକଟକୁ ଯାଆନ୍ତେ କେମିତି ?’’

 

‘‘ଅନ୍ୟ ଲୋକଙ୍କ ପାଇଁ ଉପାୟ ବାହାର କରିବା ମୋର କାମ ନୁହେଁ ଯଦି ଲୋକେ ଟିକେ ଚାଲି ନ ପାରିବେ ତେବେ ନିକଟବର୍ତ୍ତୀ ଚର୍ଚ୍ଚକୁ ହିଁ ଯିବେ । ବର୍ଷାବେଳେ ବର୍ଷାତୀ ପିନ୍ଧିବେ । ଯେଉଁ କଥାଟା ଠିକ୍‌ ସେଟା କରି ହେବ । ଯାହା ଠିକ୍‌ ନୁହେଁ ତାହା ‘‘କରିବା ଦରକାର ମଧ୍ୟ ନାହିଁ । ଭଲଲୋକ ଠିକ୍‌ ରାସ୍ତାଟି ପାଇଯିବ- ସେ ଗାଡ଼ିଚାଳକ ହେଉ ଅବା ଚର୍ଚ୍ଚକୁ ଯାଉଥିବା ଭଦ୍ରଲୋକ ବି ହୁଅନ୍ତୁ ।’’ ଜେରୀ କହି ଉଠିଲା ।

•••

 

Unknown

ସୁବର୍ଣ୍ଣ ନୀତି

 

ଏହାର ଦୁଇ ତିନି ସପ୍ତାହ ପରେ ଦିନେ ଆମେ ସନ୍ଧ୍ୟାପରେ ପରେ ପରେ ଟିକେ ଡେରିରେ ପହଞ୍ଚିଲୁ । ପଲି ଲଣ୍ଠନ ଧରି ଦୌଡ଼ି ଦୌଡ଼ି ରାସ୍ତା ପାର ହୋଇ ଆସିଲା । (ବର୍ଷାହେବା ବେଳ ବ୍ୟତୀତ ସେ ସବୁବେଳେ ହତା ଭିତରେ ଭିତରକୁ ଲଣ୍ଠନ ନେଇଆସେ ।)

 

କହିଲା, ସବୁ ଠିକ୍‌ ହୋଇଗଲା, ଜେରୀ ଆଜି ଅପରାହ୍‌ଣରେ ମିସେସ୍‌ ବ୍ରିଗ୍‌ସ ତାଙ୍କ ଚାକରକୁ ପଠେଇ କାଲି ଏଗାରଟାରେ ତୁମକୁ ଡକେଇଛନ୍ତି । ମୁଁ ତାକୁ କହିଲି ଠିକ୍‌ ଅଛି, କିନ୍ତୁ ସେ ପରା ଆଉ ଗୋଟାଏ ଗାଡ଼ି ଭଡ଼ା କରୁଛନ୍ତି?’’

 

ତାଙ୍କ ଚାକର କହିଲା ‘‘ପ୍ରକୃତ କଥା ହେଲା ଯେ ସେଦିନ ମି. ବାର୍କର ରବିବାରକୁ ଯିବା ପାଇଁ ମୋ ମାଲିକଙ୍କୁ ମନା କରିଦେବାରୁ ସେ ଖୁବ୍‌ ଦୁଃଖିତ ହୋଇ ଅନ୍ୟ ଗାଡ଼ି ଭଡ଼ାରେ ନେଉଥିଲେ । ହେଲେ କିଏ ଖୁବ୍‌ ଜୋର ତ କିଏ ଖୁବ୍‌ ଆସ୍ତେ ଗାଡ଼ି ଚଳେଇଲେ । ମ୍ୟାଡମଙ୍କ ମତରେ ସବୁ ଗାଡ଼ିବାଲାଙ୍କର ଚଳାଇବାରେ କିଛି ନା କିଛି ଦୋଷ ରହିଛି । ତୁମପରି ଭଲ ଓ ପରିଷ୍କାର ଚଳେଇବା ଶକ୍ତି କାହାର ନାହିଁ । ତେଣୁ ମ୍ୟାଡାମଙ୍କୁ ନେବା ଆଣିବା ପାଇଁ ତୁମ ଗାଡ଼ିଟି ହିଁ ତାଙ୍କର ସବୁଠୁ ପସନ୍ଦ ।’’

 

ପଲି କଥାଗୁଡାକ ଧଇଁସଇଁ ହୋଇ କହିଯାଉଥିବା ବେଳେ ବାର୍କର ବେଶ୍‌ ଜୋରରେ ହସି ପକାଇଲା । ‘‘ସମସ୍ତେ ଠିକ୍‌ ରାସ୍ତାକୁ ଆସିବେ ଯଦି ନିଜେ ଠିକ୍‌ ଥିବ ତେବେ ଦୁନିଆ ଠିକ୍‌ । ଶୀଘ୍ର ଯାଇ ରାତ୍ରୀ ଭୋଜନର ବ୍ୟବସ୍ଥା କର । ମୁଁ ଘୋଡ଼ାକୁ ଖୋଲାଖୋଲି କରିଦେଇ ଆରାମରେ ରଖି ଆସୁଛି ।’’

 

ଏହାପରେ ଶ୍ରୀମତୀ ବ୍ରିଗ୍‌ସ ଜେରୀର ଗାଡ଼ିକୁ ଠିକ୍‌ ପୂର୍ବପରି ନିୟମିତ ଭଡ଼ା ନିଅନ୍ତି- ଅବଶ୍ୟ ରବିବାର ବାଦଦେଇ । କିନ୍ତୁ ଏମିତି ସମୟ ଆସିଲା ଯେ ଆମକୁ ରବିବାରରେ ମଧ୍ୟ କାମ କରିବାକୁ ହେଲା । ତାହା କିପରି ଘଟିଲା ମୁଁ ବର୍ତ୍ତମାନ କହିବାକୁ ଯାଉଛି । ଥରେ ଗୋଟିଏ ଶନିବାର ରାତିରେ ଆମେ ସମସ୍ତେ କ୍ଲାନ୍ତ ହୋଇ ଘରକୁ ଫେରିଛୁ । ଆଗାମୀ ଦିନର ବିଶ୍ରାମ ପାଇଁ ଖୁସି, କିନ୍ତୁ ତାହା ହୋଇପାରିଲା ନାହିଁ ।

 

ରବିବାର ସକାଳେ ଜେରୀ ମତେ ଅଗଣାରେ ପରିଷ୍କାର କରୁଥିବାବେଳେ ପଲି ଟିକେ ବ୍ୟସ୍ତ ହୋଇ ତା ପାଖକୁ ଆସିଲା । ‘‘କ’ଣ ହେଲା ?’’- ଜେରୀ ପଚାରିଲା ।

 

‘‘କଣ ହେଲା କି,’’ ସେ କହିବାରେ ଲାଗିଲା ‘‘ବିଚାରୀ ଡିନା ବ୍ରାଉନଙ୍କ ପାଖକୁ ତାଙ୍କ ମାଆଙ୍କ ଅସୁସ୍ଥତା ବିଷୟରେ ଏକ ଚିଠି ଆସିଛି । ସେ ଯଦି ମାଆଙ୍କୁ ଜୀବିତ ଅବସ୍ଥାରେ ଦେଖିବାକୁ ଚାହାନ୍ତି ତାଙ୍କୁ ସଙ୍ଗେ ସଙ୍ଗେ ବାହାରିବାକୁ ପଡ଼ିବ । ମାଆ ମୃତ୍ୟୁଶଯ୍ୟାରେ । ତାଙ୍କ ଘର ଦଶ ମାଇଲ ଦୂରର ମଫସଲ ଅଞ୍ଚଳରେ । ସେ ଯଦି ଟ୍ରେନରେ ବି ଯାଆନ୍ତି ତାଙ୍କୁ ଚାରି ମାଇଲ ଚାଲିବାକୁ ପଡ଼ିବ । ଏକେ ତ ସେ ନିଜେ ଦୁର୍ବଳ ପୁଣି ଚାରିମାସର ପିଲା । ତେଣୁ ଟ୍ରେନରେ ଯିବା ତ ଅସମ୍ଭବ । ସେ ପଚାରି ପଠେଇଛନ୍ତି ଯେ ତୁମେ ତାଙ୍କୁ ତୁମ ଗାଡ଼ିରେ ଛାଡିଦେଇ ପାରିବ କି ? ଭଲ ଭଡ଼ା ଦେବେ ବୋଲି ମଧ୍ୟ ସେ କହିଛନ୍ତି ।” ‘‘ହଁ ମୁଁ ଚିନ୍ତାକରି କହିବି- ଟଙ୍କା ପାଇଁ ଭାବୁନି, ମାତ୍ର ମୋର ରବିବାରଟା ତ ନଷ୍ଟ ହେବ । ମୁଁ ଓ ମୋର ଘୋଡ଼ାମାନେ କ୍ଲାନ୍ତ । ସେଇଟା ହିଁ ମତେ ବାଧୁଛି ।’’

 

‘‘ଆମ ସମସ୍ତଙ୍କୁ ବି ବାଧୁଛି । ଅଧା ରବିବାର ମତେ ତୁମବିନା କଟେଇବାକୁ ପଡିବ । କିନ୍ତୁ ଆଉ ଗୋଟିଏ କଥା ମଧ୍ୟ ସତ ଯେ ଆମେ ବିପଦରେ ପଡ଼ିଲେ ଯେପରି ଅନ୍ୟଠାରୁ ସାହାଯ୍ୟ ଆଶା କରିବା, ଅନ୍ୟମାନଙ୍କ ବିପଦରେ ମଧ୍ୟ ଆମଠୁ ସେମାନେ ସାହାଯ୍ୟ ଆଶା କରିବେ ଏବଂ ଆମେ ତାଙ୍କୁ ସାହାଯ୍ୟ କଲେ ହିଁ ପାଇବା । ମୋ ମାଆ କ୍ଷେତ୍ରରେ ମୁଁ କେମିତି ଅନୁଭବ କରିଥାନ୍ତି ସେଟା ବି ମୁଁ ବୁଝିପାରୁଛି । ପ୍ରିୟ ଜେରୀ, ଏହି ଉପକାରଟିକ ଆମ ପ୍ରାର୍ଥନା ଯେ ଭଙ୍ଗ କରିବ ନାହିଁ ତାହା ମୁଁ ଜାଣେ । ଯଦି ଗୋଟାଏ ଅସୁସ୍ଥ ଗଧ ବା ପଶୁକୁ ଗାତରୁ ବାହାର କରିଦେବାରେ କ୍ଷତି ହେବ ନାହିଁ ତେବେ ବିଚାରୀ ଡିନାକୁ ନେଇଗଲେ ମଧ୍ୟ କ୍ଷତି ହେବ ନାହିଁ ।” ‘‘ଆରେ ପଲି, ତୁମେ ତ ଠିକ୍‌ ଧର୍ମପ୍ରଚାରକ ପରି କଥା କହୁଛ । ମୋର ଏଇ ରବିବାର ପ୍ରାର୍ଥନା ଆଜି ଶୀଘ୍ର ହେବ । ତୁମେ ଡିନାକୁ ଯାଇ କହିଆସ ଯେ ମୁଁ ଠିକ୍‌ ଦଶଟା ବେଳକୁ ଯିବା ପାଇଁ ପ୍ରସ୍ତୁତ ହୋଇପାରିବି । ଆରେ ରୁହ ! ରୁହ ! ତୁମେ ଟିକେ ମି, ବ୍ରେଡେନ ଘରକୁ ଯାଇ ତା ଗାଡ଼ିର ହାଲୁକା ସ୍ପ୍ରିଙ୍ଗଟା ମାଗି ଆଣିବ । ସେ ତ ରବିବାର ଦିନ ସେଟା ବ୍ୟବହାର କରେ ନି । ଘୋଡ଼ାଙ୍କୁ ତହିଁରେ ଅନେକ ବେଶୀ ସୁବିଧା ହେବ ।

 

ପଲି ଚାଲିଗଲା । କିଛି ସମୟ ପରେ ଫେରିଆସି କହିଲା ‘‘ତୁମେ ଗଲାବେଳକୁ ତାଠୁ ସେଟା ନେଇଯିବ ।’’

 

ଠିକ୍‌ ଅଛି ସେ କହିଲା ‘‘ମତେ ଟିକେ ପାଉଁରୁଟି ଓ ଛେନା ଦେଇଦିଅ । ଅପରାହ୍‌ଣରେ ଯେତେ ଶୀଘ୍ର ପାରିବି ମୁଁ ଫେରିଆସିବି ।’’ ପଲି କହିଲା ‘‘ମୁଁ ତାହା ହେଲେ ମାଂସ ରାତ୍ରିଭୋଜନ ପାଇଁ ନରଖି ସନ୍ଧ୍ୟାବେଳେ ଚା ସହିତ ହିଁ ରଖିବି ।’’

 

ସେ ଚାଲିଗଲା । ଜେରୀ ଯାତ୍ରା ପ୍ରସ୍ତୁତିରେ ଲାଗିପଡିଲା, ପଲି ଯେମିତି କେବେ ଭୁଲ କରେ ନାହିଁ - ସେଇ ପଥ ଧରି ସେ ଆୟୋଜନ କଲା ।

 

ଯାତ୍ରା ପାଇଁ ମତେ ବଛାଗଲା । ଠିକ୍‌ ଦଶଟା ବେଳକୁ ଆମେ ବଡ଼ ଚକବାଲା । ହାଲୁକା ଗାଡ଼ିନେଇ ଚାଲିଲୁ । ଗାଡ଼ି ଏତେ ସୁନ୍ଦର ଚାଲୁଥାଏ ଯେ ଟାଣିବା କଷ୍ଟ ଏକଦମ୍‌ ଲାଗିଲା ନାହିଁ, ବିଶେଷକରି ଚାରିଚକ ଗାଡ଼ି ଚଳେଇବା ତୁଳନାରେ । ମେ ମାସର ଗୋଟିଏ ଚମତ୍କାର ଦିନ-। ସହରରୁ ବାହାରି ଆସିବା ପରେ ମୃଦୁ ପବନ, ସତେଜ ସବୁଜ ଘାସର ବାସ୍ନା ଏବଂ ନରମ ଗ୍ରାମ୍ୟ ରାସ୍ତା ଅତୀତର ସବୁ ସ୍ମୃତିକୁ ଫେରାଇ ଆଣିଲା ପରି ମନେହେଲା । ଖୁବ୍‌ କମ ସମୟ ମଧ୍ୟରେ ମୋର ଖୁବ୍‌ ସତେଜତା ଅନୁଭବ ହେଲା ।

 

ଡିନାର ପରିବାର ଏକ ଛୋଟ ଫାର୍ମ ହାଉସରେ ବାସ କରୁଥାନ୍ତି । ନିକଟରେ ପଡ଼ିଆ ଥିବା ସରୁ ରାସ୍ତା, କେତେକ ଶୀତଳ ଛାୟା ଦେଉଥିବା ଗଛ ଏବଂ ଦୁଇଟା ଗାଈଙ୍କର ଚରିବାର ଦୃଶ୍ୟ- ଏ ସବୁ ବେଶ୍‌ ଆନନ୍ଦଦାୟକ ହୋଇଥିଲା । ଜଣେ ଯୁବକ ଜେରୀକୁ ଗାଡ଼ିଟା ପଡ଼ିଆରେ ରଖିବାକୁ କହିଲା । ତେବେ ସେ ମତେ ଗୁହାଳରେ ବାନ୍ଧିଦେବ । ସେ ପୁଣି କହିଲା ତାର ହେଲେ ଗୋଟାଏ ଭଲ ଘୋଡ଼ାଶାଳ ଥାଆନ୍ତା କି ।

 

‘‘ତୁମ ଘୋଡ଼ାମାନେ ଅସ୍ଵସ୍ତିବୋଧ ନ କଲେ ମୋ ଘୋଡ଼ାର ସେଠି ରହିବାକୁ କିଛି ବି ଅସୁବିଧା ହେବ ନାହିଁ । ଏଇ ସୁନ୍ଦର ଘାସପଡ଼ିଆ ଭିତରେ ଘଣ୍ଟେ ଦୁଇଘଣ୍ଟା କଟାଇବାକୁ ଦେଲେ ତ ଏହା ତାକୁ ଏକ ବିଶେଷ ଅଭ୍ୟର୍ଥନା ପାଇବା ପରି ଲାଗିବ । ସେ ବେଶ୍‌ ଶାନ୍ତଶିଷ୍ଟ ମଧ୍ୟ’’- ଜେରୀ କହିଲା ।

 

‘‘ସେୟା କର । ଅଭିନନ୍ଦନ ନିଅ । ତୁମେ ମୋ ଭଉଣୀ ପାଇଁ ଯାହା କରିଛ ତୁମ ପାଇଁ ଯାହା କଲେ ବି ଆମେ ଖୁସି ହେବୁ । ଆମର ଖିଆପିଆ ଆଉ ଘଣ୍ଟାଏ ପରେ ହେବ । ଆପଣ ମଧ୍ୟ ଆମ ସହ ଭୋଜନ କରି ଫେରିବେ । ଅବଶ୍ୟ ମୋ ମାଆ ଅତ୍ୟନ୍ତ ଅସୁସ୍ଥ ଥି‌ବାରୁ ସେପରି କିଛି ବିଶେଷ ଖାଦ୍ୟ ପ୍ରସ୍ତୁତ ହୋଇପାରିବ ନାହିଁ ।

 

ଜେରୀ ତାକୁ ଧନ୍ୟବାଦ ଜଣାଇ କହିଲା ଯେ ସେ ନିଜ ଖାଦ୍ୟ ନେଇକରି ଆସିଛି, ତେଣୁ ସେ ସେଇ ସବୁଜ ପଡ଼ିଆଟିରେ ବୁଲି ବୁଲି ହିଁ ସମୟ କଟାଇବ ।

 

ମତେ ଯେତେବେଳେ ଖୋଲିଦେଲେ ମୁଁ ହଠାତ୍‌ କୋଉ କାମଟି ଆଗ କରିବି ‘‘ବୁଝିପାରିଲି ନାହିଁ- ଆଗ ଘାସ ଖାଇବି କି ତଳେ ଗଡ଼ିଯିବି, ବିଶ୍ରାମ କରିବି ନା ଆଗ ମୁକ୍ତ ହୋଇ ଆନନ୍ଦରେ ଘାସପଡ଼ିଆରେ ଦୌଡ଼ିବି । ତେବେ ଯାହା ହେଉ, ମୁଁ ପାଳି ପାଳି କରି ଉପରୋକ୍ତ ସବୁକାମ କଲି । ମନେ ହେଲା ଜେରୀ ମଧ୍ୟ ମୋ ପରି ବେଶ୍‌ ଖୁସି । ସେ ଗଛ ଛାଇରେ ବସି ଚଢ଼େଇଙ୍କ ଚେଁଚାମେଁଚି ଶୁଣୁଥିଲା । ତାପରେ ସେ ଗୀତ ଗାଇଲା, ପୁଣି ତାର ସେଇ ବ୍ରାଉନ ରଙ୍ଗର ଛୋଟ ବହିଟିକୁ କାଢ଼ି ପଢ଼ିଲା । ବହିଟି ତାର ଭାରି ପ୍ରିୟ । କିଛି ସମୟ ପରେ ବୁଲାବୁଲି କରି ନିକଟସ୍ଥ ଛୋଟ ଝରଣା କୂଳକୁ ଗଲା । ସେଠୁ ନାନା ରଙ୍ଗର ଫୁଲ ତୋଳି ତାକୁ ଏକାଠି କଲା-। ତାପରେ ମତେ ସାଙ୍ଗରେ ଆଣିଥିବା ଓଟ୍‌ସ ବି ଖାଇବାକୁ ଦେଲା । କିନ୍ତୁ ଯେତେ ସମୟ ରହିଲେ ବି ମୋ ମନ ପୂରୁ ନଥାଏ । ଅନେକ ଦିନରୁ ଏମିତି ଖୋଲା ପଡ଼ିଆରେ ବୁଲିବାର ସୌଭାଗ୍ୟ ମୋର ହୋଇ ନଥିଲା । ବିଚାରୀ ଜିଞ୍ଜରକୁ ଛାଡ଼ି ଆର୍ଲସାଲରୁ ଚାଲି ଆସିବା ପରେ ଆଉ କେବେ ଏମିତି ଖୋଲା ପଡ଼ିଆରେ ବୁଲିପାରି ନଥିଲି ।

 

ଆମେ ଧୀରେ ଧୀରେ ଘରକୁ ଫେରୁଥିଲୁ । ସେଠୁ ଆମେ ଭିତରକୁ ପଶିବା ମାତ୍ରେ ଜେରୀର ପ୍ରଥମ କଥା ‘‘ପଲି ମୁଁ ଆଜିର ଏଇ ରବିବାର ହରେଇ ନାହିଁ । ପ୍ରତ୍ୟେକ ସ୍ଥାନରେ ପକ୍ଷୀଦଳ ପ୍ରଭୁଙ୍କର ଗୀତ ଗାଉଥିଲେ ଓ ମୁଁ ସେଥିରେ ତାଳ ଦେଉଥିଲି । ଆଉ ଜ୍ୟାକ୍‌ - ସେ ଆଜି ବି ଶିଶୁ ଘୋଡ଼ାଟିଏ ପରି ଆନନ୍ଦ କରୁଥଲା ।

 

ତାପରେ ସେ ପଲିକୁ ପୁଷ୍ପଗୁଚ୍ଛଟି ବଢ଼ାଇଦେଲା । ପଲି ଆନନ୍ଦରେ ନାଚି ଉଠିଲା ।

•••

 

ଡଲି ଏବଂ ଭଦ୍ରଲୋକ

 

ଶୀତକାଳ ଶୀଘ୍ର ଆସିଗଲା । ଖୁବ୍‌ ଓଦାଳିଆ ଥଣ୍ଡା । ସପ୍ତାହ ସପ୍ତାହ ଧରି ପ୍ରତିଦିନ ବରଫପାତ, ବର୍ଷା ଲାଗି ରହୁଥିଲା । ଜୋରରେ ପବନ ବହିବା, ଘନ କୁହୁଡ଼ି ବି ବେଳେ ବେଳେ ହେଉଥିଲା । ସବୁ ଘୋଡ଼ାମାନଙ୍କ ପାଇଁ ଏପରି ପାଗ ଖୁବ୍‌ କଷ୍ଟକର । ଶୁଖିଲା ପାଗରେ ଥଣ୍ଡା ହେଲେ ଗଦାଏ ମୋଟା କନାରେ ଆମକୁ ଘୋଡ଼ାଇ ଦେଲେ ଚଳେ । କିନ୍ତୁ ବର୍ଷା ସହ ଥଣ୍ଡା ହେଲେ ସେଇ ଘୋଡେଇ ହେବା କନା ଗୁଡ଼ିକ ଓଦା ହୁଏ ଏବଂ ଆମ କଷ୍ଟର ସୀମା ରହେନି । ଅବଶ୍ୟ କେତେ ଚାଳକଙ୍କ ପାଖରେ ୱାଟରପ୍ରୁଫ୍‌ ଘୋଡ଼ିହେଲା ଥାଏ, ତହିଁରେ ଶୀତ ଲାଗେନି । କିନ୍ତୁ କେତେକ ଚାଳକ ଏତେ ଦରିଦ୍ର ଯେ ସେମାନଙ୍କ ପାଖରେ ଏଇ ସବୁ ନଥାଏ । ତେଣୁ ସେମାନେ ନା ନିଜକୁ ନା ଘୋଡ଼ାମାନଙ୍କୁ ଏଇ ଥଣ୍ଡାରୁ ରକ୍ଷା କରିପାରନ୍ତି । ସେ ବର୍ଷ ଶୀତରେ ଅନେକ ଏମିତି ଥଣ୍ଡାରେ ଭୋଗିଲେ । ଆମେ ଘୋଡ଼ାମାନେ ଅଧାଦିନ ଖଟି ଘୋଡ଼ାଶାଳରେ ଶୁଖିଲା ଦେହରେ ଆରାମ କରୁ, ମାତ୍ର ଚାଳକମାନେ ଥଣ୍ଡାରେ ସିଟରେ ବସି ଅପେକ୍ଷା କରନ୍ତି, ବିଶେଷ କରି ଯେଉଁଦିନ ପାର୍ଟି ଇତ୍ୟାଦି ପାଇଁ ଆମ ଗାଡ଼ି ଭଡ଼ାରେ ନିଆଯାଇଥାଏ ।

 

ଆମ ଘୋଡ଼ାମାନଙ୍କ ପାଇଁ ଚାଲିବା ରାସ୍ତାରେ ବରଫପାତ ହେଲେ ତାହା ଆମ ପାଇଁ ସବୁଠାରୁ ଯନ୍ତ୍ରଣାଦାୟକ । ଏହିପରି ରାସ୍ତାରେ ଯଦି ଗୋଟିଏ ମାଇଲ ବି ଆମେ ମାଲ ବୋଝେଇ ଗାଡ଼ି ଟାଣି ଯାଉ ତେବେ ସେଥିରେ ଆମର ଶାରୀରିକ କ୍ଷତି ଯଥେଷ୍ଟ ବେଶି ହୁଏ- ଆମେ ଯଦି ଭଲ ଶୁଖିଲା ରାସ୍ତାରେ ଏକ ବୋଝେଇ ଗାଡ଼ିକୁ ଚାରି ମାଇଲ ବି ଟାଣିବୁ । ବରଫ ରାସ୍ତାରେ ଭାରସାମ୍ୟ ରଖିବା ପାଇଁ ପ୍ରତ୍ୟେକ ଅଙ୍ଗ ସହ ମାଂସପେଶୀକୁ ଶକ୍ତଭାବେ ରଖିବାକୁ ପଡ଼ିବ ଏବଂ ତା ସହିତ ରାସ୍ତାରେ ପଡ଼ି ଯିବାର ଭୟ ମଧ୍ୟ ଥିବ- ଏ ସବୁ ଯେକୌଣସି କାମଠାରୁ ଅଧିକ କ୍ଲାନ୍ତିକର । ଯଦି ରାସ୍ତା ଖୁବ୍‌ ଖରାପ ଏବଂ ଆମ ଜୋତା ଛିଣ୍ଡା ତେବେ ପ୍ରଥମରୁ ହିଁ ଆମକୁ ଅଧୈର୍ଯ୍ୟ ଲାଗେ ।

 

ଯେତେବେଳେ ପାଗ ଖୁବ୍‌ ଖରାପ ହୁଏ, ବହୁ ଚାଳକ ଯାଇ ପାଖର ଛୋଟ ହୋଟେଲରେ ବସନ୍ତି ଏବଂ ଆଉ କାହାକୁ ଗାଡ଼ିକୁ ଜଗେଇ ଦିଅନ୍ତି । କିନ୍ତୁ ଜେରୀ କହେ ଏହା ଦ୍ଵାରା ସେମାନେ ଭଡ଼ା ତ ହରାନ୍ତି, ହୋଟେଲରେ ବି ଖର୍ଚ୍ଚ କରିବାକୁ ପଡ଼େ । ସେ କେବେ ବି ରାଇଜିଂ ସନ (ହୋଟେଲ)କୁ ପଶେନି । ନିକଟସ୍ଥ କଫି ଦୋକାନଙ୍କୁ ବେଳେବେଳେ ଯାଏ । କିମ୍ବା ସେଠି କହିଦେଲେ ଗୋଟାଏ ବୁଢ଼ା ଗରମ କଫି, ମାଂସ ଆଦି ଆଣି ଦିଏ । ଜେରୀ ଭାଷାରେ ବିୟର ଆଉ ସ୍ପିରିଟ୍‌ ପରେ ଲୋକଙ୍କୁ ଅଧିକ ଥଣ୍ଡା କରେ ଏବଂ ଶୁଖିଲା ପୋଷାକ, ଉତ୍ତମ ଖାଦ୍ୟ, ଖୁସି ମନ ଓ ଘରେ ଉତ୍ତମ ପତ୍ନୀ- ଏଇସବୁ ଶ୍ରେଷ୍ଠ ପଦାର୍ଥ ପ୍ରାପ୍ତି ହିଁ ଗୋଟିଏ ଚାଳକକୁ ଉଷୁମ ରଖିପାରେ । ସେ ଘରକୁ ଆସିବାର ଡେରି ହେବ ଜାଣିଲେ ପଲି ସବୁବେଳେ ତା ସାଥିରେ ନେବା ପାଇଁ କିଛି ଖାଦ୍ୟ ଦେଇଥାଏ । ବେଳେବେଳେ ଜେରୀ ବି ଦେଖେ ଯେ ଛୋଟ ଡଲି ବି ତା ବାପା ଷ୍ଟ୍ୟାଣ୍ତରେ ମହଜୁଦ ଅଛନ୍ତି କି ନାହିଁ ଦେଖିବାକୁ ତା ଘର ପାଖରୁ ଉଙ୍କି ମାରେ । ଯଦି ସେ ତାଙ୍କୁ ଦେଖି ପକାଏ ତେବେ ସଙ୍ଗେ ସଙ୍ଗେ ଘର ଭିତରକୁ ଦୌଡ଼ିଯାଇ ଟିକିଏ ଲମ୍ବା ଗୋଟାଏ ଟିଣ କିମ୍ବା ଡାଲାରେ କିଛି ଖାଦ୍ୟ ପଦାର୍ଥ ନେଇ ଆସେ । ପଲି ସବୁବେଳେ ହୁଏତ ସୁପ୍‌ ନହେଲେ ପୁଡିଂ ଅବା ଅନ୍ୟ କିଛି- କିଛି ନା କିଛି ରେଡି କରି ରଖିଥାଏ । ଆଶ୍ଚର୍ଯ୍ୟର କଥା ଯେ ଏତେ ଛୋଟ ଝିଅଟିଏ ଘୋଡ଼ାଗାଡ଼ିରେ ପୂର୍ଣ୍ଣ ଗହଳି ରାସ୍ତା ପାର ହୋଇ ଏତେ ଶୀଘ୍ର ଆସେ କେମିତି ? ମାତ୍ର ସେ ସାହସୀ ଝିଅ- ଯିଏ କି ବାପର ଖାଦ୍ୟ ଧରି ଆସିବାରେ ଗର୍ବ ଅନୁଭବ କରେ । ଏହାକୁ ଜେରୀ କହେ ‘‘ବାପର ପ୍ରଥମ ପଙ୍ଗତ’’ । ଷ୍ଟ୍ୟାଣ୍ତରେ ଡଲି ସମସ୍ତଙ୍କର ପ୍ରିୟ । ରାସ୍ତାରେ ଯିବାବେଳେ ପ୍ରତ୍ୟେକେ ତାର ନିରାପତ୍ତା ପ୍ରତି ଦୃଷ୍ଟି ଦିଅନ୍ତି ଯେତେବେଳେ ଜେରୀ ଅନ୍ୟ ଆଡ଼କୁ ଦୃଷ୍ଟି ଦିଏ ।

 

ଦିନେ ଥଣ୍ଡା ପବନ ଜୋରରେ ବହୁଥାଏ । ଗରମ ସୁପ୍‌ ଧରି ଡଲି ତା ବାପକୁ ଖୁଆଇବା ପାଇଁ ବେଲାଟି ଜେରୀ ହାତରେ ଦେଇ ସେଠାରେ ଠିଆ ହୋଇଥାଏ । ଜେରୀ ଖାଇବାକୁ ଠିକ୍‌ ପାଟି ଖୋଲିଛି କି ନାହିଁ, ଜଣେ ଭଦ୍ରଲୋକ ଛତାଟିଏ ଧରି ଖୁବ୍‌ ଜୋରରେ ଚାଲି ଚାଲି ଆସି ସେଠି ପହଞ୍ଚିଲେ । ଜେରୀ ତାଙ୍କୁ ସମ୍ମାନ ଦେଖାଇ ଟୋପି ଉଠାଇଲା ଏବଂ ବେଲାଟି ଝିଅ ହାତକୁ ବଢ଼େଇ ଦେଲା । ମୋ ଉପରୁ କନାଟି କାଢ଼ିବାକୁ ଠିକ୍‌ ଯାଉଥିବାବେଳେ ଭଦ୍ରଲୋକ ବଡ଼ ପାଟିରେ କହିଲେ- ‘‘ନା ନା ଆପଣ ସୁପ୍‌ ପିଇ ଦିଅନ୍ତୁ । ମୁଁ ତରତରରେ ଅଛି ଏହା ଠିକ୍‌, ମାତ୍ର ଏଇ ସୁପ୍‌ଟିକ ପିଇଦେଇ ଝିଅକୁ ରାସ୍ତାପାର କରେଇ ଦେବାରେ ଯେଉଁ ଟିକକ ସମୟ ଲାଗିବ ମୁଁ ଅପେକ୍ଷା କରିପାରିବି । ଏହା କହି ସେ ଗାଡ଼ିରେ ବସିଲେ । ଜେରୀ ତାଙ୍କୁ ଧନ୍ୟବାଦ ଦେଇ ଡଲି ନିକଟକୁ ଆସି କହିଲା ‘‘ଏଇ ଦେଖ ଡଲି ଇଏ ହିଁ ହେଉଛନ୍ତି ପ୍ରକୃତ ଭଦ୍ରଲୋକ । ତାଙ୍କ ସମୟ ଓ ଚିନ୍ତା ମୋ ପରି ଗୋଟିଏ ଘୋଡ଼ା ଗାଡ଼ି ଚାଳକ ଏବଂ ତା କନ୍ୟାପ୍ରତି ମଧ୍ୟ ଅଛି ।’’

 

ସେ ସୁପ୍‌ ପିଇ କନ୍ୟାକୁ ରାସ୍ତାପାର କରେଇ ସାରି ଫେରିଲା । ତାପରେ ଭଦ୍ରଲୋକଙ୍କ ନିର୍ଦ୍ଦେଶ ଅନୁଯାୟୀ ‘କ୍ଲାଫାମ୍‌ ରାଇଜ’ ଆଡକୁ ଗାଡ଼ି ଚଳେଇଲା । ଏହାପରେ ଆମ ଗାଡ଼ିରେ ସେ ଭଦ୍ରଲୋକ ଅନେକ ଥର ଯାଇଛନ୍ତି । ଖୁବ୍‌ କୁକୁର ଓ ଘୋଡ଼ାପ୍ରିୟ ବୋଲି ମୋର ମନେ ହୁଏ । କାରଣ ଯେତେ ଥର ଛାଡ଼ିବାକୁ ତାଙ୍କ ଘର ପାଖକୁ ଯାଇଛୁ ତିନି କି ଚାରିଟା କୁକୁର ତାଙ୍କୁ ପାଛୋଟି ନେବା ପାଇଁ ଭୁକି ଭୁକି ଦୌଡ଼ି ଆସନ୍ତି । ତାପରେ ମତେ ମଧ୍ୟ ସେ ବେଳେବେଳେ ଆଦର କରି କହନ୍ତି ‘‘ଏ ଘୋଡ଼ା ଖୁବ୍‌ ଭଲ ମାଲିକ ପାଇଛି, ଆଉ ଏଥିପାଇଁ ସେ ଯୋଗ୍ୟ ମଧ୍ୟ । ଏହା ସାଧାରଣତଃ ଅସ୍ଵାଭାବିକ ଯେ ଜଣେ ଗୋଟିଏ ଘୋଡ଼ାର କାର୍ଯ୍ୟକଳାପ ଏତେ ଭଲଭାବରେ ଲକ୍ଷ୍ୟ କରିବ । ସ୍ତ୍ରୀଲୋକମାନେ ଏ ସବୁ କରୁଥିବାର ମୁଁ ଜାଣେ । ଏଇ ଭଦ୍ରଲୋକଙ୍କ ପରି ଆଉ ଜଣେ ଦୁଇଜଣ ମତେ ଆଉଁସିଛନ୍ତି । ମାତ୍ର ଶହେରେ ଅନେଶତ ଜଣ ଭାବନ୍ତି ଯେ ଏଇ ଆଉଁସି ଦେବାଟା ଟ୍ରେନ୍‌ଟାଣୁଥିବା ଷ୍ଟିମ୍‌ ଇଞ୍ଜିନକୁ ଆଉଁସିବା ସହିତ ସମାନ ।

 

ଏହି ଭଦ୍ରଲୋକ ଯୁବକ ନୁହଁନ୍ତି । ସାମନାକୁ ଟିକେ ନଇଁ ଚାଲୁଥବା ହେତୁ ସବୁବେଳେ ଚିନ୍ତାଗ୍ରସ୍ତ ପରି ମନେ ହୁଏ । ତାଙ୍କ (ପାତଳା ଓଠ ସବୁବେଳେ ବନ୍ଦ, ମାତ୍ର ହସଟି ଭାରି ମଧୁର । ତାଙ୍କ ଚାହାଣି ତୀକ୍ଷ୍ମ, କିନ୍ତୁ ଥୋମଣି ଓ ମୁଣ୍ଡ ହଲା ଦେଖିଲେ ଖୁବ୍‌ ଦୃଢ଼ପ୍ରତିଜ୍ଞ ପରି ମନେହେବ । ଆଉ ଯେକୌଣସି କାର୍ଯ୍ୟରେ ତାଙ୍କ ସ୍ଵର ମଧୁର ଓ ଦୟାର୍ଦ୍ର ଏବଂ ଯେକୌଣସି ଘୋଡ଼ାର ତାଙ୍କ କଥାରେ ବିଶ୍ଵାସ ଜନ୍ମିବ । ଅବଶ୍ୟ ତାଙ୍କର ଆଉ ପ୍ରତିଟି କାର୍ଯ୍ୟ ମଧ୍ୟ ଏହିପରି ଶୃଙ୍ଖଳିତ।

 

ଦିନେ ସେ ଅନ୍ୟ ଜଣକ ସହିତ ଆମ ଗାଡ଼ିରେ ଗଲେ । ସେମାନେ ଆର. ଷ୍ଟ୍ରିଟର ଏକ ଦୋକାନରେ ଅଟକିଲେ । ତାଙ୍କ ବନ୍ଧୁ ଭିତରକୁ ପଶିଲେ । ମାତ୍ର ସିଏ ଦ୍ୱାରଦେଶରେ ଠିଆ ହୋଇ ରହିଲେ । ଆମର ଟିକେ ଆଗରେ ଆଉ ରାସ୍ତା ଆରପଟକୁ ଖୁବ୍‌ ସୁନ୍ଦର ଦୁଇଟି ଘୋଡ଼ା ଥିବା ଗାଡ଼ିଟିଏ ରହିଥିଲା । ସାମନାରେ ମଦ ଦୋକାନ ଏବଂ ଚାଳକଟି ଗାଡ଼ିରେ ନଥିଲା । କେତେ ସମୟ ସେମାନେ ସେଠାରେ ଠିଆ ହୋଇ ଥିଲେ ମୁଁ ତ ଜାଣେ ନାହିଁ, ମାତ୍ର ବୋଧହୁଏ ଅନେକ ସମୟ ଠିଆ ହେବା ପରେ ସାମନାକୁ ଚାଲିବାକୁ ଲାଗିଲେ । ସେତିକି ବେଳେ ଚାଳକଟି ଦୌଡିଆସି ପ୍ରଚଣ୍ଡ ରାଗରେ ସେମାନଙ୍କୁ ଲଗାମ ଟଣାଟଣି କରି ଚାବୁକରେ ପିଟିବାରେ ଲାଗିଲା । ରାଗରେ କାଣ୍ଡଜ୍ଞାନ ହରାଇ ସେ ଘୋଡ଼ାମାନଙ୍କ ମୁଣ୍ଡକୁ ମଧ୍ୟ ପିଟିଲା । ଆମ ଭଦ୍ରଲୋକ ସବୁ ଲକ୍ଷ୍ୟ କରୁଥାନ୍ତି । ରାସ୍ତାର ଆରପଟକୁ ଶୀଘ୍ର ଶୀଘ୍ର ଯାଇ କଡା ସ୍ଵରରେ କହିଲେ ‘ଯଦି ତୁମେ ଏମାନଙ୍କୁ ମାରିବା ସଙ୍ଗେ ସଙ୍ଗେ ବନ୍ଦ ନ କର, ଘୋଡ଼ାଙ୍କୁ ଏକା ଛାଡ଼ିବା ଏବଂ ପାଶବିକ ବ୍ୟବହାର ପାଇଁ ମୁଁ ତୁମକୁ କୋର୍ଟକୁ ଟାଣିନେବି ।

 

ଚାଳକଟି ନିଶ୍ଚିତ ରୂପେ ମଦନିଶାରେ ଥିଲା । ସେ ଗୁଡ଼ାଏ ବାଜେ ଗାଳି ଗୁଲଜ କରି ପିଟିବା ବନ୍ଦ କରି ଗାଡ଼ିରେ ଉଠିଲା । ଏହା ଭିତରେ ଆମ ଭଦ୍ରଲୋକ ପକେଟରୁ ନୋଟବୁକ୍‌ଟିଏ କାଢ଼ି ସେଇ ଗାଡ଼ି ଉପରେ ପ୍ରିଣ୍ଟଥିବା ନାମ ଓ ଠିକଣା ଲେଖିଲେ ।

 

ଚାଳକ ପଚାରିଲା ‘‘କ’ଣ କରିବେ ଏସବୁ ଲେଖି ?’’ କହିଦେଇ ଚାବୁକ ମାରି ଗାଡ଼ି ନେଇ ସେ ଚାଲିଗଲା । ଭଦ୍ରଲୋକ ମୁଣ୍ଡ ହଲେଇ ଶୁଖିଲା ହସଟିଏ ହସି ତାର ଜବାବ ଦେଇଦେଲେ ।

 

ଏହାପରେ ସେ ଆମ ଗାଡ଼ିକୁ ତାଙ୍କ ବନ୍ଧୁଙ୍କ ନିକଟକୁ ଫେରି ଆସିଲେ । ବନ୍ଧୁ ହସିକରି କହିଲେ ‘‘ରାଇଟ୍‌ । ମୁଁ ଭାବୁଛି ତୁମର ଏତେ କାମ ଭିତରେ ତୁମେ ଅନ୍ୟର ଗାଡ଼ି ଆଉ ଘୋଡ଼ାକୁ ନ ଦେଖିଲେ ଚଳନ୍ତା ।’’ ଭଦ୍ରଲୋକ ମୁହୂର୍ତ୍ତକ ପାଇଁ ସ୍ଥାଣୁ ହୋଇଗଲେ । ତାପରେ ମୁଣ୍ଡ ହଲାଇ କହିଲେ ‘‘ତୁମେ ଜାଣିଛ ଏ ସଂସାର କଣ ପାଇଁ ଏତେ ଖରାପ ?’’ ‘‘ନା !’’ ତାଙ୍କ ବନ୍ଧୁ

 

ଉତ୍ତର ଦେଲେ ।

 

‘‘ତାହାହେଲେ କହୁଛି ଶୁଣ- ଏହାର କାରଣ ମଣିଷମାନେ କେବଳ ନିଜକଥା ହିଁ ଭାବନ୍ତି ଏବଂ ଦଳିତ ଦୁଃଖୀଙ୍କ ପାଇଁ ଭାବିବାର ସାମାନ୍ୟତମ କଷ୍ଟ ବି କରନ୍ତି ନାହିଁ । ମୁଁ ଏପରି ନୃଶଂସତା ଦେଖି ସହ୍ୟ କରିପାରେ ନାହିଁ । ଯେତିକି ପାରିବି କରେ । ଅନେକ ମାଲିକ ସେମାନଙ୍କ ଘୋଡ଼ାକୁ କେତେ ରୁକ୍ଷଭାବେ ଚଳାନ୍ତି ବୋଲି ମୋଠୁ ଜାଣିପାରି ଧନ୍ୟବାଦ ଦିଅନ୍ତି ।

 

‘‘ଆପଣଙ୍କ ପରି ବହୁ ଭଦ୍ରଲୋକ ହୁଅନ୍ତୁ ସାର ମୁଁ ଏଇ କାମନା ହିଁ କରେ । କାରଣ ଏହିପରି ହୃଦୟବାନ ମଣିଷଙ୍କର ଏ ସହରରେ ଅତ୍ୟନ୍ତ ଆବଶ୍ୟକ’’, ଜେରୀ କହିଲା ।

 

ଏହାପରେ ଆମେ ଯାତ୍ରା କଲୁ । ସେମାନେ ଯେତେବେଳେ ଗାଡ଼ିରୁ ଓହ୍ଲାଉଥିଲେ ଆମ ବନ୍ଧୁ ଭଦ୍ରଲୋକ କହୁଥିଲେ ‘‘ମୋର ନୀତି ହେଉଛି ଏୟା- ଆମେ ଅନ୍ୟ ପ୍ରତି ନିଷ୍ଠୁରତା ବା ଅନ୍ୟାୟ ହେଉଥିବା ଦେଖି ଚୁପ୍‌ ରହିବା ଉଚିତ୍‌ ନୁହେଁ, ଯଦି ଅବଶ୍ୟ ଆମର କିଛି କରିପାରିବା କ୍ଷମତା ଥାଏ । ଆଉ କ୍ଷମତା ଥାଇ ନ କଲେ ସେଇ ଅନ୍ୟାୟର ଭାଗିଦାର ଆମେ ମଧ୍ୟ ହେବା ।’’

•••

 

ସିଡି ସାମ

 

ଗୋଟିଏ ଗାଡ଼ିଟଣା ଘୋଡା ଭାବରେ ମୁଁ ଯେ ଅନେକ ସୁଖରେ ଥିଲି, ଏକଥା ମୁଁ ନିଶ୍ଚୟ ସ୍ଵୀକାର କରିବି । ପ୍ରକୃତରେ ମୋ ଚାଳକ ମୋର ମାଲିକ ହୋଇଥିବାରୁ ମୋର ସ୍ଵାର୍ଥ ସୁବିଧା ଦେଖିବା ମଧ୍ୟ ତାର କାମ । ମୁଁ ଯେମିତି ଭଲ ବ୍ୟବହାର ପାଇବି, ଅତ୍ୟଧିକ ଖଟିବି ନାହିଁ ଆଦି । ଜେରୀ ପରି ଏତେ ଭଲଲୋକ ନହେଲେ ବି ପ୍ରତ୍ୟେକ ମାଲିକ ଯଦି ନିଜେ ଚାଳକ ହୁଅନ୍ତି ନିଜର ଘୋଡ଼ାର ଯତ୍ନ ନିଶ୍ଚୟ କରିବେ । କିନ୍ତୁ ବଡ଼ ବଡ଼ ଧନୀ ମାଲିକ ଯେଉଁମାନଙ୍କର ଅନେକଗୁଡ଼ାଏ ଗାଡ଼ି ଭଡ଼ାରେ ମାସକ ପାଇଁ ବା ଦିନକ ପାଇଁ ଚାଳକମାନଙ୍କୁ ଦିଅନ୍ତି, ସେଠି ଘୋଡ଼ାମାନେ କଷ୍ଟ ପାଆନ୍ତି । ଚାଳକମାନେ, ଏ କ୍ଷେତ୍ରରେ ଘୋଡ଼ା ତ ନିଜର ନୁହେଁ, ତେଣୁ ସେମାନେ ଘୋଡ଼ାଙ୍କୁ ଅଧକ ଖଟେଇ, ଅଧିକ ରୋଜଗାର ପାଇଁ ଲାଗିଥାନ୍ତି । ପ୍ରଥମେ ମାଳିକଙ୍କୁ ଭଡା ଦେବେ ପୁଣି ନିଜ ପରିବାର ପୋଷଣ କରିବେ ଏଇ କାରଣରୁ ବେଶି କଷ୍ଟ ଘୋଡ଼ାମାନେ ହିଁ ଭୋଗନ୍ତି । ଅବଶ୍ୟ ମୁଁ ଅଳ୍ପଅଳ୍ପ ବୁଝେ, ମାତ୍ର ଷ୍ଟାଣ୍ଡରେ ସର୍ବଦା ଏଇ ଚର୍ଚ୍ଚା ହୁଏ । ଯେହେତୁ ସେଠି ଗଭର୍ଣ୍ଣର ଜଣେ ଦୟାଳୁ ଏବଂ ଘୋଡ଼ାପ୍ରେମୀ ଲୋକ, ତେଣୁ ବେଳେବେଳେ ଖୁବ୍‌ ଖଟି ଅତି କ୍ଳାନ୍ତ ହୋଇପଡିଥିବା ଘୋଡ଼ାମାନଙ୍କୁ ଦେଖିଲେ ସେ ବିରକ୍ତ ହୋଇଯାଆନ୍ତି ।

ଦିନେ ଜଣେ ଅପରିଷ୍କାର, ଦୁଃସ୍ଥ ଦେଖାଯାଉଥିବା ଚାଳକ ତା ଗାଡ଼ି ନେଇ ଆସିଲା । ଚାଳକର ନାମ ‘ସିଡି ସାମ’ । ତା ଘୋଡ଼ା ବି ଅତ୍ୟନ୍ତ କ୍ଳାନ୍ତ ଓ ଶୁଖିଲା ଦିଶୁଥିଲା । ଗଭର୍ଣ୍ଣର ସେମାନଙ୍କୁ ଦେଖି କହିଲେ, ‘‘ତୁ ଓ ତୋ ଘୋଡ଼ା ଏଇ ସ୍ଥାନ ପାଇଁ ନୁହେଁ, ତୁମେ ଦୁହେଁ ପୋଲିସ ଷ୍ଟେସନ ପାଇଁ ଉପଯୁକ୍ତ ।’’

ଲୋକଟି ତାର ଶତଛିନ୍ନ ଲୁଗାଖଣ୍ତ ଘୋଡ଼ା ଉପରେ ଘୋଡ଼ାଇ ଦେଇ ବୁଲିପଡିଲା । ସିଧା ଗଭର୍ଣ୍ଣରଙ୍କ ସାମନାରେ ଠିଆହୋଇ ହତାଶ ସ୍ଵରରେ କହିଲା–‘‘ଯଦି ପୋଲିସ କିଛି କରିବାର ଥାଏ ତେବେ ସେମାନେ ମାଲିକମାନଙ୍କ ନିକଟକୁ ଯିବା ଉଚିତ୍‌ । କାରଣ ମାଲିକମାନେ ଆମଠୁ ବେଶି ଚାର୍ଜ କରନ୍ତି ଆଉ ଆମେ ଯାତ୍ରୀଙ୍କଠାରୁ କମ୍‌ ଭଡ଼ା ନେବା ସ୍ଥିର ହୋଇଛି । ଗୋଟିଏ ଗାଡ଼ିସହ ଦୁଇଟି ଘୋଡ଼ା ପାଇଁ ଆମକୁ ମାଲିକଙ୍କୁ ଅଠର ଶିଲିଂ ଦେବାକୁ ପଡେ । ଆମ ଭିତରୁ ବହୁ ଚାଳକ ଏ ଋତୁରେ ଗାଡ଼ି ଭଡ଼ା ନିଅନ୍ତି ଏବଂ ଆମେ ନିଜ ପାଇଁ କିଛି ରୋଜଗାର କରିବା ପୂର୍ବରୁ ମାଲିକ ପାଇଁ ରୋଜଗାର କରିବାକୁ ପଡ଼େ–ଏହା ଅଧିକ କଷ୍ଟ କାମ । ଗୋଟାଏ ଘୋଡ଼ାଠାରୁ ନଅ ଶିଲିଂ ଆଦାୟ ହେବା ବେଳକୁ ସେ ନିସ୍ତେଜ ହୋଇଯାଏ କିନ୍ତୁ ତା ପରେ ପୁଣି ତାକୁ ଖଟିବାକୁ ପଡ଼େ । କାରଣ ଆମେ ତ ପୁଣି ଚଳିବୁ । ସେମାନେ କାମ ନ କଲେ ଆମେ ଆମ ପିଲାଙ୍କ ସହ ଉପବାସ । ଆମେ ଆଗରୁ ଜାଣିଛୁ ଯେ ଉପବାସ ମାନେ କଣ । ମୋ ଘରେ ଛଅ ଜଣ-ଜଣେ ରୋଜଗାର କରେ । ଏଇ ଷ୍ଟାଣ୍ଡରେ ମୁଁ ଦିନକୁ ଚଉଦରୁ ଷୋଳ ଘଣ୍ଟା ଯାଏ ଠିଆ ହୁଏ-। ଗତ ଦଶ ବାର ସପ୍ତାହ ମଧ୍ୟରେ ମୁଁ ଗୋଟିଏ ଦିନ ବି ଛୁଟି ନେଇନି । ଆପଣ ତ ଜାଣନ୍ତି ସ୍କିନର ଯଦି ଜାଣେ ଗୋଟିଏ ଦିନ ବି ଛୁଟି ଦେବନି, ଆଉ ମୁଁ ନ ଖଟିଲେ କିଏ ଖଟିବ କୁହ । ମୋର ଗୋଟିଏ ଗରମ କୋର୍ଟ, ଗୋଟିଏ ବର୍ଷାତି ନିହାତି ଦରକାର, କିନ୍ତୁ ଏତେ ଗୁଡ଼ାଏ ପାଟି ପାଇଁ ଖାଦ୍ୟ ଯୋଗାଡ କରୁଛି ତ କେମିତି କିଣିପାରିବି ? ମୋ ଦସ୍ତାନା ସ୍କିନରର ଭଡ଼ା ଦେବାକୁ ମୁଁ ଗତ ସପ୍ତାହରେ ବନ୍ଧକ ରଖିଛି, ଆଉ ଏହା ବ ଜାଣିଛି ଯେ ସେ ଆଉ ମୋ ନିକଟକୁ ଫେରିବ ନାହିଁ ।

ଚାଳକ ଚାରିପଟେ ବହୁଲୋକ ଠିଆ ହୋଇ ମୁଣ୍ଡ ଟୁଙ୍ଗାରୁଥାନ୍ତି ସେ ସତ କହୁଥିଲା ବୋଲି । ଲୋକଟି ପୁଣି କହି ଚାଳିଲା–‘‘ଗାଡ଼ି ନିଜର ଅଥବା ମାଲିକ ତୁମର ଭଲ ହେଲେ ହିଁ ଚଳିପାରିବ । ଠିକ୍‌ ଭାବେ କାମ କରିବାର ସୁଯୋଗ ମଧ୍ୟ ମିଳିବ । ମୋର ସେ ସୁବିଧା ନାହିଁ । ପ୍ରଥମ ମାଇଲ ପରେ ଆମେ ଛଅ ପେନିରୁ ବେଶି ଚାର୍ଜ କରି ପାରିବୁ ନାହିଁ ଚାରିମାଇଲ ରେଡିଅସ୍‌ ଭିତରେ । ଆଜି ସକାଳ କଥା- ଛଅ ମାଇଲ ଦୌଡ଼ାଇ ମୋଟେ ତିନି ଶିଲିଂ ପାଇଲି । ଫେରିବା ବେଳକୁ ଭଡ଼ା ନ ପାଇବାରୁ ଖାଲି ଗାଡ଼ି ଚଳେଇ ଆସିଲି । ଘୋଡ଼ାର ବାର ମାଇଲ ଦୌଡ଼ା ଆଉ ମୋର ତିନି ଶିଲିଂ ପ୍ରାପ୍ତି ! ତା ପରେ ଗୁଡ଼ାଏ ବାକ୍ସ ଆଉ ବ୍ୟାଗ ଧରି ମୋର ତିନି ମାଇଲ ଦୌଡ଼ା-। ସେ ଗୁଡ଼ାକ ଅଲଗା ରଖିଥିଲେ ଆଉ କିଛି ଅଧିକା ପଇସା ମିଳିଥାନ୍ତା । କିନ୍ତୁ ଲୋକମାନଙ୍କୁ ଆପଣମାନେ ଜାଣନ୍ତି, ସବୁତକ ଜିନିଷ ଭିତରେ ଆଗ ସିଟ୍‌ରେ ରଖି ଦେଲେ । ଏଥର ଅଠର ମାଇଲ ଦୌଡ଼ାରେ ମିଳିଲା ସବୁ ମିଶି ଛଅ ଶିଲିଂ । ଏଇ ଘୋଡ଼ାର ଆହୁରି ତିନି ଶିଲିଂ ବାକି । ଓପର ଓଳା ଘୋଡ଼ାର ତ ପୁଣି ଆଉ ନଅ ଶିଲିଂ ଦେବାକୁ ଅଛି । ମତେ ନିଜ ପାଇଁ ଅଠର ଶିଲିଂ ପରେ ହିଁ କରିବାକୁ ପଡ଼ିବ କିଛି ରୋଜଗାର । ସବୁବେଳେ ଏପରି ଅବସ୍ଥା ନହେଲେ ବି ପ୍ରାୟ ଏୟା ହୁଏ । ତେଣୁ ଘୋଡ଼ାଚାଳକକୁ ଘୋଡ଼ାଙ୍କୁ ଅଧିକ ନ ଖଟା କହିବାଟା କେବଳ ବିଦ୍ରୁପ ମାତ୍ର । ଯେତେବେଳେ ଘୋଡ଼ାଟା କ୍ଳାନ୍ତ କେବଳ ଚାବୁକ ମାରିଲେ ହିଁ ସେ କାମ କରିବ । ଆଉ ଭଡ଼ାରେ ଆଣିଥିବା ଚାଳକର ଅନ୍ୟ ଉପାୟ ନାହିଁ । ନିଜ ସ୍ତ୍ରୀ ପିଲାମାନଙ୍କୁ ତ ପୁଣି ଘୋଡ଼ାର ଆଗକୁ ରଖିବ-। ଏ ସବୁ ମାଲିକର ଦେଖିବା କଥା । ଆମେ ପାରିବୁ ନି । ମୁଁ ଏମିତିରେ ଘୋଡ଼ାଙ୍କୁ କଷ୍ଟ ଦିଏନି, କେହି ଏଠି ଏହା ଅସ୍ୱୀକାର କରିପାରିବେ ନି । ଦୋଷ ଅନ୍ୟ ସ୍ଥାନରେ ଦିନଟିଏ ଆରାମ ନାହିଁ, କେବେ ବି ସ୍ତ୍ରୀ ପିଲାଙ୍କ ପାଇଁ ସମୟ ନାହିଁ । ମାତ୍ର ପଇଁଚାଳିଶ ବର୍ଷରୁ ନିଜକୁ ବୁଢ଼ା ହୋଇଗଲା ପରି ମନେ ହୁଏ । ଆଉ ଆପଣମାନେ ଏ କଥା ବି ଜାଣିଥିବେ ଯେ କେତେକ ଭଦ୍ରଲୋକ ଆମକୁ ଭଡ଼ାଖୋର ଓ ଠକ ବୋଲି ମଧ୍ୟ କୁହନ୍ତି । ବେଶୀ ଭଡ଼ା ମାଗିବାର ଅପବାଦ ଦେଇଥାନ୍ତି । ପର୍ସ ଖୋଲି ଆମକୁ ପଇସା ଗଣିଲା ବେଳକୁ ଆମ ଆଡକୁ ଏପରି ନଜର ଦିଅନ୍ତି ଯେ ଯେମିତି ଆମେ ପକେଟମାରୁ । ମୋର ଇଚ୍ଛା ହୁଏ ସେମାନେ ହେଲେ ଆମ ପରି ଷୋଳଘଣ୍ଟା ଗାଡ଼ି ସିଟ୍‌ରେ ବସି ଅଠର ଶିଲିଂ ସହ ପରିବାର ଚଳେଇବା ପାଇଁ ଟଙ୍କା ଅର୍ଜନ କରନ୍ତେ, ତାହା ପୁଣି ସବୁ ଋତୁରେ ! କେବେ କେହି ଛଅ ପେନ୍ସ୍‌ ବି ବେଶୀ ଦେବେନି, ଗଦାଗଦା ମାଲପତ୍ର କିନ୍ତୁ ଗାଡ଼ି ଭିତରେ ଖୁନ୍ଦିବେ-। ବେଳେବେଳେ ଅବଶ୍ୟ ଜଣେ ଜଣେ ଭଲ ଟିପ୍ସ ଦିଅନ୍ତି । ନହେଲେ ଆମେ ଅବା ବଞ୍ଚନ୍ତୁ କେମିତି-? କିନ୍ତୁ ଏଇ ବେଳେବେଳେ ଉପରେ ତ ସବୁବେଳେ ନିର୍ଭର କରିପାରିବୁ ନି ।

ଯେଉଁମାନେ ଥିଲେ ସେଠି ତା ସପକ୍ଷ ନେଲେ । ଜଣେ କହିଲା ‘‘ସତରେ ବଡ଼ କଷ୍ଟ । ଏଇ ପରିସ୍ଥିତିରେ ଜଣେ ଭୁଲ କରିବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ । ଟିକେ ପିଆପିଇ ଯଦି ବି କରେ ଦୋଷ ନାହିଁ ।’’

ଏ ସବୁ କଥାବାର୍ତ୍ତାରେ ଜେରୀ ଭାଗ ନେଇ ନଥିଲା, ମାତ୍ର ତା ମୁହଁରେ ଫୁଟି ଉଠିଥିବା ଦୁଃଖ ଭାବ ମୁଁ ଆଗରୁ କେବେ ଦେଖି ନଥିଲି । ଦୁଇହାତ ପକେଟରେ ପୂରେଇ ଗଭର୍ଣ୍ଣର ଠିଆ ହୋଇଥିଲେ । ତା କଥା ସରିବାପରେ ରୁମାଲଟେ ଟୋପିରୁ ଆଣି କପାଳ ପୋଛି କହିଲେ ‘‘ତୁ ମତେ ଜିତିଗଲୁରେ ସାମ୍‌, ସବୁ ସତକଥା । ଆଉ କେବେ ବି ମୁଁ ତୋ ପାଖରେ ପୋଲିସର ଉତ୍‌ଥାପନ କରିବି ନାହିଁ । ପ୍ରକୃତରେ ତୋ ଘୋଡ଼ାର ଚାହାଣିଟି ହିଁ ମତେ ତରଳାଇ ଦେଇଥିଲା । ଏହା ମଣିଷଙ୍କ ପାଇଁ କଷ୍ଟ, ଆଉ ଘୋଡ଼ା ପାଇଁ ମଧ୍ୟ କଷ୍ଟ । କିନ୍ତୁ ୟାର ପ୍ରତିକାର କିଏ କରିବ ମୁଁ ବି ଜାଣିନି । ତେବେ ଯାହା ବି ହେଉ ତୁ ଯେ ଉପାୟହୀନ ହୋଇ ଏ ସବୁ କରୁଛୁ ତା ତୁ ତୋ ଘୋଡ଼ାକୁ ଜଣେଇଦେବୁ । ବେଳେବେଳେ ଟିକେ ମଧୁର କଥା ବି ତାଙ୍କୁ ସାନ୍ତ୍ୱନା ଦିଏ । ଭାରି ଆଶ୍ଚର୍ଯ୍ୟର କଥା ଯେ ସେମାନେ ସବୁ ବୁଝି ବି ପାରନ୍ତି ।’’

କେତେ ଦିନ ପରେ ଦିନେ ସକାଳେ ଜଣେ ନୂଆ ଚାଳକ ସାମ୍‌ର ଗାଡ଼ି ଚଳାଇ ଷ୍ଟାଣ୍ଡକୁ ଆସିଲା ।

‘‘ହ୍ୟାଲୋ ସିଡି ସାମ୍‌ର କଣ ହେଲା, ‘‘ଜଣେ ପଚାରିଲା ।’’

‘‘ସେ ଅସୁସ୍ଥ, ବିଛଣାରେ ପଡିଛି’’–ଲୋକଟି ଉତ୍ତର ଦେଲା । ‘‘କାଲି ରାତିରେ ଘରେ ପହଞ୍ଚିଲା ବେଳକୁ ସେ ଚାଲିପାରୁ ନଥିଲା । ତା ସ୍ତ୍ରୀ ସକାଳୁ ମତେ ତାର ଦେହ ଖରାପ ଖବର ପଠାଇବାରୁ ମୁଁ ତା ଗାଡ଼ି ନେଇ ଆସିଲି ।’’

ତା ପରଦିନ ବି ସେ ଚାଳକ ପୁଣି ଆସିଲା ।

‘‘ସାମ୍‌ କେମିତି ଅଛି ?’’ ଗଭର୍ଣ୍ଣର ପଚାରିଲେ ।

‘‘ଚାଲିଗଲା” ଲୋକଟି ଉତ୍ତର ଦେଲା ।

‘‘ଚାଲିଗଲା ମାନେ ତୁ ମୃତ ବୋଲି କହୁନୁ ତ ? ‘‘ଠିକ ସେୟା କହୁଛି । ଆଜି ପ୍ରତ୍ୟୁଷ ଚାରିଟା ବେଳେ ସେ ମରିଗଲା । ଗତକାଲି ସେ କେବଳ ସ୍କିନର ସ୍କିନର କହି କହି ପ୍ରଳାପ କରୁଥିଲା । ମୁଁ କେବେ ବି ଗୋଟାଏ ରବିବାର ଛୁଟି ପାଇଲି ନି । ଏଇଥିଲା ତାର ଶେଷକଥା ଚାଳକଟି କହିଲା–

ସମସ୍ତେ କିଛି ସମୟ ସ୍ତବ୍ଧ ରହିଲେ । ତାପରେ ଗଭର୍ଣ୍ଣର କହିଲେ ‘‘ବନ୍ଧୁଗଣ ଆମ ସମସ୍ତଙ୍କ ପାଇଁ ଏହା ହେଉଛି ସତର୍କବାଣୀ ।’’

•••

 

ବିଚାରୀ ଜିଞ୍ଜର

ଦିନେ ଆମ ଗାଡ଼ି ସହ ଆହୁରି ଅନେକ ଗାଡ଼ି ଗୋଟିଏ ପାର୍କର ବାହାରେ ଅପେକ୍ଷା କରିଥାନ୍ତି । ସେଠି ବ୍ୟାଣ୍ଡ୍‌ ବାଜୁଥାଏ । ଗୋଟାଏ ପୁରୁଣା ଭଙ୍ଗା ଗାଡ଼ି ଆମ ପାଖ ଦେଇ ଗଲା । ଘୋଡ଼ାଟି ବାଦାମୀ ରଙ୍ଗର ଓ ତାର ଚମଡ଼ା ସବୁ ଲୋଚାକୋଚା, ହାଡ଼ତକ ଉପରକୁ ଜଣାପଡୁଥାଏ-। ଆଣ୍ଠୁ ନଇଁଯାଇ ଆଗ ଗୋଡ଼ ବି ଠିକ୍‌ ଭାବେ ପଡୁ ନଥାଏ । ମୁଁ ଘାସ ଖାଉଥିଲି । ପବନରେ ସେଥିରୁ ଦୁଇଟା ଉଡ଼ିଗଲା । ବିଚରା ଘୋଡ଼ାଟି । ତାକୁ ମୁହଁରେ ଉଠାଇନେଲା । ତାପରେ ଆହୁରି କୁଟା ପାଇବା ଆଶାରେ ସେ ମୋ ପଟକୁ ମୁହଁ ବୁଲେଇଲା । ତା ଚାହାଣିରେ ଏପରି ନିରାଶା ଥିଲା ଯେ ମୁଁ ତାକୁ ନ ଚାହିଁ ରହିପାରିଲି ନି । ମୋର ହଠାତ୍‌ ମନେ ହେଲା ଯେ ସେ ଘୋଡ଼ିକୁ ମୁଁ କେଉଁଠି ନିଶ୍ଚୟ ଦେଖିଛି । ସେ ବି ମତେ ପୂରା ଦେଖି ଦେବା ପରେ କହିଲା “ବ୍ଳାକ୍‌ ବିଉଟି ନା ?’’

‘‘ଆରେ ଏତ ଜିଞ୍ଜର । କେତେ ବଦଳି ଯାଇଛି । ସୁନ୍ଦର ଅଧାଗୋଲିଆ ଉଜ୍ଜ୍ୱଳ ବେକ ବର୍ତ୍ତମାନ ସିଧା ଓ ପତଳା ହୋଇ ଲଇଁ ପଡିଛି । ପରିଷ୍କାର ଗୋଡ଼ ଓ ସେଠା ନରମ ବାଳତକ ଫୁଲିଯାଇଛି । ଅତ୍ୟଧିକ କାମ କରି କରି ଗଣ୍ଠିତକ ବଙ୍କା ଏବଂ ଯେଉଁ ମୁହଁଟି ଉଜ୍ଜ୍ଵଳ ଓ ସତେଜ ଥିଲା ତାହା ଝାଉଁଳି ଯାଇଛି । ତା ନିଶ୍ୱାସ ଏବଂ ବାରବାର କାଶିବା ଦେଖି ମୁଁ ତାର ନିଶ୍ଵାସ ପ୍ରଶ୍ଵାସର କଷ୍ଟ ବୁଝିପାରିଲି ।

ଆମ ଚାଳକମାନେ ଅଳ୍ପ ଦୂରରେ ଠିଆ ହୋଇଥାନ୍ତି । ମୁଁ ଇଚ୍ଛା କରି ତା ସହ କଥାବାର୍ତ୍ତା କରିବାକୁ ଟାଣି ହୋଇ ଟିକେ ତା ନିକଟକୁ ଚାଲିଗଲି । ସେ ମତେ ତାର ଯେଉଁ କାହାଣୀ ଶୁଣେଇଲା ତାହା ବାସ୍ତବିକ ମର୍ମନ୍ତୁଦ ।

ଏର୍ସାଲରେ ବର୍ଷେ ଭୋଗିବା ପରେ ସେ ପୁଣି କାର୍ଯ୍ୟକ୍ଷମ ହେବାରୁ ଜଣେ ଭଦ୍ରଲୋକଙ୍କୁ ବିକ୍ରି କରାହେଲା । କିଛି ଦିନ ତାର ବେଶ୍‌ ଭଲରେ କଟିଲା । ଅଧିକ ଦୌଡ଼ାଇବାରୁ ପୁଣି ପୁରୁଣା ରୋଗ ବାହାରିଲା । ଫଳରେ ତାକୁ ଚିକିତ୍ସା କରାଗଲା, ବିଶ୍ରାମ ବି ଦିଆଗଲା । ସୁସ୍ଥ ହେବା ପରେ ପୁଣି ଥରେ ବିକ୍ରି କରାଗଲା । ଏହିପରି ବାରମ୍ବାର ଅସୁସ୍ଥ ଓ ସୁସ୍ଥ ହେବାପରେ ବିକ୍ରି ହେବା ଫଳରେ ସେ ଅନେକ ହାତ ହେଲା ଏବଂ ପ୍ରତ୍ୟେକ ବାର ସେ ଅଧିକତର କଷ୍ଟରେ ପଡୁଥାଏ ।

ସର୍ବଶେଷରେ ଯିଏ ମତେ କିଣିଲେ ତାଙ୍କର ଅନେକଗୁଡାଏ ଗାଡ଼ି ଓ ଅନେକ ଘୋଡ଼ା ଥିଲେ । ଗାଡ଼ିଗୁଡିକ ସେ ଭଡ଼ାରେ ଦିଅନ୍ତି । ତାପରେ ସେ ମତେ କହିଲା ‘‘ଭଲ ଦିଶୁଛୁ, ଭଲ ଅଛୁ-। କିନ୍ତୁ ମୋର ଜୀବନ ଯେ କେମିତି କଟିଛି ମୁଁ ବର୍ଣ୍ଣନା ବି କରି ପାରିବିନି । ଯେତେବେଳେ ସେମାନେ ମୋର ଦୁର୍ବଳତା ଜାଣିଲେ ମୁଁ ତାଙ୍କ ଟଙ୍କାର ଯୋଗ୍ୟ ନୁହେଁ ଭାବି ସେମାନେ ଖୁବ୍‌ ବ୍ୟସ୍ତ ହେଲେ । ତାପରେ ମତେ ବାଜେ ଗାଡ଼ିଗୁଡ଼ିକରେ ଯୋଚିଲେ ଏବଂ ଚାବୁକ ମାରି ମାରି ଦୌଡ଼ାଇଲେ । ମୁଁ ଯେ କି କଷ୍ଟ ପାଉଛି କେହି ସେ କଥା ବୁଝୁ ନାହାନ୍ତି । ସେମାନେ ଯେହେତୁ ଟଙ୍କାଦେଇ ମତେ କିଣିଛନ୍ତି, ତେଣୁ ଖଟେଇ ଖଟେଇ ରୋଜଗାର କରିବେ- ଏୟା ସେମାନେ କୁହନ୍ତି । ମତେ ଏବେ ଯେ ଭଡ଼ାରେ ନେଇଛି ସେ ମାଲିକକୁ ବହୁତ ଭଡ଼ା ଦିଏ, ତେଣୁ ମତେ ଦୌଡ଼େଇ ଦୌଡ଼େଇ ଅଧାମରା କଲେଣି । ରବିବାରରେ ବି ମୋର ଟିକେ ବିଶ୍ରାମ ନାହିଁ ।’’

‘‘କିନ୍ତୁ ତତେ ବାଜେ ବ୍ୟବହାର କଲେ ତୁ ତ ଆଗେ ବିରକ୍ତ କରୁଥିଲୁ ?’’ ମୁଁ କହିଲି ।

‘‘ଓଃ ସେତ କେଉଁକାଳର କଥା । ଏବେ ସେ ସବୁରେ କିଛି ଲାଭ ନାହିଁ । ମଣିଷ ବଳବାନ, ଆଉ ସେମାନେ ଯଦି ନିଷ୍ଠୁର ହେବେ ଓ ଅନ୍ୟ ଜୀବର କଷ୍ଟରେ ଦୁଃଖୀ ନ ହେବେ ତେବେ ଆମେ କିଛି କରିପାରିବୁ ନି । କେବଳ ସହିବାକୁ ହିଁ ପଡିବ । ସହିବାକୁ ପଡିବ ଶେଷ ପର୍ଯ୍ୟନ୍ତ । ମୋର ଇଚ୍ଛା ଶୀଘ୍ର କେମିତି ମୋର ଅନ୍ତ ହେଉ । କାମ କରୁ କରୁ ମରିଯିବାଟା ଭଲ । ଅନ୍ତତଃ ମାଂସକଟାଳି ନିକଟକୁ ତ ଯିବାକୁ ହେବନି ।’’

ମତେ ଖୁବ୍‌ ଦୁଃଖ ଲାଗିଲା । ମୁଁ ତା ଦେହରେ ନାକ ଲଗେଇଲି । ତାକୁ ସାନ୍ତ୍ୱନା ଦେବା ପାଇଁ ମୋ ନିକଟରେ ଭାଷା ନଥିଲା । ମତେ ଦେଖି ହୁଏତ ସେ ଖୁସି ହୋଇଥିଲା- କାରଣ କହିଥିଲା ‘‘ତୁ ହିଁ ମୋର ଏକମାତ୍ର ବନ୍ଧୁ ରେ ।’’

ଠିକ୍‌ ସେତିକି ବେଳେ ତା ଚାଳକ ପହଞ୍ଚିଗଲା । ଲଗାମ ଟାଣି ଦେଇ ତାକୁ ଧାଡ଼ିରୁ ନେଇ ଚାଲିଗଲା । ସେ ଯିବାପରେ ମତେ ବହୁତ ଦୁଃଖ ଲାଗିଲା ।

ଅଳ୍ପ ସମୟ ପରେ ମଲା ଘୋଡ଼ାଟିଏ ନେଇ ଗୋଟାଏ ଗାଡ଼ି ଆମ ଷ୍ଟାଣ୍ଡ ଦେଇ ପାଶ୍‌ କଲା । ମୁଣ୍ଡଟି-ଗାଡ଼ି ବାହାରକୁ ଝୁଲିପଡିଥାଏ । ଜୀବନହୀନ ଜିଭରୁ ଆସ୍ତେ ଆସ୍ତେ ରକ୍ତ ପଡୁଥାଏ-। କୋଟରଗତ ଆଖି ଦୁଇଟାକୁ ବର୍ଣ୍ଣନା କରି ପାରିବି ନାହିଁ । ଖୁବ୍‌ ମର୍ମନ୍ତୁଦ ଦୃଶ୍ୟ । ବାଦାମ ରଙ୍ଗର ଲମ୍ବା ପତଳା ବେକ, କପାଳ ତଳେ ସରୁ ଧଳାଗାର ଦେଖିଲି । ଭାବିଲି ଯେ ଏହା ଜିଞ୍ଜର । ମୁଁ ଆଶା ବି କଲି ଜିଞ୍ଜର ହିଁ ହୋଇଥାଉ, ତେବେ ତାର ଦୁଃଖର ପରିସମାପ୍ତି ଘଟିଲା । ଓଃ ଯଦି ମଣିଷମାନେ ଆଉ ଟିକେ ବି ଦୟାଳୁ ହୋଇଥାନ୍ତେ, ଆମେ ଏଇ ଅବସ୍ଥାକୁ ଆସିବା ପୂର୍ବରୁ ସେମାନେ ଗୁଳିକରି ମାରିଦେଇ ଥାନ୍ତେ ।

•••

 

ମାଂସ ବିକ୍ରେତା

 

ଲଣ୍ଡନରେ ଘୋଡ଼ାମାନଙ୍କର ଅନେକ କଷ୍ଟ ଦେଖିଲି ଏବଂ ବହୁ କଷ୍ଟ ଟିକେ ସାଧାରଣ ଜ୍ଞାନ ବ୍ୟବହାର କଲେ କମ୍‌ କରାଯାଇପାରନ୍ତା । ଆମକୁ ଭଲଭାବେ ପାଳନ କରାଗଲେ ଆମେ ଅର୍ଥାତ୍‌ ଘୋଡ଼ାମାନେ କଠିନ ପରିଶ୍ରମ କରିବାକୁ ଭୟ କରୁନାହିଁ । ଅନେକ ଗରିବ ଚାଳକଙ୍କ ଘୋଡ଼ାମାନେ ଅନେକ ଆରାମରେ ଥାଆନ୍ତି । ମୁଁ ଯେତେବେଳେ କାଉଣ୍ଟେସ୍‌ ଡବ୍ଳ୍ୟୁଙ୍କ ଘରେ ଗାଡ଼ି ଚଳାଉଥିଲି, ମୋ ପାଇଁ ଉତ୍ତମ ଖାଦ୍ୟ ଏବଂ ରୌପ୍ୟ ଖଚିତ ହୁଦା ଥିଲେ ବି ମୋଠାରୁ ବହୁ ଗରିବ ଚାଳକଙ୍କ ଘୋଡ଼ା ସୁଖରେ ଥିଲେ ।

 

ତଟୁ ଘୋଡ଼ାମାନଙ୍କୁ କରାଯାଉଥିବା ବ୍ୟବହାର ଅନେକ ସମୟରେ ହୃଦୟକୁ ସ୍ପର୍ଶ କରେ । ବାଜେ ନିଷ୍ଠୁର ବାଳକମାନଙ୍କ ନିର୍ଦ୍ଦେଶରେ ଭାରି ବୋଝ ବୋହିବା ଅଥବା ଚାବୁକ ପିଟା ଖାଇ ଖାଇ ଛୋଟେଇବା ଦେଖି ମୁଁ ଦୁଃଖୀ ହୁଏ । ଥରେ ଗୋଟାଏ ସୁନ୍ଦର ତଟୁ ଘୋଡ଼ାକୁ ମୁଁ ଦେଖିଲି- ଘନ ଦାଢ଼ି, ସୁନ୍ଦର ମୁଣ୍ଡ, ଅନେକଟା ମେରିଲେଗ୍‌ସ ପରି । ଯଦି ମୋ ପାଟି ବନ୍ଧା ହୋଇ ନଥାଆନ୍ତା ମୁଁ ଶବ୍ଦ କରିଥାନ୍ତି- ସେ ଗୋଟାଏ ବଡ଼ ବୋଝ ଲଦା ହୋଇଥିବା ଗାଡ଼ିକୁ ଟାଣିବାର ଅକ୍ଳାନ୍ତ ଚେଷ୍ଟା କରୁଥାଏ । ଚାଳକ ପିଲାଟି ଚାବୁକ୍‌ରେ ତା ପେଟକୁ ପିଟୁଥାଏ ଏବଂ ଲଗାମ ଟାଣି ତା ପାଟିକୁ କଷ୍ଟ ଦେଉଥାଏ । ୟେ କଣ ମେରିଲେଗ୍‌ସ ? ଭାବିଲି । କିନ୍ତୁ ମି ବ୍ଲମଫିଲ୍‌ଡ଼ ତ କେବେ ବି ତାକୁ ବିକିବା କଥା ନୁହେଁ । ସେ କେବେ ତା କରିବେ ନି । ତେବେ ଏଇ ଘୋଡ଼ାଟା ତାରି ପରି ଭଲ ଘୋଡ଼ାଟିଏ ନିଶ୍ଚୟ ଏବଂ ପିଲାଦିନୁ ଭଲ ଘରେ ପ୍ରତିପାଳିତ ମଧ୍ୟ ହୋଇଥିବ ।

 

ମୁଁ ପ୍ରାୟ ଦେଖେ ଯେ ମାଂସ ବିକାଳିଙ୍କ ଘୋଡ଼ା ଖୁବ୍‌ ଜୋରରେ ଦୌଡେ, କିନ୍ତୁ କାରଣଟା ମୁଁ ଆଗେ ବୁଝି ନଥିଲି । ଦିନେ ଆମେ ସେଣ୍ଟ ଜନର ଜଙ୍ଗଲରେ ଅପେକ୍ଷା କରିଥାଉ । ନିକଟରେ ଏକ ମାଂସ ଦୋକାନ । ଆମେ ଥିବାବେଳେ ହିଁ ଗୋଟେ ଗାଡ଼ି ପବନ ବେଗରେ ଆସି ସେଠି ପହଞ୍ଚିଲା । ଘୋଡ଼ାର ଦେହ ଗରମ, ଖୁବ୍‌ କ୍ଳାନ୍ତ ଏବଂ ସେ ମୁଣ୍ଡ ତଳକୁ କରି ଠିଆ ହେଲା । ତା ନିଶ୍ୱାସପ୍ରଶ୍ଵାସରୁ ଜଣେ ଜାଣିପାରିବ ଯେ ସେ କେତେ ଜୋର୍‌ରେ ଦୌଡ଼ି ଆସିଥିବ । ଚାଳକ ପିଲା ବାସ୍କେଟ ଧରି ଗାଡ଼ିରୁ ଡେଇଁଲା । ମାଲିକ ଖୁବ୍‌ ବିରକ୍ତ ହୋଇ ପଦାକୁ ଆସିଲା ଏବଂ ଘୋଡ଼ାକୁ ଦେଖି ରାଗିଯାଇ ପିଲାକୁ କହିଲା, କେତେଥର ତତେ କହିଛି ଯେ ଘୋଡ଼ାକୁ ଏମିତି ଦୌଡ଼େଇବୁନି । ତୁ ଆଗ ଘୋଡ଼ାଟାକୁ ନଷ୍ଟ କରଛୁ ଏବଂ ଏଇଟାକୁ ବି ସେୟା କରିବୁ । ମୋ ନିଜ ପୁଅ ନ ହୋଇଥିଲେ ତତେ ଏଇ ମୁହୂର୍ତ୍ତରେ ହିଁ ବରଖାସ୍ତ କରିଥାନ୍ତି । ଏପରି ଭାବେ ଘୋଡ଼ାକୁ ଦୋକାନକୁ ଆଣିବା ଦଣ୍ଡନୀୟ । ପ୍ରକୃତରେ ତତେ ପୋଲିସ ଧରିବା କଥା । ଏପରି ଚଳେଇବା ଦୋଷରୁ ଯଦି କେବେ ପୋଲିସ ଧରେ, ତତେ ବେଲ୍‌ରେ ଆଣିବା ପାଇଁ ମୋଠାରୁ ଆଶା କରିବୁ ନାହିଁ । କାରଣ ସବୁବେଳେ ମୁଁ ତତେ କହି କହି ଥକି ଗଲିଣି । ସେତେବେଳେ ନିଜ କଥା ନିଜେ ବୁଝିବୁ ।’’

 

ବାପ କହିବାବେଳେ ପିଲାଟି ମୁହଁଟାକୁ ହାଣ୍ଡିକରି ଶୁଣୁଥିଲା । ତା ପାଟି ବନ୍ଦ ପରେ ସେ ବି ରାଗରେ ପାଟି କଲା ଯେ ଏହା ତାର ଦୋଷ ନୁହେଁ । ସେ ସର୍ବଦା କେବଳ ଅର୍ଡର ସପ୍ଳାଇ କରିବା ପାଇଁ ଏପରି କରୁଛି ।

 

‘‘ତୁମେ ସବୁବେଳେ କୁହ ‘‘ଶୀଘ୍ର କରିବୁ, ଚଞ୍ଚଳ ହେବୁ’’ ଏବଂ ଯେତେବେଳେ ମୁଁ ଘର ଘର ବୁଲେ କିଏ ଶୀଘ୍ର ଭୋଜନ କରିବା ପାଇଁ ମାଂସର ଗୋଡ଼ ମାଗେ, ପନ୍ଦର ମିନିଟ୍‌ରେ ପହଞ୍ଚାଇବାକୁ କହେ । ଆଉ କାହାର ରନ୍ଧାଲୋକ ବିଫ୍‌ ମଗେଇବାକୁ ଭୁଲିଯାଇ ଥିବାରୁ ଚଞ୍ଚଳ ଦୌଡ଼ି କରି ଆଣିବାକୁ କହେ । ସଙ୍ଗେ ସଙ୍ଗେ ନ ଆଣିଦେଲେ ସେ ମାଲିକାଣୀଙ୍କଠାରୁ ଗାଳି ଶୁଣିବ । ଆଉ କିଏ ଘରଚାଳକ ବେଳେବେଳେ କହେ ଯେ ଅପ୍ରତ୍ୟାଶିତ ଭାବେ କେତେକ ଅତିଥି ପହଞ୍ଚିବେ, ତେଣୁ ସିଧା ଘରେ ଚପ୍‌ ପହଞ୍ଚାଇ ଦେବାକୁ । ତାପରେ କ୍ରିସେଣ୍ଟ ନଂ ୪ର ମହିଳା ବିନା ମାଂସରେ କେବେ ତାଙ୍କ ଭୋଜନ ପାଇଁ ଅର୍ଡର ଦିଅନ୍ତି ନି । ତେଣୁ ଶୀଘ୍ର ଆଣିବାକୁ ହୁଏ । ଯଦି ଏଇ ଭଦ୍ରଲୋକମାନେ ପୂର୍ବଦିନଠାରୁ ଭାବି ଟିକେ ଆଗରୁ ଅର୍ଡର ଦେଇ ଦିଅନ୍ତେ ତେବେ ଆମକୁ ଏତେ ଧକ୍କା ପଡ଼ନ୍ତା ନି ।’’

 

‘‘ଆରେ ମୁଁ ବି ତ ସେୟା ଚାହେଁ’’ ମାଂସବାଲା କହିଲା । ତେବେ ମୁଁ କେତେ ହଇରାଣରୁ ବଞ୍ଚିଯାନ୍ତି । ଆଉ ଆଗରୁ ଟିକେ ଜାଣିଲେ ବି ମୁଁ ମୋ କ୍ରେତାମାନଙ୍କୁ ବେଶ୍‌ ସୁବିଧାରେ ମାଂସ ଯୋଗାଇ ଦେଇପାରନ୍ତି । କିନ୍ତୁ ଏକଥା କହିଲେ ବି ଲାଭ କଣ ? କିଏ ବା ବିଚରା ମାଂସବିକ୍ରେତାର ସୁବିଧା ଅବା ଘୋଡ଼ା କଥା ଭାବୁଛି । ‘‘ବର୍ତ୍ତମାନ ତେବେ ତୁ ତାକୁ ଭିତରକୁ ନେଇ ସୁସ୍ଥ କର । ଆଉ ଦେଖ ଆଜି ସେ ଆଉ ଯିବନି । ଯଦି କାହାର କିଛି ଦରକାର ହୁଏ ତୁ ଡାଲାରେ ଚାଲି ଚାଲି ଯାଇ ପହଞ୍ଚେଇ ଦେବୁ । ଏତିକି କହି ମାଂସବାଲା ଭିତରକୁ ଗଲା ଏବଂ ତା ଘୋଡ଼ାକୁ ମଧ୍ୟ ଗୁହାଳକୁ ନିଆଗଲା ।

 

ତେବେ ସବୁ ବାଳକମାନେ ମଧ୍ୟ ନିଷ୍ଠୁର ନୁହନ୍ତି । ମୁ ଅନେକଙ୍କୁ ଦେଖିଛି, ଯେଉଁମାନେ ତାଙ୍କ ପ୍ରିୟ କୁକୁରମାନଙ୍କ ପରି ଘୋଡ଼ା ଗଧଙ୍କର ବି ଯତ୍ନ କରନ୍ତି । ଏଇ ଛୋଟ ଜୀବମାନେ ବି ତାଙ୍କର କିଶୋର ଚଢ଼ାଳିମାନଙ୍କ ପାଇଁ ମନକୁ ମନ ସେତିକି ଖୁସିରେ କାମ କରନ୍ତି, ଠିକ୍‌ ମୁଁ ଯେମିତି ଜେରୀ ପାଇଁ କରେ । ବେଳେବେଳେ କାମରେ କଷ୍ଟ ହେଲେ ମଧ୍ୟ ଜଣେ ବନ୍ଧୁର ସ୍ନେହବୋଳା ହାତ ଓ ସ୍ଵର ଦ୍ଵାରା ତାହା ଅନେକାଂଶରେ ଲାଘବ ହୁଏ ।

 

ଗୋଟିଏ ପରିବା ବିକାଳି ବାଳକ ପରିବାପତ୍ର, ଆଳୁ ଆଦି ନେଇ ବିକିବାକୁ ଆସେ । ତାର ଗୋଟିଏ ବୁଢ଼ା ତଟୁଘୋଡ଼ା ଥିଲା । ସେ ଖୁବ୍‌ ସୁନ୍ଦର ନହେଲେ ମଧ୍ୟ ତାର ସତେଜ ମଧୁର ଚେହେରାଟି ବେଶ୍‌ ଭଲ ଲାଗେ । ଦୁହେଁ ଦୁହିଁଙ୍କର କେତେ ପ୍ରିୟ ପ୍ରକୃତରେ ଦେଖିବା କଥା । ଘୋଡ଼ାଟି ତା ଚାଳକ ପଛେ ପଛେ କୁକୁର ପରି ଦୌଡୁଥାଏ । ବାଳକ ଗାଡ଼ିରେ ବସିଲେ ତାକୁ ଲଗାମ ବା ଚାବୁକ କିଛି ବ୍ୟବହାର କରିବା ଦରକାର ପଡ଼େ ନାହିଁ । ଏତେ ଆନନ୍ଦରେ ଦୌଡ଼େ ସତେ ଅବା ସେ ରାଣୀଙ୍କ ଘୋଡ଼ାଶାଳରୁ ଆସିଛି । ଜେରୀ ସେ ବାଳକକୁ ଭାରି ପସନ୍ଦ କରେ । ସେ ବାଳକ ବି କହେ ଯେ ଦିନେ ସେ ଚାଳକମାନଙ୍କ ଭିତରେ ରାଜା ହେବ । ତେଣୁ ଜେରୀ ତାକୁ ଡାକେ ‘ପ୍ରିନ୍ସ ଚାର୍ଲି ।’

 

ଆଉ ଜଣେ ବୃଦ୍ଧ ଗୋଟାଏ ଛୋଟ କୋଇଲା ଗାଡ଼ି ଚଳେଇ ଆମ ରାସ୍ତାରେ ଯାଆନ୍ତି । ସେ ଏକ ଟୋପି (କୋଇଲା ଉଠେଇବାକୁ) ପିନ୍ଧିଥାନ୍ତି । କଳା ଏବଂ ରୁକ୍ଷ ଲାଗନ୍ତି । କିନ୍ତୁ ସିଏ ତାଙ୍କ ଘୋଡ଼ା ସହିତ ଏପରି ସୁନ୍ଦର ଭାବେ ଚାଲନ୍ତି ଯେ ମନେହୁଏ ସେମାନେ ପରସ୍ପରକୁ ଖୁବ୍‌ ଭଲରୂପେ ବୁଝନ୍ତି । ଘୋଡ଼ା ନିଜେନିଜେ କୋଇଲା ଘର ସାମନାରେ ଠିଆ ହୋଇପଡ଼େ । ସେ ତାର କାନଟିଏ ସର୍ବଦା ଚାଳକ ଆଡ଼କୁ ଦେଇଥାଏ । ବୁଢ଼ାର ଚିତ୍କାର ଅବଶ୍ୟ ଗାଡ଼ି ଆସିବାର ବହୁ ପୂର୍ବରୁ ଶୁଣାଯାଏ । ସେ କଣ କରେ ମୁଁ ଜାଣେନି କିନ୍ତୁ ପିଲାମାନେ ତାକୁ ‘ବୁଢ଼ା ହୁଁ’ କହି ଚିଡାନ୍ତି । କାରଣ ସେ ଏହିପରି ତୁ ଶବ୍ଦ କରେ । ପଲି ତାଠାରୁ କୋଇଲା ନିଏ, ତେଣୁ ତାର ବୁଢ଼ା ସହିତ ଭଲ ପଡ଼େ । ଜେରୀ କହେ ଏଇ ବୁଢ଼ା ଘୋଡ଼ାଟି ଗୋଟିଏ ଗରିବ ଘରେ ବି ଏତେ ଖୁସିରେ ରହିପାରେ ଭାବିଲେ ଆମ ମନରେ ବି ଆନନ୍ଦ ହୁଏ ।

•••

 

ନିର୍ବାଚନ

 

ଦିନେ ଅପରାହ୍ନରେ ଆମେ ଘର ସାମନାକୁ ପହଞ୍ଚିବା ମାତ୍ରେ ପଲି କହିଲା ‘‘ଜେରୀ, ଶ୍ରୀଯୁକ୍ତ ବି- ଏଠାକୁ ଆସିଥିଲେ ନିର୍ବାଚନ ସମ୍ବନ୍ଧରେ । ସେ ଚାହାନ୍ତି ଯେ ତୁମ ଗାଡ଼ିଟିକୁ ନିର୍ବାଚନ ସମୟରେ କାମରେ ଲଗାଇବା ଲାଗି ଭଡ଼ାରେ ନେବେ । ତୁମେ ଦେଇ ପାରିବ କି ନାହିଁ ଜାଣିବାକୁ ସେ ପୁଣି ଆସିବେ ।

‘‘ଆଚ୍ଛା, କିନ୍ତୁ ପଲି ତୁ ତାଙ୍କୁ କହିଦେବୁ ଯେ ମୋ ଗାଡ଼ି ଅନ୍ୟ କାମରେ ବ୍ୟସ୍ତ ରହିବ ସେତେବେଳେ । କାରଣ ପରେ ମୁଁ ତାଙ୍କୁ ବାରମ୍ବାର ବିଲ୍‌ ଦେବାକୁ ଯାଇପାରିବିନି କି ମୋ କ୍ୟାପଟେନ୍‌ ଆଉ ଜ୍ୟାକ୍‌ ତାଙ୍କ ଅର୍ଦ୍ଧମାତାଲ ଭୋଟଦାତାଙ୍କୁ ନେବାଆଣିବା ପାଇଁ ଦୌଡ଼ି ପାରିବ ନାହିଁ । ଏହା ମୋ ଘୋଡ଼ାମାନଙ୍କୁ ଅପମାନ । ନା ନା ମୁଁ ଦେଇ ପାରିବି ନି ।

‘‘ମୁଁ ଭାବୁଛି ତୁମେ ତାଙ୍କୁ ଭୋଟ ଦେବ । ସେ କହିଲେ ଯେ ତୁମେ ତାଙ୍କ ଦଳର ।’’

‘‘ତାହାଲେ ତାଙ୍କର ଏ ଉଦ୍ଦେଶ୍ୟ ବି ଅଛି । ମୁଁ କିନ୍ତୁ ତାଙ୍କୁ ଭୋଟ ଦେବି ନି । ତାଙ୍କ ବ୍ୟବସାୟ ଜାଣିଛୁ ଟି ?’’

‘ହଁ’ ।

‘‘ଅବଶ୍ୟ ଜଣେ ବ୍ୟବସାୟ କରି ବଡ଼ ହେବ ତହିଁରେ ମୋର କିଛି ନାହିଁ । କିନ୍ତୁ ଶ୍ରମିକଙ୍କ ଅସୁବିଧାରେ ଯିଏ ଆଖି ବନ୍ଦ କରି ରହିବ ତାକୁ ମୋର ବିବେକ କେବେହେଲେ ନିର୍ବାଚିତ କରିବାରେ ସାହାଯ୍ୟ କରିବାକୁ ସମର୍ଥନ କରିବ ନାହିଁ । ଏପରି ଲୋକକୁ ଦେଶର ନିୟମକାନୁନ ତିଆରି କରିବା ସ୍ଥାନରେ ବସେଇବାରେ ସାହାଯ୍ୟ କରିବା ଉଚିତ୍‌ ନୁହେଁ । ଏହା ମୁଁ ବାଜି ମାରି କହି ପାରେ ଯେ ଜାଣିଲେ ସେମାନେ ରାଗିବେ । ପ୍ରତ୍ୟେକ ନାଗରିକ କିନ୍ତୁ ଯେଉଁଥିରେ ଦେଶର ଉପକାର ହେବ ସେୟା କରିବା ଉଚିତ୍‌ ।

ନିର୍ବାଚନ ପୂର୍ବରୁ ଦିନେ ସକାଳୁ ଜେରୀ ମତେ ରଖୁଛି, ଡଲି କଇଁ କଇଁ କାନ୍ଦ ହତା ଭିତରକୁ ଆସିଲା । ତା ନୀଳ ଫ୍ରକ ଓ ଧଳା ଓଢ଼ଣୀ ଯାକ କାଦୁଅ । କଣ ହେଲା ? ଡଲି, କାନ୍ଦୁଛୁ କାହିଁକି ?

‘‘ସେ ଦୁଷ୍ଟ ପିଲାମାନେ ମୋ ଉପରକୁ କାଦୁଅ ଫୋପାଡ଼ି ଦେଇ ମୋତେ ‘ରାଗା ରାଗା’ କହି ଚିଡ଼ଉଛନ୍ତି ।’’

ହ୍ୟାରି ଖୁବ୍‌ ରାଗିକରି ଆସି କହିଲା ‘‘ସେମାନେ ତାକୁ ନୀଳ ପୁରୁଣା ପିନ୍ଧା ପିଲା କହି ଚିଡ଼ଉଥିଲେ । ମୁଁ ସେମାନଙ୍କୁ ପାନେ ଦେଇଛି । ଏମିତି ପାନେ ଯେ ସେମାନେ କେବେ ବି ମୋ ଭଉଣୀ ସହିତ ଏମିତି କରିବେ ନି । ସେମାନଙ୍କୁ ଏମିତି ପିଟିଛି ଯେ ସେମାନେ ଜୀବନଯାକ ମନେ ରଖିବେ । ବଦମାସ୍‌ ଦୁଷ୍ଟ ଗୁଣ୍ଡାଦଳ ।’’

ଜେରୀ ଡଲିକୁ ରୁମାଲ ଦେଇ କହିଲା ‘‘ଯାଆ ତୋ ମାଆ ପାଖକୁ ଯାଆ । ଆଜି ଘରେ ରହି ମାଆକୁ ଟିକେ ସାହାଯ୍ୟ କଲେ ଭଲ ହୁଅନ୍ତା ।’’

ତାପରେ ସେ ଗମ୍ଭୀର ହୋଇ ହ୍ୟାରୀ ଆଡ଼କୁ ଚାହିଁଲା । ‘‘ପୁଅରେ ମୋର ଆଶା ତୁ ଏମିତି ସବୁବେଳେ ତୋ ମାଆ ଭଉଣୀଙ୍କୁ ରକ୍ଷା କରିବୁ ଏବଂ ଯିଏ ତାଙ୍କୁ ଅପମାନିତ କରିବ ତାକୁ ମାଡ଼ ମଧ୍ୟ ଦେବୁ । ଏଟା ଠିକ୍‌ । କିନ୍ତୁ ମନେ ରଖ ମୋ ଅଞ୍ଚଳରେ ଭୋଟ ନିମିତ୍ତ ମୁଁ କୌଣସି ମରାମରି ହେବାକୁ ଦେବିନି । ବହୁ ରଙ୍ଗର ଲୋକ ଅଛନ୍ତି, ମୋ ପ୍ରାଙ୍ଗଣରେ ସେ ସବୁ ନେଇ ଚର୍ଚ୍ଚା ବି ହେବ ନାହିଁ । ମୋ ପରିବାରର କେହି ଏଥିରେ ଭାଗ ବି ନେବେ ନି । ଏମିତି କି ମହିଳା ଓ ପିଲାମାନେ ଭାଗ ନେଇ କଳିକଜିଆ କରନ୍ତି, ମାତ୍ର ଦଶଜଣରୁ ଜଣେ ବି ଏ ବିଷୟରେ କିଛି ବୁଝନ୍ତି ନାହିଁ ।’’ ‘‘କାହିଁକି ବାପା ମୁଁ ତ ଭାବେ ନୀଳ ରଙ୍ଗ ହେଉଛି ସ୍ଵାଧୀନତାର ପ୍ରତୀକ ।’’

‘‘ପୁଅରେ ! ସ୍ୱାଧୀନତା ରଙ୍ଗରୁ ଆସେ ନାହିଁ । ସେମାନେ ପାର୍ଟିର ପ୍ରତୀକ ମାତ୍ର । ତାଙ୍କଠାରୁ ତୁମେ ସ୍ଵାଧୀନତା ହିଁ ଆଶା କରିବ । ସେ ସ୍ଵାଧୀନତା ହେଉଛି ଅନ୍ୟ ପଇସାରେ ମଦ୍ୟପାନ, ଭୋଟ ଦେବାକୁ ଯିବା ପାଇଁ ବାଜେ ମାଗଣା ଗାଡ଼ିଚଢ଼ା, ଅନ୍ୟ କେହି ଭିନ୍ନ ରଙ୍ଗ ପିନ୍ଧିଥିଲେ କିଛି ନ ବୁଝି ଚିତ୍କାର କରିବା (ଯେହେତୁ ସେ ତୁମ ରଙ୍ଗ ପିନ୍ଧି ନାହିଁ) ଏଇ ହେଲା ସ୍ଵାଧୀନ ପାର୍ଟି ।

‘‘ବାପା ତୁମେ ହସୁଛ ?’’

ନାରେ ହ୍ୟାରି ମୁଁ ଖୁବ୍‌ ଚିନ୍ତିତ ଆଉ ଲଜ୍ଜିତ ମଧ୍ୟ । ଲୋକମାନେ ଭଲଭାବରେ ବୁଝି ଭୋଟ ଦେବାକୁ ଯିବା ଆବଶ୍ୟକ । ନିର୍ବାଚନ ଏକ ବିଶେଷ କାର୍ଯ୍ୟ ଏବଂ ପ୍ରତ୍ୟେକ ଲୋକ ପୂର୍ବରୁ ଭାବିଚିନ୍ତି ବିବେକର ସମ୍ମତିରେ ଭୋଟ ଦାନ କରିବା ଉଚିତ ଏବଂ ତାହାର ପଡ଼ୋଶୀମାନେ ମଧ୍ୟ ବୁଝି ବିଚାରି ଭୋଟଦାନ କରିବା ବିଷୟରେ ସେ ସତର୍କ ହେବା ଉଚିତ୍‌ ।

•••

 

ପ୍ରକୃତ ବନ୍ଧୁ

 

ଅବଶେଷରେ ନିର୍ବାଚନର ଦିନ ଆସିଗଲା । ସେଦିନ ଆମେ ଅର୍ଥାତ୍‌ ଜେରୀ ଏବଂ ମୁଁ ଭୀଷଣ ବ୍ୟସ୍ତ ରହିଲୁ । ପ୍ରଥମେ ଜଣେ ବେଶ୍‌ ମୋଟାସୋଟା ଲୋକ ହାତରେ କାର୍ପେଟ ବ୍ୟାଗଟିଏ ଧରି ଆସିଲେ ଏବଂ ବିଶୋପ୍‌ସ ଗେଟ ଷ୍ଟେସନକୁ ଯିବାପାଇଁ ଚାହିଁଲେ । ତାପରେ ଆଉ ଗୋଟିଏ ପାର୍ଟି ରିଜେଣ୍ଟ ପାର୍କକୁ, ତାପରେ ରାସ୍ତାପଟର ଜଣେ ସ୍ତ୍ରୀ ଲୋକଙ୍କୁ ବ୍ୟାଙ୍କକୁ ନେଇ ଛାଡ଼ିଲୁ । ତାଙ୍କୁ ପୁଣି ଆଣିବା ପାଇଁ ବ୍ୟାଙ୍କ ପାଖରେ ଆମକୁ ଅପେକ୍ଷା କରିବାକୁ ପଡ଼ିଲା । ଆଉ ଠିକ୍‌ ତାଙ୍କୁ ଓହ୍ଲେଇ ଦେଇଛୁ କି ନାହିଁ ଜଣେ ଲାଲ ମୁହାଁ ଭଦ୍ରଲୋକ ଗୁଡ଼ାଏ କାଗଜପତ୍ର ଧରି ଦୌଡ଼ି ଦୌଡ଼ି ଆସିଲେ । ଜେରୀ ଗାଡ଼ିର ଦ୍ଵାର ଖୋଲିବା ପୂର୍ବରୁ ସେ ଖୋଲିଦେଇ ଭିତରେ ବସିଯାଇ ପାଟିକରି କହିଲେ ‘‘ବୋ ଷ୍ଟ୍ରିଟ୍‌ ପୋଲିସ ଷ୍ଟେସନ ଜଲ୍‌ଦି’’। ଆମେ ତାଙ୍କୁ ନେଇଗଲୁ । ପରେ ଆଉ ଜଣେ ଦୁଇଜଣକୁ ଛାଡ଼ିଦେଇ ଷ୍ଟାଣ୍ଡକୁ ଫେରି ଆସିଲୁ । ଷ୍ଟାଣ୍ଡରେ ଗୋଟାଏ ହେଲେ ବି ଗାଡ଼ି ନଥିଲା । ଜେରୀ ମୋ ମୁହଁରେ ଖାଦ୍ୟ ବ୍ୟାଗଟା ବାନ୍ଧିଦେଇ କହିଲା ‘‘ଏପରି ଗୋଟାଏ ଦିନରେ ଆମେ ଯେମିତି ପାରିବା, ଯେତେବେଳେ ପାରିବା ଖାଇଦେବା । ଦେ ଚୋବା ଜ୍ୟାକ୍‌ ବୁଢ଼ାରେ, ସମୟର ବ୍ୟବହାର ଯେତେ ଭଲରେ କରିବା ସେତେ ଭଲ ।

 

ମୁଁ ଦେଖିଲି ବ୍ୟାଗ ଭିତରେ ଭିଜା ଓଟ୍‌ସ, କିଛି କୁଣ୍ଡାଚଷୁ । ଏହା ତ ଯେକୌଣସି ଦିନ ମୋର ଭୋଜି ହୋଇଥାନ୍ତା । ଆଜି କିନ୍ତୁ ଏଇ ଖାଦ୍ୟରେ ବିଶେଷ ଭାବେ ମୋର ସତେଜତା ଆସିଲା । ଜେରୀ ଏତେ ଦୟାଳୁ ଓ ସୁବିଚାରକ- କେଉଁ ଘୋଡ଼ା ଅବା ତାପରି ମାଲିକ ପାଖରେ ଶକ୍ତି ଅନୁସାରେ ଶ୍ରେଷ୍ଠ କାମ ନ କରିବ ? ତାପରେ ପଲି ଦେଇଥିବା ମାଂସ ପାଇରୁ ଖଣ୍ଡେ ନେଇ ମୋ ପାଖରେ ଠିଆ ହୋଇ ଖାଇବାକୁ ଆରମ୍ଭ କଲା । ସାରାରାସ୍ତା ଜନାକୀର୍ଣ୍ଣ ଏବଂ ପ୍ରାର୍ଥୀମାନଙ୍କ ରଙ୍ଗ ସହିତ ଗାଡ଼ିଗୁଡିକ ବି ବେଶ୍‌ ଚମତ୍କାର ଲାଗୁଥିଲା । ଆଉ ସେଇ ଗାଡ଼ିଗୁଡିକ ଏପରି ଦ୍ରୁତ ଗତିରେ ଯାଉଥିଲେ ଯେ ଯେପରି ମଣିଷ ବା ତାଙ୍କ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକର କୌଣସି ମୂଲ୍ୟ ନାହିଁ । ସେଇଦିନ ଦୁଇଜଣକୁ ଗାଡ଼ି ଧକ୍କା ମାରିଥିଲା । ତା ଭିତରୁ ଜଣେ ସ୍ତ୍ରୀଲୋକ ଆଉ ବିଚରା ଘୋଡ଼ାମାନେ, ସେମାନଙ୍କ ଲାଗି ଏହା ଚରମଦୁର୍ଦ୍ଦିନ, ଯାତ୍ରୀମାନେ ପ୍ରାୟ ଅର୍ଦ୍ଧମାତାଲ ଗାଡ଼ି ଝରକାରୁ ମୁହଁ କାଢ଼ି ତାଙ୍କ ପାର୍ଟି ଆସୁଛି କି ନାହିଁ ଦେଖୁଥାନ୍ତି । ମୋ ପାଇଁ ଏଟା ପ୍ରଥମ ଭୋଟଗ୍ରହଣ ଦେଖା । ଏହା ଆଜି ଦେଖିସାରିବା ପରେ ଆଉ ଦେଖିବାର ଇଚ୍ଛା ମୋର ନାହିଁ । ଯଦିଓ ଶୁଣିଲି ଯେ ପୂର୍ବାପେକ୍ଷା ଏହାର ଗୋଳମାଳ ଅନେକ ସୁଧୁରିଛି ।

 

ଜେରୀ ଆଉ ମୁଁ ଖାଇବା ଶେଷ କରିବା ପୂର୍ବରୁ ଜଣେ ଯୁବତୀ ମୋଟା ପିଲାଟିଏ କାଖରେ ଧରି ପହଞ୍ଚିଲେ । ସେ ବ୍ୟସ୍ତ ହୋଇ ଏପଟ ସେପଟକୁ ଚାହିଁ ତାପରେ ଜେରୀ ଆଡ଼କୁ ଆଗେଇ ପଚାରିଲେ, ‘‘ସେଣ୍ଟ ଥୋମାସ ହସ୍ପିଟାଲକୁ ରାସ୍ତା କେଉଁଟା ଏବଂ କେତେ ଦୂର’’ ? ସେ ସେଇଦିନ ସକାଳୁ ତାଙ୍କ ଗାଁରୁ ଗୋଟେ ପରିବାବୁହା ଗାଡ଼ିରେ ଆସିଛନ୍ତି । ନିର୍ବାଚନ ଦିନ ବୋଲି ତାଙ୍କୁ ଜଣା ନଥିଲା । ଲଣ୍ଡନ ସହର ମଧ୍ୟ ତାଙ୍କର ଅଜଣା । ସେ ତାଙ୍କ ପୁଅକୁ ଡାକ୍ତରଖାନାକୁ ନେବା ପାଇଁ ଆସିଛନ୍ତି । ପିଲାଟି ଯନ୍ତ୍ରଣାରେ କୁଁ କୁଁ କରୁଥିଲା ।

 

‘‘ବିଚରା ପିଲାଟି ବହୁତ କଷ୍ଟ ପାଉଛି’’ ସେ କହିଲେ ‘‘ବହୁତ ଯନ୍ତ୍ରଣା ସେ ଭୋଗୁଛି । ଚାରିବର୍ଷ ବୟସ, କିନ୍ତୁ ଶିଶୁପରି ରହିଛି । ସେଠି ଡାକ୍ତର ମତେ ଏଇ ଡାକ୍ତରଖାନାରେ ଦେଖେଇଲେ ପୁଅ ଭଲ ହୋଇ ଯାଇପାରେ କହିବାରୁ ମୁଁ ତାକୁ ନେଇ ଆସିଛି । ଦୟାକରି କୁହନ୍ତୁ ସାର ଆଉ କେତେ ଦୂର ଏବଂ କେଉଁ ରାସ୍ତାରେ ଯିବି ।’’

 

‘‘ମ୍ୟାଡାମ ଆପଣ ଏ ଗହଳିରେ ପିଲାନେଇ ଚାଲିଚାଲି ସେଠାକୁ ଯାଇ ପାରିବେନି । ତିନି ମାଇଲ ଦୂର, ପୁଣି ପିଲାର ଓଜନ ବି ତ ଅଛି ।

 

‘‘ତାକୁ ଆଶୀର୍ବାଦ କରନ୍ତୁ । ସେ ମୋଟା ହେଲେ ବି ମୋର ବଳ ଅଛି । ରାସ୍ତା ଜାଣିଲେ ମୁଁ ନିଶ୍ଚୟ ପହଞ୍ଚିଯିବି । ଅନୁଗ୍ରହ କରି ମତେ ରାସ୍ତାଟା ବତେଇ ଦିଅନ୍ତୁ ।’’

 

ନା ଆପଣ ଯାଇପାରିବେ ନି । ଗାଡ଼ି ଧକ୍କା ମାରିପାରେ । ପିଲାକୁ ମାଡ଼ିଯାଇ ବି ପାରେ-। ବର୍ତ୍ତମାନ ଏ ଗାଡ଼ିରେ ବସନ୍ତୁ, ମୁଁ ଆପଣଙ୍କୁ ନିରାପଦରେ ଡାକ୍ତରଖାନାରେ ପହଞ୍ଚାଇ ଦେବି ! ବର୍ଷା ବି ଆସୁଛି, ଦେଖିପାରୁ ନାହାନ୍ତି ?’’

 

‘‘ନା ନା ସାର ଏମିତିକା ମୁଁ ଯିବିନି । ମୋ ପାଖରେ କେବଳ ଘରକୁ ଫେରିବା ଟଙ୍କା ଅଛି । ଦୟାକରି ମତେ ଖାଲି ରାସ୍ତା କହି ଦିଅନ୍ତୁ ।

 

‘‘ଶୁଣନ୍ତୁ ମ୍ୟାଡାମ- ମୋର ବି ଘର ଅଛି, ସ୍ତ୍ରୀ ପରିବାର ବି ଅଛନ୍ତି । ପିତାର ସ୍ନେହ ବି ମୁଁ ଜାଣେ । ବର୍ତ୍ତମାନ ଗାଡ଼ିରେ ବସନ୍ତୁ । ମୁଁ ଠିକ୍‌ ନେଇ ପହଞ୍ଚାଇ ଦେବି । ପଇସା ଲାଗିବ ନି । ଜଣେ ମହିଳା ଓ ତାଙ୍କ ଅସୁସ୍ଥ ପୁଅକୁ ଏଇପରି ଅବସ୍ଥାରେ ବିପଦ ମଧ୍ୟରେ ଛାଡ଼ି, ମୁଁ ନିଜେ ଲଜ୍ଜିତ ହେବି ।’’ ‘‘ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ ।’’ ସ୍ତ୍ରୀ ଲୋକଟି ଜୋରରେ କାନ୍ଦିଉଠି କହିଲା ।

 

‘‘ଆରେ ! ଆରେ ! ଶାନ୍ତ ହୁଅ ମୁଁ ସଙ୍ଗେ ସଙ୍ଗେ ଆପଣଙ୍କୁ ଛାଡ଼ି ଦେବି । ମୁଁ ଦ୍ୱାର ଖୋଲି ଦେଉଛି, ଭିତରେ ବସନ୍ତୁ ।’’ ଜେରୀ ଦ୍ଵାରଟି ଠିକ୍‌ ଖୋଲିଦେବା ବେଳକୁ ରଙ୍ଗିନ ଟୋପି ଓ ରଙ୍ଗିନ ବୋତାମବାଲା ଦୁଇଜଣ ଲୋକ ପହଞ୍ଚିଗଲେ । ତାଙ୍କ ଭିତରୁ ଜଣେ ସେ ସ୍ତ୍ରୀଲୋକକୁ ଠେଲିଦେଇ ଗାଡ଼ି ଭିତରକୁ ଡେଇଁ ପଡିଲେ । ଜେରୀ ପୋଲିସ ପରି ତୀକ୍ଷ୍ମ ଦୃଷ୍ଟିରେ ସେମାନଙ୍କୁ ଚାହିଁ କହିଲା ‘‘ଭଡ଼ା ଅଛି । ଏ ମହିଳା ଜଣକ ଆଗରୁ ମୋ ଗାଡ଼ି ଭଡ଼ା ନେଇଛନ୍ତି ।’’

 

ସେମାନଙ୍କ ଭିତରୁ ଜଣେ କହିଲା ‘‘ଓଃ ମହିଳା ଜଣକ । ସେ ଅପେକ୍ଷା କରି ପାରିବେ । ଆମର ବହୁତ ଜରୁରୀ କାମ । ତା ଛଡ଼ା ଆମେ ତ ପ୍ରଥମେ ବସିଯାଇଛୁ ଆମର ଦାବି ବେଶି । ଆମେ ଭିତରେ ବସିବୁ ।’’ ଗୋଟିଏ ବିଦ୍ରୂପର ହସ ହସି ଜେରୀ ଦ୍ଵାର ଧଡ୍‌କରି ବନ୍ଦ କରି ଦେଇ କହିଲା (ଯେତେବେଳ ଇଚ୍ଛା ଭିତରେ ବସିଥାଅ । ତୁମେ ବିଶ୍ରାମ କର, ମୁଁ ଅପେକ୍ଷା କରିପାରେ । ‘‘ତାପରେ ବୁଲିପଡ଼ି ମୋ ପାଖେ ଠିଆ ହୋଇଥିବା ସ୍ତ୍ରୀଲୋକକୁ ଆସି କହିଲା ‘‘ମାଆ ଆପଣ ବ୍ୟସ୍ତ ହେବେ ନି । ସେମାନେ ଶୀଘ୍ର ପଳାଇବେ ।’’

 

ସେମାନେ ଯେତେବେଳେ ଜେରୀ କଥା ବୁଝିପାରିଲେ, ଗାଡ଼ିରୁ ଓହ୍ଲାଇ ଏବଂ ଜେରୀକୁ ଯାହାତାହା ଗାଳି ଦେଇ ଦେଇ ଚାଲିଗଲେ । ତାର ଗାଡ଼ି ନମ୍ବର ନେଇ ତାକୁ କୋର୍ଟକୁ ଟାଣିବା ଭୟ ମଧ୍ୟ ଦେଖାଇଲେ ।

 

ଏହାପରେ ଆମେ ସିଧା ଡାକ୍ତରଖାନାକୁ ଚାଲିଲୁ । ପହଞ୍ଚିଯାଇ ଜେରୀ ବେଲ୍‌ ବଜାଇଲା ଏବଂ ସ୍ତ୍ରୀ ଲୋକକୁ ପିଲା ସହିତ ଓହ୍ଲାଇ ବି ଦେଲା ।

 

‘‘ଆପଣଙ୍କୁ ହଜାରବାର ଧନ୍ୟବାଦ । ମୁଁ କେବେ ବି ଏଠାକୁ ଏକା ଆସିପାରି ନଥାନ୍ତି ।’’ ସେ କହିଲା ।

 

‘‘ତୁମେ ବି ଅଭିନନ୍ଦିତ, ମୋର ଆଶା ପିଲା ଭଲ ହୋଇଯିବ ।’’

 

ସେ ଭିତରକୁ ପଶିବା ପର୍ଯ୍ୟନ୍ତ ଜେରୀ ଚାହିଁ ରହିଲା । ତାପରେ ନିଜକୁ ନିଜେ କହିଲା ଏହିପରି ଲୋକମାନଙ୍କ ମଧ୍ୟରୁ ଜଣକୁ ଆଜି କିଛି ସାହାଯ୍ୟ କରାଗଲା ।’’ ତାପରେ ମୋ ବେକ ଆଉଁସିଲା । ସେ ଯେତେବେଳେ ଖୁବ୍‌ ଖୁସି ହୁଏ ମତେ ଏମିତି ଗେଲକରେ ।

 

ବର୍ତ୍ତମାନ ବର୍ଷାଟା ବେଶ୍‌ ଜୋର୍‌ରେ ଆସିଗଲା ଏବଂ ଆମେ ଠିକ୍‌ ସେଠୁ ବାହାରିଲା ବେଳକୁ ଦୁଆର ପୁଣି ଖୋଲିଗଲା । କୁଲିଟି ଡାକିଲା ‘‘ଗାଡ଼ି’’, ଆମେ ରହିଲୁ । ଜଣେ ଭଦ୍ର ମହିଳା ଶିଡ଼ି ଓହ୍ଲାଇ କରି ଆସିଲେ । ଜେରୀ ସଙ୍ଗେ ସଙ୍ଗେ ତାଙ୍କୁ ଚିହ୍ନିପାରିଲା । ସେ ତାଙ୍କ ଓଢ଼ଣୀ ଖସେଇ କହିଲେ ‘‘ବାର୍କର ! ଜେରେମିଆଁ ବାର୍କର ତୁମେଟି ? ତୁମକୁ ଏଠି ଦେଖି ମୁଁ ଖୁବ୍‌ ଖୁସି ହେଲି । ଏଇପରି ବନ୍ଧୁକୁ ହିଁ ମୁଁ ଖୋଜୁଥିଲି ଆଜିପରି ଦିନରେ ଲଣ୍ଡନର ଏଇପଟେ ଗୋଟାଏ ଗାଡ଼ି ମିଳିବା ଦୁରୂହ ବ୍ୟାପାର ।’’

 

‘‘ମୁଁ ଆପଣଙ୍କ ସେବା କରି ପାରିଲେ ଗର୍ବ କରିବି ମ୍ୟାଡାମ୍‌ । ଏଠିକୁ ଆସି ମୁଁ ବି ଯେ ଆପଣଙ୍କୁ ଦେଖିଲି ସେଥିରେ ମୁଁ ଅତ୍ୟନ୍ତ ଖୁସି । କେଉଁଠାକୁ ଆପଣ ଯିବେ ?’’

 

‘‘ପ୍ୟାଡିଂଗର୍ଟନ ଷ୍ଟେସନକୁ । ଯିବାକୁ ତ ଅନେକ ସମୟ ଲାଗିବ । ତୁମେ ମତେ ମେରୀ ଆଉ ସନ୍ତାନମାନଙ୍କ କଥା ଶୁଣାଅ ।’’

 

ଆମେ ଠିକ୍‌ ସମୟରେ ଷ୍ଟେସନରେ ପହଞ୍ଚିଗଲୁ । ଭିତରେ ଭଦ୍ରମହିଳା ଜେରୀ ସହିତ ଆଳାପ କରୁଥାନ୍ତି । ସେ ପଲିକୁ ପାଳିଥିଲେ ବୋଲି ମୁଁ ବୁଝିଲି, ତା ବିଷୟରେ ଅନେକ କିଛି ପଚାରୁଥାନ୍ତି । ସେ ପଚାରିଲେ ‘‘ଏଇ ଶୀତଦିନରେ ଗାଡ଼ିଚଳା କାମ ତୁମକୁ ଭଲ ଲାଗୁଛି ତ ? ଗତବର୍ଷ ପଲି ଭାରି ବ୍ୟସ୍ତ ହେଉଥିଲା ।’’

 

ହଁ ମ୍ୟାଡାମ ସେ ବ୍ୟସ୍ତ ଥିଲା । ଗତବର୍ଷ ଶୀତଦିନରେ ମୋର ଭାରି ଥଣ୍ଡା କାଶ ହେଉଥିଲା । ଗରମ ଋତୁ ଆସିବା ଯାଏଁ ଭୋଗିଲି । ତେଣୁ ଏବେ ଡେରିଯାଏଁ ବାହାରେ ରହିଲେ ସେ ଭାରି ବ୍ୟସ୍ତ ହୋଇଯାଏ । କିନ୍ତୁ ଆପଣ ଭାବନ୍ତୁ ମ୍ୟାଡାମ- କାମ ତ ସବୁ ଋତୁରେ ସବୁ ସମୟରେ କରିବା ପାଇଁ ପଡ଼ିବ । ସେଟା ମଣିଷର ଶାରୀରିକ ଗଠନ ଉପରେ ହିଁ ନିର୍ଭର କରେ । କିନ୍ତୁ ଏବେ ତ ମୁଁ ବେଶ୍‌ ଭଲ ଅଛି । ପୁଣି ମତେ ଘୋଡ଼ାମାନଙ୍କ ସହ କାମ ନ କଲେ ଭଲ ମଧ୍ୟଲାଗିବ ନାହିଁ । ମୁଁ ତ ଏଇଭାବେ ପାଳିତ । ଆଉ କୌଣସି କାମ ଏତେ ଭଲଭାବରେ ମୁଁ କରିପାରିନଥାନ୍ତି । ‘‘କିନ୍ତୁ ବାର୍କର’’ ସେ କହିଲେ, ଖୁବ୍‌ ଦୁଃଖର କଥା ଯେ ତୁମେ ତୁମ ସ୍ଵାସ୍ଥ୍ୟ ବିଷୟରେ ଯତ୍ନହୀନ ହୋଇ ଏଇ କାମ କରୁଛ । କେବଳ ତୁମ ପାଇଁ ନୁହେଁ ମେରୀ ଏବଂ ପିଲାମାନଙ୍କ ପାଇଁ ମଧ୍ୟ ତୁମ ସ୍ଵାସ୍ଥ୍ୟର ଯତ୍ନ ଜରୁରୀ । ଅନେକ ଏମିତି ଜାଗା ଅଛି ଯେଉଁଠି କି ଭଲ ଚାଳକ ବା ସଇସର ଆବଶ୍ୟକ ହୁଏ । ଆଉ କେବେ ବି ଯଦି ତୁମର ଏଇ କାମ ଛାଡ଼ି ଦେବା ପାଇଁ ଇଚ୍ଛା ହୁଏ ତେବେ ମତେ ଜଣାଇବ ।’’ ତାପରେ ମେରୀ ପାଇଁ ଶୁଭେଚ୍ଛାର ଅନେକ ବାକ୍ୟ କହି ଜେରୀ ହାତରେ କିଛି ମୁଦ୍ରା ଦେଲେ । କହିଲେ ‘‘ତୁମ ଦୁଇ ପିଲାଙ୍କ ପାଇଁ ପାଞ୍ଚ ଶିଲିଂ ଲେଖାଁ ଦେଲି । ମେରୀ ଜାଣେ କ’ଣ କେମିତି ତାହା ଖର୍ଚ୍ଚ ହେବ ।’’

 

ଜେରୀ ଧନ୍ୟବାଦ ଜଣାଇ ଖୁସିରେ ଷ୍ଟେସନ ଛାଡ଼ିଲା । ଅବଶେଷରେ ଘରେ ପହଞ୍ଚିଲୁ-। ମୁଁ ସମ୍ପୂର୍ଣ୍ଣ କ୍ଳାନ୍ତ ହୋଇ ପଡ଼ିଥିଲି ।

•••

 

କ୍ୟାପ୍‌ଟେନ ଓ ତାର ଉତ୍ତରାଧିକାରୀ

 

କ୍ୟାପଟେନ ଓ ମୁଁ ଖୁବ୍‌ ବନ୍ଧୁ ହୋଇଯାଇଥିଲୁ । ସେ ଏକ ମହତ ବୁଢ଼ା ଘୋଡ଼ା ଏବଂ ତା ସଙ୍ଗ ବେଶ୍‌ ଆନନ୍ଦଦାୟକ। ମୁଁ କେବେ ବି ଭାବି ନଥିଲି ଯେ ସେ ତାର ଘର ଛାଡ଼ି ପାହାଡ଼ ତଳକୁ ଯିବ, କିନ୍ତୁ ତା ବେଳ ଆସିଗଲା- ଏବଂ ମୁଁ ନଥିଲେ ବି ଯାହାଯାହା ଘଟିଥିବାର ମୁଁ ଫେରିଆସି ଶୁଣିଲି ତାହା ହିଁ ନିମ୍ନରେ ଏଠି ବର୍ଣ୍ଣନା କଲି ।

 

ସେ ଏବଂ ଜେରୀ ଗୋଡ଼ାଏ ଦଳ ନେଇ ଲଣ୍ଡନ ବ୍ରିଜ ପାରହୋଇ ବଡ଼ ରେଳଷ୍ଟେସନକୁ ଯାଇଥିଲେ । ଆସିଲାବେଳକୁ ଜେରୀ ଦେଖିଲା ବ୍ରିଜ ଆଉ ମନୁମେଣ୍ଟ ମଧ୍ୟରେ ଏକ ମଦ ପ୍ରସ୍ତୁତକାରୀର ଖାଲି ଗାଡ଼ି । ଗାଡ଼ିକୁ ଦୁଇଟା ଶକ୍ତ ଆଉ ବଡ଼ ବଡ଼ ଘୋଡ଼ା ଟାଣୁଥିଲେ । ଗାଡ଼ିବାଲା ତାଙ୍କୁ ବଡ଼ ଚାବୁକରେ ପିଟିବାରେ ଲାଗିଥାଏ । ଗାଡ଼ିଟା ହାଲୁକା- କିନ୍ତୁ ଚାବୁକମାଡ଼ରେ ସେମାନେ ଖୁବ୍‌ ଜୋରରେ ଦୌଡ଼ିବାକୁ ଆରମ୍ଭ କଲେ । ଲୋକଟାର ଘୋଡାଙ୍କ ଉପରେ ବି କଣ୍ଟ୍ରୋଲ ନଥିଲା । ରାସ୍ତା ସାରୀ ଗହଳି ଥିବାରୁ ସେ ଗାଡ଼ି ଗୋଟିଏ ଛୋଟ ଝିଅ ସହ ବାଡ଼େଇ ହୋଇ ତା ଉପରେ ମାଡ଼ି ଚାଲିଗଲା । ତାପରେ ଆମ ଗାଡ଼ିରେ ବି ମାଡ଼ ହେଲା । ଆମ ଗାଡ଼ିର ଦୁଇଟାଯାକ ଚକ ଭାଙ୍ଗି ଯିବାରୁ ଗାଡ଼ି ଛିଟ୍‌କି କରି ପଡିଲା । କ୍ୟାପ୍‌ଟେନ ତଳେ ପଡ଼ିଯାଇ ଟାଣି ହୋଇଗଲା । ଗାଡ଼ିର ରଡ଼ ଖଣ୍ଡଖଣ୍ଡ ହୋଇଗଲା । ଖଣ୍ଡେ ଯାଇ ତା ପଟକୁ ପଡ଼ିଲା । ଜେରୀ ମଧ୍ୟ ପଡ଼ିଯାଇଥିଲା । କିନ୍ତୁ ସେ କେବଳ ଖଣ୍ଡିଆଖାବରା ହୋଇଥିଲା । ଏଟା ବି ବିସ୍ମୟକର ଯେ ସେ କେମିତି ଖସିଗଲା । ପରେ ସେ ସବୁବେଳେ କହେ ଯେ ଏହା ଏକ ଦୈବିକ ଆଶ୍ଚର୍ଯ୍ୟ । କ୍ୟାପ୍‌ଟେନ ଉଠିଲା ବେଳକୁ ସେ କ୍ଷତବିକ୍ଷତ ମାଡ଼ ହୋଇ ଶରୀର ଚିପିଚାପି ହୋଇଛି । ଜେରୀ ତାକୁ ଧୀରେ ଧୀରେ ଆଣିଲା । ତାର ଧଳା କୋଟଟି ପୂରା ରକ୍ତରେ ଭିଜା । ତା କାନ୍ଧରୁ ଓ ଦେହରୁ ରକ୍ତ ପଡ଼ୁଥାଏ । ଖୁବ୍‌ ଦୁଃଖଦ ଦୃଶ୍ୟ । ଗାଡ଼ିଚାଳକ ମାତାଲ ଥିବା ଜଣାପଡ଼ି ତାକୁ ଜୋରିମାନା କରାଗଲା । ମଦ ତିଆରି କରିବା ଲୋକ ବି ଜେରୀକୁ କ୍ଷତିପୂରଣ ଦେଲା । କିନ୍ତୁ କେହି ତ ବିଚରା କ୍ୟାପଟେନକୁ କିଛି କ୍ଷତିପୂରଣ ଦେଲେ ନାହିଁ ।

 

ଅଶ୍ଵ ଚିକିତ୍ସକ ଆଉ ଜେରୀ କ୍ୟାପଟେନର ଯନ୍ତ୍ରଣା କମ୍‌ କରିବାକୁ ଅନେକ ଚେଷ୍ଟା କଲେ । ଗାଡ଼ିର ମରାମତି ବି ହେବ । ଅନେକ ଦିନ ପର୍ଯ୍ୟନ୍ତ ମୁଁ ଗଲିନି ବା ଜେରୀ କିଛି ରୋଜଗାର ବି କଲାନି । ଏହାର ଅନେକ ପରେ ଯେଉଁ ଦିନ ଆମେ ପ୍ରଥମେ ଷ୍ଟାଣ୍ଡକୁ ପୁଣି ଗଲୁ ଗଭର୍ଣ୍ଣର କ୍ୟାପ୍‌ଟେନ କେମିତି ଅଛି ବୁଝିବାକୁ ଆସିଥିଲେ ‘‘ସେ ଆଉ କେବେ ଭଲ ହେବ ନାହିଁ । ଅନ୍ତତଃ ମୋ କାମ କରିବା ପାଇଁ ନୁହେଁ । ଏକଥା ଆଜି ସକାଳେ ହିଁ ଚିକିତ୍ସକ କହିଛନ୍ତି । ସେ କହିଛନ୍ତି ଯେ ସେ ଭାର ବୁହା ଅବା ସେଇପରି କିଛି କାମ କରି ପାରିବ । ଏହା ଜାଣି ମତେ ଭାରି କଷ୍ଟ ଲାଗୁଛି । ବୋଝ ବୁହା କାମ ପ୍ରକୃତରେ କାମ । ମୁଁ ଲଣ୍ଡନରେ ବୋଝବୁହା ଘୋଡ଼ାଙ୍କ କଷ୍ଟ ଦେଖିଛି । ବର୍ତ୍ତମାନ ମୋର ଏକମାତ୍ର ଇଚ୍ଛା ଯେ ମାତାଲମାନଙ୍କୁ ପାଗଳାଗାରଦରେ ବନ୍ଦ କରିଦେବା ପାଇଁ । ଭଲମାନଙ୍କୁ କଷ୍ଟ ଦେବା ପରିବର୍ତ୍ତେ ସେମାନଙ୍କର ଶାସ୍ତି ହେଉ । ଯଦି ସେମାନେ ନିଜ ଗାଡ଼ି, ନିଜ ହାତ, ନିଜ ଘୋଡାଙ୍କୁ ଭଙ୍ଗାରୁଜା କରନ୍ତି ତ କରନ୍ତୁ, କାରଣ ତାହା ତାଙ୍କ ନିଜ ସମ୍ପତ୍ତି ଏବଂ ଆମର କିଛି ବି ତହିଁରେ ତାଙ୍କୁ କହିବାକୁ ନଥିବ । ମାତ୍ର ଭଲ ଲୋକଙ୍କ କ୍ଷତି- ମୁଁ ସର୍ବଦା ଦେଖେ ଯେ ଭଲ ଲୋକେ ହିଁ କଷ୍ଟ ପାଆନ୍ତି । ଅନ୍ୟ ପକ୍ଷ କ୍ଷତିପୂରଣ କରିଦେଲେ ଭାବେ ଯେ ସବୁ ଠିକ ହୋଇଛି, କିନ୍ତୁ ପ୍ରକୃତରେ ସେମାନେ ସବୁ କ୍ଷତିପୂରଣ କରିପାରିବେ ନି, କରି ହେବ ନି । ତା ଛଡ଼ା କଷ୍ଟ, ହଇରାଣ ସମୟ ନଷ୍ଟ ଏ ସବୁ ବି ତ ଅଛି । କିନ୍ତୁ ସବୁଠାରୁ କଷ୍ଟର କଥା ହେଉଛି- ଘୋଡ଼ା ହରେଇବା - ଯିଏ କି ପୁରୁଣା ବନ୍ଧୁ । ସେ କ୍ଷେତ୍ରରେ କ୍ଷତିପୂରଣ ଶବ୍ଦଟା ଅର୍ଥହୀନ । ମୁଁ ଯଦି କାହାକୁ ସବୁଠାରୁ ଗଭୀର ନର୍କରେ ଦେଖିବାକୁ ଚାହେଁ ସେ ହେଉଛି ‘ମାତାଲ’, ଜେରୀ କହିଲା ।

 

ଗଭର୍ଣ୍ଣର କହିଲେ ‘‘ଜେରୀ ତୁମ କଥା ମତେ ପ୍ରଚଣ୍ଡ ଆଘାତ ଦେଉଛି । କାରଣ ମୁଁ ବି ତ ତୁମପରି ଦୋଷମୁକ୍ତ ନୁହେଁ, ଏ କଥା ତୁମେ ଜାଣ । ଆହା ଯଦି ହୋଇଥାନ୍ତି-’’ ‘‘ଆଚ୍ଛା ତୁମେ ଅଭ୍ୟାସଟା ଛାଡି ଦେଉ ନ କାହିଁକି ? ତୁମେ ମଦର କ୍ରୀତଦାସ ହେବା ପରି ମଣିଷ ବି ତ ନୁହଁ । ତୁମେ ଭଲ ଲୋକ । ଛାଡ଼ି ଦିଅ ।’’ ଜେରୀ କହିଲା ।

 

‘‘ମୁଁ ବଡ଼ ବୋକା ଦୁର୍ବଳମନା ହୁଏତ । ଥରେ ଦୁଇଦିନ ପାଇଁ ଛାଡ଼ିଥିଲି, ଭାବିଲି ବୋଧେ ମରିଯିବି । ତୁ କେମିତି ଏକଦମ୍‌ ପିଉନି କହିଲୁ ?’’

 

ତା ପାଇଁ ଅନେକ ଚେଷ୍ଚା କରିବାକୁ ପଡ଼ିଥିଲା । ଅବଶ୍ୟ ମୁଁ କେବେ ପିଇକରି ମାତାଲ ହୋଇନାହିଁ । କିନ୍ତୁ ଦେଖିଲି ଯେ ମଦଟା ମୋ ମାଲିକ ଦିନେ ହୋଇ ପଡ଼ିବ । ତେଣୁ ପିଇବା ପାଇଁ ଖୁବ୍‌ ଇଚ୍ଛା ହେଲେ ମନରୁ ନା ନା ବାହାର କରେ । ଏ ଚିନ୍ତା ବି ମନକୁ ଆସେ ଯେ ମାତାଲ ହେଲେ ଧକ୍କା ନିଶ୍ଚୟ ହେବ । ଯଦି ହେବ ତାହା ମାତାଲ ସହ ନା ଜେରୀ ବାକର ସହ । ତାପରେ ପୁଣି ଭାବେ ନା ଜେରୀ ବାର୍କର ସହ ନହେଁ । ଏହା ଏକ ବଡ଼ ସଂଗ୍ରାମ ଏବଂ ଭଗବାନ ଏଥିରେ ମତେ ସାହାଯ୍ୟ କଲେ । ଅଭ୍ୟାସ ଛାଡ଼ିବାବେଳେ ଏହା ଯେ କେତେ କଷ୍ଟ ବୁଝିଲି । ଅବଶ୍ୟ ପଲି ବି ମତେ ଅନେକ ସାହାଯ୍ୟ କଲା, କିଛି କଷ୍ଟ କରି ଭଲ ଖାଦ୍ୟ ଖୁଆଇଲା । ପିଇବାକୁ ତୀବ୍ର ଇଚ୍ଛାହେଲେ ସେ ମତେ କପେ କଫି ବା ଖଣ୍ଡେ ପିପରମିଣ୍ଟ ଦିଏ, ବେଳେବେଳେ ମୁଁ ବହି ମଧ୍ୟ ପଢ଼ି ଇଚ୍ଛା ଦମନ କରେ । ଆଉ ବେଳେବେଳେ ବାରମ୍ବାର ନିଜକୁ କହେ, ମଦ ଛାଡ଼ ଆତ୍ମା ଶୁଦ୍ଧ କର । ମଦ ଛାଡ଼ିବି ନା ପଲି ହୃଦୟକୁ ଆଘାତ ଦେବି ?’’ କିନ୍ତୁ ଭଗବାନଙ୍କୁ ଧନ୍ୟବାଦ, ମୋ ପତ୍ନୀକୁ ଧନ୍ୟବାଦ ମୋର ତହିଁରୁ ମୋହ ଚାଲିଗଲା । ବର୍ତ୍ତମାନ ଦଶବର୍ଷ ହେଲାଣି ମୁଁ ଟୋପାଏ ଚାଖିନି । ଭବିଷ୍ୟତରେ ଚାଖିବାର ଇଚ୍ଛା ବି ନାହିଁ ।

 

ଏହା ଶୁଣି ସାରି ଗ୍ରାଣ୍ଟ କହିଲେ ‘‘ମୋର ବି ଛାଡ଼ିଦେବାକୁ ଭାରି ଇଚ୍ଛା, ମୁଁ ବି ଚେଷ୍ଟା କରିବି। ନିଜେ ନିଜର ମାଲିକ ନ ହୋଇ ପାରିବାଟା ବାସ୍ତବିକ ଲଜ୍ଜାର କଥା ।’’

 

‘‘ସେୟା କର ଗଭର୍ଣ୍ଣର, ସେୟା କର । ଏହା କଲେ ତୁମକୁ କେବେ ବି ଅନୁତାପ କରିବାକୁ ପଡ଼ିବ ନାହିଁ । ତୁମକୁ ମଦ ଛାଡିବାର ଦେଖିଲେ ବି ଆମ ଷ୍ଟାଣ୍ଡକୁ ଆସୁଥିବା ଅନ୍ୟମାନେ ମଧ୍ୟ ପାରିଲେ ମଦ ଦୋକାନଠାରୁ ଦୂରରେ ରହିବେ ।’’

 

ପ୍ରଥମେ ତ କ୍ୟାପଟେନ ଭଲ ହୋଇଯିବା ପରି ଲାଗୁଥିଲା । ଅବଶ୍ୟ ଆଗରୁ ସେ ବେଶ୍‌ ବୁଢ଼ା ହୋଇଯାଇଥିଲା, କେବଳ ତାର ଶକ୍ତ ଶାରୀରିକ ଗଠନ ଓ ଜେରୀର ଯତ୍ନ ଯୋଗୁଁ ସେ ଏତେ ଦିନ ପର୍ଯ୍ୟନ୍ତ ଗାଡ଼ି ଚଳେଇବାରେ ସମର୍ଥ ଥିଲା । ବର୍ତ୍ତମାନ ତାର ସ୍ଵାସ୍ଥ୍ୟ ତ ସମ୍ପୂର୍ଣ୍ଣ ନଷ୍ଟ-ଚିକିତ୍ସକ କହିଲେ ଆହୁରି ଅନେକ ସୁସ୍ଥତା ପରେ ହିଁ ସେ ସାମାନ୍ୟ କେତେ ପାଉଣ୍ଡରେ ବିକ୍ରି ହୋଇ ପାରିବ । କିନ୍ତୁ ଜେରୀ କହିଲା । ଅଳ୍ପ କିଛି ଟଙ୍କା ପାଇଁ ଏହିପରି ପ୍ରିୟ ଘୋଡ଼ାକୁ କଷ୍ଟ ଓ ଯନ୍ତ୍ରଣାକୁ ପେଲି ଦେବାଟା ଠିକ୍‌ ହେବ ନାହିଁ। ତା ଦ୍ଵାରା ତାର ଅନ୍ୟ ପ୍ରକାରେ ସବୁ ନଷ୍ଟ ହେବ । ବରଂ ତାକୁ ସମ୍ପୂର୍ଣ୍ଣ ମୁକ୍ତ ଦେଇଦେବା ତା ପାଇଁ ଭଲ । ତାକୁ ଆଉ ଗୋଟାଏ ଦୟାଳୁ ମାଲିକ ଯେ ମିଳିବ ତା ତ ସେ ଜାଣିପାରିବ ନି, ତେଣୁ ଗୋଟିଏ ଗୁଳି ତା ଛାତିରେ ମାରିଲେ ହିଁ ତାର ସମସ୍ତ ଯନ୍ତ୍ରଣାର ଶେଷ ହୋଇଯିବ ।

 

ସେଇ କଥା ସ୍ଥିର ହେଲା । ହ୍ୟାରୀ ମତେ ନୂଆ ଘୋଡ଼ା ପାଇଁ କମାରଶାଳକୁ ନେଇଗଲା । ମୁଁ ଫେରିଲା ବେଳକୁ କ୍ୟାପଟେନ ଯାଇ ସାରିଛି । ସେଦିନ ଅବଶ୍ୟ ମୁଁ ଏଵଂ ଜେରୀର ପରିବାର ଅତ୍ୟନ୍ତ ଦୁଃଖ ପାଇଥିଲୁ ।

 

ଜେରୀ ଆଉ ଗୋଟାଏ ଘୋଡ଼ା ଖୋଜିଲା । ଜଣେ ଧନୀ ବ୍ୟକ୍ତିଙ୍କ ଘରେ ସହକାରୀ ସଇସଭାବେ ଚାକିରି କରୁଥିବା ଜଣକ ସହିତ ଜେରୀର ପରିଚୟ ଥିଲା । ସେ କହିଲା ଯେ ତାଙ୍କ ଘୋଡ଼ାଶାଳରେ ଗୋଟିଏ ଭଲ ଜାତିଆ ଘୋଡ଼ା ଅଛି । କିନ୍ତୁ ଥରେ ଗୋଟାଏ ଗାଡ଼ି ସହିତ ଧକ୍କା କରି ମାଲିକଙ୍କୁ ତଳେ ପକେଇ ନିଜେ ମଧ୍ୟ ଖଣ୍ଡିଆଖାବରା ହୋଇଛି । ତେଣୁ ଆଭିଜାତ୍ୟ ପରିବାରର ଘୋଡ଼ାଶାଳରେ ରହିବା ପାଇଁ ସେ ଆଉ ଯୋଗ୍ୟ ନୁହେଁ । ସେଥି‌ପାଇଁ ସେମାନେ ଯେତେ ଶୀଘ୍ର ପାରିବ ତାକୁ ବିକ୍ରି କରିଦେବାର ନିର୍ଦ୍ଦେଶ ଚାଳକକୁ ଦେଇଛନ୍ତି ।

 

‘‘ଯଦି ସେ ଘୋଡ଼ାର ନରମ ପାଟି ଏବଂ ସେ ଦୁଷ୍ଟ ହୋଇ ନଥିବ ମୁଁ ତାକୁ ଖୁସିରେ କିଣିବି ।’’ ଜେରୀ କହିଲା । ସେ ଲୋକଟି କହିଲା ‘‘ଅତି ଉତ୍ତମ ଘୋଡ଼ା, ପାଟି ଏକଦମ୍‌ ନରମ ଏବଂ ମୋ ଧାରଣା ସେଇଥିପାଇଁ ହିଁ ଦୁର୍ଘଟଣାଟି ଘଟିଲା । ତାକୁ ଠିକ୍‌ ଭାବରେ ଯୋଚି ଥିଲେ । ମାତ୍ର ପାଗ ସେଦିନ ଭଲ ନଥିଲା କି ତାକୁ ଯଥେଷ୍ଟ ବ୍ୟାୟାମ ବି କରାଯାଇ ନଥିଲା । ସେ ଗଲାବେଳେ ଖୁବ୍‌ ଫୂର୍ତ୍ତିରେ ଗଲା । ଆମ ଚାଳକ ତାକୁ ଖୁବ୍‌ ଶକ୍ତ କରି ଟଣା ଲଗାମରେ ବାନ୍ଧିଦେଇଥିଲା । ତଳ ରଡ଼୍‌ରୁ ବାନ୍ଧି ଦେଇଥିବାରୁ ସେ ବୋଧହୁଏ ଛାଟିପିଟି ହୋଇ ଏମିତି ଘଟିଲା-। କାରଣ ପାଟି ଏତେ ନରମ ଏବଂ ଏତେ ଫୂର୍ତ୍ତି ତ ତାର ପ୍ରଥମରୁ ଥିଲା । ‘‘ହୁଏ ତ ସେୟା- ମୁଁ ତାକୁ ଦେଖିବାକୁ ଯିବି ।’’ ଜେରୀ କହିଲା ।

 

ତା ପରଦିନ ହିଁ ହଟସ୍ଵର (ସେ ଘୋଡାର ନାମ) ଘରକୁ ଆସିଲା । ମୋଟେ ପାଞ୍ଚବର୍ଷ ବୟସ ତାର, ସୁନ୍ଦର ମାଟିଆ ରଙ୍ଗ, ମୁଣ୍ଡଟି ବି ବେଶ୍‌ ସୁନ୍ଦର ଏବଂ କ୍ୟାପଟେନ ପରି ଉଚ୍ଚ । ମୁଁ ତାକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲି ସତ ମାତ୍ର କିଛି କଥାବାର୍ତ୍ତା ହେଲି ନାହିଁ । ପ୍ରଥମ ରାତିରେ ସେ ଭାରି ଅସ୍ଥିର ହେଲା । ବନ୍ଧା ଦଉଡ଼ି ଟାଣି ଟାଣି, କାନ୍ଥକୁ ବାଡ଼େଇ ବାଡ଼େଇ କୌଣସି ମତେ ଶୁଆଇ ଦେଲାନି । ଯାହାହେଉ ପରଦିନ କିନ୍ତୁ ପାଞ୍ଚ କି ଛଅଘଣ୍ଟା ଗାଡ଼ି ଟାଣି ଫେରିବା ପରେ ଶାନ୍ତ ହୋଇ ଚୁପ୍‌ଚାପ୍‌ ହୋଇଗଲା । ତାକୁ ଜେରୀ ଆଦର କରି କରି ଅନେକ ସମୟ ତା ସହ କଥା କହିଲା । ଖୁବ୍‌ ଶୀଘ୍ର ସେମାନେ ପରସ୍ପରକୁ ବୁଝିଗଲେ । ଜେରୀ କହିଲା ଛୋଟ ତୁଣ୍ଡି ଆଉ ବେଶି ଖଟେନି, ତାକୁ ମେଣ୍ଢାପରି ଶାନ୍ତ କରି ଦେବ । ପ୍ରକୃତରେ ମାଲିକଙ୍କ ପାଇଁ ପବନ ବିପରୀତ ଦିଗରୁ ବୋହୁ ଥିଲା ବୋଲି ସେ ଏକ ଶହେ ଗିନିର ଦାମୀ ଘୋଡ଼ାକୁ ହରାଇଲେ ଏବଂ ନୂତନ ଚାଳକର ଏକ ଭଲ ବଳବାନ ଘୋଡ଼ା ଲାଭ ହେଲା ।

•••

 

ଜେରୀର ନବବର୍ଷ

ଖ୍ରୀଷ୍ଟମାସ ଏବଂ ନବବର୍ଷ ଅଧିକାଂଶ ଲୋକଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ଦିନ । ମାତ୍ର ଘୋଡ଼ାଗାଡ଼ି ଚାଳକ ଓ ଘୋଡ଼ାଙ୍କ ନିମିତ୍ତ ଏହା କୌଣସି ଫୂର୍ତ୍ତିର ଦିନ ନୁହେଁ, ବିଶ୍ରାମ କମ୍‌ ମିଳେ, ଅବଶ୍ୟ ସେମାନଙ୍କ ପାଇଁ ହୁଏତ ଏ ଦିନଗୁଡ଼ିକ ଆମଦାନିର ଦିନ । ସେ ସମୟରେ ଏତେ ବେଶି ପାର୍ଟି, ନାଚ ଏବଂ ମଜାର ସ୍ଥାନମାନ ଖୋଲା ଯେ ଆମ କାମ କଷ୍ଟଦାୟକ ଏବଂ ଡେରି ଯାଏଁ ଚାଲେ । ବେଳେବେଳେ ଚାଳକ ଓ ଘୋଡ଼ାଙ୍କୁ ଘଣ୍ଟା ଘଣ୍ଟା ଧରି ବର୍ଷା କୁହୁଡ଼ିରେ ଅପେକ୍ଷା କରିବାକୁ ପଡେ । ଯେତେବେଳେ କି ଭିତରେ ଲୋକେ ଖୁସିରେ ନାଚୁଥାନ୍ତି ଆମେମାନେ ବାହାରେ ଥଣ୍ଡାରେ ଥରୁଥାଉ । ମତେ ଆଶ୍ଚର୍ଯ୍ୟ ଲାଗେ ଯେ ସେଇ ସୁନ୍ଦରୀ ରମଣୀମାନଙ୍କର କ’ଣ କେବେ ବି ମନେ ହୁଏ ନି ଯେ ତାଙ୍କ କ୍ଳାନ୍ତ ଗାଡ଼ିଚାଳକ ଓ ଘୋଡ଼ାମାନେ ବାହାରେ ଥଣ୍ଡାରେ କଷ୍ଟ ପାଉଛନ୍ତି ।

ବର୍ତ୍ତମାନ ପ୍ରାୟ ଅଧିକାଂଶ ସନ୍ଧ୍ୟାରେ ମୋର ପରିଶ୍ରମ । କାରଣ ମୁଁ ଅନେକ ସମୟ ଧୈର୍ଯ୍ୟ ଧରି ଠିଆ ହୋଇପାରେ ଏବଂ ଜେରୀ ବି ହଟସ୍ଵରର ଥଣ୍ଡା ଲାଗିବା ବିଷୟରେ ଜ୍ଞାତ । ଖ୍ରୀଷ୍ଟମାସ ସମୟରେ ଆମର ଅଧିକ କାମ ପଡ଼ୁଥିବାରୁ ପ୍ରାୟ ଆମେ ଡେରି ରାତିରେ ଫେରୁ । ଜେରୀର କଫ, କାଶ ମଧ୍ୟ ବଢ଼ିଲା । ତେବେ ଆମେ ଯେତେ ରାତିରେ ଫେରିଲେ ମଧ୍ୟ ପଲି ଜଗି କରି ବସିଥାଏ ଏବଂ ଲଣ୍ଠନଧରି ତାକୁ ନେବା ପାଇଁ ବାହାରକୁ ଚାଲିଆସେ । ଚିନ୍ତାରେ ବ୍ୟସ୍ତ ହୋଇ ସେ ଅପେକ୍ଷା କରି ବସିଥାଏ ।

ନବବର୍ଷର ସନ୍ଧ୍ୟାରେ ଆମେ ଦୁଇଜଣ ଭଦ୍ରଲୋକଙ୍କୁ ନେଇ ଓ୍ୱେଷ୍ଟଏଣ୍ଡ ସ୍କୋୟାରରେ ଜଣକ ଘରକୁ ଯାଇଥିଲୁ । ଆମେ ରାତି ନଅଟାରେ ତାଙ୍କୁ ଛାଡ଼ିଲୁ ଏବଂ ସେମାନଙ୍କୁ ୧୧ଟା ରାତିରେ ନେଇ ଆସିବା ପାଇଁ ସେମାନେ କହିଥିଲେ । ଜଣେ କହିଥିଲା ଯେ ତାସଖେଳ ହେବ, ତେଣୁ ହୁଏତ ପନ୍ଦର ମିନିଟ୍‌ ଖଣ୍ଡେ ବେଶୀ ଡେରି ହୋଇଯାଇପାରେ । କିନ୍ତୁ ତୁମେମାନେ ଡେରି କରିବ ନାହିଁ ।

ଆମେ ଠିକ୍‌ ଏଗାରଟା ବେଳକୁ ପହଞ୍ଚିଗଲୁ । କାରଣ ଜେରୀ ସର୍ବଦା ଠିକ୍‌ ସମୟରେ ସବୁ କରେ ।

ଘଣ୍ଟାର କଣ୍ଟା ବୁଲି ବୁଲି ବାରଟା ବାଜିଲା । ମାତ୍ର ତାଙ୍କର ଦୁଆର ବି ଖୋଲିଲାନି ।

ଖୁବ୍‌ ଝଡ଼ ପବନ ଦିନଯାକ । ବର୍ତ୍ତମାନ କିନ୍ତୁ ଖୁବ୍‌ ଥଣ୍ଡା ପବନ ସହ ଅଳ୍ପ ଅଳ୍ପ ବରଫପାତ । ଜେରୀ ବକ୍ସରୁ ଓହ୍ଲାଇପଡ଼ି ମୋ ପାଖକୁ ଆସି ମୋ ଚାଦରଟା ଟାଣି ଦେଇ ଆଉ ଟିକେ ଭଲ କରି ବେକକୁ ଘୋଡ଼େଇ ଦେଇ ସେ ଏପଟସେପଟ ହେଲା । ତାପରେ ସେ ଗାଡ଼ିର ଦୁଆର ଖୋଲି ଗୋଡ଼ ଝୁଲେଇ ସିଟ୍‌ ତଳେ ବସି ଟିକେ ଉଷୁମ ପାଇଲା, କାରଣ ତାର ଟିକେ ଟିକେ କାଶ ହେଲା । ପନ୍ଦର ମିନଟ୍‌ ପୁଣି ବିତିଗଲା । କାହାରି ଆସିବାର ସୋରଶବ୍ଦ ନାହିଁ । ସାଢ଼େବାରଟାବେଳେ ସେ ବେଲ୍‌ ବଜାଇ ଚାକରକୁ ପଚାରିଲା ଯେ ସେ ଅପେକ୍ଷା କରିବ ନା ଚାଲିଯିବ । “ହଁ ହଁ ତୁମେ ରହିବା ଦରକାର । ତୁମେ ଚାଲିଯିବନି । ଖେଳ ଏବେ ଶେଷ ହେବ” । ଜେରୀ ପୁଣି ବସିପଡ଼ିଲା । ତା ସ୍ଵର ମୋଟା ଲାଗୁଥିଲା ।

ଗୋଟାଏ ବାଜି ପନ୍ଦର ମିନିଟ୍‌ରେ ଦ୍ଵାର ଖୋଲିଲା । ଦୁଇ ଭଦ୍ରଲୋକ ଗୋଟିଏ ଶବ୍ଦ ବି ଉଚ୍ଚାରଣ ନକରି ଗାଡ଼ିରେ ବସିଲେ । ଜେରୀକୁ ଗନ୍ତବ୍ୟସ୍ଥଳ କହିଲେ । ପ୍ରାୟ ଦୁଇମାଇଲ ଦୂର । ଥଣ୍ଡାରେ ମୋ ଗୋଡ଼ କୋଲମାରି ଯାଉଥିଲା । ମୁଁ ଭାବିଲି ମୋର ତ ଥରିବା କଥା । ସେମାନେ ଓହ୍ଲାଇଲାବେଳେ ମଧ୍ୟ ଏତେ ଯେ ଡେରି କରିଦେଲେ ସେଥିପାଇଁ ଦୁଃଖିତ ବୋଲି ଥରେ ବି କହିଲେ ନାହିଁ । ଆମକୁ ଏତେ ସମୟ ଅପେକ୍ଷା କରେଇ ବି ଭଡ଼ା କହିବାରୁ ରାଗିଗଲେ । ଯେତେ ଯାହା ହେଲେ ବି ଜେରୀ କେବେ ପ୍ରାପ୍ୟଠାରୁ ଅଧିକ ଭଡ଼ା ମାଗେ ନାହିଁ ବା କମ୍‌ ଭଡ଼ା ନିଏ ନାହିଁ-। ତେଣୁ ସେମାନଙ୍କୁ ଦୁଇଘଣ୍ଟା ପନ୍ଦର ମିନିଟ୍‌ ଅଧିକା ଅଟକାଇବାର ଭଡ଼ାଟି ଦେବାକୁ ହିଁ ପଡ଼ିଲା । ତେବେ ଏହା ତାର ଖୁବ୍‌ କଷ୍ଟର ଆଦାୟ ।

ଅବଶେଷରେ ଆମେ ଘରେ ପହଞ୍ଚିଲୁ । ଜେରୀ ତଣ୍ଟିରୁ କଥା ବାହାରୁ ନଥିଲା (ଥଣ୍ଡା ପାଇଁ) । ଭୟଙ୍କର କାଶ । ପଲି କିଛି ନ ପଚାରି ଦ୍ୱାର ଖୋଲି ଲଣ୍ଠନ ଧରି ଠିଆ ହେଲା ।

“ମୁଁ କଣ କରିବି କି ?” ସେ ପଚାରିଲା ।

“ହଁ ଜ୍ୟାକ୍‌କୁ କିଛି ଗରମ ଖାଇବାକୁ ଦିଅ, ତାପରେ ମୋପାଇଁ ସୁପ୍‌ ଗରମ କର ।’’

ଏହା ବେଶ୍‌ କର୍କଶ ଓ ଘଡ଼୍‌ ଘଡ଼୍‌ ସ୍ୱରରେ ସେ କହିଲା, ଧଇଁସଇଁ ହେଉଥିଲା । କିନ୍ତୁ ମତେ ଘଷାଘଷି କରି ଏପରିକି ମୋର ବିଛଣା କରିବା ପାଇଁ କିଛି କୁଟା ଆଣିବାକୁ ଭାଡ଼ି ଉପରକୁ ବି ଗଲା । ପଲି ଗରମ ଖାଦ୍ୟ ଆଣିଦେଲା । ମୁଁ ଖାଇ ଆରାମ କରିବା ପରେ ସେମାନେ ଚାବି ଦେଇ ଚାଲିଗଲେ ।

ସକାଳେ ଅନେକ ସମୟ ପର୍ଯ୍ୟନ୍ତ କେହି ଆସିଲେ ନାହିଁ । ଶେଷରେ ହ୍ୟାରୀ ଆସି ଆମକୁ ପରିଷ୍କାର କରି ଖୁଆଇଲା, ଘର ଝାଡୁ ଦେଲା । ପୁଣି ରବିବାର ପରି କୁଟା ଆଣି ପକେଇଲା । ସେ ଭାରି ଚୁପ୍‌ଚାପ୍‌ ଥାଏ, ନା ସିଟି ମାରୁଥାଏ ନା ଗୀତ ଗାଉଥାଏ । ବାରଟାବେଳକୁ ସେ ପୁଣି ଆସି ଆମକୁ ଖାଇବାକୁ ପିଇବାକୁ ଦେଲା । ତା ସହ ଡଲି ବି ଆସିଥାଏ-। ସେ କାନ୍ଦୁଥିଲା । ସେମାନଙ୍କ କଥାବାର୍ତ୍ତାରୁ ମୁଁ ବୁଝିଲି ଯେ ଜେରୀ ଭୟଙ୍କର ଅସୁସ୍ଥ । ଡାକ୍ତର ରୋଗୀର ଅବସ୍ଥା ଭଲ ନାହିଁ ବୋଲି କହି ଦେଇଛନ୍ତି । ଦୁଇଦିନ ବିତିଗଲା । ଆମେ କେବଳ ହ୍ୟାରୀକୁ ଦେଖୁ । ବେଳେବେଳେ ତାକୁ ସଙ୍ଗ ଦେବା ପାଇଁ ଡଲି ମଧ୍ୟ ଆସେ । ପଲି ସର୍ବଦା ଜେରୀ ପାଖରେ ବସି ତାକୁ ଚୁପ୍‌ଚାପ ରଖୁଥିଲା ।

ତୃତୀୟଦିନ ହ୍ୟାରୀ ଘୋଡ଼ାଶାଳରେ ଥିବାବେଳେ ଦରଜାରେ କରାଘାତ ଶବ୍ଦ ଶୁଭିଲା ଏବଂ ଗଭର୍ଣ୍ଣର ଗ୍ରାଣ୍ଟ ଭିତରେ ପଶି କହିଲେ “ପୁଅରେ ମୁଁ ଘର ଭିତରକୁ ଯିବି ନାହିଁ । ତୋ ବାପା କେମିତିକା ଅଛନ୍ତି ସେତିକି କେବଳ ବୁଝିବାକୁ ଆସିଛି ।” “ସେ ଖୁବ୍‌ ଅସୁସ୍ଥ । ଡାକ୍ତର ‘ବ୍ରୋଙ୍କାଇଟିସ୍’ ବୋଲି କହୁଛନ୍ତି । ତାଙ୍କ ମତରେ ଯାହା ବି ହେବ ଆଜି ରାତିରେ ହିଁ ଜଣା ପଡ଼ିବ-।’’

“ଆହା ଖୁବ୍‌ ଖରାପ ସମ୍ବାଦ’’ ଗ୍ରାଣ୍ଟ ମୁଣ୍ଡ ହଲେଇ କହିଲେ । “ଦୁଇଜଣ ତ ଏଇ ରୋଗରେ ଗତ ସପ୍ତାହରେ ମରିବା ମୁଁ ଜାଣେ । ଖୁବ୍‌ ଶୀଘ୍ର ଘଟିଗଲା । ତେବେ ଜୀବନ ଥିଲେ ଆଶା ଥାଏ । ତେଣୁ ତୁମେମାନେ ଆଶା ରଖ ।”

ହ୍ୟାରୀ ସଙ୍ଗେ ସଙ୍ଗେ କହିଲା “ହଁ କିନ୍ତୁ ଡାକ୍ତରଙ୍କ ମତରେ ବାପାଙ୍କର ଅନ୍ୟ ମାନଙ୍କଠାରୁ ଆରୋଗ୍ୟ ହେବାର ଚାନ୍ସ ବେଶୀ ଅଛି, ଯେହେତୁ ସେ ପିଆପିଇ କରନ୍ତି ନି । ଗତକାଲି ତାଙ୍କର ଏତେ ଅଧିକ ଜ୍ଵର ଦେଖି ସେ କହିଥିଲେ ଯେ ଯଦି ସେ ମଦ ପିଉଥାନ୍ତେ, ତେବେ କାଗଜ ଜଳିବା ପରି ଜଳି ଯାଇଥାନ୍ତେ । କିନ୍ତୁ ମୋର ବିଶ୍ଵାସ ଡାକ୍ତର ତାଙ୍କର ଭଲ ହୋଇଯିବାର ଆଶାରେ ଅଛନ୍ତି । ଆପଣଙ୍କ ଧାରଣା କ’ଣ ମି. ଗ୍ରାଣ୍ଟ ?’’ ଗଭର୍ଣ୍ଣର ବ୍ୟସ୍ତ ଜଣାପଡ଼ିଲେ ।

‘‘ଯଦି ଭଲଲୋକମାନଙ୍କୁ ଭଲ ରହିବାର କୌଣସି ନିୟମ ଥାଆନ୍ତା ତେବେ ତ ସେ ନିଶ୍ଚୟ ଭଲ ହୋଇଯିବେ । ମୋ ଜାଣିବାରେ ତ ସେ ସମସ୍ତଙ୍କଠାରୁ ଭଲଲୋକ । କାଲି ସକାଳେ ପୁଣି ମୁଁ ଆସିବି ।”

ପରଦିନ ସକାଳେ ସେ ଆସିଲେ ।

ପଚାରିଲେ “ଭଲ ଅଛନ୍ତି ତ ?”

ହ୍ୟାରୀ କହିଲା “ବାପା ଟିକେ ଭଲ ଅଛନ୍ତି । ମାଆଙ୍କର ଆଶା ଯେ ସେ ସୁସ୍ଥ ହୋଇଯିବେ ।”

“ଭଗବାନଙ୍କୁ ଧନ୍ୟବାଦ’’, ଗଭର୍ଣ୍ଣର କହିଲେ । “ବର୍ତ୍ତମାନ ତୁମେମାନେ ତାଙ୍କୁ ଉଷୁମ ରଖିବ ଏବଂ ସେ ନିଶ୍ଚିନ୍ତ ହୋଇ ବିଶ୍ରାମ ନେବେ । ତାପରେ ଘୋଡ଼ାମାନେ ବି ରହିଲେ, ଜ୍ୟାକ ତ ସପ୍ତାହର ଶେଷ ପର୍ଯ୍ୟନ୍ତ ଫିଟ୍‌ ରହିବ । କେବଳ ମଝିରେ ମଝିରେ ତୁ ତାକୁ ନେଇ ରାସ୍ତାରେ ଟିକେ ବୁଲେଇ ଆଣୁଥିବୁ । ତାହାହେଲେ ତା ହାତ ଗୋଡ଼ର ଟିକେ ବ୍ୟାୟାମ ହେବ । କିନ୍ତୁ ଏଇ ଯୁବା ଘୋଡ଼ାଟି ତାକୁ ଯଦି ପରିଶ୍ରମ କରାନଯାଏ ସେ ତ ଏକଦମ୍‌ ଯିବ । ତା ପରେ ଯେତେବେଳେ ପୁଣି ବାହାରିବ, ଦୁର୍ଘଟଣା ହିଁ ଘଟାଇବ । ହ୍ୟାରୀ କହିଲା “ତାକୁ ତ ମୁଁ ବେଶ୍‌ ଅଳ୍ପ ଖାଇବାକୁ ଦେଉଛି । ମାତ୍ର ସିଏ ଏତେ ଫୂର୍ତ୍ତିବାଜ ଯେ ତାକୁ ମୁଁ କେମିତି କଣ ବି କରିବି ବୁଝିପାରୁ ନି ।”

ଗ୍ରାଣ୍ଟ କହିଲେ “ଆଚ୍ଛା ଶୁଣ । ତୁ ମାଆକୁ ପଚାରିବୁ ଏବଂ ସେ ଯଦି ରାଜି ହୁଏ ତାହେଲେ ପ୍ରତିଦିନ ମୁଁ ଆସି ତାକୁ ନେଇଯିବି । କାମ କରେଇ ଛାଡ଼ିଦେଇ ଯିବି । ଯାହା ସେ ରୋଜଗାର କରିବ ତହିଁରେ ତୁମର ଅଧା ମୋର ଅଧା ଭାଗ ହେବ । ତାପରେ ତୁମେମାନେ ତା ପାଇଁ ଯଦି ଆଉ କଣ ବନ୍ଦୋବସ୍ତ କରିବ ତେବେ ମୁଁ ଆଉ ନେବି ନି । ତୋ ବାପା ଭଲ ଲୋକ ହେଲେ ବି ଘୋଡ଼ା ତ ତହିଁରେ ପୋଷା ହେବେ ନି । କିଛି ରୋଜଗାର କଲେ ତାଙ୍କ ଖାଇବାଟା ତ ଚଳିଯିବ । ତୁ ମାଆକୁ ପଚାରିଥିବୁ, ମୁଁ ପୁଣି ଖରାବେଳେ ଆସି ବୁଝିଯିବି ।’’ କହିଦେଇ ସେ ହ୍ୟାରୀ କିଛି କହିବା ପୂର୍ବରୁ ସେଠୁ ଚାଲିଗଲେ ।

ଖରାବେଳେ ସେ ବୋଧହୁଏ ପଲି ସହିତ ଦେଖା କରିଥିଲେ, କାରଣ ହ୍ୟାରୀ ଆଉ ସେ ଉଭୟେ ଆସି ହଟ୍‌ସ୍ଵରକୁ ଯୋଚିସାରି ନେଇ ଚାଲିଗଲେ ।

ପ୍ରାୟ ଏକ ସପ୍ତାହ କି କିଛି ବେଶୀ ଦିନ ପର୍ଯ୍ୟନ୍ତ ସେ ଆସି ହଟ୍‌ସ୍ଵରକୁ ନେଇଯାଉଥିଲେ। ହ୍ୟାରୀ ଯଦି ତାଙ୍କୁ ଧନ୍ୟବାଦ ଦିଏ ବା ତାଙ୍କର ଏଇ ଅନୁଗ୍ରହ ବିଷୟରେ କିଛି କହିବାକୁ ଯାଏ ତେବେ ସେ ସଙ୍ଗେ ସଙ୍ଗେ ଉତ୍ତର ଦିଅନ୍ତି ଯେ ଏହା ତାଙ୍କ ପାଇଁ ମଧ୍ୟ ସୌଭାଗ୍ୟ । ତାଙ୍କ ଘୋଡ଼ାମାନେ ମଧ୍ୟ ବିଶ୍ରାମ ପାଉଛନ୍ତି, ନଚେତ ସେମାନେ ପାଉ ନଥିଲେ ।

ଜେରୀ ଆସ୍ତେ ଆସ୍ତେ ଭଲ ହେବାରେ ଲାଗିଲା । ମାତ୍ର ଡାକ୍ତର କହିଦେଲେ ଯେ ସେ ଯଦି ବୃଦ୍ଧ ହେବା ପର୍ଯ୍ୟନ୍ତ ବଞ୍ଚିବାକୁ ଚାହେଁ ତେବେ ସେ ଆଉ ଘୋଡ଼ାଗାଡ଼ି ଚଳେଇବ ନାହିଁ । ପିଲାମାନେ ବିଚାରବିମର୍ଶ କଲେ; ବାପାମାଆ କ’ଣ କରି ଚଳିବେ, ଆଉ ସେମାନେ କିପରି ଭାବେ ରୋଜଗାର କରି ସେମାନଙ୍କୁ ସାହାଯ୍ୟ କରିବେ ।

ଦିନେ ଅପରାହ୍‌ଣରେ ହଟସ୍ଵର ଓଦା ଏବଂ ମାଟି କାଦୁଅବୋଳା ଦେହରେ ଆସିଲା । ଗଭର୍ଣ୍ଣର କହିଲେ “ରାସ୍ତାଗୁଡ଼ାକ ପୂରା ମାଟିକାଦୁଅଭରା ଅପରିଷ୍କାର । ତେଣୁ ତାର ଏ ଅବସ୍ଥା, ତତେ ତାକୁ ପରିଷ୍କାର କରିବାକୁ ବେଶ୍‌ ସମୟ ଓ ପରିଶ୍ରମ ଲାଗିବ ।

“ଠିକ୍‌ ଅଛି ଗଭର୍ଣ୍ଣର’’ ହ୍ୟାରୀ କହିଲା ‘‘ମୁଁ ମୋ ବାପାଙ୍କଠାରୁ ଏଇସବୁ କାମ ପାଇଁ ଭଲଭାବେ ଟ୍ରେନିଂ ପାଇଛି ଏବଂ ଘୋଡ଼ାକୁ ଠିକ୍‌ କରି ଦେବି ।”

ଗଭର୍ଣ୍ଣର କହିଲେ “ସବୁ ପିଲାମାନେ ହେଲେ ସେମାନଙ୍କ ବାପାମାନଙ୍କଠାରୁ ଏପରି ଟ୍ରେନିଂ ପାଆନ୍ତେ- ’’

ଯେତେବେଳେ ହ୍ୟାରୀ ହଟସ୍ଵରକୁ ସଫା କରୁଥାଏ, ଡଲି ଖୁବ୍‌ ଉତ୍ତେଜିତ ହୋଇ ପହଞ୍ଚି ପଚାରିଲା ‘‘ହ୍ୟାରୀ ଫେୟାରଷ୍ଟୋରେ କିଏ ରହେ କି ? ମାଆ ଗୋଟାଏ ଚିଠି ସେଠୁ ପାଇଛି । ଭାରି ଖୁସିରେ ଚିଠି ନେଇ ବାପାଙ୍କୁ ଦେଖେଇବାକୁ ଉପରତାଲାକୁ ଯାଇଛି !’’

“ତୁ ଜାଣିନୁ କି ? ମାଆଙ୍କ ପୁରୁଣା ମାଲିକାଣୀ ପରା ସେଠି ରହନ୍ତି । ଗତ ଖରାଦିନରେ ବାପା ଯାହାକୁ ଭେଟିଥି‌ଲେ ସେଇ ଭଦ୍ରମହିଳା । ସେ ଆମ ପାଇଁ ପାଞ୍ଚ ପାଞ୍ଚ ଶିଲିଂ ପଠଇଥିଲେ ତୋର ମନେ ନାହିଁ ?”

“ଓଃ ଶ୍ରୀମତୀ ଫଲର । ଅବଶ୍ୟ ତାଙ୍କ ବିଷୟରେ ମୁଁ ଜାଣେ । ମତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ସେ କେଉଁ ବିଷୟରେ ମାଆଙ୍କୁ ଚିଠିଟି ଲେଖିଛନ୍ତି ।”

ହ୍ୟାରୀ କହିଲା ‘‘ବାପା ଯେତେବେଳେ ଶେଷଥର ତାଙ୍କୁ ଭେଟିଥିଲେ ସେ ବାପାଙ୍କୁ କହିଥିଲେ ଯେ ବାପା ଯଦି କେବେ ଗାଡ଼ିଚଳା କାମ ନ କରିବାକୁ ଚାହିଁବେ ତାଙ୍କୁ ଜଣାଇବେ । ମାଆ ଗତ ସପ୍ତାହରେ ସେ ବିଷୟରେ ତାଙ୍କୁ ଚିଠି ଖଣ୍ଡେ ଲେଖିଥିଲା । କଣ ଉତ୍ତର ଦେଲେ କେଜାଣି ? ତୁ ଯାଆ-ଯାଇ ବୁଝିଆସ ।’’

ହ୍ୟାରୀ ଅଭ୍ୟସ୍ତ ଘୋଡ଼ାରକ୍ଷୀ ପରି ହଟସ୍ଵରକୁ ଘଷିବାରେ ଲାଗିଗଲା ।

ଅଳ୍ପ କେତେ ମିନିଟ ପରେ ଡଲି ନାଚି ନାଚି ଘୋଡ଼ାଶାଳରେ ପହଞ୍ଚିଲା ।

“ଆରେ ହ୍ୟାରୀ ! ଏତେ ମଜାକଥା କ’ଣ କହିବି । ଶ୍ରୀମତୀ ଫଲର୍‌ ଲେଖିଛନ୍ତି ଯେ ଆମେ ସମସ୍ତେ ଯାଇ ତାଙ୍କ ପାଖେ ରହିବା । ସେଠାରେ ତାଙ୍କର ଗୋଟାଏ ଛୋଟ କୁଡ଼ିଆ ଘର ଖାଲି ପଡିଛି ! ଆମ ରହିବା ପରି ଘର । ସେଠି ବଗିଚା, କୁକୁଡ଼ା ଘର, ଆପେଲ୍‌ ଗଛମାନ ଆଉ ସବୁକିଛି ଅଛି ଏବଂ ତାଙ୍କ ଗାଡ଼ିଚାଳକ ବସନ୍ତ ଋତୁରେ ଚାଲିଯିବ । ତା ସ୍ଥାନରେ ବାପା ରହିବେ । ବହୁ ପରିବାର ସେଠି ରହୁଛନ୍ତି । ତେଣୁ ତୁ ତାଙ୍କ ବଗିଚାରେ ଅବା ଘୋଡ଼ାଶାଳରେ ଅବା ବୋଲହାକ କରି କାମ କରିବୁ । ଆଉ ମୋର ପଢ଼ିବା ଲାଗି ପାଖରେ ଗୋଟାଏ ଖୁବ୍‌ ଭଲ ସ୍କୁଲ ବି ଅଛି । ମାଆ ତ ଏତେ ଖୁସି ଯେ ହସୁ ହସୁ ଲୁହ ଗଡ଼ୁଛି, ଆଉ ବାପା ବି ଭାରି ଖୁସି ।’’

“ଭାରି ଖୁସିର ଖବର । ଆମପାଇଁ ପୂରା ଠିକ୍‌ । ବାପାମାଆଙ୍କର ଖୁବ୍‌ ସୁବିଧା ହେବ । ମାତ୍ର ମୁଁ ଚାକର ହେବି ନାହିଁ । ମାଳୀ ନଚେତ ସଇସ କାମ କରିବି ।

ଏହାପରେ ଖୁବ୍‌ ଶୀଘ୍ର ଜେରୀ ପରିବାର ଠିକ୍‌ କଲେ ଯେ ଜେରୀ ଆରୋଗ୍ୟ ହୋଇଯିବା ମାତ୍ରେ ହିଁ ସେମାନେ ସେଠାକୁ ଚାଲିଯିବେ । ଗାଡ଼ି ଆଉ ଘୋଡ଼ାମାନଙ୍କୁ ଯେତେ ଶୀଘ୍ର ସମ୍ଭବ ବିକ୍ରି କରାଯିବ ।

ମୋ ପାଇଁ ଏହା ଦୁଃଖଦାୟକ ଖବର । କାରଣ ମୁଁ ଯୁବକ ନୁହେଁ ବା ମୋ ଅବସ୍ଥାର ପରିବର୍ତ୍ତନ ମଧ୍ୟ ହେବାର ନାହିଁ । ବର୍ଟଉଇକ୍‌ ଛାଡିବାପରେ ମୁଁ ମୋର ବର୍ତ୍ତମାନର ମାଲିକଙ୍କ ସହ ଯେତେ ଖୁସିରେ ରହିଛି ଆଉ କେଉଁଠାରେ ବି ରହିନାହିଁ । ତେବେ ତିନିବର୍ଷ ଗାଡ଼ି ଟାଣିବା ପରେ ଏ ବୟସରେ ଆଉ ବଳ ବା କେଉଁଠୁ ଆସିବ ? ଯଦି ବି ମୁଁ ବହୁତ ସୁବିଧାରେ ରହିଛି, ମୋର ହଠାତ୍‌ ମନେ ହେଲା ଯେ ମୁଁ ଯାହା ଥିଲି ତା ଆଉ ନାହିଁ ।

ଗ୍ରାଣ୍ଟ ସଙ୍ଗେ ସଙ୍ଗେ କହିଲା ଯେ ସେ ହଟସ୍ଵରକୁ କିଣିନେବ ଏବଂ ଷ୍ଟାଣ୍ଡରେ ଅନେକ ଅଛନ୍ତି ଯେଉଁମାନେ ମତେ କିଣିବାକୁ ଚାହିଁବେ । ମାତ୍ର ଜେରୀ କହିଲା ମତେ ସେ ଆଉ ଗାଡ଼ିଟାଣିବା କାମ ପାଇଁ ବିକ୍ରି କରିବ ନି । ଯେଉଁଠି ମୁଁ ଟିକେ ଆରାମରେ ରହିବି ସେ ମତେ ସେହିଠାରେ ବିକ୍ରି କରିବ ।

ମୋର ବିଦାୟର ଦିନ ଆସିଗଲା । ସେ ପର୍ଯ୍ୟନ୍ତ ଜେରୀ ବାହାରକୁ ବାହାରିବା ପାଇଁ ଡାକ୍ତରଙ୍କ ଅନୁମତି ପାଇ ନଥାଏ । ଆଉ ସେଇ ନୂଆବର୍ଷର ପ୍ରଥମ ଦିନ ସନ୍ଧ୍ୟାଠାରୁ ମୁଁ ବି ତାକୁ ଆଉ ଦେଖି ନଥିଲି । ପଲି ଓ ପିଲାମାନେ ମତେ ବିଦାୟ ଦେବା ପାଇଁ ଆସିଲେ । ପଲି କହିଲା “ହାୟ ଜ୍ୟାକ୍‌ ଆମର ପ୍ରିୟ ଜ୍ୟାକ୍‌ ! ମୁଁ ହେଲେ ତତେ ଆମ ସହିତ ନେଇ ପାରିଥାନ୍ତି ।’’ ଏତିକି କହି ମୋ ଦାଢ଼ିରେ ହାତବୁଲେଇ ମୋ ବେକ ପାଖରେ ସେ ଚୁମ୍ବନ ଦେଲା । ଡଲି କାନ୍ଦି କାନ୍ଦି ମତେ ଚୁମା ଦେଲା । ହ୍ୟାରୀ ଅନେକ ସମୟ ଯାଏଁ ମତେ ଆଉଁସିଲା । କିଛି କହିଲା ନାହିଁ । ସେ ଖୁବ୍‌ ବିଷାଦଗ୍ରସ୍ତ ଜଣାପଡୁଥିଲା ।

ଏହାପରେ ମୋତେ ମୋର ନୂତନ ବାସସ୍ଥାନକୁ ଅଣାଗଲା ।

•••

 

 

 

 

 

 

 

 

 

 

 

 

ଚତୁର୍ଥ ଭାଗ

 

ଜେକ୍ସ ଏବଂ ଭଦ୍ରମହିଳା

 

ଜେରୀ ତାର ପରିଚିତ ଏକ ମକ୍କା ବେପାରୀ ଓ ରୋଟି ପ୍ରସ୍ତୁତକାରୀକୁ ମତେ ବିକ୍ରି କଲା । ସେ ହୁଏତ ଭାବିଥିଲା ଯେ ମତେ ଭଲ ଖାଦ୍ୟ ଓ କାମ ମିଳିବ । ପ୍ରଥମ ପ୍ରଥମ ତା ଭାବନା ପୂରାପୂରି ଠିକ୍‌ ଥିଲା । ଅବଶ୍ୟ ମୋ ମାଲିକ ଯେତେବେଳେ ଆଖପାଖରେ ଥାଆନ୍ତି ମତେ ଅତ୍ୟଧିକ ପରିଶ୍ରମ ପଡ଼େ ନାହିଁ । କିନ୍ତୁ ତାଙ୍କ ପାଖରେ ଯେଉଁ ପରିଚାଳକଟି ଥିଲା ସେ ସମସ୍ତଙ୍କୁ ପ୍ରାଣାନ୍ତକ କରେ । ସବୁବେଳେ ତରତର ଏବଂ ଗାଡ଼ିଭର୍ତ୍ତି ବୋଝ ଉପରେ ବି ସେ ଆହୁରି ଜିନିଷ ଲଦେ । ମୋ ଗାଡ଼ିର ଚାଳକ ଜେକ୍ସ ପ୍ରାୟ କହେ ଯେ ବୋଝ ବେଶି ହୋଇଯାଉଛି, ମାତ୍ର ପରିଚାଳକଟି ସେଥିରେ କର୍ଣ୍ଣପାତ କରେ ନାହିଁ । କହେ “ଥରକରେ ଯେଉଁ କାମ ହେବ ସେଥିପାଇଁ ଦୁଇଥର ଯିବା କଣ ଦରକାର ? ଏହିପରି କରି ସେ ବ୍ୟବସାୟ ବଢ଼େଇବା ହିଁ ପସନ୍ଦ କରେ ।

 

ଜେକ୍ସ ଅନ୍ୟ ଗାଡ଼ିଚାଳକଙ୍କ ପରି ସବୁବେଳେ ଛୋଟ ଲଗାମଟି ଟାଣି ଧରିଥାଏ, ଯାହାଦ୍ୱାରା କି ମତେ ଟାଣିବା ପାଇଁ କଷ୍ଟ ହୁଏ । ଏହି ଭାବରେ ତିନିଚାରି ମାସ ଟାଣିବା ପରେ ମୁଁ ଅନୁଭବ କଲି ଯେ ମୋର ବଳ ଧୀରେ ଧୀରେ କମିବାରେ ଲାଗିଛି ।

 

ଦିନେ ମୋର ବୋଝ ଅନ୍ୟ ଦିନଠାରୁ ଅଧିକ ଥିଲା । ରାସ୍ତା ବି ଟିକେ ଉଠାଣିଆ ଥିଲା-। ଖୁବ୍‌ ଚେଷ୍ଟା କରିବା ସତ୍ତ୍ଵେ ବି ଯେତେବେଳେ ଆଉ ଟାଣିପାରିଲି ନାହିଁ ମୁଁ ଠିଆ ହୋଇଗଲି । ତହିଁରେ ମୋ ଡ୍ରାଇଭର ବିରକ୍ତ ହୋଇ ମତେ ଚାବୁକରେ ଖୁବ୍‌ ଜୋରରେ ମାରି କହିଲା ‘‘ଚାଲ ଚାଲ ଅଳସୁଆ ତତେ ମୁଁ ଦେଖଉଛି ।’’

 

ତାପରେ ସେଇ ବିରାଟ ବୋଝ ଟାଣି ଟାଣି ମୁଁ କେତେ ଖୋଜ ଆଗକୁ ଯାଇଛି କି ନାହିଁ ପୁଣି ମୋ ଉପରେ ଚାବୁକ ମାଡ଼, ପୁଣି ମୋର ଚେଷ୍ଟା ଚାଲିଲା । ଚାବୁକ ମାଡ଼ରୁ ପ୍ରଚଣ୍ଡ ଯନ୍ତ୍ରଣା, ମାତ୍ର ଦେହଠାରୁ ମନରେ ଆହୁରି ବେଶି କଷ୍ଟ । ଏତେ କଷ୍ଟ କରିବା ସତ୍ତ୍ୱେ ବି ଏଇ ମାଡ଼ ଗାଳିରେ ମୋ କଲିଜା ଫାଟି ଯିବା ପରି ମନେ ହେଉଥିଲା । ତୃତୀୟ ଥର ପାଇଁ ମତେ ଯେତେବେଳେ ସେ ଖୁବ୍‌ ନିଷ୍ଠୁରଭାବେ ଚାବୁକ ମାରିଲା, ଜଣେ ଭଦ୍ର ମହିଳା ତା ସାମନାକୁ ଆସି ଖୁବ୍‌ ବିନୀତ ଆଉ ମଧୁର ସ୍ଵରରେ କହିଲା ‘‘ଆହା ତୁମେ ଏତେ ଭଲ ଘୋଡ଼ାକୁ ଆଉ ମାର ନାହିଁ । ମୁଁ ନିଶ୍ଚିତ ଯେ ସେ ତା ପାରୁପର୍ଯ୍ୟନ୍ତ ଖଟୁଛି । ଏ ରାସ୍ତା ଖୁବ ଉଚ୍ଚ, ତେଣୁ ତାର ଏତେ କଷ୍ଟ’’ ।

 

‘‘ସେ ପାରୁପର୍ଯ୍ୟନ୍ତ କରି ବି ଯଦି ଏତିକି ବୋଝ ବୋହି ପାରୁନି ତେବେ ତାର ପାରିବାଟାକୁ ଆଉ ଟିକେ ବଢ଼ାଇ ଦେବାକୁ ପଡ଼ିବ । ମୁଁ ତ ଏୟା ଜାଣେ, ମ୍ୟାଡ଼ାମ୍‌’’ ‘‘ଜେକସ୍‌ କହିଲା । କିନ୍ତୁ ଏ ବୋଝ ଅତ୍ୟଧିକ ଭାରି ନୁହେଁ କି ?” ସେ ପଚାରିଲେ । “ହଁ ଏହା ତ ନିଶ୍ଚୟ ଭାରି- କିନ୍ତୁ ମୋର ଦୋଷ ତାହା ନୁହେଁ । ମୁଁ ଠିକ୍‌ ବାହାରିଲା ବେଳକୁ ଆମ ଫୋରମ୍ୟାନ ଆଉ ଦାଏ ଜିନିଷ ଗାଡ଼ିରେ ଲଦିଦେଲେ ଏବଂ ମତେ ଏତକ ଯେମିତି ହେଲେ ଭଲଭାବେ ପହଞ୍ଚେଇବାକୁ ପଡିବ ।

 

ସେ ଚାବୁକ ପୁଣି ଉଠେଇଲା ବେଳେ ଭଦ୍ରମହିଳା କହଲେ ‘‘ଦୟାକରି ବନ୍ଦ କର । ତୁମେ ଯଦି କହିବ ମୁଁ ତୁମକୁ ସାହାଯ୍ୟ କରିପାରେ ।’’ ଚାଳକଟି ହସିଲା ।

 

ଭଦ୍ରମହିଳା ପୁଣି କହିଲେ ‘‘ତୁମେ ଦେଖ” ତାକୁ ବୋହିବାର ସୁବିଧା ବି ତୁମେ ଦେଉନାହଁ । ଛୋଟ ଲଗାମରେ ତା ମୁଣ୍ଡଟି ଏପରି ଅବସ୍ଥାରେ ଅଛି ଯେ ସେ ତାର ସମ୍ପୂର୍ଣ୍ଣ ଶକ୍ତି ବ୍ୟବହାର କରିପାରୁ ନାହିଁ । ତୁମେ ଯଦି ସେଟାକୁ ଢିଲା କରିଦେବ ମୁଁ ନିଶ୍ଚିତ ଯେ ସେ ଖୁବ୍‌ ଭଲଭାବରେ ବୋଝ ଟାଣିବ । ତୁମେ ଯଦି ଲଗାମ ଖୋଲି ଦିଅ ମୁଁ ଖୁବ ଖୁସି ହେବି ।’’ ତାକୁ ପ୍ରବର୍ତ୍ତେଇବା ସ୍ଵରରେ ସେ ପୁଣି କହିଲେ ।

 

“ଆଚ୍ଛା ଆଚ୍ଛା ! ଜଣେ ମହିଳାଙ୍କୁ ତ ପୁଣି ସନ୍ତୁଷ୍ଟ କରିବାକୁ ପଡ଼ିବ ।

 

ଜେକ୍‌ସ ମୃଦୁ ହସି ପଚାରିଲା “କେତେ ଢିଲା କରିବି ମ୍ୟାଡାମ ?” ‘‘ବେଶ୍‌ ତଳକୁ । ତା ମୁଣ୍ଡ ଏକଦମ୍‌ ମୁକ୍ତ କରିଦିଅ ।’’

 

ତାପରେ ଲଗାମ ଢିଲା ହେଲା । ମୋ ମୁଣ୍ଡକୁ ମୁଁ ମୋର ଆଣ୍ଠୁପର୍ଯ୍ୟନ୍ତ ନେଇଆସିଲି । କି ଉଶ୍ୱାସ ଯେ ଲାଗିଲା । ତା ପରେ ମୁଣ୍ଡ ଅନେକବାର ତଳ ଉପର କରି ବେକ ଠିକ୍‌ କଲି ! “ବିଚରା ! ଏଇ ଟିକକ ତୁ ଦରକାର କରୁଥିଲୁ ।’’ କହି ଭଦ୍ରମହିଳା ମତେ ଆଦର କରି ଆଉଁସି ଦେଲେ । କହିଲେ “ଆଉ ତୁମେ ଯଦି ତାକୁ ସ୍ନେହରେ କଥା କହିବ ଏବଂ ସହାନୁଭୂତି ସହ ଚଳେଇବ ସେ ଅନେକ ଭଲ କାମ କରିବ ।’’

 

ଜେକ୍ସ ଲଗାମ ଧରି କହିଲା “ଚାଲ ବ୍ଲାକି” । ମୁଁ ମୁଣ୍ଡନୁଆଇଁ କଲାର ଉପରେ ମୋର ପୂରା ଓଜନ ଦେଇ ଭଲଭାବରେ ଟାଣିବାରୁ ଗାଡ଼ି ଚାଲିଲା । ମୁଁ ଉଠାଣିଆ ରାସ୍ତାରେ ଟାଣି ଟାଣି ଉଠିଲି ଏବଂ ନିଶ୍ଵାସ ନେବାକୁ ମଝିରେ ମଝିରେ ଠିଆ ହେଉଥିଲି ।

 

ଭଦ୍ରମହିଳା ଫୁଟପାଥ୍‌ରେ ଯାଉଥିଲେ । ବର୍ତ୍ତମାନ ରାସ୍ତା ମଧ୍ୟକୁ ଆସି ମତେ ଏମିତି ଆଦରରେ ଆଉଁସିଲେ, ଯାହା କି ମୁଁ ଅନେକ ଦିନରୁ ଅନୁଭବ କରି ନଥିଲି ।

 

‘‘ହେଇଟି ଦେଖ- କେତେ ଭଲରେ କାମ କଲା, ତୁମେ ତାକୁ ସୁଯୋଗ ଦେଲ ବୋଲି । ମୁଁ ନିଶ୍ଚୟ କରି କହିପାରେ ଯେ ସେ ଭଲ ଶାନ୍ତ ଜୀବଟିଏ ଏବଂ ୟା ବି କହିବି ଯେ ସେ ସୁଦିନ ଦେଖିଛ । ତାକୁ ଆଉ ଲଗାମ ଲଗେଇବନି ତୁମେ, ଲଗେଇବନି ତ ? କାରଣ ତେବେ ସେ ପୁଣି ଆଗପରି କରିବ ।’’

 

‘‘ଆଚ୍ଛା ହେଉ ମ୍ୟାଡ଼ାମ୍‌, ମୁଁ ତା ମୁଣ୍ତ କୋହଳ କରି ବାନ୍ଧି ଦେବାରୁ ସେ ଉଠାଣିଆରେ ଉଠିଲା । ତା ତ ମୁଁ ମନା କରୁନି । ଆଉ ଅନ୍ୟ ବେଳ ପାଇଁ ମନେ ବି ରଖିବି । ଆପଣଙ୍କୁ ଧନ୍ୟବାଦ । କିନ୍ତୁ ମୁଁ ଯଦି ସବୁବେଳେ ଲଗାମବିହୀନ ହୋଇଯିବି ତେବେ ମୁଁ ଅନ୍ୟ ଗାଡ଼ି ଚାଳକଙ୍କ ଦ୍ୱାରା ଉପହସିତ ହେବି । ଆପଣ ତ ଜାଣନ୍ତି ଏଟା ବର୍ତ୍ତମାନର ଫ୍ୟାସନ୍‌ ।’’

 

“ଗୋଟିଏ ଖରାପ ଫ୍ୟାସନ୍‌କୁ ଅନୁସରଣ କରିବା ଅପେକ୍ଷା ଗୋଟିଏ ଭଲ ଫ୍ୟାସନକୁ ଆୟତ୍ତ କରି ନେତୃତ୍ୱ ନେବାଟା ଅଧିକ ଭଲ ନୁହେଁ କି ? ଆଜିକାଲି ବହୁ ଭଦ୍ରଲୋକ ଛୋଟ ଲଗାମ ବ୍ୟବହାର କରନ୍ତି ନାହିଁ । ଆମ ଗାଡ଼ିର ଲଗାମହୀନ ଘୋଡ଼ାମାନେ ଏଇ ଛୋଟ ଓ ବନ୍ଧା ଲଗାମଟଣା ଘୋଡ଼ାମାନଙ୍କଠାରୁ ପନ୍ଦର ବର୍ଷ ଅଧିକ କାମ କରନ୍ତି ଏବଂ କମ୍‌ କ୍ଲାନ୍ତ ହୁଅନ୍ତି । ଏହା ବ୍ୟତୀତ ଈଶ୍ଵର ସୃଷ୍ଟ ଏଇ ଜୀବନମାନଙ୍କୁ ବିନା କାରଣରେ ଏତେ ଦଣ୍ଡ ଦେବାର ଅଧିକାର ବି ଆମର ନାହିଁ । ଆମେ ସେମାନଙ୍କୁ ମୂକ ପଶୁ ବୋଲି କହୁ ଏବଂ ସେଇ କାରଣରୁ ହିଁ ତାଙ୍କ କଷ୍ଟ ସେମାନେ କହିପାରୁ ନାହାନ୍ତି । କିନ୍ତୁ ଆମପରି ସେମାନଙ୍କର ମଧ୍ୟ ଅନୁଭବ କରିବା ଶକ୍ତି ଅଛି । ଆଚ୍ଛା ଆଉ ତୁମକୁ ଅଟକାଇବି ନାହିଁ । ମୋ ଅନୁରୋଧ ରକ୍ଷା କରିଥିବାରୁ ଧନ୍ୟବାଦ । ଏବଂ ତୁମ ଭଲ ଘୋଡ଼ା ପ୍ରତି ଭଲ ବ୍ୟବହାର ଦ୍ଵାରା ତୁମେ ଚାବୁକଠାରୁ ଅଧିକ ଭଲ କାମ ପାଇବ ବୋଲି ମୁଁ ନିଶ୍ଚିତ’’ । ଶୁଭଦିନ ! କହି ସେ ଭଦ୍ରମହିଳା ମତେ ଆଉ ଥରେ ଆଦର କରି ଆସ୍ତେ ଆସ୍ତେ ରାସ୍ତା ଅତିକ୍ରମ କରି ଚାଲିଗଲେ । ତାଙ୍କୁ ପରେ ଆଉ ମୁଁ କେବେ ଦେଖିନି ।

 

ଜେକ୍ସ ନିଜକୁ କହିଲା “ମୁଁ ତାଙ୍କୁ ପ୍ରକୃତରେ ଜଣେ ଭଦ୍ରମହିଳା ବୋଲି ନିଶ୍ଚୟ କହିବି । ସେ ମୋ ସହିତ କଥା କହିଲାବେଳେ ଯେପରି ବିନୀତ ଭାବେ କହୁଥାନ୍ତି ସତେ ଅବା ମୁଁ ବି ଜଣେ ଭଦ୍ରଲୋକ । ମୁଁ ତାଙ୍କ କଥା ମାନିବି, ବିଶେଷ କରି ଉଠାଣିଆ ରାସ୍ତାରେ ଯିବାବେଳେ ଲଗାମଟା ଲମ୍ବାକରି ଦେଇ ମୁଁ ଘୋଡ଼ାକୁ ନ୍ୟାୟ ବି ଦେବି । ଏହାପରେ ସବୁବେଳେ ସେ ଉଠାଣିଆ ରାସ୍ତାରେ ଲଗାମ ହୁଗୁଳା କରି ନିଏ । କିନ୍ତୁ ବୋଝଟା ସେଇ ଆଗ ପରି ସବୁବେଳେ ଅଧିକ । ଭଲ ଖାଦ୍ୟ ଓ ବିଶ୍ରାମରେ ଗୋଟାଏ ଘୋଡ଼ା ପୂରା ପରିଶ୍ରମ କରିବ । ମାତ୍ର ବୋଝ ଅଧିକା ହେଲେ ସେ ନିଶ୍ଚୟ ଦୁର୍ବଳ ହେବ । ଏହି କାରଣରୁ ମୁଁ ଏତେ ଦୁର୍ବଳ ହୋଇ ପଡିଲି ଯେ ଶେଷରେ ମୋ ସ୍ଥାନରେ ଏକ ଯୁବା ଘୋଡ଼ା ଅଣାଗଲା । ଆଉ ଗୋଟାଏ କଥା ବି ହେଲା, ଯେଉଁ କାରଣରୁ ଏହି ସମୟରେ ମୁଁ ଖୁବ୍‌ କଷ୍ଟ ପାଉଥିଲି । ଘୋଡ଼ାମାନେ ଏହି ପ୍ରକାର କଷ୍ଟ ବିଷୟରେ କଥାବାର୍ତ୍ତା କରିବା ଆଗରୁ ମୁଁ ଶୁଣିଥିଲି, ମାତ୍ର ନିଜେ ତାହା କେବେ ଅନୁଭବ କରି ନଥିଲି । ଏହା ହେଉଛି ଅନ୍ଧକାର ଘୋଡ଼ାଶାଳ-! ମୁଁ ରହୁଥିବା ଘରେ ଗୋଟିଏ ମାତ୍ର ଝରକା । ତହିରେ ଏକଦମ୍‌ ଆଲୁଅ ବେଶୀ ଆସୁ ନଥିଲା । ଫଳରେ ସ୍ଥାନଟି ପ୍ରାୟ ଅନ୍ଧାର ।

 

ଏହି ଅନ୍ଧାର ମତେ ହତାଶ କରିବା ସଙ୍ଗେ ମୋ ଦୃଷ୍ଟିଶକ୍ତିକୁ ବି ଦୁର୍ବଳ କରୁଥିଲା । ସେଇ ଅନ୍ଧାରରୁ ମତେ ଯେତେବେଳେ ବାହାରକୁ ଅଣାଯାଉଥିଲା ଦିନର ତୀବ୍ର ଆଲୋକରେ ମୋ ଆଖିକୁ ଖୁବ୍‌ କଷ୍ଟ ହେଉଥିଲା । ଅନେକବାର ମୁଁ ଥରି ଥରି ଚାଲୁଥିଲି ଏବଂ କେଉଁ ଦିଗରେ ଚାଲୁଥିଲି ବୁଝି ବି ପାରୁ ନଥିଲି ।

 

ମୁଁ ଭାବୁଛି ଯେ ସେଠି ଯଦି ମୁଁ ବେଶିଦିନ ରହିଥାନ୍ତି ମୁଁ ଅନ୍ଧାରକଣା ହୋଇଯାଇଥାନ୍ତି ଏବଂ ଏହା ଏକ ବିରାଟ ବିପଦ ହୋଇ ପଡ଼ିଥାନ୍ତା । ଲୋକମାନଙ୍କ କଥାବାର୍ତ୍ତାରୁ ମୁଁ ବୁଝିଥିଲି ଯେ ଅନ୍ଧାରକଣା ଘୋଡ଼ାମାନଙ୍କୁ ଅଳ୍ପ ଦୃଷ୍ଟିଶକ୍ତି ଥିବା ଘୋଡ଼ାଙ୍କଠାରୁ ଭଲ ଚଳାଯାଇ ପାରେ, କାରଣ ଅନ୍ଧାରକଣା ଘୋଡ଼ାମାନେ ଖୁବ୍‌ ଭୀରୁ ବା ଡରୁଆ ହୁଅନ୍ତି । ଯାହା ହେଉ ମୋ ଆଖିରେ ସ୍ଥାୟୀ ଆଘାତ ହେବା ପୂର୍ବରୁ ମୁଁ ସେଠୁ ଖସି ଆସିଲି ।

 

ଜଣେ ବଡ଼ ଘୋଡାଗାଡ଼ିର ମାଲିକ ମତେ କିଣିନେଲେ ।

•••

 

ଦୁଃଖର ସମୟ

 

ମୋର ଏଇ ନୂତନ ମାଲିକଙ୍କୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ତାଙ୍କର କଳା କଳା ଆଖି, ଶୁଆନାକ, ବୁଲ୍‌ଡ଼ଗ୍‌ ପରି ଦାନ୍ତ, ପୁଣି ସ୍ୱର ଠିକ୍‌ ପଥର ଉପରେ ମାଲବୁହା ଗାଡ଼ିର ଚକ ଚାଲି ଚାଲି ତାକୁ ଗୁଣ୍ଡ କରିବା ଶବ୍ଦ ପରି ଭୟଙ୍କର । ତାଙ୍କ ନାମ ହେଲା ନିକୋଲାସ ସ୍କିନର । ମୋର ମନେ ହୁଏ ବିଚରା ସିଡି ସାମ ତାଙ୍କରି ଗାଡ଼ି ହିଁ ଚଳଉ ଥିଲା ।

 

ଲୋକେ କହନ୍ତି ଦେଖିବା କଥା ହିଁ ବିଶ୍ଵାସ କରିବ (ଯାହା ନ ଦେଖିବ ନୟନେ, ପରତେ ନ ଯିବ ଗୁରୁ ବଚନେ ।) ମାତ୍ର ମୋ ମତରେ ଅନୁଭବ କଲେ ହିଁ ବିଶ୍ୱାସ । ଆଗରୁ ଅନେକ ଦେଖିଲେ ବି ଆଜି ଯାଏ ଗାଡ଼ିଟଣା ଘୋଡ଼ାଙ୍କର ଦୁଃଖଦ ଜୀବନ ଠିକ୍‌ ଦେଖି ନଥିଲି ।

 

ସ୍କିନରର ଯେପରି ନିମ୍ନମାନର ଗାଡ଼ିଗୁଡ଼ାଏ ସେପରି ନିମ୍ନମାନର ଚାଳକମାନେ ମଧ୍ୟ । ସେ ନିଜେ ଚାଳକମାନଙ୍କ ଉପରେ ଯେତିକି ରୁକ୍ଷ, ତା ଚାଳକମାନେ ମଧ୍ୟ ଘୋଡ଼ାମାନଙ୍କ ଉପରେ ସେତିକି ରୁକ୍ଷ । ଏଠାରେ ଆମମାନଙ୍କର ରବିବାରରେ ବିଶ୍ରାମ ନାହିଁ ଏପରି କି ଗରମ ଋତୁର ପ୍ରଚଣ୍ଡ ଖରାରେ ବି ନାହିଁ ।

 

ଥରେ ଥରେ ରବିବାର ସକାଳେ ପାଞ୍ଚଜଣିଆ ଦଳ ଗାଡ଼ି ଭଡ଼ା ନେଇ ଚାରିଜଣ ଭିତରେ ଓ ଜଣେ ଚାଳକ ନିକଟରେ ବସିଯାନ୍ତି । ସେମାନଙ୍କୁ ପ୍ରାୟ ପନ୍ଦର ମାଇଲ ନେବା ଓ ସେତିକି ଆଣିବା କାମ କରିବାକୁ ମତେ ପଡୁଥିଲା । ଉଠାଣିଆରେ ବି ଜଣେ ଓହ୍ଲାଇ ପଡ଼ିବା ଅବା ପ୍ରଚଣ୍ଡ ଗରମରେ ଟିକେ ରହିଯିବା ବିଷୟରେ କେହି ବି ଚିନ୍ତା କରନ୍ତି ନାହିଁ । ଯଦି କେବେ ମୁଁ କାଳେ ଟାଣି ପାରିବି ନି ବୋଲି ଚାଳକ ଭୟ ପାଏ, ତେବେ ସେ ଟିକେ ରହି ଯାଏ । ସମୟେ ସମୟେ ମତେ ଏତେ କ୍ଲାନ୍ତ ଓ ଜରୁଆ ଜରୁଆ ଲାଗେ ଯେ ମୁଁ ଖାଦ୍ୟ ଛୁଇଁପାରେ ନାହିଁ । ଗରମ ଦିନ ଶନିବାର ରାତିରେ ଜେରୀର ସେଇ ଭିଜା ଚଷୁ ପାଇଁ ମୋ ମନ ବ୍ୟାକୁଳ ହୁଏ । ସେଠି ଆମେ କେତେ ଶୀତଳତା ଅନୁଭବ କରୁ, କେତେ ଆରାମ ପାଇଥିଲୁ । ଆମର ଏକାଧାରରେ ଦୁଇଟି ରାତି ଏବଂ ଗୋଟିଏ ପୂରାଦିନ ବିଶ୍ରାମ । ଆଉ ସୋମବାର ସକାଳେ ଆମେ ଯୁବା ଘୋଡ଼ାପରି ସତେଜ ହୋଇ ଉଠୁ । କିନ୍ତୁ ଏଠି ବିଶ୍ରାମ ନାହିଁ, ମୋ ଚାଳକ ବି ଠିକ୍‌ ତା ମାଲିକପରି ନିଷ୍ଠୁର । ତା ଚାବୁକ୍‌ ଅଗର ତୀକ୍ଷ୍ମ ମୁନରେ ମୋର ବେଳେବେଳେ ରକ୍ତ ବି ବୁହେ । ସେ ମତେ ମୁଣ୍ଡରେ ଆଉ ପେଟରେ ମାରେ ! ତାର ଏଇ ବେଖାତିରିଆ ମାଡ଼ରେ ମୋର ହୃଦୟ ଛଟପଟ ହୁଏ । କିନ୍ତୁ ତଥାପି ମୁଁ ମନଲଗେଇ କାମ କରିଯାଏ । ମୋର ଜିଞ୍ଜର କଥା ମନେ ପଡ଼େ । ସେ କହେ “କିଛି ଲାଭ ନାହିଁ । ମଣିଷ ସବୁଠାରୁ ବଳଶାଳୀ ।’’

 

ମୋ ଜୀବନ ବର୍ତ୍ତମାନ ଏତେ ଅସହ୍ୟ ହୋଇପଡିଲାଣି ଯେ ମୁଁ ଭାବେ ଜିଞ୍ଜର ପରି ଏମିତି କାମ କରୁ କରୁ ମରିଗଲେ ଏଇ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତି । ଦିନେ ମୋର ଏଇ ଇଚ୍ଛା ସଫଳ ହେବାର ପ୍ରାୟ ପାଖାପାଖି ହୋଇଯାଇଥିଲି।

 

ସେଦିନ ମୁଁ ସକାଳ ଆଠଟାରୁ ଷ୍ଟାଣ୍ଡକୁ ଯାଇ ଅନେକ ଖଟିଥିଲି । ତାପରେ ଆମକୁ ରେଳଷ୍ଟେସନ ଯିବାକୁ ପଡିଲା । ବଡ ରେଳଗାଡ଼ି ପହଞ୍ଚିବ, ତେଣୁ ମୋ ଚାଳକ ମତେ ପଛରେ ହିଁ ଠିଆ କରେଇଲା । ଏଇ କାରଣରୁ ଯେ ଆମେ ଫେରିବା ବେଳକୁ ଭଡା ପାଇବୁ । ବଡ଼ ଟ୍ରେନ ହୋଇଥିବାରୁ ସବୁ ଗାଡ଼ି ଭରି ହୋଇ ଆମକୁ ବି ଡାକରା ପଡିଲା । ଚାରିଜଣର ଦଳ- ସ୍ଵାମୀ ସ୍ତ୍ରୀ ପୁଅ ଆଉ ଛୋଟ ଝିଅଟିଏ । ସେମାନଙ୍କ ସହ ଜିନିଷପତ୍ର ବହୁତ ଓ ଜିନିଷପତ୍ର ଗାଡ଼ିରେ ଲଦିବା ପାଇଁ ସେ ନିର୍ଦ୍ଦେଶ ଦେଲେ । ଛୋଟ ଝିଅଟି ଦୌଡି ଆସି କହିଲା “ବାପା ମୁଁ ଭଲକରି ଜାଣେ ଯେ ଆମେ ଏତେ ଜଣଙ୍କ ସହ ଏତେ ଜିନିଷ ପତ୍ର ଏ ଦୁର୍ବଳ ଘୋଡ଼ାଟି ମୋଟେ ଟାଣିପାରିବ ନାହିଁ । ତାକୁ ଦେଖ- ସେ କେଡେ ଦୁର୍ବଳ ଓ କ୍ଲାନ୍ତ ଦିଶୁଛି ।”

 

ମୋ ଚାଳକ କହିଲା “ଆରେ ନା ନା ସେ ଠିକ୍‌ ଅଛି, ବୋହି ପାରିବ । କୁଲିଟି ଏ ଭାରି ବାକ୍ସ ଟ୍ରଙ୍କ ଉଠାଇଲା ବେଳକୁ ପଚାରିଲା “ଏତେ ସବୁ ଏଇ ଗାଡ଼ିରେ ଯିବ ନା ଆପଣ ଆଉ ଗୋଟାଏ ଗାଡ଼ି ଭଡା କରିବେ ।” ସେ ଭଦ୍ରଲୋକ ପଚାରିଲେ “ତୁମ ଘୋଡ଼ା ୟାକୁ ଟାଣିପାରିବ ତ-?’’ ‘‘ହଁ ହଁ ସେ ୟାଠୁ ବେଶି ଲଦା ହେଲେ ବି ଟାଣିପାରିବ । କୁଲି ଉଠା ଉଠା ସବୁ ଜିନିଷ ଉପରକୁ-।” ଚାଳକ ଏତକ କହି ସାରି ନିଜେ ସେ ଭାରି ବାକ୍ସକୁ ଠେଲି ଦେବା ବେଳକୁ ମୋ ଦେହ ଚାପି ହୋଇ ଯିବା ପରି ମୁଁ ଅନୁଭବ କଲି ।

 

ଝିଅଟି ଅଳି କଲା ପରି କହୁଥାଏ ‘‘ବାପା ବାପା ପ୍ଲିଜ ଆଉ ଗୋଟାଏ ଗାଡ଼ି ଭଡ଼ା ନିଅ-। ମୁଁ ନିଶ୍ଚିତ ଯେ ଆମେ ଭୁଲ କରୁଛୁ, ନିଷ୍ଠୁର ଆଚରଣ ବି କରୁଛୁ । “ନନ୍‌ସେନ୍ସ୍‌ ! ଗ୍ରେସ୍‌ ତୁ ଗାଡ଼ିକୁ ଆଗ ଯାଆ । ଏମିତି ବଡ଼େଇ କହନା । ଜଣେ ବ୍ୟବସାୟୀ ଜିନିଷ ନେଲାବେଳକୁ ଘୋଡ଼ାଙ୍କୁ ବି ପରୀକ୍ଷା କରିବ । ବେଶ୍‌ କଥା ଚାଳକ ତା ନିଜ ଘୋଡ଼ା କଥା ଜାଣେ । ଚୁପ୍‌କରି ଭିତରେ ଯାଇ ବସ ।

 

ମୋର ସୁଶୀଳ ହିତକାରିଣୀ ଗାଡ଼ି ଭିତରେ ବସିଲା । ଗାଡ଼ି ଉପରେ ଥାକ ଥାକ ହୋଇ ଜିନିଷ ଲଦା ହେଲା । ଚାଳକ ନିକଟରେ ବି କିଛି ରଖାଗଲା । ଅବଶେଷରେ ସବୁ ଠିକ୍‌ ଭାବେ ସଜଡ଼ା ହୋଇ ସମସ୍ତେ ବସିଲେ । ଚାଳକ ତାର ପ୍ରତିଦିନିଆ ଲଗାମ ଟାଣି ଆଉ ଚାବୁକ ମାରି ଗାଡ଼ି ଚଳେଇ ଷ୍ଟେସନ ଛାଡିଲା ।

 

ବୋଝର ଅତ୍ୟଧିକ ଓଜନ, ତହିଁରେ ପୁଣି ମୁଁ ସକାଳୁ ଖାଇନି କି ବିଶ୍ରାମ କରିନି । ଏତେ ନିଷ୍ଠୁରତା ଓ ଅନ୍ୟାୟ ସତ୍ତ୍ଵେ ମୁଁ ସବୁବେଳ ପରି ପାରୁପର୍ଯ୍ୟନ୍ତ ଗାଡ଼ି ଟାଣିବାକୁ ଲାଗିଲି । ଆମେ ଲର୍ଡ ଗେଟ୍‌ ହିଲ ଯାଏଁ ଆସିବା ପର୍ଯ୍ୟନ୍ତ ମୁଁ ଭଲ ଭାବରେ ଦୌଡୁଥିଲି । ମାତ୍ର ଗାଡ଼ିରେ ଏତେ ଜିନିଷ ଓ ମୋର କ୍ଲାନ୍ତି ଅତ୍ୟଧିକ ହୋଇଗଲା । ଲଗାତାର ଚାବୁକ ମାଡ଼ ଓ ଲଗାମ ଟଣା ମଧ୍ୟରେ ମୁଁ ସଂଘର୍ଷ କରୁଥାଏ ଠିକ୍‌ ଭାବେ ଦୌଡ଼ିବାକୁ । କିନ୍ତୁ ହଠାତ୍‌ ଯେ କଣ ହୋଇଗଲା ବୁଝିପାରିଲି ନି । ମୋ ଗୋଡ଼ ଖସିଗଲା । ଆଉ ଏତେ ଜୋରରେ ପଡ଼ିଗଲି ଯେ ମୋର ନିଶ୍ଵାସ ବନ୍ଦ ହୋଇଯିବା ପରି ଲାଗିଲା । ମୁଁ ନିଶ୍ଚଳ ହୋଇ ପଡ଼ି ରହିଲି । ହଲିବା ଶକ୍ତି ବି ରହିଲା ନି । ମୋର ମନେ ହେଲା ମରିଯିବି ବୋଲି । ମୋ ଚାରିପଟେ ଗଣ୍ଡଗୋଳ, ରାଗରେ ପାଟିତୁଣ୍ଡ କରିବା ମତେ ଶୁଭିଲା । ମାଲପତ୍ର କଢ଼ାହେବା ଶବ୍ଦ ବି ଶୁଣିଲି । ମତେ ସବୁ ସ୍ଵପ୍ନପରି ଲାଗୁଥାଏ । ମନେ ହେଲା ମୁଁ ସେଇ ଦୟାର୍ଦ୍ର କଣ୍ଠସ୍ଵର ପୁଣି ଶୁଣିଲି “ଓଃ ବିଚରା ଘୋଡ଼ାଟିଏ ! ସବୁ ଆମର ଦୋଷ ।” କିଏ ଜଣେ ମୋ ବେକରୁ ପଟିଟା ଖୋଲି ଦେଲା । ପାର୍ଶ୍ଵ ଚେନ ମଧ୍ୟ ଖୋଲି କଲରକୁ ହୁଗୁଳା କଲା । କଲରକୁ ଏତେ ଜୋରରେ ବାନ୍ଧିଥିଲା ଯେ ଜଣେ କହିଲା ସେ ମରିଯାଇଛି ଆଉ ଉଠିବନି-।’’ ତାପରେ ଗୋଟାଏ ପୋଲିସର ନିର୍ଦ୍ଦେଶ ଦେବା ମୁଁ ଶୁଣିପାରିଲି । କିନ୍ତୁ ମୋର ଆଖି ମୁଁ ଖୋଲିପାରୁ ନଥାଏ । କେବଳ ମଝିରେ ମଝିରେ ଧଇଁସଇଁ ହୋଇ ନିଶ୍ଵାସ ନେଉଥାଏ । ମୋ ମୁଣ୍ଡରେ ଥଣ୍ଡାପାଣି ଢଳାହୋଇ କିଛି ତରଳ ପଦାର୍ଥ ମୋ ପାଟିରେ ଦିଆଗଲା । ମତେ ପୁଣି ଘୋଡ଼େଇ ଦେଲେ । କେତେ ସମୟ ସେମିତି ପଡ଼ିରହିଥିଲି କହିପାରିବି ନି, କିନ୍ତୁ ଧୀରେ ଧୀରେ ବଳ ଫେରିଆସିବାର ଅନୁଭବ କଲି ଏବଂ ଜଣେ ଦୟାଳୁ ଲୋକ ମତେ ଆଉଁସି ଆଉଁସି ଉଠିବାକୁ ଉତ୍ସାହ ଦେଉଥାନ୍ତି । ଆଉ କିଛି ମତେ ତରଳ ଜିନିଷ ପିଆଇବା ପରେ ଏବଂ ଥରେ ଦିଥର ଚେଷ୍ଟା କରାଯିବା ପରେ ମୁଁ ଥରି ଥରି ଉଠିଲି । ତାପରେ ଆସ୍ତେ ଆସ୍ତେ ମତେ ପାଖରେ ଥିବା ଏକ ଘୋଡ଼ାଶାଳକୁ ନିଆଗଲା । ସେଠି ମତେ ଭଲ ଷ୍ଟଲରେ ରଖି ଗରମ ପେଜ ପିଆଇଲେ । ମୁଁ ଖୁସିରେ ଢକ ଢକ କରି ସବୁତକ ପିଇଦେଲି ।

 

ସନ୍ଧ୍ୟାବେଳେ ମୁଁ ସ୍କିନରର ଘୋଡ଼ାଶାଳକୁ ଯିବା ପରି ସୁସ୍ଥ ହୋଇ ଉଠିଲି । ସେଠି ମଧ୍ୟ ସେମାନେ ମତେ ଖୁବ୍‌ ଯତ୍ନରେ ସେବା କଲେ । ସକାଳେ ସ୍କିନର ଜଣେ ଅଶ୍ଵ ଚିକିତ୍ସକଙ୍କୁ ନେଇ ମୋ ପାଖକୁ ଆସିଲା । ସେ ମତେ ଭଲଭାବେ ପରୀକ୍ଷା କରିସାରି କହିଲେ “ରୋଗରେ ନୁହେଁ, ଅତ୍ୟଧିକ ଖଟାଇବା ଫଳରେ ୟାର ଏଇ ଅବସ୍ଥା । ଛଅମାସ ତାକୁ ବିଶ୍ରାମ କରିବାକୁ ଦେଲେ ସେ ହୁଏତ ପୁଣି କାର୍ଯ୍ୟକ୍ଷମ ହେବ । କିନ୍ତୁ ବର୍ତ୍ତମାନ ତା ଦେହରେ ସାମାନ୍ୟତମ ବି ଶକ୍ତି ନାହିଁ ।’’ ତାହାହେଲେ ସେ ଯେଉଁଠିକି ଯିବ ଯାଉ, ମୋର ଏତେ ଘାସପଡ଼ିଆ ନାହିଁ ଯେ ତାକୁ ବସେଇ ବସେଇ ପୋଷିବି । ସେ ଭଲ ହୋଇଯିବ କି ହେବ ନି ଏସବୁ ଚିନ୍ତା କଲେ ତ ମୋ ବ୍ୟବସାୟ ଚଳିବ ନି । ମୋର ନୀତି ହେଉଛି ଯେତିଦିନ ଯାଏଁ କାର୍ଯ୍ୟକ୍ଷମ ଥିବେ ଘୋଡ଼ାଙ୍କୁ ରଖିବି, କାମକୁ ନ ପାରିଲେ ଯେତେ କମ୍‌ ବି ମିଳୁ ବିକ୍ରି କରିବି - ମାଂସବାଲାଙ୍କୁ ହେଉ ବା ଆଉ କାହାକୁ ।

 

“ତାର ଯଦି ଧଇଁ ପେଲିବା ଥାଆନ୍ତା ତେବେ ତ ତାକୁ ମାରି ଦେବା ହିଁ ଉଚିତ୍‌ ହୋଇଥାନ୍ତା, ମାତ୍ର ତାର ତ ସେ ଦୋଷ ନାହିଁ । ଦଶ ଦିନ ପରେ ଅଶ୍ଵମେଳାରେ ଘୋଡ଼ା ବିକ୍ରି ହେବ । ତୁମେ ଏଇ ଦଶଟି ଦିନ ତାକୁ ଭଲ ଖୁଆଇପିଆଇ ସୁସ୍ଥ କରି ତୋଳ । ତେବେ ତୁମକୁ ତାର ପ୍ରକୃତ ମୂଲ୍ୟଠାରୁ ଅଧିକ ମୂଲ୍ୟ ମିଳିବ ।”

 

ତାଙ୍କରି ଉପଦେଶରେ ଅନିଚ୍ଛାସତ୍ତ୍ୱେ ବି ସ୍ଲିନର ମତେ ଭଲ ଖୁଆଇପିଆଇ ଯତ୍ନ ନେବାକୁ ତା ଲୋକଙ୍କୁ ନିର୍ଦ୍ଦେଶ ଦେଲା । ଆଉ ରକ୍ଷୀଟି ମାଲିକର ନିର୍ଦ୍ଦେଶଠାରୁ ମୋର ଅଧିକ ଯତ୍ନ କଲା । ଦଶଦିନର ସମ୍ପୂର୍ଣ୍ଣ ବିଶ୍ରାମ, ପ୍ରଚୁର ସୁଷମ ଖାଦ୍ୟ (ଓଟ୍‌ସ କୁଟା, କୁଣ୍ଡା, ସିଝା ଲିନ୍‌ସିଡ଼୍‌ର ମିଶ୍ରଣ ଦେଇ ଖୁବ୍‌ କମ ସମୟ ମଧ୍ୟରେ ମୋର ବେଶ୍‌ ଉନ୍ନତି କରେଇଲା । ଲିନ୍‌ସିଡ଼୍‌ ଗୁଣ୍ଡ କି ସୁଆଦିଆ, ସେତେବେଳେ ମୋର ମନେ ହେଲା ଜୀବନଟା କେତେ ଆରାମଦାୟକ । ଦୁର୍ଘଟଣାର ବାରଦିନ ପରେ ମତେ ଲଣ୍ଡନଠାରୁ କେତେ ମାଇଲ ଦୂରକୁ ବିକ୍ରୟ ପାଇଁ ନିଆଗଲା । ଭାବିଲି ମୋର ବର୍ତ୍ତମାନ ଆଶ୍ରୟଠାରୁ ଯେକୌଣସି ଭବିଷ୍ୟତ ଆଶ୍ରୟ ଭଲ ହେବ । ଏଇ ଆଶାରେ ଶିର ଉଚ୍ଚା କରି ମୁଁ ଠିଆ ହେଲି ଏବଂ ସୁନ୍ଦର ଭବିଷ୍ୟତ ଆଶା କଲି ।

•••

 

କୃଷକ ଥରଗୁଡ୍‌ ଓ ତାଙ୍କ ନାତି ଉଇଲି

 

ଏହି ବିକ୍ରୟରେ ମୁଁ ବୁଢ଼ା ଓ ଭିନ୍ନକ୍ଷମ ଘୋଡ଼ାମାନଙ୍କ ସହିତ ଠିଆହେଲି । ସେଠି ବୁଢ଼ା ଛୋଟା କେମ୍ପା ରୋଗୀ ଘୋଡ଼ାମାନେ ଥାଆନ୍ତି, ଆଉ ମଧ୍ୟ କେତେକଙ୍କୁ ଦେଖିଲି ଯେଉଁମାନଙ୍କୁ ଗୁଳି କରିଦେଇଥିଲେ ସେମାନଙ୍କ ପାଇଁ ଅଧିକ ଭଲ ହୋଇଥାନ୍ତା । କ୍ରେତା ଓ ବିକ୍ରେତାମାନେ ମଧ୍ୟ ଦରଦାମ୍‌ କରୁଥିବା ସେମାନଙ୍କ ଘୋଡ଼ାଠାରୁ ଅଧିକ କିଛି ନୁହନ୍ତି । କାରଣ ସେଠାକୁ ଗରିବ ବୁଢ଼ାମାନେ ଅଳ୍ପ ମୂଲ୍ୟରେ ଘୋଡ଼ା କିଣିବାକୁ ଆସିଥାଆନ୍ତି । ସେଇ ନିମ୍ନମାନର ଘୋଡ଼ାମାନେ ସେମାନଙ୍କ ଶଗଡ଼ରେ ହୁଏତ କୋଇଲା ଅବା କାଠ ବୋହିବେ । ଆଉ ଗରିବ ବିକ୍ରେତାମାନେ ବି ଆସି ଥାଆନ୍ତି ଯେଉଁମାନେ ବି ତାଙ୍କ ଶକ୍ତିବିହୀନ ପଶୁମାନଙ୍କୁ ଦୁଇ ତିନି ପାଉଣ୍ଡରେ ବିକି ପାରିବେ ଏବଂ ଏହାଦ୍ଵାରା ମରିଯିବାର ପୂରା କ୍ଷତି ଅପେକ୍ଷା ଘୋଡ଼ା ପାଇଁ କିଛି ପଇସା ମିଳିପାରିବ । କେତେ ଲୋକମାନଙ୍କ ଦୃଷ୍ଟିରୁ ମୁଁ ବୁଝିପାରୁଥାଏ ଯେ ଦାରିଦ୍ର୍ୟ ଓ ଦୁଃଖ ସେମାନଙ୍କୁ ରୁକ୍ଷ କଠୋର କରିଦେଇଛି । ଆଉ କେତେକ ଦୟାଳୁ ମଧ୍ୟ ଥିଲେ ଯେଉଁମାନଙ୍କ ପାଇଁ ମୁଁ ଖୁସିରେ ଶେଷ ପର୍ଯ୍ୟନ୍ତ କାମ କରି ପାରନ୍ତି । ସେମାନେ ଗରିବ ଅପରିଷ୍କାର ହେଲେ ମଧ୍ୟ ଦୟା ଓ ମାନବିକତା ରହିଛି । ସେମାନଙ୍କ ସ୍ଵରରୁ ମତେ ଆସ୍ଥା ମିଳୁଥିଲା । ସେଠାରେ ଜଣେ ଏକଦମ୍‌ ଥୁରୁ ଥୁରୁ ବୁଢ଼ା ମତେ ଦେଖି ତାଙ୍କୁ ଟିକେ ଭଲ ଲାଗିଥିଲା । ମାତ୍ର ମୁଁ ଏତେ ଦୁର୍ବଳ ଦେଖାଯାଉଥିବାରୁ ସେ ନେଲେନି । ତାପରେ ମେଳାର ଭଲ ଘୋଡ଼ାଥିବା ପଟରୁ ଜଣେ ଆସିଲେ । ସେ ଜଣେ ବେଶ୍‌ ଭଦ୍ର କୃଷକ ପରି ଦିଶୁଥିଲେ । ସାଙ୍ଗରେ ଗୋଟିଏ ବାଳକ । ଭଦ୍ରଲୋକଙ୍କର ଚଉଡ଼ା ପିଠି, ଗୋଲିଆ କାନ୍ଧ, ଦୟାପୂର୍ଣ୍ଣ ଗୋଲାପି ମୁହଁ- ମୁଣ୍ଡରେ ଗୋଟାଏ ଟୋପି ପିନ୍ଧିଥିଲେ । ସେମାନେ ମତେ ଦେଖିବା ମୁଁ ଲକ୍ଷ୍ୟ କଲି । ସେ ସ୍ଥିର ହୋଇ ଠିଆ ହେଲେ । ଆମମାନଙ୍କୁ ବେଶ୍‌ ଦୟାର୍ଦ୍ର ଚାହାଣିରେ ଦେଖିଲେ-। ତାଙ୍କ ଦୃଷ୍ଟି ମୋ ଉପରେ ନିବଦ୍ଧ ହେବା ମୁଁ ଦେଖିଲି । ମୋର ଯେ ସୁନ୍ଦର ଦାଢ଼ି ଓ ଲାଙ୍ଗୁଡ଼ ଥାଇ ମୋର ଶୋଭା ବର୍ଦ୍ଧନ ଏବେ ବି କରୁଛି ଏ କଥା ମତେ ଜଣାଥିଲା । ମୁଁ କାନ ଉଠେଇ ତାଙ୍କ ଆଡ଼କୁ ଚାହିଁଲି ।

 

‘‘ହେଇଟି ଦେଖ ଉଇଲି- ଏ ଘୋଡ଼ା ନିଶ୍ଚୟ ଭଲ ଦିନ ଦେଖିଛି ।

 

“ବିଚରା ବୁଢ଼ା ଜୀବଟି ! ତୁମେ କଣ ୟାକୁ ଗାଡ଼ିଟଣା ଘୋଡ଼ା ବୋଲି ଭାବୁଛ କି ଜେଜେ ବାପା ?” ବାଳକଟି ପଚାରିଲା ।

 

“ହଁ ନିଶ୍ଚେ ବାପା’’ କୃଷକ ମୋ ନିକଟତର ହୋଇ ଉତ୍ତର ଦେଲେ । ସେ ବଡ଼ ହେବାପରେ ସବୁ ପ୍ରକାର କାମ ପାଇଁ ନିଶ୍ଚୟ ସମର୍ଥ ଥିଲା । ଦେଖ ଦେଖ ତା ନାକ, କାନ, ବେକ ଓ କାନ୍ଧର ଗଢ଼ଣ- ଭଲ ଜାତିଆ ଘୋଡ଼ା । ସେ ହାତ ବଢ଼େଇ ମତେ ଓ ମୋ ବେକକୁ ଆଦରରେ ଆଉଁସିଲେ । ତାଙ୍କ ଦୟାର ଜବାବ ମୁଁ ନାକ ଫୁଲେଇ ଦେଲି । ବାଳକଟି ମୋ ମୁହଁରେ ଆଦର କଲା ।

 

“ବିଚରା ବୁଢ଼ା ଘୋଡ଼ାଟି । ଜେଜେ ଦେଖିଲ ତ, ଆମ ଦୟା ଦେଖେଇବାଟା ସେ କେଡେ ସୁନ୍ଦର ବୁଝିଗଲା । ୟାକୁ ତୁମେ କିଣିଲେ ବଳଶାଳୀ କରିପାରିବ, ତୁମେ ତ ପୁଣି ଲେଡି ବାର୍ଡକୁ କରିଥିଲ ।’’

 

“ଧନରେ ମୁଁ ସବୁ ବୁଢ଼ା ଘୋଡ଼ାଙ୍କୁ ଯୁବକ କରି ପାରିବିନିରେ । ଲେଡି ବାର୍ଡ ଏତେ ବୁଢ଼ା ହେଇ ନଥିଲ। । କେବଳ ବହୁତ ଖଟେଇ ଖଟେଇ ସେ ଦୁର୍ବଳ ହୋଇଯାଇଥିଲା !”

 

“ଠିକ୍‌ ଅଛି । ମୁଁ କିନ୍ତୁ ୟାକୁ ବୁଢ଼ା ଭାବୁନି । ତା ଦାଢ଼ି ଆଉ ଲାଙ୍ଗୁଡ଼କୁ ଦେଖ । ମୁଁ ଚାହେଁ ଯେ ତୁମେ ତା ପାଟିଟାକୁ ଯଦି ଟିକେ ଦେଖିପାରନ୍ତ, ତେବେ ତୁମେ ଜାଣିପାରନ୍ତ । ସେ ଭାରି ପତଳା, କିନ୍ତୁ ବୁଢ଼ା ଘୋଡ଼ାମାନଙ୍କ ପରି ତା ଆଖି ଭିତରକୁ ପଶିଯାଇନି ।’’

 

ବୁଢ଼ା ଭଦ୍ରଲୋକ ହସିଲେ “ସୁଖୀ ହଅ । ସେ ତ ତା ଜେଜେଭଳିଆ ଘୋଡ଼ା ପ୍ରିୟ । “ତୁମେ ତା ପାଟିକୁ ଚାହଁ ଜେଜେ । ତା ଦାମ ପଚାର । ମୁଁ ନିଶ୍ଚିତଭାବେ କହିପାରେ ଯେ ଆମ ଘାସପଡ଼ିଆରେ ଚରିଲେ ସେ ଠିକ ଯୁବକ ପାଲଟିଯିବ ।’’ ମତେ ବିକ୍ରି କରିବାକୁ ଯିଏ ଆଣିଥିଲା ସିଏ ମୋ ବିଷୟରେ ବଖାଣିବାକୁ ଆରମ୍ଭ କଲା-

 

“ଆମ ବାଳକ ଭଦ୍ରଲୋକଙ୍କର ପ୍ରକୃତ ଜ୍ଞାନ ଅଛି ସାର୍‌, ଏ ଘୋଡ଼ା ସେମିତି ବୁଢ଼ା ହୋଇନି ! ଗାଡ଼ିରେ ଅତ୍ୟଧିକ ଖଟଣି ଯୋଗୁଁ ସେ ଏମିତି ହୋଇଯାଇଛି । ନିଜେ ଘୋଡ଼ାଙ୍କ ଡାକ୍ତର କହିବା କଥା ମୁଁ ଶୁଣିଛି ଯେ ଛଅଟି ମାସ ତାକୁ ଠିକ୍‌ ଭାବେ ରଖିଲେ ସେ ପୁଣି ଆଗପରି ସବଳ ହୋଇଯିବ । ଦେଖନ୍ତୁ ତା ନିଶ୍ୱାସପ୍ରଶ୍ୱାସରେ କୌଣସି ସମସ୍ୟା ନାହିଁ । ମୁଁ ତାକୁ ଗତ ଦଶଦିନ ଧରି ସେବା କରିଛି । ଏହାଠାରୁ ଶାନ୍ତ ଶିଷ୍ଟ ଘୋଡ଼ା ମୁଁ ଦେଖିନାହିଁ । ଏ ଆପଣମାନଙ୍କ ପରି ଭଦ୍ରଲୋକ ଘର ପାଇଁ ଯୋଗ୍ୟ । ମୂଲ୍ୟ ମାତ୍ର ପାଞ୍ଚ ପାଉଣ୍ଡ, ଆଜ୍ଞା ସେତିକି ଦେଇ ତାକୁ ଗୋଟାଏ ସୁଯୋଗ ଦିଅନ୍ତୁ । ମୁଁ ଜୋରକରି କହିପାରେ ଯେ ଆସନ୍ତା ବସନ୍ତ ଋତୁ ବେଳକୁ ତାର ଦାମ୍‌ କୋଡ଼ିଏ ପାଉଣ୍ଡ ହୋଇଯିବ ।

 

ବୁଢ଼ା ଭଦ୍ରଲୋକ ହସିଲେ ଏବଂ ବାଳକଟି ତାଙ୍କ ମୁହଁକୁ ଆଗ୍ରହରେ ଚାହିଁଲା ।

 

“ଓହୋ ! ଜେଜେ ତୁମେ କହି ନଥିଲ କି ଘୋଡ଼ା ପିଲାଟା ପାଞ୍ଚ ପାଉଣ୍ଡ ବେଶିରେ ବିକ୍ରି ହେଲା, ତୁମେ ୟାକୁ କିଣିଲେ କେବେ ବି ଗରିବ ହୋଇ ଯିବନି ।’’

 

ତାପରେ ସେ ଆସ୍ତେ ଆସ୍ତେ ମୋ ଗୋଡ଼ ଛୁଇଁଲେ ଦେଖିଲେ ଗୋଡ଼ ଫୁଲିଛି ଓ ଦାଗ ପଡିଛି । ତାପରେ ମୋ ମୁହଁକୁ ଚାହିଁ କହିଲେ ‘‘ତେର କି ଚଉଦ ହେବ । ଆଚ୍ଛା ଏଠି ଟିକେ ଚଲେଇଲ ମୁଁ ଦେଖେ” । ମୁଁ ବେକ ଆଉ ଲାଙ୍ଗୁଡ ଟିକେ ହଲେଇ ଦେଇ ଚାଲିଲି । ଯେତେ ଭଲ ଭାବେ ପାରିଲି ଚାଲିଲି । କାରଣ ମୋ ଗୋଡ଼ରେ ବ୍ୟଥା ହେଉଥିଲା ।

 

‘‘ଅତି କମ୍‌ରେ ଘୋଡ଼ାଟିକୁ ମତେ କେତେରେ ଦେବ ?’’

‘‘ପାଞ୍ଚ ପାଉଣ୍ଡ ସାର୍‌ । ଆଉ କମେଇବାକୁ ମାଲିକ ମତେ ମନା କରିଛନ୍ତି ।”

 

‘‘ଏଟା କେବଳ ଚିନ୍ତା ଯେ ଭଲ ପଡ଼ିବ- “ମୁଣ୍ଡ ହଲେଇ ହଲେଇ ସେ ପକେଟ ଅଣ୍ଡାଳି ପର୍ସ କାଢୁ କାଢୁ ପଚାରିଲେ “ତୁମର ଏଠି ଆଉ କିଛି କାମ ଅଛି କି ?’’

 

“ନା ସାର୍‌ ! ମୁଁ ଘୋଡ଼ାକୁ ପାନ୍ଥଶାଳାରେ ପହଞ୍ଚେଇଦେଇ ପାରିବି ।’’

‘‘ଠିକ୍‌ ଅଛି ତାକୁ ନିଅ । ମୁଁ ବର୍ତ୍ତମାନ ସେଇଠିକୁ ହିଁ ଯାଉଛି ।

 

ସେମାନେ ଆଗେ ଆଗେ ଗଲେ ! ମୁଁ ପଛେ ପଛେ ଚାଲିଲି । ବାଳକ ତାର ଆନନ୍ଦ ଲୁଚେଇ ପାରୁ ନଥାଏ ଏବଂ ତାର ଖୁସି ଦେଖି ସେ ଭଦ୍ରଲୋକଙ୍କୁ ବି ମଜା ଲାଗୁଥାଏ । ପାନ୍ଥଶାଳାରେ ମତେ ଭଲକରି ଖାଇବା ପାଇଁ ଦିଆ ହେଲା ଏବଂ ନୂଆ ମାଲିକଙ୍କ ଚାକର ମୋ ଉପରେ ବସି ମୋତେ ଗୋଟାଏ ବଡ ଘାସପଡ଼ିଆକୁ ନେଲା । ତାର ଗୋଟିଏ କୋଣରେ ଗୁହାଳଟିଏ ଥାଏ ।

 

ମୋ ମାଲିକଙ୍କ ନାମ ହେଉଛି ଶ୍ରୀଯୁକ୍ତ ଥରଗୁଡ୍‌ । ସେ ନିର୍ଦ୍ଦେଶ ଦେଲେ ଯେ ପ୍ରତି ସକାଳେ ଆଉ ସନ୍ଧ୍ୟାରେ ମତେ କୁଟା ଓ ଓଟ୍‌ସ ଦିଆଯିବ । ତାପରେ ସେ କହିଲେ ‘‘ଉଇଲି ତୁ ୟାକୁ ଦେଖିବୁ । ତୋ ହେପାଜତରେ ତାକୁ ରଖାଗଲା ।

 

ବାଳକ ଏଇ ଦାୟିତ୍ଵରେ ଗର୍ବବୋଧ କରି ଖୁବ୍‌ ମନଦେଇ ଦାୟିତ୍ଵ ସମ୍ପନ୍ନ ମଧ୍ୟ କଲା । ଏମିତି ଦିନଟିଏ ନାହିଁ ଯେଉଁଦିନ ସେ ମତେ ଦେଖିବାକୁ ଆସିନି । ଥରେଥରେ ଘୋଡ଼ାମାନଙ୍କ ମଧ୍ୟରୁ ମତେ ନେଇ ଗାଜର ବା ଆଉ କିଛି ଖାଇବାକୁ ଦିଏ ବା ମୁଁ ଓଟ୍‌ସ ଖାଇଲାବେଳେ ମୋ ପାଖରେ ଠିଆ ହୋଇ ଦେଖେ । ସବୁବେଳେ ମତେ ନରମ କଥା କହି ଆଦର କରେ । ଅବଶ୍ୟ ସିଏ ମୋର ବି ଅତି ପ୍ରିୟ ହୋଇଗଲା । ସେ ତାପାଖକୁ ଦୌଡ଼େ ବୋଲି ଡାକିଲା, କାରଣ ମୁଁ ପଡ଼ିଆରେ ତାକୁ ଦେଖିଲା ମାତ୍ରେ ଅନେକ ସମୟରେ ସେ ତା ଜେଜେଙ୍କ ସହିତ ଆସେ । ଜେଜେ ଆସିଲେ କେବଳ ମୋ ପାଦକୁ ଚାହାନ୍ତି । ‘‘ଆମ ଲକ୍ଷ୍ୟ ହେଲା ଏଇଟା ବୁଝିଲୁ ଉଇଲି ।’’ ସେ କହନ୍ତି, ’’ତାର କ୍ରମାଗତ ଉନ୍ନତି ହୋଇଥିବାରୁ ମୁଁ ଭାବୁଛି ବସନ୍ତ ବେଳକୁ ତାର ଭଲ ପରିବର୍ତ୍ତନ ଆମେ ଦେଖିବା ।’’

 

ମୋର ପୂର୍ଣ୍ଣ ବିଶ୍ୱାସ ସୁଷମ ଖାଦ୍ୟ, ନରମ ଶେଯ ଓ ଅଳ୍ପ ବ୍ୟାୟାମ ଆଦି ଶୀଘ୍ର ମୋର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଲା । ମୋ ମାଆଠାରୁ ମୋର ଭଲ ଗଢ଼ଣ ଆସିଥିଲା, ତାପରେ ଯୁବାବେଳେ ବେଶି କାମର ଚାପ ପଡି ନଥିଲା । ତେଣୁ ଅନେକ ଭଲ କାର୍ଯ୍ୟକ୍ଷମ ଘୋଡ଼ାଙ୍କଠାରୁ ମୋର ଶୀଘ୍ର ସୁସ୍ଥ ହେବା କଥା । ଶୀତଦିନରେ ମୋ ଗୋଡ଼ଗୁଡ଼ିକ ପୂରା ଭଲହୋଇ ଯିବାରୁ ମତେ ପୁଣି ଯୁବାବସ୍ଥାକୁ ଫେରିଯିବା ପରି ମନେ ହେଲା । ତାପରେ ବସନ୍ତର ଆଗମନ ଏବଂ ମାର୍ଚ୍ଚରେ ଦିନେ ଶ୍ରୀଯୁକ୍ତ ଥରଗୁଡ୍‌ ଫେଟନ (ଗାଡ଼ି) ଚଳାଇବାରେ ମତେ ଲଗେଇବେ ବୋଲି ସ୍ଥିର କଲେ । ମୁଁ ବି ଖୁସି ହୋଇ ତାଙ୍କୁ ଏବଂ ଉଇଲିକୁ ଅନେକ ମାଇଲ ବୁଲେଇଲି । ମୋ ଗୋଡ଼ ଆଉ ଟାଣ ନଥିଲା । ତେଣୁ ବେଶ୍‌ ସହଜରେ ମୁଁ ମୋର କାମ କରିପାରିଲି ।

 

‘‘ଓହୋ ! ଜେଜେ ତୁମେ ତାକୁ କିଣିବାରୁ ମୁଁ କେତେ ଖୁସି ।” ମୁଁ ମଧ୍ୟ ଖୁସି ବାପା । କିନ୍ତୁ ମୋଠାରୁ ତାର ତତେ ବେଶି ଧନ୍ୟବାଦ ଦେବା କଥା । ବର୍ତ୍ତମାନ ଆମେ ତା ପାଇଁ ଏପରି ଏକ ନୀରବ ଭଦ୍ର ସ୍ଥାନର ଅନ୍ୱେଷଣ କରିବା ଯେଉଁଠାରେ କି ସେମାନେ ତାର ପ୍ରକୃତ ମୂଲ୍ୟ ତାକୁ ଦେବେ ଅର୍ଥାତ୍‌ ତାର ମୂଲ୍ୟ ଠିକ୍‌ ଭାବେ ନିରୂପଣ କରାଯିବ ।

•••

 

ଶେଷ ଆଶ୍ରୟ

 

ଦିନେ ସଇସ ଆସି ମତେ ଖୁବ ଭଲଭାବରେ ସଫା କରି ବେଶ୍‌ ଯତ୍ନରେ ସଜେଇଲା । ଭାବିଲି ମତେ ବୋଧହୁଏ କୌଣସି ବିଶେଷ କାମରେ ପଠାହେବ । ସେ ମୋ ଗୋଡ଼ ପାଖ ରୁମକୁ କାଟି ବ୍ରସରେ ମୋ ଖୁରା ସବୁ ସଫା କରି, ଏପରି କି ମୋ କପାଳ ଉପର ବାଳକୁ ସୁନ୍ଥାକରି ବ୍ରସ୍‌ରେ କୁଣ୍ଡେଇଲା । ମୋ ଯୋଚା ହେବା ସାମଗ୍ରୀ ବିଶେଷଭାବେ ପଲିଶ କରାଗଲା । ଉଇଲି ଜେଜେଙ୍କ ସହ ଗାଡ଼ିରେ ବସିବାବେଳେ ଟିକେ ଚିନ୍ତାଗ୍ରସ୍ତ ବି ଥିଲା, ଆଉ ଖୁସି ବି ହେଉଥିଲା ।

‘‘ଯଦି ଭଦ୍ରମହିଳାମାନେ ୟାକୁ ନିଅନ୍ତି, ତେବେ ସେମାନଙ୍କର ବି ସୁବିଧା ହେବ, ଆଉ ଘୋଡ଼ାର ବି ସୁବିଧା ହେବ । ଆମେ ଆଉ କ’ଣ କରିପାରିବା କେବଳ ଚେଷ୍ଟା କରିବା ବ୍ୟତୀତ ।”

ଗାଆଁରୁ ପ୍ରାୟ ମାଇଲିଏ ଦୁଇମାଇଲ ଯିବାପରେ ଆମେ ଗୋଟିଏ ସୁନ୍ଦର ନୁଆଁଣିଆ ଘରେ ପହଞ୍ଚିଲୁ । ତା ସାମନାରେ ଲନ୍‌‌ ଏବଂ ଛୋଟ ଗଛମାନ ଥିଲା । ଗାଡ଼ି ଦ୍ଵାରପର୍ଯ୍ୟନ୍ତ ଯାଇ ରହିଲା । ଉଇଲି ଘଣ୍ଟି ବଜେଇଲା । ଦୁଆର ଖୋଲିବା ମାତ୍ରେ ଉଇଲି ପ୍ରଶ୍ନ କଲା “ମିସ୍‌ ବ୍ଲମଫିଲ୍‌ଡ଼ ବା ମିସ ଏଲେନ ଘରେ ଅଛନ୍ତି ?’’ “ହଁ । ସେମାନେ ଅଛନ୍ତି ।” ଉତ୍ତର ପାଇବାପରେ ମୋ ପାଖରେ ଉଇଲି ରହିଲା, ଶ୍ରୀଯୁକ୍ତ ଥରଗୁଡ଼୍‌ ଘର ଭିତରକୁ ଗଲେ । ପ୍ରାୟ ଦଶମିନିଟ୍‌ ପରେ ସେ ତିନିଜଣ ମହିଳାଙ୍କ ସହିତ ଆସିଲେ । ମହିଳାମାନଙ୍କ ମଧ୍ୟରୁ ଜଣେ ଡେଙ୍ଗା, ଦୁର୍ବଳ ଏବଂ ଧଳା ଶାଲରେ ଆବୃତ । ଏବଂ ଆଉ ଜଣେ ଅଳ୍ପ ବୟସ୍କାଙ୍କ କାନ୍ଧରେ ଆଉଜି ଆସିଥିଲେ । ତୃତୀୟ ଜଣକ ବେଶ୍‌ ଆଭିଜାତ୍ୟସମ୍ପନ୍ନା ଏବଂ ସେଇ ହେଉଛନ୍ତି ମିସ୍‌ ବ୍ଳମଫିଲ୍‌ଡ । ସମସ୍ତେ ମତେ ଦେଖାଦେଖି କରି ଅନେକ ପ୍ରଶ୍ନ ପଚାରିଲେ । ଯୁବତୀ ମିସ୍‌ ଏଲେନ ମତେ ଖୁବ୍‌ ପସନ୍ଦ କଲେ । ସେ କହିଲେ ଯେ ମୋର ଏତେ ସୁନ୍ଦର ମୁଖଶ୍ରୀ ତାଙ୍କୁ ନିଶ୍ଚୟ ପସନ୍ଦ । ଦୁର୍ବଳ ମହିଳା ଜଣକ କହିଲେ ଯେ ସେ ଥରେ ପଡ଼ିଯାଇଥିବା ଘୋଡ଼ାକୁ ଖୁବ୍‌ ଭୟ କରନ୍ତି ଏୟା ଭାବି ଯେ ସେ ଯଦି ଆଉ ଥରେ ପଡ଼ିଯାଏ ଏବଂ ତା ସହିତ ସେ ବି ପଡ଼ିଯାଆନ୍ତି ତେବେ ଭୟରେ ଆଉ କେବେ ହେଲେ ସେ ହୁଏତ ଘୋଡ଼ା ଚଢ଼ି ପାରିବେ ନାହିଁ ।

“ତୁମେମାନେ ଶୁଣ” ମି. ଥରଗୁଡ଼ କହିଲେ, ଅନେକ ପ୍ରଥମଶ୍ରେଣୀୟ ଘୋଡ଼ାମାନେ ନିଜ ଦୋଷରୁ ନୁହେଁ, କିନ୍ତୁ ଚାଳକର ଦୋଷରୁ ପଡ଼ି ଥାଆନ୍ତି । ଆଉ ମୁଁ କହିବି ଯେ ଏଇ ଘୋଡ଼ା ସେଇ ଶ୍ରେଣୀର । ଅବଶ୍ୟ ତୁମମାନଙ୍କୁ ପ୍ରଭାବିତ କରିବା ପାଇଁ ମୁଁ କହୁନାହିଁ । ତୁମ ଇଚ୍ଛା ହେଲେ ତାକୁ ପରୀକ୍ଷା କରି ନିଅ, ଦେଖ ତୁମ ଚାଳକ ବି କଣ କହିଛି।’’

‘‘ଆପଣ ଚିରକାଳ ଘୋଡ଼ା ବିଷୟରେ ଆମକୁ ଠିକ୍‌ ଉପଦେଶ ହିଁ ଦେଇ ଆସିଛନ୍ତି । ତେଣୁ ଆପଣଙ୍କ ପରାମର୍ଶ ବା ପସନ୍ଦ ମୋ ପାଇଁ ଅନେକଟା ଠିକ୍‌ ରହିବ । ଯଦି ଭଉଣୀ ଲାଭିନିଆ ଆପତ୍ତି ନ କରେ ଆମେ ତାକୁ ଚଳେଇ ଦେଖିବୁ । ଧନ୍ୟବାଦ ।

ଠିକ୍‌ ହେଲା ଯେ ତା ପରଦିନ ସେମାନେ ଟ୍ରାଏଲ ନେବେ । ସକାଳେ ବେଶ୍‌ ଜଣେ ସ୍ମାର୍ଟ ଯୁବକ ମୋତେ ନେବାକୁ ଆସିଲା । ପ୍ରଥମେ ତ ମୋତେ ଖାଲି ଦେଖି ଦେଇ ବେଶ୍‌ ଖୁସି ହୋଇଗଲା । ମାତ୍ର ମୋ ଆଣ୍ଠୁ ଉପରେ ନଜର ପଡ଼ିବାରୁ ସେ ଟିକେ ହତାଶ ହୋଇ କହିଲା ‘‘ସାର୍‌ ଆପଣ ମୋ ମାଲିକାଣୀମାନଙ୍କୁ କେମିତି ଏଇ ଦାଗଥିବା ଘୋଡ଼ାର ସପକ୍ଷରେ କହିଥିଲେ ?’’

‘‘ସୁନ୍ଦର ରୂପ ଆଉ ସୁନ୍ଦର କାମ ପାଇଁ । ତୁମେ ତ ତାକୁ ଟ୍ରାଏଲ ପାଇଁ କେବଳ ନେଉଛ ଏବଂ ମୁଁ ଜାଣେ ଯେ ତୁମେ ତାର କାର୍ଯ୍ୟଦକ୍ଷତା ଠିକ୍‌ ଭାବେ ନିରୂପଣ କରିପାରିବ । ଯଦି ସେ ଅନ୍ୟସବୁ ଘୋଡ଼ାଙ୍କପରି ନିରାପଦ ଲାଗିବନି ଫେରେଇ ଆଣିବ । ବାସ୍‌ ।’’

ତାପରେ ମତେ ତାଙ୍କ ଘୋଡ଼ାଶାଳକୁ ନିଆଗଲା । ବେଶ୍‌ ଏକ ଆରାମଦାୟକ ଘରେ ରଖାହେଲା । ଭଲ ଖାଦ୍ୟ ଖୁଆଇ ମତେ ଛାଡ଼ି ସେ ଚାଲିଗଲା । ତାପରଦିନ ମୋ ସଇସ ମୋ ମୁହଁ ସଫା କଲା ବେଳକୁ କହିଲା ଏଇ ତାରକା ଚିହ୍ନଟି ଠିକ୍‌ ଆମ ବ୍ଲାକ ବିଉଟି ପରି । ତାରି ପରି ବି ଉଚ୍ଚା । କେଜାଣି ଆଜି ସେ କେଉଁଠି ଥିବ । ଏମିତି ଦେଖୁ ଦେଖୁ ମୋ ବେକ ପାଖରେ ସିଲେଇଟି ବି ଦେଖିଲା । ସେ ଚମକି ପଡ଼ି ମତେ ପୁଣି ଭଲ ଭାବରେ ନିରୀକ୍ଷଣ କରିବାକୁ ଲାଗିଲା-

“କପାଳ ଉପରେ ଧଳା ତାରକା ଚିହ୍ନ, ଗୋଟିଏ ପାଦ ଧଳା ଏବଂ ଏଇ ଛୋଟ ଗଣ୍ଠିଟି ବି ଏକା ସ୍ଥାନରେ’’ ତାପରେ ମୋର ପଛର ମଝି ଅଂଶକୁ ଚାହିଁ କହିଲା “ମୁଁ ଯେମିତି ବଞ୍ଚିଛି ସେ ବି ଅଛି । ହେଇ ତାର ସେଇ ଛୋଟ ଧଳା ରୁମିଆ ଜାଗାଟା ବି ଅଛି । ଯାହାକୁ ଜନ୍‌ କହୁଥିଲା ‘‘ବିଉଟିର ତିନି ପେନି ଦାଗ’’ । ଏ ତ ନିଶ୍ଚୟ ବ୍ଲାକ ବିଉଟି । ଆଉ ହେ ବିଉଟି ମତେ ତୁ ଚିହ୍ନି ପାରୁଛୁ ? ଛୋଟ ଜୋ ଗ୍ରିନ୍‌ ଯିଏ ତତେ ପ୍ରାୟ ଥରେ ମାରି ପକାଉଥିଲା । ଏହା କହି ସେ ମତେ ଆଦର କରି କରି ଏମିତି କରୁଥାଏ ଯେ ସତେ ଯେମିତି ଅତ୍ୟଧିକ ଆନନ୍ଦର ଭଣ୍ଡାରଟିଏ ତାକୁ ମିଳି ଯାଇଥିଲା ।

ମୁଁ ଯେ ତାକୁ ମନେ ରଖିଥିଲି ତା କହିପାରିବିନି, କାରଣ ବର୍ତ୍ତମାନ ସେ ଏକ ସୁନ୍ଦର ଯୁବକ । କଳା ଦାଢ଼ି, ପୁରୁଷର ସ୍ଵର ମାତ୍ର ସେ ଯେ ମତେ ଚିହ୍ନିଛି ତା ମୁଁ ବୁଝିପାରିଲି । ସେ ଜୋ ଗ୍ରୀନ ଏବଂ ମୁଁ ଖୁବ୍‌ ଖୁସି ହେଲୁ । ମୁଁ ତା ଦେହରେ ନାକ ଲଗେଇ ଜଣେଇ ଦେବାକୁ ଚେଷ୍ଟା କଲି ଯେ ଆମେ ପରସ୍ପରର ବନ୍ଧୁ । ଏତେ ଖୁସିହେବା କୌଣସି ଲୋକକୁ ମୁଁ ଆଗରୁ ଦେଖି ନଥିଲି । ତତେ ପୁଣି ଭଲକରି ଦେଖିବି । ମୁଁ ପୁଣି ସତରେ ଭାବିବି । ମତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ସେ ବଦମାସ କିଏ ତୋ ଆଣ୍ଠୁ ଏମିତି କରିଛି । ତୁ ନିଶ୍ଚେ କୌଣସି ସ୍ଥାନରେ ଖୁବ୍‌ କଷ୍ଟରେ ରହିଥିଲୁ । ତେବେ ତୋର ଭଲରେ ରହି ନଥିବାଟା ବର୍ତ୍ତମାନ ମୋ ଦୋଷ ତ ନୁହେଁ । ମୋର ଇଚ୍ଛା ଜନ୍‌ ମ୍ୟାନ୍‌ଲୀ ଏଠି ଆସି ତତେ ଦେଖନ୍ତା କି ।”

ଉପରଓଳା ଏକ ନୀଚା ଚେୟାର ସହିତ ମତେ ଲଗେଇ ଘର ଦୁଆରକୁ ଆଣିଲେ । ମିସ୍‌ ଏଲେନ ମତେ ଚଳେଇ ଦେଖିଲେ, ଗ୍ରୀନ ବି ତାଙ୍କ ସହ ଯାଇଥିଲା । ମୁଁ ଦେଖିଲି ଯେ ସେ ଉତ୍ତମ ଚାଳିକା ଏବଂ ସେ ବି ମୋ ପାହୁଣ୍ଡ ପକେଇ ଚାଲିବାଟା ପସନ୍ଦ କଲେ । ଜୋ ବି ତାଙ୍କୁ ମୋ ବିଷୟରେ କହିବାର ମୁଁ ଶୁଣିଲି । ସେ କହୁଥିଲା ଯେ ମୁଁ ନିଶ୍ଚୟ ସ୍କୋୟାର ଗର୍ଡନଙ୍କର ସେଇ ପୁରୁଣା ବ୍ଲାକ୍‌ ବିଉଟି । ଆମେ ଫେରି ଆସିବା ପରେ ତାଙ୍କ ଅନ୍ୟ ଭଉଣୀମାନେ ଆସି ଯାତ୍ରା ବିଷୟରେ ଏଲେନକୁ ପଚାରିଲେ । ସେ ମୋ ବିଷୟରେ ଯାହାସବୁ ଶୁଣିଥିଲେ କହିଲେ, ‘‘ମୁଁ ନିଶ୍ଚୟ ଶ୍ରୀମତୀ ଗର୍ଡ଼ନଙ୍କୁ ଲେଖିବି ଯେ ତାଙ୍କ ପ୍ରିୟ ଘୋଡ଼ା ବର୍ତ୍ତମାନ ଆମ ସହିତ ଅଛି । ସେ ବହୁତ ଖୁସି ହେବେ ।’’

ଏହାପରେ ପ୍ରାୟ ଗୋଟାଏ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ମତେ ଚଳାହେଲା ଏବଂ ମୋ ସହିତ ଯିବା ଯେ ସମ୍ପୂର୍ଣ୍ଣ ନିରାପଦ, ଏ କଥା ମିସ୍‌ ଲାଭିନିଆ ମଧ୍ୟ ଜାଣିବାପରେ ଏକ ଛୋଟ ଗାଡ଼ିରେ ମୁଁ ଯୋଚା ହେଲି ଏବଂ ସେ ତହିଁରେ ମଧ୍ୟ ଗଲେ । ଏହାପରେ ସେମାନେ ମତେ ରଖିବାର ସ୍ଥିର କରି ପୁଣି ଥରେ ମୋର ନାମ ‘ବ୍ଲାକ୍‌ ବିଉଟି’ ଦିଆଗଲା ।

ବର୍ତ୍ତମାନ ଏଇ ଆନନ୍ଦମୟ ସ୍ଥାନରେ ମୋର ରହଣି ବର୍ଷଟିଏ ହୋଇ ସାରିଲାଣି । ଜୋ ସବୁଠାରୁ ଦୟାଳୁ ଏବଂ ଉତ୍କୃଷ୍ଟ ସଇସ । ମୋର ହାଲୁକା କାମ ଯାହା କି ମୁଁ ଆନନ୍ଦରେ କରେ; ମୋର ସ୍ୱାସ୍ଥ୍ୟ ଏବଂ ମନବଳ ପୁଣି ଥରେ ଫେରି ଆସିଲାଣି । ଦିନେ ଶ୍ରୀଯୁକ୍ତ ଥରଗୁଡ୍‌ ଜୋ’କୁ କହିଲେ “ତୁମ ପାଖରେ ସେ କୋଡ଼ିଏ ବର୍ଷ ବୟସ ଯାଏ ବଞ୍ଚିବ-ବେଶି ବି ବଞ୍ଚିପାରେ ।

ଉଇଲି ଯେତେବେଳେ ପାରେ ମୋ ନିକଟକୁ ଆସି କଥା କହେ । ମତେ ତାର ଏକ ବିଶେଷ ବନ୍ଧୁ ଭାବରେ ସେ ବ୍ୟବହାର କରେ । ମୋ ମାଲିକାଣୀମାନେ ମତେ କେବେ ବି ବିକ୍ରି ନ କରିବାର ଶପଥ ନେଇଛନ୍ତି । ତେଣୁ ମୋର ଆଉ କିଛି ଭୟ ବି ନାହିଁ ।

ଏତିକିରେ ମୋର କାହାଣୀ ଶେଷ । ମୋର ସବୁ ଯନ୍ତ୍ରଣାର ସମାପ୍ତି । ମୁଁ ବର୍ତ୍ତମାନ ଘରେ ଅଛି । ଅନେକ ସମୟରେ ଅବଚେତନ ଅବସ୍ଥାରେ ମୁଁ କଳ୍ପନା କରେ ସତେ ଯେମିତି ମୁଁ ବର୍ଟ ଉଇକ୍‌ର ଆପେଲ ବଗିଚାରେ ବୃକ୍ଷଛାୟାରେ ମୋ ବନ୍ଧୁମାନଙ୍କ ସହ ଠିଆ ହୋଇଛି ।

Image